spot_img
Home Blog Page 3517

ନ୍ୟୁଜିଲାଣ୍ଡର ୪୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କ୍ରିସ୍ ହିପକିନ୍ସ

ଅକଲାଣ୍ଡ: ଲେବର ପାର୍ଟିର ନେତା କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ୪୧ତମ ପ୍ରଧାନମନ୍ତ୍ରୀ ଭାବରେ ଆଜି ଶପଥ ନେଇଛନ୍ତି । ଜେସିଣ୍ଡା ଅର୍ଡର୍ଣ୍ଣଙ୍କଠୁ ହ୍ୟାଣ୍ଡଓଭର ପ୍ରକ୍ରିୟା ପରେ କ୍ରିସ୍ ହିପକିନ୍ସଙ୍କୁ ଔପଚାରିକ ଭାବେ ଶପଥ ଦିଆଯାଇଛି । ତାଙ୍କ ସହ କାର୍ମେଲ ସେପୁଲୋନି ଉପ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ବ୍ଲୁମବର୍ଗ ନିଜ ରିପୋର୍ଟରେ କହିଛି ଯେ, ଏହା ପୂର୍ବରୁ ହିପକିନ୍ସଙ୍କୁ ବୁଧବାର ୱେଲିଂଟନରେ ଗଭର୍ଣ୍ଣର ଜେନେଲାର ସିଣ୍ଡି କିରୋ ନିଯୁକ୍ତ କରିଥିଲେ । ସେ ପ୍ରଥମେ ପ୍ରଧାନମନ୍ତ୍ରୀ ଅର୍ଡର୍ଣ୍ଣଙ୍କ ଔପଚାରିକ ଇସ୍ତଫାକୁ ସ୍ୱୀକାର କରିଥିଲେ ।

୪୪ ବର୍ଷୀୟ ହିପକିନ୍ସ ପଦଭାର ସମ୍ଭାଳିବା ପରେ ଅର୍ଥବ୍ୟବସ୍ଥା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଏବଂ ମୁଦ୍ରାସ୍ପୀତିକୁ ମହାମାରୀ କହି ତାର ଉପାୟ ଆଧାରରେ ବ୍ୟାକ ଟୁ ବେସିକ୍ସ ଦୃଷ୍ଟିକୋଣର ପ୍ରତିଜ୍ଞା କରିଥିଲେ । ଅନ୍ୟପକ୍ଷରେ ଜେସିଣ୍ଡା ଅର୍ଡର୍ଣ୍ଣ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଭାବରେ ମଙ୍ଗଳବାର ଶେଷଥର ସାର୍ବଜନିକ ଭାବରେ ସାମ୍ନାକୁ ଆସିଥିଲେ ଏବଂ କହିଥିଲେ ଯେ ସେ ସବୁଠୁ ଅଧିକ ଲୋକମାନଙ୍କୁ ମନେପକାଇବେ କାରଣ ସେ ସେମାନଙ୍କ ପାଇଁ ଚାକିରିରେ ଖୁସି ରହିବାର କାରଣ ଥିଲେ । ଅର୍ଡର୍ଣ୍ଣ ଗତ ସପ୍ତାହରେ ଘୋଷଣା କରିଥିଲେ ଯେ ସେ ନିଜ ପଦ ଛାଡିବାକୁ ଯାଉଛନ୍ତି । ଏହାପରେ ଲେବର ପାର୍ଟିର ସାଂସଦମାନେ ପ୍ରଧାନମନ୍ତ୍ରୀ ପଦଭାର ସମ୍ଭାଳିବା ପାଇଁ କ୍ରିସ ହିପକିନ୍ସଙ୍କ ପକ୍ଷରେ ରବିବାର ସର୍ବସମ୍ମତି କ୍ରମେ ମତଦାନ କରିଥିଲେ ।

ଆଜି ପଦ୍ମ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ । ପ୍ରତିବର୍ଷ ତ୍ରିବେଣୀ ଅମାବାସ୍ୟା ପରବର୍ତ୍ତୀ ବୁଧବାର କିମ୍ବା ଶନିବାର ଯେଉଁ ଦିନ ପଡିବ ସେହିଦିନ ଏହି ଅନନ୍ୟ ବେଶରେ ସଜ୍ଜିତ ହୁଅନ୍ତି ମହାବାହୁ । ଚଳିତ ବର୍ଷ ତ୍ରିବେଣୀ ଅମାବାସ୍ୟା 21 ତାରିଖରେ ପଡିଥିବା ବେଳେ ଆଜି ବୁଧବାର ପଡ଼ୁଥିବାରୁ ମହାପ୍ରଭୁଙ୍କୁ ଘୋଡ ଲାଗି କରାଯାଇ ବେଶ ଲାଗି କରାଯିବ । ବଡ଼ସିଂହାର ବେଶ ପରେ ପଦ୍ମ ବେଶରେ ସଜ୍ଜିତ ହେବେ ମହାପ୍ରଭୁ । ଏହି ବେଶରେ ବଡ଼ଠାକୁରଙ୍କ ନିକଟରେ ସ୍ବତନ୍ତ୍ର ଖିରି ଭୋଗ ଲାଗି ହେବ ।

ଭକ୍ତ ମନୋହର ଦାଶର ମନବାଞ୍ଚା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିବାରୁ ପୌରାଣିକ ମତ ଅନୁଯାୟୀ ମହାପ୍ରଭୁଙ୍କ ଏହି ପଦ୍ମ ବେଶ କରାଯାଇଥାଏ । ଶୋଲ, ଜରି, ଜମ୍ବୁରା, ପ୍ରାକୃତିକ ରଙ୍ଗରେ ବେଶ ନିର୍ମାଣ କରାଯାଇଛି । ପଣ୍ଡୁ ପୂର୍ଣମୀ ଠାରୁ ଏହି ବେଶ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କଦଳୀ ପାଟୁକାରେ କଦମ୍ବ ଫୁଲ, ହଂସ, ପଦ୍ମ ଆଦି ବିଭିନ୍ନ ପାରମ୍ପରିକ ବେଶ ନିର୍ମାଣ କରାଯାଇ ମହାପ୍ରଭୁଙ୍କୁ ପଦ୍ମ ବେଶରେ ସଜ୍ଜିତ କରାଯିବ ।

ବିବାଦ ମଧ୍ୟରେ ରିଲିଜ ହେଲା ଶାହରୁଖଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ପଠାନ

ନନ୍ଦିଘୋଷ ବ୍ୟୁରୋ: ୪ବର୍ଷ ପରେ ପ୍ରେକ୍ଷାଳୟକୁ ଫେରିଛନ୍ତି କିଙ୍ଗ ଖାନ୍ । ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ପଠାନ୍ । ବିବାଦ ଭିତରେ ଆଜି ରିଲିଜ୍ ହୋଇଛି ପଠାନ ମୁଭି । ଦେଶବ୍ୟାପି ହଜାର ହଜାର ସିନେମା ହଲରେ ରିଲିଜ ହୋଇଛି । ନାଇଟ ଶୋରୁ ହିଁ ଫିଲ୍ମ ହାଉସ ଫୁଲ୍ । ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ନାହିଁ ନଥିବା କ୍ରେଜ୍ । ଲିଡ ରୋଲରେ ନଜର ଆସିଛନ୍ତି କିଙ୍ଗ ଖାନ୍ ଶାହରୁଖ ଓ ମସ୍ତାନୀ ଗର୍ଲ ଦୀପିକା ।

ଜନ ଆବ୍ରାହାମଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଦେଖିବାକୁ ମିଳିଛି । ଶାହାରୁଖଙ୍କ କ୍ରେଜ ଆଗରେ କାମ କରିନି ବୟକଟ ଟ୍ରେଣ୍ଡ । ସବୁଠି ସିନେମାକୁ ଭଲ ରେସପନ୍ସ ମିଳିଛି । ଆଡଭାନ୍ସ ଟିକେଟ ବୁକିଂରେ ରେକର୍ଡ କରିସାରିଛି ପଠାନ । ଅଗ୍ରୀମ ବୁକିଂ ପ୍ରାୟ ୭ଲକ୍ଷ ଟିକେଟ ବିକ୍ରି ହୋଇଛି । ଯାହାକି ବାହୁବଳୀ ୨ର ରେକର୍ଡକୁ ମଧ୍ୟ ଭାଙ୍ଗିଛି ।

ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଅକାଳ ବିୟୋଗ

ବ୍ରହ୍ମପୁର: ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ । ଦୈନିକ ଖବରକାଗଜ ସକାଳର ବ୍ରହ୍ମପୁର ସଂସ୍କରଣର ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା । ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ବ୍ରହ୍ମପୁର ବଡ ମେଡିକାଲ ଅଣାଯାଇ ଚିକିତ୍ସା କରାଯାଉଥିଲା। ତେବେ ଡାକ୍ତରଙ୍କ ଚେଷ୍ଟା ସତ୍ତ୍ବେ ଫଳ କିଛି ମିଳିନଥିଲା। ଶେଷରେ ତାଙ୍କ ପରଲୋକ ହୋଇଛି । ପେସାରେ ସାମ୍ବାଦିକ ଏବଂ ଓକିଲ ଥିଲେ ଚିରଞ୍ଜିତ। ତାଙ୍କର ଦୁଇଟି ପିଲା ଅଛନ୍ତି ।

ଜଣେ ମେଳାପୀ ମଣିଷ ଥିଲେ । ଲୋକଙ୍କୁ ସାହାର୍ଯ୍ଯ କରିବା, ସତ୍ଯ ଖବରକୁ ଲୋକ ଲୋଚନକୁ ଆଣିବା ତାଙ୍କର ଲକ୍ଷ୍ୟ ଥିଲା। ତାଙ୍କ ବିୟୋଗରେ ସମସ୍ତ ସାମ୍ବାଦିକ ଓ ଓକିଲଙ୍କ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଚିରଞ୍ଜିତଙ୍କ ବିୟୋଗରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଶୋକ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମାନସ ମଙ୍ଗରାଜ । ସେହିପରି ସକାଳର ସିଇଓ ସୁବ୍ରତ ଦାସ ଟ୍ବିଟ୍‌ କରି ଆତ୍ମାର ସଦଗତି କାମନା କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

ଆଇସିସି ଦିନିକିଆ ରାଙ୍କିଂରେ ଶୀର୍ଷ ସ୍ଥାନରେ ଭାରତୀୟ ଦଳ

ନନ୍ଦିଘୋଷ ବ୍ୟୁରୋ: ଆଇସିସି ଦିନିକିଆ ରାଙ୍କିଂରେ ଏକ ନମ୍ବର ହୋଇଛି ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ବିଜୟ ପରେ ତାଲିକାର ଶୀର୍ଷରେ ଟିମ୍ ଇଣ୍ଡାଆ । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ କ୍ଲିନ ସୁଇପ କରିଛି ଭାରତ । ଲଢି ଲଢି ଶେଷ ଦିନିକିଆରେ ହାରିଲା ଭ୍ରମଣକାରୀ ଦଳ । ନ୍ୟୁଜିଲାଣ୍ଡକୁ ୯୦ରନରେ ହରାଇଛି ଟିମ୍ ଇଣ୍ଡିଆ । ଶୁବମନ ଗିଲ ଓ ରୋହିତ ଶର୍ମାଙ୍କ ଶତକ ବଳରେ ବିଜୟ ହାସଲ କରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୯ଓ୍ବିକେଟ ହରାଇ ୩୮୫ରନ କରିଥିଲା ।

ଦୁଇ ଓପନର ଖେଳିଥିଲେ ଶତକୀୟ ଇନିଂସ । ଶୁବମନ ଗିଲ ୧୧୨ରନ କରିଥିବାବେଳେ ରୋହିତ ଶର୍ମା ୧୦୧ରନ କରିଥିଲେ । ୩୮୬ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ । ଆରମ୍ଭରୁ ବିପର୍ଯ୍ୟୟ ସାମ୍ନା କରିଥିଲା ଦଳ । କନଓ୍ବେଙ୍କ ଦମଦାର ଶତକ ଦଳର ସ୍କୋରକୁ ଆଗକୁ ନେଇଥିବାବେଳେ ଲଗାତାର ଓ୍ବିକେଟ ପତନ ଦଳକୁ ପରାଜିତ କରିଥିଲା । ୨୯୫ରନରେ ଅଲଆଉଟ ହୋଇଥିଲା ଭ୍ରମଣକାରୀ ଦଳ । ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ଓ କୁଲଦୀପ ଯାଦବ ୩ଟି ଲେଖାଏ ଓ୍ବିକେଟ ନେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଇକେଲ କ୍ରେମର

ଭୁବନେଶ୍ୱର: ରାଜ୍ୟରେ ଡାଟା ପଲିସି ଏବଂ ଇନୋଭେସନ ବା ଡିପିଆଇସି ସେଣ୍ଟର ପ୍ରତିଷ୍ଠା ନଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି । ଏଥିରେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଆମେରିକାର ଚିକାଗୋ ବିଶ୍ବବିଦ୍ୟାଳୟ ସହଭାଗିତାରେ ରାଜ୍ୟରେ ଡିପିଆଇସି ପ୍ରତିଷ୍ଠା ହେବ । ଏହାଦ୍ବାରା ରାଜ୍ୟରେ ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଭଳି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଲାଭବାନ ହେବ ।

ଏହାସହ ଚିକାଗୋ ବିଶ୍ବବିଦ୍ୟାଳୟର ପ୍ରଫେସର ମାଇକେଲ କ୍ରେମର, ଏକ୍ସକ୍ୟୁଟିଭ ଡାଇରେକ୍ଟର ବେଞ୍ଜାମିନ କ୍ରୋୟୁସ, ଡକ୍ଟର ଲେନି ଚୌଧୁରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଡିପିଆଇସି ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ସମୟ ଧରି ଆଲୋଚନା କରିଛନ୍ତି । ରାଜ୍ୟରେ ପଲିସି ଫ୍ରେମଓ୍ବାର୍କକୁ ଆହୁରି ଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ପିଏମ ମୋଦୀଙ୍କ ଉପରେ ନିର୍ମିତ ବିବିସିର ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଜେଏନୟୁ କ୍ୟାମ୍ପସରେ ହଙ୍ଗାମା

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ୟୁନିଭରସିଟି (ଜେଏନୟୁ)ରେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ହଙ୍ଗାମା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ବିବିବିସିର ଏହି ବିବାଦୀୟ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ସମୟରେ ବିବାଦ ଘଟିଛି । ସମସ୍ତ ଛାତ୍ରମାନଙ୍କୁ ବିବିସିର ଏହି ଡକ୍ୟୁମେଣ୍ଟାରୀ ଦେଖିବାକୁ ଦିଆଯାଉ ବୋଲି ଛାତ୍ର ସଂଘ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଥିଲା । ଜେଏନୟୁ କ୍ୟାମ୍ପସରେ ଏହି ବିବାଦୀୟ ଡକ୍ୟୁମେଣ୍ଟାରୀକୁ ଦେଖାଇବା ପାଇଂ ପ୍ରୟାସ କରାଯାଇଥିଲା । ସମସ୍ତ ପ୍ରସ୍ତୁତି ଛାତ୍ର ସଂଘ ପକ୍ଷରୁ କରାଯାଇଥିଲା । ଯେତେବେଳେ କି ପ୍ରଶାସନ ଏନେଇ ଅନୁମତି ଦେଇନଥିଲା ।

ଯେମିତି ହିଁ ବିନା ଅନୁମତିରେ ଡକ୍ୟୁମେଣ୍ଟାରୀ ଚଳାଇବା ମାମଲା ସାମ୍ନାକୁ ଆସିଲା ତେବେ ପ୍ରଶାସନ ଛାତ୍ରସଂଘ କାର୍ଯ୍ୟଳୟର ବିଦ୍ୟୁତ ଏବଂ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି । ଏହା ସତ୍ତ୍ୱେ ଛାତ୍ରମାନଙ୍କ ପକ୍ଷରୁ ଡକ୍ୟୁମେଣ୍ଟାରୀ ଦେଖାଇବା ପାଇଁ ସବୁପ୍ରକାର ଉଦ୍ୟମ କରାଯାଇଥିଲା । ଡକ୍ୟୁମେଣ୍ଟାରୀ ଦେଖୁଥିବା ଛାତ୍ରଙ୍କ ଉପରେ ପଥର ମାଡ଼ ମଧ୍ୟ ହୋଇଛି । ତେବେ ଛାତ୍ରଙ୍କ ଉପରେ କିଏ ପଥର ଫୋପାଡ଼ିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ହେଲେ ଏହାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ବୃଦ୍ଧି ପାଇଛି ।

ଗଞ୍ଜାମ ମୁଣ୍ଡମରାଇରେ ଅଭାବନୀୟ ଘଟଣା; ଚାରି ବର୍ଷର ଶିଶୁକୁ ପିଟିପିଟି ହତ୍ୟା

ଗଞ୍ଜାମ: ଚାରି ବର୍ଷର ଶିଶୁକୁ ପିଟିପିଟି ହତ୍ୟା । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ହାଟ ସାହିର ଲିତେସ ପାତ୍ର । କାଠ ଫାଳିଆରେ ପିଟିପିଟି ଶ୍ରୀକାନ୍ତ ସେଠୀ ନାମକ ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ମୃତକଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ଅପରାହ୍ମରେ ପୁଅ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା । ଖୋଜାଖୋଜି ପରେ ଅଭିଯୁକ୍ତର ଘର ଆଗରୁ ମୃତ ଲିତେସର ଚପଲ ପାଇଥିଲେ ପରିବାର ଲୋକ । ପରେ ଶ୍ରୀକାନ୍ତଙ୍କ ଘରର ଉପମ ମହଲାରୁ ପୁଅର ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ହକି ବିଶ୍ୱକପ୍-୨୦୨୩: ସେମିରେ ପ୍ରବେଶ କଲେ ବେଲଜିୟମ ଓ ଅଷ୍ଟ୍ରେଲିଆ

ଭୁବନେଶ୍ୱର: ସେମିରେ ପ୍ରବେଶ କଲେ ବେଲଜିୟମ ଓ ଅଷ୍ଟ୍ରେଲିଆ । ପୁରୁଷ ହକି ବିଶ୍ବକପ୍-୨୦୨୩ରେ ବେଲଜିୟମ ୨-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ କ୍ବାର୍ଟର ଫାଇନାଲରେ ବିଜୟୀ ହୋଇ ବେଲଜିୟମ ଦ୍ବିତୀୟ ଦଳ ଭାବେ ସେମି ଫାଇନାଲକୁ ପ୍ରବେଶ କରିଛି । ବେଲଜିୟମ୍ ଆସନ୍ତା ୨୭ ତାରିଖରେ ସେମିଫାଇନାଲ ମ୍ୟାଚ୍ ଖେଳିବ ।

ଏହି ଟିମ୍ କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି ନେଦରଲ୍ୟାଣ୍ଡ୍ସ ଓ ଦକ୍ଷିଣ କୋରିଆ ମଧ୍ୟରେ ଆୟୋଜିତ ହେବାକୁ ଥିବା ୪ର୍ଥ କ୍ବାର୍ଟରଫାଇନାଲର ବିଜୟୀ ଦଳକୁ ଭେଟିବ । ଆଜି ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ୍ରେ ବିଜୟ ହାସଲ ପରେ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମି ଫାଇନାଲ୍ରେ ପ୍ରବେଶ କରିଥିଲା । ଅଷ୍ଟ୍ରେଲିଆ ୪-୩ ଗୋଲ୍ରେ ସ୍ପେନ୍କୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମି ଫାଇନାଲ ଟିକେଟ୍ ହାତେଇଥିଲା । କଙ୍ଗାରୁ ଟିମ୍ ଆସନ୍ତା ୨୭ ତାରିଖରେ ସେମି ଫାଇନାଲ ମ୍ୟାଚ୍ ଖେଳିବ । ଆସନ୍ତାକାଲି ଇଂଲଣ୍ଡ ଓ ଜର୍ମାନି ମଧ୍ୟରେ ଖେଳାଯିବାକୁ ଥିବା ୩ୟ କ୍ବାର୍ଟର ଫାଇନାଲର ବିଜେତା ଟିମ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍ ହେବ ।

ଭୁଶୁଡ଼ିଲା ୫ ମହଲା ବିଶିଷ୍ଟ କୋଠା; ୩ଜଣଙ୍କ ମୃତ୍ୟୁ, ଅନେକ ଚାପି ହୋଇ ରହିଥିବା ଆଶଙ୍କା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ୱାଜିର ହାସନ ରୋଡରେ ଥିବା ଗୋଟିଏ ୫ ମହଲା ବିଶିଷ୍ଟ ବିଲଡିଂ ହଠାତ୍ ଭୁଶୁଡ଼ି ପଡ଼ିଛି । ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୩ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଲୋକ ଭଗ୍ନାଂଶ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଭୂକମ୍ପ ଝଟକା ଅନୁଭତ ହୋଇଥିଲା ।

ଏହି ବିଲଡିଂ ଉପରେ ଭୂକମ୍ପ ଝଟକାର ପ୍ରଭାବ ପଡ଼ିଥିବା କୁହାଯାଉଛି । ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନି । ବିଲଡିଂ ଭୁଶୁଡ଼ିବା ଯୋଗୁ ୪ଟି ପରିବାର ଲୋକ ପ୍ରଭାବିତ ହୋଇଛନ୍ତି । ପରିବାରରେ ରହୁଥିବା କିଛି ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇଯାଇଥିଲେ । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମାଟି ଅତଡ଼ା ତଳକୁ ୬ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା । ଏସଡିଆରଏଫ, ଏନଡିଆରଏଫ ଏବଂ ୧୨ ଜେସିବି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ଉଦ୍ଧାର କାର୍ଯ୍ୟ ପାଇଁ ସେନା ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛି । ୩୦ରୁ ୪୦ ଜଣ ଭଗ୍ନାଂଶ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଦୁର୍ଘଟଣା ଟି ସହରର ହସନଗଞ୍ଜ ରୋଡ ସ୍ଥିତ ଅଳାୟା ଆପାର୍ଟମେଣ୍ଟରେ ହୋଇଛି । କୁହାଯାଉଛି ୟେ ବିଲ୍ଡିଂ ଭିତରେ ବେସମେଣ୍ଟରେ ଖୋଳା କାର୍ଯ୍ୟ ଚାଲିଥିଲା, ଯେଉଁ କାରଣରୁ ଏହି ଦୁର୍ଘଟଣା ହୋଇଛି । କିଛି ଲୋକଙ୍କ କହିବା ଅନୁସାରେ ଭୂମିକମ୍ପ କାରଣରୁ ବିଲ୍ଡିଂରେ ଫାଟ ଆସିଥିଲା ଏବଂ ଏହା ଭୁଶୁଡ଼ି ପଡ଼ିଥିଲା । ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଃଖବ୍ୟକ୍ତି କରିଛନ୍ତି ।