spot_img
Home Blog Page 3572

ବିଧାନସଭାର ତୃତୀୟ ଦିନରେ ସୁରୁଖୁରୁରେ ଚାଲିଛି ଗୃହ

ଭୁବନେଶ୍ୱର: ବିଧାନସଭାର ତୃତୀୟ ଦିନରେ ସୁରୁଖୁରୁରେ ଚାଲିଲା ଗୃହ। ପ୍ରଶ୍ନକାଳରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ବିଭାଗୀୟ ମନ୍ତ୍ରୀ। ମହାନଦୀ ଅବବାହିକା ସୁବର୍ଣ୍ଣପୁର ଜିଲ୍ଲାର ଖଇରମାଲ ଓ ଗୋଧନେଶ୍ୱର ଠାରେ ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ କରାଯିବ। ବିନା ବିସ୍ଥାପନରେ ଏହା ହେବ ।

୬ ବର୍ଷ ଭିତରେ ସବୁଠାରେ ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ସରିବ। ସାରା ରାଜ୍ୟରେ ୩୨ଟି ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର କରାଯିବ। ୧୬ଟି ପ୍ରଥମ ପର୍ଯ୍ୟାୟରେ ସରିବ ଏବଂ ବାକିର ଟେଣ୍ଡର ଖୁବ ଶୀଘ୍ର କରାଯିବ ବୋଲି ବିଧାନସଭାରେ ସ୍ପଷ୍ଟ କରିଛନ୍ତି ବିଭାଗୀୟ ମନ୍ତ୍ରୀ।

ଅନ୍ୟପଟେ ବିଧାନସଭାରେ ଆସିଥିବା ପ୍ରଶ୍ନର ଉତ୍ତର ଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଝି, ଟିଟିଲାଗଡ଼, ବରଗଡ଼ ଜିଲ୍ଲାର ପଦମପୁର ଓ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼କୁ ଜିଲ୍ଲା କରିବା ପାଇଁ ଦାବି ପତ୍ରଗୁଡିକ ରାଜସ୍ବ ବିଭାଗ ପାଇଛି ।

ସେହିପରି ଭାରତ ସରକାରଙ୍କ ସଡ଼କ ପରିବହନ ମନ୍ତ୍ରାଳୟ ଦ୍ବାରା ୨୦୨୧ ମସିହା ପାଇଁ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ସଡ଼କ ଦୁର୍ଘଟଣା ସଂଖ୍ୟା ଦେଶରେ ସର୍ବାଧିକ ନୁହେଁ । ସୁପ୍ରିମକୋର୍ଟ କମିଟି ବିଭିନ୍ନ ରାଜ୍ୟରେ ସଡ଼କ ଦୁର୍ଘଟଣାର ସମୀକ୍ଷା କରୁଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ସଡ଼କ ଦୁର୍ଘଟଣା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ଅଡିଟ ଏହି କମିଟି କରାଇଥିଲେ । ଅଡିଟ ରିପୋର୍ଟ ଅନୁଯାୟୀ ସୁପ୍ରିମକୋର୍ଟ କମିଟି ସଡ଼କ ଦୁର୍ଘଟଣା ରୋକିବା ନିମନ୍ତେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଆଜି ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହା କହିଛନ୍ତି ।

ଆହୁରି ମଧ୍ୟ ଭୂମିକମ୍ପ ଜୋନରେ ଅନୁଗୁଳର ତାଳଚେର ବ୍ଲକ ଓ ଏହାର ପ୍ବାର୍ଶବର୍ତ୍ତୀ ଅଞ୍ଚଳକୁ ମୋଡରେଟ ଡ୍ୟାମେଜ ରିସ୍କ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି । ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଓ ବିଲଡିଂ ମାଟେରିଆଲ ଏବଂ ଟେକ୍ନୋଲୋଜି ପ୍ରମୋସନ କାଉନସିଲ ଦ୍ବାରା ୨୦୦୬ରେ ଏହା ପ୍ରକାଶିତ ହୋଇଛି । ଭୂମିକମ୍ପ ସମୟରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଓଡ୍ରାଫ ସଦସ୍ୟଙ୍କୁ କୋଲାପ୍ସ ଷ୍ଟ୍ରକଚର, ସର୍ଚ୍ଚ ଏବଂ ରେସକ୍ୟୁ ପାଇଁ ସ୍ବତନ୍ତ୍ର ତାଲିମ ଦିଆଯାଇଛି ବୋଲି ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।

ଏଣିକି ୬ବର୍ଷରେ କ୍ଲାସ୍ ଓ୍ବାନ୍ ପଢ଼ିବେ ପିଲା, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ରର ନିର୍ଦ୍ଦେଶ

ଭୁବନେଶ୍ୱର: ଏଣିକି ୬ବର୍ଷରେ କ୍ଲାସ୍ ଓ୍ବାନ୍ ପଢ଼ିବେ ପିଲା। ନୂଆ ଜାତୀୟ ଶିକ୍ଷା ନୀତି ଆଧାରରେ ୬ବର୍ଷ ବୟସରେ ପିଲାଙ୍କର ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ଅଭିଭାବକ। ଏ ନେଇ ସବୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି।

ନୂଆ ନିୟମ ଅନୁପାଳନ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ୩ବର୍ଷରୁ ପିଲାଙ୍କୁ ପ୍ଲେ-ସ୍କୁଲ ପଠାଯିବା ସହ ୬ବର୍ଷରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ଆମ୍ବୁଲାନ୍ସରେ ଚାଲିଥିଲା ଗଞ୍ଜେଇ ଚାଲାଣ, ଧରିଲା ଅବକାରୀ ବିଭାଗ

ବୌଦ୍ଧ: ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ। ଆମ୍ବୁଲାନ୍ସରୁ ୪କୁଇଣ୍ଟାଲ ୨୦କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ବୌଦ୍ଧ ଜିଲ୍ଲା ମନୁମୁଣ୍ଡାରୁ ଛତିଶଗଡ ଚାଲାଣ ହେଉଥିଲା ଗଞ୍ଜେଇ। ଜବତ ଗଞ୍ଜେଇର ଆନୂମାନିକ ମୂଲ୍ୟ ୩୦ ଲକ୍ଷ ହେବା ନେଇ ସୂଚନା। ଗିରଫ ଅଭିଯୁକ୍ତ ହେଲେ ରାୟପୁରର ଉପେନ୍ଦ୍ର ସାହୁ।

କାଳିଆ ଓ ବଳରାମ ଯୋଜନାରେ ଏଯାଏଁ କେତେ ସହାୟତା ମିଳିଛି?

ଭୁବନେଶ୍ୱର: କାଳିଆ ଯୋଜନାରେ ସହାୟତା ପାଇଛନ୍ତି ୪୧ ଲକ୍ଷ ୮ ହଜାର ୯୫୨ ଜଣ ଚାଷୀ। ୧୮ ଲକ୍ଷ ୬୯ ହଜାର ୫୨୯ ଭୂମିହୀନ କୃଷି ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଛି। ୨୦୧୮-୧୯ରୁ ପ୍ରଚଳିତ ଏହି ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ଟଙ୍କା ଦିଆଯାଉଛି। ପ୍ରତ୍ୟେକ କିସ୍ତିରେ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।

ଏହାସହିତ ୨୦୧୯ ଖରିଫ ବର୍ଷ ପାଇଁ ୫ହଜାର ଟଙ୍କା ଲେଖାଏଁ, ୨୦୨୦-୨୧ ବର୍ଷଠାରୁ ପ୍ରତ୍ୟେକ କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ହିସାବରେ ୪ ହଜାର ଟଙ୍କା ପ୍ରଦାନ କରାଯାଉଛି। ପ୍ରତ୍ୟେକ ଭୂମିହୀନ ପରିବାରକୁ ସମୁଦାୟ ୩ଟି କିସ୍ତିରେ ମୋଟ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି। ବୁଧବାର ବିଧାନସଭାରେ ବିଜେଡି ବିଧାୟକ ଅରବିନ୍ଦ ଢାଲିଙ୍କ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଯେଉଁ ଚାଷୀମାନେ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିନାହାନ୍ତି, ସେମାନେ କାଳିଆ ଓ୍ବେବପୋର୍ଟାଲ୍ kalia.odisha.gov.in ରେ ଅନଲାଇନ୍ ଆବେଦନ କରିପାରିବେ । ସେହିପରି ବଳରାମ ଯୋଜନା ୨୦୨୦-୨୧ ମସିହାରୁ କାର୍ଯ୍ୟକାରୀ ହୋଇଛି। ଗତ ୩ ବର୍ଷରେ ବଳରାମ ଯୋଜନାରେ ୬୦ ହଜାର ୩୪୬ ଜଣ କୃଷକଙ୍କୁ ମୋଟ ୯୮ କୋଟି ୬୬ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି।

ଖୁବ୍ ଶୀଘ୍ର ପୂରଣ ହେବ ମହାକାଶ ଯିବା ସ୍ୱପ୍ନ, ଆସୁଛି ନୂଆ ଟେକ୍ନୋଲୋଜିର ବେଲୁନ୍

ନନ୍ଦିଘୋଷ ବ୍ୟୁରୋ: ମହାକାଶ ଯିବା ପାଇଁ ସ୍ବପ୍ନ ଦେଖୁଛନ୍ତି କି ? ତାହେଲେ ଖୁବ୍ ଶୀଘ୍ର ପୂରଣ ହେବ ଆପଣଙ୍କ ସ୍ବପ୍ନ। ଏଥର କେବଳ ବୈଜ୍ଞାନିକ ନୁହେଁ, ମହାକାଶ ଯାତ୍ରା କରିପାରିବେ ସାଧାରଣ ଲୋକ। ଆଉ ଏ ଯାତ୍ରା ପାଇଁ କୌଣସି ସ୍ପେସ୍ ସିପର ଆବଶ୍ୟକ ନାହିଁ। ବେଲୁନ୍ ଜରିଆରେ ଆପଣ ମହାକାଶ ଭ୍ରମଣର ସୁଯୋଗ ପାଇ ପାରିବେ। ଆଜ୍ଞା ହଁ ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ ।

ଜାପାନର ଷ୍ଟାର୍ଟଅଫ୍ ଇଓ୍ବାୟା ଗିକନ୍ ହିଲିୟମ ବେଲୁନ୍ ସାହାଯ୍ୟରେ ଷ୍ଟ୍ରାଟୋସ୍ପିୟରକୁ ଯାଇ ଦେଖିପାରିବେ ପୃଥିବୀର ବକ୍ର ଦୃଶ୍ୟ। କିନ୍ତୁ ଏଥିପାଇଁ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିବ ପ୍ରଚୁର ଅର୍ଥ । ଜାପାନର ଏହି କମ୍ପାନୀ ୨୫ କିମି ଉଚ୍ଚରୁ ପୃଥିବୀର ବକ୍ର ଦୃଶ୍ୟ ଦେଖିବାକୁ ଯାତ୍ରୀ ମାନଙ୍କୁ ପ୍ରତିଶ୍ରୃତି ଦେଇଛି । ହେଲେ ଏଥିପାଇଁ ଆପଣଙ୍କୁ ୧୮ଲକ୍ଷ ଡଲାର ବା ୨୪ ମିଲିୟନ ୟେନ୍ ଦେବାକୁ ପଡିବ । ପ୍ରାଥମିକ ପର୍ଯ୍ୟାୟରେ ଅଧିକ ମୂଲ୍ୟ ଧାର୍ଯ୍ୟ କରାଯିବା ନେଇ କମ୍ପାନୀ ସିଇଓ କିସୁକେ ଇଓ୍ବାୟା କହିଛନ୍ତି କି, ମହାକାଶ ଯାତ୍ରାକୁ ବ୍ୟବସାୟିକ କରିବା ପରେ ଏହାର ମୂଲ୍ୟ ହ୍ରାସ କରାଯିବ ।

ମହାକାଶ ଯାତ୍ରା, ପୁଣି ବେଲୁନରେ । ଏହା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ସେତିକି ମଜାଦାର ମଧ୍ୟ । କମ୍ପାନୀ ଦ୍ବାରା ପ୍ରସ୍ତୁତ ଏହି ମହାକାଶ ଯାନ ପ୍ରାୟ ୪.୯ ଫୁଟର । ଏହା ଏକ ବାୟୁ ଅବରୋଧୀ ପ୍ଲାଷ୍ଟିକ କ୍ୟାବିନ୍ ଯାହା ୧୪୪ ଫୁଟ୍ ଚଉଡା ବିଶିଷ୍ଟ ଏକ ହିଲିୟମ୍ ବେଲୁନ ସହ ସଂଲଗ୍ନ । ଏଥିରେ ୨ ଜଣ ଯାତ୍ରୀ ବସିପାରିବେ । ଯାତ୍ରୀ ଏହାର ଡ୍ରମ୍ ଆକୃତି କ୍ୟାବିନର ସାମ୍ନା ଓ ପଛ ଝରକା ଜରିଆରେ ପୃଥିବୀର ୩୬୦ ଡିଗ୍ରୀର ଦୃଶ୍ୟ ଦେଖିପାରିବେ ।

ଜାପାନର ହୋକ୍କାଇଡୋ ସ୍ଥିତ ବେଲୁନ୍ ବନ୍ଦରରୁ ଏହି ଯାତ୍ରା କରି ହେବ । ବାୟୁମଣ୍ଡଳର ୨ୟ ପରସ୍ତ ଷ୍ଟ୍ରାଟୋସ୍ପିୟରରେ ପହଞ୍ଚିବାକୁ ଯାହାକୁ ପ୍ରାୟ ୨ଘଣ୍ଟା ସମୟ ଲାଗିଥାଏ । ଆଉ ଏହା ୧ଘଣ୍ଟା ଧରି ସର୍ବାଧିକ ୨୫ କିମି ଉଚ୍ଚରେ ରହିବ । କହିବାକୁ ଗଲେ ଏହି ନିଆରା ମହାକାଶ ଯାତ୍ରା ମୋଟ୍ ୫ ଘଣ୍ଟାର । ତେବେ ଯାତ୍ରୀମାନେ ବାହ୍ୟ ମହାକାଶରେ ରହିବେ ନାହିଁ । ଜେଟ୍ ଓ ବିମାନ ଉଡାଣ ଉଚ୍ଚତାରୁ ସେମାନେ ଆହୁରି ଉଚ୍ଚରେ ରହିବେ ଏବଂ ମହାକାଶର ସ୍ପଷ୍ଟ ଦୃଶ୍ୟ ଦେଖି ମଜା ନେଇପାରିବେ ।

ଦୀର୍ଘ ଏକ ଦଶନ୍ଧି ଧରି ଏହି କମ୍ପାନୀ ଏହି ବେଲୁନ୍ ଉପରେ କାମ କରୁଆସୁଛି । ଏହି ଯାତ୍ରା ଲୋକଙ୍କ ପାଇଁ ସୁରକ୍ଷିତ ଓ ବ୍ୟବସାୟିକ ହେବ ବୋଲି କମ୍ପାନୀ ଦାବି କରିଛି । ଚଳିତ ବର୍ଷ ଶେଷ ବେଳକୁ ଏହି ମଜାଦାର ମହାକାଶ ଭ୍ରମଣର ଯୋଜନା ଆରମ୍ଭ ହେବ ବୋଲି କମ୍ପାନି ସ୍ପଷ୍ଟ କରିଛି । ଗତ ମଙ୍ଗଳବାର ଏଥିପାଇଁ ଆବେଦନ ମଧ୍ୟ ଆରମ୍ଭ ହୋଇଯାଇଛି ଯାହା ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ । ଏଥିରେ ଚୟନ ହୋଇଥିବା ପ୍ରଥମ ୫ ଜଣ ଯାତ୍ରୀଙ୍କ ନାମ ଆସନ୍ତା ଅକ୍ଟୋବର ସୁଦ୍ଧା ଘୋଷଣା କରାଯିବ । ପାଣିପାଗକୁ ଦୃଷ୍ଟିରେ ରଖି ଏ ଉଡାଣ ୧ ସପ୍ତାହର ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ରାଜ୍ୟରେ ମୋଟ୍ ୮ହଜାର ୮୬୪ ସ୍କୁଲର ହେବ 5T ରୁପାନ୍ତରଣ

ଭୁବନେଶ୍ୱର: 5T ଅଧିନରେ ରାଜ୍ୟରେ ମୋଟ ୮ ହଜାର ୮୬୪ ହାଇସ୍କୁଲର ହେବ ରୂପାନ୍ତରଣ। ସବୁ ଜିଲ୍ଲାରେ ଥିବା ହାଇସ୍କୁଲକୁ ରୂପାନ୍ତରଣ କରାଯିବ। ରୂପାନ୍ତରିତ ସ୍କୁଲରେ ପିଲାଙ୍କୁ ମିଳୁଛି ଅତ୍ୟାଧୁନିକ ଭିତ୍ତିଭୂମି ସହିତ ଇଣ୍ଟରନେଟ୍‌ ସୁବିଧା।

ଏବେସୁଦ୍ଧା ୪ ହଜାର ୫୩୬ ସ୍କୁଲ ରୂପାନ୍ତରଣ ହୋଇଛି। ରୂପାନ୍ତରଣ ପାଇଁ ଖର୍ଚ୍ଚ ହୋଇଛି ୨ ହଜାର ୩୧୯ କୋଟି ଟଙ୍କା। ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଭିଜିଲାନ୍ସ ଜାଲରେ ବାଲେଶ୍ବର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ। ବାଲେଶ୍ବର ପୂର୍ତ୍ତ ବିଭାଗ ୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି। ୪ଜଣ ଡିଏସପି, ୧୦ ସବଇନ୍ସପେକ୍ଟର, ୨ ସବଇନ୍ସପେକ୍ଟର ରେଡ୍‌ରେ ସାମିଲ ହୋଇଛନ୍ତି।

ପୁରୀ ଜିଲ୍ଲା ଦାମୋଦରପୁର ରୋଡ ହରିଚାନ୍ଦିସାହି ସ୍ଥିତ ପୈତୃକ ଘର, ପୁରୀ ଅନନ୍ୟା ପାମ ବିଚା ଦ୍ବିତୀୟ ମହଲାରେ ଥିବା ଫ୍ଲାଟ ନମ୍ବର ୨୦୬୩,  ବାଲେଶ୍ବରସ୍ଥିତ ସରକାରୀ ବାସଭବନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍।

ଓଡ଼ିଶାରେ ବଢୁଛି ତାତି, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଫେବ୍ରୁଆରୀରୁ ଆଉଟୁପାଉଟୁ କଲାଣି ଖରା। ଉପାନ୍ତରୁ ଉପକୂଳ ସିଝିଲାଣି ସାରା ଓଡ଼ିଶା। ବିଭିନ୍ନ ଜିଲ୍ଲାରେ ୩୫ ଡିଗ୍ରୀ ଉପରେ ପାରଦ। ଗତକାଲି ୩୮ ଦଶମିକ ୩ଡିଗ୍ରୀ ସହିତ ସୋନପୁର ହୋଇଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଦ୍ବିତୀୟରେ ତାଳଚେର ଓ ତୃତୀୟରେ ରହିଥିଲା ନୟାଗଡ଼।

ଟୁଇନସିଟିରେ ବି ଉଚ୍ଚା ରହୁଛି ତାପମାତ୍ରା । ୩୭ଡିଗ୍ରୀ ପାର କରିଛି ଭୁବନେଶ୍ବରର ପାରା। ଆଗାମୀ ଦିନରେ ତାପମାତ୍ରା ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିଛିଦିନ ଭିତରେ ସ୍ବାଭାବିକ ଠାରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ସମ୍ଭାବନା ରହିଛି। ଏଇ ମାସ ଶେଷକୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି।

ତେବେ ଓଡିଶା ଦେଇ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମାର୍ଚ୍ଚରେ ଖରାର ପ୍ରକୋପ ଅଧିକ ରହିବା ସହ ଅସମ୍ଭାଳ ତାତି ଅନୁଭୂତ ହେବ।

ଆଜି ସୁଆଣ୍ଡୋ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନୂଆରୂପ ପାଇଛି ଉତ୍କଳମଣୀଙ୍କ ଜନ୍ମମାଟି। ଐତିହାସିକ ଗ୍ରାମରେ ରୂପାନ୍ତରିତ ହୋଇଛି ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ। ଆଜି ସୁଆଣ୍ଡୋ ଯାଇ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବର ବିମାନବନ୍ଦରରୁ ଦିନ ୧୦ଟା ୪୫ମିନିଟରେ ବାହାରି ୧୧ଟାରେ ସୁଆଣ୍ଡୋରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ।

ପ୍ରଥମେ ଶିବ ମନ୍ଦିରକୁ ଯାଇ ପୁଷ୍ପାଞ୍ଜଳି ପ୍ରଦାନ କରି ଷଠିଘର ବୁଲିବେ ମୁଖ୍ୟମନ୍ତ୍ରୀ। ପରେ ପରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ନବୀନ। ଜନ୍ମମାଟିର ନବକଳେବର କରାଯାଇଥିବା ବେଳେ ଗ୍ରାମରେ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ସବୁ ସ୍ଥାନର ବିକାଶ କରାଯାଇଛି। ୨୫ କୋଟି ଟଙ୍କା ବ୍ୟୟରେ ଗାଁର ବିକାଶ କରାଯାଇଥିବା ବେଳେ ପ୍ରକଳ୍ପ ଭିତରେ ରହିଛି ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୁତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ, ଉତ୍କଳମଣୀଙ୍କ ପ୍ରାୟ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ଓ ଷଠିଘର ନିର୍ମାଣ।

ଘରେ ଥିବା ଢିଙ୍କି, ଲଣ୍ଠନ, ଲୋଟା, ଖଟ ଉତ୍କଳମଣୀଙ୍କ ସ୍ମୃତିକୁ ତାଜା କରୁଛି। ଘରର ସବୁ ବସ୍ତୁକୁ ଅତି ସୁନ୍ଦର ଭାବେ ସଜାଇ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଉତ୍କଳମଣୀ ଗୋପବନ୍ଧୁଙ୍କ ଷଠି ଘର, ଗ୍ରାମ୍ୟ ଶିବ ମନ୍ଦିର, ଗୋପବନ୍ଧୁଙ୍କ ସଂଗ୍ରହାଳୟ, ଶିଶୁ ଉଦ୍ୟାନ ସହିତ ଗୋପବନ୍ଧୁଙ୍କ ୧୫ ଫୁଟ ଉଚ୍ଚତାର ବ୍ରୋଞ୍ଚ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିବେ। ପରେ ସଭାସ୍ଥଳକୁ ଯାଇ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ୟାକେଟରେ ଥିଲା ବୋମା, ବିସ୍ଫୋରଣ 3 ଶିଶୁ ଗୁରୁତର

କୋଲକାତା: ପ୍ୟାକେଟ ଖୋଲୁ ଖୋଲୁ ବୋମା ବିସ୍ଫୋରଣ । 3 ଜଣ ଶିଶୁ ଗୁରୁତର । ପଶ୍ଚିମବଙ୍ଗର ବିରଭୁମ୍ ଜିଲ୍ଲା ସ୍ଥିତ ମଲ୍ଲାରପୁର ଥାନା ଅନ୍ତର୍ଗତ ଖରାସିନପୁରରେ 3 ଶିଶୁ ଖେଳୁ ଥିବା ବେଳେ ଗୋଟିଏ ପ୍ୟାକେଟ ଦେଖିଥିଲେ । ପ୍ୟାକେଟକୁ ଉଠାଇ ଖୋଲୁଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ 3 ଶିଶୁ ଗୁରୁତର ହୋଇଛନ୍ତି । ପୋଲିସ ପହଞ୍ଚି ଶିଶୁଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଛି ।ଏବଂ ତଦନ୍ତ ଆରମ୍ଭ କରିଛି ।