spot_img
Home Blog Page 353

ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହେଲା ଗୁପ୍ତ ଗୁଣ୍ଡିଚା

ପୁରୀ : ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା । ଲକ୍ଷ୍ମୀ ସ୍ବରୂପା ମାଆ ଦୁର୍ଗାଙ୍କୁ ନେଇ ୮ ଦିନ ପାଇଁ ଯାତ୍ରା କଲେ ଶ୍ରୀଜଗନ୍ନାଥ । ନିଳାଦ୍ରୀ ବିଜେ ଦିନ ଅଭିମାନିନୀ ଲକ୍ଷ୍ମୀଙ୍କ ପ୍ରତିଶ୍ରୁତି ଦେଇଥିଲେ ଜଗତ ନାଥ । ଆଶ୍ବିନ ମାସରେ ଷୋଳପୂଜା ସମୟରେ ପ୍ରଥମ ୮ ଦିନ ଦୁର୍ଗା ମାଧବ ଶ୍ରୀମନ୍ଦିର ପରିସରରେ ଥିବା ମାଆ ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ ଶେଷ ୮ ଦିନ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମହାଲକ୍ଷ୍ମୀ ସ୍ଵରୁପା ମାଆ ଦୁର୍ଗାଙ୍କୁ ନେଇ ବିଜେ କରିବାର ପରମ୍ପରା ରହିଛି । ଲୋକକଥା ଅନୁସାରେ ମାଆ ଲକ୍ଷ୍ମୀଙ୍କୁ ରଥଯାତ୍ରା ନେଇନଥିବାରୁ ନୀଳାଦ୍ରିବିଜେ ଦିନ ଗୁପ୍ତଗୁଣ୍ଡିଚାରେ ନେବା ପାଇଁ ପ୍ରତିଶୃତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ । ସେହି ପ୍ରତିଶୃତି, ସଂସ୍କୃତି ଓ ପରମ୍ପରାକୁ ରକ୍ଷାକରି ଆରମ୍ଭ ହୋଇଛି ଏହି ଯାତ୍ରା ।

ସକାଳ ଧୂପ ନୀତି ପରେ ଦୁର୍ଗାମାଧବଙ୍କୁ ସ୍ୱତନ୍ତ୍ର ବିମାନରେ ବିଜେ କରାଯାଇଥିଲା । ଘଣ୍ଟ ଛତା ବିଜେ କାହାଳି ଭିତରେ ଶ୍ରୀମନ୍ଦିରରୁ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରାଯାଇଥିଲା l ସ୍ୱତନ୍ତ୍ର ଉପଚାରରେ ପୂଜାର୍ଚ୍ଚନା ପରେ ନାରାୟଣୀ ମନ୍ଦିରରେ ଦୁର୍ଗା ମାଧବ ଅବସ୍ଥାନ କରିଥିଲେ । ସ୍ୱତନ୍ତ୍ର ଭାବେ ଏଠାରେ ତାଙ୍କୁ ମାଣ୍ଡୁଆ ଓ ଖଇକୋରା ଭୋଗ ଲାଗି କରାଯିବାର ବିଧି ରହିଥିବା ବେଳେ ଏହି ନିଆରା ପରମ୍ପରାକୁ ଦର୍ଶନ କରି ଭକ୍ତ ମାନେ ବିଭୋର ହୋଇଥିଲେ। ଶ୍ରୀମନ୍ଦିରରେ ଚନ୍ଦନଲାଗି ନୀତି ବଢିବା ପରେ ନାରାୟଣୀ ମନ୍ଦିରରୁ ଦୁର୍ଗାମାଧବ ଶ୍ରୀମନ୍ଦିରକୁ ପାଲିଙ୍କିରେ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।

ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ମୃତ୍ୟୁ ଘଟଣାରେ ଖୁଲାସା, ଚାକିରି ଆଶାୟୀଙ୍କ ନିର୍ଯାତନା ଯୋଗୁଁ କରିଥିଲେ ଆତ୍ମହତ୍ୟା…

ଭୁବନେଶ୍ୱର : ପୁଅ ପାଇଁ ଚାକିରି ଖୋଜୁଥିଲେ, ଏବେ ବନ୍ଧାହେଲେ । ଛାରଖାର ହୋଇଗଲା ସୁନେଲି ସ୍ୱପ୍ନ । ବିଦ୍ୟାଧର ମୃତ୍ୟୁ ଘଟଣାରେ ବଡ଼ ଖୁଲାସା । ଠକେଇ ରାଣୀ ଜ୍ୟୋସ୍ନା ମ୍ୟାଡାମ ଏବେ ବି ଫେରାର । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଓ ଗୁରାଣ୍ଡିର ଏନ ଦିଲ୍ଲୀପ କୁମାର, ଦୀପକ ସାହୁକାର, ରବୀନ୍ଦ୍ର ବେହେରା ଓ ରମେଶ ଚନ୍ଦ୍ର ବେହେରା । କିଏ ପୁଅକୁ ସରକାରୀ ଚାକିରି ଦେବାକୁ ଟଙ୍କା ଦେଇଥିଲା ତ ଆଉ କିଏ ଭାଇ ପାଇଁ ଲକ୍ଷ ଲକ୍ଷ ଡିଲ୍ କରିଥିଲା । ଚାକିରି ମିଳିଲାନି, ଟଙ୍କା ବି ମିଳିଲାନି । ଆଉ ଶେଷରେ ବାନ୍ଧିଲା ପୋଲିସ । ଯେତିକି ରୋଚକ, ସେତିକି ଉଦବେଗ ଜନକ ମଧ୍ୟ ଏହି କେସ । ବିଦ୍ୟାଧର ସାହୁ ମୃତ୍ୟୁ ଘଟଣାରେ ଏହି ୪ ଅଭିଯୁକ୍ତଙ୍କୁ ଅପହରଣ, ନିର୍ଯ୍ୟାତନା, ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଭଳି ଦଫାରେ ଗିରଫ କରିଛି ବଡଗଡ଼ ଥାନା ପୋଲିସ । ଆଉ ବିଦ୍ୟାଧର ମୃତ୍ୟୁ ପଛରେ ରହିଛି ଚାକିରି ପାଇଁ କୋଟି କୋଟି ଠକେଇର ଅଭିଯୋଗ । ମୃତ ବିଦ୍ୟାଧର ଟ୍ୟାକ୍ସି ଚଳାଇବା ସହ ସରକାରୀ ଓ ବେସରକାରୀ ଚାକିରି ଦେବାକୁ କହି ଅଭିଯୁକ୍ତଙ୍କ ଠାରୁ ନେଇଯାଇଥିଲେ ପ୍ରାୟ ଦେଢ଼ କୋଟି ଟଙ୍କା । ପରେ ଚାକିରି ଦେଇ ନପାରିବାରୁ ଗତ ୧୫ ତାରିଖରେ ଭୁବନେଶ୍ୱରରୁ ଅପହରଣ କରିଥିଲେ ଆଶାୟୀ ।

ଅପହରଣ ପରେ ଯାଜପୁରରେ ରଖି ଟଙ୍କା ଫେରସ୍ତ ମାଗିଥିଲେ । ପରିବାରକୁ ଫୋନ କରି ପ୍ରାୟ ୨ କୋଟି ଦାବି କରିଥିଲେ । କିନ୍ତୁ ଠକେଇର ସିଣ୍ଡିକେଟ ଚଳାଇଥିବା ମହିଳା ଜଣଙ୍କ ଫେରାର ଥିବାରୁ ଗଜପତି ଜିଲ୍ଲାର ଏହି ଚାକିରି ଆଶାୟୀମାନଙ୍କୁ ଟଙ୍କା ଫେରସ୍ତ କରିପାରିନଥିଲେ ବିଦ୍ୟାଧର । ବନ୍ଦ ଘରେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ପାଇବା ପରେ ବେକରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିଲେ । ସେପଟେ ବିଦ୍ୟାଧରଙ୍କୁ ମୃତ ଅବସ୍ଥାରେ ଦେଖି ହତବାକ୍ ହୋଇଯାଇଥିଲେ ଅଭିଯୁକ୍ତ । ପ୍ରମାଣ ନଷ୍ଟ କରିବା ପାଇଁ ସେଠାରୁ ଆଣି ଦାରୁଠେଙ୍ଗ ନିକଟ ଜଙ୍ଗଲରେ ଫିଙ୍ଗିଦେଇଥିଲେ ମୃତଦେହ । ଧମକପୂର୍ଣ୍ଣ କଲ, ସିସିଟିଭି, ଟୋଲ ଗେଟର ଫାସ୍ ଟ୍ୟାଗରୁ ମିଳିଥିବା ତଥ୍ୟ ଆଧାରରେ ଏମାନଙ୍କୁ ଗିରଫ କରିଛି ପୋଲିସ । ଘଟଣା ସାମ୍ନାକୁ ଆସିବା ପରେ ଚାକିରି ପାଇଁ କୋଟି କୋଟିର ଠକେଇ ପଦାକୁ ଆସିଛି । ପୁଳା ପୁଳା ସାର୍ଟିଫିକେଟ, ଫେକ୍ ଷ୍ଟାମ୍ପ, ଚେକ ଦେଖି ପୋଲିସର ମଧ୍ୟ ଅକଲଗୁଡୁମ ହୋଇଛି  ।

ଭୁବନେଶ୍ବର ଗାନ୍ଧୀମାର୍ଗରେ ବିଭିନ୍ନ ସଂଗଠନର ଗର୍ଜନ, ଦାବି ପୂରଣ ନଯାଏଁ ବିକ୍ଷୋଭ ଚେତାବନୀ

ଭୁବନେଶ୍ବର : ହକ୍ ପାଇଁ ଆନ୍ଦୋଳନ । ଗାନ୍ଧୀମାର୍ଗରେ ବିଭିନ୍ନ ସଂଗଠନର ଗର୍ଜନ । ବିଧାନସଭା ଘେରାଉ ସହ ଗର୍ଜିଲେ ଅଧ୍ଯାପକ, ଶିକ୍ଷକ ଓ ଆଶାସାଥୀ । ୪ ଦଫା ଦାବି ନେଇ ଏସଏସବି ଆଶାୟୀ ଅଧ୍ୟାପକ ପ୍ରାର୍ଥୀ ସଂଘର ବିକ୍ଷୋଭ । ଦୀର୍ଘ ୧୮ ମାସ ହେଲା ହାଇକୋର୍ଟରେ ଚାଲିଆସୁଥିବା ମାମଲାର ତୁରନ୍ତ ସମାଧାନ, ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ପରୀକ୍ଷା ପରିଚାଳନା ପକ୍ରିୟା ଶେଷ କରିବା ସହ ୨୦୧୬ SSB ବୋର୍ଡ ଅନୁସାରେ ପରୀକ୍ଷା, ଖାଲିଥିବା ପଦବୀ ପୂରଣ ଦାବି । ସେହିଭଳି ୪ ଦଫା ଦାବି ନେଇ ଭିନ୍ନକ୍ଷମ ଅନ୍ତନିବାସୀ ଶିକ୍ଷା ସ୍ବେଚ୍ଛାସେବୀ ସଂଗଠନର ପ୍ରତିବାଦ । ୧୪ ବର୍ଷର ଅଭିଜ୍ଞତା ଥିବା ସତ୍ତ୍ବେ ଭିନ୍ନକ୍ଷମ ଆଇନ ଅନୁଯାୟୀ ବିଭାଗ ନୀତି ପରିବର୍ତ୍ତନ ସହ ଗୋଟିଏ ଦିନର ଛଟେଇକୁ ବନ୍ଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ ଓ ଭିନ୍ନକ୍ଷମ IEVଙ୍କୁ ମାସିକ ୩୦ ହଜାର ଟଙ୍କା ବେତନ ପ୍ରଦାନ କରିବାକୁ ଦାବି । ସେପଟେ ୪ ଦଫା ଦାବି ନେଇ ଅଲ ଓଡିଶା ଆଶା ସାଥୀ ସଂଘ ଧାରଣା ଦେଇଛି । ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା ସହିତ ନିଯୁକ୍ତି ଓ ସରକାରୀ କର୍ମଚାରୀ ମାନ୍ଯତା ଦାବିରେ ଚାଲିଛି ଧାରଣା ।

ଓଡିଶା ସରକାରୀ ହାଇସ୍କୁଲ ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ସଂଘର ବିଶାଳ ରାଲି ସହ ବିକ୍ଷୋଭ । ଗାନ୍ଧୀମାର୍ଗର ୧୦ ହଜାର NPAC ଶିକ୍ଷକଙ୍କ ହଲ୍ଲାବୋଲ । ୨୦୧୬ ବ୍ଯାଚରୁ ୨୦୨୨ ବ୍ଯାଚର ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ନିୟମିତ, ୬ ବର୍ଷର ଠିକା ଚାକିରିକୁ ମୂଳ ଚାକିରିରେ ଗଣନା ସହ ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ ଦାବି । ସେହିଭଳି ଗାନ୍ଧୀମାର୍ଗରେ ଚାକିରି ସର୍ତ୍ତାବଳୀ ଏବଂ ପେନସନ ଦାବିରେ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘର ସ୍ବାଭିମାନ ବଞ୍ଚାଓ ଅନ୍ଦୋଳନ । ୪୮୮ ବର୍ଗ ମହାବିଦ୍ଯାଳୟରେ ୨୦୦୪ ଅନୁଦାନ ନୀତି ପ୍ରଣୟନ ହେବା ପୂର୍ବରୁ ବଳବତ୍ତର ଥିବା ଅନୁଦାନ ନିୟମ ଓ ଆଇନ ଅନୁଯାୟୀ କାର୍ଯ୍ଯରତ ବ୍ଳକଗ୍ରାଣ୍ଟ ଅଧ୍ଯାପକ, ଅଧ୍ଯାପିକା ଓ କର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ ଓ ପେନସନ ସହ ୩ ଦଫା ଦାବି କରିଛି ସଂଘ । ରାଜ୍ଯ ସରକାର ସେମାନଙ୍କୁ ଅଣଦେଖା ଓ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ସଂଗଠନ ।

ଶକ୍ତି ପୀଠରେ ଶକ୍ତି ଆରାଧନା, ହରଚଣ୍ଡୀ ବେଶରେ ଦର୍ଶନ ଦେଲେ କଟକ ଚଣ୍ଡୀ

କଟକ : ପୀଠେ ନବରାତ୍ରୀ । ଶକ୍ତି ପୀଠରେ ଚାଲିଛି ଶକ୍ତି ଆରାଧନା । ବିଭିନ୍ନ ପୀଠରେ ଆରମ୍ଭ ହୋଇଛି ନବରାତ୍ରୀ ପୂଜା । ଷୋଡ଼ଶ ଉପଚାର ପୂଜା ସହ ଚଣ୍ଡୀପାଠରେ କମ୍ପୁଛି ଶକ୍ତି ପୀଠ । ନବପତ୍ରିକା ପୂଜା ସହ ଆରମ୍ଭ ହୋଇଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ପୀଠରେ ପବିତ୍ର କଳସ ସ୍ଥାପନ ସହ ବଢି ଭୋର ସମୟରୁ କରାଯାଇଛି ମାଆଙ୍କ ଆବାହନ । କଟକର ବିଭିନ୍ନ ଶକ୍ତି ପୀଠରେ ମାଆଙ୍କ ଦର୍ଶନ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ନବରାତ୍ରୀ ଓଷା ପାଳନ କରି ପରିବାରର ମଙ୍ଗଳ କାମନା କରିବା ସହ ମାଆଙ୍କ ଆଶିଷ ନେଇଛନ୍ତି ଶ୍ରଦ୍ଧାଳୁ ।

କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ପୀଠରେ ଆରମ୍ଭ ହୋଇଛି ନବପତ୍ରିକା ପୂଜା । ଗୋଟିଏ ପଟେ ନବରାତ୍ର ପୂଜା, ମନ୍ତ୍ର ପାଠ, ଯଜ୍ଞ ଆଦି ଆୟୋଜିତ ହେଉଥିବା ବେଳେ ନବ ଦିନରେ ମାଆ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ମାଆ କଟକ ଚଣ୍ଡୀ ନବରାତ୍ରୀର ପ୍ରଥମ ଦିନରେ ହରଚଣ୍ଡୀ ବେଶରେ ଦର୍ଶନ ଦେଇଛନ୍ତି । ସେପଟେ ଗଡ଼ଚଣ୍ଡୀ ପୀଠରେ ରାଜରାଜେଶ୍ବରୀ ବେଶରେ ଭୂଷିତ ହୋଇ ଦର୍ଶନ ଦେଉଛନ୍ତି ମାଆ ଗଡ଼ଚଣ୍ଡୀ । ନବରାତ୍ର ପୂଜା ପାଇଁ ନବମୀ ପର୍ଯ୍ୟନ୍ତ ଶକ୍ତିପୀଠରେ ଭକ୍ତଙ୍କ ସମାଗମ ଲାଗି ରହିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।

ନିର୍ବାଚନ ପରେ ଅଧାରେ ଅଟକିଛି ପୋଲ କାମ, ଦୁର୍ଦ୍ଦଶା ଭୋଗୁଛନ୍ତି ୧୫ରୁ ଉର୍ଦ୍ଧ୍ଵ ପଞ୍ଚାୟତବାସୀ

ଛେଣ୍ଡିପଦା : ନିର୍ବାଚନ ପରେ ଅଧାରେ ଅଟକିଛି ପୋଲ କାମ । ପିଲର ନିର୍ମାଣ କରି ଠିକାଦାର ନାହିଁ ଦେଖାଦର୍ଶନ । ଦୁର୍ଦ୍ଦଶା ଭୋଗୁଛନ୍ତି ୧୫ରୁ ଉର୍ଦ୍ଧ୍ଵ ପଞ୍ଚାୟତବାସୀ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ପତିତପାବନ ମହାବିଦ୍ୟାଳୟଠାରୁ ଉଗୀ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ବାଉରୀ ନାଳ ଉପରେ ଏକ ପୁରୁଣା ପୋଲ ଥିଲା । ପୂର୍ବ ସରକାର ସମୟରେ ଉକ୍ତ ପୋଲକୁ ଭଙ୍ଗା ଯାଇ ନୂତନ ପୋଲ ଓ ରାସ୍ତା କାମ ଆରମ୍ଭ ହୋଇଥିଲା l କିନ୍ତୁ ସରକାର ବଦଳିବା ପରେ କେବଳ ପିଲର ନିର୍ମାଣ କରି ଠିକାଦାର ଚମ୍ପଟ ମାରିଛି । ଫଳରେ ପୁରୁଣା ପୋଲରୁ ବାହାରିଥିବା ଭଙ୍ଗା ହୋମ ପାଇପରେ ବିପଦଶଙ୍କୁଳ ଭାବେ ଯାଆସ କରୁଛନ୍ତି ଲୋକେ । ହେଲେ ନିଦାବିଷ୍ଣୁ ସାଜିଛି ପ୍ରଶାସନ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ପୋଲ କାମ ବନ୍ଦ ହୋଇଥିବା ଯୋଗୁଁ ସ୍ଥାନୀୟ ଲୋକେ ଦୁଇ କିଲୋମିଟର ଯିବା ପରିବର୍ତ୍ତେ ୧୬ କିଲୋମିଟର ବୁଲି ଯାଆସ କରୁଛନ୍ତି । ବିଦ୍ୟାଳୟ, କଲେଜ, ଡାକ୍ତରଖାନା, ଥାନା ଓ ଜରପଡା ବଜାରକୁ ଆସିବା ପାଇଁ ବହୁ ହଇରାଣ ହରକତ ହେଉଛନ୍ତି  l ସରକାର ଶୀଘ୍ର ପୋଲ କାମ ଆରମ୍ଭ ନକଲେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଇନଷ୍ଟାଗ୍ରାମ ଓ ରିଲ୍ସକୁ ନେଇ ମହାଭାରତ, ସ୍ତ୍ରୀର ପରକୀୟା ପ୍ରୀତି ସନ୍ଦେହରେ ନୃଶଂସ ସାଜିଛି ସ୍ଵାମୀ

ଢେଙ୍କାନାଳ : ଇନଷ୍ଟାଗ୍ରାମ ଓ ରିଲ୍ସକୁ ନେଇ ମହାଭାରତ । ସ୍ତ୍ରୀର ପରକୀୟା ପ୍ରୀତି ସନ୍ଦେହ ନେଇ ସ୍ଵାମୀର ନୃଶଂସ କାଣ୍ଡ । ରାତି ଅଧିଆ ତିନି ଜଣଙ୍କୁ ହାଣିଲା ସନ୍ଦେହୀ ସ୍ଵାମୀ । ରାଗରୁ ବାଦ ପଡିଲାନି ଜନ୍ମ କଲା ଝିଅ । ଢେଙ୍କାନାଳ ଜିଲ୍ଲା ସଦର ଥାନା ବଳଦିଆ ବନ୍ଧ ଗାଁରେ ଘଟିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ବଳଦିଆ ବନ୍ଧର ଶରତ ଚନ୍ଦ୍ର ପାତ୍ରଙ୍କ ୨୫ ବର୍ଷୀୟା ଝିଅ ସନ୍ତୋଷୀ ଜଗତସିଂହପୁର ଅଞ୍ଚଳର ମାନସ ଦାସଙ୍କୁ ବିବାହ କରିଥିଲେ । ବିବାହ ପରେ ମାନସ ନିଜ ଗାଁ ଛାଡି ଘର ଜ୍ଵାଇଁ ହୋଇ ସନ୍ତୋଷୀଙ୍କ ଘରେ ରହୁଥିଲେ । ସନ୍ତୋଷୀଙ୍କ ଦୁଇ ପୁଅ ଝିଅ ଥିଲେ ସୁଦ୍ଧା, ସେ ସୋସିଆଲ ମିଡିଆରେ ବେଶୀ ଜଡିତ ଥିଲେ । ସେସବୁକୁ ବାରଣ କରୁଥିଲେ ସ୍ଵାମୀ ମାନସ । ଯାହାକୁ ନେଇ ଉଭୟଙ୍କ ଭିତରେ ତିକ୍ତତା ଦେଖା ଦେଇଥିଲା । ଗତ କିଛି ଦିନ ହେବ ସନ୍ତୋଷୀଙ୍କର ଅନ୍ୟ ପୁରୁଷଙ୍କ ସହ ଅନୈତିକ ସଂପର୍କ ଥିବା ସନ୍ଦେହ କରୁଥିଲେ ମାନସ । ଏ କଥାକୁ ମାନି ନଥିଲେ ସ୍ତ୍ରୀ ସନ୍ତୋଷୀ । ଗତ ୧୧ ତାରିଖ ରାତିରେ ଏହି ଘଟଣାକୁ ନେଇ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଉଗ୍ର ରୂପ ନେଇଥିଲା । ସ୍ଵାମୀ ମାନସ ଶ୍ଵଶୁର ଘର ଛାଡ଼ି ନିଜ ଘର ଜଗତସିଂପୁରକୁ ପଳାଇଥିଲେ । ୧୮ ତାରିଖ ଦିନ ସ୍ଵାମୀ ମାନସ ସନ୍ତୋଷୀଙ୍କ ଘରକୁ ଆସି ତାଙ୍କ ମୁଣ୍ଡକୁ ହାମରରେ ପିଟିଥିଲେ । ଝିଅର ପାଟି ଶୁଣି ବାପା ଆସିଥିବା ବେଳେ ଶ୍ବଶୁରଙ୍କୁ କଟୁରୀରେ ହାଣି ଦେଇଥିଲେ ମାନସ । ପରେ ନିଜ ୧୧ ବର୍ଷର ଝିଅକୁ ମଧ୍ୟ ହାଣି ଦେଇଥିଲେ । କୌଶଳବଶତଃ ଘରର ଅନ୍ୟ କିଛି ଲୋକ ତାଙ୍କୁ କାବୁ କରି ଏକ ଘରେ ପୂରାଇ ତାଲା ପକେଇ ଦେଇଥିଲେ । ସେହି ଘରେ ମାନସ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବାରୁ ସେ ଆହତ ହୋଇଛନ୍ତି । ଗୋବିନ୍ଦପୁର ପୋଲିସ ମାନସକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।

ବର୍ତ୍ତମାନ ସନ୍ତୋଷୀଙ୍କ ଝିଅ ଓ ସନ୍ତୋଷୀଙ୍କ ବାପା ଗୁରୁତର ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏପଟେ ସ୍ତ୍ରୀ ସନ୍ତୋଷୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ମାନସ ପୂର୍ବରୁ ବିବାହ କରିଥିଲେ । ପୂର୍ବ ବିବାହକୁ ଲୁଚାଇ ସେ ସନ୍ତୋଷୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ଏପରିକି ମାନସ ରସିକିଆ ମିଜାଜର ହୋଇଥିବା ସହ ତାଙ୍କ ନାଁରେ କିଛି ଅପରାଧିକ ମାମଲା ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ମାନସଙ୍କୁ ହେପାଜତରେ ରଖି ତଦନ୍ତ କରୁଛି ପୋଲିସ ।

ଦୁର୍ଘଟଣାରେ ବାପ-ପୁଅ ମୃତ, କ୍ଷତିପୂରଣ ଦାବିରେ ଶବ ରଖି ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ

ଏମ ରାମପୁର : ବାଇକ୍ ଓ ପିକଅପ ଭ୍ୟାନ୍ ମୁହାଁମୁହିଁ ଧକ୍କା, ବାପ ପୁଅ ମୃତ । କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ । କଳାହାଣ୍ଡି ଜିଲ୍ଲା ନର୍ଲା ନିକଟସ୍ଥ ଦେହେଲି ଗାଁ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ବାଇକ୍ ରେ ବସିଥିବା ଗୋଟିଏ ପରିବାରର ବାପା ଓ ପୁଅ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ମାଆ ଓ ଝିଅ ଗୁରୁତର ଆହତ ହୋଇ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ନର୍ଲା ବ୍ଳକର ତେରଲୋ ଗାଁର ବୁଧ ବାରିକ , ସ୍ତ୍ରୀ, ପୁଅ ଝିଅ ମିଶି ଏକ ବାଇକରେ ନର୍ଲା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବାପା ବୁଧ ଓ ପୁଅ ଆରବର ମୃତ୍ୟୁ ଘଟିଛି ।  ମାଆ ଓ ଝିଅ ଗୁରୁତର ଆହତ ହୋଇଛନ୍ତି । ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଦେହେଲି ଗାଁ ଛକଠାରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ବୁଝାସୁଝା କରୁଛି।

ନବରାତ୍ର ପାଇଁ ଚଳଚଞ୍ଚଳ ଗଞ୍ଜାମର ଅଧିଷ୍ଠାତ୍ରୀ ତାରାତାରିଣୀଙ୍କ ପୀଠ, ବେଦମନ୍ତ୍ରରେ କମ୍ପୁଛି ପରିବେଶ

ପୁରୁଷୋତ୍ତମପୁର : ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତାରାତାରିଣୀଙ୍କ ପୀଠ । ଚଣ୍ଡୀ ପାଠ ସହ ବେଦମନ୍ତ୍ରରେ କମ୍ପୁଛି ପରିବେଶ । ଲାଗିଛି ଭକ୍ତଙ୍କ ଗହଳି । ଧୂପନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ । ଆଜି ନବରାତ୍ରର ପ୍ରଥମ ଦିନରେ ଭକ୍ତଙ୍କୁ ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ । ମାଆଙ୍କ ଦୁର୍ଲଭ ବେଶ ଦେଖିବାକୁ ଦୂରଦୂରାନ୍ତରୁ ଛୁଟିଆସିଛନ୍ତି ଶ୍ରଦ୍ଧାଳୁ । ସେପଟେ ପୀଠରେ ଆଜିଠୁ ଲାଗିଲା ଅସଂଖ୍ୟ ଅଖଣ୍ଡ ଦୀପ । ବିଶ୍ୱାସ ରହିଛି ତାରାତାରିଣୀଙ୍କ ପୀଠରେ ନବରାତ୍ରୀ ସମୟରେ ଦୀପ ଦାନ କଲେ ପାପ ଖଣ୍ଡନ ସହ ମାନସିକ ପୂର୍ଣ୍ଣ ହୋଇଥାଏ । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।…

ସେପଟେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ତେଲେଣ୍ଡା ଗାଁରେ ଥିବା ରାମଚଣ୍ଡୀଙ୍କ ପୀଠରେ ଲାଗିଛି ଭକ୍ତଙ୍କ ଗହଳି । ଧୂପ ଦୀପରେ ମହକୁଛି ପୀଠ । ପୀଠରେ ଚାଲିଛି ଷୋଳ ଦିନାତ୍ମକ ପୂଜା । ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଷଷ୍ଠୀ ତିଥିରେ ମାଆଙ୍କ ନିକଟରେ  ‘ଦନା ପୁର୍ଗା’ ମାଛ ଭୋଗ ଲାଗି ହେବାର ବିଧି ରହିଛି । ନବରାତ୍ର ପୂଜା ପାଇଁ ନବମୀ ପର୍ଯ୍ୟନ୍ତ ଶକ୍ତିପୀଠରେ ଭକ୍ତଙ୍କ ସମାଗମ ଲାଗି ରହିବ ।

ବାଣ ବିସ୍ଫୋରଣ ଘଟଣା ପରେ ତତ୍ପର ପ୍ରଶାସନ, ବାଣ ବ୍ୟବସାୟୀଙ୍କ ଘରେ ରେଡ଼

କଣ୍ଟାମାଳ : ବାଣ ବିସ୍ଫୋରଣ ଘଟଣା ପରେ ତତ୍ପର ହୋଇଛି ପ୍ରଶାସନ । ପୋଲିସ ପକ୍ଷରୁ ଜଣେ ବାଣ ବ୍ୟବସାୟୀ ଆଲୋକଦତ୍ତ କାଣ୍ଟିଙ୍କ ଘରେ ରେଡ଼ ଜାରି ରହିଛି । ବାଣ ନଷ୍ଟ ପାଇଁ ୩ଟି ଟ୍ରକରେ ଲୋଡ଼ ଚାଲିଛି ବାଣ । ଗତକାଲି ରାତିରେ ଅଗ୍ନିସମ ବିଭାଗ ପକ୍ଷରୁ ବାଣକୁ ପାଣି ସ୍ପ୍ରେ କରି ଓଦା କରାଯାଇଥିଲା ବେଳେ ଆଜି ବାଣକୁ ନଷ୍ଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇଟି ପିକପ ସହ ଗୋଟିଏ ବଡ ଟ୍ରକରେ ଲୋଡ଼ ହେଉଛି ବାଣ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭଳି ଏକ ଛୋଟ ଜାଗାରେ ୩ଟ୍ରକ ବାଣ ଗୋଟିଏ ଘରୁ ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଖାଲି ଏତିକି ନୁହେଁ ଆଗକୁ ପୁରୁଣାକଟକ ସହ ଅନ୍ୟ ଜାଗାରେ ମଧ୍ୟ୍ୟ ବାଣ ଗୋଦାମ ଗୁଡିକ ରେଡ଼ କରାଯିବ ବୋଲି ପୋଲିସ କହିଛି । ଏହି ରେଡ଼ରେ ବୋୖଦ୍ଧ SDPOଙ୍କ ସମେତ ୩ଜଣ IIC ସାମିଲ ହୋଇଛନ୍ତି । ଅନ୍ୟପଟେ ସମସ୍ତ ବାଣକୁ ବୋୖଦ୍ଧ ବଲାସିଙ୍ଗା ସ୍ଥିତ IRB ବାଟଲେୟନ ପରିସରରେ ପୋତାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଋଷୀୟ ଯୁଦ୍ଧ ବିମାନକୁ ଖସାଇ ଦେବାକୁ ରାଜି ହେଲା ନାଟୋ…

ନନ୍ଦିଘୋଷ ବ୍ୟୁରୋ : ରୁଷ ଏବେ ୟୁକ୍ରେନ ବାହାରେ ତା’ର ଆକ୍ରମଣକୁ ବିସ୍ତାର କରିବା ଆରମ୍ଭ କରିଛି। ରୁଷର ଡ୍ରୋନଗୁଡ଼ିକ ଏବେ ୟୁରୋପୀୟ ଦେଶଗୁଡ଼ିକର ଆକାଶରେ ମଧ୍ୟ ଦୃଶ୍ୟମାନ ହେଉଛି। ରୁଷର ଏହି କାର୍ଯ୍ୟ ପରେ, ନାଟୋ ଦେଶଗୁଡ଼ିକ ଏକଜୁଟ୍ ହୋଇଛନ୍ତି ଓ ରୁଷ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ନାଟୋ ଆକାଶ ସୀମାରେ ପ୍ରବେଶ କରୁଥିବା ଯେକୌଣସି ରୁଷୀୟ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଏକ ରିପୋର୍ଟ ଅନୁଯାୟୀ, ଏଷ୍ଟୋନିଆରେ ପ୍ରବେଶ କରିଥିବା ଏକ ରୁଷୀୟ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦିଆଯିବାର ଯୋଜନା କରାଯାଇଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ଫେରିବାକୁ ଅନୁମତି ଦିଆଯାଇଥିଲା। ସେପ୍ଟେମ୍ବର ମାସରେ ରୁଷ କେବଳ ୟୁକ୍ରେନରେ ନୁହେଁ ବରଂ ଏଷ୍ଟୋନିଆ, ରୋମାନିଆ ଓ ପୋଲାଣ୍ଡରେ ମଧ୍ୟ ବିମାନ ଆକ୍ରମଣ କରିଛି। ପୋଲାଣ୍ଡରେ ପ୍ରବେଶ କରିଥିବା ଏକ ରୁଷୀୟ ବିମାନକୁ ଗୁଳି କରି ଖସାଇ ଦେବା ପାଇଁ ବ୍ରିଟେନ ମଧ୍ୟ ତାର ଯୁଦ୍ଧ ବିମାନ ପଠାଇଥିଲା।

ସେପ୍ଟେମ୍ବର ୧୦ ତାରିଖରେ ରୁଷ ପୋଲାଣ୍ଡର ଆକାଶ ଉପରେ ତାର ଡ୍ରୋନ ଉଡ଼ାଇଥିଲା। ରିପୋର୍ଟ ଅନୁସାରେ, ୧୯ଟି ରୁଷୀୟ ଡ୍ରୋନ ପୋଲାଣ୍ଡରେ ପ୍ରବେଶ କରିଥିଲା, ଏହା ପରେ ରାଫେଲ ସମେତ ଅନେକ ଲଢ଼ୁଆ ବିମାନ ଡ୍ରୋନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ସେପ୍ଟେମ୍ବର ୧୩ ତାରିଖରେ ରୋମାନିଆରେ ସମାନ ଘଟଣା ଘଟିଥିଲା, ଯେଉଁଠାରେ ଏକ ରୁଷୀୟ ଡ୍ରୋନକୁ ଅଟକାଇବା ପାଇଁ ଏଫ-୧୬ ବିମାନ ନିୟୋଜିତ କରାଯାଇଥିଲା। ସେପ୍ଟେମ୍ବର ୧୯ ତାରିଖରେ, ଏକ ରୁଷୀୟ ଯୁଦ୍ଧ ବିମାନ ଏଷ୍ଟୋନିଆନ ଆକାଶ ସୀମାରେ ପ୍ରବେଶ କରି ଉତ୍ତେଜନା ସୃଷ୍ଟି କରିଥିଲା।

ଗତ ତିନି ବର୍ଷ ଧରି ଯୁଦ୍ଧ ଚାଲିଥିବା ବେଳେ, ରୁଷ କେବେବି ୟୁକ୍ରେନ ବ୍ୟତୀତ ଅନ୍ୟ କୌଣସି ଦେଶକୁ ଟାର୍ଗେଟ କରିନାହିଁ। ତଥାପି, ଏବେ ରୁଷ ୟୁରୋପୀୟ ଦେଶଗୁଡ଼ିକୁ ୟୁକ୍ରେନକୁ ସାହାଯ୍ୟ ନକରିବାକୁ ବାରମ୍ବାର ଚେତାବନୀ ଦେଉଛି। ଏହି ସମୟରେ, ୟୁରୋପୀୟ ଦେଶମାନେ ୟୁକ୍ରେନକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଏହା କରି, ରୁଷ ଏହି ଦେଶଗୁଡ଼ିକର ଏକତାକୁ ପରୀକ୍ଷା କରିବାକୁ ଚେଷ୍ଟା କରୁଛି, ଯାହା ଏହାକୁ ତାର ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ। ୟୁରୋପୀୟ ଦେଶମାନେ ୟୁକ୍ରେନକୁ ସମର୍ଥନ କରିବାର ଏକ କାରଣ ହେଉଛି ଯେ ୟୁରୋପୀୟ ଦେଶମାନେ ବିଶ୍ୱାସ କରନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ, ରୁଷ ୟୁରୋପୀୟ ଦେଶଗୁଡ଼ିକୁ ଏହାର ଆକ୍ରମଣ ପରିସର ବିସ୍ତାର କରିପାରିବ।