spot_img
Home Blog Page 3531

କ୍ରିସ ହିପକିନ୍ସ ହେବେ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କ୍ରିସ ହିପକିନ୍ସ ହେବେ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ଜାସିଣ୍ଡା ଆର୍ଡେର୍ଣ୍ଣଙ୍କ ସ୍ଥାନରେ ଦାୟିତ୍ବ ସମ୍ଭାଳିବେ ହିପକିନ୍ସ । ଏନେଇ ଘୋଷଣା କରିଛି ଲେବର ପାର୍ଟି । ଗତ ଗୁରୁବାର ଜାସିଣ୍ଡାଙ୍କ ଅଚାନକ ଇସ୍ତଫା ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଚାଲିଥିଲା । ବରିଷ୍ଠ ରାଜନେତା ହିପକିନ୍ସଙ୍କୁ ଶେଷରେ ପ୍ରଧାନମନ୍ତ୍ରୀ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ଅକ୍ଟୋବର ୧୪ରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଦଳର ନେତୃତ୍ବ ନେବେ ହିପକିନ୍ସ ।

ବର୍ତ୍ତମାନ ହିପକିନ୍ସ ଦେଶର ପୋଲିସ ଓ ଶିକ୍ଷା ବିଭାଗ ମନ୍ତ୍ରୀ ଅଛନ୍ତି । ଦରବୃଦ୍ଧି, ଦାରିଦ୍ର୍ୟ, ଅପରାଧ ଆଦି କ୍ଷେତ୍ରରେ ସମାଲୋଚନାର ଶରବ୍ୟ ହେଉଥିବା ଦଳ ହିପକିନ୍ସଙ୍କ ନେତୃତ୍ବରେ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଆସନ୍ତାକାଲି ଦଳର ବୈଠକରେ ହିପକିନ୍ସଙ୍କ ପ୍ରସଙ୍ଗରେ ବିଧିବଦ୍ଧ ଘୋଷଣା କରାଯିବ ।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଶ୍ୱକପ୍ ମ୍ୟାଚ ଦେଖିଲେ ଭିନ୍ନକ୍ଷମ ଛାତ୍ରଛାତ୍ରୀ

ରାଉରକେଲା: ଭୁବନେଶ୍ୱରର ବିଭିନ୍ନ ଭିନ୍ନକ୍ଷମ ବିଦ୍ୟାଳୟରୁ ୨୩ ଜଣ ଛାତ୍ରଛାତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବସି ବିଶ୍ୱକପ ମ୍ୟାଚ ଦେଖିଛନ୍ତି । ପ୍ରଥମ ଥର ପାଇଁ ବିମାନରେ ଆସି ଷ୍ଟାଡିୟମରେ ସିଧାସଳଖ ଅନ୍ତର୍ଜାତୀୟ ମ୍ୟାଚ ଦେଖିଥିବାରୁ ଏହି ଛାତ୍ରଛାତ୍ରୀଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ ସେମାନେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ତତ୍ତ୍ୱାବଧାନରେ ଏହି ଛାତ୍ରଛାତ୍ରୀମାନେ ବିମାନ ଯୋଗେ ରାଉରକେଲାରେ ପହଞ୍ଚିଥିଲେ । ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ସ୍ୱତନ୍ତ୍ର ବସରେ ସେମାନଙ୍କୁ ବିର୍ସା ମୁଣ୍ଡା ଷ୍ଟାଡିୟମକୁ ନିଆଯାଇଥିଲା ।

ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭିନ୍ନକ୍ଷମମାନଙ୍କ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ସେମାନେ ଷ୍ଟାଡିୟମରେ ବସି ଯେପରି ସୁବିଧାରେ ମ୍ୟାଚ ଦେଖିପାରିବେ ସେଥିଲାଗି ସ୍ୱତନ୍ତ୍ର ସିଟ୍‌ ସଂରକ୍ଷଣ କରାଯାଇଛି। ଭୁବନେଶ୍ୱରରୁ ଆସିଥିବା ଏହି ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ସେଠାରେ ବସି ମ୍ୟାଚର ମଜା ନେଇଥିଲେ। ଅନ୍ତର୍ଜାତୀୟ ସ୍ତରର ହକି ତାରକାମାନଙ୍କୁ ପାଖରୁ ଦେଖିବାର ସେମାନେ ସୁଯୋଗ ପାଇଥିବାରୁ ଖୁସି ହୋଇଥିଲେ।

ଭୁବନେଶ୍ୱରସ୍ଥିତ ଶ୍ରୀହର୍ଷ ମିଶ୍ର ମେମୋରିଆଲ ସ୍କୁଲ ଫର ଦ ଡିଫ୍, ଏସଆଇଇପି, ଜୁଏଲସ ଇଣ୍ଟରନ୍ୟାସନାଲ ଚେତନା ଇନଷ୍ଟିଚ୍ୟୁଟ୍ ଫର ଇଣ୍ଟେଲେକଚୁଆଲ ଡିଜାବିଲିଟି ଏବଂ ଏନସିଏସସିଡିଏର ମୋଟ ୨୩ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ରାଉରକେଲା ଆସିଛନ୍ତି।

ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଦୀପକ ରାଉତରାୟ, ଅତିରିକ୍ତ ସଚିବ ସୋନିଆ ବେହେରାଙ୍କ ତତ୍ତ୍ୱାବଧାନରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଭୁବନେଶ୍ୱରରୁ ବିମାନ ଯାତ୍ରା କରି ରାଉରକେଲାରେ ପହଞ୍ଚିଥିଲେ ।

ରାଉରକେଲାରେ ଏହି ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ହାବଡ଼ାସିଂ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା: ମାମଲା ରଦ୍ଦ ପାଇଁ ହାଇକୋର୍ଟରେ ଅପିଲ କଲେ ପ୍ରେମିକ

କଟକ: ବହୁ ଚର୍ଚ୍ଚିତ ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା । ଆସିଲା ଶୁଭଶ୍ରୀଙ୍କ ଭିସେରା ରିପୋର୍ଟ । ମଦ୍ୟପାନ ସହ ନିଦ ବଟିକା ଖାଇଥିବାରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ଭିସେରାରେ ଉଲ୍ଲେଖ ରହିଛି । ପୋଷ୍ଟମର୍ଟମ ରିପୋର୍ଟରେ ବିଷକ୍ରୀୟାରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ତେବେ ଝିଅ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରି ୨୦ ଦିନ ପରେ ଯୋଡ଼ା ଥାନାରେ ଏତଲା ଦେଇଛନ୍ତି ବାପା ମନୋରଞ୍ଜନ କର । ଯୋଡ଼ା ପୋଲିସ୍ ଏତଲାକୁ ଗ୍ରହଣ କରିଛି । ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟ ରଞ୍ଜନ ମାଝୀଙ୍କ ସହ ତାଙ୍କର କିଛି ସମ୍ପର୍କୀୟ ଏବଂ ଅନ୍ୟ ୩ ଜଣ ସାଥୀ ଡାକ୍ତରଙ୍କ ବିରୋଧରେ ଏତଲା ଦେଇଛନ୍ତି ଶୁଭଶ୍ରୀଙ୍କ ବାପା ।

ସେପଟେ ମାମଲାକୁ ରଦ୍ଦ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝୀ । ଏହି ମାମଲାକୁ ଖାରଜ ସାଙ୍ଗକୁ ତାଙ୍କୁ ଆଗୁଆ ଜାମିନ ପ୍ରଦାନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ଦିବ୍ୟରଞ୍ଜନ । ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କର ଏବଂ ଡାକ୍ତର ଦିବ୍ୟରଂଜନ ବ୍ରହ୍ମପୁର ସ୍ଥିତ ମେଡିକାଲ କଲେଜରେ ପଢ଼ୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ପରବର୍ତ୍ତୀ ସମୟରେ ଉଭୟ ଯୋଡ଼ା ଅଞ୍ଚଳରେ ଚାକିରି କରିବାରୁ ସଂପର୍କ ନିବିଡ଼ ହୋଇଥିଲା । ଗତ ଡିସେମ୍ବର ୩୧ ତାରିଖରେ ଶୁଭଶ୍ରୀ ନିଜର ସହକର୍ମୀଙ୍କ ସହିତ ଜିରୋ ନାଇଟ୍ ସେଲିବ୍ରେସନ କରିବା ପରେ, ଜାନୁଆରୀ ୧ ତାରିଖରେ ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଥିଲା ।

ଦିଲ୍ଲୀ କନ୍ନଟ ପ୍ଲେସ ଇଲାକାରେ ଅଗ୍ନିକାଣ୍ଡ, ସନସିଟି ହୋଟେଲରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ନୂଆଦିଲ୍ଲୀ କନ୍ନଟ ପ୍ଲେସ ଇଲାକାରେ ବଡ଼ ଧରଣର ଅଗ୍ନିକାଣ୍ଡ । ସ୍ଥାନୀୟ ଇଲାକାରେ ଥିବା ସନସିଟି ହୋଟେଲରେ ଘଟିଛି ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ୬ଟି ଅଗ୍ନିଶମ ଟିମ୍ ନିୟୋଜିତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୁମା ସୋ’ରୁମ୍ ଉପରେ ଥିବା ହୋଟେଲ ସନସିଟିରେ ଏହି ଅଘଟଣ ଘଟିଛି । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଗଞ୍ଜେଇ ଚାଲାଣର ନୂଆ ତରିକା, ସ୍କୁଲ ବ୍ୟାଗରେ ପଠାଯାଉଛି ନୀଳ ଜହର

ଲମତାପୁଟ: ଗଞ୍ଜେଇ ଚାଲାଣର ନୂଆ ତରିକା । ସ୍କୁଲ ବ୍ୟାଗରେ ପଠାଯାଉଛି ନୀଳ ଜହର । ପଡୋଶୀ ଆନ୍ଧ୍ରପ୍ରଦେଶ ସୀମାନ୍ତରୁ ଉତ୍ତରପ୍ରଦେଶ ଓ ବିହାର ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରାଯାଉଥିଲା । ମାଛକୁଣ୍ଡ ଓ ଲମତାପୁଟ ପୋଲିସ ମଲେଗାଁ ଛକ ନିକଟରେ ଚଢ଼ାଉ କରି ୨୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଗିରଫ ୪ ଜଣ ହେଲେ ଉତ୍ତରପ୍ରଦେଶ ଓ ବିହାର ଅଞ୍ଚଳର । ନନ୍ଦପୁର ଏସଡିପିଓ ସଞ୍ଜୟ ପ୍ରଧାନ ଏନେଇ ସୂଚନା ଦେଇଛନ୍ତି ।

 

ପରଜଙ୍ଗରେ ହାତୀ ଆତଙ୍କ, ବୃଦ୍ଧ ଓ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ: ପରଜଙ୍ଗରେ ହାତୀ ଆତଙ୍କ । ବୃଦ୍ଧ ଓ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା । ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପରଜଙ୍ଗ ଅଞ୍ଚଳର ଘଟଣା । ଦନ୍ତା ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଡିହଡୋଳ ଫରେଷ୍ଟ ସେକ୍ସନ ଖାଲପାଳ ଗାଁର ବୃଦ୍ଧ ଅଲେଖ ନାୟକ ଶୌଚ ହେବାକୁ ଯାଇ ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ଘର ପାଖ ପଡ଼ିଆରେ ଦନ୍ତା ହାତୀ ତାଙ୍କୁ କଚାଡି ମାରିଥିବା ସୂଚନା ମିଳିଛି ।

ସେହିପରି ପରଜଙ୍ଗ ଗଣ୍ଡତଇଳା ଗାଁର ବାରି ନାୟକଙ୍କୁ ଘର ପାଖ ବାଡ଼ିରେ କଚାଡି ମାରିଛି ଦନ୍ତା । ଘନ କୁହୁଡ଼ି ଯୋଗୁଁ ହାତୀଟିକୁ ଦେଖି ପାରିନଥିଲେ ବାରି । ଦନ୍ତା ହାତୀଟି ଶୁଣ୍ଢରେ ବାରି ନାୟକଙ୍କୁ କଚାଡି ମାରିଥିଲା । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଚଳାଇଛି । ସେପଟେ ହାତୀ ଆକ୍ରମଣକୁ ନେଇ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଋଷ ରାଷ୍ଟ୍ରପତିଙ୍କ ଦେହାନ୍ତ ଆଶଙ୍କା, ଦେଖିବାକୁ ମିଳୁନାହାନ୍ତି ପୁଟିନ

କିଭ୍: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦେହାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ସେ ବଞ୍ଚିଛନ୍ତି କି ନାହିଁ ତାହା କହିବା ଅସମ୍ଭବ । ଓ୍ବାର୍ଲ୍ଡ ଇକୋନୋମିକ୍ ଫୋରମରେ ଯୋଗ ଦେଇ ଏଭଳି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କହିଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପୁଟିନଙ୍କୁ ଏବେ ଲୋକେ ଦେଖିବାକୁ ପାଉନାହାନ୍ତି । କେବଳ ତାଙ୍କର ଭିଡିଓ ବାର୍ତ୍ତା ଜାରି କରାଯାଉଛି । ତାଙ୍କ କହିବା ଶୈଳୀରେ ଅନେକ ପରିବର୍ତ୍ତନ ଆସିଛି । ଯଦି ପୁଟିନଙ୍କ ମୃତ୍ୟୁ ହୋଇଛି ଋଷରେ ଏବେ କିଏ ନିଷ୍ପତ୍ତି ନେଉଛି ବୋଲି ପ୍ରଶ୍ନ କରିଛନ୍ତି ଜେଲେନସ୍କି ।

ସେପଟେ ଜେଲେନସ୍କିଙ୍କ ଏଭଳି ବୟାନକୁ ନିନ୍ଦା କରିଛନ୍ତି ଋଷ ସରକାର । ଖୁବଶୀଘ୍ର ଋଷ ଅଧିନରେ ୟୁକ୍ରେନ ଶାସିତ ହେବ ବୋଲି କହିଛନ୍ତି । ଋଷ ଓ ପୁଟିନଙ୍କ ପ୍ରତି ଜେଲେନସ୍କିଙ୍କ ଭୟ ଥିବା ସ୍ପଷ୍ଟ ଜଣାପଡ଼ୁଛି ବୋଲି ଋଷ କହିଛି । ଏପଟେ ପଶ୍ଚିମ ଦେଶମାନଙ୍କୁ ଯୁଦ୍ଧାସ୍ତ୍ର ଯୋଗାଇବା ପାଇଁ ଅପିଲ କରିଛନ୍ତି ଜେଲେନସ୍କି । ବିଶେଷ କରି ଅଧିକ ଟ୍ୟାଙ୍କର ଆବଶ୍ୟକତା ରହିଛି । ଟ୍ୟାଙ୍କ ସାହାଯ୍ୟରେ ୟୁକ୍ରେନରେ ଋଷ ସେନାକୁ ଭୟଭୀତ କରିହେବ ବୋଲି ଜେଲେନସ୍କି କହିଛନ୍ତି ।

ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା, ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ସ୍ୱନକ୍ଷତ୍ର

ଯାଜପୁର: ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ସ୍ୱନକ୍ଷତ୍ର । ପରମ୍ପରା ଅନୁଯାୟୀ ପାଳନ ହେଉଛି ମାଆଙ୍କ ଜନ୍ମୋତ୍ସବ । ବ୍ରାହ୍ମ ମୁହୂର୍ତ୍ତରେ ମାଆଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏହାପରେ ସ୍ୱନକ୍ଷତ୍ର ବିହିତ ମହାସ୍ନାନ କରାଯିବ । ସ୍ନାନ ପରେ ମାଆ ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ପରେ ସିଂହାସନ ଉପରେ ଷୋଡ଼ଷ ଉପଚାର ପୂଜାବିଧି କରାଯିବ ।

ଗତ ଦୁଇବର୍ଷ ହେଲା କରୋନା କଟକଣା ପାଇଁ ମାଆଙ୍କ ଜନ୍ମୋତ୍ସବରେ ଦର୍ଶନରୁ ବଞ୍ଚିତ ହେଉଥିଲେ ଭକ୍ତ । ହେଲେ ଚଳିତବର୍ଷ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କୁ ଦର୍ଶନ କରି ସନ୍ତୋଷବ୍ୟକ୍ତି କରିଛନ୍ତି । ଦର୍ଶନ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ଫୁଲ ଓ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଆଜିର ଦିନରେ ମାଆଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ପ୍ରାପ୍ତି ହେବାର ବିଶ୍ବାସ ରହିଛି ।

ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ, ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ରାୟପୁର: ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ । ଦିନ ସାଢ଼େ ଗୋଟାଏରେ ରାୟପୁରରେ ଖେଳାଯିବ ଏହି ମ୍ୟାଚ୍ । ୩ ଟିକିଆ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚକୁ ଜିତି ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚ୍ ଜିତି ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି ମେନ ଇନ ବ୍ଲୁ । ପ୍ରଥମ ଦିନିକିଆରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିଲା ରୋହିତ ବାହିନୀ । ଶୁବମନ ଗିଲଙ୍କ ଦ୍ବିଶତକ ବଳରେ ଦଳର ସ୍କୋର ୩୦୦ ପାର ହୋଇଥିଲା । ମାତ୍ର ବୋଲିଂରେ ଦଳ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲା । ଶେଷ ମୁହୂର୍ତ୍ତରେ ଭାରତ ବିଜୟ ହାସଲ କରିଥିଲା । ଏଣୁ ଏଥର ବୋଲିଂ ଲାଇନକୁ ଫୋକସ କରିବ ଭାରତ ।

ଅନ୍ୟପକ୍ଷରେ ପ୍ରଥମ ଦିନିକିଆ ପରାଜୟ ପରେ ବ୍ୟାକଫୁଟରେ ରହିଛି ନ୍ୟୁଜିଲାଣ୍ଡ । ତେବେ ରାୟପୁରରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆରେ ବିଜୟ ଲାଭ କରି ସିରିଜକୁ ଫେରିବାକୁ ଉଦ୍ୟମ କରିବ ଭ୍ରମଣକାରୀ ଦଳ । ଦଳର ବ୍ୟାଟିଂ ଲାଇନ ମଧ୍ୟ ଭଲ ରହିଛି । ଟିମ୍ ଇଣ୍ଡିଆକୁ ଟକ୍କର ଦେବାକୁ ସ୍ୱତନ୍ତ୍ର ରଣନୀତି କରିଛି ନ୍ୟୁଜିଲାଣ୍ଡ ।

ଡଟ୍ ଫେଷ୍ଟରେ ଝୁମୁଛି ରାଜଧାନୀ, ଆଜି ଝୁମାଇବେ ବଲିଉଡ ସିଙ୍ଗର ଅମିତ ତ୍ରିବେଦୀ

ଭୁବନେଶ୍ୱର: ଡଟ୍ ଫେଷ୍ଟରେ ଝୁମୁଛି ରାଜଧାନୀ । ଆଜି ମେଗା ଇଭେଣ୍ଟର ସପ୍ତମ ଦିନ । ସନ୍ଧ୍ୟାରେ ଜମିବ ମନୋରଞ୍ଜନ । ଲୋକଙ୍କୁ ଝୁମାଇବେ ବଲିଉଡ ସିଙ୍ଗର ଅମିତ ତ୍ରିବେଦୀ । ଗତକାଲି ଷଷ୍ଠ ଦିନରେ ସୁନୀଲ ଗ୍ରୋଭରଙ୍କ କମେଡି ଶୋ’ରେ ହସି ହସି ବେଦମ ହେଲେ ଦର୍ଶକ । ଓଡ଼ିଆ କଣ୍ଠଶିଳ୍ପୀ ଶଶାଙ୍କଙ୍କ ଗୀତରୁ ଆରମ୍ଭ ହୋଇଥିଲା ଷଷ୍ଠଦିନର ସନ୍ଧ୍ୟା । ପରେ ମଞ୍ଚକୁ ଆସିଥିଲେ ବଲିଉଡର ପ୍ରତିଷ୍ଠିତ କମେଡିଆନ୍ ସୁନୀଲ ଗ୍ରୋଭର । ଡାକ୍ତର ମସୁର ଗୁଲାଠୀ ଚରିତ୍ରରେ ଧମାକାଦାର ଏଣ୍ଟ୍ରି କରି ଡାକ୍ତର ଓ ନର୍ସଙ୍କର କେମେଷ୍ଟ୍ରିରେ ଦର୍ଶକଙ୍କୁ ହସାଇଥିଲେ । ପରେ ଦର୍ଶକଙ୍କ ମଧ୍ୟରୁ ୧୦ ଅଧିକ ମହିଳାଙ୍କୁ ମଞ୍ଚ ଉପରକୁ ଡାକିନେଇ ଖୁବ ନଚାଇଥିଲେ ସୁନୀଲ । ପରେ ପରେ ହଠାତ୍ ନକଲି ଅମିତାଭ ବଚ୍ଚନଙ୍କ ଚରିତ୍ରରେ ମଞ୍ଚ ଉପରକୁ ଆସି କୌନ ବନେଗା କରୋଡପତିର ମିମିକ୍ରି କରିଥିଲେ ସୁନୀଲ । ଯାହାର ନାଁ ଥିଲା କୌନ ଲାୟେଗା ଚା ପତି । ଦର୍ଶକଙ୍କ ମଧ୍ୟରୁ ନବବିବାହିତ କପୁଲଙ୍କୁ ନେଇ ଆରମ୍ଭ ହୋଇଥିଲା ଗେମ୍ ।

ଶେଷରେ ଗୁଥି ଚରିତ୍ରରେ ବିବାହ ପାଇଁ ସୁନୀଲ ଖୋଜିଥିଲେ ବର । ପ୍ରଥମେ ଓଲିକୁ ବରଣମାଳା ପିନ୍ଧାଇବା ଓ ପରେ ପରେ ଜଣେ ଯୁବକଙ୍କୁ ବିବାହ କରିବା ଦୃଶ୍ୟ ବେଶ୍ ରୋମାଞ୍ଚକର ଥିଲା । ସନ୍ଧ୍ୟାର ଶେଷରେ ବଲିଉଡ କଣ୍ଠଶିଳ୍ପୀ ଶିଳ୍ପା ରାଓ ସମସ୍ତଙ୍କୁ ଝୁମାଇଥିଲେ । ଦର୍ଶକଙ୍କ ଗହଣକୁ ଆସି ଜୋସ୍ ଭରିଥିଲେ ଶିଳ୍ପା । ନିଜେ ନାଚିବା ସହିତ ଅନ୍ୟକୁ ମଧ୍ୟ ନଚାଇଥିଲେ ଶିଳ୍ପା । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ଡଟଫେଷ୍ଟ । ଆସନ୍ତାକାଲି ଦେଖିବାକୁ ମିଳିବ ହାଇଭୋଲଟେଜ୍ ଶୋ’ । ୯୦ ଦଶକର ବଲିଉଡ ସିଙ୍ଗର ଉଦିତ ନାରାୟଣ ଏବଂ ଆଲକା ୟାଗ୍ନୀଙ୍କ ଜଲଓ୍ବା ଦେଖିବେ ଦର୍ଶକ ।