spot_img
Home Blog Page 34

କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ଭୁବନେଶ୍ୱର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତକାଲି ଆସିଥିବା କାଳବୈଶାଖୀର ପ୍ରଭାବ ଏବେ ବି ଅନେକ ଅଞ୍ଚଳକୁ ଛିନଛତ୍ର କରି ରଖିଛି। ଝଡ଼-ତୋଫାନ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥିତିରେ କୌଣସି ସୁଧାର ଆସିନାହିଁ। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଧିମା ଚାଲିଥିବାରୁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି।

କାଳବୈଶାଖୀ ଯୋଗୁଁ ସହରର ଅନେକ ପ୍ରମୁଖ ତଥା ଆଭ୍ୟନ୍ତରୀଣ ଅଞ୍ଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଅନେକ ସ୍ଥାନରେ ଲାଇନ ଆସିନାହିଁ।

ଗୋଟିଏ ପଟେ ଅସହ୍ୟ  ଖରା ଓ ଅନ୍ୟପଟେ ରାତିର ଗୁଳଗୁଳି ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ବିନା ବିଦ୍ୟୁତରେ ଗତକାଲି ରାତି ସାରା ରାଜଧାନୀବାସୀ ବହୁ କଷ୍ଟରେ ଅନିଦ୍ରା ହୋଇ ସମୟ ବିତାଇଛନ୍ତି।

କାଳବୈଶାଖୀ ଝଡ଼ରେ ସହରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଏବଂ ଡାଳପତ୍ର ଭାଙ୍ଗି ପଡ଼ି ରହିଥିବାବେଳେ ସେଗୁଡ଼ିକୁ ଏପର୍ଯ୍ୟନ୍ତ ସଫା କରାଯାଇ ନାହିଁ। ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି ।

ସାଇନ୍ସ ପାର୍କ ବସ୍ତିର ସ୍ଥିତି ସବୁଠୁ ଖରାପ: ବିଶେଷ କରି ଭୁବନେଶ୍ୱରର ସାଇନ୍ସ ପାର୍କ ବସ୍ତି ଅଞ୍ଚଳରେ ଅବସ୍ଥା ସଂଗୀନ ହୋଇପଡ଼ିଛି। ସେଠାରେ ନା ଅଛି ବିଦ୍ୟୁତ, ନା ରାସ୍ତା ସଫା ହୋଇଛି। ସ୍ଥାନୀୟ ବାସିନ୍ଦା ଏବେ ପ୍ରଶାସନର ସହାୟତାକୁ ଚାହିଁ ବସିଛନ୍ତି।

ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାଳବୈଶାଖୀ ଆସିବାର ୨୪ ଘଣ୍ଟା ପରେ ବି ସ୍ଥିତି ସ୍ୱାଭାବିକ ନହେବା ପ୍ରଶାସନର ପ୍ରସ୍ତୁତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିଦ୍ୟୁତ ବିଭାଗ ଓ ପୌରପାଳିକା କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସେବା ସ୍ୱାଭାବିକ କରିବାକୁ ଦାବି ହେଉଛି।

ଫ୍ରିଜ ବିନା ଆମ୍ବକୁ ଅଧିକ ଦିନ କିପରି ସତେଜ ରଖିବେ ? ଜାଣନ୍ତୁ….

ନନ୍ଦିଘୋଷ ବ୍ୟୁରୋ: ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ବଜାରରେ ଫଳର ରାଜା ‘ଆମ୍ବ’ର ଚାହିଦା ବଢ଼ିଯାଏ। ଏହାର ଅପୂର୍ବ ସ୍ୱାଦ ଏବଂ ପୁଷ୍ଟିକର ଗୁଣ ଯୋଗୁଁ ଲୋକେ ଏହାକୁ ବହୁ ପରିମାଣରେ କିଣି ଘରକୁ ଆଣିଥାନ୍ତି। କିନ୍ତୁ ଅଧିକାଂଶ ସମୟରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଥାଏ – ଆମ୍ବକୁ ଫ୍ରିଜରେ ରଖିବା ଉଚିତ କି ନୁହେଁ?

ଆସନ୍ତୁ ଜାଣିବା ଆମ୍ବକୁ ଦୀର୍ଘ ସମୟ ପାଇଁ ସତେଜ ଏବଂ ସ୍ୱାଦିଷ୍ଟ ରଖିବାର କିଛି ସହଜ ଓ ସଠିକ୍ ଉପାୟ।

୧. ଆମ୍ବକୁ କେବେ ଫ୍ରିଜରେ ରଖିବେ?

ଅନେକ ଲୋକ ଆମ୍ବ କିଣିବା ମାତ୍ରେ ତାକୁ ସିଧାସଳଖ ଫ୍ରିଜରେ ରଖିଦିଅନ୍ତି, ଯାହା ଆଦୌ ସଠିକ୍ ପଦ୍ଧତି ନୁହେଁ। ଆମ୍ବ ଫ୍ରିଜରେ ରଖିବେ କି ନାହିଁ, ତାହା ଏହାର ପାଚିବା ଉପରେ ନିର୍ଭର କରେ:

  • କଞ୍ଚା କିମ୍ବା ଅର୍ଦ୍ଧପାଚି ଆମ୍ବ: ଏଗୁଡ଼ିକୁ କେବେ ବି ଫ୍ରିଜରେ ରଖନ୍ତୁ ନାହିଁ। ଥଣ୍ଡା ତାପମାତ୍ରା ଯୋଗୁଁ ଆମ୍ବର ପ୍ରାକୃତିକ ପାଚିବା ପ୍ରକ୍ରିୟା ଧୀମା ହୋଇଯାଏ।

  • ପାଚିଲା ଆମ୍ବ: ଆମ୍ବ ସମ୍ପୂର୍ଣ୍ଣ ଭାବେ ପାଚିବା ପରେ ହିଁ ଏହାକୁ ଫ୍ରିଜରେ ରଖନ୍ତୁ। ତେବେ ମନେରଖନ୍ତୁ, ଅତ୍ୟଧିକ ଥଣ୍ଡା ଏହାର ପ୍ରାକୃତିକ ମିଠା ଓ ସ୍ୱାଦକୁ କମାଇ ଦେଇପାରେ।

୨. କୋଠରୀ ତାପମାତ୍ରାରେ ଆମ୍ବ ସଂରକ୍ଷଣର ସଠିକ୍ ତରିକା

ଯଦି ଆପଣ କଞ୍ଚା ଆମ୍ବ କିଣିଛନ୍ତି, ତେବେ ତାକୁ ଘରେ ସତେଜ ରଖିବା ପାଇଁ ଏହି ଟିପ୍ସ ଆପଣାନ୍ତୁ:

  • ଖବରକାଗଜର ବ୍ୟବହାର: କଞ୍ଚା ଆମ୍ବକୁ ଖବରକାଗଜରେ ଗୁଡ଼ାଇ କିମ୍ବା ଏକ ବାୟୁରୋଧୀ (Air-tight) ଟୋକେଇରେ ରଖନ୍ତୁ। ଏହା ଦ୍ୱାରା ଆମ୍ବ ପ୍ରାକୃତିକ ଭାବେ ଏବଂ ଭଲ ଭାବରେ ପାଚିଥାଏ।

  • ଧୋଇବା ପରେ ସଙ୍ଗେ ସଙ୍ଗେ ରଖନ୍ତୁ ନାହିଁ: କଞ୍ଚା ଆମ୍ବକୁ ପାଣିରେ ଧୋଇବା ପରେ ସିଧାସଳଖ ସଂରକ୍ଷଣ କରନ୍ତୁ ନାହିଁ, ଏହାଦ୍ୱାରା ଫଳ ଶୀଘ୍ର ନଷ୍ଟ ହୋଇଯାଇପାରେ।

  • ସୂର୍ଯ୍ୟକିରଣରୁ ଦୂରେଇ ରଖନ୍ତୁ: ଆମ୍ବକୁ ସର୍ବଦା ସିଧାସଳଖ ସୂର୍ଯ୍ୟକିରଣରୁ ଦୂରରେ ଏବଂ ଥଣ୍ଡା, ଶୁଖିଲା ସ୍ଥାନରେ ରଖନ୍ତୁ। ପ୍ରବଳ ଉତ୍ତାପ ଯୋଗୁଁ ଆମ୍ବ ଶୀଘ୍ର ପଚିଯାଏ।

୩. କଟା ଆମ୍ବକୁ କିପରି ସତେଜ ରଖିବେ?

ଯଦି ଆପଣ ଆମ୍ବ କାଟି ସାରିଛନ୍ତି, ତେବେ ତାକୁ କେବେ ବି ଖୋଲା ସ୍ଥାନରେ ଛାଡ଼ନ୍ତୁ ନାହିଁ

  • ସଠିକ୍ ଉପାୟ: କଟା ଆମ୍ବକୁ ସର୍ବଦା ଏକ ସଫା, ବାୟୁରୋଧୀ (Air-tight) ପାତ୍ରରେ ବନ୍ଦ କରି ଫ୍ରିଜରେ ରଖନ୍ତୁ। ଏହାଦ୍ୱାରା ଏହାର ଆର୍ଦ୍ରତା, ମିଠା ଏବଂ ସ୍ୱାଦ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରହେ।

୪. ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

  • ପାଚିଲା ଆମ୍ବକୁ ଆପଣ ପ୍ଲାଷ୍ଟିକ୍ ବ୍ୟାଗ୍ କିମ୍ବା ଏୟାରଟାଇଟ୍ ପାତ୍ରରେ ରଖି ୪ ରୁ ୫ ଦିନ ପର୍ଯ୍ୟନ୍ତ ଫ୍ରିଜରେ ସୁରକ୍ଷିତ ରଖିପାରିବେ।

  • ଫ୍ରିଜରୁ ବାହାର କରିବା ପରେ ଆମ୍ବକୁ ସଙ୍ଗେ ସଙ୍ଗେ ନଖାଇ, କିଛି ସମୟ କୋଠରୀ ତାପମାତ୍ରା (Room Temperature)କୁ ଆସିବାକୁ ଦିଅନ୍ତୁ ଏବଂ ତା’ପରେ ଏହାର ଭରପୂର ସ୍ୱାଦ ନିଅନ୍ତୁ।

  • ସର୍ବୋତ୍ତମ ସ୍ୱାଦ ଓ ଗୁଣବତ୍ତା ପାଇଁ ଆମ୍ବକୁ ଅମଳ ହେବାର ୧-୨ ଦିନ ମଧ୍ୟରେ ଖାଇବା ସବୁଠାରୁ ଭଲ।

ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଶିଶୁପୁତ୍ର ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରୁ ଏକ ଶିଶୁପୁତ୍ର ଉଦ୍ଧାର କରାଯାଇଛି। ଷ୍ଟେସନର ପ୍ଲାଟଫୋର୍ମ ନମ୍ବର ୪ରେ ଲାଗିଥିବା ଝାନ୍ସୀ-ଖୋର୍ଦ୍ଧା ରୋଡ଼ ସ୍ପେଶାଲ ଟ୍ରେନରୁ ୨ ରୁ ୩ ମାସର ଶିଶୁପୁତ୍ରକୁ ଆରପିଏଫ (RPF) ଉଦ୍ଧାର କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନର ଜେନେରାଲ ବଗିରେ କୌଣସି ଯାତ୍ରୀ ନଥିବା ବେଳେ ଶିଶୁ ପୁତ୍ରଟି ଏକାକୀ ଶୋଇଥିବା ଅବସ୍ଥାରେ ଆରପିଏଫ କର୍ମଚାରୀଙ୍କ ନଜରକୁ ଆସିଥିଲା। ଆରପିଏଫ ପକ୍ଷରୁ ପ୍ରଥମେ ଡାକବାଜି ଯନ୍ତ୍ର ମାଧ୍ୟମରେ ଷ୍ଟେସନରେ ଥିବା ଯାତ୍ରୀମାନଙ୍କୁ ଏ ସମ୍ପର୍କରେ ଜଣାଇ ପରିଜନଙ୍କୁ ଖୋଜାଖୋଜି କରାଯାଇଥିଲା।

ଏହାପରେ ଶିଶୁପୁତ୍ରଟିକୁ ମେଡିକାଲ ନିଆଯାଇ ସେଠାରେ ତାର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଶିଶୁ ପୁତ୍ରର କୌଣସି ପରିଜନ ବା ପରିବାରଲୋକ ସାମ୍ନାକୁ ନଆସିବାରୁ, ଶେଷରେ ଆରପିଏଫ ପକ୍ଷରୁ ଶିଶୁଟିକୁ ସି.ଡବ୍ଲ୍ୟୁ.ସି (CWC) କୁ ହସ୍ତାନ୍ତର କରାଯାଇଛି।

ଇରାନ ବିରୋଧରେ ଟ୍ରମ୍ପଙ୍କ ମାଷ୍ଟର ପ୍ଲାନ୍: ଜବତ ସମ୍ପତ୍ତିରେ ହେବ…

ନନ୍ଦିଘୋଷ ବ୍ୟୁରୋ : ଇରାନ ବିରୋଧରେ ଏକ ବଡ଼ ଏବଂ ଆଗ୍ରେସିଭ୍ ଆର୍ଥିକ ରଣନୀତି ଉପରେ କାମ କରୁଛି ଆମେରିକା। ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରେଜେରୀ ବିଭାଗ ଜବତ ହୋଇଥିବା ଇରାନୀ ସମ୍ପତ୍ତିକୁ ବ୍ୟବହାର କରିବାକୁ ଯୋଜନା କରୁଛି। ସଂଘର୍ଷ ଏବଂ ଆକ୍ରମଣ ଯୋଗୁଁ କ୍ଷତି ସହିଥିବା ଉପସାଗରୀୟ (Gulf) ଦେଶଗୁଡ଼ିକୁ ସାହାଯ୍ୟ କରିବା ପାଇଁ ଏହି ଅର୍ଥ ବ୍ୟବହାର କରାଯିବ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଏକ ବିଶେଷ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିବା କୁହାଯାଉଛି। ଆମେରିକାର ସ୍ପଷ୍ଟ ଆଭିମୁଖ୍ୟ ହେଉଛି ଯେ, ଇରାନ ଦ୍ୱାରା ଅନ୍ୟ ଦେଶଗୁଡ଼ିକର ଯେଉଁ କ୍ଷତି ହୋଇଛି, ତାର ଆର୍ଥିକ ମୂଲ୍ୟ ଇରାନକୁ ହିଁ ଦେବାକୁ ପଡ଼ିବ।

ସୂଚନା ଅନୁଯାୟୀ, ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଏହି ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମରାମତି ଏବଂ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଜବତ ଇରାନୀ ସମ୍ପତ୍ତିକୁ କିପରି ଉପଯୋଗ କରାଯାଇପାରିବ, ସେଥିପାଇଁ ସମସ୍ତ ଆଇନଗତ ଏବଂ ପ୍ରଶାସନିକ ବିକଳ୍ପ ଅନୁସନ୍ଧାନ କରିବାକୁ ସେ କହିଛନ୍ତି। ଏଥିପାଇଁ, ଅର୍ଥ ବିଭାଗ ପକ୍ଷରୁ ଉପସାଗରୀୟ ଦେଶଗୁଡ଼ିକୁ ଯୁଦ୍ଧ ଏବଂ ଆକ୍ରମଣ ଯୋଗୁଁ ହୋଇଥିବା କ୍ଷତିର ସମ୍ପୂର୍ଣ୍ଣ ହିସାବ ମଗାଯାଇଛି। ରାସ୍ତାଘାଟ, କୋଠାବାଡ଼ି, ଶକ୍ତି ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକର ମରାମତି ପାଇଁ କେତେ ଖର୍ଚ୍ଚ ହେବ ଆମେରିକା ତାହାର ସଠିକ୍ ଆକଳନ ଜାଣିବାକୁ ଚାହୁଁଛି।

ତେବେ ଇରାନର କେଉଁ କେଉଁ ସମ୍ପତ୍ତିକୁ ଟାର୍ଗେଟ କରାଯିବ ତାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ। ତେବେ ଏଥିରେ ବିଦେଶରେ ଫ୍ରିଜ୍ ହୋଇ ରହିଥିବା ବ୍ୟାଙ୍କ ଆକାଉଣ୍ଟ, ନଗଦ ଟଙ୍କା କିମ୍ବା ଜବତ ହୋଇଥିବା ତୈଳ ଟ୍ୟାଙ୍କର୍ ଭଳି ସମ୍ପତ୍ତି ଅନ୍ତର୍ଭୁକ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଆଲୋଚନା ମଧ୍ୟରେ ବଢ଼ିଲା ଚାପ:
ବଡ଼ କଥା ହେଉଛି, ଆମେରିକାର ଏହି ନୂଆ ରଣନୀତି ଏପରି ଏକ ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଉଭୟ ଦେଶ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି। ଇରାନ ଦାବି କରିଆସୁଛି ଯେ, ଯେକୌଣସି ଚୁକ୍ତି ପାଇଁ ତା’ ଉପରୁ ପ୍ରତିବନ୍ଧକ ହଟାଯାଉ ଏବଂ ବିଦେଶରେ ଗଚ୍ଛିତ ଥିବା କୋଟି କୋଟି ଡଲାରର ଇରାନୀ ପାଣ୍ଠିକୁ ମୁକ୍ତ କରାଯାଉ। ପ୍ରାୟ ୨୪ ବିଲିୟନ ଡଲାରର ଜମା ସମ୍ପତ୍ତି ଫେରସ୍ତ ପାଇଁ ଇରାନ ଅଡ଼ି ବସିଛି।

ସୂଚନାଯୋଗ୍ୟ ଯେ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କୁଏତ, ବାହାରିନ, କତାର ଏବଂ ଓମାନ ଭଳି ଅନେକ ଉପସାଗରୀୟ ଦେଶ ଉପରେ ଇରାନ ପକ୍ଷରୁ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଉଥିବା ନେଇ ଅଭିଯୋଗ ହୋଇଆସୁଛି। ଏବେ ଆମେରିକାର ଏହି ପଦକ୍ଷେପ ଇରାନ ଉପରେ ଆର୍ଥିକ ସଙ୍କଟ ଆହୁରି ବଢ଼ାଇଦେବ ବୋଲି ଆଶଙ୍କା କରାଯାଉଛି।

ରାଉରକେଲା RPF ଇନ୍ସପେକ୍ଟର ନିଲମ୍ବିତ, ଦଲାଲ ଗିରଫ

ରାଉରକେଲା: ରାଉରକେଲା ରେଳବାଇ ସୁରକ୍ଷା ବଳ (RPF) ଥାନାରେ ସିବିଆଇର ବଡ଼ଧରଣର ଚଢ଼ାଉ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭେଣ୍ଡରମାନଙ୍କଠାରୁ ଦଲାଲ୍‌ଙ୍କ ଜରିଆରେ ମାସିକିଆ ବଟି ଆଦାୟ ଅଭିଯୋଗରେ ଆରପିଏଫ୍ ଇନ୍ସପେକ୍ଟର କମଲେସ ସମାଦାରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇ ଅଜୟ ମିଶ୍ର ନାମକ ଜଣେ ଦଲାଲଙ୍କୁ ଗିରଫ କରାଯାଇଛି। ଏହା ସହ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଦଲାଲଙ୍କୁ ସିବିଆଇ ପଚରାଉଚରା ଜାରି ରଖିଛି। ଅପରପକ୍ଷରେ, ସିବିଆଇ ଚଢ଼ାଉ ପରେ ଆରପିଏଫ୍ ଇନ୍ସପେକ୍ଟର କମଲେସ ସମାଦାର ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗତକାଲି ସେ ଥାନାକୁ ମଧ୍ୟ ଆସିନଥିଲେ। ସିବିଆଇ ଟିମ୍ ତାଙ୍କ ବାସଭବନରେ ମଧ୍ୟ ରେଡ୍ କରିଥିବା ସୂଚନା ମିଳିଛି।

ଗିରଫ ଦଲାଲ ଅଜୟ ମିଶ୍ରଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଭୁବନେଶ୍ୱର ନିଆଯାଇଛି। ଆଜି ତାଙ୍କୁ ଭୁବନେଶ୍ୱର ସିବିଆଇ କୋର୍ଟରେ ହାଜର କରାଯିବ। ଏହି ବଡ଼ଧରଣର ଲାଞ୍ଚ କାରବାର ପଛରେ ଆଉ କାହାର ହାତ ରହିଛି, ସେ ନେଇ ସିବିଆଇ ପକ୍ଷରୁ ଅଧିକ ଖୋଳତାଳ ଜାରି ରହିଛି।

ହାଣ୍ଡିଶାଳରେ ମହଙ୍ଗା ମାଡ଼: ପୁଣି ବଢ଼ିଲା ଘରୋଇ ଏଲ୍‌ପିଜି ସିଲିଣ୍ଡର ଦାମ୍

ନନ୍ଦିଘୋଷ ବ୍ୟୁରୋ : ସାଧାରଣ ଜନତାଙ୍କୁ ପୁଣି ଏକ ବଡ଼ ଝଟ୍‌କା। ରୋଷେଇ ଘର ଉପରେ ହୋଇଛି ମହଙ୍ଗା ମାଡ଼। ଦେଶରେ ପୁଣି ଥରେ ବଢ଼ିଛି ଘରୋଇ ଏଲ୍‌ପିଜି (LPG) ଗ୍ୟାସ୍ ସିଲିଣ୍ଡରର ଦର। ଚଳିତ ଥର ସିଲିଣ୍ଡର ପିଛା ସିଧାସଳଖ ୨୯ ଟଙ୍କା ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ପରେ ଉଭୟ ଓଡ଼ିଶା ଏବଂ ଦେଶର ଲୋକଙ୍କ ପକେଟ୍ ଉପରେ ଚାପ ପଡ଼ିବା ନିଶ୍ଚିତ ହୋଇଛି।

ନୂଆ ଦର ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ୧୪.୨ କେଜି ବିଶିଷ୍ଟ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୬୮ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ଏହି ସିଲିଣ୍ଡରର ମୂଲ୍ୟ ୯୩୯ ଟଙ୍କା ଥିଲା, ଯାହା ଏବେ ୨୯ ଟଙ୍କା ମହଙ୍ଗା ହୋଇଯାଇଛି। କେବଳ ଓଡ଼ିଶା ନୁହେଁ, ବରଂ ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍ ୯୧୩ ଟଙ୍କାରୁ ବୃଦ୍ଧି ପାଇ ୯୪୨ ଟଙ୍କାରେ ପହଞ୍ଚିଛି।

ଗ୍ରାହକଙ୍କ ପାଇଁ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଗତ ୩ ମାସ ମଧ୍ୟରେ ଏହା ଦ୍ଵିତୀୟ ଥର ପାଇଁ ଦର ବୃଦ୍ଧି। ଏହାପୂର୍ବରୁ ଗତ ମାର୍ଚ୍ଚ ମାସରେ ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ଦରରେ ୬୦ ଟଙ୍କାର ବଡ଼ ବୃଦ୍ଧି ଘଟିଥିଲା।

ଏହିପରି ବାରମ୍ବାର ଦର ବୃଦ୍ଧି ଯୋଗୁଁ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକଙ୍କ ଘରୋଇ ବଜେଟ୍ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ହାଣ୍ଡିଶାଳର ଚିନ୍ତା ବଢ଼ାଇଥିବା ଏହି ମହଙ୍ଗା ମାଡ଼କୁ ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଆଉ ମୋହାମାରୀ ନୁହେଁ ପିଲାମାନଙ୍କ କର୍କଟ ! ବଞ୍ଚିଯାଉଛନ୍ତି ୮୫% ପ୍ରତିଶତ ପିଲା…

ନନ୍ଦିଘୋଷ ବ୍ୟୁରୋ :  କର୍କଟ ରୋଗ ସାରା ଭାରତ ବର୍ଷରେ ଚହଳ ସୃଷ୍ଟି କରିଛି ।  କର୍କଟ ରୋଗ କେବଳ ବୃଦ୍ଧା କିମ୍ବା ଯୌବନ ଅବସ୍ତାରେ ଦେଖାଯାଇନଥାଏ ଏହି ରୋଗ  ଏବେ ଛୋଟ ଛୋଟ ପିଲାମାନଙ୍କ ଠାରେ ମଧ୍ୟ ଦେଖାଯାଉଛି । ବିଶେଜ୍ଞମାନଙ୍କ ମାନଙ୍କ ମତ ଅୁନଯାୟୀ  ଅଧିକାଂଶ କ୍ଷେତ୍ରରେ ପିଲାମାନଙ୍କର  କର୍କଟ ରୋଗ ୮୫ % ଭଲ ହେବାର ଆଶଙ୍କା ରହିଛି । ତେବେ ଆସନ୍ତୁ ଜାଣିବା ଏହି ରୋଗର  କିପରି ସମାଧାନ କରାଯାଇପାରିବ ।

ପୂର୍ବରୁ ଶିଶୁମାନଙ୍କ ମଧ୍ୟରେ କ୍ୟାନ୍ସର ଧରାପଡ଼ିବା ପରିବାର ପାଇଁ ଏକ ଦୁଃସ୍ୱପ୍ନ ଥିଲା । ଚିକିତ୍ସାର କୌଣସି ସୁବିଧା ନଥିବା କାରଣରୁ ଅନେକ ପରିବାର ଆଶା ହରାଇ ଦେଉଥିଲେ। ପୁର୍ବ ଅପେକ୍ଷା  କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିବାରେ ଲାଗିଛି ।ଚିକିତ୍ସା ବିଜ୍ଞାନରେ ହୋଇଥିବା ବଡ଼ ଧରଣର ଉନ୍ନତି ଯୋଗୁଁ ଆଜି ବହୁ ସଂଖ୍ୟକ ଶିଶୁ କ୍ୟାନ୍ସରକୁ ହରାଇ ଏକ ସାଧାରଣ ଏବଂ ସୁସ୍ଥ ଜୀବନ ବିତରଉଛନ୍ତି  । ଆଧୁନିକ ଔଷଧ, ଶୀଘ୍ର ରୋଗ ଚିହ୍ନଟ ଏବଂ ଉନ୍ନତ ଚିକିତ୍ସା ପଦ୍ଧତି ଯୋଗୁଁ ଶିଶୁ କ୍ୟାନ୍ସରରୁ ସୁସ୍ଥ ହେବାର ହାର ବଢିବାରେ ଲାଗିଛି  । ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ, ସଠିକ୍ ସମୟରେ ଚିକିତ୍ସା ଆରମ୍ଭ ହେଲେ ଶିଶୁ କ୍ୟାନ୍ସରକୁ ହରାଇବାରେ ସକ୍ଷମ ହେବେ

କେଉଁ  ପ୍ରକାର ନିୟମ ଥାଏ ଚିକିତ୍ସା ପଦ୍ଧତିରେ:

ଆମେ ଯଦି କିଛି ବର୍ଷର ପଛକୁ ଫେରିଯିବା ତାହେଲେ ଏହି ରୋଗ ଗୋଟେ ପରିବାର ଉଜୁଡିବାର ପ୍ରମୁଖ କାରଣ ସାଜୁଥିଲା । ଏହି ରୋଗର ଚିକିତ୍ସା ଅତ୍ୟନ୍ତ ମହଙ୍ଗା ହେତୁ ଅନେକ ପିତା ମାତା ନିଜର ଆର୍ଥିକ ଅବସ୍ଥା ଯୋଗୁଁ ସନ୍ତାନକୁ ଉତ୍ତମ ଚିକିତ୍ସା ଦେଇ ପାରୁନଥିଲେ । ଯାହା ଫଳରେ ଚିକିତ୍ସା ଅଭାବ କାରଣରୁ ଶିଶୁଙ୍କ ମୃତ୍ୟୁ ହେଉଥିଲା ।  କିନ୍ତୁ ଏବେ ଚିକିତ୍ସା କ୍ଷେତ୍ରରେ ଅତ୍ୟନ୍ତ ଉନ୍ନତି ଦେଖିବାକୁ ମିଳିଛି, ନିମ୍ନ ଶ୍ରେଣୀର ଲୋକମାନେ ଏହାର ସୁବିଧା ମଧ୍ୟ ପାଇପାରୁଛନ୍ତି ,ଯେଉଁ  କାରଣରୁ  ଅନେକ ରୋଗୀ ସୁସ୍ଥ  ମଧ୍ୟ ହେଉଛନ୍ତି । ବିଶେଷଜ୍ଞଙ୍କ ମତ ଅନୁଯାୟୀ ଛୋଟ ପିଲାଙ୍କୁ ହେଉଥିବା କର୍କଟ ରୋଗ ପୂର୍ବ ଅପେକ୍ଷା ବର୍ତ୍ତମାନ କ୍ଷେତ୍ରରେ ବହୁତ ଉନ୍ନତି ଦେଖିବାକୁ ମିଳିଛି  । ନୂଆଦିଲ୍ଲୀର ଡାକ୍ତର ପ୍ରମୋଦ କୁମାର କୁହନ୍ତି ଯେ ବର୍ତ୍ତମାନର ଚିକିତ୍ସା ପଦ୍ଧତି ସହିତ, ପ୍ରାୟ ୮୦ ରୁ ୮୫ ପ୍ରତିଶତ କର୍କଟ ରୋଗୀ ବଞ୍ଚିଛନ୍ତି ।

ସବୁଠାରୁ ବଡ ପରିବର୍ତ୍ତନ ହେଉଛି ଶିଶୁ କ୍ୟାନସର ରେ ବ୍ୟାକ୍ତିଗତ ଭାବେ ଚିକିତ୍ସା ପଦ୍ଧତି  । ପୂର୍ବରୁ ପ୍ରାୟତଃ ସମସ୍ତ ଶିଶୁଙ୍କୁ ସମାନ ଭାବେ ଚିକିତ୍ସିତ କରାଯାଉଥିଲା , କିନ୍ତୁ ଏବେ ଶିଶୁଙ୍କ ରୋଗ ଅନୁଯାୟୀ ଡାକ୍ତର ମାନେ ତାଙ୍କୁ ଚିକିତ୍ସା କରୁଛନ୍ତି  । ଏହା  ଚିକିତ୍ସାକୁ ଅଧିକ ପ୍ରଭାବଶାଳୀ କରିଛି ଏବଂ କର୍କଟକୁ ହରାଇବାରେ ସାହାଯ୍ୟ କରିଛି,  ଯାହା ଦ୍ବାରା ପୂର୍ବ ଅପେକ୍ଷା ବର୍ତ୍ତମାନ କ୍ଷେତ୍ରରେ ଚିକିତ୍ସା କ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳୁଛି  ।

ବର୍ତ୍ତମାନ ଶିଶୁ କ୍ୟାନସର ଚିକିତ୍ସାରେ କେମୋଥେରାପି, ଟାର୍ଗେଟଡ ଥେରାପି, ଇମ୍ୟୁନୋଥେରାପି, ସର୍ଜରୀ, ରେଡିଏସନ୍ ଇତ୍ୟାଦି ଭଳି ବହୁ ନୂତନ ପଦ୍ଧତି ବ୍ୟବହାର କରାଯାଉଛି  । ବାରମ୍ବାର ବାରମ୍ବାର ଫେରୁଆସୁଥିବା କ୍ୟାନସର ପାଇଁ  car-t  ଥେରାପି ଭଳି ଶିଶୁଙ୍କ ମନରେ ଏକ ନୁଆ ଆଶା ସୃଷ୍ଟି କରିଛି  । ଲ୍ୟୁକେମିଆ ଓ ଲିମ୍ଫୋମା ପରି ଲ୍ୟୁକେମିଆ ଓ ଲିମ୍ଫୋମା ପରି ରକ୍ତ କ୍ୟାନ୍ସରରେ ଏହି ପ୍ରଣାଳୀ ଗୁଡ଼ିକ ବହୁତ ଭଲ ଫଳାଫଳ ଦେଖାଇଛି  ।

ଚିକିତ୍ସା କ୍ଷେତ୍ରରେ ଉନ୍ନତି: 

ଶିଶୁ କ୍ୟାନସରେ ପୂର୍ବ ଅପେକ୍ଷା ବର୍ତ୍ତମାନ କ୍ଷେତ୍ରରେ ବହୁ ଉନ୍ନତି ଦେଖିବାକୁ ମିଳିଛି ।  ବିଶେଷଜ୍ଞମାନେ ମତ ଅନୁଯାୟୀ ଯଦି  ଲଗାତାର ଜ୍ୱର, ବାରମ୍ବାର ସଂକ୍ରମଣ, , ଅତ୍ୟଧିକ ଥକ୍କାପଣ, ଫୁଲା କିମ୍ବା ହଠାତ୍ ଓଜନ ହ୍ରାସ ଭଳି ଲକ୍ଷଣଗୁଡ଼ିକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍  ।

ବିବାଦରେ ଖାନ୍ ସାର୍‌: କୋର୍ଟରେ କଲେ ଆତ୍ମସମର୍ପଣ

ନନ୍ଦିଘୋଷ ବ୍ୟୁରୋ: ଦେଶର ଚର୍ଚ୍ଚିତ ତଥା ଲୋକପ୍ରିୟ ଶିକ୍ଷକ ଖାନ୍ ସାର୍‌ ଓରଫ୍ ଫୈଜଲ୍ ଖାନ୍ ଏବେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି । କୋଚିଂ ସେଣ୍ଟରରେ ହୋଇଥିବା ଗୁଳିକାଣ୍ଡ ଓ ଭଙ୍ଗାରୁଜା ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଏବେ ତାଙ୍କ ମୁଣ୍ଡରେ ଗିରଫଦାରୀ ଭୟ ଝୁଲୁଛି । ପାଟନା ପୁଲିସ ତାଙ୍କୁ କ୍ରମାଗତ ଭାବେ ଖୋଜୁଥିବା ବେଳେ ଶୁକ୍ରବାର ସାରା ରାତି ପୁଲିସ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା, ହେଲେ ଖାନ୍ ସାର୍‌ଙ୍କର କୌଣସି ପତ୍ତା ମିଳିନଥିଲା ।

ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି ଯେ, ଗିରଫଦାରୀରୁ ବର୍ତ୍ତିବା ପାଇଁ ଖାନ୍ ସାର୍‌ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ନିଜ ଓକିଲଙ୍କ ସହ ଖାନସାର ଆଜି ପାଟଣା ସିଭିଲ୍ କୋର୍ଟରେ ପହଞ୍ଚିଥିଲେ ଏବଂ ବେଲ୍ ପାଇଁ ଆବେଦନ କରିଛନ୍ତି । କିନ୍ତୁ କୋର୍ଟ ତାଙ୍କ ବେଲ୍ ଆବେଦନକୁ ଏପର୍ଯ୍ୟନ୍ତ ଗ୍ରହଣ କରିଛନ୍ତି କି ନାହିଁ ସେନେଇ କୌଣସ୍ ସ୍ଫଷ୍ଟ ସୂଚନା ମିଳିପାରି ନାହିଁ ।

ତେବେ ସୂଚନା ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ବିବାଦ ‘ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍’ର ସଞ୍ଚାଳକ ଫୈଜଲ୍ ଖାନ୍ ଏବେ ‘ଜ୍ଞାନ ବିନ୍ଦୁ କୋଚିଂ’ର ନିର୍ଦ୍ଦେଶକ ରୌଶନ ଆନନ୍ଦଙ୍କ ମଧ୍ୟରେ ସୃଷ୍ଟି ହୋଇଛି । କୋଚିଂ ସେଣ୍ଟର ବାହାରେ ହୋଇଥିବା ଗୁଳିକାଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଏହାର ତଦନ୍ତ କରିଥିଲା । ଏହାପରେ ପାଟନା ପୁଲିସ ଖାନ୍ ସାର୍‌ଙ୍କ ବିରୋଧରେ ସଙ୍ଗୀନ ଦଫାରେ ଏଫଆଇଆର୍‌ ରୁଜୁ କରିଥିଲା।

ଏହି ସମଗ୍ର ମାମଲାରେ ଖାନ୍ ସାର୍‌ଙ୍କ ଉପରେ ସବୁଠାରୁ ବଡ଼ ଅଭିଯୋଗ ତାଙ୍କ ବଡିଗାର୍ଡମାନଙ୍କୁ ନେଇ ଲାଗିଛି । ହିଂସାତ୍ମକ ସଂଘର୍ଷ ସମୟରେ ଖାନ୍ ସାର୍‌ଙ୍କ ବଡିଗାର୍ଡମାନେ ସର୍ବସାଧାରଣରେ ଖୋଲାଖୋଲି ଭାବେ ବନ୍ଧୁକ ଧରି ଫାୟାରିଂ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ପୁଲିସ ଏବେ ଏହାର ତଦନ୍ତ କରୁଛି ଯେ, ସେମାନେ କାହା ଆଦେଶରେ ଏବଂ କେଉଁ ପରିସ୍ଥିତିରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଫାୟାରିଂ କଲେ ?

ତେବେ ଏହି ହାଇପ୍ରୋଫାଇଲ୍ ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପାଟନା ପୁଲିସ ପ୍ରଶାସନ ପକ୍ଷରୁ ଏକ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍  ଗଠନ କରାଯାଇଥିଲା । ଏହି ସ୍ୱତନ୍ତ୍ର ଟିମ୍ ଖାନ୍ ସାର୍‌ଙ୍କୁ ଖୋଜୁଥିବା ବେଳେ ଗିରଫଦାରୀରୁ ବର୍ତ୍ତିବା ପାଇଁ ଖାନ୍ ସାର୍‌ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ନିଜ ଓକିଲଙ୍କ ସହ ଖାନ ସାର ଆଜି ପାଟଣା ସିଭିଲ୍ କୋର୍ଟରେ ପହଞ୍ଚି ବେଲ୍ ପାଇଁ ଆବେଦନ କରିଛନ୍ତି ।

ପଶ୍ଚିମ ଏସିଆ ଅଶାନ୍ତ: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମ ଏସିଆରେ ପୁଣି ଥରେ ଯୁଦ୍ଧର ବାଦଲ ଘନେଇବାରେ ଲାଗିଛି। ହର୍ମୁଜ ପ୍ରଣାଳୀ (Strait of Hormuz)ରେ ଇରାନର ଡ୍ରୋନ ଷ୍ଟ୍ରାଇକର କଡ଼ା ଜବାବ ଦେଇଛି ଆମେରିକା। ଇରାନ ସୀମା ଭିତରେ ପଶି ଆମେରିକୀୟ ସେନା ଜୋରଦାର ଆକ୍ରମଣ କରିଥିବା ସୂଚନା ମିଳିଛି। ଇରାନର ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରାଡାର ସାଇଟଗୁଡ଼ିକ ଉପରେ ଆମେରିକା ପକ୍ଷରୁ ଏହି ବଡ଼ ଧରଣର ହମଲା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଇରାନର ଗୋରୁକ ଏବଂ କେସମ ଦ୍ୱିପସ୍ଥିତ କୋଷ୍ଟାଲ ସର୍ଭେଲାନ୍ସ ରାଡାର ସାଇଟ୍‌କୁ ଟାର୍ଗେଟ କରିଛି ଆମେରିକା। ହର୍ମୁଜ ପ୍ରଣାଳୀ ଦିଗରେ ଆସୁଥିବା ଆମେରିକୀୟ ତଥା ଆନ୍ତର୍ଜାତୀୟ ଜାହାଜଗୁଡ଼ିକ ଉପରେ ନଜର ରଖିବା ଏବଂ ଡ୍ରୋନ ଗାଇଡ୍ କରିବା ପାଇଁ ଇରାନ ଏହି ରାଡାର ସାଇଟଗୁଡ଼ିକୁ ବ୍ୟବହାର କରୁଥିଲା। ଏହି ଆକ୍ରମଣରେ ରାଡାର ସାଇଟଗୁଡ଼ିକର ବ୍ୟାପକ କ୍ଷତି ହୋଇଥିବା ଆଶଙ୍କା କରାଯାଉଛି।

ଆମେରିକାର ୟୁନାଇଟେଡ ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ଏହି ଆକ୍ରମଣକୁ ସ୍ପଷ୍ଟ କରାଯାଇଛି। ସେଣ୍ଟକମ କହିଛି ଯେ, କେବଳ ପ୍ରତିରକ୍ଷାମୂଳକ କାରଣରୁ ଏବଂ ସାମୁଦ୍ରିକ ମାର୍ଗରେ ଜାହାଜ ଚଳାଚଳର ସ୍ୱାଧୀନତା ରକ୍ଷା ଲାଗି ଆମେରିକା ଏହି ପଦକ୍ଷେପ ନେଇଛି।

ଇରାନ ପକ୍ଷରୁ ସମସ୍ତ ୪ଟି ଯାକ ଆଟାକ୍ ଡ୍ରୋନକୁ ଆମେରିକୀୟ ସେନା ସଫଳତାର ସହ ଖସାଇ ଦେଇଛି। ଆମେରିକା ସାମରିକ ବିଭାଗ ପେଣ୍ଟାଗନ ସ୍ପଷ୍ଟ ଚେତାବନୀ ଦେଇ କହିଛି ଯେ, ଆତ୍ମରକ୍ଷା ଲାଗି ଆମେରିକା ଯାହା ଉଚିତ ମନେ କରିବ, ତାହାହିଁ କରିବ। ଇରାନର କୌଣସି ବି ପ୍ରକାରର ହମଲାର ଜବାବ ଦେବାକୁ ଆମେରିକୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

ତେବେ ହର୍ମୁଜ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମେରିଟାଇମ୍ ଅଏଲ୍ ଟ୍ରେଡ୍ ରୁଟ୍‌ ମଧ୍ୟରୁ ଅନ୍ୟତମ। ଏଠାରେ ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ଏହି ଆକ୍ରମଣ ଓ ପ୍ରତିଆକ୍ରମଣ ପଶ୍ଚିମ ଏସିଆର ଭୂ-ରାଜନୀତିକୁ ଅଧିକ ଜଟିଳ କରିଦେଇଛି। ସାମ୍ପ୍ରତିକ ସ୍ଥିତି ଯୋଗୁଁ ସମଗ୍ର ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହେବାର ସମ୍ଭାବନା ଆହୁରି ଦୂରେଇ ଯାଉଥିବା ଭଳି ମନେହେଉଛି, ଯାହା ବିଶ୍ୱ ବଜାର ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ନୂତନ ଅଧ୍ୟାୟର ଆରମ୍ଭ: ମୁଲ୍ଲାନପୁରରେ ଭାରତ-ଆଫଗାନିସ୍ତାନ ମହାଲଢ଼େଇ!

ନନ୍ଦିଘୋଷ ବ୍ୟୁରୋ:  ଆଜିଠାରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି । ପଞ୍ଜାବର ନ୍ୟୁ ଚଣ୍ଡୀଗଡ଼ର ମହାରାଜା ଯାଦବୀନ୍ଦ୍ର ସିଂ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଏକ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଆୟୋଜନ କରାଯାଇଛି । ଏହି ମ୍ୟାଚ୍‌ରେ ବାମହାତୀ ସ୍ପିନର ମାନବ ସୁଥାର ଭାରତ ପାଇଁ ନିଜର ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି । ବିଗତ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତ ନିଜ ମାଟିରେ ରବିଚନ୍ଦ୍ରନ ଅଶ୍ୱିନ କିମ୍ବା ରବୀନ୍ଦ୍ର ଜାଡେଜାଙ୍କ ବିନା କୌଣସି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଇଛି ।

ଭାରତ ଦଳରେ ଅଛନ୍ତି, ଯଶସ୍ୱୀ ଜୈସୱାଲ, କେ.ଏଲ୍. ରାହୁଲ, ସାଇ ସୁଦର୍ଶନ, ଅଧିନାୟକ ଶୁବମନ ଗିଲ୍, ୱିକେଟ କିପର ଋଷଭ ପନ୍ତ, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ମାନବ ସୁଥାର, କୁଲଦୀପ ଯାଦବ, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା ।

ଆଫଗାନିସ୍ତାନ ଦଳରେ ଅଛନ୍ତି, ସେଦିକୁଲ୍ଲା ଅଟଲ୍, ରହମାନୁଲ୍ଲା ଗୁରବାଜ, ଅବଦୁଲ ମଲିକ, ରହମତ ଶାହ, ଅଧିନାୟକ ହସମତୁଲ୍ଲା ଶାହିଦି, ଆଫସର ଜାଜାଇ, ଅଜମତୁଲ୍ଲା ଓମାରଜାଇ, ସରାଫୁଦ୍ଦିନ ଅଶରଫ, ନାଙ୍ଗେୟାଲିଆ ଖାରୋଟେ, ଜିଆଉର ରହମାନ ଏବଂ ମହମ୍ମଦ ସଲିମ ।

ଖେଳର ସ୍ଥିତି ବିଷୟରେ କହିବାକୁ ଗଲେ, ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଦିନର ଦ୍ବିତୀୟ ସେସନ୍ ସୁଦ୍ଧା ୧୫୦ ରନ କରି ଯଶସ୍ବୀ ଜୈସୱାଲଙ୍କ ୱିକେଟ ହରାଇଛି । ବର୍ତ୍ତମାନ ଉଭୟ କେ.ଏଲ୍ ରାହୁଲ ଓ ସାଇ ସୁଦର୍ଶନ ଅର୍ଦ୍ଧଶତକୀୟ ପାଳି ଖେଳି ପଡ଼ିଆରେ ଉପସ୍ଥିତ ଅଛନ୍ତି । ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ସଲିମ ଏକମାତ୍ର ୱିକେଟ ହାସଲ କରିଛନ୍ତି ।

ତେବେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏହା ଦ୍ବିତୀୟ ଟେଷ୍ଟ ମ୍ୟାଚ। ଏହାପୂର୍ବରୁ ପ୍ରଥମ ଟେଷ୍ଟ ୨୦୧୮ରେ ବେଙ୍ଗାଲୁରୁରେ ଖେଳାଯାଇଥିଲା, ଯେଉଁଥିରେ ମାତ୍ର ଦୁଇଦିନରେ ଆଫଗାନିସ୍ତାନ ଇନିଂସ ପରାଜୟ ବରଣ କରିଥିଲା ।