spot_img
Home Blog Page 3513

ବିଶ୍ବ ଗାଉଛି ହକି ହୈ ଦିଲ ମେରା

ଓଡ଼ିଶାରେ ହକିର ମହକ ଆଜି ସାରା ବିଶ୍ୱରେ ମହମହ ହୋଇ ବାସୁଛି । ତା’ ସହିତ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନର ଚିତ୍ର ସମସ୍ତଙ୍କୁ ଆକୃଷ୍ଟ କରିଛି । ରାଜଧାନୀ ଭୁବନେଶ୍ୱରରୁ ଗାଁର କୋଣ ଅନୁକୋଣରେ ହକିର ସ୍ପନ୍ଦନ ସ୍ପନ୍ଦିତ ହେଉଛି । ସମସ୍ତେ ଆଜି ସମବେତ ସ୍ୱରରେ ଗାନ କରୁଛନ୍ତି ‘ହକି ହୈ ଦିଲ ମେରା…’ ।

ଦେଶରେ ହକିର ପୁନରୁଦ୍ଧାର ଏବଂ କ୍ରୀଡ଼ାପ୍ରେମୀଙ୍କୁ ପୁଣି ହକି ପ୍ରତି ଆକୃଷ୍ଟ କରାଇବା ଦିଗରେ ଯେଉଁ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ଭୂମିକା ରହିଛି, ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକିର ମଧୁର ମହ୍ଲାର ଆଜି ସବୁଠି ଝଙ୍କୃତ ହେଉଛି ।

କଟକ ବାରବାଟୀ ଷ୍ଟାଡିୟମରେ ବୁଧବାର ଉଦ୍‌ଘାଟିତ ହୋଇଛି ପୁରୁଷ ହକି ବିଶ୍ୱକପ୍‌ର ୧୫ତମ ସଂସ୍କରଣ । କ୍ରମାନ୍ୱୟରେ ଦ୍ୱିତୀୟ ଥର ହକି ବିଶ୍ୱକପ୍ ଆୟୋଜନ କରି ଓଡ଼ିଶା ହକି ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି । ପୂର୍ବରୁ ହକି ଥିଲା, ବିଶ୍ୱକପ୍ ବି ଆୟୋଜିତ ହେଉଥିଲା । ୨୦୧୪ ପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ସହରରେ ୧୩ଟି ସଂସ୍କରଣ ସଫଳତାର ସହ ଆୟୋଜିତ ହୋଇଥିଲା । ତେବେ ମନକୁ ଏଠାରେ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ, ଓଡ଼ିଶା ଅଧିକ କ’ଣ କଲା?

ଫୁଟବଲ, ଟେନିସ, ଆଥଲେଟିକ୍ ଭଳି ହକି ବିଶ୍ୱରେ ଏତେ ଲୋକପ୍ରିୟ ନୁହେଁ । କିନ୍ତୁ ଏହା ଏକ ପ୍ରାଚୀନ କ୍ରୀଡ଼ା ଭାବେ ଆଦ୍ୟରୁ ଅଲିମ୍ପିକ୍ସରେ ସାମିଲ ହୋଇ ଆସିଛି । ପ୍ରଚାର ପ୍ରସାର ଅଭାବରୁ ହକିର ପରିସର ସୀମିତ ହୋଇ ରହିଛି । ଓଡ଼ିଶା ଦୁଇ ଥର କ୍ରମାନ୍ୱୟରେ ବିଶ୍ୱକପ୍ ଆୟୋଜନ କରି ବିଶ୍ୱରେ ହକିର ପ୍ରଚାର ପ୍ରସାର ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ୨୦୧୮ରେ ବିଶ୍ୱର ବିଭିନ୍ନ ମେଟ୍ରୋପଲିଟାନ ସହରରେ ବିଶ୍ୱକପ୍‌ର ପ୍ରଚାର ପ୍ରସାର କରାଯାଇଥିଲା । ବିଶ୍ୱକପ୍ ଆୟୋଜନକୁ ନୂଆ ରୂପ ଦେବାରେ ଓଡ଼ିଶାର ଭୂମିକା ସବୁଦିନ ହକି ଇତିହାସରେ ଲେଖା ହୋଇ ରହିବ । ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ା ଓ ଫିଫା ବିଶ୍ୱକପ୍ ଭଳି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ରଙ୍ଗୀନ ଉଦ୍‌ଘାଟନୀ ପର୍ବ ଓ ଆତସବାଜିର କାର୍ଯ୍ୟକ୍ରମ ହୋଇଥାଏ ।

ହକି ବିଶ୍ୱକପ୍‌ର ୨୦୧୮ ସଂସ୍କରଣରେ ରଙ୍ଗୀନ ଉଦ୍‌ଘାଟନୀ ପର୍ବ ପ୍ରଥମ କରି ଆରମ୍ଭ ହୋଇଥିଲା । ପୁଣି ୨୦୨୩ ସଂସ୍କରଣରେ ଓଡ଼ିଶା ଆଉ ଦୁଇ ପାଦ ଆଗକୁ ଯାଇ ପ୍ରଥମ ଥର ଦୁଇଟି ସହରରେ ବିଶ୍ୱକପ୍ ଆୟୋଜନ ଏବଂ ଭେନ୍ୟୁ ସ୍ଥାନକୁ ଛାଡ଼ି ସ୍ୱତନ୍ତ୍ର ଉଦ୍‌ଘାଟନୀ ପର୍ବ ଭିନ୍ନ ସହରରେ ଆୟୋଜିତ ହେବା ବିଶ୍ୱକପ୍‌କୁ ଅଧିକ ପରିବ୍ୟାପ୍ତ କରିପାରିଛି । ଓଡ଼ିଶାର ଏହି ଧାରା ପରବର୍ତ୍ତୀ ସଂସ୍କରଣକୁ ପ୍ରଭାବିତ କରିଛି । ୨୦୨୬ ସଂସ୍କରଣ ଦୁଇଟି ସହରରେ ନହେଲେ ବି ଦୁଇଟି ଦେଶରେ ଆୟୋଜିତ ହେବ ।

– ଭାରତରେ ହକିର ପୁନରୁଦ୍ଧାର

୧୯୮୦ ପରେ ଭାରତୀୟ ହକି କିଭଳି ସ୍ଥିିତି ଦେଇ ଗତି କରୁଥିଲା, ତାହା ସମସ୍ତେ ଜାଣିଛନ୍ତି । ଅଲିମ୍ପିକ୍ସରେ ୮ଟି ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତ ୨୦୦୮ରେ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିଲା । ସାହାରା ହକି ଇଣ୍ଡିଆର ପ୍ରାୟୋଜକ ଛାଡ଼ିବା ପରେ ଭାରତୀୟ ହକିର ସ୍ଥିତି ଏକ ପ୍ରକାର ଦୋହଲି ଯାଇଥିଲା । ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆକୁ ପ୍ରୋତ୍ସାହନ ଯୋଗାଇ ଦେବାର ଘୋଷଣା କଲେ । ଓଡ଼ିଶା ହକି ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ ହେଲା ।

୨୦୧୭ ଠାରୁ ଭାରତୀୟ ହକି ଦଳ (ପୁରୁଷ, ମହିଳା) ଓଡ଼ିଶା ନାମ ଲେଖା ଜର୍ସି ପରିଧାନ କରି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳୁଛି । ଜାତୀୟ ହକିକୁ ଓଡ଼ିଶା ପ୍ରୋତ୍ସାହନ ଯୋଗାଇ ଦେବାର ଫଳ ଟୋକିଓ ଅଲିମ୍ପିକ୍ସରେ ଦେଶକୁ ମିଳିଥିଲା । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ଦଳ ଅଲିମ୍ପିକ୍ସରେ ପଦକ ଜିତିବାର ସୌଭାଗ୍ୟ ଲାଭ କରିପାରି ଥିଲା । ସେମିତି ମହିଳା ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି (ଚତୁର୍ଥ) ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ । ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିବାର ଶ୍ରେୟ ଓଡ଼ିଶାବାସୀକୁ ମିଳିଥିଲା । ସମୟ ଆସିଲା, ଜାତୀୟ ସ୍ତରରେ ଓଡ଼ିଶା ଚର୍ଚ୍ଚାର ଶିରୋନାମା ପାଲଟିଲା; ତାହା ପୂର୍ବର ସେହି କାଳିମାମୟ ଘଟଣାବଳୀ ପାଇଁ ନୁହଁ ବରଂ ହକିର ବିଜୟ ଯାତ୍ରା ପାଇଁ । ହକି ଦଳର ସଫଳତାରେ ଖୁସି ହୋଇ ମୁଖ୍ୟମନ୍ତ୍ରୀ ଆଉ ଦଶ ବର୍ଷ ଭାରତୀୟ ଦଳକୁ ପ୍ରୋତ୍ସାହନ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । ବିଶ୍ୱରେ ହକି ଖେଳୁଥିବା ପ୍ରତିଟି ଦେଶ ଓଡ଼ିଶାକୁ ଜାଣିଛି ଏବଂ ଓଡ଼ିଶାର ଆତିଥ୍ୟରେ ପ୍ରୀତ ହୋଇଛି ।

– ଓଡ଼ିଶାରେ ହକିର ବିକାଶ

ଇଂରେଜମାନେ ଓଡ଼ିଶା ଆଗମନ ପରେ ଓଡ଼ିଶାରେ ହକିର ଉନ୍ମେଷ ଘଟିଥିଲା । ବିଶେଷ କରି ମିଶନାରୀମାନଙ୍କ ଦ୍ୱାରା ସୁନ୍ଦରଗଡ଼ରେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଲା । ସମୟକ୍ରମେ ହକି ଆଦିବାସୀମାନଙ୍କର ମୁଖ୍ୟ କ୍ରୀଡ଼ାର ମାନ୍ୟତା ପାଇଲା । ଧିରେ ଧିରେ ଏହାକୁ ନେଇ ପ୍ରତିଯୋଗିତା ଆୟୋଜିତ ହେଲା । ଏହି ପ୍ରତିଯୋଗିତାକୁ ଅଧିକ ଲୋକପ୍ରିୟ କରାଇଲା ସ୍ୱତନ୍ତ୍ର ଖାସି କପ୍ ଟୁର୍ଣ୍ଣାମେଣ୍ଟ । ପ୍ରତିବର୍ଷ ସୁନ୍ଦରଗଡ଼ରେ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ୱ ଖାସି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥାଏ ।

ସୁନ୍ଦରଗଡ଼ର ସମେତ ରାଜ୍ୟର କିଛି ଅଞ୍ଚଳରେ ହକି ଥିଲା, ଖେଳାଳି ବି ଥିଲେ କିନ୍ତୁ ଆଧୁନିକ ଭିତ୍ତିଭୂମି ଏବଂ ଆଧୁନିକ ସୁବିଧା ସୁଯୋଗ ନଥିଲା । ବିଗତ ଏକ ଦଶନ୍ଧି ମଧ୍ୟରେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ଅଭୂତପୂର୍ବ ବିକାଶ ଘଟିଛି । ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ଭଳି ସହରରେ ଅନ୍ତର୍ଜାତୀୟ ମାନର କ୍ରୀଡ଼ା ଭିତ୍ତିଭୂମି ଗଢ଼ି ଉଠିଛି । କଳିଙ୍ଗ ହକି ଷ୍ଟାଡିୟମ ପରେ ରାଉରକେଲାରେ ଏକ ନୂଆ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ ହୋଇଛି । ସୁନ୍ଦରଗଡ଼ରେ ତୃଣମୂଳସ୍ତରରୁ ହକିର ଆଧୁନିକୀକରଣ ପାଇଁ ୧୭ଟି ବ୍ଲକ ସମେତ ବିଭିନ୍ନ ଜିଲ୍ଲାରେ ମଧ୍ୟ ଆଷ୍ଟ୍ରୋ ଟର୍ଫ ବିଛା ଯିବା ନେଇ କାର୍ଯ୍ୟ ଆଗେଇ ଚାଲିଛି । ସେହିପରି ତୃଣମୂଳ ସ୍ତରରୁ ହକି ଖେଳାଳି ବାହାର କରିବା ପାଇଁ ସୁନ୍ଦରଗଡ଼ ସମେତ ଭୁବନେଶ୍ୱରରେ କ୍ରୀଡ଼ା ଛାତ୍ରାବାସ ଏବଂ ହକି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

– ଓଡ଼ିଶାରେ ହକିର ଆଧୁନିକ ପର୍ବ

ଆଦିବାସୀଙ୍କର ହକି ନୈପୁଣ୍ୟତାକୁ ବିଶ୍ୱମୁଖୀ କରାଇବା ପାଇଁ ରାଜ୍ୟ ସରକାର ପ୍ରଥମେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ଅନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମ ନିର୍ମାଣ କଲେ । ୨୦୧୩ ମଧ୍ୟଭାଗ ବେଳକୁ ଦୁଇ ଗ୍ୟାଲେରୀ ବିଶିଷ୍ଟ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା । ହକି ଇଣ୍ଡିଆର ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏଲ୍‌)ରେ ଏକ ଦଳ କ୍ରୟ କଲେ । ତାହାର ନାମ ଥିଲା ‘କଳିଙ୍ଗ ଲାନସର୍ସ’ । ଏହାପରେ ୨୦୧୪ରେ ହକି ଇଣ୍ଡିଆ ରାଜ୍ୟ ସରକାରଙ୍କୁ ‘ହକି ଚାମ୍ପିଅନ୍ସ ଟ୍ରଫି’ ଆୟୋଜନ ନେଇ ପ୍ରସ୍ତାବ ଦେଇଥିଲା । ୨୦୧୪ ଡିସେମ୍ବର ମାସରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେଲା । ପାକିସ୍ତାନ ସମେତ ବିଶ୍ୱର ୮ଟି ଶକ୍ତିଶାଳୀ ଦଳ ଏଥିରେ ଭାଗ ନେଲେ । ଚାମ୍ପିଅନ୍ସ ଟ୍ରଫି ଆୟୋଜନର ଅଭୂତପୂର୍ବ ସଫଳତା ହାସଲ କଲା । ଏହିଠାରୁ ଓଡ଼ିଶାରେ ଆରମ୍ଭ ହୋଇଥିଲା ହକିର ଆଧୁନିକ ପର୍ବ ଏବଂ ହକି ବିପ୍ଳବ ।

‘ହକି ଚାମ୍ପିଅନ୍ସ ଟ୍ରଫି’ର ସଫଳତା ପରେ ହକି ଇଣ୍ଡିଆ ଭୁବନେଶ୍ୱରରେ ୨୦୧୮ ବିଶ୍ୱକପ୍ ଆୟୋଜନ ନେଇ ପ୍ରସ୍ତାବ ରଖିଲା । ଏଭଳି ସୁଯୋଗକୁ ରାଜ୍ୟ ସରକାର ହାତଛଡ଼ା କଲେ ନାହିଁ । ଭୁବନେଶ୍ୱର ବିଶ୍ୱକପ୍ ଭେନ୍ୟୁ ଘୋଷଣା ହେବା ପରଠୁ ଷ୍ଟାଡିୟମର କଳେବର ବୃଦ୍ଧି ହେଲା । ଆଉ ଦୁଇଟି ନୂଆ ଗ୍ୟାଲେରୀ ସହ ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ୧୬ ହଜାରକୁ ବୃଦ୍ଧି କରାଗଲା ।

ବିଶ୍ୱକପ୍‌-୨୦୧୮ ଆୟୋଜନ ଅନ୍ତର୍ଜାତୀୟ ହକିରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଲା । ହକି ଇତିହାସରେ ପୂର୍ବରୁ କେବେ ଏମିତି ଆୟୋଜନ ବିଶ୍ୱବାସୀ ଦେଖି ନଥିଲେ । ଯାହା ସମସ୍ତଙ୍କୁ ଚକିତ କଲା । ସାରା ବିଶ୍ୱରେ ଓଡ଼ିଶାର ପ୍ରଶଂସା ହେଲା । ପରବର୍ତ୍ତୀ ସମୟରେ ୨୦୧୯ରେ ହକି ସିରିଜ ଫାଇନାଲ୍ସ, ପୁରୁଷ ଓ ମହିଳା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ, ୨୦୨୦ରେ ହକି ପ୍ରୋ ଲିଗ୍ ଏବଂ ୨୦୨୧ରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଭଳି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରରେ ଖେଳାଗଲା ।

– ବିଶ୍ୱକପ୍ ୨୦୨୩

୨୦୧୮ ବିଶ୍ୱକପ୍‌ର ସଫଳ ଆୟୋଜନ ପରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ହକି ଇଣ୍ଡିଆକୁ ପୁଣି ପରବର୍ତ୍ତୀ ସଂସ୍କରଣ ଆୟୋଜନ ଅଧିକାର ପ୍ରଦାନ କରିଥିଲା । ହକି ଇଣ୍ଡିଆର ପ୍ରସ୍ତାବକୁ ଏଥର ବି ରାଜ୍ୟ ସରକାର ଅଗ୍ରାହ୍ୟ କରିନଥିଲେ । ବରଂ ଭୁବନେଶ୍ୱର ସମେତ ରାଉରକେଲାରେ ବିଶ୍ୱକପ୍ ଖେଳାଯିବା ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମାତ୍ର ୧୫ ମାସ ମଧ୍ୟରେ ଇସ୍ପାତରେ ନିର୍ମିତ ନୂଆ ଷ୍ଟାଡିୟମ ଇସ୍ପାତ ନଗରୀ ରାଉରକେଲାରେ ଗଢ଼ି ଉଠିଛି । ଯାହାର ନାମ ରଖାଯାଇଛି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ । କେବଳ ଷ୍ଟାଡିୟମ ନୁହଁ, ଏହାର ପରିସରରେ ପଞ୍ଚ ତାରକା ହୋଟେଲର ସୁବିଧା ଥିବା ‘ହକି ଗ୍ରାମ’ ମଧ୍ୟ ନିର୍ମାଣ ହୋଇଛି । ଯେଉଁଠି ବିଶ୍ୱକପ୍ ଦଳ ଗୁଡ଼ିକର ରହିବାର ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ଓ ଅନ୍ୟାନ୍ୟ ନିର୍ମାଣ ପାଇଁ ୯ ଶହରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିର୍ସା ମୁଣ୍ଡା ଷ୍ଟାଡିୟମକୁ କେବଳ ଦେଶରେ ନୁହେଁ, ବିଶ୍ୱରେ ବୃହତ୍ ଷ୍ଟାଡିୟମର କୁହାଯାଉଛି ।

– ୧୬ ଦଳ, ୪୪ ମ୍ୟାଚ୍‌

ପ୍ରଥମ ଥର ହକି ବିଶ୍ୱକପ୍ ଦୁଇଟି ଭେନ୍ୟୁରେ ଖେଳାଯାଉଛି । ଉଭୟ ରାଉରକେଲା ଓ ଭୁବନେଶ୍ୱର ଭେନ୍ୟୁ ପ୍ରସ୍ତୁତ ରହିଛି । ମୋଟ୍ ୧୬ଟି ଦଳ ଏଥର ବିଶ୍ୱକପ୍‌ରେ ଭାଗ ନେଇଛନ୍ତି । ଦଳ ଗୁଡ଼ିକ ହେଲେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ଚିଲି, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡିଆ, ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ ଓ ୱେଲ୍ସ । ବିଶ୍ୱକପ୍‌ରେ ୪୪ଟି ମ୍ୟାଚ୍‌ରୁ ରାଉରକେଲାରେ ୨୦ ଏବଂ ଭୁବନେଶ୍ୱରରେ ୪୪ଟି ମ୍ୟାଚ୍ ଖେଳାଯିବାର ସୂଚୀ ରହିଛି ।

ହକିର ଉନ୍ନତି ଏବଂ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ଯାହାକୁ ନେଇ କିଛି ନାପସନ୍ଦ କରୁଛନ୍ତି ।

ବିମଳ କୁମାର ରାଉଳ, ଭୋଗରାଇ, ବାଲେଶ୍ୱର ମୋ-୯୭୭୬୩୨୭୦୫୩

କିନ୍ତୁ ନାପସନ୍ଦ କରିବାର କିଛି କାରଣ ନାହିଁ । କାରଣ ଏବେ କ୍ରୀଡ଼ାରେ ଯେଉଁ ପୁଞ୍ଜିର ବିନିଯୋଗ ହେଉଛି, ତାହା ଦିନେ ପୁଣି ବଳିଷ୍ଠ ହୋଇ ଆମ ପାଖକୁ ଫେରିବ । ଖେଳ ମାଧ୍ୟମରେ ଓଡ଼ିଶା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚି ପାରିଛି । ଆମ ସଂସ୍କୃତି, ପର୍ଯ୍ୟଟନ ଓ ଐତିହ୍ୟକୁ ସାରା ଦୁନିଆ ଚିହ୍ନିବା ଆରମ୍ଭ କଲାଣି । ଧିରେ ଧିରେ ରାଜ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ଆମ ଆତିଥେୟତା ବିଦେଶୀ ପୁଞ୍ଜି ନିବେଶକୁ ଅଧିକ ତ୍ୱରାନ୍ୱିତ କରିବ । ଶିଳ୍ପ ସମୃଦ୍ଧ ହେବ, ନିଯୁକ୍ତି ବୃଦ୍ଧି ପାଇବ ଏବଂ ଆମ ଜୀବନ ଧାରଣର ମାନ ବଢ଼ିବ । ହକି କିମ୍ବା ଯେ କୌଣସି କ୍ରୀଡ଼ାର ପ୍ରଚାର ପ୍ରସାର ପଶ୍ଚାତରେ ଏ ଜାତିର ସ୍ୱାର୍ଥ ନିହିତ ରହିଛି । ଉପଯୁକ୍ତ ସୁବିଧା ସୁଯୋଗ ଏବଂ ପ୍ରୋତ୍ସାହନ ପାଇ ଦିନେ ଏ ରାଜ୍ୟରୁ ଏକାଧିକ ଅଲିମ୍ପିକ୍ସ ପଦକ ବିଜେତା ବାହାରି ଦେଶକୁ ଗୌରବାନ୍ୱିତ କରିବେ ।

ନବନିଯୁକ୍ତ ଅଧିକାରୀଙ୍କୁ ଦିଗର୍ଶନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବନିଯୁକ୍ତ ଅଧିକାରୀଙ୍କୁ ଦିଗଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାସ୍ତରରେ କେନ୍ଦ୍ର ସମବାୟ ବ୍ୟାଙ୍କରେ ଯୋଗ ଦେଇଛନ୍ତି ୨୪୦ ଜଣ ସହକାରୀ ମ୍ୟାନେଜର । ସେହିପରି ୨୬ ଜଣ ସିଷ୍ଟମ ମ୍ୟାନେଜର ମଧ୍ୟ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଚାଷୀଙ୍କ ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ସମବାୟ ବ୍ୟାଙ୍କ ଗୁରୁତ୍ବ ଭୂମିକା ତୁଲାଉଛି ।

ନୂଆ କର୍ମଚାରୀ ନିଯୁକ୍ତି ଫଳରେ ଚାଷୀଙ୍କୁ ବ୍ୟାଙ୍କରୁ ଉତ୍ତର ସେବା ମିଳିବ । ଏଥିସହ ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଆର୍ଥିକ ସ୍ଥିତି କିଭଳି ସୁଦୃଢ଼ ହୋଇପାରିବ, ସେଥିପାଇଁ କାର୍ଯ୍ୟ କରିଆସୁଛି ସମବାୟ ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇ ନବନିଯୁକ୍ତଙ୍କୁ ଦିଗଦର୍ଶନ ଦେଇଛନ୍ତି ।

ସେହିପରି କୃଷି ବିଭାଗରେ ଯୋଗଦେଇଛନ୍ତି ୨୨ ସହକାରୀ କୃଷି ଅଧିକାରୀ । ସେହିପରି କାଜୁ ବିକାଶ ନିଗମରେ ଯୋଗ ଦେଇଛନ୍ତି ୫୩ ଅଧିକାରୀ । କାର୍ଯ୍ୟରେ ଯୋଗ ଦେଇଥିବା ନୂତନ ଅଧିକାରୀଙ୍କୁ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୃଷି ହେଉଛି ଏକକ ବୃହତ୍ତମ ନିଯୁକ୍ତିଦାତା । କୃଷି କ୍ଷେତ୍ରରେ ବିକାଶ ପାଇଁ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୧ରେ ରାଜ୍ୟରେ ରେକର୍ଡ ସଂଖ୍ୟକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି ।

ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ୧୩୦ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି । ଗତ ୨୦ ବର୍ଷ ମଧ୍ୟରେ ଏହା ଦ୍ୱିଗୁଣରୁ ଅଧିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୃଷି ଓ କୃଷକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । କାଜୁ ଉତ୍ପାଦନରେ ଓଡ଼ିଶା ଏକ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ । ତେଣୁ 5T ନୀତି ଅନୁସରଣ କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଦ୍ୱିତୀୟ ଦିନିକିଆରେ ୪ ୱିକେଟରେ ଶ୍ରୀଲଙ୍କାକୁ ହରାଇଲା ଟିମ୍ ଇଣ୍ଡିଆ

କୋଲକାତା: ଇଡେନ ଗାର୍ଡେନରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ । ଟି-୨୦ ପରେ ଏକଦିବସୀୟ ସିରିଜ୍ କବଜା କଲା ଭାରତ । ଦ୍ବିତୀୟ ଏକଦିବସୀୟ ମ୍ୟାଚକୁ ୪ ଓ୍ବିକଟରେ ଜିତି ୨-୦ରେ ସିରିଜକୁ ଆଗୁଆ କବଜା କରିନେଇଛି ରୋହିତ ଆଣ୍ଡ କୋ । ଶ୍ରୀଲଙ୍କାର ୨୧୬ ରନ ଟାର୍ଗେଟକୁ ୬ ଓଭର ୪ଟି ବଲ ବାକି ଥାଇ ଜିତି ନେଇଛି ଭାରତ । ଆଜି ଟସ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା । ଭାରତ ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁଁ ଭ୍ରମଣକାରୀ ଟିମ୍ ମାତ୍ର ୩୯ ଓଭର ୪ଟି ବଲରେ ସମସ୍ତ ଓ୍ବିକେଟ ହରାଇ ୨୧୫ ରନ କରିବାରେ ସକ୍ଷମ ହୋଇଥିଲା । ଦଳ ୫୦ ଓଭର ମ୍ୟାଚ୍ ଖେଳିପାରିନଥିଲା ।

୩୯.୪ ଓଭରରେ ଦଳ ନିଜର ସମସ୍ତ ୱିକେଟ୍ ହରାଇ ୨୧୫ ରନ୍ ସଂଗ୍ରହ କରିଥିଲା । ନୁୱାନିଦୁ ଫର୍ଣ୍ଣାଣ୍ଡୋ ଶ୍ରୀଲଙ୍କା ପାଇଁ ସର୍ବାଧିକ ୫୦ ରନ୍ କରିଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ତିନୋଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ଭାରତ ୨୧୬ ରନ୍ ର ଲକ୍ଷ୍ୟକୁ ୪୩.୨ ଓଭରରେ ହାସଲ କରିନେଇଛି । ଏହି ସମୟରେ ଭାରତ ୬ ୱିକେଟ ମଧ୍ୟ ହରାଇଥିଲା, କିନ୍ତୁ କେଏଲ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ ଫଳପ୍ରଦ ସାବ୍ୟସ୍ତ ହୋଇଛି ।

ହାର୍ଦ୍ଦିକ ପାଣ୍ଡ୍ୟା ୫୩ ଟି ବଲରେ ୩୬ ରନ୍ କରି ଆଉଟ୍ ହୋଇଥିଲେ । କେଏଲ ରାହୁଲ ୧୦୩ ଟି ବଲ୍ ଖେଳି ୬୪ ରନ୍ କରି ଏକ ବିଜୟୀ ପାରି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୁଭମନ ଗିଲ୍ ୨୧ ରନ୍, ଶ୍ରେୟସ ଆୟର ୨୮ ରନ୍, ଅକ୍ସର ପଟେଲ ୨୧ ରନ୍ କରିଥିଲେ । କୁଲଦୀପ ଯାଦବ ମଧ୍ୟ ୧୦ ରନ୍ କରି ଅପରାଜିତ ରହିଥିଲେ । ଶ୍ରୀଲଙ୍କା ପକ୍ଷରୁ ଲହିରୁ କୁମାରା ଏବଂ ଚମିକା କରୁଣାରତ୍ନେ ୨ ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

ବିଦ୍ୟାର୍ଥୀ ବିକାଶ ମଞ୍ଚ ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳିତ

ଭଦ୍ରକ : ବିଦ୍ୟାର୍ଥୀ ବିକାଶ ମଞ୍ଚ, ଭଦ୍ରକ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ । ସ୍ଥାନୀୟ ବାଗୁରାଇ ଆଦିବାସୀ କଲୋନୀରେ ବିଦ୍ୟାର୍ଥୀ ବିକାଶ ମଞ୍ଚ ତରଫରୁ ସକାଳ ସମୟରେ ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା, ସଫେଇ ଓ କଲୋନୀର ଲୋକମାନଙ୍କୁ ନେଇ ପରିବେଶ ସୁରକ୍ଷା ସଚେତନତା କରାଯାଇଥିଲା । ଅନ୍ନ, ବସ୍ତ୍ର, ଶୀତବସ୍ତ୍ର ବଣ୍ଟନ ସହ ନୂତନ ଧାରାରେ ସଂସ୍କାର କେନ୍ଦ୍ରର ଉଦଘାଟନ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ଉତିଷ୍ଠିତ ପତ୍ରିକାର ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟିକ ମନୋଜ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଭାରତ ବର୍ଷ ବିଶ୍ବର ଗୁରୁ ହେବ ।

ବିବେକାନନ୍ଦ କହିଥିଲେ ଧର୍ମମତ ଉପରେ ରହି ରାଷ୍ଟ୍ରର ସେବା କର । ସ୍ୱାମୀ ବିବେକାନନ୍ଦ ତ୍ୟାଗ ଓ ସେବାର ପ୍ରତିକ ଥିଲେ, ସେ ଜଣେ ଦିବ୍ୟଦ୍ରଷ୍ଟା ଥିଲେ, ଛାତ୍ର ଛାତ୍ରୀ ମାନଙ୍କର ସତ ଚରିତ୍ର ରହିଲେ, ଭାରତ ବର୍ଷ ନିଶ୍ଚୟ ବିଶ୍ଵଗୁରୁ ଭାବେ ପରିଗଣିତ ହେବ । ଆଜିର ଦିନରେ ମହାପୁରୁଷଙ୍କ ନାମକୁ ସ୍ମରଣ କରିବା ପାଇଁ ବିଦ୍ୟାର୍ଥୀ ବିକାଶ ମଞ୍ଚ ଏକ ନୂତନ ଜାଗରଣ ସୃଷ୍ଟି କରିଛି । ଉପସ୍ଥିତ ଥିବା କୁନି କୁନି ପିଲା ମାନେ ମଧ୍ଯ ବିବେକାନନ୍ଦଙ୍କ ଭଳି ନିଶ୍ଚୟ ହୋଇପାରିବେ ।

ବିଦ୍ୟାର୍ଥୀ ବିକାଶ ମଞ୍ଚର ଆଜିର ଏଭଳି ମହତ କାର୍ଯ୍ୟକୁ ମୁଖ୍ୟ ଅତିଥି ଭୁୟସୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଡ. ବ୍ରଜ ମୋହନ ମିଶ୍ର ଯୋଗଦେଇ ଆତ୍ମ ବିଶ୍ବାସର ପ୍ରତୀକ ସ୍ବାମୀ ବିବେକାନନ୍ଦଙ୍କ ପଥକୁ ଅନୁସରଣ କରିବାକୁ କହିଥିଲେ । ଆଜି ଏମିତି ସମୟ ଆସିଯାଇଛି ଦିନରେ ଲଣ୍ଠନ ଧରି ଭଲ ମଣିଷ ଖୋଜା ଚାଲିଛି । ପିଲାମାନେ ତମେ ଚାହିଁଲେ ଜଣେ ଜଣେ ବିବେକାନନ୍ଦଙ୍କ ପରି ହୋଇପାରିବ । ମଞ୍ଚର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡ. ଦେବେନ୍ଦ୍ର ନାଥ ରାଉତ ମଞ୍ଚର ଆଗାମୀ କାର୍ଯଧାରା ଉପରେ ନିଜର ମତ ରଖିଥିଲେ ।

ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ବାଳ ସଭା ପରିଚାଳନା କରିବା ସହ ମଞ୍ଚ ପୁର୍ନବାର ଆଦିବାସୀ କଲୋନୀରେ ଦୈନିକ ଯୋଗ, ଶିକ୍ଷା, ଖେଳକୁଦ ଓ ସଚେତନତା କାର୍ଯ୍ୟ ରଖିବ ବୋଲି କହିବା ସହ ଏଥିପାଇଁ ସଂଯୋଜକ ଭାବେ ଦେବୀକିଙ୍କର ପାଣିଗ୍ରାହୀ, ଗୁରୁଜୀ ଭାବେ ବର୍ଜୁ ବାଗେ, ରଜନୀକାନ୍ତ ବିହାରୀଙ୍କୁ ଦାୟିତ୍ୱ ଦେଲେ । ଏହି ଅବସରରେ ଭଦ୍ରକ ରୋଟାରୀ କ୍ଲବ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ନାରାୟଣ ବିଶ୍ବାଳଙ୍କ ପକ୍ଷରୁ ସ୍କୁଲ ପିଲାମାନଙ୍କୁ ପୋଷାକ ବିତରଣ କରାଯାଇଥିଲା ।  ଯୋଗଗୁରୁ ସୁରେନ୍ଦ୍ର ଦାସ ସମସ୍ତଙ୍କୁ ଯୋଗର ଉପକାରିତା ସମ୍ପର୍କରେ ସୂଚାଇଥିଲେ ।

ଆଦିବାସୀ କଲୋନୀର ସମସ୍ତେ ଶିକ୍ଷା ଲାଭ ନକରିବା ପର୍ଯ୍ୟନ୍ତ ଆମ ମଞ୍ଚ ଆପଣଙ୍କ ନିକଟରେ ଠିଆ ହେବ, ସମସ୍ତେ ଶିକ୍ଷିତ ହେଲେ ଯାଇ ଏ ସମାଜ ଆଗକୁ ଯାଇପାରିବ ବୋଲି ଉପଦେଷ୍ଟା ଡ. ରାଧାରାଣୀ ମହାପାତ୍ର ବକ୍ତବ୍ୟରେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶୁଭେଚ୍ଛୁ ଅନିଲ ଦେ, ପ୍ରଦୀପ ଦାସ, ପ୍ରବୀର ଦତ୍ତ, ରାଜୁ ବିହାରୀ, ସାନୁ ପଣ୍ଡା, ସୁଧାଂଶୁ ଶେଖର ପଣ୍ଡା ଉପସ୍ଥିତ ଥିଲେ । ସମ୍ପାଦକ ସୁଦାମ ଭୂଇଁ ବିଦ୍ୟାର୍ଥୀ ବିକାଶ ମଞ୍ଚ ପୂର୍ବରୁ କରୁଥିବା ସମସ୍ତ କାର୍ଯ୍ୟକ୍ରମ କିପରି ପୁନର୍ବାର ହେବ ସେନେଇ ଚେଷ୍ଟା ଜାରି ରହିବ କହିଥିଲାବେଳେ ଉପଦେଷ୍ଟା ଅତୁଲ ଦେ ଧନ୍ୟବାଦ ଅର୍ପଣ କରିଥିଲେ ।

ଚିକିତ୍ସା ସେବାରେ BSKY କାର୍ଡର ନୂଆ ଇତିହାସ, ହିତାଧିକାରୀ ସଂଖ୍ୟାରେ ୪୧୩ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ବିଜୁ ସ୍ବାସ୍ଥ୍ୟ କାର୍ଡ ଚିକିତ୍ସା ସେବାରେ ସୃଷ୍ଟି କରିଛି ନୂଆ ଇତିହାସ । BSKY ଉପରେ ବଢ଼ିଛି ଲୋକଙ୍କ ଆସ୍ଥା । ଏନେଇ ବିଏସକେଓ୍ବାଇ ହିତାଧିକାରୀ ସଂଖ୍ୟାରେ ୪୧୩ପ୍ରତିଶତ ବୃଦ୍ଧି ହୋଇଛି । ଆଗକୁ ଏହା ଅଧିକ ବଢ଼ିବା ନେଇ ଆଶା ରହିଛି । ଏକ ଆନ୍ତରିକ ସମୀକ୍ଷା ବେଳେ ଏହି ତଥ୍ୟ ମିଳିଥିବା କହିଛନ୍ତି ଡକ୍ଟର ବୃନ୍ଦା ଡି । ୨୦୨୧ରେ ୧.୨୬ ଲକ୍ଷ ରୋଗୀ ବିଭିନ୍ନ ଘରୋଇ ହସ୍ପିଟାଲରେ BSKY କାର୍ଡ ଜରିଆରେ ଚିକିତ୍ସା ସୁବିଧା ପାଇଥିଲେ ।

୨୦୨୨ରେ ମଧ୍ୟ ୬.୪୫ଲକ୍ଷ ରୋଗୀ ପାଇଛନ୍ତି ଚିକିତ୍ସା ସୁବିଧା । ଯାହାକି ପୂର୍ବ ବର୍ଷଠାରୁ ରେକର୍ଡ ୪୧୩ ପ୍ରତିଶତ ଅଧିକ ରହିଛି । ୨୦୨୧ରେ ଚିକିତ୍ସା ବାବଦକୁ ୨୨୪.୮୭କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର । ୨୦୨୨ରେ ସରକାର ୧୪୫୬.୪୨କୋଟି ଟଙ୍କା ଦେଇଛନ୍ତି । ରୋଗୀଙ୍କ ଆବଶ୍ୟକତା ଅନୁଯାଇ ଚିକିତ୍ସା ଯୋଗାଇବା ମେଡିକାଲ ସଂଖ୍ୟା ୧୮୭ରୁ ୫୫୪କୁ ବୃଦ୍ଧି କରାଯାଇଥିବା ସୂଚନା ଦେଇଛନ୍ତି ଷ୍ଟେଟ ହେଲ୍ଥ ଆସୁରାନ୍ସ ସୋସାଇଟି ଡକ୍ଟର ବୃନ୍ଦା ଡି ।

କର ସଂକ୍ରାନ୍ତ ମାମଲାରେ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ଅନୁଷ୍କା ଶର୍ମା

ମୁମ୍ବାଇ: କର ସଂକ୍ରାନ୍ତ ନୋଟିସ ମାମଲାରେ ଅଭିନେତ୍ରୀ ଅନୁଷ୍କା ଶର୍ମା କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ୨୦୧୨-୧୩ ଓ ୨୦୧୩-୧୪ରେ ବିକ୍ରିକର ବିଭାଗ ଡେପୁଟି କମିଶନରଙ୍କ ଦ୍ବାରା ପ୍ରେରିତ ଦୁଇଟି ନୋଟିସ ପ୍ରସଙ୍ଗରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଅନୁଷ୍କା । ଅନୁଷ୍କାଙ୍କ ଆବେଦନ ପରେ ଉତ୍ତର ରଖିବା ଲାଗି ବିକ୍ରିକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ନୀତୀନ ଜାମଦାର ଓ ଜଷ୍ଟିସ ଅଭୟ ଆହୁଜା । ଆସନ୍ତା ଫେବ୍ରୁଆରୀ ୬ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।

ନିଜ ଆବେଦନରେ ଅନୁଷ୍କା କହିଛନ୍ତି-ଜଣେ ପରଫର୍ମର ଭାବେ ତାଙ୍କ ଉପରେ କର ଲାଗୁ କରାଯିବା ବଦଳରେ ଅଧିକ କର ଧାର୍ଯ୍ୟ କରାଯାଇଛି । ସେ ୨୦୧୨ରୁ ୨୦୧୬ ମଧ୍ୟରେ ୪ଟି ପିଟିସନ ଦାୟର କରିଥିଲେ । ଗତ ସପ୍ତାହରେ ସେ ସାନି ପିଟିସନ ଦାଖଲ କରିଥିଲେ । ଅନୁଷ୍କା ଦର୍ଶାଇଛନ୍ତି ସେ ଫିଲ୍ମ ଓ ଆଓ୍ବାର୍ଡ ସେରିମନିରେ ଯେଉଁ ଅଭିନୟ କରୁଛନ୍ତି ତାହା ତ୍ରିପାକ୍ଷିକ ରାଜିନାମା ଅନୁସାରେ ହେଉଛି । ସେମାନେ ହେଲେ ତାଙ୍କ ଏଜେଣ୍ଟ ଯଶରାଜ ଫିଲ୍ମସ, ପ୍ରଡ୍ୟୁସର ଓ ଇଭେଣ୍ଟ ଅର୍ଗାନାଇଜର । ତେବେ ତାଙ୍କ ଉପରେ ଜଣେ ଅଭିନେତ୍ରୀ ଭାବେ କର ଲାଗୁ କରାଯାଇନାହିଁ । ବିକ୍ରିକର ବିଭାଗର ନୋଟିସ ଅନୁସାରେ ଅନୁଷ୍କାଙ୍କୁ ୨୦୧୨-୧୩ରେ ୧ କୋଟି ୨୦ ଲକ୍ଷ ଟଙ୍କା ଓ ୨୦୧୩-୧୪ରେ ୧ କୋଟି ୬ ଲକ୍ଷ ଟଙ୍କା ଦେବାକୁ ପଡିବ ।

ତିନି ଦିନ ଧରି ଚାଲିବ ରାହୁଲ-ଆଥିଆଙ୍କ ବାହାଘର

ମୁମ୍ବାଇ : ବଲିଉଡ ସହ କ୍ରିକେଟ ଜଗତର ସଂପର୍କ ଆହୁରି ମଜବୁତ ହେଲା। ପୁଣି ଜଣେ କ୍ରିକେଟରଙ୍କ ସହ ସାତ ଫେରା ନେବାକୁ ଯାଉଛନ୍ତି ବଲିଉଡର ନାୟିକା। ଏମିତି କିଛି ଖବର ଏବେ ବି-ଟାଉନର ସବୁଠାରୁ ହଟ୍ ଟପିକ ପାଲଟିଛି। ଷ୍ଟାର କ୍ରିକେଟର କେ.ଏଲ ରାହୁଲ ଏବଂ ବଲିଉଡର ଚୁଲବୁଲି ନାୟିକା ଆଥିଆ ସେଟ୍ଟୀଙ୍କ ବିବାହ ଏବେ ଫାଇନାଲ ହୋଇଛି। ଏହି ଦୁଇ ଲଭ ବାର୍ଡସ ଏବେ ବିବାହ ବନ୍ଧନରେ ବାନ୍ଧି ହେବେ। ବଲିଉଡରେ ପୁଣି ଆରମ୍ଭ ହେବାକୁ ଯାଉଛି ବିବାହ ଋତୁ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ କ୍ରିକେଟର କେ.ଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟୀଙ୍କ ବିବାହ ଖବର ଉପରେ ମୋହର ଲାଗିଥିବା ଜଣାପଡିଛି। ଜାନୁୟାରୀ ୨୩ରେ ସେମାନଙ୍କର ବିବାହ ହେବାକୁ ଥିବାବେଳେ ବିବାହର ସମସ୍ତ ରିତିନୀତି ତିନି ଦିନ ଧରି ଚାଲିବ ବୋଲି ଶୁଣିବାକୁ ମିଳିଛି। ଅନ୍ୟପଟେ ଏବେ ପର୍ଯ୍ୟନ୍ତ ଦୁଇ ଷ୍ଟାରଙ୍କ ପରିବାର ତରଫରୁ ଏସଂପର୍କରେ କୌଣସି ସୂଚନା ମିଳିନାହିଁ। କୁହାଯାଉଛି ଏହି ଲଭ ବାର୍ଡସଙ୍କ ବିବାହ ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ବଙ୍ଗଳାଠାରେ ବିବାହର ସମସ୍ତ ରୀତିନୀତି କରାଯିବ । କୁହାଯାଉଛି,ଏହି ବିବାହର ରୀତିନିତି ୩ ଦିନ ପର୍ଯ୍ୟନ୍ତ ଚାଲିବ ।

ଅନେକ ଦିନରୁ ଏହି ଦୁଇ ଷ୍ଟାରଙ୍କର ପ୍ରେମ ସମ୍ପର୍କ ସବୁବେଳେ  ଚର୍ଚ୍ଚାରେ  ରହିଆସିଥିଲା। ଆଉ ବର୍ତ୍ତମାନ ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। କେ.ଏଲ ରାହୁଲ-ଆଥିଆଙ୍କ ବିବାହକୁ ନେଇ ତାଙ୍କ ଫ୍ୟାନ୍ସ ମଧ୍ୟ ଅନେକ ଦିନରୁ ଅପେକ୍ଷା କରି ରହିଥିଲେ। ବିରାଟ ,ଅନୁଷ୍କାଙ୍କ ପରେ ପୁଣି ଥରେ ଫ୍ୟାନ୍ସ ଆଉ ଏକ ନୂଆ ଯୋଡିଙ୍କୁ ଦେଖିବା ପାଇଁ ଚାହିଁ ବସିଛନ୍ତି। ନୂଆବର୍ଷରେ ଗଢି ଉଠିବ ଏହି ନୂଆ ସମ୍ପର୍କ। ବିବାହର ସମସ୍ତ ରୀତିନୀତି ଜାନୁୟାରୀ ୨୧ରୁ ଆରମ୍ଭ ହେବାକୁ ଯାଉଛି।  ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ସେମାନଙ୍କ ହଲଦୀ ମେହେନ୍ଦୀ ଏବଂ ସଂଗୀତ କରାଯିବ ଏବଂ ୨୩ ରେ ଦୁହେଁ ସାତଫେରା ନେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଲାଣି। ବର୍ଷର ସବୁଠାରୁ ପ୍ରତିକ୍ଷିତ ବିବାହ ଜଲଦୀ ହେବାକୁ ଯାଉଛି। କେ.ଏଲ୍ ରାହୁଲ-ଆଥିଆଙ୍କ ବିବାହରେ ଅନେକ ନାମୀ ଦାମୀ ତାରକା ସାମିଲ ହେବାର ସମ୍ଭାବନା ରହିଛି।

ଏହି ୫ ଖେଳାଳୀଙ୍କ ପାଇଁ ଭାରତ ଜିତିପାରେ ହକି ବିଶ୍ୱକପ୍!

ଭୁବନେଶ୍ଗୁର: ଗୁରୁବାର ବାଜିଲା ହକି ବିଶ୍ବକପର ବିଗୁଲ । ଆସନ୍ତା କାଲି ଅର୍ଥାତ ଶୁକ୍ରବାର ଓଡିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ୍। ଆରମ୍ଭ ହୋଇସାରିଲାଣି କାଉଣ୍ଟଡାଉନ। ପୁରୁଷ ବିଶ୍ବକପ୍ ୨୦୨୩ ଓଡିଶାରେ ଅନୁଷ୍ଠିତ ହେବାକୁ ଥିବାବେଳେ ବର୍ତ୍ତମାନ ବେଶ ଚଳଚଂଚଳ ହୋଇପଡିଛି ରାଉରକେଲା ସହର ସହିତ ରାଜଧାନୀ ଭୁବନେଶ୍ବର। ଗୁରବାର କଟକ ବାରବାଟୀ ଷ୍ଟାଡିୟମରେ ବିଶ୍ବକପ ହକିର ଉଦଘାଟନୀ ଉତ୍ସବ ରାଜ୍ୟବାସୀଙ୍କ ମନ ମୋହିଥିଲା। ଶୁକ୍ରବାର ଦିନ ହକି ବିଶ୍ବକପ ୨୦୨୩ର ଶୁଭାରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷର ହକି ଟୁର୍ଣ୍ଣାମେଣ୍ଟ ଭାରତରେ ଖେଳାଯିବ । ଯାହାକି ନିଶ୍ଚିତଭାବେ ଭାରତ ପାଇଁ ଏକ ସୁବର୍ଣ୍ଣ ସୁଯୋଗ କହିଲେ କିଛି ଭୁଲ ହେବ ନାହିଁ।

ପୂର୍ବରୁ ଦଳ ୧୯୭୫ ମସିହାରେ ଏହି ଟ୍ରଫିକୁ ହାତେଇ ସାରିଥିଲେ। ଏଥର ମଧ୍ୟ ଭାରତ ପାଖରେ ଆଉ ଏକ ସୁଯୋଗ ଆସି ପହଂଚିଛି । ନିଜ ମାଟିରେ ଖେଳି ଦଳ ଟ୍ରଫିକୁ ବେଶ ସହଜରେ ହାତେଇ ପାରିବା ନେଇ ଆଶା କରାଯାଉଛି। ଯେହେତୁ ମ୍ୟାଚ ନିଜ ଦେଶରେ ଖେଳିବାକୁ ଯାଉଛନ୍ତି ,ଦ୍ବିତୀୟଥର ମଧ୍ୟ ଭାରତ ଟ୍ରଫିକୁ ନିଜ ନାଁରେ କରିପାରିବ। କଳ୍ପନା ଜଳ୍ପନା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ୍। ଭାରତୀୟ ହକି ଦଳରେ ଏଭଳି ୫ ଜଣ ଷ୍ଟାର ଖେଳାଳି ରହିଛନ୍ତି। ଯେଉଁମାନଙ୍କ ପ୍ରଦର୍ଶନ ହିଁ ଭାରତକୁ ଏଥର ବିଶ୍ବକପରେ ଚମ୍ପିୟାନ କରିପାରିବ।

ଏଥର ଅଧିନାୟକ ହରମନପ୍ରିତଙ୍କର ସହ ଏମିତି ୫ ଜଣ ଷ୍ଟାର ଖେଳାଳି ଦଳରେ ରହିଛନ୍ତି। ପୂରା ମ୍ୟାଚକୁ ଏକ ଅଲଗା ସ୍ତରକୁ ନେଇ ଯିଵାର କ୍ଷମତା ରହିଛି ସେମାନଙ୍କ ପାଖରେ ରହିଛି। ଏହି ଷ୍ଟାର ଖେଳାଳିମାନେ ହେଉଛନ୍ତି, ହରମନପ୍ରିତଙ୍କ ସହ ଆକାଶଦୀପ ସିଂ, ମନପ୍ରୀତ ସିଂ, ମନଦୀପ ସିଂ ଏବଂ ପିଆର ଶ୍ରୀଜେଶ । ଜାଣି ରଖନ୍ତୁ ଏହି ଷ୍ଟାର ପ୍ଲେୟାରଙ୍କର ଖାସ ଷ୍ଟାଇଲ ସଂପର୍କରେ।

ଜାଣନ୍ତୁ ,ଭାରତୀୟ ହକି ଦଳର ଷ୍ଟାର ଡିଫେଣ୍ଡର ହେଉଛନ୍ତି ହରମନପ୍ରିତ ସିଂ। ଯିଏ କି ୨୦୧୮ ହକି ବିଶ୍ବକପରେ ମଧ୍ୟ ଖେଳି ସାରିଛନ୍ତି। ଏମିତିରେ ବର୍ତ୍ତମାନ ଦଳର ଅଧିନାୟକ ପଦ ଭାର ସମ୍ଭାଳୁଛନ୍ତି। ନିଜର ହକି କ୍ୟାରିୟର ମଧ୍ୟରେ ହରମନପ୍ରିତ ଅଲମ୍ପିକରେ ବ୍ରୋଂଚ ପଦକ ସହ ଜୁନିୟର ବିଶ୍ବକପ ଏବଂ ଏସିଆ କପ ଭଳି ଅନେକ ପୁରସ୍କାର ନିଜ ନାଁରେ କରିସାରିଛନ୍ତି।

 

ଭାରତୀୟ ଟିମ ପାଇଁ ୨୦୦ରୁ ଅଧିକ ମ୍ୟାଚ ଖେଳିସାରିଲେଣି ଆକାଶଦୀପ ସିଂ। ଫ୍ୟାନ୍ସଙ୍କୁ ତାଙ୍କ ଅଧିକଆଶା ରହିଛି।  ୨୦୧୨ରେ ସେ ତାଙ୍କର ପ୍ରଥମ ହକି ମ୍ୟାଚ ଖେଳିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଆକାଶ ୮୦ରୁ ଅଧିକ ଗୋଲ କରିଛନ୍ତି। ତାଙ୍କୁ ଗୋଲ ମେସିନ ମଧ୍ୟ କୁହାଯାଇଥାଏ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ହାଟ୍ରିକ କରିଥିବା ଆକାଶ ଏବେ ନିଜର ତୃତୀୟ ବିଶ୍ବକପ ଖେଳିବେ।

 

ଭାରତୀୟ ଫିଲ୍ଡ ହକି ଖେଳାଳି ମନପ୍ରୀତ ସିଂ। ଯିଏ କି ପୂର୍ବ ବିଶ୍ବକପରେ ଅଧିନାୟକ ରହିଥିଲେ। ଚଳିତ ବର୍ଷ ତାଙ୍କ ଉପରେ ଆଉ ଅଧିନାୟକ ପଦର ଭାର ରହିବନାହି। ଯାହା ଫଳରେ ସେ ନିଜର ବେଷ୍ଟ ଦେବେ ବୋଲି ଆଶା କରାଯାଉଛି। ଅଧିନାୟକ ଥିବା ସମୟରେ ସେ ଭାରତକୁ ଅଲମ୍ପିକରେ ବ୍ରୋଂଚ ପଦକରେ ଜିତାଇଥିଲେ। ଏମିତିରେ ତାଙ୍କର ମିଡଫିଲ୍ଡକୁ ଅନୁଭବ ଏବଂ ଶେଷ ତୃତୀୟ ଭାଗରେ ତାଙ୍କର କ୍ରିସ୍ପ ପାସ ଭାରତକୁ ଗୋଲ ଦେବାରେ ଅନେକ ସାହାଯ୍ୟ କରିବ।

 

 ଭାରତୀୟ ଷ୍ଟାର ଫରଓ୍ବଡ ହେଉଛନ୍ତି ମନଦୀପ ସିଂ। ଯିଏ କି ୨୦୨୨ରେ ଭାରତକୁ ସବୁଠାରୁ ଅଧିକ ୧୩ଟି ଗୋଲ ଦେଇଥିଲେ। ତାଙ୍କ ଖେଳର ଖାସିଓ୍ବତ ହେଉଛି, ଅନ୍ୟ ଟିମକୁ ଧୋକା ଦେବା ସହ ସେ ପେନାଲ୍ଟି କର୍ଣ୍ଣର ପାଇଁ ସୁଯୋଗ ଦେଇ ନଥାନ୍ତି।  ଏମିତିରେ ତାଙ୍କ ଅନୁଭବ ଏଥରର ବିଶ୍ବକପ ପାଇଁ ଖୁବ ଜରୁରୀ ରହିବ।

 

ଅନ୍ୟପଟେ ଟିମର ଷ୍ଟାର ଗୋଲକିପର ପିଆର ଶ୍ରୀଜେଶ ଏଥର ପୁରା ପ୍ରସ୍ତୁତ । ମେନ୍ସ ପ୍ରି ଲିଗରେ ତାଙ୍କ ପ୍ରଦର୍ଶନ ସେତେଟା ଭଲ ନଥିବାବେଳେ ଖୁବ ଆଲୋଚନାର ଶିକାର ହୋଇଥିଲେ ଶ୍ରୀଜେଶ । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ସେ ନିଜର ବେଷ୍ଟ ଦେଇ କମବ୍ୟାକ କରିଥିଲେ। ଶ୍ରୀଜେଶ ସମସ୍ତ ବଡ ମ୍ୟାଚ ପୂର୍ବରୁ ପୀକରେ ଥାଆନ୍ତି ଏବଂ ଟିମ ପାଇଁ ପୁରା ଦମ ଲଗାଇ ଦେଇଥାନ୍ତି।

କଳିଙ୍ଗ ଷ୍ଟାଡିୟମରେ ଓଲି ଲ୍ୟାଣ୍ଡ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମନ ମୋହୁଛି ଓଲି ଲ୍ୟାଣ୍ଡ । କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ଓଲି ଲ୍ୟାଣ୍ଡ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଥିମ ସହିତ ଓ ଆଲୋକ ମାଳାରେ ସଜେଇ ହୋଇଛି ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ୍-ଟି ସଚିବ ମଧ୍ୟ ଓଲି ଲ୍ୟାଣ୍ଡ ବୁଲି ଦେଖିଛନ୍ତି । ସାଜସଜାକୁ ମୁଖ୍ୟମନ୍ତ୍ରୀ ଭରପୁର ପ୍ରଶଂସା କରିଛନ୍ତି ।

ହକି ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିବାକୁ ଏହି ବ୍ୟବସ୍ଥା କରାଯାଇଛି । ମ୍ୟାଚ ନଥିବା ଦିନ ଜନ ସାଧାରଣଙ୍କ ପାଇଁ ଏହି ସ୍ଥାନ ଖୋଲାଯାଉଛି । ଭିତରେ ବୁଲି ଲୋକେ ହକିକୁ ନେଇ ଅନୁଭବ ସାଉଣ୍ଟିପାରିବେ । ଓଲି ଲ୍ୟାଣ୍ଡର ଅନେକ ସ୍ଥାନରେ ସୁନ୍ଦର ସୁନ୍ଦର ସେଲଫି ପଏଣ୍ଟ କ୍ରୀଡା ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି ।

୩୩୦ ଶଯ୍ୟା ବିଶିଷ୍ଟ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟ ପାଇଁ ୨୦ଟି ନୂଆ ପଦବୀ ସୃଷ୍ଟି

ଭୁବନେଶ୍ୱର: କେନ୍ଦୁଝରରେ ୩୩୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ବିଭିନ୍ନ ବର୍ଗରେ ୨୦ ଟି ନୂଆ ପଦବୀ ସୃଷ୍ଟି କରାଯାଇଛି । ଏ ବାବଦରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ କାର୍ଯ୍ୟାଳୟ ଆଦେଶ ରୁ ଜଣା ପଡ଼ିଛି ଯେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ଡାକ୍ତରଖାନା ପାଇଁ ୩ ଟି ନିଶ୍ଚେତକ ସ୍ପେଶାଲିଷ୍ଟ , ୧ଟି ଅସ୍ତି ଶଲ୍ୟ ସ୍ପେଶାଲିଷ୍ଟ୍, ୧ଟି ଜରୁରୀ କାଳୀନ ମେଡିକାଲ ଅଧିକାରୀ, ୨ଟି ବ୍ଲଡ ବ୍ୟାଙ୍କ୍ ଅଧିକାରୀ, ୮ ଟି ମେଡିକାଲ ଅଧିକାରୀ, ୧ ଟି ଦନ୍ତ ଚିକିତ୍ସକ, ଏବଂ ୩ଟି ପରିକ୍ଷଗାର ସହାୟକ ଏହିପରି ସମୁଦାୟ ୨୦ଟି ପଦବୀ ସୃଷ୍ଟି କରାଯାଇଛି । ଏହି ସବୁ ପଦବୀରେ ସ୍ପେଶାଳିଷ୍ଟ ମାନେ ନିୟୋଜିତ ହେବା ପରେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟର ଗୁଣାତ୍ମକ ମାନ ବହୁ ଗୁଣିତ ହେବ ବୋଲି ବୁଦ୍ଧିଜବୀମାନେ ଆଶା ପ୍ରକାଶ କରିବା ସହ ଏଥି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।