ବ୍ରହ୍ମପୁର: ନବକିଶୋର ଦାସଙ୍କୁ ଗୁଳିକାଣ୍ଡ ପରେ ଅଭିଯୁକ୍ତ ଗୋପାଳକୃଷ୍ଣର ଘରେ ପଡ଼ିଛି ତାଲା । ତାଙ୍କ ପରିବାର ଲୋକ ଘର ଛାଡ଼ି ଅନ୍ୟ କେଉଁଆଡ଼େ ପଳାଇଥିବା ଜଣାପଡ଼ିଛି । ବ୍ରହ୍ମପୁର ଆଙ୍କୁଲି ଓ୍ବାର୍ଡ ନମ୍ବର ୩୯ରେ ରହୁଥିଲେ ଗୋପାଳକୃଷ୍ଣର ପରିବାର । ନବ କିଶୋର ଦାସଙ୍କୁ ଅଭିଯୁକ୍ତ ଗୋପାଳ ଗୁଳି ଚଳାଇଥିବା ଖବର ଜଣାପଡ଼ିବା ପରେ ତାଙ୍କ ଘର ସମ୍ମୁଖରେ ଲୋକଙ୍କ ଭିଡ଼ ଲାଗି ରହିଥିଲା । ତେବେ ନବକିଶୋରଙ୍କ ଦେହାନ୍ତ ପରେ ଗୋପାଳର ପରିବାର ଲୋକ କେଉଁଆଡ଼େ ପଳାଇଥିବା ଜଣାପଡ଼ିଛି । ଘର ବାହାରେ ତାଲା ପଡିଛି । ସେମାନେ କେଉଁଆଡେ ପଳାଇଲେ, ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କନ୍ନଡ଼ ଗୀତ ନଗାଇବାରୁ କର୍ଣ୍ଣାଟକରେ କୈଳାଶ ଖେରଙ୍କ ଉପରକୁ ବୋତଲ ମାଡ଼
କର୍ଣ୍ଣାଟକ: କର୍ଣ୍ଣାଟକରେ ଏବେ ଚାଲିଛି ହମ୍ପି ଉତ୍ସବ । ୩ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ଶୋ’ କରିଛନ୍ତି ବଲିଉଡର ପ୍ରଖ୍ୟାତ କଣ୍ଠଶିଳ୍ପୀ କୈଳାଶ ଖେର । କନସର୍ଟରେ କୈଳାଶଙ୍କ ଉପରେ ଆକ୍ରମଣ ହୋଇଛି । ସେ ଗୀତ ଗାଉଥିବା ସମୟରେ ତାଙ୍କ ଉପରକୁ ପାଣି ବୋତଲ ଫିଙ୍ଗାଯାଇଛି। ଏହି ଉତ୍ସବରେ କୈଳାଶ ଯୋଗ ଦେଇ ଷ୍ଟେଜରେ ଗୀତ ଗାଇଥିଲେ । ହଜାର ହଜାର ସଂଖ୍ୟକ ଦର୍ଶକ ହମ୍ପି ଉତ୍ସବରେ ଯୋଗ ଦେଇଥିଲେ । କନସର୍ଟରେ ସମସ୍ତ ଦର୍ଶକ ଝୁମିଥିଲେ । କିନ୍ତୁ ଏହି ସମୟରେ ଜଣେ ବ୍ୟକ୍ତି ଷ୍ଟେଜ୍ ତଳେ ଥାଇ ଅତର୍କିତ ଆକ୍ରମଣ କରିଥିଲେ । କୈଳାଶଙ୍କ ଉପରେ କାଚ ବୋତଲ ଫୋପାଡି ଥିଲେ । କୌଣସି ଉପାୟରେ କୈଳାଶଙ୍କ ଟିମ୍ ତାଙ୍କୁ ସେଠାରୁ ରକ୍ଷା କରିଥିଲେ । ସଙ୍ଗେ ସଙ୍ଗେ ପୋଲିସ ଅଭିଯୁକ୍ତଙ୍କୁ ଷ୍ଟେଜ୍ ନିକଟରୁ ଗିରଫ କରିଛି ।
ହମ୍ପି ଉତ୍ସବରେ କୈଳାଶଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ କୌଣସି ସୂଚନା ମିଳିପାରିନାହିଁ । ସୂଚନା ଅନୁଯାୟୀ, କୈଳାଶ ହମ୍ପି ଉତ୍ସବରେ କନ୍ନଡ ଗୀତ ଗାଇ ନଥିବା ଯୋଗୁଁ ତାଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି । କନସର୍ଟ ସମୟରେ ଜଣେ ବ୍ୟକ୍ତି କନ୍ନଡ ଗୀତ ଗାଇବା ପାଇଁ ଅନୁରୋଧ କରିଥିଲେ । ଯେତେବେଳେ କୈଳାସ କନ୍ନଡ ଗୀତ ଗାଇ ନଥିଲେ ବ୍ୟକ୍ତି ଜଣଙ୍କ ରାଗି ଯାଇ ତାଙ୍କ ଉପରକୁ କାଚ ବୋତଲ ଫିଙ୍ଗିଥିଲେ । ଏନେଇ ଆକ୍ରମଣକାରୀଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି ।
କୈଳାସ ଖେର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ହମ୍ପି ମହୋତ୍ସବରେ ସାମିଲ ହେବା ନେଇ ସୂଚନା ଦେଇଥିଲେ ।
ନବ ଦାସଙ୍କ ହତ୍ୟା ଘଟଣାରେ ଏତଲା ଦେଲେ IIC, ହତ୍ୟା ଉଦ୍ଦେଶ୍ୟରେ ଫାୟାରିଂ କରିଥିଲେ ASI
ଝାରସୁଗୁଡ଼ା: ନବକିଶୋର ଦାସଙ୍କୁ ହତ୍ୟା ଘଟଣାରେ ଏତଲା ଦେଲେ IIC । ବ୍ରଜରାଜନଗର ଥାନା ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ ଦେଲେ ଏତଲା । ହତ୍ୟା ଉଦ୍ଦେଶ୍ୟରେ ନବ ଦାସଙ୍କୁ ଫାୟାରିଂ କରିଥିଲେ ASI । ଅତି ନିକଟରୁ ASI ଗୋପାଳକୃଷ୍ଣ ଫାୟାରିଂ କରିଥିଲେ । ଏତଲା ଅନୁସାରେ ASI ଗୋପାଳ ଗତକାଲି ଟ୍ରାଫିକ୍ କ୍ଲିୟରାନ୍ସ ଦାୟିତ୍ୱରେ ଥିଲେ । ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ସେ ତାଙ୍କ ନିକଟକୁ ଚାଲି ଯାଇଥିଲେ । ସେ ତାଙ୍କ ସର୍ଭିସ ରିଭଲଭରରୁ ଅତି ନିକଟରୁ ନବ ଦାସଙ୍କୁ ଫାୟାରିଂ କରିଥିଲେ । ଗତକାଲି ଦିନ ୧୨ଟା ୧୫ରେ ନବକିଶୋରଙ୍କୁ ସର୍ଭିସ ପିସ୍ତଲରୁ ଅତି ନିକଟରୁ ଗୁଳିମାଡ଼ କରିଥିଲା । ଗୁଳି ନବକିଶୋର ଦାସଙ୍କ ଛାତିରେ ବାଜିବା ପରେ ସେ ପଡ଼ି ଯାଇଥିଲେ । ଗୁଳିମାଡ଼ ପରେ ପ୍ରବଳ ରକ୍ତସ୍ରାବ ହୋଇଥିଲା।
ଗୋପାଳକୃଷ୍ଣକୁ କାବୁ କରିଥିଲେ ପୋଲିସ ଅଧିକାରୀ। ସେହି ସମୟରେ ଆଉ ୨ରାଉଣ୍ଡ ଗୁଳି ଚଳାଇଥିଲା ଗୋପାଳ। ଦ୍ବିତୀୟ ଥର ଗୁଳିମାଡ଼ ବେଳେ ଆଇଆଇସି ପ୍ରମୋଦ ସ୍ବାଇଁଙ୍କ ଆଙ୍ଗୁଳିରେ ଗୁଳି ବାଜିଥିଲା । ସେହିପରି କଳିଙ୍ଗନଗରର ଜୀବନଲାଲ ନାୟକ ନାମକ ଜଣେ ବ୍ୟକ୍ତି ଗୁଳିମାଡ଼ରେ ଆହତ ହୋଇଥିବା FIRରେ ଉଲ୍ଲେଖ ରହିଛି । ଘଟଣା ପରେ ଅଭିଯୁକ୍ତ ଗୋପାଳକୃଷ୍ଣ ହାତରୁ ପିସ୍ତଲ ଛଡ଼ାଇଥିଲେ ପୋଲିସ ଅଧିକାରୀ । ଗୁରୁତର ଅବସ୍ଥାରେ ମନ୍ତ୍ରୀ ନବକିଶୋର ଦାସ ଓ ଅନ୍ୟ ଆହତଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା । ତେବେ ଏହି ଘଟଣାରେ ସୁନ୍ଦରଗଡ଼ ରିଜର୍ଭ ବାରାକରେ ଅଭିଯୁକ୍ତ ଗୋପାଳକୃଷ୍ଣଙ୍କୁ ଚାଲିଛି ଜେରା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଜେରା କରୁଛନ୍ତି ସ୍ୱତନ୍ତ୍ର ଟିମ୍ ।
ଆଜି କାଶ୍ମୀରରେ ଶେଷ ହେଉଛି ଭାରତ ଯୋଡୋ ଯାତ୍ରା, ଯୋଗ ଦେଇପାରନ୍ତି ୧୨ଟି ଆଞ୍ଚଳିକ ଦଳର ନେତା
କାଶ୍ମୀର: ଆଜି କାଶ୍ମୀରରେ ଶେଷ ହେଉଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ଗତବର୍ଷ ସେପ୍ଟେମ୍ବର ୭ରେ ରାହୁଲ ଗାନ୍ଧୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଭାରତ ଯୋଡୋ ଯାତ୍ରା । ଭାରତ ଯୋଡୋ ଯାତ୍ରାର ଶେଷ ଦିନରେ ଆଜି ୧୨ଟି ଆଞ୍ଚଳିକ ଦଳର ନେତା ଯୋଗ ଦେବେ ବୋଲି ଜଣାପଡ଼ିଛି । ଏଥିସହ ବିରାଟ ରାଲି ଏବଂ ଶୋଭଯାତ୍ରା ଆୟୋଜନ ହେବ । ଭାରତ ଯୋଡୋ ଯାତ୍ରା ସମୟରେ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ବିଭିନ୍ନ ରାଜ୍ୟ ଦେଇ ହଜାର ହଜାର ସମର୍ଥକଙ୍କ ଗହଣରେ କାଶ୍ମୀରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ । ଆଜି ଭାରତ ଯୋଡୋ ଯାତ୍ରା ଶେଷ ହେବାକୁ ଯାଉଛି ।
କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଲୋକଙ୍କ ପାଖରେ ପହଞ୍ଚିଛନ୍ତି କଂଗ୍ରେସ ନେତା । ଏଥିସହ ଦେଶରେ ବଢୁଥିବା ହିଂସା ଓ ବିଦ୍ବେଶକୁ ବିରୋଧ କରି ଏହି ଯାତ୍ରା ଆରମ୍ଭ କରିଥିଲା କଂଗ୍ରେସ । ଦେଶରେ ଭାଇଚାରା ଓ ପ୍ରେମର ସ୍ଥାପନା ପାଇଁ ଯାତ୍ରା ଆରମ୍ଭ କରିଥିବା କଂଗ୍ରେସ ସଫଳ ହୋଇଛି ବୋଲି ଦଳୀୟ ନେତା କହିଛନ୍ତି । ଆଜି ଆଞ୍ଚଳିକ ଦଳର ନେତା ଯୋଗ ଦେଉଥିବା ବେଳେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବ । ଗତକାଲି ଲାଲଚୌକରେ ରାହୁଲ ଗାନ୍ଧୀ ଜାତୀୟ ପତାକା ଉଡାଇଥିଲେ ।

