spot_img
Home Blog Page 3559

ପଞ୍ଜାବରେ ଭାରତ ଯୋଡୋ ଯାତ୍ରା, ଗୁରୁଦ୍ବାର ଫତେଗଡ଼ ସାହିବରେ ରାହୁଲଙ୍କ ପ୍ରାର୍ଥନା

ଚଣ୍ଡିଗଡ଼: ପଞ୍ଜାବରେ ଜାରି ରହିଛି ଭାରତ ଯୋଡୋ ଯାତ୍ରା । ଗୁରୁଦ୍ବାର ଫତେଗଡ଼ ସାହିବରେ ପହଞ୍ଚି କଂଗ୍ରେସ ନେତା ରାହୁଲ ଗାନ୍ଧି କରିଛନ୍ତି ସ୍ମୃତି ତର୍ପଣ । ଆଜି ସକାଳେ ଶତାଧିକ କର୍ମୀଙ୍କ ସହ ରାହୁଲ ଗାନ୍ଧି ଗୁରୁଦ୍ବାର ପରିଦର୍ଶନ କରିଥିଲେ । ଟି-ସାର୍ଟ ପରିହତ ରାହୁଲ ପଗଡ଼ି ପିନ୍ଧି ଗୁରୁଦ୍ବାରରେ ପ୍ରାର୍ଥନା କରିଥିଲେ । ରାହୁଲଙ୍କ ସହ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଅମରିନ୍ଦର ସିଂ ରାଜା ଓ୍ବାରି ଓ ଅନ୍ୟାନ୍ୟ ନେତା ଗୁରୁଦ୍ବାର ଯାଇଥିଲେ । ଗତକାଲି ରାହୁଲ ଗାନ୍ଧି ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ପ୍ରାର୍ଥନା କରିଥିଲେ ।

ଆଜି ପ୍ରବଳ ଶୀତ ସତ୍ତ୍ବେ ଶହ ଶହ କର୍ମୀ ଯାତ୍ରାରେ ସାମିଲ ହୋଇଥିଲେ । ଜଣେ କର୍ମୀ ଖୋଲା ଦେହରେ ଯାତ୍ରାରେ ଚାଲିଥିବା ପରିଲକ୍ଷିତ ହୋଇଛି । ଫତେଗଡ଼ ସାହିବ ପରେ ଏହି ଯାତ୍ରା ମଣ୍ଡି ଗୋବିନ୍ଦଗଡ଼, ଖାନ୍ନା, ସାହ୍ନେଓ୍ବାଲ, ଲୁଧିଆନା, ଗୋରାୟା, ଫଗଓ୍ବାରା, ଜଳନ୍ଧର, ଦାଉସା ଓ ମୁକେରିଆନ ଅତିକ୍ରମ କରିବ । ଗତ ସେପ୍ଟେମ୍ବର ୭ରୁ କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଯାତ୍ରା ଆସନ୍ତା ୩୦ ତାରିଖ ସୁଦ୍ଧା ଶ୍ରୀନଗରରେ ପହଞ୍ଚିବା ଲାଗି ତାରିଖ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ରାଲି ତାମିଲନାଡୁ, କେରଳ, କର୍ଣ୍ଣାଟକ,  ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିଆଣାରେ ଯାତ୍ରା କାର୍ଯ୍ୟକ୍ରମ ସାରି ପଞ୍ଜାବରେ ପହଞ୍ଚିଛି ।

ଶକ୍ତିଶାଳୀ ହେବ ୟୁକ୍ରେନ, ଖୁବଶୀଘ୍ର ପାଇବ ଅତ୍ୟାଧୁନିକ ପାଟ୍ରିଅଟ ଏୟାର ଡିଫେନ୍ସ ସିଷ୍ଟମ

କିଭ୍: ଋଷକୁ ଜୋରଦାର ଟକ୍କର ଦେବ ୟୁକ୍ରେନ । ଆମେରିକାଠାରୁ ୟୁକ୍ରେନ ଅତ୍ୟାଧୁନିକ ପାଟ୍ରିଅଟ ଏୟାର ଡିଫେନ୍ସ ସିଷ୍ଟମ ପାଇବାକୁ ଯାଉଥିବାବେଳେ ଏହାର ପରିଚାଳନା ଲାଗି ୟୁକ୍ରେନୀୟ ସୈନ୍ୟଙ୍କୁ ତାଲିମ ଦେବ ଆମେରିକା । ପେଣ୍ଟାଗନ ପକ୍ଷରୁ କୁହାଯାଇଛି- ଏହି ଡିଫେନ୍ସ ସିଷ୍ଟମ ପରିଚାଳନା ଲାଗି ୟୁକ୍ରେନୀୟ ସୈନ୍ୟଙ୍କୁ ଆମେରିକାର ଓକଲାହୋମାରେ ପ୍ରଶିକ୍ଷଣ ଦିଆଯିବ । ଋଷ ବିରୋଧରେ ଲଢ଼ିବା ଲାଗି ୟୁକ୍ରେନକୁ ପାଟ୍ରିଅଟ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇବାକୁ ଗତବର୍ଷ ଘୋଷଣା କରିଥିଲା ଆମେରିକା । ଆସନ୍ତା ସପ୍ତାହରୁ ଓକଲାହୋମାସ୍ଥିତ ଫୋର୍ଟ ସିଲରେ ଏହି ପ୍ରଶିକ୍ଷଣ କାର୍ଯ୍ୟ ଚାଲିବ ବୋଲି କହିଛନ୍ତି ପେଣ୍ଟାଗନ ପ୍ରେସ ସେକ୍ରେଟାରୀ ବ୍ରିଗେଡିୟର ଜେନେରାଲ ପାଟ୍ ରାଇଡର ।

ପ୍ରଥମ ପର୍ଯ୍ୟାୟରେ ୯୦ରୁ ୧୦୦ ଜଣ ୟୁକ୍ରେନୀୟ ସୈନ୍ୟଙ୍କୁ ତାଲିମ ଦିଆଯିବ । ଥରେ ଏହା ମୁତୟନ ହେଲେ ଋଷର କ୍ଷେପଣାସ୍ତ୍ରଗୁଡ଼ିକୁ ସହଜରେ ଧ୍ବଂସ କରାଯାଇପାରିବ । ରେଥୟନ କମ୍ପାନି ଦ୍ବାରା ନିର୍ମିତ ଏମଆଇଏମ-୧୦୪ ପାଟ୍ରିଅଟ ଏୟାର ଡିଫେନ୍ସ ସିଷ୍ଟମ ହେଉଛି ଏକ ଭୂପୃଷ୍ଠରୁ ଆକାଶମାର୍ଗ ବର୍ଗର ଏକ କ୍ଷେପଣାସ୍ତ୍ରଭିତ୍ତିକ ସିଷ୍ଟମ ଯାହାକି ଶତ୍ରୁ ରାଷ୍ଟ୍ରର ମିସାଇଲକୁ ସହଜରେ ନଷ୍ଟ କରିପାରିବ । ବହୁ ଉଚ୍ଚତାରେ ଆସୁଥିବା କ୍ଷେପଣାସ୍ତ୍ରକୁ ବି ଏହା ସହଜରେ ଧ୍ବଂସ କରିଥାଏ । ସେପଟେ ୟୁକ୍ରେନର ଖାରକିବ ଅଞ୍ଚଳରେ ପୁଣି ଥରେ ଋଷ ହମଲା କରିଛି । ଜର୍ମାନୀ ବୈଦେଶିକ ମନ୍ତ୍ରୀ ଆନ୍ନାଲେନା ବେରବକଙ୍କ ଆକସ୍ମିକ ପରିଦର୍ଶନ ପରେ ପରେ ଖାରକିବରେ ହମଲା କରିଥିଲା ଋଷ ।

ବିଶ୍ବକପ ହକି ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗଠନ ହେଲା ଟିମ୍ ପ୍ରାଇଡ୍

ଭୁବନେଶ୍ୱର: ବିଶ୍ବକପ ହକିର ସଫଳ ଆୟୋଜନ ପାଇଁ ସବୁ ସ୍ତରରେ ନିଆଯାଉଛି ପଦକ୍ଷେପ । ରାସ୍ତାକଡ଼ରୁ ଜବର ଦଖଲ ଉଚ୍ଛେଦଠାରୁ ଆରମ୍ଭ କରି ସହରର ସୌନ୍ଦର୍ଯ୍ୟକରଣ ଓ ତାହାର ସୁରକ୍ଷା ପାଇଁ ବିଡିଏ, ବିଏମସି ଓ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସ୍ବତନ୍ତ୍ର ଭାବେ ଗଠିତ ହୋଇଛି ଟିମ ପ୍ରାଇଡ୍ । ୧୭ଟି ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇ ପ୍ରତ୍ୟେକ ଟିମକୁ ଭିନ୍ନ ଭିନ୍ନ ଅଞ୍ଚଳର ଦାୟିତ୍ୱ ଦିଆଯାଇଛି । ୧୭ଟି ଟିମରେ ୧୫୦ଜଣ ସଦସ୍ୟ ରହିଛନ୍ତି । ପ୍ରତି ଟିମରେ ଦୁଇଜଣ ଲେଖାଏଁ ପୋଲିସ କର୍ମଚାରୀ ଥିବାବେଳେ ନେତୃତ୍ୱ ନେଉଛନ୍ତି ଜଣେ ଡିଏସପି ରାଙ୍କର ଅଧିକାରୀ ।

ବିଶ୍ବକପ ହକିର ଉଦଘାଟନୀ ଉତ୍ସବ ଆଜି ଥିବା ବେଳେ ୧୩ ତାରିଖରୁ ଆରମ୍ଭ ହେବ ମ୍ୟାଚ । ଏହା ପୂର୍ବରୁ ଟିମ୍ ପ୍ରାଇଡ ଏଜି ଛକରୁ ସାଇରନ ସହ ପଟୁଆରରେ ବାହାରି ରାଜଭବନ ଛକ, ୧୨୦ ବାଟାଲିଆନ, ବେହେରା ସାହି ଛକ, କଳିଙ୍ଗ ଷ୍ଟାଡିୟମ ଛକ ଦେଇ ରିଜର୍ଭ ପୋଲିସ ପଡ଼ିଆରେ ପହଞ୍ଚିଥିଲା । ସେଠାରେ ୧୭ଟି ଗାଡ଼ିକୁ ହକି ଷ୍ଟିକ ଓ ସ୍କ୍ୱାର୍ଡର ସଦସ୍ୟମାନଙ୍କୁ ବଲ୍ ଆକାରରେ ସଜାଯାଇଥିଲା । ପରେ ଟିମର ସଦସ୍ୟମାନଙ୍କୁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି ଅବସରରେ ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ ଓ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଉପସ୍ଥିତ ରହି ଟିମ୍ ପ୍ରାଇଡର ସଦସ୍ୟଙ୍କୁ ଶୃଙ୍ଖଳିତ ଓ ମାନବିକତାର ସହ ଦାୟିତ୍ୱ ତୁଲାଇବାକୁ ପରାମର୍ଶ ଦେଇଥିଲେ ।

ଚାକରାଣୀ ସହ ଗଢ଼ି ଉଠିଲା ପ୍ରେମ ସମ୍ପର୍କ, ବଳିପଡ଼ିଲା ଶିଶୁ

ବାଲେଶ୍ୱର: ପରକୀୟା ପ୍ରୀତିର କରୁଣ ପରିଣତି । ଚାକରାଣୀ ସହ ଗଢ଼ି ଉଠିଲା ପ୍ରେମ ସମ୍ପର୍କ । ଉଭୟଙ୍କ ମଝିରେ କଣ୍ଟା ସାଜିଥିବା ଚାକରାଣିର ୨ ବର୍ଷର ଝିଅକୁ ହତ୍ୟାକଲା ପ୍ରେମିକ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଭୁଇଁପଡାରେ ଘଟିଛି ଏଭଳି ଘଟଣା । ମନୋଜ ନାମକ ଜଣେ ଯୁବକ ବାଲେଶ୍ବର ଅଞ୍ଚଳର ଜଣେ ମହିଳାଙ୍କୁ ଲେବର ଭାବରେ କାମ କରିବାକୁ ଡାକିଥିଲେ । ପରେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି଼ଉଠିଥିଲା ।

ମହିଳାଙ୍କ ସହ ସମ୍ପର୍କ ଗଢ଼ିଉଠିବା ପରେ ଦୁଇ ବର୍ଷୀୟ ଶିଶୁକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ପ୍ରେମିକ l ଶେଷରେ ଏକା ଥିବାର ସୁଯୋଗ ପାଇ ଶିଶୁକୁ ତଣ୍ଟିଚିପି ମାରିଦେଇଥିଲା ମନୋଜ । ଅଭିଯୁକ୍ତକୁ ଗିରଫ ପରେ ଘଟଣାର ଖୁଲାସା କରିଛି ଖନ୍ତାପଡ଼ା ପୋଲିସ । ବାହାହେବା ପାଇଁ ପିଲାକୁ ମାରିଦେଇଥିବା ପୋଲିସ ଆଗରେ ମାନିଛି ଅଭିଯୁକ୍ତ ମନୋଜ l

 

IIT, NIT, CFTIରେ ଆଡମିସନ ପାଇଁ ଆସିଲା ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: IIT, NIT, CFTIରେ ଆଡମିସନ ପାଇଁ ଆସିଲା ନୂଆ ଗାଇଡଲାଇନ । ଦ୍ବାଦଶ ବୋର୍ଡରେ ୭୫ ପ୍ରତିଶତ ନମ୍ବର ରଖିଥିଲେ ମିଳିବ ନାମଲେଖା ପାଇଁ ଅନୁମତି । ଏହାଛଡ଼ା ଦ୍ବାଦଶ ପରୀକ୍ଷାରେ ଟପ୍ ୨୦ରେ ରହିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ନାମ ଲେଖାଇପାରିବେ । IIT, NIT, CFTIରେ ନାମଲେଖା ପାଇଁ ରଖାଯାଇଥିବା ମାନଦଣ୍ଡରେ ପରିବର୍ତ୍ତନ ଲାଗି ଦୀର୍ଘଦିନ ଧରି ଦାବି ହେଉଥିବା ବେଳେ ଶିକ୍ଷା ମନ୍ତ୍ରଣାଳୟ ଏଥିରେ ସଂଶୋଧନ କରିଛି ।

JEE ମେନ୍ ରାଙ୍କ ଆଧାରରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ଯୋଗ୍ୟତା ଭିତ୍ତିକ ସର୍ତ୍ତ ରଖାଯାଇଛି । ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଦ୍ବାଦଶ ବୋର୍ଡରେ ୭୫ ପ୍ରତିଶତ ନମ୍ବର ରଖିବା ବାଧ୍ୟତାମୂଳକ ହୋଇଥିବା ବେଳେ ଅନୁସୂଚିତ ଜାତି/ଜନଜାତି ପିଲାଙ୍କ ପାଇଁ ଏହା ୬୫ ପ୍ରତିଶତ ରହିଛି ।

ପେରୁରେ ଘୋର ରାଜନୈତିକ ସଙ୍କଟ, ରାତି ୮ଟାରୁ ଭୋର ୪ଟା ପର୍ଯ୍ୟନ୍ତ କର୍ଫ୍ୟୁ

ନୂଆଦିଲ୍ଲୀ: ପେରୁରେ ଘୋର ରାଜନୈତିକ ସଙ୍କଟ । ସରକାର ବିରୋଧୀ ପ୍ରଦର୍ଶନ ରାଷ୍ଟ୍ରବ୍ୟାପୀ ଉଗ୍ର ହେବାରେ ଲାଗିଛି । ବିକ୍ଷୋଭକାରୀ-ପୋଲିସ ମଧ୍ୟରେ ଧସ୍ତାଧସ୍ତିରେ ୨୬ ପ୍ରଦର୍ଶନକାରୀଙ୍କର ମୃତ୍ୟୁ ହୋଇଛି । ବିକ୍ଷୋଭ ବେଳେ ଶତାଧିକ ଲୋକ ଗୁରୁତର ହୋଇଛନ୍ତି । ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଓ ପୂର୍ବତନ ରାଷ୍ଟ୍ରପତିଙ୍କୁ ଜେଲରୁ ମୁକୁଳାଇବା ଦାବିରେ ଜାରି ରହିଛି ବିକ୍ଷୋଭ ।

ସ୍ଥିତି ଅଣାୟତ ହେଉଥିବାରୁ ଗତକାଲି ରାତିରୁ ଆସନ୍ତା ତିନି ଦିନ ଯାଏ କର୍ଫ୍ୟୁ ଘୋଷଣା କରିଛନ୍ତି ସରକାର । ରାତି ୮ଟାରୁ ଭୋର ୪ଟା ଯାଏ କର୍ଫ୍ୟୁ ଜାରି ରହିବ । ପୂର୍ବତନ ରାଷ୍ଟ୍ରପତି ପେଡ୍ରୋ କାଷ୍ଟିଲୋଙ୍କୁ ଦୁର୍ନୀତି ଅଭିଯୋଗରେ ହଟାଇବା ସହ ଗିରଫ କରାଯିବାକୁ ନେଇ ଗତ ଡିସେମ୍ବରରୁ ଦେଶବ୍ୟାପୀ ପ୍ରଦର୍ଶନ ଜାରି ରହିଛି ।

ଗୋଲ୍ଡେନ ଗ୍ଲୋବରେ RRR, ନାଟୁ ନାଟୁକୁ ବେଷ୍ଟ ଅରିଜିନାଲ ସଙ୍ଗ-୨୦୨୩ ଆଓ୍ବାର୍ଡ

ଓ୍ୱାଶିଂଟନ: ଗୋଲ୍ଡେନ ଗ୍ଲୋବ-୨୦୨୩ରେ RRRର ଜଲଓ୍ବା । ବେଷ୍ଟ ଅରିଜିନାଲ ସଙ୍ଗ୍ ଆଓ୍ବାର୍ଡ ପାଇଲା ନାଟୁ ନାଟୁ । ବକ୍ସ ଅଫିସରେ ସୁପର ଡୁପର ହୋଇଥିବା ରାଜମୌଲିଙ୍କ ଏହି ଫିଲ୍ମ ପୂରା ବିଶ୍ବରେ ପ୍ରଶଂସା ସାଉଣ୍ଟିଛି । ଆମେରିକାରେ ଚାଲିଥିବା ଗୋଲ୍ଡେନ ଗ୍ଲୋବର ୮୦ ତମ ସଂGoleସ୍କରଣରେ ନାଟୁ ନାଟୁକୁ ବେଷ୍ଟ ଅରିଜିନାଲ ସଙ୍ଗ ଆଓ୍ବାର୍ଡ ମିଳିଛି ।

ଲିଜେଣ୍ଡେରୀ ମ୍ୟୁଜିକ କମ୍ପୋଜର ଏମଏମ କେରାବନୀ ଷ୍ଟେଜ ଉପରେ ଏହି ପୁରସ୍କାର ଗ୍ରହଣ କରିଥିଲେ । ଆଓ୍ବାର୍ଡ ସେରେମନିରେ RRR ଷ୍ଟାର କାଷ୍ଟ ଜୁନିଅର ଏନଟିଆର, ରାମଚରଣ ଓ ଫିଲ୍ମ ନିର୍ଦ୍ଦେଶକ ଏସ ଏସ୍ ରାଜମୌଲୀ ସାମିଲ ହୋଇଥିଲେ । ଗୋଲ୍ଡେନ ଗ୍ଲୋବରେ ଆଓ୍ବାର୍ଡ ଜିତିବା ପରେ RRR ଫିଲ୍ମ ନିର୍ଦ୍ଦେଶକ, ଷ୍ଟାରକାଷ୍ଟ ଓ ମ୍ୟୁଜିକ କମ୍ପୋଜରଙ୍କୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି ।

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଉଜଳପୁର ରେଞ୍ଜର, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଉଜଳପୁର ରେଞ୍ଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜର ସଂଗ୍ରାମ କେଶରୀ ମିନିହିରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ରେ ଥିବା ସରକାରୀ ବାସଭବନ ଓ ଅଫିସରେ ଖୋଳତାଡ଼ ହେଉଛି । ସମ୍ବଲପୁର ବୁର୍ଲା ଟାଉନରେ ୩ ମହଲା କୋଠା ଠାବ ହୋଇଛି । ସେହିପରି ବଲାଙ୍ଗୀର ବ୍ରାହ୍ମଣୀପାଲିରେ ଥିବା ପୈତୃକ ବାସଭବନ ଓ ନେହେରୁ ନଗରରେ ଥିବା ସମ୍ପର୍କୀୟଙ୍କ ଘରେ ଛାନବିନ୍ ଚାଲିଛି । ଚଢ଼ାଉରେ ୫ ଡିଏସପି ଓ ୮ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

ଅସ୍ତିତ୍ବ ହରାଇବ ଉତ୍ତରାଖଣ୍ଡର ଯୋଶୀମଠ, ମାଟିରେ ମିଶିବ ୬୭୮ଟି ଘର

ଡେରାଡୁନ୍: ଅସ୍ତିତ୍ବ ହରାଇବ ଉତ୍ତରାଖଣ୍ଡର ଯୋଶୀମଠ । ମାଟିରେ ମିଶିବ ୬୭୮ଟି ଘର । ଆଜିଠୁ ଘର ଭାଙ୍ଗିବା ଆରମ୍ଭ କରିବ ପ୍ରଶାସନ । ଲାଲ ଛକି ମାରି ଘର ଚିହ୍ନଟ କରାଯାଇଛି । ଫାଟ ବଢୁଥିବା ବେଳେ ଘର ଛାଡ଼ି ଅନ୍ୟତ୍ର ଯାଉଛନ୍ତି ଲୋକେ । ଗତକାଲି ହୋଟେଲ ଭଙ୍ଗାଯାଇଥିବାବେଳେ ଆଜିଠୁ ଘର ଭଙ୍ଗାଯିବ । ତେବେ ବିନା ନୋଟିସରେ ଘର ଭଙ୍ଗାଯାଉଥିବା ଅଭିଯୋଗ ହୋଇଛି । ଯୋଶୀମଠରେ ୮ଟି ଏସଡିଆରଏଫ ଓ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି ।

ଯୋଶୀମଠ ତଳେ ଯାଇଛି ଏନଟିପିସିର ଟନେଲ । ବଡ଼ ବଡ଼ ମେସିନ ଲଗାଯାଇ ପାହାଡ଼ରେ ଫାଟ ସୃଷ୍ଟି କରାଯାଇଛି । ଏଥିପାଇଁ ପୂରା ଅଞ୍ଚଳରେ ଫାଟ ହୋଇଥିବା ଲୋକ କହିଛନ୍ତି । କିଛି ଅଞ୍ଚଳରେ ଲୋକେ ଏନଟିପିସି ବିରୋଧରେ ବିକ୍ଷୋଭ କରିଛନ୍ତି । ସେପଟେ ସ୍ଥିତି ଉପରେ ନଜର ରଖିଛି ପିଏମଓ । ଲୋକଙ୍କୁ ସ୍ଥାୟୀତ୍ବ ଓ ସୁରକ୍ଷିତ ଉଦ୍ଧାର ଉପରେ ଗୁରୁତ୍ବ ଦିଆଯାଉଛି । ସ୍ଥଳ ସେନାକୁ ଆଲର୍ଟରେ ରଖାଯାଇଥିବା ବେଳେ ବାୟୁସେନା ମଧ୍ୟ ପ୍ରସ୍ତୁତ ରହିଛି । ଏକ ବୈଜ୍ଞାନିକ ଟିମ୍ ଯୋଶୀମଠରେ ପଡ଼ିଥିବା ଫାଟ ଉପରେ ଗବେଷଣା କରୁଛନ୍ତି । କାହିଁକି ପୂରା ଅଞ୍ଚଳ ଧଶି ଧଶି ଯାଉଛି ତା’ର ଏକ ରିପୋର୍ଟ ସେମାନେ ପିଏମଓକୁ ଦେବେ ।

ଶୀତରୁ ମିଳୁଛି ଆଶ୍ୱସ୍ତି, ଦୁଇରୁ ତିନି ଡିଗ୍ରୀ ଯାଏ ପାରଦ ଉପରମୁହାଁ

ଭୁବନେଶ୍ୱର: ବଢିଲା ପାରା, କମିଲା ଶୀତ । ଥଣ୍ଡାରୁ ମିଳିଲା ସାମାନ୍ୟ ଆଶ୍ବସ୍ତି । ଦୁଇରୁ ତିନି ଡିଗ୍ରୀ ବଢିଛି ରାତିର ତାପମାତ୍ରା । ଆସନ୍ତା ୪ଦିନ ପର୍ଯ୍ୟନ୍ତ ଶୀତ କମ୍ ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ୧୦ ଡିଗ୍ରୀ ତଳେ ରହିଥିଲା ମାତ୍ର ୯ ସହରର ତାପମାତ୍ରା । ଜି-ଉଦୟଗିରିରେ ସବୁଠାରୁ କମ୍ ତାପାମାତ୍ରା ୫.୪ ଡିଗ୍ରୀ ରେକର୍ଡ ହୋଇଛି ।

କୋରାପୁଟ ଓ ଫୁଲବାଣୀରେ ୬ ଡିଗ୍ରୀ ପାରା ରେକର୍ଡ କରାଯାଇଥିବା ବେଳେ ଝାରସୁଗଡ଼ାରେ ୭.୮, ସୁନ୍ଦରଗଡରେ ୮.୫, ଭବାନୀପାଟଣାରେ ୮.୮ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି । ଭୁବନେଶ୍ବରରେ ଆଜି ୧୨.୬ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଛି । ଆଜି ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କନାଳରେ ଘନ କୁଡୁଡି ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର ।