spot_img
Home Blog Page 3642

କୁଆଡେ ଗଲେ ରାଇଘର ତହସିଲ ରାଜସ୍ୱ ସୁପରଭାଇଜର, ଶନିବାର ରାତିରୁ ମିଳୁନି ଖୋଜ ଖବର

ନବରଙ୍ଗପୁର: କୁଆଡ଼େ ଗଲେ ନବରଙ୍ଗପୁର ରାଇଘର ତହସିଲ ରାଜସ୍ୱ ସୁପରଭାଇଜର ସପନ ସରକାର ଓ ତାଙ୍କ ପରିବାର । ଶନିବାର ରାତିରୁ ସପନଙ୍କ ସମେତ ତାଙ୍କ ସ୍ତ୍ରୀ ରୀତା ସରକାର, ଶଳା ବିଶୁ ଅଧିକାରୀ ଓ ଅନ୍ୟଜଣେ ବନ୍ଧୁ ହାଜାରୀ ଡାଲିଙ୍କ ପତ୍ତା ମିଳୁନି । ନିଖୋଜ ଘଟଣାକୁ ଦୁଇ ଦିନ ବିତିଥିଲେ ବି ବର୍ତ୍ତମାନ ପର୍ଯନ୍ତ କୌଣସି ଖୋଜ ଖବର ମିଳୁନି । ଛତିଶଗଡ଼ କାଙ୍କେରରେ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ । ବିବାହ ଭୋଜି ସାରି ଛତିଶଗଡ଼ କାଙ୍କେରରୁ ୪ ଜଣ କୋଣ୍ଡାଗାଁକୁ ଫେରୁଥିଲେ । ରାତିରେ ଏକ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ । ଯାହାର ସିସିଟିଭି ଫୁଟେଜ୍ ମିଳିଛି । ତେଲ ପକାଇବା ପରେ ସେଠାରୁ ବାହାରିଥିଲେ । କିଛି ବାଟ ଆସିବା ପରେ ସେମାନଙ୍କ ଫୋନ୍ ଲାଗି ନଥିଲା ।

ସପନ ଓ ଅନ୍ୟମାନେ ଘରେ ପହଞ୍ଚି ନଥିବା ବେଳେ ସମସ୍ତଙ୍କ ମୋବାଇଲ ମଧ୍ୟ ସୁଇଚ ଅଫ୍ ରହିଛି । ରବିବାର ସକାଳୁ ପରିବାର ଲୋକେ ବିଭିନ୍ନ ଆଡ଼େ ଖୋଜାଖୋଜି କରିଥିଲେ ବି ସେମାନଙ୍କ ପତ୍ତା ମିଳି ନଥିଲା । ୪ ଜଣ ଏକାଠି କାରରେ ବାହାରିଥିବା ବେଳେ କୁଆଡ଼େ ଗଲେ ତାକୁ ନେଇ ଆଶା ଆଶଙ୍କା ବଢ଼ିବାରେ ଲାଗିଛି । ସେମାନଙ୍କୁ ଅପହରଣ କରାଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପରିବାର ପକ୍ଷରୁ କାଙ୍କେର କତୁଆଲି ଥାନାରେ ଏତଲା ଦିଆଯାଇଛି । କାଙ୍କେର ପୋଲିସ ଖୋଜା ଖୋଜି କରିଥିଲେ ବି ଏ ପର୍ଯ୍ୟନ୍ତ କୌଣସି ସନ୍ଧାନ ପାଇନି ପୋଲିସ ।

ରାଜଧାନୀରେ ଜଳିଗଲା ଗାଡ଼ି, ଛିଡ଼ା ହୋଇଥିବାବେଳେ ଗାଡ଼ିରେ ଲାଗିଲା ନିଆଁ

ଭୁବନେଶ୍ୱର: ରାଜଧାନୀରେ ଜଳିଗଲା ଗାଡ଼ି । ଭୁବନେଶ୍ୱର କଟକ ରାସ୍ତାର ଲକ୍ଷ୍ମୀସାଗର ଛକରେ ଘଟିଛି ଘଟଣା । ଭୋର ୪ଟାରେ ନିଆଁ ଲାଗିଥିଲା । ରାସ୍ତାରେ ଗାଡ଼ିଟି ଛିଡ଼ା ହୋଇଥିବା ବେଳେ ନିଆଁ ଲାଗିଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଗାଡ଼ି ଭିତରେ କେହି ନଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ, କାରଣ ଖୋଜୁଛି ଅଗ୍ନିଶମ ବାହିନୀ ।

ଆଜି ଶପଥ ନେବେ ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ୱର: ଆଜି ବିଧାୟିକା ଭାବେ ଶପଥ ନେବେ ପଦମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା । ଦିନ ସାଢ଼େ ୧୧ଟାରେ ଶପଥ ନେବା କାର୍ଯ୍ୟକ୍ରମ ରହିଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ବର୍ଷାଙ୍କୁ ଶପଥ ପାଠ କରାଇବେ । ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ପରେ ପଦମପୁରରେ ଉପନିର୍ବାଚନ ହୋଇଥିଲା । ଏଥିରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଦିବଗଂତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହା ।

ଆଗକୁ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବର୍ଷା । ଉପନିର୍ବାଚନ ସମୟରେ ପଦମପୁରବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବେ । ସେମାନଙ୍କ ପାଖରେ ରହି ସେବା କରିବେ ବୋଲି ବର୍ଷା କହିଛନ୍ତି । ଲୋକ କିପରି ସରକାରୀ ଯୋଜନାର ସୁବିଧା ପାଇପାରିବେ, ସେନେଇ ଗୁରୁତ୍ୱ ଦେବା ସହ ଲୋକଙ୍କ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବେ ବୋଲି ବର୍ଷା କହିଛନ୍ତି ।

ପୂରା ହେଲା ନାସାର ମୁନ ମିଶନ, ପୃଥିବୀକୁ ଫେରିଆସିଲା SLS ଆାର୍ଟେମିସ୍-୧

ନୂଆଦିଲ୍ଲୀ: ପୂରା ହେଲା ନାସାର ମୁନ ମିଶନ । ଗତକାଲି ରାତି ୧୧ଟା ୧୦ ମିନିଟରେ ପୃଥିବୀକୁ ଫେରିଆସିଲା ଆର୍ଟେମିସ-୧ । ୨୫ ଦିନ ୧୦ ଘଣ୍ଟା ୫୩ ମିନିଟର ଯାତ୍ରା ସାରି ଫେରିଲା ନାସା SLS ରକେଟ୍ । ୧.୪ ମିଲିୟନ ମାଇଲ ଯାତ୍ରା କରିଛି ଆର୍ଟେମିସ-୧ । କେନେଡି ସ୍ପେସ ଷ୍ଟେସନରୁ ଏହି ରକେଟ୍‌ ଉତକ୍ଷେପଣ କରାଯାଇଥିବା ବେଳେ, ଏହା କାଲିଫର୍ଣ୍ଣିଆ ସମୁଦ୍ରରେ ଅବତରଣ କରିଛି । ଚନ୍ଦ୍ରପୃଷ୍ଠରୁ ପୃଥିବୀ ଫେରିଥିବା ଏହି ରକେଟ ଲାଟେଷ୍ଟ ଟେକ୍ନୋଲୋଜି ସ୍କିପ୍ ଏଣ୍ଟ୍ରି ଟେକନିକରେ ଲ୍ୟାଣ୍ଡ କରିଛି । ଏହି ପ୍ରକ୍ରିୟାରେ ତିନିଟି ପର୍ଯ୍ୟାୟ ରହିଥିଲା ।

ପ୍ରଥମେ ଏହା ପୃଥିବୀ ବାୟୁମଣ୍ଡଳର ଉପରିଭାଗରେ ପ୍ରବେଶ କରିଥିଲା । ଏହାପରେ କ୍ୟାପସୁଲ ସାହାଯ୍ୟରେ ବାୟୁମଣ୍ଡଳ ବାହାରକୁ ଆସି ପୁଣି ପାରାଚ୍ୟୁଟ ଯୋଜେ ବାୟୁମଣ୍ଡଳରେ ପ୍ରବେଶ କରିଥିଲା । ସ୍କିପ ଏଣ୍ଟ୍ରି ବେଳେ ସ୍ପେସକ୍ରାଫ୍ଟ ଓ କ୍ରୁ ମଡ୍ୟୁଲ ଅଲଗା ହୋଇଥିଲା । ଆର୍ଟେମିସ-୧ ନାସା ମୁନ ମିସନର ଟେଷ୍ଟ ଫ୍ଲାଇଟ । ଆର୍ଟେମିସ-୨ରେ ମହାକାଶଚାରୀଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇବାକୁ ନାସା ଯୋଜନା କରୁଛି । ଟେଷ୍ଟ ଫ୍ଲାଇଟର ଲ୍ୟାଣ୍ଡିଂ ପରେ ଏବେ ଆର୍ଟେମିସ-୨ର ପ୍ଲାନିଂ କରାଯାଉଛି । ୨୦୨୪ ସୁଦ୍ଧା ଆର୍ଟେମିସ-୨ ଲଞ୍ଚ କରିବାକୁ ନାସା ଯୋଜନା କରୁଛି ।

ଆଜିଠୁ ଟ୍ୱିଟର ବ୍ଲୁ ଚେକ୍ ମାର୍କ’ ସେବା, ୟୁଜରଙ୍କୁ କିଣିବାକୁ ହେବ ବ୍ଲୁ ସବସ୍କ୍ରିପସନ

ନୂଆଦିଲ୍ଲୀ: ଆଜିଠୁ ଟ୍ୱିଟର ପୁଣି ଥରେ ଆରମ୍ଭ କରୁଛି ବ୍ଲୁ ଚେକ୍ ମାର୍କ ସେବା । ଏଥିପାଇଁ ୟୁଜରଙ୍କୁ ଟୁଇଟର ବ୍ଳୁ ସବସ୍କ୍ରିପସନ କିଣିବାକୁ ପଡ଼ିବ । ଯାହାଫଳରେ ସେମାନେ ବ୍ଳୁ ଟିକ୍ ସହିତ ସ୍ୱତନ୍ତ୍ର ଫିଚର୍ସର ଲାଭ ଉଠାଇପାରିବେ । ଗତ ମାସରେ କମ୍ପାନୀ ଏହି ପ୍ରୟାସରେ ବିଫଳ ହୋଇଥିଲା । ଯାହାକୁ ପୁନଃ କାର୍ଯ୍ୟକାରୀ କରାଯାଉଛି । ପୂର୍ବରୁ ଏହି ବ୍ଲୁ ଚେକ୍ ମାର୍କ କମ୍ପାନୀ, ସେଲିବ୍ରିଟି, ସରକାରୀ ସଂସ୍ଥା ଏବଂ ସାମ୍ବାଦିକଙ୍କୁ ଦିଆଯାଉଥିଲା ।

ଅକ୍ଟୋବରରେ ୪୪ ବିଲିୟନ ଡଲାରରେ ଏଲନ ମସ୍କ ଟ୍ୱିଟର କିଣିବା ପରେ ଏଥିରେ ଅନେକ ପରିବର୍ତ୍ତନ କରିଥିଲେ । ଯେଉଁଥିରେ ୮ ଡଲାରରେ ଟ୍ୱିଟରର ବ୍ଲୁ ସବସ୍କ୍ରିପସନ କିଣିବା ନିଷ୍ପତ୍ତି ରହିଥିଲା । ଏଥିପାଇଁ ଓ୍ୱେବ୍ ୟୁଜର୍ସଙ୍କଠାରୁ ମାସିକ ୮ ଡଲାର ଏବଂ ଆଇଫୋନ୍ ୟୁଜର୍ସ ୧୧ ଡଲାର ଦେବାକୁ ପଡ଼ିବ । ଟ୍ୱିଟର କହିଛି ଏହି ଫିଚର ଦ୍ୱାରା ୟୁଜରଙ୍କୁ କମ୍ ବିଜ୍ଞାପନ ଦେଖିବାକୁ ମିଳିବ । ଏହା ସହ ୟୁଜର ଅଧିକ ସମୟର ଭିଡିଓ ସେୟାର କରିପାରିବେ ଏବଂ ସେମାନଙ୍କର ଟୁଇଟ୍ ଗୁଡିକ ଅଧିକ ପ୍ରାଧାନ୍ୟତାର ସହ ଦେଖାଯିବ।

ଆଜିଠୁ ଗୁଜରାଟରେ ଭୂପେନ୍ଦ୍ର ପଟେଲଙ୍କ ସେକେଣ୍ଡ ଇନିଂସ, ୧୮ ତମ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ଗାନ୍ଧୀନଗର: ଆଜିଠୁ ଗୁଜରାଟରେ ଭୂପେନ୍ଦ୍ର ପଟେଲଙ୍କ ସେକେଣ୍ଡ ଇନିଂସ । ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ । ଗାନ୍ଧୀନଗରର ହେଲିପ୍ୟାଡ୍ ଗ୍ରାଉଣ୍ଡରେ ହେବ ଶପଥ ଗ୍ରହଣ ଉତ୍ସବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୧୦ରୁ ଅଧିକ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଚଳିତ ବର୍ଷ ଗୁଜରାଟ ନିର୍ବାଚନରେ ବିଜେପି ରେକର୍ଡ କରିଛି । ରେକର୍ଡ ସଂଖ୍ୟକ ଆସନ ସହିତ ମହାବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି । ୧୮୨ ଆସନରୁ ବିଜେପି ଏକାକୀ ୧୫୬ଟି ଆସନ ଦଖଲ କରିଛି । ବିଜୟ ବ୍ୟବଧାନରେ ରେକର୍ଡ କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ଘାଟଲୋଡିଆ ଆସନରୁ ଲଢ଼ି ୧ ଲକ୍ଷ ୯୧ ହଜାର ୩୬୦ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି । ଶପଥ ଉତ୍ସବକୁ ଐତିହାସିକ କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

୮ ନମ୍ବର ଡିଏଭି ପବ୍ଲିକ୍ ସ୍କୁଲଠାରେ ମ୍ୟାନେଜ ଅଟିଜିମ୍ ନାଓ ବା ମ୍ୟାନ୍ ଟ୍ରଷ୍ଟ ପକ୍ଷରୁ ବାର୍ଷିକ ଉତ୍ସବ ପାଳନ

0

ଭୁବନେଶ୍ୱର:  ୮ ନମ୍ବର ଡିଏଭି ପବ୍ଲିକ୍ ସ୍କୁଲଠାରେ ମ୍ୟାନେଜ ଅଟିଜିମ୍ ନାଓ ବା ମ୍ୟାନ୍ ଟ୍ରଷ୍ଟ ପକ୍ଷରୁ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହାକୁ ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଇପସିତା ଦାସ ପରିଚାଳନା କରିଥିଲେ । ଅଟିଜିମ୍ ପିଲାମାନଙ୍କୁ କିପରି  ସ୍ୱଭାବକ ଭାବେ ଭାଷା ବୁଝାଯାଇ ପାରିବ, ସେ ନେଇ ସଚେତନ କରାଯାଇଛି ।

ଅଟିଜିମ ଛାତ୍ରଛାତ୍ରୀମାନେ ନିଜ ଜୀବନ ଶୈଳୀକୁ ଯୋଗ ଓ ସାଂସ୍କୃ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଷଣ କରିଥିଲେ । ସେମାନେ କିପରି ଶିଖୁଛନ୍ତି ଓ ସେମାନଙ୍କ ସହ କିପରି ବ୍ୟବହାର କରାଯିବ, ସେ ନେଇ ସମସ୍ତଙ୍କୁ ଅବଗତ କରାଯାଇଥିଲା । ଏହି ଅବସରରେ ସୋଆର କୁଳପତି ଡାକ୍ତର ଅଶୋକ ମହାପାତ୍ର ଓ ସାତକଡି ହୋତାଙ୍କ ସମେତ ମ୍ୟାନ ଟ୍ରଷ୍ଟର ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମିଶ୍ର ଉପସ୍ଥିତ ଥିଲେ ।

ପୁରୀ ଶରଧାବାଲିରେ ମନ ମୋହୁଛି ୧୯ତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ

0

ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ୧୯ତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଗତକାଲି ଦ୍ୱିତୀୟ ସନ୍ଧ୍ୟାରେ ନୃତ୍ୟ ଗୀତରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି ।ଶିଶୁ ମହୋତ୍ସବ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗତକାଲି ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁଙ୍କ ମନରେ ଭାଷା, ସଂସ୍କୃତି ପ୍ରୀତି ବଢିବା ନେଇ ରାଜ୍ୟ ସରକାର କାର୍ଯ୍ୟ କରୁଥିବା କହିଥିଲେ।

ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ତିନିଶହ ଶିଶୁ ଅଂଶଗ୍ରହଣ କରି ଚମତ୍କାର ସଂଗୀତ, ନୃତ୍ୟ ଓ ବାଦ୍ୟ ପରିବେଷଣ କରିଥିବା ବେଳେ ଉପସ୍ଥିତ ଦର୍ଶକଙ୍କ ମନ ମୋହି ଥିଲା। ଓଡ଼ିଆ ଘରର ଶିଶୁମାନେ ଓଡ଼ିଶା, ଓଡ଼ିଆ ଭାଷା ଓ ଉତ୍କଳୀୟ ସଂସ୍କୃତିକୁ ଭଲପାଆନ୍ତୁ। ଶିଶୁ ମନରେ ଭାଷା, ଜାତି ଓ ସଂସ୍କୃତି ପ୍ରତି ଶ୍ରଦ୍ଧା ବଢୁଥିବା ବେଳେ ରାଜ୍ୟ ତଥା ଦେଶରେ ନିଜକୁ ପ୍ରତିପାଦିତ କରୁଥିବା କଥା ମୁଖ୍ୟବକ୍ତା ଭାବେ ସକାଳ ଖବରକାଗଜର ପ୍ରକାଶକ ଅମିତ କୁମାର ମଲ୍ଲିକ ଯୋଗଦାନ କରି ମତ ରଖିଥିଲେ।ସମଗ୍ର ଓଡ଼ିଶାର ଶିଶୁ ପ୍ରତିଭାକୁ ନେଇ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ କୁନିକୁନି ଶିଳ୍ପୀ ମାନେ ଚମତ୍କାର ସଂଗୀତ, ନୃତ୍ୟ ଓ ବାଦ୍ୟ ପରିବେଷଣ କରିଥିଲେ।ପରେ ଅତିଥି ମାନଙ୍କ ଦ୍ୱାରା କୁନି କୁନି ପ୍ରତିଭା ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।

ଭୁବନେଶ୍ୱରରେ ଆୟୋଜିତ ଜାତୀୟ ଡଗ୍‌ ଶୋ’ର ଆଜି ଶେଷଦିନ

0

ଭୁବନେଶ୍ୱର: ଓଡ଼ିଶା କେନେଲ କ୍ଲବ କଳିଙ୍ଗ ଶାଖା ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ଜାତୀୟ ଡଗ ଶୋର ଆଜି ଶେଷଦିନ । ୟୁନିଟ-6 ହାଇସ୍କୁଲ ପଡ଼ିଆରେ ଚାଲିଥିବା ଡୋଗ ଶୋରେ ବିଭିନ୍ନ ରାଜ୍ୟରୁ ୪ ଶହରୁ ଅଧିକ କୁକୁର ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ୩୪ଟି ପ୍ରଜାତିର କୁକୁର ରହିଛନ୍ତି । ୩ ଦିନ ଧରି ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଜର୍ମାନ ସେଫର୍ଡ ପ୍ରଜାତିର କୁକୁରଙ୍କ ପ୍ରତିଯୋଗିତା ହୋଇଥିବା ବେଳେ, ଦ୍ବିତୀୟ ଦିନରେ କୁକୁରଙ୍କ ଓବିଡିଏଣ୍ଟ ଟେଷ୍ଟ୍ କରାଯାଇଥିଲା।

ଆଜି ଶେଷ ଦିନରେ ସବୁ ପ୍ରଜାତିର କୁକୁରଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଗୋଟିଏ ଇଣ୍ଡିଆନ୍ ଡଗ୍ ବା ବୁଲ କୁକୁରକୁ ଟ୍ରେଣ୍ଡ୍ କରାଯାଇ ଏହି ପ୍ରତିଯୋଗିତାରେ ସାମିଲ କରାଯାଇଥିଲା । ଅଷ୍ଟ୍ରେଲିଆରୁ ଲୁଇ ଡୋନାଲଡ଼ ଓ ସର୍ବିଆରୁ ପିଟର ଫେରିକ ବିଚାରକ ଭାବେ ଯୋଗ ଦେଇଛନ୍ତି ।

ଗାଁ ଗାଁରେ ଗାଈଗୋରୁଙ୍କୁ ବ୍ୟାପୁଛି ଅଜଣା ରୋଗ

0

ଭୁବନେଶ୍ୱର: ଗାଈଗୋରୁଙ୍କୁ ଅଜଣା ରୋଗ । ଗୋପାଳକଙ୍କୁ ଘାରିଲାଣି ଚିନ୍ତା । ଗାଁ’କୁ ଗାଁ ରୋଗ ବ୍ୟାପୁଛି। ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବହୁ ଗାଈଗୋରୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସଂକ୍ରମିତ ପଶୁଙ୍କ ଶରୀରର ବିଭିନ୍ନ ସ୍ଥାନ ଫୁଲିବା ସହ ଚର୍ମରେ ଗଣ୍ଠି ପଡ଼ିବା ଭଳି ଦିଶୁଛି ଓ ଘାଆ ହେଉଛି । ଏହି ରୋଗର ଚିକିତ୍ସା ପାଇଁ ଔଷଧ ବାହାରି ନଥିବା କୁହାଯାଉଛି । ଗୋପାଳକମାନେ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶରେ ଔଷଧ ଦେଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ଆକ୍ରାନ୍ତ ପଶୁଙ୍କ ଘାଆ, ରକ୍ତ ଓ ଲାଳ ଦ୍ଵାରା ଅନ୍ୟ ପଶୁକୁ ରୋଗ ବ୍ୟାପୁଛି ।

ପିପିଲି ବ୍ଲକ ଓ ଏନଏଏସିର ବିଭିନ୍ନ ଗାଁରେ ଗାଈଗୋରୁ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ଗାଈଙ୍କ କ୍ଷୀର କମି ଯାଉଛି । ପଶୁସମ୍ପଦ ବିଭାଗ ପକ୍ଷରୁ ଔଷଧ ଯୋଗାଇଦେବା  ସହିତ ନିମ୍ବ ଓ ହଳଦୀ ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି । ଆକ୍ରାନ୍ତ ହୋଇ ନଥିବା ଗାଈଗୋରୁଙ୍କୁ ପ୍ରତିଷେଧକ ଟିକା ଦିଆଯାଉଥିବା ପ୍ରାଣୀ ଚିକିତ୍ସା ଅଧିକାରୀ କହିଛନ୍ତି ।

ଅଜଣା ରୋଗରେ ଗାଈଗୋରୁଙ୍କ ମୃତ୍ୟୁ ହେଉଥିବାରୁ ଋଣ କରି ଗାଈ କିଣିଥିବା ଗୋପାଳକ କିପରି ଋଣ ଶୁଝିବେ, ସେହି ଚିନ୍ତାରେ ପଡ଼ିଛନ୍ତି ।