ଭୁବନେଶ୍ୱର: ଭୁବନେଶ୍ବର ଇନଫୋଭ୍ୟାଲି ପୋଲିସ କବଜାରେ ହାଇଓ୍ବେ ଲୁଟେରା ଗ୍ୟାଙ୍ଗ । ଲଙ୍କା ଗୁଣ୍ଡ ପିଙ୍ଗି ରାଜରାସ୍ତାରେ କରୁଥିଲେ ଲୁଟ୍ । ଖଣ୍ଡାରେ ଗୋଡାଇ ଗୋଡ଼ାଇ ହାଣୁଥିଲେ ଅଭିଯୁକ୍ତ । ଏଭଲି ହାଇପ୍ରୋଫାଇଲ ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୨ଟି ବାଇକ, ଖଣ୍ଡା, ଲୁହାରଡ, ଲଙ୍କାଗୁଣ୍ଡ ଓ ମଦ ଜବତ ହୋଇଛି । ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଟ୍ରକକୁ କରୁଥିଲେ ଟାର୍ଗେଟ । ଗିରଫ ଅଭିଯୁକ୍ତଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ୫୦ରୁ ଅଧିକ ମାମଲା ରହିଛି ।
ପରୀକ୍ଷାରେ ନମ୍ବର ବଢାଇ ଦେବାକୁ କହି ଛାତ୍ରଛାତ୍ରୀଙ୍କୁ ଠକୁଥିଲା ଠକ, ବାନ୍ଧିଲା ପୋଲିସ
ବାଲେଶ୍ୱର: ପରୀକ୍ଷାରେ ନମ୍ବର ବଢାଇ ଦେବି କହି ଠକୁଥିଲା । ଧରା ପଡିବା ପରେ ଜେଲ ଗଲା । ବାଲେଶ୍ବରରେ 3ଶହ ଛାତ୍ରଛାତ୍ରୀଙ୍କୁ ନମ୍ବର ବଢାଇଦେବାକୁ କହି ଠକିଥିଲା ଠକ ପ୍ରଦୀପ ଦାସ । ଏନେଇ ଥାନରେ ଅଭିଯୋଗ ପରେ ପ୍ରଦୀପକୁ ଗିରଫ କରିଛି ପୋଲିସ । ପ୍ରଦୀପ ଠାରୁ ଏକ ଦାମି କାର୍ ସହିତ 9 ଲକ୍ଷ ଟଙ୍କାର ସୁନା ଅଳଙ୍କାର, 57 ହଜାର ନଗଦ ଟଙ୍କା, ଦାମି ମୋବାଇଲ ଓ ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ଼ ଜବତ କରାଯାଇଛି ।
ଠକ ପ୍ରଦୀପ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସହିତ ଯୋଗାଯେଗ କରି ନିଜକୁ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଉଥିଲା । ପରେ ଛାତ୍ରଛାତ୍ରୀଙ୍କର ନମ୍ବର ବଢାଇଦେବାକୁ କହି ଜଣକ ପିଛା 1 ହଜାର ଟଙ୍କାରୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିଲା । ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରୁ ପ୍ରାୟ 3ଶହ ଛାତ୍ରଛାତ୍ରୀଙ୍କ ଠାରୁ 15 ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଜଣାପଡ଼ିଥିଲା । ପୋଲିସ ଘଟଣାର ତଦନ୍ତକରି ପ୍ରଦୀପକୁ ଗିରଫ କରିବାରେ ସଫଳ ହୋଇଛି ।
ପୁସ୍ତକ ଲେଖା, ଦୈନନ୍ଦିନ ଜୀବନ, ପ୍ରେରଣା ସମ୍ବନ୍ଧରେ ବର୍ଣ୍ଣନା କଲେ ଲେଖିକା ଗାୟତ୍ରୀବାଳା ପଣ୍ଡା
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଷ୍ଟିଭାଲ ଅଫ ଲେଟର ବା ସାହିତ୍ୟ ଉତ୍ସବର ତୃତୀୟ ଦିନରେ ୫ଜଣ ଏକାଡେମୀ ପୁରସ୍କାର ବିଜେତାଙ୍କୁ ନେଇ ଫେସ୍ ଟୁ ଫେସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁସ୍ତକ ଲେଖା, ଦୈନନ୍ଦିନ ଜୀବନ, ପ୍ରେରଣା ସମ୍ବନ୍ଧରେ ଦୀର୍ଘ ୪୫ ମିନିଟ ଧରି ବିଜେତାମାନେ ବର୍ଣ୍ଣନା କରିଥିଲେ । ଓଡ଼ିଶାରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ପ୍ରାପ୍ତ ପ୍ରଖ୍ୟାତ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ ସହ ଅନୁବାଦକ ରାଜେନ୍ଦ୍ର ପ୍ରସାଦ ମିଶ୍ର ସିଧାସଳଖ ଆଲୋଚନା କରିଥିଲେ ।
ଏହି ଅବସରରେ ନିଜର କବିତା ସଂକଳନକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ଲେଖିକା ଗାୟତ୍ରୀବାଳା ପଣ୍ଡା । ଶ୍ରୀମତି ପଣ୍ଡା କହିଥିଲେ, ଏହି ଦୟାନଦୀ କବିତା ମାଧ୍ୟମରେ ଶାନ୍ତି ମୈତ୍ରୀ ଓ ମାନବିକତାର ବାର୍ତ୍ତା ଦେବାକୁ ଚେଷ୍ଟା କରିଛି । ଯୁଦ୍ଧ ସବୁବେଳେ ବିନାଶ କରେ ଆଉ ଶାନ୍ତି ପ୍ରଗତି ଦେଇଥାଏ । ଇତିହାସକୁ କବିତାରେ ରୂପାନ୍ତର କରି ସାମଜକୁ ସଚେତନ କରାଇବାର କାର୍ଯ୍ୟ କରିଥିବାରୁ ଶ୍ରୀମତି ପଣ୍ଡାଙ୍କୁ ରାଜେନ୍ଦ୍ର ମିଶ୍ର ପ୍ରଶଂସା କରିଥିଲେ । ତେବେ କବିତା ସଂକଳନ ଦୟାନଦୀ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଛନ୍ତି ଗାୟତ୍ରୀବାଳା ।
କଳିଙ୍ଗ ଯୁଦ୍ଧ ଉପରେ ୬୪ଟି କବିତା ପୁସ୍ତକରେ ସ୍ଥାନ ପାଇଛି । ୨୦୧୭ ମସିହାରେ ଏହି ପୁସ୍ତକ ପକ୍ଷୀଘର ପ୍ରକାଶନ ଦ୍ବାରା ପ୍ରକାଶିତ ହୋଇଥିଲା । ଏହା ପୂର୍ବରୁ ୨୦୧୧ ରେ କବିତା ସଂକଳନ ଗାଆଁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିଲେ ଗାୟତ୍ରୀବାଳା । କେନ୍ଦ୍ର ସାହିତ୍ୟ ଏକାଡେମୀରୁ ୨ ଥର ପୁରସ୍କୃତ ହେବାରେ ସେ ପ୍ରଥମ ଓଡ଼ିଆ କବି । ସାହିତ୍ୟ ଏକାଡେମୀର ଏଭଳି ଅଭିନବ ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି । ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଷ୍ଟିଭାଲ ଅଫ ଲେଟର ବା ସାହିତ୍ୟ ଉତ୍ସବ ଚାଲିବ ।
ବଢ଼ିବାରେ ଲାଗିଛି H3N2 ଭାଇରସ ଚିନ୍ତା, ସତର୍କ ରହିବାକୁ ପରାମର୍ଶ
ଭୁବନେଶ୍ୱର: ଚିନ୍ତା ବଢ଼ାଇଲା H3N2 ଭାଇରସ। ସବୁ ଜିଲ୍ଲାର ସିଡିଏମଓ ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଲେଖିଲା ଜନସ୍ୱାସ୍ଥ୍ୟ ବିଭାଗ । ଭାଇରସ ସଂକ୍ରମଣ ଭିତରେ ପୁଣି ଘାରିଲା କୋଭିଡ ଭୟ। ଥଣ୍ଡା କାଶ ଥିଲେ କୋଭିଡ଼ ଟେଷ୍ଟ କରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।
ସର୍ଭିଲାନ୍ସ ବଢାଇବା ସହ ଅକ୍ସିଜେନ ଓ ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦିଆଯାଇଛି । ଇଂଫ୍ଲୁଏଞ୍ଜାର ନାହିଁ ନିର୍ଦ୍ଧିଷ୍ଟ ଚିକିତ୍ସା । ଜର କାଶ କିଛି ଦିନ ରହିବ, ତାପରେ ଆପେ ଭଲ ହୋଇପାରେ । ଗୁରୁତର ହୋଇ ନିମୋନିଆରେ ସଂକ୍ରମଣ ହୋଇପାରନ୍ତି କିଡ଼ନୀ, ହାର୍ଟ ଓ଼ ସ୍ୱାଶ୍ୱ ରୋଗୀ । ତେଣୁ ଲକ୍ଷଣ ଥିଲେ ନିଜକୁ ଆଇସୋଲେଟ କରିବା ସହ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ରୋଗ ଭଲ ନହେଲେ ଡାକ୍ତରଙ୍କ ପରାମର୍ଶ ନେଇ ମେଡିକାଲରେ ଆଡମିଟ ହେବାକୁ ଦେଇଛନ୍ତି ପରାମର୍ଶ ।

