spot_img
Home Blog Page 35

ଭାରତୀୟ ଟି-୨୦ ଦଳ ଘୋଷଣା; ବୈଭବଙ୍କୁ ସୁଯୋଗ

ନନ୍ଦିଘୋଷ ବ୍ୟୁରୋ:  ଆଗାମୀ ଆୟରଲାଣ୍ଡ ଏବଂ ଇଂଲଣ୍ଡ ବିରୋଧରେ ଟି-୨୦ ସିରିଜ୍ ପାଇଁ ଶନିବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ପକ୍ଷରୁ ଆନୁଷ୍ଠାନିକ ଭାବେ ଟିମ୍ ଇଣ୍ଡିଆର ଘୋଷଣା କରାଯାଇଛି। ମୁମ୍ବାଇସ୍ଥିତ ବିସିସିଆଇ ମୁଖ୍ୟାଳୟରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ଗସ୍ତ ପାଇଁ ଦଳର ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ପ୍ରଦାନ କରାଯାଇଥିବା ବେଳେ ଯୁବ ଖେଳାଳି ତିଲକ ବର୍ମାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି। ଟି-୨୦ ସିରିଜ୍ ସହ ଚୟନକର୍ତ୍ତାମାନେ ଆଗାମୀ ଏସୀୟ କ୍ରୀଡ଼ା (Asian Games) ପାଇଁ ମଧ୍ୟ ଭାରତୀୟ ସ୍କ୍ୱାଡ୍ ଘୋଷଣା କରିଛନ୍ତି।

ତେବେ ଉଭୟ ଟି-୨୦ ଏବଂ ଏସୀୟ କ୍ରୀଡ଼ାକୁ ମିଶାଇ ତିନୋଟି ଯାକ ସ୍କ୍ୱାଡରେ ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି।ତାରକା ଯଶପ୍ରୀତ ବୁମରା ଏସୀୟ କ୍ରୀଡ଼ାରେ ପ୍ରତିନିଧିତ୍ୱ କରିବେ। ସେ ମହମ୍ମଦ ସିରାଜଙ୍କ ସ୍ଥାନରେ ଦଳକୁ ଫେରିଛନ୍ତି। ଅନ୍ୟପଟେ, ମହମ୍ମଦ ସିରାଜଙ୍କୁ ଆୟରଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଟି-୨୦ ଦଳରେ ସୁଯୋଗ ଦିଆଯାଇଛି।

ବିସିସିଆଇ ଆପେକ୍ସ କାଉନସିଲ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଟି-୨୦ ରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରୁ ହଟାଇ ଦିଆଯାଇଛି, ଯାହାକୁ ଆଜି ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରାଯାଇଛି।

ତେବେ ଏହି ଘୋଷିତ ଦଳରେ ଅନେକ ମ୍ୟାଚ୍ ୱିନରଙ୍କୁ ସ୍ଥାନ ମିଳିଛି। ଏହି ଦଳରେ ସଞ୍ଜୁ ସାମସନ, ଇଶାନ କିଶନ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅଭିଷେକ ଶର୍ମା ଏବଂ ଶିବମ ଦୁବେଙ୍କ ଭଳି ତାରକା ଖେଳାଳି ରହିଛନ୍ତି। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଗଠିତ ଏହି ଟିମ୍ ବିଦେଶ ମାଟିରେ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

ଆୟରଲାଣ୍ଡ ଗସ୍ତ: ଆସନ୍ତା ଜୁନ୍ ୨୬ରୁ ଆୟରଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଆରମ୍ଭ ହେବ।

ଇଂଲଣ୍ଡ ଗସ୍ତ: ଏହାପରେ ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷରେ ଭାରତ ୫ଟି ଟି-୨୦ ଏବଂ ୩ଟି ଦିନିକିଆ (ODI) ମ୍ୟାଚ୍‌ର ସିରିଜ୍ ଖେଳିବ।

ବଲାଙ୍ଗୀରରେ ହାଇଡ୍ରାମା: ବନ୍ଧ ପୁନରୁଦ୍ଧାରକୁ ନେଇ ମୁହାଁମୁହିଁ କଂଗ୍ରେସ-ବିଜେଡି

ବଲାଙ୍ଗୀର: ବଲାଙ୍ଗୀର ସହରର ବନ୍ଧ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୀତି ସରଗରମ। ପରିତ୍ୟକ୍ତ ଅବସ୍ଥାରେ ଥିବା ସହରର ୧୧ଟି ବନ୍ଧର ପୁନରୁଦ୍ଧାର ବଲାଙ୍ଗୀର ପୌରପରିଷଦ ପକ୍ଷରୁ କରାଯାଉଥିବା ବେଳେ, ଏହାକୁ ନେଇ ନଗର କଂଗ୍ରେସ ତରଫରୁ ଆନ୍ଦୋଳନ କରାଯାଇଛି। ତେବେ ଏହି ଆନ୍ଦୋଳନକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସର ଦୁର୍ନୀତି ଅଭିଯୋଗକୁ ବିଜେଡି ସମେତ ହଜାର ହଜାର ସ୍ଥାନୀୟ ଲୋକେ ଖୋଲାଖୋଲି ବିରୋଧ କରିଛନ୍ତି।

ଆଜି କରଙ୍ଗାକଣ୍ଟା ବନ୍ଧ ଆଡିରେ ମହିଳା କଂଗ୍ରେସ ପକ୍ଷରୁ ଚାଲିଥିବା ଆନ୍ଦୋଳନ ସ୍ଥଳକୁ ବିଜେଡି କର୍ମୀ ଓ ସାଧାରଣ ଲୋକେ ଧସେଇ ପଶିଥିଲେ। ଫଳରେ ସେଠାରେ କଂଗ୍ରେସ ଓ ବିଜେଡି କର୍ମୀ ମୁହାମୁହିଁ ହୋଇଛନ୍ତି। ବିଶେଷ କରି ସ୍ଥାନୀୟ ମହିଳାମାନେ ସହରର ବିକାଶ କାମରେ ବାଧା ସୃଷ୍ଟି କରାଯାଉଥିବା ଦର୍ଶାଇ କଂଗ୍ରେସର ଏହି ଆନ୍ଦୋଳନକୁ ଜୋରଦାର ବିରୋଧ କରିଛନ୍ତି। ପରିସ୍ଥିତି ଏପରି ହୋଇଥିଲା ଯେ ଉଭୟ ଦଳର ନାରାବାଜି ଭିତରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ପ୍ରଶାସନକୁ ନାକେଦମ୍ ହେବାକୁ ପଡ଼ିଛି।

ଏହି ବିବାଦ ଭିତରେ ବିଜେଡି ପକ୍ଷରୁ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ସେ ବଲାଙ୍ଗୀରର ବିକାଶ ଚାହୁଁନାହାନ୍ତି ଏବଂ ସେ ଜଣେ “ବଲାଙ୍ଗୀର ବିରୋଧୀ” ବୋଲି ବିଜେଡି ଅଭିଯୋଗ ଆଣିଛି।

ମିଳିଥିବା ସୂଚନା ଅନୁଯାୟୀ, ବନ୍ଧର ମାଟି ଖୋଳା ଓ ପୁନରୁଦ୍ଧାର କାର୍ଯ୍ୟ ଏବେ ପ୍ରାଥମିକ ପର୍ଯ୍ୟାୟରେ ଚାଲିଛି। ଏହି କାର୍ଯ୍ୟ ପାଇଁ ଏପର୍ଯ୍ୟନ୍ତ ଟଙ୍କାଟିଏ ମଧ୍ୟ ବିଲ୍ ହୋଇନାହିଁ। ତେଣୁ ବିଲ୍ ନହୋଇ ଦୁର୍ନୀତି କିଭଳି ହେଲା ବୋଲି ପ୍ରଶ୍ନ ଉଠିଛି।

ରାଜନୈତିକ ଫାଇଦା ହାସଲ କରିବା ପାଇଁ ଏବଂ ଉଦ୍ଦେଶ୍ୟମୂଳକ ଭାବେ ବିକାଶମୂଳକ କାର୍ଯ୍ୟକୁ ବନ୍ଦ କରିବାକୁ କଂଗ୍ରେସ ଏଭଳି ମିଥ୍ୟା ଦୁର୍ନୀତି ଅଭିଯୋଗ ଆଣି ଆନ୍ଦୋଳନ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଘଟଣା ପରେ ବଲାଙ୍ଗୀର ସହରରେ ରାଜନୈତିକ ପାରଦ ବେଶ୍‌ ବୃଦ୍ଧି ପାଇଛି।

ଭିଜିଲାନ୍ସ ଜାଲରେ ITDA ସହକାରୀ ନିର୍ବାହୀ ଯନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା । ଆଜି ସକାଳୁ ବୈକୁଣ୍ଠନାଥ ବେହେରାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଅନେକ ଦାମୀ କୋଠା ସମେତ ବିପୁଳ ସମ୍ପତ୍ତି ଠାବ ହୋଇଥିବା ଜଣାପଡ଼ିଛି । ଏହି ରେଡରେ ୨ ଅତିରିକ୍ତ ଏସପି, ୫ ଡିଏସପି, ୬ ଇନ୍ସପେକ୍ଟର ସାମିଲ ଅଛନ୍ତି। ଭୁବନେଶ୍ବର, ବାରିପଦା, ଧର୍ମଶାଳା, ବାଲିଗୁଡାର ଏକକାଳୀନ ୯ଟି ସ୍ଥାନରେ ରେଡ ହୋଇଛି।

. ଭୁବନେଶ୍ବର (ଚନ୍ଦ୍ରଶେଖରପୁର): ଏକ ଚାରି ମହଲା କୋଠା ଓ ଆଉ ଏକ ୨ ମହଲା କୋଠା ଠାବ ।
. ଭୁବନେଶ୍ବର (ଶୈଳଶ୍ରୀ ବିହାର): ଏକ ୩ ମହଲା କୋଠା ।
. ପଟିଆ: ଏକ ୨ ମହଲା କୋଠା ଠାବ ହୋଇଛି ।
. ଯାଜପୁର ଧର୍ମଶାଳା ଥାନା ଜାରକା କଲେଜ ନିକଟ ପଣ୍ଡୁଆସ୍ଥିତ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଜାରି ରହିଛି। ପଣ୍ଡୁଆ ମୌଜାରେ ବୈକୁଣ୍ଠଙ୍କ ଏକ ଦୁଇ ମହଲା କୋଠା ରହିଛି। ଏହି ଚଢାଉରେ ଜଣେ ଇନିସପେକ୍ଟର, ଜଣେ ସବ୍ ଇନିସପେକ୍ଟର ଓ ଦୁଇଜଣ ସରକାରୀ ସାକ୍ଷୀ ସାମିଲ ଅଛନ୍ତି।

ମୟୂରଭଞ୍ଜ ବାରିପଦାସ୍ଥିତ ଦେଉଳସାହି ଠାରେ ଥିବା ବୈକୁଣ୍ଠଙ୍କ ଶଶୁରଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରହିଛି। ତେବେ ଚଢ଼ାଉ ଏବେ ବି ଜାରି ରହିଥିବାରୁ ସମ୍ପତ୍ତିର ସଠିକ୍ ଆକଳନ ସମ୍ପର୍କରେ ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ବାକି ଅଛି ।

ରଥଯାତ୍ରା ନୀତି ନିର୍ଘଣ୍ଟକୁ ପରିଚାଳନା କମିଟିର ମୋହର, ଅଦିନିଆ ରଥଯାତ୍ରାକୁ ବିରୋଧ

ପୁରୀ : ରଥଯାତ୍ରା ନୀତି ନିର୍ଘଣ୍ଟକୁ ପରିଚାଳନା କମିଟିର ମୋହର । ଶୃଙ୍ଖଳିତ ଘୋଷଯାତ୍ରାକୁ ଗୁରୁତ୍ବ । ଅଦିନିଆ ରଥଯାତ୍ରାକୁ ବିରୋଧ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଆଯାଇଛି ବହୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି । ଆଗାମୀ ଦେବସ୍ନାନ ପୂର୍ଣ୍ଣମୀ, ରଥଯାତ୍ରା ଓ ବାହୁଡା଼ ଯାତ୍ରା ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ପରିଚାଳନା କମିଟି ମୋହର ମାରିଛି । ନରେନ୍ଦ୍ର ପୁଷ୍କରିଣୀ ଠାରେ ଶ୍ରୀମନ୍ଦିର ପ୍ରଶାସନର ଏକ ସ୍ଥାୟୀ ସୂଚନା କେନ୍ଦ୍ର ଓ ଅଭ୍ୟର୍ଥନା ପ୍ରକୋଷ୍ଠ କରାଯିବାକୁ ନିଷ୍ପତ୍ତି ହୋଇଛି । ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବୈଠକରେ ଗଜପତି କ୍ଷୋଭ ପ୍ରକାଶ କରିଛନ୍ତି । ଏ ନେଇ ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ଜଣାଇବା ସହ ଏକ କମିଟି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ନିବେଦନ କରିବ । ସେହିପରି ଶ୍ରୀମନ୍ଦିର ଆଇନର ସଂଶୋଧନ, ଆଦର୍ଶ ଗୁରୁକୁଳ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ନେଇ ନିଷ୍ପତ୍ତି ନିଆଯାଇଛି । ସେବାୟତ ଆବାସ ଯୋଜନା ପାଇଁ ଅନ୍ୟତ୍ର ଜମି ଚିହ୍ନଟ ସହ ମଶାଣିଚଣ୍ଡୀ ଠାରେ ନୂଆ କଲୋନୀ କରାଯିବ । ସେହିପରି ଜମିଜମା ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ନିୟମ ପ୍ରଣୟନ ପାଇଁ ଅନୁରୋଧ କରିଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ଆଗାମୀ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସ୍ଥଗିତ ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ନିଳାଦ୍ରୀ ବିଜେ ପରେ ଏନେଇ ଦିନ ସ୍ଥିର କରାଯିବ । ବାହାର ରତ୍ନଭଣ୍ଡାରର ୩ଟି ତାଲା ଖରାପ ଥିବାରୁ ଏହାକୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ଭିତର ଭଣ୍ଡାର ଘରେ ଥିବା ବଡ଼ ବଡ଼ ମୂଲ୍ୟବାନ ରତ୍ନ ଅଳଙ୍କାର ଖଟ ଶେଜ ଘରକୁ ଆଣାଯାଇ ଗଣତି କରାଯିବ । ଫଟୋଗ୍ରାଫି, ଭିଡ଼ିଓଗ୍ରାଫି ଓ ଥ୍ରୀଡ଼ି ମ୍ୟାପିଙ୍ଗ ପରେ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ । ବୈଠକରେ ମୁଖ୍ୟ ଶାସନ ସଚିବ ଆଭାସୀ ମାଧ୍ୟମରେ ରହିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ପୁରୀ ଜିଲ୍ଲାପାଳ, ଏସପି, ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ବିଲୁପ୍ତ ଧାନ, ମାଣ୍ଡିଆ ଓ ଔଷଧୀୟ ବିହନର ପ୍ରଦର୍ଶନ ସହ ଚାଷୀଙ୍କୁ ସଚେତନ କଲେ ବୈଜ୍ଞାନିକ

ଜୟପୁର : ପରିବେଶକୁ ସନ୍ତୁଳନ କରେ ଗଛ । କିନ୍ତୁ ପରିବେଶ ଅସନ୍ତୁଳନ ଓ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଅନେକ ଗଛ ଏବେ ବିଲୁପ୍ତ ପ୍ରାୟ । ଏସବୁକୁ ସଂରକ୍ଷଣ କରିବାରେ ପ୍ରମୁଖ ଭୂମିକା ନେଇଛି ଜୟପୁର ଏମ.ଏସ ସ୍ୱାମୀନାଥନ କୃଷି ଗବେଷଣା କେନ୍ଦ୍ର । କେବଳ ଧାନ, ମାଣ୍ଡିଆ କି ଅନ୍ୟ ଶସ୍ୟ ନୁହେଁ ବିଲୁପ୍ତ ପ୍ରାୟ ଔଷଧୀୟ ଗଛର ବିହନକୁ ମଧ୍ୟ ଏଠାରେ ସଂରକ୍ଷଣ କରାଯାଉଛି । ବିଶ୍ବ ପରିବେଶ ଦିବସ ଅବସରରେ କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ଲୁପ୍ତ ପ୍ରାୟ ଶରେ ପ୍ରକାର ଦେଶୀ ଗୁଣାତ୍ମକ ଧାନ ବିହନ ଓ ୪୦ ପ୍ରକାର ଦେଶୀ ମାଣ୍ଡିଆ ବିହନ ପ୍ରଦର୍ଶନ କରିବା ସହ ଚାଷୀଙ୍କୁ ପ୍ରଦାନ କରାଯାଇଛି । ଜଙ୍ଗଲରେ ଅଶୋକ ଗଛ, ଅର୍ଜୁନ ଗଛ, ନିମ୍ବ ଗଛ ଭଳି ଔଷଧୀୟ ଗଛ ଲଗାଇବାକୁ ଚାଷୀଙ୍କୁ ସଚେତନ କରାଯାଇଛି ।

ଜନସଂଖ୍ୟା ଦିନକୁ ଦିନ ଦୃତ ଗତିରେ ବଢୁଥିବାରୁ ବର୍ତ୍ତମାନ ହାଇବ୍ରିଡ ଧାନ ବିହନର ଚାହିଦା ଅଧିକ ଦେଖିବାକୁ ମିଳୁଛି । ଏହାଦ୍ବାରା ବିଗୁଡୁଛି ପରିବେଶ, ବଢୁଛି ରୋଗ ପ୍ରତିରୋଧକ କ୍ଷମତା । ତେଣୁ ଏହି ପ୍ରଦର୍ଶନୀ ଅବସରରେ ଗାଁ ଗହଳିର ଚାଷୀ ମାନେ ସେମାନଙ୍କ ସଂରକ୍ଷଣ କରିଥିବା ଦେଶୀ ବିହନକୁ ଅନ୍ୟ ଚାଷୀଙ୍କ ସହ ଆଦାନ ପ୍ରଦାନ କରିଛନ୍ତି । ଏହାଦ୍ବାରା ପରିବେଶ ସନ୍ତୁଳନ ରହିବା ସହ କମ୍ ବର୍ଷା ଓ ଜୈବିକ ସାର ମାଧ୍ୟମରେ ଅଧିକ ଅମଳ ହୋଇ ପାରିବ ବୋଲି କହିଛନ୍ତି ଚାଷୀ । ପରିବେଶକୁ ସନ୍ତଳନ କରିବାକୁ ହେଲେ ପୁରୁଣା ପଦ୍ଦତି ରେ ପୁରୁଣା ବିହନ ଓ ଔଷଧିୟ ଗଛର ବିହନକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।…

ଆନ୍ଦୋଳନ ପୂର୍ବରୁ ମିଲ୍ ଆଗରେ ଧାନ ଗାଡ଼ି, ମିଲର୍ସଙ୍କ ଆନ୍ଦୋଳନ ପଛରେ ଲାଭ କାହାର ?

କଳାହାଣ୍ଡି : ଆନ୍ଦୋଳନ ପୂର୍ବରୁ ମିଲ୍ ଆଗରେ ବସ୍ତା ବସ୍ତା ଧାନ ଗାଡ଼ି। ଗୋଟିଏ ପଟେ ଦାବି ପୂରଣ ପାଇଁ ସରକାରଙ୍କୁ ଅଲ୍ଟିମେଟମ୍। ଆଉ ଅନ୍ୟପଟେ ମିଲ୍ ସାମ୍ନାରେ ଧାନ ଗାଡ଼ିର ଲମ୍ବା ଲାଇନ୍। କଳାହାଣ୍ଡି ଜିଲ୍ଲାର ଅଧିକାଂଶ ମିଲ୍ ଆଗରେ ସମାନ ଚିତ୍ର । ମିଲର୍ସ ଆସୋସିଏସନ୍ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ରଣହୁଙ୍କାର ଦିଆଯାଇଛି। ସରକାର ଦାବି ନଶୁଣିଲେ ମିଲିଂ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ଚେତାବନୀ ମିଳିଛି। କିନ୍ତୁ ଆନ୍ଦୋଳନ ପୂର୍ବରୁ ରାଇସ୍ ମିଲ୍ ଗୁଡ଼ିକର କାରବାର ଏବେ ସନ୍ଦେହ ଘେରରେ। ମିଲର୍ସଙ୍କ ଆନ୍ଦୋଳନ ପଛରେ ଲାଭ କାହାର ? ଆନ୍ଦୋଳନ ବାହାନାରେ ଚାଷୀଙ୍କ ଠାରୁ କମ୍ ଦରରେ ଧାନ ହଡ଼ପ ହେଉଛି କି ? ମିଲ୍ ମାଲିକ ମାଲେମାଲ୍ ହେବାର ଯୋଜନା କରୁନାହାନ୍ତି ତ?

ତେବେ ଏଠି ପ୍ରଶ୍ନ ଉଠୁଛି, ଆନ୍ଦୋଳନ ପୂର୍ବରୁ ଏତେ ପରିମାଣର ଧାନ ମିଲ୍ ଭିତରକୁ କାହିଁକି ନିଆଯାଉଛି? ମିଲ୍ଗୁଡ଼ିକ ନିଜର ଷ୍ଟକ୍ ସୀମା ପୂରଣ କରିବାକୁ ଚାହୁଁଛନ୍ତି କି? ସରକାର ଏହି ଚେତାବନୀକୁ ନେଇ କି ପଦକ୍ଷେପ ନେଉଛନ୍ତି ? ମିଲ୍ ଆଗରେ ଲମ୍ବା ଲାଇନ୍ ପଛର ରହସ୍ୟ କ’ଣ? ତେବେ ସେ ଯାହା ହେଉନା କାହିଁକି ଏସବୁ ଭିତରେ ବଳି ପଡୁଛି ଗରିବ ଚାଷୀ। ଅନ୍ୟପଟେ ମିଲର୍ସ ଆସୋସିଏସନ୍ ରାଜ୍ୟ ସଭାପତିଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ସେପଟେ ମିଲର୍ସଙ୍କ ସହ ଆଲୋଚନା କରାଯିବା ନେଇ କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ବାସ୍ତବରେ ମିଲର୍ସଙ୍କ ଏହି ଆନ୍ଦୋଳନ ଡାକରା ଚାଷୀ ଓ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଏକ ରଣନୀତି, ନା ଏହା ଆଢୁଆଳରେ ପକେଟ୍ ଗରମ କରିବାର ଏକ ବଡ଼ ଚକ୍ରାନ୍ତ?

ଦେଉଳଖମଣ ଗାଁକୁ ନା ଅଛି ପକ୍କା ରାସ୍ତା ନା ପାନୀୟ ଜଳର ସୁବିଧା

ଛେଣ୍ଡିପଦା : ନାହିଁ ନାହିଁର ଗାଁ । ମୌଳିକ ସୁବିଧାରୁ ବଞ୍ଚିତ । ଗାଁକୁ ନା ଅଛି ପକ୍କା ରାସ୍ତା ନା ପାନୀୟ ଜଳର ସୁବିଧା। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଦେଉଳଖମଣ ଗାଁରେ ପହଞ୍ଚିନି ବିକାଶ। ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ପିଇବା ପାଣି, ବିଦ୍ୟୁତ, ଭତ୍ତା ଭଳି ମୌଳିକ ସୁବିଧା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ ।ଏଠାରେ ଦୀର୍ଘ ବର୍ଷ ଧରି ୬୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ଗାଁକୁ ପକ୍କା ରାସ୍ତା ନଥିବାବେଳେ ମନରେଗା ଯୋଜନାରେ ନିର୍ମାଣ କରାଯାଇଛି ରାସ୍ତା l କିନ୍ତୁ ଅସରାଏ ବର୍ଷା ହେଲେ ଗାଁକୁ ପଶି ପାରୁନି ଆମ୍ବୁଲାନ୍ସ l ମେଗା ପାନୀୟ ଜଳ ଯୋଗାଣରେ ପ୍ରତ୍ୟେକ ଘରେ ଟ୍ୟାପ ଲାଗିଛି, କିନ୍ତୁ ଆସୁନି ପାଣି l ଭରସା ଏକମାତ୍ର ନଳକୂପ । ବିଦ୍ୟୁତ ସୁବିଧା ଥିଲେ ମଧ୍ୟ ଅଧିକାଂଶ ଘରକୁ ସଂଯୋଗ ହୋଇନି l ଅଙ୍ଗନବାଡ଼ି କଥା ନ କହିବା ଭଲ। ସ୍ୱାଧୀନତାର ୭୮ ବର୍ଷ ପରେ ବି ବିକାଶ ପହଞ୍ଚି ପାରିନି ଦେଉଳଖମଣରେ।

ଗାଁର ସମସ୍ତେ ଦିନ ମଜୁରି କରି ଗୁଜୁରାଣ ମେଣ୍ଟାଉଛନ୍ତି । ପୁରୁଷମାନେ ପେଟ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ମହିଳାମାନେ ବାଉଁଶରେ ଟୋକେଇ, ପାଛିଆ, କୁଲା ତିଆରି କରି ହାଟରେ ବିକ୍ରି କରି ପରିବାର ଚଳାନ୍ତି। ନିର୍ବାଚନ ବେଳେ ନେତା ମନ୍ତ୍ରୀଙ୍କ ସୁଅ ଛଟେ। ପ୍ରତିଶ୍ରୁତିର ବର୍ଷା ହୁଏ । ହେଲେ ଭୋଟ ସରିଲେ କଥା ସରିଲା। ସମସ୍ୟା ସମ୍ପର୍କରେ ବ୍ଲକ ଓ ପଞ୍ଚାୟତରେ ବାରମ୍ବାର ଗୁହାରି କଲେ ବି ଫଳ ଶୂନ।

ଇନ୍ଦୋର ନଗର ନିଗମକୁ ନିର୍ଦ୍ଦେଶ: ଯଦି ୧୬୪୦ ଗଛ କାଟିବ, ୧୬୪୦୦ ଲଗାଇବ

ଇନ୍ଦୋର ନଗର ନିଗମକୁ ନିର୍ଦ୍ଦେଶ: ଯଦି ୧୬୪୦ ଗଛ କାଟିବ, ୧୬୪୦୦ ଲଗାଇବ

ନନ୍ଦିଘୋଷ ବ୍ୟୁରୋ: ବିକାଶ ନାଁରେ ଚାଲିଛି ବିନାଶ । ବଡ଼ ବଡ଼ ପ୍ରୋଜେକ୍ଟ ଆଳରେ ଧରାଶାୟୀ ହେଉଛନ୍ତି ଶହ ଶହ ଗଛ । ଏଭଳି ସ୍ଥିତିରେ ମଧ୍ୟପ୍ରଦେଶର ଇନ୍ଦୋର ସହର ବିକାଶ ନାଁରେ ଗଛ କଟା ମାମଲାରେ ହାଇ ଲେଭଲ କମିଟର ଏମିତି ଏକ ନିର୍ଦ୍ଦେଶ ଆସିଛି ଯାହା ସାରା ଦେଶରେ ଚର୍ଚ୍ଚାର କାରଣ ପାଲଟିଛି । ରାସ୍ତା ନିର୍ମାଣ ପାଇଁ ଗଛ କାଟିବା ଓ ସ୍ଥାନାନ୍ତର କରିଯିବାକୁ ନେଇ ନଗର ନିଗମକୁ ୧୦ ଗୁଣା ଅଧିକ ଗଛ ଲଗାଇବାକୁ ପଡିବ । ଏହାସହ ଅତିକମରେ ୯୫ ପ୍ରତିଶତ ଗଛ ବଞ୍ଚାଇ ରଖିବାକୁ ବି ସର୍ତ୍ତ ରଖାଯାଇଛି ।

ସୂଚନର ଅନୁସାରେ, ଇନ୍ଦୋରରେ ୧୦ଟି ଗୁରୁତ୍ବପୂର୍ଣ୍ଣ ରାସ୍ତା ନିର୍ମାଣ କରାଯିବାକୁ ଯାଉଛି । ଏଥିପାଇଁ ପ୍ରାୟ ୭୯୭ ଗଛ କଟାଯିବା । ଏହାସହ ୮୪୩ ଗଛ ସ୍ଥାନାନ୍ତର କରାଯାଇ ଅନ୍ୟତ୍ର ଲଗାଯିବ । ଏହି ମାଷ୍ଟାର ପ୍ଲାନକୁ ରାଜ୍ୟସ୍ତରୀୟ ହାଇ ଲେଭଲ କମିଟି ସର୍ତ୍ତର ସହ ମଞ୍ଜୁରୀ ଦେଇଛନ୍ତି । କମିଟି ନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି କହିଛନ୍ତି, ଯୋଜନା ପାଇଁ ୧୬୪୦ ଗଛ ବଦଳରେ ୧୬୪୦୦ ଗଛ ଲଗାଇବାକୁ ପଡିବ । ଏହାସହ ଚାରା ଗଛରେ ପରିଣତ ହେବା ପର୍ଯ୍ୟନ୍ତ ଏହାର ସର୍ଭାଇବାଲ ରେଟ୍ ୯୫ ପ୍ରତିଶତ ରଖିବାକୁ ପଡିବ । ଅର୍ଥାତ ୯୫ ପ୍ରତିଶତ ଗଛକୁ ସୁରକ୍ଷିତ ରଖିବାକୁ ପଡିବ । ଏହି ପ୍ରସ୍ତାବ ବନ ବିଭାଗ ପାଖକୁ କ୍ଲିୟରାନ୍ସ ପାଇଁ ପଠାଇ ଦିଆଯାଇଛି । ସେଠାରୁ ଅନୁମତି ମିଳିବା ପରେ ଗଛ କଟା ଓ ସ୍ଥାନାନ୍ତର କାମ ଆରମ୍ଭ ହେବ ।

ନଗର ନିଗମ ପକ୍ଷରୁ ହେବାକୁ ଥିବା ରାସ୍ତା ପାଇଁ ଏହି ଗଛ କଟା ଯିବାକୁ ସର୍ଭ କରାଯାଇଥିଲା । ଏହାକୁ ଆଧାର କରି ଭୋପାଳ ସ୍ଥିତ ହାଇ ଲେଭଲ କମିଟି ନିକଟରେ ପ୍ରସ୍ତାବ ରଖାଯାଇଥିଲା । କମିଟି ବିକାଶ ସହ ପରିବେଶ ସନ୍ତୁଳନକୁ ନଜରରେ ରଖି ଗଛ କାଟିବାକୁ ଅନୁମତି ଦେବା ସହ ୧୦ ଗୁଣା ଅଧିକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ନିପାନିୟା ରିଂ ରୋଡରେ ୫୬୭, ଇନ୍ଦୋର ବାଇପାସରୁ ସିଟି ଫରେଷ୍ଟ ରୋଡରେ ୨୯୨, ଏୟାରପୋର୍ଟ ରୋଡରୁ ଏମଆ-୫ ଲିଙ୍କ ରୋଡରେ ୨୩୩, ଜିପିଓ ଚୌରାହରୁ ସରବଟେ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ୧୬୬, ମହାଲକ୍ଷ୍କୀ ନଗରରୁ ଏମଆର-୧୧ ରୋଡରେ ୧୧୧, ବିଚୋଲି ମରଦାନାରୁ କାକଡ ରୋଡରେ ୯୭ ଓ ସ୍କିମ ନମ୍ବର ୧୪୦ରୁ ସୁପର କରିଡୋର ମାର୍ଗରେ ୬୭ ଗଛ କାଟିବାକୁ କିମ୍ବା ସ୍ଥାନାନ୍ତର କରିବାକୁ କମିଟି ମଞ୍ଜୁରୀ ଦେଇଛନ୍ତି । ଏହା ବଦଳରେ ନଗର ନିଗମ ଶିରପୁରରେ ୧୩୫୦୦ ଓ ରିବତି ରେଞ୍ଜରେ ୨୮୪୦ ଗଛ ଲଗାଇବାକୁ ପଡିବ । ଏଥିରେ ବରଗଛ, ଅଶ୍ବସ୍ତ, ଆମ୍ବ ଓ ଅଁଳା ଗଛ ଲଗାଇବାକୁ ପଡିବ ।

ଇବୋଲା ଭାଇରସରୁ ମୃତ୍ୟୁର ଆଶଙ୍କା ଏତେ ଅଧିକ କାହିଁକି ? ଜାଣନ୍ତୁ

ନନ୍ଦିଘୋଷ ବ୍ୟୁରୋ ; ଇବୋଲା ଭାଇରସକୁ ନେଇ ବିଶ୍ୱବ୍ୟାପୀ ଚିନ୍ତାରେ ଅଛନ୍ତି । ଇବୋଲା ଭାଇରସରେ ସଂକ୍ରମିତ  ହୋଇଥିବା  ବ୍ୟକ୍ତିଙ୍କ ରକ୍ତ , ଶରୀରର ତରଳ ପଦାର୍ଥ କିମ୍ବା ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପିବାରେ ସମ୍ଭାବନା ଥାଏ । ଆଫ୍ରିକାର କିଛି ଦେଶରେ ଇବୋଲା ସଂକ୍ରମଣ ବୃଦ୍ଧି ପାଇଥିବା ଦେଖାଯାଇଛି । ସତର୍କତା ସ୍ୱରୂପ, ଭାରତ ସରକାର ପ୍ରଭାବିତ ଅଞ୍ଚଳରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖିବା ଏବଂ ନଜର ରଖିବାକୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ତଥାପି, ବର୍ତ୍ତମାନ ଭାରତରେ ଇବୋଲାର କୌଣସି ନିଶ୍ଚିତ ମାମଲା ରିପୋର୍ଟ ହୋଇନାହିଁ।

ଏହି ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ସାଧାରଣ ଭାଇରାଲ୍ ରୋଗର ଅନୁକରଣ କରିପାରେ, ଯାହା ଦ୍ଵାରା ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ କରିବା କଷ୍ଟକର ହୋଇପଡ଼େ। ତେଣୁ, ଏହା କାହିଁକି ମୃତ୍ୟୁର ଏତେ ଉଚ୍ଚ ବିପଦ ସୃଷ୍ଟି କରେ, ଏହା ଶରୀରକୁ କିପରି ପ୍ରଭାବିତ କରେ ଏବଂ ଏହାକୁ ରୋକିବା ପାଇଁ କ’ଣ ସତର୍କତା ଅବଲମ୍ବନ କରାଯିବା ଉଚିତ ତାହା ବୁଝିବା ଗୁରୁତ୍ୱପୂର୍ଣ୍ଣ।

ଇବୋଲା ଭାଇରସରୁ ମୃତ୍ୟୁର ଆଶଙ୍କା ଏତେ ଅଧିକ କାହିଁକି?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ , ଇବୋଲା ଭାଇରସ୍ ରୋଗ (EVD) ଏକ ଗମ୍ଭୀର ଏବଂ ପ୍ରାୟତଃ ମାରାତ୍ମକ ରୋଗ। ଏହି ଭାଇରସ୍ ସାରା ଶରୀରରେ ଦ୍ରୁତ ଗତିରେ ବ୍ୟାପିପାରେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ପ୍ରଭାବିତ କରିପାରେ। ଗୁରୁତର ସଂକ୍ରମଣ ଶରୀରର ସାଧାରଣ କାର୍ଯ୍ୟକୁ ବାଧା ଦେଇପାରେ, ଯାହା ଫଳରେ ରୋଗୀର ଅବସ୍ଥା ଦ୍ରୁତ ଅବନତି ପାଏ।

WHO ଅନୁଯାୟୀ, ବିଭିନ୍ନ ଇବୋଲା ପ୍ରକୋପ ସମୟରେ ମୃତ୍ୟୁହାର ୨୫% ରୁ ୯୦% ପର୍ଯ୍ୟନ୍ତ ରହିଛି, ଯେତେବେଳେ ସାଧାରଣ ମୃତ୍ୟୁହାର ପ୍ରାୟ ୫୦% ବୋଲି ଆକଳନ କରାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରାରମ୍ଭିକ ଚିହ୍ନଟ, ଉପଯୁକ୍ତ ଚିକିତ୍ସା ଏବଂ ଡାକ୍ତରୀ ଦୃଷ୍ଟିରୁ ଯତ୍ନ ରୋଗୀଙ୍କ ବଞ୍ଚିବାର ସମ୍ଭାବନା ବୃଦ୍ଧି କରିପାରିବ। ତଥାପି, ଚିକିତ୍ସାରେ ବିଳମ୍ବ ଗମ୍ଭୀର ଜଟିଳତାର ଆଶଙ୍କା ବଢ଼ାଇପାରେ। ଏହି କାରଣରୁ ଇବୋଲାକୁ ଏକ ଉଚ୍ଚ-ଘାତକ ସଂକ୍ରମଣ ଭାବରେ ବିବେଚନା କରାଯାଏ।

ଇବୋଲା ସଂକ୍ରମଣ ଶରୀରକୁ କିପରି ପ୍ରଭାବିତ କରେ?

ଇବୋଲା ସଂକ୍ରମଣ ସାଧାରଣତଃ ଜ୍ୱର, ମୁଣ୍ଡବିନ୍ଧା, ଦୁର୍ବଳତା, ମାଂସପେଶୀ ଯନ୍ତ୍ରଣା ଏବଂ ଗଳା ଯନ୍ତ୍ରଣା ଭଳି ଲକ୍ଷଣ ସହିତ ଆରମ୍ଭ ହୁଏ। ସଂକ୍ରମଣ ବଢ଼ିବା ସହିତ, କିଛି ଲୋକ ବାନ୍ତି, ଝାଡ଼ା, ପେଟ ଯନ୍ତ୍ରଣା ଏବଂ ଅତ୍ୟଧିକ ଥକ୍କାପଣ ମଧ୍ୟ ଅନୁଭବ କରିପାରନ୍ତି। ଗୁରୁତର କ୍ଷେତ୍ରରେ, ଏହି ସଂକ୍ରମଣ ଶରୀରର ଅନେକ ଅଙ୍ଗ ଏବଂ କାର୍ଯ୍ୟକୁ ପ୍ରଭାବିତ କରିପାରେ। ତେଣୁ, ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରୀ ସାହାଯ୍ୟ ନେବାକୁ ପରାମର୍ଶ ଦିଆଯାଇଛି। ସମୟୋଚିତ ଚିକିତ୍ସା ବିପଦକୁ ହ୍ରାସ କରିପାରିବ।

ଇବୋଲା ସଂକ୍ରମଣକୁ ରୋକିବା ପାଇଁ କେଉଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ?

ଇବୋଲାକୁ ରୋକିବା ପାଇଁ, ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ ଏବଂ ଅନ୍ୟାନ୍ୟ ଶରୀର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶକୁ ଏଡାଇବା ଗୁରୁତ୍ୱପୂର୍ଣ୍ଣ। ସ୍ୱାସ୍ଥ୍ୟ ସଂସ୍ଥାଗୁଡ଼ିକ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁସରଣ କରି ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଯାତ୍ରା କରିବା ଉଚିତ। ଏହା ସହିତ, ନିୟମିତ ହାତ ଧୋଇବା, ଭଲ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଏବଂ କୌଣସି ଅସ୍ୱାଭାବିକ ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଅତ୍ୟନ୍ତ ଜରୁରୀ ବୋଲି ବିବେଚନା କରାଯାଏ। ସଚେତନତା ଏବଂ ସମୟୋଚିତ ସତର୍କତା ସଂକ୍ରମଣର ଆଶଙ୍କାକୁ ହ୍ରାସ କରିବାରେ ସାହାଯ୍ୟ କରିପାରିବ।

୧୬ ବର୍ଷୀୟ ନାବାଳକକୁ ନିର୍ମମ ହତ୍ୟା, କ୍ଷେତରୁ ମୃତଦେହ ଉଦ୍ଧାର…

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ପ୍ରଦେଶର ଆମେଥି ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷୀୟ ବାଳକକୁ ଗଳା କାଟି ହତ୍ୟା କରାଯାଇଛି। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ତାଙ୍କ ଘରଠାରୁ ପ୍ରାୟ ୧୦୦ ମିଟର ଦୂରରେ ଏକ ପଡ଼ିଆ କଡ଼ରେ ମିଳିଛି। ଘଟଣା ପରେ ସମଗ୍ର ଗାଁରେ ଆତଙ୍କ ଖେଳିଯାଇଛି ।  ଏହି ଘଟଣା ଜୈସ୍ ଥାନା ଅଞ୍ଚଳର ସମଗ୍ର ବକ୍ସି ବାହାଦୁରପୁର ଗାଁରେ ଘଟିଛି। ମୃତକଙ୍କ ନାମ ଅରେନ୍ଦ୍ର ପାସି, ସେ ଜାଗେଶ୍ୱରଙ୍କ ପୁଅ। ପରିବାରର ଆର୍ଥିକ ଅବସ୍ଥା ବହୁତ ଖରାପ। ଅରେନ୍ଦ୍ର ଇ-ରିକ୍ସା ଚଳାଇ ଘର ଖର୍ଚ୍ଚରେ ସାହାଯ୍ୟ କରୁଥିଲେ। ତାଙ୍କ ପରିବାରରେ ତାଙ୍କ ବାପାମା ଏବଂ ଜଣେ ବଡ଼ ଭାଇ ଅଛନ୍ତି, ଯିଏ ଏକ ଢାବାରେ କାମ କରନ୍ତି।

ପରିବାର ସଦସ୍ୟଙ୍କ ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଅରେନ୍ଦ୍ର ତାଙ୍କ ପଡ଼ୋଶୀ ଅମୃତଲାଲଙ୍କ ଘରକୁ ତାଙ୍କ ଝିଅର ଜନ୍ମଦିନ ଉତ୍ସବରେ ଯୋଗଦେବାକୁ ଯାଇଥିଲେ। ସେଠାରେ ନାଚଗୀତ ମଧ୍ୟ ହେଉଥିଲା। ପରେ ସେ ଘରକୁ ଫେରି ନଥିଲେ। ଶୁକ୍ରବାର ସକାଳ ପ୍ରାୟ 6ଟାରେ, ଗାଁ ଲୋକେ ଏକ କ୍ଷେତରେ ପଡ଼ିଥିବା ଏକ ମୃତଦେହ ଦେଖିଥିଲେ। ଭଲ ଭାବରେ ଯାଞ୍ଚ କରିବା ପରେ ଏହା ଅରେନ୍ଦ୍ରଙ୍କ ମୃତଦେହ ବୋଲି ଜଣାପଡିଥିଲା। ତାଙ୍କ ବେକରେ ଏକ ଧାରୁଆ ଅସ୍ତ୍ରର ଗଭୀର ଚିହ୍ନ ଥିଲା। ଘଟଣା ଜାଣିବା ପରେ, ଗାଁରେ ଏକ ବଡ଼ ଭିଡ଼ ଜମା ହୋଇଥିଲା ଏବଂ ପୋଲିସକୁ ଖବର ଦିଆଯାଇଥିଲା।

ସୂଚନା ପାଇବା ପରେ, ଜୈସ ପୋଲିସ ଷ୍ଟେସନର ଏକ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହା ପରେ, ସିଓ ତିଲୋଇ ଦିନେଶ ମିଶ୍ର ଏବଂ ଅତିରିକ୍ତ ପୋଲିସ ଅଧୀକ୍ଷକ ଜ୍ଞାନେନ୍ଦ୍ର କୁମାର ଘଟଣାସ୍ଥଳ ଯାଞ୍ଚ କରିଥିଲେ। ଫରେନସିକ୍ ଦଳ ମଧ୍ୟ ଘଟଣାସ୍ଥଳରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଥିଲେ। ତଦନ୍ତ ପାଇଁ ମୋହନଗଞ୍ଜ ପୋଲିସ ଏବଂ ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ ମଧ୍ୟ ନିୟୋଜିତ କରାଯାଇଛି।

ମୃତକଙ୍କ ବାପା ଜାଗେଶ୍ୱରଙ୍କ ଅଭିଯୋଗ ଆଧାରରେ, ପୋଲିସ ଗ୍ରାମର ହୀରାଲାଲ ଏବଂ ତାଙ୍କ ପୁଅ ଆକାଶ, ବିକାଶ ଏବଂ ବିକ୍ରମଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି ଯେ ମୃତକଙ୍କର କିଛି ଦିନ ପୂର୍ବରୁ ଅଭିଯୁକ୍ତଙ୍କ ସହ ବିବାଦ ଏବଂ ଝଗଡ଼ା ହୋଇଥିଲା। ପରେ ସେମାନଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଅଭିଯୋଗ ପରେ, ପୋଲିସ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି।

ତଥାପି, ପୋଲିସ ତଦନ୍ତ ଏପର୍ଯ୍ୟନ୍ତ ହତ୍ୟାର ସ୍ପଷ୍ଟ କାରଣ ପ୍ରକାଶ କରିନାହିଁ। ଗ୍ରାମବାସୀ ଏବଂ ପରିବାର ସଦସ୍ୟଙ୍କୁ ପଚରାଉଚରା କରାଯାଉଛି। ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଫୋରେନସିକ୍ ରିପୋର୍ଟ ଅପେକ୍ଷା କରାଯାଇଛି। ପୋଲିସ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାସ୍ଥଳର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଛି, ଏବଂ ଆଖପାଖ ଅଞ୍ଚଳଗୁଡ଼ିକର ମଧ୍ୟ ତଦନ୍ତ କରାଯାଉଛି।