spot_img
Home Blog Page 3535

ଡିଜେ ଫ୍ଲୋରରେ କୁସ୍ତି ଡ୍ୟାନ୍ସ୍‌

ନୂଆଦିଲ୍ଲୀ: ବିବାହ ସମାରୋହ ହେଉ ଅବା ଅନ୍ୟ ଯେକୌଣସି ସମାରୋହ ସବୁଠି ଲୋକେ ମନ ଖୋଲି ନାଚିଥାନ୍ତି ଓ ଗାଇଥାନ୍ତି । କିଏ ନିଜର ଜବରଦସ୍ତ ଡ୍ୟାନ୍ସ ମୁଭ୍‌ସ ଦେଖାଇ ଲୋକମାନଙ୍କର ଧ୍ୟାନ ଆକର୍ଷଣ କରିନିଏ ତ ଆଉ କିଏ ନିଜର ଅତରଙ୍ଗୀ ଡ୍ୟାନ୍ସ ମୁଭସ ଦେଖାଇ ଲୋକଙ୍କୁ ହସି ହସି ଗଡାଇଥାଏ । ସେମିତି ଆହୁରି ମଧ୍ୟ କିଛି ଡ୍ୟାନ୍ସ ଅଛି ଯାହାକୁ ଦେଖି ଲୋକେ ବ୍ୟସ୍ତ ବିବ୍ରତ ହୋଇପଡନ୍ତି । ଯେମିତିକି ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏମିତି ତ ଆପଣ ନାଗିନ ଠୁ ଆରମ୍ଭ କରି ବରଯାତ୍ରୀ ନାଚ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଯାହା ଦେଖାଇବୁ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାଇରାଲ ହୋଇଥିବା ଏହି ମଜାଦାର ଭିଡିଓଟି ଦୁଇଜଣ ଯୁବକଙ୍କର ଅଟେ । ଯିଏକି ବାହାଘରର ଡ୍ୟାନ୍ସଫ୍ଲୋରରେ ଅଜବଧରଣର ଡ୍ୟାନ୍ସ୍ ମୁଭସ୍ ଦେଖାଉଛନ୍ତି । ତାଙ୍କର ଅନୋଖା ଧରଣର ଡ୍ୟାନ୍ସ ଦେଖି ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

 

 

View this post on Instagram

 

A post shared by vijen42 (@status__lover___214)

ଭିଡିଓରେ ଦେଖିବାକୁ ମିଳୁଛିକି ୨୦୧୦ରେ ରିଲିଜ ହୋଇଥିବା ଫିଲ୍ମ ଦବଙ୍ଗର ଲିଡ ରୋଲରେ ଥିବା ସଲମାନ ଖାନଙ୍କ ହିଟ୍ ଟାଇଟେଲ ଟ୍ରାକ୍‌ରେ ଡ୍ୟାନ୍ସ କରୁଛନ୍ତି । କିନ୍ତୁ ସବୁଠାରୁ ମଜାଦାର କଥା ହେଉଛିକି ଦୁଇଜଣ ଗୀତରେ ଡ୍ୟାନ୍ସ କରିବା ବଦଳରେ ଦୁଇଜଣ ଗୀତରେ କୁସ୍ତି କରୁଥିବାର ନଜର ଆସୁଛନ୍ତି । ସେ ସ୍ଥାନଟି ଡ୍ୟାନ୍ସଫ୍ଲୋର କମ ଓ କୁସ୍ତି ମଇଦାନ ଅଧିକ ଲାଗୁଛି । ଭିଡିଓରେ ଦେଖିବାକୁ ମିଳୁଛିକି ଏହି କୁସ୍ତି ଭରା ଡ୍ୟାନ୍ସଟିକୁ ଦେଖି ସେଠାରେ ଉପସ୍ଥିତ ଲୋକ ମଧ୍ୟ ତାଜୁବ ହୋଇଯାଇଛନ୍ତି । ଭିଡିଓଟିକୁ ଦେଖିଲା ପରେ ୟୁଜରର୍ସ ନିଜର ହସ କଂଟ୍ରୋଲ କରିପାରୁନାହାନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଷ୍ଟାଟସ ଲଭର ୨୧୪ ନାମର ଏକ ଆକାଉଂଟରୁ ଏହି ଭିଡିଓଟି ଶେୟାର କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୩.୪ ମିଲିୟନ ଲୋକେ ଏହାକୁ ଦେଖିସାରିଲେଣି । ଭିଡିଓଟିକୁ ଦେଖିବା ପରେ ୟୁଜର୍ସ ଏଥିରେ ଭିନ୍ନ ଭିନ୍ନ କମେଂଟସ୍ ଦେଉଛନ୍ତି ।

ହକି ବିଶ୍ବକପ: ଭୁବନେଶ୍ବରରେ ପହଞ୍ଚିଲେ ନେଦରଲାଣ୍ଡ୍ସ ହକି ଟିମ୍

ଭୁବନେଶ୍ୱର: ହକି ବିଶ୍ବକପକୁ ଆଉ ମାତ୍ର ୯ ଦିନ । ଭୁବନେଶ୍ବରରେ ପହଞ୍ଚିଛି ୨୦୧୮ ବିଶ୍ବକପର ରୌପ୍ୟପଦକ ବିଜେତା ନେଦରଲାଣ୍ଡସ ଟିମ୍ । କଡ଼ା ସୁରକ୍ଷାରେ ଖେଳାଳିଙ୍କୁ ହୋଟେଲକୁ ନିଆଯାଇଛି । ୧୪ ତାରିଖରେ ରାଉରକେଲାରେ ମାଲେସିଆ ବିପକ୍ଷରେ ଖେଳିବ ନେଦରଲାଣ୍ଡ୍ସ । ଆସନ୍ତାକାଲିଠୁ ଚିଲି, ଜାପାନ, ଆର୍ଜେଣ୍ଟିନା ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ । ଏଥର ଟ୍ରଫି ହାସଲ ଲାଗି ନେଦରଲାଣ୍ଡ୍ସ ଦଳ ପ୍ରମୁଖ ଦାବିଦାର ରହିଛି ।

ବିଶ୍ବକପ୍ ଇତିହାସରେ ସର୍ବାଧିକ ମ୍ୟାଚ୍ ଖେଳିଥିବା ନେଦରଲାଣ୍ଡ୍ସ ଏପର୍ଯ୍ୟନ୍ତ ବିଶ୍ୱକପରେ ୧୦୦ ମ୍ୟାଚ୍ ଖେଳି ୬୧ ମ୍ୟାଚ୍ ଜିତିଛି । ନେଦରଲାଣ୍ଡ୍ସ ପଛକୁ ସର୍ବାଧିକ ମ୍ୟାଚ୍ ଖେଳିଥିବା ଦେଶ ଭାବେ ଦ୍ବିତୀୟରେ ରହିଛି ଭାରତ । ଆଗାମୀ ବିଶ୍ବକପ୍ ଆୟୋଜନ କରୁଥିବା ନେଦରଲାଣ୍ଡ୍ସ ପ୍ରଥମ ବିଶ୍ବକପରୁ ହିଁ ଏପର୍ଯ୍ୟନ୍ତ ଭାଗ ନେଇଆସୁଛି । ବିଗତ ୧୪ ସଂସ୍କରଣ ମଧ୍ୟରେ ଭାରତ ଖେଳିଛି ମୋଟ ୯୫ ମ୍ୟାଚ୍ ଏବଂ ଜିତିଛି ୪୦ । ବିଜୟ ହାର ୪୨ ପ୍ରତିଶତ । ୧୯୭୫ରେ ହିଁ କେବଳ ଥରେ ବିଶ୍ବକପ୍ ଜିତିଛି ଭାରତ । ୨୦୧୮ରେ ଓଡ଼ିଶାର ଅନୁଷ୍ଠିତ ବିଶ୍ୱକପରେ ବିଜେତା ହୋଇଥିଲା ବେଲଜିୟମ୍ ।

ଦକ୍ଷିଣଆଫ୍ରିକାରୁ ଆସୁଛନ୍ତି ୧୨ ଚିତା

0

ନୂଆଦିଲ୍ଲୀ: ନାମ୍ବିଆ ପରେ ପୁଣି ଦକ୍ଷିଣଆଫ୍ରିକାରୁ ଭାରତକୁ ଆସିବେ ୧୨ଟି ଚିତା । ଏନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ କଲ୍ୟାାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଆଫ୍ରିକାରୁ ଏହି ୧୨ଟି ଚିତାକୁ ଭାରତକୁ ଅଣାଯାଉଥିବା ବେଳେ ସେଥିରେ ୭ଟି ଅଣ୍ଡିରା ଏବଂ ୫ଟି ମାଇ ରହିଛନ୍ତି । ଏହାପୂର୍ବରୁ ଗତବର୍ଷ ସେପ୍ଟେମ୍ବର ମାସରେ ଆଫ୍ରକୀୟ ଦେଶ ନାମ୍ବିଆରୁ ୮ଟି ଚିତା ଅଣାଯାଇଥଲା । ଏବଂ ଏବେ ଆଉ ୧୨ଟି ଚିତା ଅଣାଯିବ ବୋଲି ଜଣାପଡିଛି । ତେବେ ଏହି ୧୨ଟି ଚିତାଙ୍କୁ ମଧ୍ୟପ୍ରେଦଶର ଜାତୀୟ କୁନୋ ଉଦ୍ୟାନରେ ଛଡାଯିବ । ଭାରତରେ ୭୦ବର୍ଷ ପୂର୍ବରୁ ଚିତା ବଂଶ ଲୋପ ପାଇଯାଇଥିବା ବେଳେ ପୁଣିଥରେ ସେମାନଙ୍କ ବଂଶବିସ୍ତାର ଲାଗି କେନ୍ଦ୍ର ସରକାର ଏଭଳି ଯୋଜନା ହାତକୁ ନେଇଛନ୍ତି ।

ଭୁବନେଶ୍ବରର ହୋଟେଲ ଓ ଲଜରେ ରାତି ଅଧିଆ ପୋଲିସର ସରପ୍ରାଇଜ୍ ରେଡ୍‌

ଭୁବନେଶ୍ୱର: ଆଗକୁ ହକି ବିଶ୍ୱକପ ଥିବାରୁ ହୋଟେଲ ଓ ଲଜ୍ ମାନଙ୍କରେ ଚଢ଼ାଉ କରି ହୋଟେଲରେ ରହୁଥିବା ବ୍ୟକ୍ତି ବିଶେଷଙ୍କର ତଥ୍ୟ ନେଉଛି କମିଶନରେଟ ପୋଲିସ । ସହରକୁ କିଭଳି ଭାବେ ସୁରକ୍ଷିତ ରଖାଯାଇପାରିବ, ସେଥିପାଇଁ ଏହି ଡ୍ରାଇଭ ଚାଲିଛି । ପୂର୍ବରୁ ସରାଇ ଆପ୍ ଅଧୀନରେ ସମସ୍ତ ହୋଟେଲକୁ ଆସୁଥିବା ଲୋକଙ୍କ ଡାଟା ବେଶ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲା ପୋଲିସ । ଏହି ନିୟମକୁ ଅନୁପାଳନ କରାଯାଉଛି କି ନାହିଁ ସେ ନେଇ ଖାରବେଳନଗର, କ୍ୟାପିଟାଲ, ଲକ୍ଷ୍ମୀସାଗର, ସହିଦନଗର, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଆଦି ଥାନା ଅଧୀନରେ ଥିବା ହୋଟେଲରେ ଚଢ଼ାଉ କରାଯାଇଛି । ଆଗକୁ ଏହି ପ୍ରକ୍ରିୟା ଜାରି ରହିବ ।

ଯଦି କୌଣସି ବ୍ୟକ୍ତିଙ୍କ ପରିଚୟ ସନ୍ଦିଗ୍ଧ ଲାଗେ, ତେବେ ତୁରନ୍ତ ପୋଲିସକୁ ଜଣାଇବାକୁ ଅନୁରୋଧ କରାଯାଇଛି । ହକି ବିଶ୍ୱକପ ପାଇଁ ଦେଶ ଓ ଦେଶ ବାହାରୁ ହଜାର ହଜାର କ୍ରୀଡା ପ୍ରେମୀଙ୍କ ସମାଗମ ହେବ । ଏଣୁ ସେମାନଙ୍କ ସୁରକ୍ଷା ସହ ରାଜଧାନୀକୁ ସୁରକ୍ଷିତ ରଖିବା ପାଇଁ ରାତି ଅଧରେ ହୋଟେଲ ମାନଙ୍କରେ ସରପ୍ରାଇଜ ଚେକିଂ କରିଛି ପୋଲିସ ।

ଇମ୍ରାନଙ୍କୁ ଗୁଳିମାଡ ଘଟଣା: ହେଲା ବଡ ଖୁଲାସା

ଲାହୋର: ଗତବର୍ଷ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ହୋଇଛି ବଡ଼ ଖୁଲାସା । ଗତ ନଭେମ୍ବରରେ ବଜୀରାବାଦ ଅଂଚଳରେ ବାହାରିଥିବା ଏକ ନିର୍ବାଚନୀ ପ୍ରଚାର ରାଲିରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ । ଦୁଇ ବନ୍ଧୁକଧାରୀ ତାଙ୍କ ଉପରେ ଆକ୍ରମଣ କରିଥିଲେ । ତେବେ ଏହି ମାମଲାକୁ ଯାଂଚ କରୁଥିବା ଜିଆଇଟି ଏକ ବଡ଼ ଖୁଲାସା କରିଛନ୍ତି । ଯାଂଚ କରିଥିବା ଦଳ ପ୍ରକାଶ କରିଛନ୍ତି ଯେ, ଇମ୍ରାନ ଖାନଙ୍କ ଉପରେ ଆକ୍ରମଣ କରିଥିବା ମୋଟ ୪ଜଣ ବନ୍ଧୁକଧାରୀ ସେଠାରେ ଉପସ୍ଥିତ ଥିଲେ ଓ ସେମାନେ ଇମ୍ରାନ ଖାନଙ୍କୁ ଚାରିପଟୁ ଆକ୍ରମଣ କରିଥିଲେ । ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସମେତ ଆହୁରି ୩ଜଣ ସୁଟର ସେଠାରେ ଉପସ୍ଥିତ ଥିଲେ ବୋଲି ଯାଞ୍ଚ କରୁଥିବା ଦଳ କହିଛନ୍ତି ।
ପାକିସ୍ତାନର ତହରୀକ-ଏ-ଇନସାଫର ଅଧ୍ୟକ୍ଷ ଇମ୍ରାନ୍ ଖାନଙ୍କୁ ୩ ନଭେମ୍ବରରେ ଡାହାଣ ପାଦରେ ଗୁଳି ବାଜିଥିଲା । ଦୁଇ ଅଭିଯୁକ୍ତ ବଜୀରାବାଦ ଅଂଚଳରେ ଏକ କଂଟେନର ମାଉଂଟେଡ ଟ୍ରକ ଉପରେ ଛଡ଼ା ହୋଇ ଇମ୍ରାନ ଖାନଙ୍କ ଉପରେ ଗୁଳି କରିଥିବା ବେଳେ ଅନ୍ୟମାନେ ମଧ୍ୟ ତାଙ୍କୁ ଚାରିପଟୁ ଗୁଳି ବର୍ଷା କରିଥିଲେ । ଇମ୍ରାନଙ୍କ ଉପରେ ଏହି ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ସେ ଲାହୋରଠାରୁ ପାଖାପାଖି ୧୫୦ କିମି ଦୂରରେ ବଜୀରାବାଦ ଅଂଚଳରେ ନିର୍ବାଚନ ପାଇଁ ଏକ ପ୍ରଚାର ରାଲିର ନେତୃତ୍ୱ କରୁଥିଲେ ।
ଡନ୍ ଅଖବାର୍ ମଙ୍ଗଳବାର ଦିନ ଜିଆଇଟିର ଜଣେ ସଦସ୍ୟଙ୍କୁ ବୟାନ ଦେଇଥିବା ବେଳେ କହିଛନ୍ତି ଯେ, ଗିରଫ ହୋଇଥିବା ନବିଦ ମେହେର ଗୁଳି ଚଳାଇଥିବା ବେଳେ ଅନ୍ୟ ତିନିଜଣ ମଧ୍ୟ ବହୁ ଉପରୁ ରହି ଗୁଳି ଚଳାଇଥିଲେ । ଏଥି ସହିତ ଜିଆଇଟି ମାମଲାର ତଦନ୍ତ ପାଇଁ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ଓ କାର୍ଯ୍ୟକର୍ତ୍ତାଙ୍କର ବୟାନ ରେକର୍ଡ କରିଛି ।
ଲାହୋରର ପୋଲିସ ପ୍ରମୁଖ ଗୁଲାମ ମହମୁଦ କହିଛନ୍ତି କି ବିରୋଧୀ ରାଲି ସମୟରେ ଇମ୍ରାନ ଖାନଙ୍କୁ ଟ୍ରକ ଉପରୁ ୩ଟି ଗୁଳି ଲାଗିଥିଲା । ଏବଂ ଏହି ଆକ୍ରମଣ ସମୟରେ ସେଠାରେ ଉପସ୍ଥିତ ଥିବା ମୋଟ ୧୩ ଜଣଙ୍କ ଦେହରେ ଗୁଳି ବାଜି ସେମାନେ ଆହତ ହୋଇଥିଲେ । ଏହା ସହିତ ରାଲିରେ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଥିବା ମଧ୍ୟ ଜିଆଇଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ପଂଜାବ ଗୃହ ମନ୍ତ୍ରୀ ଉମର ସରଫାଜ ଚୀମା କହିଥିଲେ ଯେ, ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଏକ ସଂଗଠିତ ଯୋଜନା ଥିଲା । ଏବଂ ସେ ଏହା ମଧ୍ୟ କହିଥିଲେ ଯେ, ଗିରଫ ଅଭିଯୁକ୍ତ ଜଣେ ଟ୍ରେଣ୍ଡ କିଲର ଯିଏ ତା’ର ସାଥୀମାନଙ୍କ ସହିତ ସେଠାରେ ଉପସ୍ଥିତ ଥିଲା । ଅଭିଯୁକ୍ତ ନବୀଦ ପଲିଗ୍ରାଫ୍ ଟେଷ୍ଟରେ ମଧ୍ୟ ଫେଲ୍ ହୋଇଯାଇଥିଲା ଏବଂ ସେ ପୋଲିସକୁ କହିଥିଲା ଯେ, ସେ ଇମ୍ରାନ ଖାନଙ୍କୁ ମାରିବାକୁ ଚାହୁଁଥିଲା କାରଣ ସେ ଆଜାନ ସମୟରେ ଗୀତ ବଜାଉଥିଲେ ।
ପଞ୍ଜାବ ପୋଲିସ କହିଛନ୍ତି ଯେ, ସେମାନେ ଅପରାଧୀକୁ ଘଟଣାସ୍ଥଳରେ ଗିରଫ କରିଥିଲେ ଓ ଅପରାଧୀ ନିଜର ଅପରାଧୀକୁ ତୁରନ୍ତ ମାନିନେଇଥିଲା । ଇମ୍ରାନ ଖାନ ଦାବି କରିଛନ୍ତି ଯେ, ନବୀଦ ଏକ ପ୍ରଶୀକ୍ଷିତ ଶୁଟର ଥିଲା ଓ ଅନ୍ୟ ଶୁଟରମାନେ ମଧ୍ୟ ଥିଲେ ଯିଏ କି ଅନ୍ୟ ପଟୁ ଗୁଳି ଚଳାଇଥିଲେ ।
ତେବେ ୭୦ ବର୍ଷୀୟ ଇମ୍ରାନ ଖାନ ନିଜ ହତ୍ୟା ଷଡଯନ୍ତ୍ର ପାଇଁ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ, ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ ଓ ଆଇଏସଆଇର ମେଜର ଜେନେରାଲ ଫେସଲ ନସୀରକୁ ଦାୟୀ କରିଛନ୍ତି । ପଂଜାବ ପୋଲିସ ଇମ୍ରାନ ଖାନଙ୍କ ଆକ୍ରମଣ ମାମଲାରେ ୠଓଜ ଦର୍ଜ କରିଥିବା ବେଳେ ସେଥିରେ କୌଣସି ହାଇପ୍ରୋଫାଇଲ ଲୋକଙ୍କର ନାଁ ନେଇନଥିଲା । ତେବେ ପ୍ରାଥମିକ ତଦନ୍ତ ସମୟରେ ଇମ୍ରାନ ଖାନ କହିଥିଲେ ଯେ, ଶରୀଫ, ସନାଉଲ୍ଲାହ ଏବଂ ଫେଜଲଙ୍କ ବିନା ଏସବୁ “କଚରେ କା ଟୁକଡା ହେ” ।

ପାରାଦୀପରେ ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା, ଆଜି ହେବ ମିଲ୍ୟାକୋଭ ସର୍ଜେଇଙ୍କ ବ୍ୟବଚ୍ଛେଦ

ପାରାଦୀପ: ପାରାଦୀପ ବନ୍ଦର ଆଙ୍କରେଜରେ ଥିବା ଜାହାଜରେ ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା । ଏମ.ଭି. ଅଲଦାନା ନାମକ ଜାହାଜର ଚିଫ ଇଞ୍ଜିନିୟର ମିଲ୍ୟାକୋଭ ସର୍ଜେଇଙ୍କ ମୃତଦେହ ପାରାଦୀପ ବନ୍ଦର ଚିକିତ୍ସାଳୟରେ ସଂରକ୍ଷିତ ରଖାଯାଇଛି । ପୋଲିସ ପକ୍ଷରୁ ଜାହାଜର ସମସ୍ତ ୨୨ ଜଣ ସଦସ୍ୟଙ୍କ ବୟାନ ରେକର୍ଡ କରାଯାଇଛି । ପରେ ମୃତ ଋଷ ନାଗରିକଙ୍କ ମୃତଦେହକୁ ଏକ ଆମ୍ବୁଲାନ୍ସ ସହାୟତାରେ ବନ୍ଦର ଚିକିତ୍ସାଳୟର ଫ୍ରିଜରରେ ରଖାଯାଇଛି । ଏହି ପ୍ରକ୍ରିୟା ରାତି ୨ଟା ପର୍ଯ୍ୟନ୍ତ ଚାଲିଥିଲା । ଆଜି ତାଙ୍କ ଶବ ବ୍ୟବଚ୍ଛେଦ କରାଯିବାର ବ୍ୟବସ୍ଥା କରାଯିବ । ଏବଂ ଶବ ହସ୍ତାନ୍ତରର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ଏଥିସହିତ ବ୍ୟବଛେଦ ପରେ ତାଙ୍କର ମୃତ୍ୟୁର ସଠିକ୍ ତଥ୍ୟ ସାମ୍ନାକୁ ଆସିବ।

୨ ତାରିଖ ଦିନ ସନ୍ଧ୍ୟାରେ ଏହି ଜାହାଜ ଆଙ୍କରେଜରେ ଲାଗିଥିଲା ଏବଂ ୩ ତାରିଖରେ ଜେଏସଡବ୍ଲ୍ୟୁ ବର୍ଥରୁ ଆଇରନ ଓର ନେବାର ଥିଲା । ମାତ୍ର ମଙ୍ଗଳବାର ଭୋର ୪ଟା ୧୫ରେ ଜାହାଜର ଚିଫ୍ ଇଞ୍ଜିନିୟର ଗୁରୁତର ଥିବା ନେଇ ବନ୍ଦରକୁ ମେସେଜ ଦିଆଯାଇଥିଲା । ବନ୍ଦର ପକ୍ଷରୁ ଡକ୍ ବୋଟ୍ ସହାୟତାରେ ଏକ ଡାକ୍ତରୀ ଟିମ୍ ଜାହାଜ ନିକଟକୁ ପଠାଯାଇଥିଲା । ମାତ୍ର ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତରୀ ଟିମ୍ । ଏନେଇ ଜାହାଜ ଏଜେନ୍ସି ପକ୍ଷରୁ ପାରାଦୀପ ଥାନାରେ ଏତଲା ଦିଆଯିବା ପରେ ଜାହାଜରୁ ମୃତଦେହ ଆଣିବା ବ୍ୟବସ୍ଥା କରାଯାଇଥିଲା । ନେହେରୁ ବଙ୍ଗଳା ମେରାଇନ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହିତ ପାରାଦୀପ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଏକ ଟିମ୍ ଜାହାଜ ନିକଟକୁ ଯାଇଥିଲେ । ମାତ୍ର ଅତ୍ୟଧିକ ଲହଡି ଥିବାରୁ ଜାହାଜକୁ ବର୍ଥକୁ ଅଣାଯାଇ ଆଇରନ ଓର ବର୍ଥରେ ବର୍ଥିଂ କରାଯାଇଥିଲା ।

ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦: ପ୍ରଥମ ମ୍ୟାଚରେ ଭାରତର ରୋମାଞ୍ଚକର ବିଜୟ

ମୁମ୍ବାଇ: ନୂଆବର୍ଷରୁ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତ । ଗତକାଲି ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ୨ ରନରେ ପରାସ୍ତ କରିଛି ଭାରତ । ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଆରମ୍ଭ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ୱେ ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ୱିକେଟ ହରାଇ ୧୬୨ ରନ୍ କରିବାରେ ସଫଳ ହୋଇଥିଲା । ଭାରତ ପକ୍ଷରୁ ଅଲରାଉଣ୍ଡର ଦୀପକ ହୁଡ୍ଡା ୪୧ ରନ କରିଥିବାବେଳେ ଅକ୍ଷର ପଟେଲ ୩୧ ରନ କରିଥିଲେ ।

୧୬୩ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ମାତ୍ର ୧୬୦ ରନ କରିବାରେ ସଫଳ ହୋଇଥିଲା । ଭାରତୀୟ ଯୁବ ପେସରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ୨୦ ଓଭରରେ ସମସ୍ତ ଓ୍ୱିକେଟ ହରାଇ ୧୬୦ ରନ କରିଥିଲେ । ଯାହାଫଳରେ ଭାରତ ଏହି ମ୍ୟାଚକୁ ୨ ରନର ବିଜୟଲାଭ କରିଥିଲା । ଭାରତ ପକ୍ଷରୁ ଏହି ମ୍ୟାଚରେ ଡେବ୍ୟୁ କରିଥିବା ଦ୍ରୁତ ବୋଲର ଶିଭମ ମାଭି ୪ ଓ୍ୱିକେଟ ନେଇଥିବାବେଳେ ଉମ୍ରାନ ମଲ୍ଲିକ ଓ ହର୍ଷଲ ପଟେଲ ଦୁଇଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ ।

ରାଜଧାନୀରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ, ମହିଳା ଏସଆଇଙ୍କୁ ଖଣ୍ଡା ଧରି ଗୋଡ଼ାଇଲେ

ଭୁବନେଶ୍ୱର: ରାଜଧାନୀରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ମହିଳା ଏସଆଇଙ୍କୁ ଖଣ୍ଡା ଧରି ଗୋଡ଼ାଇଲେ । ପୋଲିସ ରିଜର୍ଭ ବାରକ ଭିତରେ ପଶି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ସାଇନ୍ସ ପାର୍କରୁ ରିଜର୍ଭ ବାରାକ ପର୍ଯ୍ୟନ୍ତ ଇନୋଭା ଗାଡ଼ିରେ ଗୋଡ଼ାଇଲେ । ତେବେ ଏହି ଘଟଣା ପରେ ସହିଦନଗର ଥାନାରେ ଏତଲା ଦେଇଛନ୍ତି ଏସଆଇ ଶୁଭଶ୍ରୀ ନାୟକ । କେସ ନମ୍ବର ୩/ ୨୩ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ସିସିଟିଭି ଚେକ କରି ଦୁର୍ବୁତ୍ତଙ୍କୁ ଧରିବାକୁ ଚାଲିଛି ଛାନଭିନ୍ ।

କିଏ ହେବ ମହିଳା ଆଇପିଏଲ ଟିମ୍‌ ମାଲିକ, ବିସିସିଆଇ ପକ୍ଷରୁ ଟେଣ୍ଡର ଆହ୍ବାନ

ମୁମ୍ବାଇ: ବିସିସିଆଇ ପକ୍ଷରୁ ମହିଳା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ମହିଳା ଆଇପିଏଲର ଶୁଭାରମ୍ଭ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି  । ମହିଳା ଆଇପିଏଲ ଦଳ କିଣିବା ଏବଂ ଚଳାଇବା ଅଧିକାର ପାଇଁ ବିସିସିଆଇ ଟେଣ୍ଡର ଘୋଷଣା କରିଛି । ଆଇପିଏଲର ପରିଚାଳନା ପରିଷଦ ଏକ ମିଡିଆ ରିଲିଜ୍ ମାଧ୍ୟମରେ ଘୋଷଣା କରିଛି ଯେ ଦଳ କିଣିବାକୁ ଥିବା ଆଗ୍ରହୀ ସଂସ୍ଥାଗୁଡ଼ିକ ଦଳ କିଣିବା ଏବଂ ପରିଚାଳନା କରିବାର ଅଧିକାର ହାସଲ କରିବା ପାଇଁ ଆବଶ୍ୟକ ବିଡିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତୁ । ଏହି ନିମନ୍ତ୍ରଣ ଜରିଆରେ ଏହି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ ବୋର୍ଡ ମଧ୍ୟ ଆବଶ୍ୟକ ସର୍ତ୍ତ ରଖିଛି । ମହିଳା ଆଇପିଏଲ୍ ଦଳ କିଣିବା ପାଇଁ ଆବଶ୍ୟକ ଯୋଗ୍ୟତା, ବିଡ୍ ସହିତ ଅଗ୍ରଗତି କରିବାକୁ ଆବଶ୍ୟକ ପ୍ରକ୍ରିୟା, ପ୍ରସ୍ତାବିତ ଦଳର ଦାୟିତ୍ବ ଏବଂ ଅଧିକାର ବିସିସିଆଇ ପକ୍ଷରୁ କୁହାଯାଇଛି ।

ଭାରତୀୟ ବୋର୍ଡ ଇନଭିଟେସନ ଟୁ ଟେଣ୍ଡରର ମୂଲ୍ୟ ୫ ଲକ୍ଷ ଟଙ୍କା ରଖିଛି । ଏହି ରାଶିର ଜିଏସଟି ପୃଥକ ଭାବରେ ପ୍ରଦାନ କରାଯିବ । ଏହି ରାଶି ଫେରସ୍ତ ହେବ ନାହିଁ । ଜିଏସଟି ସମେତ ମୋଟ ୫ ଲକ୍ଷ ୯୦ ହଜାର ଟଙ୍କା ସହ ମହିଳା ଆଇପିଏଲ୍ ଦଳ କିଣିବାକୁ ଟେଣ୍ଡର ପକାଇପାରିବେ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଆଇଟିଟି କ୍ରୟ ପାଇଁ ଉପଲବ୍ଧ ହେବ । ଦଳ କିଣିବାକୁ ଆଗ୍ରହୀମାନଙ୍କୁ ଦେୟଗୁଡିକର ବିବରଣୀ ଇମେଲ କରିବାକୁ ଅନୁରୋଧ କରିଛି IPL ପରିଚାଳନା ପରିଷଦ । ବିସିସିଆଇ ସ୍ପଷ୍ଟ କରିଛି ଯେ କେବଳ ITT କ୍ରୟ କରିଥିବା କୌଣସି ବ୍ୟକ୍ତିଙ୍କୁ ବିଡ୍ କରିବାକୁ ଅଧିକାର ଦେବ ନାହିଁ । ବିସିସିଆଇ ନିଜ ଇଚ୍ଛାନୁସାରେ ଯେ କୌଣସି ପର୍ଯ୍ୟାୟରେ ବିଡିଂ ପ୍ରକ୍ରିୟାକୁ ବାତିଲ କରିପାରିବ ।

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ସକାଳ ୬ ଟାରୁ ମଧ୍ୟ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା

ଚିଲିକା: ଚିଲିକାରେ ପକ୍ଷୀ ଗଣନା ଆରମ୍ଭ । ସକାଳ ୬ ଟାରୁ ମଧ୍ୟ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ୍ ପକ୍ଷୀଗଣନାରେ ନିୟୋଜିତ ହୋଇଛନ୍ତି। ପ୍ରତି ଟିମରେ ଅଛନ୍ତି ୭ ସଦସ୍ୟ । ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ରହିଛନ୍ତି ।

ଟାଙ୍ଗି ଜୋନରେ ୮ଟି ଟିମ୍, ବାଲୁଗାଁରେ ୬ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଓ ଚିଲିକାରେ ଗୋଟିଏ ଟିମ୍‌ ନିୟୋଜିତ ଅଛନ୍ତି । କମ୍ପାସ, ବାଇନାକୁଲାର ଓ ଜିପିଏସ ମାଧ୍ୟ୍ୟମରେ ହେଉଛି ପକ୍ଷୀ ଗଣନା । ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି ଓୟୁଏଟି ଛାତ୍ର, ପକ୍ଷୀ ବିଷାରଦ ଓ ବନ୍ୟପ୍ରାଣୀ କର୍ମଚାରୀ । ଗତବର୍ଷ ସମୁଦାୟ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୦୭ ପ୍ରଜାତିର ୧୦ ଲକ୍ଷ ୩୬ ହଜାର ୨୨୦ ଗୋଟି ବିଦେଶୀ ପକ୍ଷୀ ଏବଂ ୭୬ ପ୍ରଜାତିର ୩୭ ହଜାର ୯ ଶହ ୫୩ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ ଅଛନ୍ତି ।