ବୌଦ୍ଧ: ବୌଦ୍ଧ ପୁରୁଣାକଟକ ଥାନା ଚାରିଛକ ତହସିଲ ଅଫିସ ନିକଟରେ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ୩ ଗୁରୁତରଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ସାହିଲ ନାମକ ଏକ ଯାତ୍ରୀବାହୀ ବସ୍ ବଡମ୍ବାରୁ ବଲାଙ୍ଗୀର ଯାଉଥିବା ବେଳେ ବୌଦ୍ଧ ପୁରୁଣାକଟକ ଥାନା ଚାରିଛକ ତହସିଲ ଅଫିସ ନିକଟରେ ରାସ୍ତା କଡରେ ଛିଡା ହୋଇଥିଲା । ସେହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସି ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ଡ୍ରାଇଭର ସମେତ ୧୦ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ଡିଜେ ଆଜେକ୍ସ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ, ପ୍ରେମିକାଙ୍କ ବାର୍ଥ ଡେ’ ରାତିରେ ସୁଟ ହୋଇଥିଲା ଅନସିନ୍ ଭିଡିଓ
ଭୁବନେଶ୍ୱର: ଡିଜେ ଆଜେକ୍ସ ମୃତ୍ୟୁ ଘଟଣାରେ ନୂଆ ଟ୍ଵିଷ୍ଟ । ପ୍ରେମିକାଙ୍କ ବାର୍ଥ ଡେ’ ରାତିରେ ସୁଟ୍ ହୋଇଥିଲା ଅନସିନ୍ ଭିଡିଓ । ରାଜଧାନୀର ଏକ ହୋଟେଲରେ ପାଳନ ହୋଇଥିଲା ବାର୍ଥ ଡେ’ । ୟୁନିଟ-୩ ଅଞ୍ଚଳରେ ଥିବା ଏକ ଓୟୋରେ ହୋଇଥିଲା ବାର୍ଥ ଡେ’ ସେଲିବ୍ରେସନ । ଫେବ୍ରୁଆରୀ ୨୮ ତାରିଖରେ ସେଲିବ୍ରେସନ ବେଳେ ସୁଟ ହୋଇଛି ଭିଡିଓ । ଯେଉଁ ଭିଡିଓ ପାଇଁ ବାନ୍ଧବୀ ଜଣକ ବ୍ଲାକମେଲ କରୁଥିବା ସନ୍ଦେହ କରାଯାଉଛି । ମୋବାଇଲରୁ ମିଳିଥିବା ମେସେଜରୁ ଏଭଳି ପ୍ରମାଣ ପାଇଛି ପୋଲିସ । ଏସମ୍ପର୍କରେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି ପୋଲିସ ।
ମୃତ୍ୟୁ ପୂର୍ବରୁ ୧୫ ହଜାର ଟଙ୍କା ଅନଲାଇନରେ ନେବା ସହ ଯୁବତୀ ଜଣକ ଘର ତଳକୁ ଡାକି ଅକ୍ଷୟଙ୍କୁ ମାଡ଼ ମାରିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅନ୍ୟପଟେ ଅକ୍ଷୟ, ତାଙ୍କ ପ୍ରେମିକା ଓ ଅନ୍ୟ ପୁରୁଷ ବନ୍ଧୁଙ୍କ ସିଡିଆର ଯାଞ୍ଚ କରୁଛି ପୋଲିସ । ଅକ୍ଷୟଙ୍କ ଆକାଉଣ୍ଟରୁ ୧୦ ଲକ୍ଷରୁ ଅଧିକ ଟ୍ରାଞ୍ଜାକ୍ସନ ସମ୍ପର୍କରେ ଜାଣିବା ପାଇଁ ବ୍ୟାଙ୍କ ସହ ଯୋଗାଯୋଗ କରିଛି କମିଶନରେଟ ପୋଲିସ୍ ।
ପବିତ୍ର ଚୈତ୍ରମାସର ଦ୍ବିତୀୟ ମଙ୍ଗଳବାର, ଲୋକାରଣ୍ୟ ଗଞ୍ଜାମର ମା’ ତାରାତାରିଣୀ ପୀଠ
ଗଞ୍ଜାମ: ଆଜି ପବିତ୍ର ଚୈତ୍ରମାସର ଦ୍ବିତୀୟ ମଙ୍ଗଳବାର । ରାଜ୍ୟର ପ୍ରମୁଖ ଶକ୍ତିପୀଠରେ ମାଆଙ୍କୁ ଦର୍ଶନ କରିବାକୁ ଲାଗିଛି ଭକ୍ତଙ୍କ ଗହଳି । ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚାଲିଛି ଚୈତ୍ର ଯାତ୍ରା । ସକାଳୁ ସକାଳୁ ମା’ଙ୍କୁ ଦର୍ଶନ କରିବା ନିମନ୍ତେ ଭକ୍ତଙ୍କ ଲାଗିଛି ଲମ୍ବା ଧାଡ଼ି । ମାସରେ ପ୍ରତି ମଙ୍ଗଳବାରରେ ହେଉଛି ଦେବୀଙ୍କ ସ୍ବତନ୍ତ୍ର ପୂଜା । ଏହି ଦିନରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି । ମାନସିକଧାରୀ ସେମାନଙ୍କ ଛୁଆଙ୍କୁ ମୁଣ୍ଡନ କରି ମା’ଙ୍କ ଆଶିଷ ନେଉଛନ୍ତି ।
ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ଅତିରିକ୍ତ ସିଟି ବସର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନେ ୩ ପଥ ଦେଇ ପର୍ବତ ଶିଖରକୁ ଆସି ଦର୍ଶନ କରିପାରିବେ । ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।
ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମମତା ବାନାର୍ଜୀ, କାଲି ମହାପ୍ରଭୁଙ୍କୁ କରିବେ ଦର୍ଶନ
ଭୁବନେଶ୍ୱର: ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିନ ୩ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମମତା । ସେଠାରୁ ପୁରୀ ଯାଇ ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ଅପରାହ୍ମରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ମମତା ବାନାର୍ଜୀ । ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରି ପୁରୀରେ ଦ୍ବିତୀୟ ଦିନ ରାତ୍ରୀଯାପନ କରିବେ ।
ଏହାପରେ ୨୩ ତାରିଖରେ ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ କରିବେ ମମତା । ପରେ ସେହିଦିନ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବା କାର୍ଯ୍ୟକ୍ରମ ରହିଛି ।

