ଭୁବନେଶ୍ୱର: ହକି ଟିକେଟ କଳାବଜାରୀ ଅଭିଯୋଗ । ଟିକେଟ କଳାବଜାରୀ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୩୫ଟି ହକି ଟିକେଟ୍, ୧୦ ହଜାର ଟଙ୍କା ଜବତ କରାଯାଇଛି । ସେମାନେ ଛାତ୍ର ଓ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛି । ସାଧା ପୋଷାକରେ ପୋଲିସ ମୁତୟନ ହୋଇଥିଲେ । ଗରାଖ ଭାବେ ପୋଲିସ ସେଠାକୁ ଯାଇ ଟିକେଟ୍ କଳାବଜାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୫ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ।
ପ୍ରତାରିତ ପ୍ରେମୀଙ୍କ ପ୍ରଥମ ପସନ୍ଦ ବେବଫା ଚା’ବାଲା, ଲାଗୁଛି ଲମ୍ବା ଲାଇନ
ଲକ୍ଷ୍ନୌ: ଭାରତରେ ଚା’ଖଟି ଏକ ନିତିଦିନିଆ କାହାଣୀ । ବହୁ ସମୟରେ ଏହି ଚା ଖଟିରୁ କେତେ ଯେ କାହାଣୀ ଖବରର ଶିରୋନାମା ପାଲଟିଯାଏ। କିନ୍ତୁ ଉତ୍ତର ପ୍ରଦେଶର ଜଣେ ଏଭଳି ଚା ବ୍ୟବସାୟୀଙ୍କ ଚର୍ଚ୍ଚା ଏବେ ସବୁଠି । କାରଣ ଏହି ଦୋକାନର ନାମ ବେବଫା ଚା’ବାଲା । ଏଭଳି ଅଜବ ନାଁ ଶୁଣି ଆପଣଙ୍କ ମନକୁ ଅନେକ ପ୍ରଶ୍ନ ଆସୁଥାଇପାରେ । ହେଲେ ଦୋକାନୀଙ୍କ ମୁହଁରୁ ଏହାର ଉତ୍ତର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ହାପୁଡ ଜନପଦର ଧୌଲଲାନାରେ ଖୋଲିଛି ଏହି ଭିନ୍ନ ଚା’ ଦୋକାନ । ପ୍ରେମରେ ପ୍ରତାରଣା ପାଇଥିବା ବ୍ୟକ୍ତିଙ୍କ ପାଇଁ କିନ୍ତୁ ବ୍ୟବସାୟୀଙ୍କ ଅଜବ ଦରଦ । ପ୍ରେମରେ ଧୋକା ଖାଇଥିବା ଯୁବକ ଯୁବତୀଙ୍କୁ ବ୍ୟବସାୟୀ ଦେଉଛନ୍ତି ସ୍ପେଶାଲ ଅଫର୍ । ଆଜ୍ଞା ହଁ ଯଦି ଆପଣ ପ୍ରେମରେ ଧୋକା ଖାଇଛନ୍ତି ତେବେ କେବଳ ୧୦ ଟଙ୍କା ଦେଇ ଆପଣ ଚା’ ପିଇପାରିବେ । କିନ୍ତୁ ଯଦି ଆପଣ ପ୍ରେମିକ ବା ପ୍ରେମିକାଙ୍କ ସହ ଏଠାକୁ ଚା ପିଇବାକୁ ଆସନ୍ତି ଏଥିପାଇଁ ୧୫ ଟଙ୍କା ଦେବାକୁ ପଡିଥାଏ
ଆପଣ ଭାବୁଥିବେ ବ୍ୟବସାୟୀଙ୍କ ଏଭଳି ନିଷ୍ପତ୍ତି କାହିଁକି ? ସେ ଖୋଦ୍ ପ୍ରେମରେ ଧୋକା ଖାଇଛନ୍ତି କି ? ନା ସେ ପ୍ରେମରେ ଧୋକା ଖାଇ ନାହାନ୍ତି । ହେଲେ ନିଜ ବନ୍ଧୁ ମାନଙ୍କୁ ଦେଖି ଦୋକାନର ଏକ ୟୁନିକ୍ ନାଁ ସେ ରଖିଛନ୍ତି । ଦୋକାନୀଙ୍କ କହିବା କଥା ଯେ, ଅଧିକାଂଶ ସମୟରେ ତାଙ୍କ ସାଙ୍ଗ ମାନେ ପ୍ରେମରେ ପ୍ରତାରଣା ପାଇ ବନ୍ଧୁଙ୍କ ପରାମର୍ଶ ଚାହୁଁଥିଲେ । ଏଭଳି ଅନେକ ବନ୍ଧୁଙ୍କ ହୃଦୟ ଭାଙ୍ଗିଥିବା ସେ ଜାଣିବାକୁ ପାଇଥିଲେ । ଆଉ ସେହି ସାଙ୍ଗମାନଙ୍କ ଠୁ ପ୍ରେରଣା ପାଇ ଚା’ ଦୋକାନ କରିବାକୁ ନିଷ୍ପତ୍ତି ନେଇଥିଲେ ବ୍ୟବସାୟୀ । ସେବେଠାରୁ ବେବଫା ଚା ବ୍ୟବସାୟୀଙ୍କ ଦୋକାନରେ ପ୍ରେମିକଙ୍କ ଭିଡ ଜମୁଛି । ଅଧିକାଂଶ ଯୁବପୀଢୀଙ୍କ ପ୍ରଥମ ପସନ୍ଦ ପାଲଟିଛି ବେବଫା ଚା ଦୋକାନୀ ।
ଆଜିଠୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦିନିକିଆ ସିରିଜ୍, ଶ୍ରେୟସ ଆୟାର ବାଦ୍
ହାଇଦ୍ରାବାଦ: ଆଜିଠୁ ଆରମ୍ଭ ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦିନିକିଆ ସିରିଜ୍ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଆଜି ହାଇଦ୍ରାବାଦରେ ଖେଳାଯିବ । ଦ୍ବିତୀୟ ଦିନିକିଆ ଜାନୁଆରୀ ୨୧ ରାୟପୁରରେ ଏବଂ ତୃତୀୟ ମ୍ୟାଚ୍ ଇନ୍ଦୋରରେ ଜାନୁଆରୀ ୨୪ରେ ଖେଳାଯିବ । ଏହାପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ବଡ଼ ଝଟକା ଲାଗିଛି ।
ଆହତ ଯୋଗୁ ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟାର ସିରିଜରୁ ବାହାରି ଯାଇଛନ୍ତି । ତାଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ଦଳରେ ସାମିଲ କରାଯାଇଛି । ଶ୍ରେୟସଙ୍କ ପିଠିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ସିରିଜରୁ ବାଦ୍ ଦିଆଯାଇଛି । ଚିକିତ୍ସା ପାଇଁ ତାଙ୍କୁ ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀ ପଠାଇ ଦିଆଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିବ ।
ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଦିନିକିଆ ଓ ୩ଟି ଟି-୨୦ ସିରିଜ ଖେଳିବ । ଶ୍ରୀଲଙ୍କା ବିପକ୍ଷରେ ବଡ଼ ବିଜୟ ପରେ ଏଥର ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।
ତିନି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିପାରେ ବିଗୁଲ
ନୂଆଦିଲ୍ଲୀ: ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ । ଆଜି ଅରାହ୍ନରେ ନିର୍ବାଚନ କମିସନରଙ୍କ ପ୍ରେସମିଟ । ତିନି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ । ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।
ଅପରାହ୍ନ ସାଢ଼େ ୨ଟାରେ ପୋଲ ପ୍ୟାନେଲର ପ୍ରେସ କନଫରେନ୍ସରେ ନିର୍ବାଚନ ତାରିଖ ତାରିଖ ଘୋଷଣା ହେବା ସମ୍ଭାବନା ରହିଛି । ନିର୍ବାଚନ ହେବାକୁ ଥିବା ପୂର୍ବୋତ୍ତରର ଏହି ତିନି ରାଜ୍ୟକୁ ନିର୍ବାଚନ କମିଶନଙ୍କ ଟିମ୍ ୪ଦିନିଆ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ । ଗସ୍ତ ପରେ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହ ବୈଠକ କରିଥିଲା ଟିମ ।

