ଏମ ରାମପୁର : ବାଇକ୍ ଓ ପିକଅପ ଭ୍ୟାନ୍ ମୁହାଁମୁହିଁ ଧକ୍କା, ବାପ ପୁଅ ମୃତ । କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ । କଳାହାଣ୍ଡି ଜିଲ୍ଲା ନର୍ଲା ନିକଟସ୍ଥ ଦେହେଲି ଗାଁ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ରେ ବସିଥିବା ଗୋଟିଏ ପରିବାରର ବାପା ଓ ପୁଅ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ମାଆ ଓ ଝିଅ ଗୁରୁତର ଆହତ ହୋଇ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ନର୍ଲା ବ୍ଳକର ତେରଲୋ ଗାଁର ବୁଧ ବାରିକ , ସ୍ତ୍ରୀ, ପୁଅ ଝିଅ ମିଶି ଏକ ବାଇକରେ ନର୍ଲା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବାପା ବୁଧ ଓ ପୁଅ ଆରବର ମୃତ୍ୟୁ ଘଟିଛି । ମାଆ ଓ ଝିଅ ଗୁରୁତର ଆହତ ହୋଇଛନ୍ତି । ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଦେହେଲି ଗାଁ ଛକଠାରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ବୁଝାସୁଝା କରୁଛି।
ନବରାତ୍ର ପାଇଁ ଚଳଚଞ୍ଚଳ ଗଞ୍ଜାମର ଅଧିଷ୍ଠାତ୍ରୀ ତାରାତାରିଣୀଙ୍କ ପୀଠ, ବେଦମନ୍ତ୍ରରେ କମ୍ପୁଛି ପରିବେଶ
ପୁରୁଷୋତ୍ତମପୁର : ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତାରାତାରିଣୀଙ୍କ ପୀଠ । ଚଣ୍ଡୀ ପାଠ ସହ ବେଦମନ୍ତ୍ରରେ କମ୍ପୁଛି ପରିବେଶ । ଲାଗିଛି ଭକ୍ତଙ୍କ ଗହଳି । ଧୂପନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ । ଆଜି ନବରାତ୍ରର ପ୍ରଥମ ଦିନରେ ଭକ୍ତଙ୍କୁ ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ । ମାଆଙ୍କ ଦୁର୍ଲଭ ବେଶ ଦେଖିବାକୁ ଦୂରଦୂରାନ୍ତରୁ ଛୁଟିଆସିଛନ୍ତି ଶ୍ରଦ୍ଧାଳୁ । ସେପଟେ ପୀଠରେ ଆଜିଠୁ ଲାଗିଲା ଅସଂଖ୍ୟ ଅଖଣ୍ଡ ଦୀପ । ବିଶ୍ୱାସ ରହିଛି ତାରାତାରିଣୀଙ୍କ ପୀଠରେ ନବରାତ୍ରୀ ସମୟରେ ଦୀପ ଦାନ କଲେ ପାପ ଖଣ୍ଡନ ସହ ମାନସିକ ପୂର୍ଣ୍ଣ ହୋଇଥାଏ । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।…
ସେପଟେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ତେଲେଣ୍ଡା ଗାଁରେ ଥିବା ରାମଚଣ୍ଡୀଙ୍କ ପୀଠରେ ଲାଗିଛି ଭକ୍ତଙ୍କ ଗହଳି । ଧୂପ ଦୀପରେ ମହକୁଛି ପୀଠ । ପୀଠରେ ଚାଲିଛି ଷୋଳ ଦିନାତ୍ମକ ପୂଜା । ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଷଷ୍ଠୀ ତିଥିରେ ମାଆଙ୍କ ନିକଟରେ ‘ଦନା ପୁର୍ଗା’ ମାଛ ଭୋଗ ଲାଗି ହେବାର ବିଧି ରହିଛି । ନବରାତ୍ର ପୂଜା ପାଇଁ ନବମୀ ପର୍ଯ୍ୟନ୍ତ ଶକ୍ତିପୀଠରେ ଭକ୍ତଙ୍କ ସମାଗମ ଲାଗି ରହିବ ।
ବାଣ ବିସ୍ଫୋରଣ ଘଟଣା ପରେ ତତ୍ପର ପ୍ରଶାସନ, ବାଣ ବ୍ୟବସାୟୀଙ୍କ ଘରେ ରେଡ଼
କଣ୍ଟାମାଳ : ବାଣ ବିସ୍ଫୋରଣ ଘଟଣା ପରେ ତତ୍ପର ହୋଇଛି ପ୍ରଶାସନ । ପୋଲିସ ପକ୍ଷରୁ ଜଣେ ବାଣ ବ୍ୟବସାୟୀ ଆଲୋକଦତ୍ତ କାଣ୍ଟିଙ୍କ ଘରେ ରେଡ଼ ଜାରି ରହିଛି । ବାଣ ନଷ୍ଟ ପାଇଁ ୩ଟି ଟ୍ରକରେ ଲୋଡ଼ ଚାଲିଛି ବାଣ । ଗତକାଲି ରାତିରେ ଅଗ୍ନିସମ ବିଭାଗ ପକ୍ଷରୁ ବାଣକୁ ପାଣି ସ୍ପ୍ରେ କରି ଓଦା କରାଯାଇଥିଲା ବେଳେ ଆଜି ବାଣକୁ ନଷ୍ଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇଟି ପିକପ ସହ ଗୋଟିଏ ବଡ ଟ୍ରକରେ ଲୋଡ଼ ହେଉଛି ବାଣ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭଳି ଏକ ଛୋଟ ଜାଗାରେ ୩ଟ୍ରକ ବାଣ ଗୋଟିଏ ଘରୁ ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଖାଲି ଏତିକି ନୁହେଁ ଆଗକୁ ପୁରୁଣାକଟକ ସହ ଅନ୍ୟ ଜାଗାରେ ମଧ୍ୟ୍ୟ ବାଣ ଗୋଦାମ ଗୁଡିକ ରେଡ଼ କରାଯିବ ବୋଲି ପୋଲିସ କହିଛି । ଏହି ରେଡ଼ରେ ବୋୖଦ୍ଧ SDPOଙ୍କ ସମେତ ୩ଜଣ IIC ସାମିଲ ହୋଇଛନ୍ତି । ଅନ୍ୟପଟେ ସମସ୍ତ ବାଣକୁ ବୋୖଦ୍ଧ ବଲାସିଙ୍ଗା ସ୍ଥିତ IRB ବାଟଲେୟନ ପରିସରରେ ପୋତାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଋଷୀୟ ଯୁଦ୍ଧ ବିମାନକୁ ଖସାଇ ଦେବାକୁ ରାଜି ହେଲା ନାଟୋ…
ନନ୍ଦିଘୋଷ ବ୍ୟୁରୋ : ରୁଷ ଏବେ ୟୁକ୍ରେନ ବାହାରେ ତା’ର ଆକ୍ରମଣକୁ ବିସ୍ତାର କରିବା ଆରମ୍ଭ କରିଛି। ରୁଷର ଡ୍ରୋନଗୁଡ଼ିକ ଏବେ ୟୁରୋପୀୟ ଦେଶଗୁଡ଼ିକର ଆକାଶରେ ମଧ୍ୟ ଦୃଶ୍ୟମାନ ହେଉଛି। ରୁଷର ଏହି କାର୍ଯ୍ୟ ପରେ, ନାଟୋ ଦେଶଗୁଡ଼ିକ ଏକଜୁଟ୍ ହୋଇଛନ୍ତି ଓ ରୁଷ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ନାଟୋ ଆକାଶ ସୀମାରେ ପ୍ରବେଶ କରୁଥିବା ଯେକୌଣସି ରୁଷୀୟ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଏକ ରିପୋର୍ଟ ଅନୁଯାୟୀ, ଏଷ୍ଟୋନିଆରେ ପ୍ରବେଶ କରିଥିବା ଏକ ରୁଷୀୟ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦିଆଯିବାର ଯୋଜନା କରାଯାଇଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ଫେରିବାକୁ ଅନୁମତି ଦିଆଯାଇଥିଲା। ସେପ୍ଟେମ୍ବର ମାସରେ ରୁଷ କେବଳ ୟୁକ୍ରେନରେ ନୁହେଁ ବରଂ ଏଷ୍ଟୋନିଆ, ରୋମାନିଆ ଓ ପୋଲାଣ୍ଡରେ ମଧ୍ୟ ବିମାନ ଆକ୍ରମଣ କରିଛି। ପୋଲାଣ୍ଡରେ ପ୍ରବେଶ କରିଥିବା ଏକ ରୁଷୀୟ ବିମାନକୁ ଗୁଳି କରି ଖସାଇ ଦେବା ପାଇଁ ବ୍ରିଟେନ ମଧ୍ୟ ତାର ଯୁଦ୍ଧ ବିମାନ ପଠାଇଥିଲା।
ସେପ୍ଟେମ୍ବର ୧୦ ତାରିଖରେ ରୁଷ ପୋଲାଣ୍ଡର ଆକାଶ ଉପରେ ତାର ଡ୍ରୋନ ଉଡ଼ାଇଥିଲା। ରିପୋର୍ଟ ଅନୁସାରେ, ୧୯ଟି ରୁଷୀୟ ଡ୍ରୋନ ପୋଲାଣ୍ଡରେ ପ୍ରବେଶ କରିଥିଲା, ଏହା ପରେ ରାଫେଲ ସମେତ ଅନେକ ଲଢ଼ୁଆ ବିମାନ ଡ୍ରୋନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
ସେପ୍ଟେମ୍ବର ୧୩ ତାରିଖରେ ରୋମାନିଆରେ ସମାନ ଘଟଣା ଘଟିଥିଲା, ଯେଉଁଠାରେ ଏକ ରୁଷୀୟ ଡ୍ରୋନକୁ ଅଟକାଇବା ପାଇଁ ଏଫ-୧୬ ବିମାନ ନିୟୋଜିତ କରାଯାଇଥିଲା। ସେପ୍ଟେମ୍ବର ୧୯ ତାରିଖରେ, ଏକ ରୁଷୀୟ ଯୁଦ୍ଧ ବିମାନ ଏଷ୍ଟୋନିଆନ ଆକାଶ ସୀମାରେ ପ୍ରବେଶ କରି ଉତ୍ତେଜନା ସୃଷ୍ଟି କରିଥିଲା।
ଗତ ତିନି ବର୍ଷ ଧରି ଯୁଦ୍ଧ ଚାଲିଥିବା ବେଳେ, ରୁଷ କେବେବି ୟୁକ୍ରେନ ବ୍ୟତୀତ ଅନ୍ୟ କୌଣସି ଦେଶକୁ ଟାର୍ଗେଟ କରିନାହିଁ। ତଥାପି, ଏବେ ରୁଷ ୟୁରୋପୀୟ ଦେଶଗୁଡ଼ିକୁ ୟୁକ୍ରେନକୁ ସାହାଯ୍ୟ ନକରିବାକୁ ବାରମ୍ବାର ଚେତାବନୀ ଦେଉଛି। ଏହି ସମୟରେ, ୟୁରୋପୀୟ ଦେଶମାନେ ୟୁକ୍ରେନକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଏହା କରି, ରୁଷ ଏହି ଦେଶଗୁଡ଼ିକର ଏକତାକୁ ପରୀକ୍ଷା କରିବାକୁ ଚେଷ୍ଟା କରୁଛି, ଯାହା ଏହାକୁ ତାର ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ। ୟୁରୋପୀୟ ଦେଶମାନେ ୟୁକ୍ରେନକୁ ସମର୍ଥନ କରିବାର ଏକ କାରଣ ହେଉଛି ଯେ ୟୁରୋପୀୟ ଦେଶମାନେ ବିଶ୍ୱାସ କରନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ, ରୁଷ ୟୁରୋପୀୟ ଦେଶଗୁଡ଼ିକୁ ଏହାର ଆକ୍ରମଣ ପରିସର ବିସ୍ତାର କରିପାରିବ।
ଖୁବଶୀଘ୍ର ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ; ୩ଟି ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ
ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ବିହାର ନିର୍ବାଚନ ତାରିଖ ଘୋଷଣା। ଆସନ୍ତା ନଭେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇପାରେ ବିହାର ବିଧାନସଭା ନିର୍ବାଚନ। ନଭେମ୍ବର ୫ ରୁ ୧୫ ପର୍ଯ୍ୟନ୍ତ ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ୨୨ ନଭେମ୍ବର, ୨୦୨୫ରେ ଶେଷ ହେବ। ନିର୍ବାଚନ କମିଶନଙ୍କୁ ସେହି ତାରିଖ ପୂର୍ବରୁ ନିର୍ବାଚନର ପ୍ରକ୍ରିୟା ସମାପ୍ତ କରିବାକୁ ପଡିବ। ୨୮ ଅକ୍ଟୋବରରେ ପଡୁଥିବା ଛଟ ପୂଜା ପରେ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ୨୨ ନଭେମ୍ବର ୨୦୨୫ରେ ଶେଷ ହେବ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆସନ୍ତା ସପ୍ତାହରେ ନିର୍ବାଚନ ହେବାକୁ ଥିବା ବିହାର ଗସ୍ତରେ ଯାଇ ନିର୍ବାଚନ ପ୍ରସ୍ତୁତି ଏବଂ ସେପ୍ଟେମ୍ବର 30 ତାରିଖରେ ପ୍ରକାଶିତ ହେବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକାର ସମୀକ୍ଷା କରିବେ।
ନିର୍ବାଚନ କମିଶନଙ୍କ ଦ୍ୱାରା ସଦ୍ୟ ସମାପ୍ତ ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟ ଯେଉଁଥିରେ ଡ୍ରାଫ୍ଟ ଭୋଟର ତାଲିକାରୁ ୬୫ ଲକ୍ଷ ନାମ ବାଦ ଦିଆଯାଇଥିଲା। ତାହାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି ଯେ ସେପ୍ଟେମ୍ବର ୩୦ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବା ପରେ ମଧ୍ୟ ଯଦି କୌଣସି ତ୍ରୁଟି ଜଣାପଡ଼େ ତେବେ ଏହା ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ବାତିଲ କରିଦେବ।୨୦୨୦ ନିର୍ବାଚନ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ୭୧ଟି ଆସନରେ ଅକ୍ଟୋବର ୨୮ରେ, ୯୪ଟି ଆସନରେ ୩ ନଭେମ୍ବରରେ ଏବଂ ୭୮ଟି ଆସନରେ ୭ ନଭେମ୍ବରରେ ଭୋଟଗ୍ରହଣ ହୋଇଥିଲା। ଫଳାଫଳ ୧୦ ନଭେମ୍ବରରେ ଘୋଷଣା କରାଯାଇଥିଲା। ୨୦୧୫ରେ ପାଞ୍ଚଟି ପର୍ଯ୍ୟାୟରେ ମତଦାନ ହୋଇଥିଲା।
ଚଳିତ ବର୍ଷ ପୁଣି ଥରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ଏବଂ ବିରୋଧୀଙ୍କ ଇଣ୍ଡି ବ୍ଳକ ମଧ୍ୟରେ ଲଢ଼ିବ। ବିଜେପି, ଜନତା ଦଳ ୟୁନାଇଟେଡ୍ ଏବଂ ଲୋକ ଜନଶକ୍ତି ପାର୍ଟି ରାମବିଳାସକୁ ନେଇ ଗଠିତ NDA। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଆଉ ଏକ କାର୍ଯ୍ୟକାଳ ପାଇଁ ଲକ୍ଷ୍ୟ ରଖିଛି। କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡ଼ିକ ସହିତ ରାଷ୍ଟ୍ରୀୟ ଜନତା ଦଳ (RJD) ନେତୃତ୍ୱରେ ବିରୋଧୀ ଶିବିର ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ଆଶା କରୁଛି। ୨୪୩ ସଦସ୍ୟ ବିଶିଷ୍ଟ ଗୃହରେ NDA ବର୍ତ୍ତମାନ ୧୩୧ ସଦସ୍ୟଙ୍କ ସହିତ ବହୁମତ ହାସଲ କରିଥିଲା। ବିଜେପି ୮୦, ଜେଡିୟୁ ୪୫, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ୪, ଏବଂ ୨ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି। ଇଣ୍ଡିଆ ବ୍ଲକ୍ରେ ୧୧୧ ବିଧାୟକ ଅଛନ୍ତି, ଯେଉଁଥିରେ RJD ୭୭, କଂଗ୍ରେସ ୧୯, CPIML ୧୧, CPIM ୨ ଏବଂ CPIର ୨ ଜଣ ଅଛନ୍ତି।
ଅହମ୍ମଦାବାଦ ବିମାନ ଦୁର୍ଘଟଣା ମାମଲା ; ‘ଫୁଏଲ କଟଅଫ୍ କାରଣ ଦୁର୍ଭାଗ୍ୟଜନକ’
ନନ୍ଦିଘୋଷ ବ୍ୟୁରୋ: ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଘଟଣା। ଦୁର୍ଘଟଣାର କାରଣ ପାଇଲଟଙ୍କ ତ୍ରୁଟିକୁ ରିପୋର୍ଟରେ ଦର୍ଶାଯାଇଥିବାରୁ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସୁପ୍ରିମକୋର୍ଟ। AI 171 ବିମାନ ଦୁର୍ଘଟଣାରେ ପାଇଲଟଙ୍କ ତ୍ରୁଟି ଥିବା ନେଇ ତଦନ୍ତ ରିପୋର୍ଟ ପରେ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଦୁର୍ଘଟଣାର ସ୍ୱାଧୀନ ତଦନ୍ତ ଦାବି କରୁଥିବା ଆବେଦନ ଉପରେ ଶୁଣାଣି କରି ନେଇ କେନ୍ଦ୍ର ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ DGCAରୁ ଜବାବ ମାଗିଛନ୍ତି। କୋର୍ଟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋଠାରୁ ମଧ୍ୟ ଜବାବ ତଲବ କରିଛନ୍ତି। ୨୬୫ ଜଣଙ୍କ ଜୀବନ ନେଇଥିବା ଏହି ଦୁର୍ଘଟଣାର କାରଣ ସମ୍ପର୍କରେ ଏକ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ପ୍ରକାଶ କରିଥିଲା AAIB।
ରିପୋର୍ଟରେ କ୍ୟାପ୍ଟେନ ସୁମିତ ସବରୱାଲ ଏବଂ ଫାଷ୍ଟ ଅଫିସର କ୍ଲାଇଭ କୁନ୍ଦରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଉଲ୍ଲେଖ କରାଯାଇଥିଲା। ରିପୋର୍ଟରେ କୁହାଯାଇଛି ଯେ କକପିଟ୍ ଅଡିଓ ନିଶ୍ଚିତ କରିଛି ଯେ ଜଣେ ପାଇଲଟ୍ ପଚାରିଥିଲେ ତୁମେ କାହିଁକି କାଟିଲ। ଏବଂ ଅନ୍ୟ ଜଣେ ଉତ୍ତର ଦେଇଥିଲେ ମୁଁ କରିନାହିଁ। ଏଥିରୁ ଅନୁମାନ କରାଯାଉଛି ଯେ ଏହି ଭୟଙ୍କର ଦୁର୍ଘଟଣା ପଛରେ ପାଇଲଟଙ୍କ ତ୍ରୁଟି ଥିବା ବୋଲି ରିପୋର୍ଟରେ ଦର୍ଶାଯାଇଛି। ବେସରକାରୀ ସଂଗଠନ କନଷ୍ଟିଚ୍ୟୁସନ୍ ବାଏ ସେଫ୍ଟି ମ୍ୟାଟର୍ସ ଫାଉଣ୍ଡେସନ୍ ଏହାକୁ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲା। ଯେଉଁଥିରେ ଅଭିଯୋଗ କରାଯାଇଛି ଯେ ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ଲୁଚାଇ ରଖାଯାଇଛି। ଏହା ନାଗରିକଙ୍କ ଜୀବନ, ସମାନତା ଏବଂ ସୂଚନା ପାଇବାର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି।ପିଆଇଏଲରେ ରିପୋର୍ଟକୁ ଇନ୍ଧନ-ସୁଇଚ୍ ତ୍ରୁଟି ଏବଂ ବୈଦ୍ୟୁତିକ ତ୍ରୁଟି ଭଳି ବ୍ୟବସ୍ଥାଗତ ଅସଙ୍ଗତିକୁ ଅଣଦେଖା କରିବା ଏବଂ ପାଇଲଟ୍ ତ୍ରୁଟିକୁ ଦୁର୍ଘଟଣା ବୋଲି ଦର୍ଶାଇବା ନେଇ ସମାଲୋଚନା କରିଛି।
କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ; ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣକର ମୃତ୍ୟୁ ଅଭିଯୋଗ
ଭୁବନେଶ୍ବର : ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା। ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣକର ମୃତ୍ୟୁ ଅଭିଯୋଗ ହୋଇଛି। ହସ୍ପିଟାଲରେ ଉତ୍ତେଜନା ପରେ ପହଞ୍ଚିଲା ପୋଲିସ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ। ଜଣେ ୩ ବର୍ଷୀୟ ଶିଶୁ ଥଣ୍ଡା ଜ୍ଵରରେ ପୀଡ଼ିତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଜଣେ ମହିଳା ଡାକ୍ତର ଦାୟିତ୍ୱରେ ଥାଇ ମଧ୍ୟ ପିଲାଟିକୁ ଠିକ ଚିକିତ୍ସା କରିନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସେପଟେ ଡାକ୍ତରଙ୍କୁ ଅଟକ ରଖିଛନ୍ତି ପରିବାର ଲୋକ। ଅବହେଳା କରିଥିବା ଡାକ୍ତରଙ୍କୁ ଗିରଫ ଦାବି କଲେ ମୃତ ଶିଶୁର ପରିବାର ଲୋକ।
ମହାଲକ୍ଷ୍ମୀଙ୍କ ପ୍ରତିଶ୍ରୁତି ରଖିଲେ ମହାପ୍ରଭୁ, କଲେ ଗୁପ୍ତ ଗୁଣ୍ଡିଚା ଯାତ୍ରା
ପୁରୀ : ଆଜିଠାରୁ ଆରମ୍ଭ ଗୁପ୍ତଗୁଣ୍ଡିଚା ଯାତ୍ରା । ଶାରଦୀୟ ଦୂର୍ଗା ଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଆଜିଠୁ ମହାପ୍ରଭୁଙ୍କ ଆରମ୍ଭ ହୋଇଛି ଗୁପ୍ତଗୁଣ୍ଡିଚା । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମାଆ ମହାଲକ୍ଷ୍ମୀ ସ୍ଵରୁପା ମାଆ ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଛନ୍ତି। ମାଆ ଲକ୍ଷ୍ମୀଙ୍କୁ ପବିତ୍ର ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଗୁଣ୍ଡିଚା ଘରକୁ ନେଇନଥିବା ବେଳେ ନୀଳାଦ୍ରିବିଜେ ସମୟରେ ଅଭିମାନିନୀ ମାଆ ଲକ୍ଷ୍ମୀଙ୍କୁ ଗୁପ୍ତଗୁଣ୍ଡିଚାରେ ଯିବା ପାଇଁ ପ୍ରତିଶୃତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ। ତେବେ ସେହି ପ୍ରତିଶୃତି, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରି ଏହି ଗୁପ୍ତଗୁଣ୍ଡିଚା ଅନୁଷ୍ଠିତ ହେବାର ପରମ୍ପରା ରହିଛି ।
ଶ୍ରୀକ୍ଷେତ୍ରରେ ଦୀର୍ଘ ଆଠ ଦିନ ଧରି ଗୁପ୍ତ ଗୁଣ୍ଡିଚା ବା ଶାକ୍ତ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ଶ୍ରୀମନ୍ଦିରରୁ ଶ୍ରୀ ଦୁର୍ଗାମାଧବ ଦୋଳମଣ୍ଡପ ସାହି ସ୍ଥିତ ମା ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି। ଷୋଳ ପୂଜାର ଶେଷ ଆଠ ଦିନ ଧରି ଏହି ପୀଠଟି ଚଳଚଞ୍ଚଳ ହୋଇଉଠେ। ରତ୍ନ ସିଂହାସନରୁ ମାଧବ ଓ ଦକ୍ଷିଣୀ ଘରୁ ମା ଦୁର୍ଗାଙ୍କ ମୂର୍ତ୍ତି ଗୋଟିଏ ରଥାକୃତି ବିମାନରେ ରୁନ୍ଧା ହୋଇ ଗୁପ୍ତ ଗୁଣ୍ଡିଚାରେ ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି । ଏଠାରେ କିଛି ସମୟ ଅବସ୍ଥାନ କରି ବିଭିନ୍ନ ବନ୍ଦାପନା, ଭୋଗ ଓ ଆଳତି ପରେ ଏକ ପାଲିଙ୍କିରେ ଶ୍ରୀମନ୍ଦିରକୁ ଫେରି ଯାଆନ୍ତି ।
ନିଜ ନାଗରିକଙ୍କ ଉପରେ ଆକାଶରୁ ବୋମା ବର୍ଷା କଲା ପାକିସ୍ତାନ
ନନ୍ଦିଘୋଷ ବ୍ୟୁରୋ; ନିଜ ନାଗରିକଙ୍କୁ ହତ୍ୟା କରୁଛି ପାକିସ୍ତାନ । ରାତିଅଧରେ ଆକାଶରୁ ବୋମା ବର୍ଷଣ କରି ଖାଇବର ପଖତୁନଖ୍ୱା ପ୍ରଦେଶକୁ ଧ୍ବଂସସ୍ତୁପରେ ପରିଣତ କରିଛି । ରାତିଅଧରେ ପାକିସ୍ତାନୀ ସେନା ଖାଇବର ପଖତୁନଖ୍ୱା ପ୍ରଦେଶରେ ଆକାଶରୁ ବୋମାମାଡ଼ କରିଛି । ରବିବାର ରାତିରେ କେପିର ଖାଇବର ଜିଲ୍ଲାରେ ପାକିସ୍ତାନୀ ଲଢ଼ୁଆ ବିମାନ ଦ୍ୱାରା ହୋଇଥିବା ବିମାନ ଆକ୍ରମଣରେ ଅତିକମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ଏବଂ ଶିଶୁ ଅଛନ୍ତି। ଏହି ଆକ୍ରମଣରେ ୩୫ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ପାକିସ୍ତାନୀ ଅଧିକାରୀ ଏବଂ ସେନା ଏପର୍ଯ୍ୟନ୍ତ ଏହି ଆକ୍ରମଣ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।
ସ୍ଥାନୀୟ ବାସିନ୍ଦାଙ୍କ ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ସେନା ଖାଇବର ଜିଲ୍ଲାର ତିରାହ ଅଞ୍ଚଳରେ ସାଧାରଣ ଲୋକଙ୍କ ଘରଗୁଡ଼ିକୁ ଟାର୍ଗେଟ କରିଥିଲା, ଯାହା ଫଳରେ ଅନେକ ଘର ଭୁଶୁଡ଼ି ପଡ଼ିଥିଲା ଏବଂ ଭିତରେ ଶୋଇଥିବା ଲୋକମାନେ ପୋତି ହୋଇଯାଇଥିଲେ। ଆକ୍ରମଣର ପ୍ରାୟ ୧୦ଘଣ୍ଟା ପରେ ମଧ୍ୟ ସ୍ଥାନୀୟ ଲୋକ ଏବଂ ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ତଳେ ମୃତଦେହ ଖୋଜୁଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଅଞ୍ଚଳର ବାସିନ୍ଦାମାନେ ଏହାକୁ ଖାଇବର ପଖତୁନଖ୍ୱାରେ ପାକିସ୍ତାନୀ ସେନା ଦ୍ୱାରା କରାଯାଇଥିବା ଏକ ନିର୍ମମ ହତ୍ୟାକାଣ୍ଡ ବୋଲି ବର୍ଣ୍ଣନା କରିଛନ୍ତି । ଦାରା ଗ୍ରାମ ବିଶେଷ ଭାବରେ ଧ୍ୱଂସପ୍ରାପ୍ତ ହୋଇଛି, ଯେଉଁଥିରେ ସର୍ବାଧିକ ମୃତ୍ୟୁ ଘଟିଛି। ରାତି ୨ଟାରେ ପାକିସ୍ତାନୀ ବାୟୁସେନା ତିରାହ ଉପତ୍ୟକାର ଏହି ଗ୍ରାମ ଉପରେ JF-17 ଲଢ଼ୁଆ ବିମାନରୁ ଅତି କମରେ ଆଠଟି LS-6 ବୋମା ପକାଇଥିଲା, ଯାହା ଫଳରେ ଘରଗୁଡ଼ିକ ଧ୍ୱଂସାବଶେଷ ହୋଇଯାଇଥିଲା ଏବଂ ଶୋଇଥିବା ଗ୍ରାମଟି ମଶାଣିରେ ପରିଣତ ହେଇଥିଲା ।
ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନ ହେଉଛି ଦୁଇଟି ପାକିସ୍ତାନୀ ପ୍ରଦେଶ ଯେଉଁମାନେ ଦୀର୍ଘ ଦିନ ଧରି ଦେଶର ସରକାର ଏବଂ ସେନା ବିରୁଦ୍ଧରେ କ୍ରୋଧ ପୋଷଣ କରିଆସୁଛନ୍ତି। ଏହି ପ୍ରଦେଶଗୁଡ଼ିକରେ ଅନେକ ସଶସ୍ତ୍ର ଗୋଷ୍ଠୀ ମଧ୍ୟ ପାକିସ୍ତାନୀ ସେନାକୁ ଟାର୍ଗେଟ କରିଛନ୍ତି। ଏହି ଗୋଷ୍ଠୀଗୁଡ଼ିକ ପ୍ରଦେଶଗୁଡ଼ିକ ପାଇଁ ଅଧିକ କର୍ତ୍ତୃତ୍ୱ ଏବଂ ସମ୍ବଳ ଦାବି କରନ୍ତି। କିନ୍ତୁ ପାକିସ୍ତାନ ସରକାର ଏବଂ ସେନା ଏହି ବିଦ୍ରୋହୀ ଗୋଷ୍ଠୀଗୁଡ଼ିକୁ ଆତଙ୍କବାଦୀ ବୋଲି ଆଖ୍ୟା ଦିଅନ୍ତି।
ପାକିସ୍ତାନୀ ସେନା ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନରେ କାର୍ଯ୍ୟ କରୁଥିବା ସରକାର ବିରୋଧୀ ଗୋଷ୍ଠୀଗୁଡ଼ିକୁ ଦମନ କରିବାକୁ ଚେଷ୍ଟା କରି ଚାଲିଛି। ପାକିସ୍ତାନୀ ସେନା ନିୟମିତ ଭାବରେ ଦମନ ଅଭିଯାନ ଚଳାଇଥାଏ, କିନ୍ତୁ ରବିବାର ରାତିରେ, ଏହା ଗାଁ ଉପରେ ବୋମା ପକାଇବା ପାଇଁ ଲଢ଼ୁଆ ବିମାନ ବ୍ୟବହାର କରିଥିଲା। କ୍ରମାଜତ ଭାବେ ପାକିସ୍ତାନୀ ସେନା ଏହି ଅଞ୍ଚଳରେ ସାଧାରଣ ନାଗରିକଙ୍କୁ ହତ୍ୟା ଏବଂ ବଳପୂର୍ବକ ନିଖୋଜ କରିବାର ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହୋଇଆସୁଛି।
ହାତ ମିଳାଇବାକୁ ଖେଳାଳୀଙ୍କୁ ପଡ଼ିଆକୁ ପଠାଇଲେ ଗମ୍ଭୀର, ଭିଡ଼ିଓ ଭାଇରାଲ ..
ନନ୍ଦିଘୋଷ ବ୍ୟୁରୋ: ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଏସିଆ କପ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଏକ ବଡ଼ ବିଜୟ ହାସଲ କରିଛି। ତଥାପି ସେମାନେ ପୁଣି ଥରେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାରୁ ନିବୃତ୍ତ ରହିଥିଲେ। ହେଲେ ଏହାରି ଭିତରେ ଭାରତୀୟ ଦଳ ଏକ ବଡ଼ ଭୁଲ କରିଥିଲା ପ୍ରକୃତରେ ସେମାନେ ଅମ୍ପାୟାରଙ୍କ ସହ ହାତ ମିଳାଇବାକୁ ଭୁଲିଯାଇଥିଲେ। ଲହାକୁ ନେଇ ଗୌତମ ଗମ୍ଭୀରଙ୍କ ଏକ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି, ଯାହା ଏକ ନୂତନ ବିତର୍କ ସୃଷ୍ଟି କରିଛି ।
ଭାରତର ବିଜୟ ପରେ ଗୌତମ ଗମ୍ଭୀର ଖେଳାଳିମାନଙ୍କୁ ସିଧା ଡ୍ରେସିଂ ରୁମକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତା’ପରେ ସେ ସୂର୍ଯ୍ୟକୁମାର ଯାଦବ ଏବଂ ଅନ୍ୟ ଖେଳାଳିମାନଙ୍କୁ ପଡିଆକୁ ଫେରି କେବଳ ଅମ୍ପାୟାରଙ୍କ ସହିତ ହାତ ମିଳାଇବାକୁ କହିଥିଲେ, ପାକିସ୍ତାନୀ ଖେଳାଳିମାନଙ୍କୁ ନୁହେଁ। ଏହି ଘଟଣା ପାକିସ୍ତାନୀ ଖେଳାଳିମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଆଚରଣ ଟସ୍ ସମୟରୁ ହିଁ ଆରମ୍ଭ ହୋଇଥିଲା, ଯେତେବେଳେ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗାଙ୍କ ସହିତ ହାତ ମିଳାଇବାକୁ ମନା କରି ଦେଇଥିଲେ ।ଗମ୍ଭୀରଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ ସ୍ପଷ୍ଟ ଭାବରେ କହୁଥିବାର ଦେଖିବାକୁ ମିଳୁଛି, “ହେ, ଅମ୍ପାୟାରଙ୍କ ସହ ହାତ ମିଳାଅ।” ପରେ ଗମ୍ଭୀର ଇନଷ୍ଟାଗ୍ରାମରେ ଭାରତୀୟ ଖେଳାଳିଙ୍କ ଏକ ଫଟୋ ସେୟାର କରି କ୍ୟାପସନ ଦେଇଛନ୍ତି “ନିର୍ଭୟ”, ଯାହା ତାଙ୍କ ନିଷ୍ପତ୍ତିକୁ ପ୍ରତିଫଳିତ କରୁଛି। ଗୌତମ ଗମ୍ଭୀର ଭାରତୀୟ ଦଳର ପ୍ରଶିକ୍ଷକ ହେବା ପରଠାରୁ ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ଏକ ଭିନ୍ନ ଧରଣର ଆକ୍ରମଣାତ୍ମକ ମନୋଭାବ ଦେଖାଯାଉଛି।
🗣️ Arey umpire se to mil loo!!
Gautam Gambhir invited the Indian players to exchange handshakes—but only with the umpires 😂pic.twitter.com/iBkdhye87j
— KKR Karavan (@KkrKaravan) September 21, 2025
ଭାରତ ଏହି ମ୍ୟାଚ୍ରେ ଏକ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ପରାସ୍ତ କରିଥିଲା। ଓପନର ଶୁଭମନ ଗିଲ୍ (୪୭) ଏବଂ ଅଭିଷେକ ଶର୍ମା (୭୪) ୫୯ ବଲ୍ରେ ୧୦୫ ରନ୍ ଯୋଡ଼ି ଭାରତକୁ ୧୭୨ ରନ୍ର ଲକ୍ଷ୍ୟ ସହଜରେ ହାସଲ କରିବାରେ ସାହାଯ୍ୟ କରିଥିଲେ। ସୁପର ଫୋର୍ ପର୍ଯ୍ୟାୟରେ ଭାରତର ପରବର୍ତ୍ତୀ ମ୍ୟାଚ୍ ବୁଧବାର ବାଂଲାଦେଶ ବିପକ୍ଷରେ, ଯେତେବେଳେ ପାକିସ୍ତାନ ମଙ୍ଗଳବାର ଶ୍ରୀଲଙ୍କାକୁ ଭେଟିବ। ଯଦି ଭାରତ ବାଂଲାଦେଶକୁ ପରାସ୍ତ କରେ, ତେବେ ଫାଇନାଲରେ ଏହାର ସ୍ଥାନ ପ୍ରାୟ ନିଶ୍ଚିତ। ସୁପର ଫୋର୍ର ଶ୍ରେଷ୍ଠ ଦୁଇଟି ଦଳ ୨୮ ସେପ୍ଟେମ୍ବରରେ ଫାଇନାଲ ଖେଳିବେ।

