spot_img
Home Blog Page 3593

ନବବର୍ଷ ପୂର୍ବରୁ ଅଘଟଣ, ଡିଭାଇଡରରେ ପିଟି ହୋଇ ଜଳିଗଲା ପନ୍ତଙ୍କ ଗାଡି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ନିଜ ଘର ଉତ୍ତରାଖଣ୍ଡରୁ ଦିଲ୍ଲୀ ଫେରୁଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ନାରସନ ବର୍ଡର ନିକଟରେ ଋଷଭଙ୍କ ଗାଡ଼ି ଡିଭାଇଡରରେ ପିଟି ହୋଇଥିଲା । ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ହୋଇଥିବା କୁହାଯାଉଥିବା ବେଳେ ଡିଭାଇଡରରେ ପିଟି ହେବା ପରେ BMW କାର୍ ସମ୍ପୂର୍ଣ୍ଣ ଜଳିଯାଇଛି ।

ପନ୍ତଙ୍କ ଅବସ୍ଥା ଗୁରୁତର ରହିଛି । ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ବେଳେ ପନ୍ତ ନିଜେ ଗାଡ଼ି ଚଳାଉଥିଲେ । ପନ୍ତଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି  ।

୧୭ ବର୍ଷରେ ବିଶ୍ବକପ ବିଜେତା, ‘ବ୍ଲାକ ପର୍ଲ’ଙ୍କୁ ଦେଖିବାକୁ କୋଲକତାରେ ଜମୁଥିଲା ପ୍ରବଳ ଭିଡ

ନନ୍ଦିଘୋଷ ବ୍ୟୁରୋ: ୮୨ ବର୍ଷ ବୟସରେ ଷ୍ଟାର ଫୁଟବଲର ପେଲେଙ୍କ ନିଧନ  । ଦୀର୍ଘଦିନ ଧରି କୋଲନ କ୍ୟାନସରରେ ପୀଡିତ ରହି ସାଓ ପାଓଲୋ ହସ୍ପିଟାଲରେ ଭର୍ତ୍ତି ଥିଲେ ପେଲେ  । ଅଧିକାଂଶ ଫରୱାର୍ଡ ପୋଜିସନରେ ଖେଳୁଥିବା ପେଲେଙ୍କୁ ଦୁନିଆର ସର୍ବଶ୍ରେଷ୍ଠ ଖେଳାଳୀ କହିଲେ ଭୁଲ ହେବ ନାହିଁ  । ପେଲେଙ୍କ ପ୍ରକୃତ ନାମ ଏଡସନ ଏରେଣ୍ଟସ ଡୋ ନାସିମେଣ୍ଟୋ । କିନ୍ତୁ ଶାନଦାର ପ୍ରଦର୍ଶନ ପାଇଁ ପେଲଲେ ‘ବ୍ଲାକ ପର୍ଲ’, ‘କିଙ୍ଗ ଅଫ ଫୁଟବଲ’, ‘କିଙ୍ଗ ପେଲେ’ଙ୍କ ଭଳି ଅନେକ ନାମରେ ପରିଚିତ  । ସବୁଠାରୁ ମହଙ୍ଗା ଫୁଟବଲରଙ୍କ ମଧ୍ୟରୁ ପେଲେ ଜଣେ ଥିଲେ  ।

କୋଲକତାରେ ପେଲେ କ୍ରେଜ୍‌

ପେଲେଙ୍କ ଯାଦୁ କେବଳ ବ୍ରାଜିଲରେ ସୀମିତ ନଥିଲା । ଭାରତରେ ପେଲେଙ୍କ ପ୍ରଶଂସକଙ୍କ ତାଲିକା ଖୁବ ଲମ୍ବା  । ପେଲେଙ୍କ ଗୋଟିଏ ଝଲକ ଦେଖିବା ପାଇଁ ଅଧାରାତିରେ ୩୦ ରୁ ୪୦ ହଜାର ପ୍ରଶଂସକ ପଶ୍ଚିମବଙ୍ଗର ଦମଦମ ବିମାନ ବନ୍ଦରରେ ପହଞ୍ଚି ଯାଉଥିଲେ। ପେଲେଙ୍କ ବାପା ଡୋନଡିହ୍ନୋ କ୍ଲବ ଲେବଲ ଫୁଟବଲ ଖେଳାଳୀ ଥିଲେ  । ଏହି ମହାନ ଖେଲାଳୀଙ୍କ ନାମ ଡିକୋ ଥିଲା  । କିନ୍ତୁ ସ୍ଥାନୀୟ ଫୁଟବଲ କ୍ଲବର ଜଣେ ଗୋଲକିପର ବିଲେଙ୍କ କାରଣରୁ ସେ ପେଲେ ନାମରେ ପରିଚୟ ପାଇଥିଲେ  । ପିଲାବେଳେ ଅଧିକାଂଶ ମ୍ୟାଚରେ ପେଲେ ଜଣେ ଭଲ ଗୋଲକିପର ଭାବେ ସୁନାମ ଅର୍ଜନ କରିଥିଲେ  । ଯେଉଁଥିପାଇଁ ତାଙ୍କୁ ଦ୍ବିତୀୟ ବିଲେ ବୋଲି କୁହାଯାଉଥିଲା  ।

୧୭ ବର୍ଷରେ ବିଶ୍ବକପ

୧୯୫୮ରେ ବ୍ରାଜିଲ ପ୍ରଥମ ଥର ବିଶ୍ବକପ  ଚାମ୍ପିଅନ ହୋଇଥିଲା  । ଯେଉଁଥିରେ ମୁଖ୍ୟ ଭୂମିକା ନେଇଥିଲେ ୧୭ ବର୍ଷୀୟ ପେଲେ  । ସେମିଫାଇନାଲରେ ଫ୍ରାନ୍ସ ବିରୋଧରେ ୫-୨ରେ ଶାନଦାର ବିଜୟ ସହ ହାଟ୍ରିକ କରିଥିଲେ  । ପୁଣି ସ୍ବିଡେନ ବିରୋଧରେ ଫାଇନାଲ ମ୍ୟାଚରେ ଆହୁରି ୨ଟି ଗୋଲ କରିଥିଲେ  । ପେଲେ ଏହି ବିଶ୍ବକପରେ ମୋଟ ୬ଟି ଗୋଲ୍‌ କରିଥିଲେ ଯେଉଁଥିପାଇଁ ତାଙ୍କୁ ଶ୍ରେଷ୍ଠ ଯୁବ ଖେଳାଳୀର ଆୱାର୍ଡ ମିଳିଥିଲା  । ଏହାପରେ ୧୯୬୨ ଓ ୧୯୭୦ରେ ବ୍ରାଜିଲ ପାଇଁ ଖେଳି ବିଶ୍ବକପ ଜିତିଥିଲେ   ।

ପେଲେଙ୍କ ସର୍ବାଧିକ ହାଟ୍ରିକ ରେକର୍ଡ

ପେଲେଙ୍କ ନାମରେ ସର୍ବାଧିକ ହାଟ୍ରିକ ରେକର୍ଡ ରହିଛି  । କ୍ୟାରିଅରରେ ସର୍ବାଧିକ ସେ ୯୨ଟି ହାଟ୍ରିକ କରିଛନ୍ତି  । ଏହି ତାଲିକାରେ ପେଲେଙ୍କ ପଛକୁ ଆହୁରି ବି ଖେଳାଳୀ ରହିଛନ୍ତି  । ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ୬୦ଟି ଗୋଲ୍‌ କରିଥିବାବେଳେ ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର ଲିଓନେଲ ମେସି ୫୬ଟି ହାଟ୍ରିକ କରିଛନ୍ତି  ।

୧୯ ନଭେମ୍ବର ପେଲେ ଡେ’

ପ୍ରଫେସନାଲ କ୍ୟାରିଅରରେ ମୋଟ ୧୩୬୩ ମ୍ୟାଚ ଖେଳି ୧୨୭୯ ଗୋଲ୍‌ କରିପାରିଛନ୍ତି ପେଲେ  । ବ୍ରାଜିଲ ପାଇଁ କେବଳ ୯୨ଟି ମ୍ୟାଚରେ ୭୭ ଗୋଲ୍‌ କରିଛନ୍ତି  । ନଭେମ୍ବର ୧୯୬୯ରେ ଯେତେବେଳେ ପେଲେ ୧୦୦୦ତମ ଗୋଲ୍‌ କରିଥିଲେ ତାଙ୍କୁ ଭେଟିବାକୁ ହଜାର ହଜାର ସଂଖ୍ୟାରେ ପ୍ରଶଂସକ ମଇଦାନରେ ପହଞ୍ଚି ଯାଇଥିଲେ  । ଖାସ୍‌ ଏଥିପାଇଁ ସେଣ୍ଟୋସ ସହରରେ ୧୯ ନଭେମ୍ବରରେ ପେଲେ ଡେ ସେଲିବ୍ରେଟ୍‌ କରାଯାଏ  । ୧୯୯୫ ରୁ ୧୯୯୮ ପର୍ଯ୍ୟନ୍ତ ବ୍ରାଜିଲର କ୍ରୀଡାମନ୍ତ୍ରୀ ବି ରହିଆସିଛନ୍ତି ପେଲେ  । ୧୯୯୯ରେ ତାଙ୍କୁ ଶ୍ରେଷ୍ଠ ଆଥଲେଟ ଭାବେ ଚୟନ କରିଥିଲା ଅନ୍ତରାଷ୍ଟ୍ରୀୟ ଅଲମ୍ପିକ କମିଟି  ।

ପେଲେଙ୍କ ତୃତୀୟ ବିବାହ

ବ୍ୟକ୍ତିଗତ ଜୀବନକୁ ନେଇ ବି ଚର୍ଚ୍ଚାରେ ରହୁଥିଲେ ପେଲେ  । ସେ ତିନୋଟି ବିବାହ କରିଛନ୍ତି  । ୧୯୬୬ରେ ରୋଜମରୀ ଡୋସ୍‌ ରଇସ ଚୋଲବିଙ୍କୁ ସେ ପ୍ରଥମ ବିବାହ କରିଥିଲେ  । ତାଙ୍କର ଦୁଇଟି ଝିଅ ବି ଅଛନ୍ତି  । କିନ୍ତୁ ୧୯୮୨ରେ ସେ ଛାଡପତ୍ର ନେଇଥିଲେ  । ୧୯୮୧ରୁ ୧୯୮୬ ପର୍ଯ୍ୟନ୍ତ ୧୭ ବର୍ଷୀୟ ମାରିଆ ଦା ଗ୍ରାକାଙ୍କ ସହ ସେ ରିଲେସନସିପରେ ରହିଥିଲେ  । ଏହାପରେ ପୁଣି ୧୯୯୧ରେ ମନୋବିଜ୍ଞାନୀ ଅସିରିଆ ଲେମୋସଙ୍କୁ ବିବାହ କରିଥିଲେ  । ତାଙ୍କର ଦୁଇଟି ଯମଜ କନ୍ୟା ଅଛନ୍ତି  । ୨୦୦୮ରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ  । ଏହାପରେ ୨୦୧୬ରେ ପେଲେ ମର୍ସିଆ ଓକିଙ୍କୁ ବିବାହ କରିଥିଲେ  ।

ଆରପାରିରେ ଫୁଟବଲ ତାରକା ପେଲେ, କର୍କଟରେ ପୀଡିତ ଥିଲେ

ନନ୍ଦିଘୋଷ ବ୍ୟୁରୋ: ଆଉନାହାନ୍ତି ଫୁଟବଲ ତାରକା ପେଲେ । ୮୨ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ପେଲେ । ବିଶ୍ବର ଏହି କିମ୍ବଦନ୍ତୀ ଫୁଟବଲ ଖେଳାଳି ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ। ଗତ ନଭେମ୍ବର ୨୯ ତାରିଖରେ ପେଲେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗୁରୁବାର ଦିନ ତାଙ୍କ ଶରୀର ଆଉ କେମୋଥେରୋପି ଗ୍ରହଣ ନକରିବାରୁ ତାଙ୍କ ମୃତ୍ୟୁ ଘଟିଥିଲା ।

ପେଲେ ନାମରେ ପରିଚିତ ଏଡସନ୍ ଅରାଣ୍ଟେସ୍ ଡୁ ନାସ୍କିମେଣ୍ଟୋ ହେଉଛନ୍ତି ବିଶ୍ବର ଏକମାତ୍ର ଖେଳାଳି ଯିଏକି ତିନି ଥର ଫିଫା ବିଶ୍ବକପ୍ ଜିତିବାର ଗୌରବ ହାସଲ କରିଛନ୍ତି। ଗତ ଫିଫା ବିଶ୍ବକପ୍ ବେଳେ ସେ ଶଯ୍ୟାଶାଯୀ ଥାଇ ବ୍ରାଜିଲ ଟିମ୍କୁ ଉତ୍ସାହିତ କରିଥିଲେ। ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରୀଡ଼ା ଜୀବନ ଆରମ୍ଭ କରିଥିଲେ ପେଲେ ।

ସେ ୯୨ ମ୍ୟାଚରେ ୭୭ ଗୋଲ୍ ଦେଇ ସର୍ବକାଳୀନ ଗୋଲ୍ ସ୍କୋରର୍ ହେବାର ଗୌରବ ଅର୍ଜନ କରିଥିଲେ। ୧୯୫୮, ୧୯୬୨ ଓ ୧୯୭୦ରେ ବ୍ରାଜିଲର ବିଜୟ ମୂଳରେ ସେ ଗ୍ରହଣ କରିଥିଲେ ପ୍ରମୁଖ ଭୂମିକା । ୧୯୫୮ ବିଶ୍ବକପ୍ରେ ସ୍ବିଡେନ୍ ବିପକ୍ଷ ଫାଇନାଲ୍ରେ ଦୁଇଟି ଗୋଲ୍ ଦେବା ସହ ମୋଟ ୬ ଗୋଲ୍ ସ୍କୋର କରିଥିଲେ। ୧୯୬୨ ବିଶ୍ବକପରେ ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୧୯୭୦ ବିଶ୍ବକପ୍ ଫାଇନାଲ୍ରେ ତାଙ୍କ ପ୍ରାରମ୍ଭିକ ଗୋଲରେ ବ୍ରାଜିଲ ୪-୧ରେ ଇଟାଲିକୁ ମାତ୍ ଦେଇଥିଲା। ପେଲେ ୧୯୪୦ ଅକ୍ବୋବର ୨୩ରେ ବ୍ରାଜିଲର ଟ୍ରେସ ଦୋ କୋରକୋସରେ ଜନ୍ମ ଗ୍ରହଣ କରିଥିଲେ ।

ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମା’, ଶତାୟୁରେ ବିଦାୟ ନେଲେ ହୀରାବେନ

ଅହମ୍ମଦାବାଦ: ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମାଆ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦିଙ୍କ ଦେହାନ୍ତ ହୋଇଛି । ଶହେ ବର୍ଷ ବୟସରେ ଅହମ୍ମଦାବାଦସ୍ଥିତ ୟୁଏନ ମେହେଟ୍ଟା ହସ୍ପିଟାଲରେ ହୀରାବେନ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅସୁସ୍ଥତା କାରଣରୁ ମଙ୍ଗଳବାର ସନ୍ଧ୍ୟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।

ହୀରାବେନଙ୍କ ମୃତ୍ୟୁ ନେଇ ୟୁଏନ ମେହେଟ୍ଟା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭୋର ସାଢେ ୩ଟା ସମୟରେ ଆରପାରିକୁ ଚାଲିଯାଇଥିଲେ ହୀରାବେନ । ମା’ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ କହିଛନ୍ତି- ସେ ଥିଲେ ଜଣେ ନିସ୍ବାର୍ଥପର କର୍ମଯୋଗୀ । ତାଙ୍କର ଜୀବନ ଥିଲା ମୂଲ୍ୟବୋଧଭିତ୍ତିକ । ଗତ ଜୁନରେ ମାଙ୍କ ଜନ୍ମଦିନ ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ବେଞ୍ଜାମିନ ନେତନ୍ୟାହୁ

ନନ୍ଦିଘୋଷ ବ୍ୟୁରୋ: ଲିକୁଡ ପାର୍ଟିର ନେତା ବେଞ୍ଜାମିନ ନେତନ୍ୟାହୁ ଗୁରୁବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଦେଶରେ ଲାଗିରହିଥିବା ରାଜନୈତିକ ଅସ୍ଥିରତା ଏବେ ଥମିବ ବୋଲି ଆଶା କରାଯାଉଛି । କାରଣ ୨୦୧୯ରୁ ଏପର୍ଯ୍ୟନ୍ତ ଏଠାରେ ପାଞ୍ଚଟି ସାଧାରଣ ନିର୍ବାଚନ ହୋଇସାରିଲାଣି । ୭୩ ବର୍ଷୀୟ ନେତନ୍ୟାହୁ  ଷଷ୍ଠଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

ସେ ଇସ୍ରାଏଲରେ ସବୁଠୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିବା ନେତା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ପଦର ଶପଥ ନେବା ପରେ ନେତନ୍ୟାହୁ ଇସ୍ରାଏଲର ସଂସଦ ନେସେଟରେ ବିଶ୍ୱାସ ମତ ମଧ୍ୟ ଜିତିଛନ୍ତି । ମିଡିଆ ରିପୋର୍ଟ ମୁତାବିକ ମୋଟ ୧୨୦ ସାଂସଦ ମାନଙ୍କ ମଧ୍ୟରୁ ୬୩ ନୂଆ ସରକାର ପକ୍ଷରେ ଭୋଟ ଦେଇଥିଲେ । ୫୪ ସାଂସଦ ବିପକ୍ଷରେ ଭୋଟ ଦେଇଥିଲେ । ନେତନ୍ୟାହୁ ନିଜ କ୍ୟାବିନେଟରେ ୩୧ ମନ୍ତ୍ରୀ ଏବଂ ତିନି ଉପମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି । ସେ ୫ ମହିଳାଙ୍କୁ ମଧ୍ୟ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି ।

ୟୁକ୍ରେନର ଗ୍ରୀନ କରିଡର ସହ ଯୋଡ଼ିହେବନି ଭାରତ !

ନୂଆଦିଲ୍ଲୀ: ଭାରତ ସରକାର ଗୁରୁବାର କହିଛନ୍ତି ଯେ, ୟୁକ୍ରେନର ଗ୍ରୀନ କରିଡର ସହ ଭାରତ ଯୋଡିହେବନି । ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ  କହିଛନ୍ତି, ଅବଶ୍ୟ ଖାଦ୍ୟ ମୂଲ୍ୟରେ ବୃଦ୍ଧି ସମୟରେ ଭାରତ ଅନେକ ଦେଶକୁ ଖାଦ୍ୟ ସାମଗ୍ରୀ ଯୋଗାଇବ । ୟୁକ୍ରେନର ଗ୍ରୀନ କରିଡର ସହ ସମ୍ବନ୍ଧିତ ଏକ ପ୍ରଶ୍ନର ଜବାବରେ ବାଗଚୀ କହିଛନ୍ତି, ମୋତେ ଏ ସମ୍ପର୍କରେ ଜଣାଅଛି । ଆମେ ଦ୍ୱିପାକ୍ଷିକ ସମ୍ବନ୍ଧକୁ ଦୃଷ୍ଟିରେ ରଖି ସହଯୋଗ କରୁଛୁ । ମୁଁ ଏସମ୍ପର୍କରେ ସ୍ପଷ୍ଟ ଭାବେ କହିପାରିବିନି ଯେ ଆମେ ଗ୍ରୀନ କରିଡର ସହ ଯୋଡ଼ିହେବୁ କି ନାହିଁ ।

କିନ୍ତୁ ସମ୍ଭାବନା ଅଧିକ ଯେ ଆମେ ଯୋଡ଼ିହେବୁ ନାହିଁ । କାରଣ ଆମର ଧ୍ୟାନ ଦକ୍ଷିଣ ଆଡ଼କୁ ଅଧିକ ରହିଛି । ପ୍ରକାଶ ଥାଉକି, ଦ ଗ୍ରୀନ କରିଡରକୁ ବ୍ଲାକ ସି ଗ୍ରୀନ କରିଡର ନାଁରେ ମଧ୍ୟ ଜଣାଯାଇଥାଏ । ଏହାର ଆରମ୍ଭ ମିଳିତ ଜାତିସଂଘ କରିଛି । ଏହାରି ଆଧାରରେ ୟୁକ୍ରେନର ସେହି ବନ୍ଦରର ଆଖପାଖରେ ପହଞ୍ଚିବାର ଅଛି, ଯାହାକୁ ରୁଷ ନିଜ କବଜାକୁ ନେଇଛି ଏବଂ ସେଠାରୁ ରପ୍ତାନୀ ବନ୍ଦ କରିଦେଇଛି । ଏଥିପାଇଁ ଇସ୍ତାନବୁଲ, ତୁର୍କୀରେ ୨୭ ଜୁଲାଇରେ ଚୁକ୍ତି ଉପରେ ହସ୍ତାକ୍ଷର ହୋଇଛି । ଏଠାରୁ ୟୁକ୍ରେନର ଖାଦ୍ୟ ରପ୍ତାନୀ ପାଇଁ ରାସ୍ତା ଦିଆଯିବ ।

ସୁଦୃଢ ହେବ ସ୍ବାସ୍ଥ୍ୟ ବ୍ୟବସ୍ଥା; ଓଡ଼ିଶାରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଆହୁରି ସୁଦୃଢ ହେବ ସ୍ବାସ୍ଥ୍ୟ ବ୍ୟବସ୍ଥା । ଓଡ଼ିଶାରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର । ଏଥିପାଇଁ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ପଞ୍ଜିକୃତ-ଜମି ହସ୍ତାନ୍ତର ସଭା । ଲୋକସେବା ଭବନରେ ଆୟୋଜିତ ବୈଠକରେ ଉନ୍ନତ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରାଯାଇଛି ।

ଏନସିଡିସିର ପ୍ରତିଷ୍ଠା ସ୍ବାସ୍ଥ୍ୟ ରୂପାନ୍ତରଣ ଦିଗରେ ଆଉ ଏକ ମାଇଲ ଖୁଣ୍ଟ ହେବ । ଏବେ ଆରଏମଆରସି, ଆଇଏଲଏସ୍, ଏମ୍ସ୍ ଆଦି କେନ୍ଦ୍ରୀୟ ଅନୁଷ୍ଠାନ ସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହଭାଗିତାରେ କାର୍ଯ୍ୟ କରୁଛି । ଏନସିଡିସି ରାଜ୍ୟର ଜନସ୍ବାସ୍ଥ୍ୟ ସେବା ବଢାଇବାରେ ସହାୟକ ହେବ । ରୋଗ ନିରୀକ୍ଷଣ ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ଏହା ରାଜ୍ୟର ଦକ୍ଷତାକୁ ବହୁଗୁଣିତ କରିବ ।

ଏହା ମାଧ୍ୟମରେ ରାଜ୍ୟରେ ସମନ୍ବିତ ରୋଗ ନିରୀକ୍ଷଣ, ମହାମାରୀ ପରବର୍ତ୍ତୀ ନିରୀକ୍ଷଣ, ପବ୍ଲିକ୍ ହେଲ୍ଥ୍ କ୍ଷେତ୍ରରେ ସୃଷ୍ଟି ହେଉଥିବା ନୂଆ ଆହ୍ବାନ, ବିଭିନ୍ନ ପ୍ରକାର ଭୁତାଣୁର ପୁନଃପୌନିକ ଦୃଶ୍ୟମାନତା ଆଦି କ୍ଷେତ୍ରରେ ପରୀକ୍ଷା କରାଯିବ । ଫଳରେ ଓଡ଼ିଶା ତଥା ପୂର୍ବାଞ୍ଚଳ ରାଜ୍ୟମାନଙ୍କର ଦକ୍ଷତା ବୃଦ୍ଧି କରିବ । ଏନସିଡିସି ପ୍ରତିଷ୍ଠା ପାଇଁ ଭୁବନେଶ୍ବର ଅନ୍ଧାରୁଆ ମୌଜାରେ ୩ ଦଶମିକ ୧୨୫ ଏକର ଜମି ଚିହ୍ନଟ କରାଯାଇଥିଲା । ଏହାର ପଞ୍ଜୀକରଣ ଏବଂ ହସ୍ତାନ୍ତର କାର୍ଯ୍ୟ ସଂପନ୍ନ ହୋଇଛି ।

ଫେବ୍ରୁଆରୀରୁ ଆରମ୍ଭ ହେବ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଫେବ୍ରୁଆରୀରୁ ଆରମ୍ଭ ହେବ ସିବିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା । ଏନେଇ ସିବିଏସଇ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଦଶମ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୫ରୁ ୨୧ ମାର୍ଚ୍ଚ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ୧୫ ଫେବ୍ରୁଆରୀରୁ ୫ ଏପ୍ରିଲ ଯାଏଁ ଚାଲିବ ।

ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ବା ସିବିଏସଇ ପକ୍ଷରୁ ଡାଟାସିଟ୍ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ cbse.nic.inକୁ ଯାଇ ଡାଟାସିଟକୁ ଡାଉନଲୋଡ କରିପାରିବେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପରୀକ୍ଷା ମଧ୍ୟରେ ପର୍ଯ୍ୟାପ୍ତ ସମୟ ଦିଆଯାଇଥିବା କୁହାଯାଇଛି ।

ପ୍ରବାସୀଙ୍କ ପାଇଁ ଖୁବଶୀଘ୍ର ଆସିବ ନୂଆ ଧରଣର ଇଭିଏମ

ନନ୍ଦିଘୋଷ ବ୍ୟୁରୋ: ପ୍ରବାସୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଲାଗି ଖୁବ୍ ଶୀଘ୍ର ଆସିବ ନୂଆ ଧରଣର ଇଲେକ୍ଟ୍ରୋନିକ ଭୋଟିଂ ମେସିନ । ଦୂରାନ୍ତରେ ରହୁଥିବା ପ୍ରବାସୀମାନେ ଅନେକ ସମୟରେ ଭୋଟ ଦେଉନାହାନ୍ତି । ଏପରିକି ଦେଶର ଏକ ତୃତୀୟାଂଶ ଲୋକ ଦୂରଦୂରାନ୍ତରେ ବାସ କରୁଥିବାରୁ ସେମାନେ ଭୋଟ ଦେଇନଥାନ୍ତି । ଏନେଇ ଚିନ୍ତିତ ଥିବା ଭାରତର ନିର୍ବାଚନ ଆୟୋଗ ଏହି ନୂଆ ଇଭିଏମ ପ୍ରଚଳନ ଲାଗି ଆଶା ବାନ୍ଧିଛନ୍ତି । ଏହି ନୂଆ ଧରଣର ଇଭିଏମକୁ ବ୍ୟବହାର କରିବା ସକାଶେ ବିଭିନ୍ନ ରାଜନୈତିକ ଦଳକୁ ଅନୁରୋଧ କରିଛନ୍ତି ଇସିଆଇ ।

ଏହା ସହ ନୂଆ ଇଭିଏମର ଆଇନଗତ ଓ ବୈଷୟିକ ଦିଗ ଉପରେ ପର୍ଯ୍ୟାଲୋଚନା କରିଛନ୍ତି । ମଲ୍ଟି କନଷ୍ଟିଚୁଏନସି ରିମୋଟ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ବା ଆରଭିଏମରେ ପ୍ରାୟ ୭୨ଟି ନିର୍ବାଚନ ନିର୍ବାଚନ ମଣ୍ଡଳୀର ତଥ୍ୟକୁ ପ୍ରୋଗ୍ରାମିଂ କରାଯାଇଛି । ଗତ ୨୦୧୯ ସାଧାରଣ ନିର୍ବାଚନରେ ୬୭ ଦଶମିକ ୪ ପ୍ରତିଶତ ନାଗରିକ ଭୋଟ ଦେଇଥିଲେ । ଅର୍ଥାତ ୩୦ କୋଟି ଲୋକ ଭୋଟ ଦେଇ ନଥିଲେ ।

ଅନେକ ସମୟରେ ପ୍ରବାସୀମାନେ ଅସ୍ଥାୟୀ ସ୍ଥାନରେ ନିଜ ନାମ ପଞ୍ଜିକରଣ କରିବା ଲାଗି ଅନିଚ୍ଛୁକ ଥାଆନ୍ତି । ଏହାରି ମୂଳରେ ରହିଥାଏ ସାମାଜିକ ଓ ଅନ୍ୟାନ୍ୟ କାରଣ । କାର୍ଯ୍ୟ, ବିବାହ ଓ ଶିକ୍ଷାଗତ କାରଣରୁ ଭାରତରେ କୋଟି କୋଟି ଲୋକେ ନିର୍ବାଚନ ସମୟରେ ନିଜ ସ୍ଥାନକୁ ଆସିପାରନ୍ତି ନାହିଁ କି ମତାଧିକାର ସାବ୍ୟସ୍ତ କରିପାରନ୍ତି ନାହିଁ ।

ଏପରିକି ମୋଟ ପ୍ରବାସୀଙ୍କ ମଧ୍ୟରୁ କେବଳ ରାଜ୍ୟ ଭିତରେ ହିଁ ଏହି ହାର ହୋଇଥାଏ ୮୫ ପ୍ରତିଶତ । ଏହି ନୂଆ ପଦକ୍ଷେପ ନିର୍ବାଚନଭିତ୍ତିକ ଗଣତନ୍ତ୍ର ଲାଗି ଏକ ରୂପାନ୍ତରଣ ହେବ ବୋଲି କହିଛନ୍ତି ସିଇସି ରାଜୀବ କୁମାର । ଆସନ୍ତା ୧୬ରେ ଏହି ମେସିନର ଡେମା କରାଯିବ ଏବଂ ଏଥିରେ ସାମିଲ ହେବ ବୈଷୟିକ ବିଶେଷଜ୍ଞ କମିଟି । ଏକ୍ଷେତ୍ରରେ ଆସନ୍ତା ଜାନୁଆରୀ ୩୧ ସୁଦ୍ଧା ମତାମତ ଦେବା ଲାଗି ରାଜନୈତିକ ଦଳଙ୍କୁ ଆହ୍ବାନ କରାଯାଇଛି ।

ଗାଡ଼ି ପାର୍କିଂକୁ କେନ୍ଦ୍ରକରି ଗାଁର ଗୋଟିଏ ପରିବାରକୁ ନିଆଁପାଣି ବାସନ୍ଦ ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମିର୍ଦ୍ଧାପାଳି ଗାଁରେ ଅଭାବନୀୟ ଘଟଣା । ଶୁଲିଆ ଯାତ୍ରାରେ ଗାଡି ପାର୍କିଂକୁ କେନ୍ଦ୍ରକରି ଗାଁର ଗୋଟିଏ ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଗାଁ କମିଟି ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଥିବା ଅଭିଯୋଗ କରିଛନ୍ତି ପୀଡିତ ପରିବାର । ମିର୍ଦ୍ଧାପାଲି ଗାଁର ଶରତ କୁମାର ରାଉତ ଗାଁ କମିଟି କୋଷାଧ୍ୟକ୍ଷ ଥିଲେ । ଗାଁରେ ଶୁଲିଆ ଯାତ୍ରା ପାର୍କିଂକୁ ନେଇ ବୈଠକ ହୋଇଥିଲା ।

ଯାତ୍ରାର ପାର୍କିଂ ସ୍ଥାନରେ କୌଣସି ବ୍ୟକ୍ତି ମାଗଣାରେ ଗାଡି କିମ୍ବା ସାଇକେଲ ରଖି ପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । ତେବେ ଯାତ୍ରା ଦିନ ସରପଞ୍ଚ ପିଙ୍କୁ ପଟେଲଙ୍କ ଭାଇ ସେଠାରେ ଗାଡି ରଖି ଚାଲିଯାଇଥିଲେ । ଶରତ ତାହା ଦେଖି ନିଜେ ମଧ୍ୟ ତାଙ୍କ ଗାଡି ରଖିଥିଲେ । ଯାହାକୁ ନେଇ ପାର୍କିଂ ଦାୟିତ୍ବରେ ଥିବା କିଛି ଯୁବକ ବିରୋଧ କରିବା ସହ କଥା କଟାକଟି ହୋଇଥିଲା ।

ଏହାକୁ କେନ୍ଦ୍ରକରି ଗାଁରେ ଏକ ସଭା ଆୟୋଜନ ହୋଇଥିଲା । ସଭାକୁ ଶରତକୁ ଡାକି 50 ହଜାର ଟଙ୍କା ଜୋରିମାନା କରାଯାଇଥିଲା । ତେବେ ଶରତ ରାଜି ନହୋଇ ସଭାରୁ ଉଠିଆସିଥିଲେ । ପରେ ଗାଁ କମିଟି ତାଙ୍କୁ ପଦବୀରୁ ହଟାଇବା ସହ ଗାଁରେ ଡେଙ୍ଗୁରା ଦେଇ ନିଆଁପାଣି ବାସନ୍ଦ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଶରତ ଓ ତାଙ୍କ ଭାଇ ଅଶ୍ବିନୀ ସଦର୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।