spot_img
Home Blog Page 3647

ଆଜି ଭାରତ-ବାଂଲାଦେଶ ଶେଷ ଦିନିକିଆ, ରୋହିତଙ୍କ ସ୍ଥାନରେ ଯୁବ ଖେଳାଳିଙ୍କୁ ମିଳିବ ସୁଯୋଗ

ଚଟ୍ଟୋଗ୍ରାମ: ଆଜି ଭାରତ-ବାଂଲାଦେଶ ଶେଷ ଦିନିକିଆ । ୩ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଦିନ ସାଢେ ୧୧ଟାରୁ ଆରମ୍ଭ ହେବ ମ୍ୟାଚ୍ । ଆହତ ଜନିତ ସମସ୍ୟା କାରଣରୁ ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଦୀପକ ଚହର, କୁଲଦୀପ ସେନ ତୃତୀୟ ଦିନିଆରୁ ବାଦ ପଡ଼ିଛନ୍ତି ।

ଏଭଳି ସ୍ଥିତିରେ କେ.ଏଲ ରାହୁଲଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ମେନ ଇନ୍ ବ୍ଲୁ । ପୂର୍ବରୁ ଗତ ଦୁଇଟି ମ୍ୟାଚ ହାରି ବ୍ୟାକ ଫୁଟରେ ଅଛି ଭାରତ । ଆଜି ମ୍ୟାଚ ଜିତି ସମ୍ମାନ ରଖିବାକୁ ଉଦ୍ୟମ କରିବ ଟିମ୍ । ସେପଟେ ଆଜିର ମ୍ୟାଚ୍ ଜିତି ସିରିଜ ପୋଛିନେବାକୁ ରଣନୀତି କରିଛି ଘରୋଇ ଟିମ୍ । ଆଗକୁ ଦିନିକିଆ ବିଶ୍ୱକପ୍ ଥିବାରୁ ଭାରତକୁ ସ୍ଥିତି ସୁଦୃଢ଼ କରିବାକୁ ପଡ଼ିବ ।

ଲଗାତାର ଫ୍ଲପ୍ ହେଉଛି ଟିମ୍ ଇଣ୍ଡିଆ । ଏସିଆ କପ୍ ଓ ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ବାଂଲାଦେଶଠୁ ସିରିଜ୍ ହାରିଛି । ସବୁଠୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇକୁ ଟିମର ଏପରି ପ୍ରଦର୍ଶନ ପାଇଁ ସମାଲୋଚନା କରାଯାଇଛି । ଟିମରେ ପରିବର୍ତ୍ତନ ପାଇଁ ଲଗାତାର ଦାବି କରାଯାଉଛି । ନିକଟରେ ବିସିସିଆଇ ମଧ୍ୟ ଚୟନକର୍ତ୍ତା କମିଟିକୁ ବରଖାସ୍ତ କରି ନୂଆ କମିଟି ଗଠନ ପାଇଁ ନିଷ୍ପତ୍ତି ନେଇଥିଲା ।

ସମ୍ଭାବିତ ଭାରତୀୟ ଦଳ: ଶିଖର ଧୱନ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଷାନ/ରାହୁଲ ତ୍ରିପାଠୀ, କେଏଲ ରାହୁଲ (ଅଧିନାୟକ/ୱିକେଟ କିପର), ୱାସିଂଟନ ସୁନ୍ଦର, ଅକ୍ସର ପଟେଲ, ଶ୍ରାଦ୍ଧୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଉମ୍ରାନ ମଲିକ ।

ସମ୍ଭାବିତ ବାଂଲାଦେଶ ଦଳ: ନଜମୁଲ ହୁସେନ ଶାନ୍ତୋ, ଲିଟନ ଦାସ (ଅଧିନାୟକ), ଆନାମୁଲ ହକ୍, ଶାକିବ ଅଲ ହସନ, ମୁଶଫିକର ରହିମ (ୱିକେଟ କିପର), ମହମୁଦୁଲ୍ଲାହ, ଅଫିଫ ହୁସେନ, ମେହିଦି ହସନ ମିରାଜ, ନାସୁମ ଅହମ୍ମଦ, ଏବାଡଟ ହୁସେନ, ମୁସ୍ତାଫିଜୁର ରେହମାନ ।

ଗତକାଲି ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ମାଣ୍ଡୋସ୍

ଚେନ୍ନାଇ: ଲ୍ୟାଣ୍ଡଫଲ କଲା ବାତ୍ୟା ମାଣ୍ଡୋସ୍ । ମଧ୍ୟରାତ୍ରୀରେ ଚେନ୍ନାଇ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଛି । ତାମିଲନାଡୁର ମହାବଳିପୁରମରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଏହା ଲ୍ୟାଣ୍ଡଫଲ କରିଛି । ଏହି ସମୟରେ ଘଣ୍ଟାପ୍ରତି ୮୦ରୁ ଅଧିକ କିଲୋମିଟର ବେଗରେ ପବନ ବହିଥିଲା । ପବନରେ ବଡ଼ବଡ଼ ଗଛ ଭାଙ୍ଗି ଯାଇଥିବାବେଳେ କଚ୍ଚା ଘର ଉଡ଼ିଯାଇଛି । ବିଭିନ୍ନସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ସ୍ଥିତିକୁ ଦେଖି ବିଭିନ୍ନ ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦ କରାଯାଇଛି । ୧୫ଟି ବିମାନକୁ ବାତିଲ କରିଦିଆଯାଇଛି । ଏନଡିଆରଏଫ ଓ ନୌସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ନେଦରଲ୍ୟାଣ୍ଡସକୁ ପେନାଲ୍ଟି ସୁଟଆଉଟ୍ ରେ ହରାଇ ସେମିଫାଇନାଲରେ ଆର୍ଜେଣ୍ଟିନା

ଦୋହା: କତାରରେ ଚାଲିଥିବା ଫିଫା ବିଶ୍ୱକପ୍ ୨୦୨୨ରେ ଶୁକ୍ରବାର ବିଳମ୍ବିତ ରାତିରେ ଦ୍ୱିତୀୟ ଅତ୍ୟନ୍ତ ରୋମାଞ୍ଚକର କ୍ୱାଟର ଫାଇନାଲ୍ ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚରେ ଲିଓନେଲ ମେସିଙ୍କ ଟିମ୍ ଆର୍ଜେଣ୍ଟିନାର ଟକ୍କର ନେଦରଲ୍ୟାଣ୍ଡସ ସହ ହୋଇଥିଲା । ଏହି ମୁକାବିଲା ବହୁତ ରୋମାଞ୍ଚକର ରହିଥିଲା, ଯେଉଁଥିରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ୪-୩ ରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । ଏବେ ମେସିଙ୍କ ଟିମ୍ ଚଳିତଥର ଚମ୍ପିଆନ ହେବାକୁ ଦୁଇଟି ବିଜୟ ଦୂରରେ ରହିଛି ।

ଆର୍ଜେଣ୍ଟିନା ଟିମର ଟକ୍କର ଏବେ ସେମିଫାଇନାଲରେ କ୍ରୋଏସିଆ ସହ ହେବ । କ୍ରୋଏସିଆ ଗତକାଲି ରାତିରେ ନିଜର କ୍ୱାଟର ଫାଇନାଲ ମୁକାବିଲାରେ ନେମାରଙ୍କ ବ୍ରାଜିଲକୁ ପେନାଲ୍ଟି  ସୁଟଆଉଟରେ ପରାଜିତ କରିଛି । ଏବେ କ୍ରୋଏସିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ୧୩ ଡିସେମ୍ବର ବିଳମ୍ବିତ ରାତି ୧୨ ଟା ୩୦ରେ ସେମିଫାଇନାଲ ମ୍ୟାଚ ହେବ । କ୍ୱାଟର ଫାଇନାଲରେ ମେସି ନିଜ କଳାର ପ୍ରଦର୍ଶନ କରି ୩୫ତମ ମିନିଟରେ ନାହୁଏଲ ମୋଲିନାଙ୍କ ପାଇଁ ପ୍ରାରମ୍ଭିକ ଗୋଲ୍ ସେଟ୍ କରିଥିଲେ, ଏହି ଗୋଲ୍ ସହ ଆର୍ଜେଣ୍ଟିନା ନିଜ ଖାତା ଖୋଲିଥିଲା ଏବଂ ୧-୦ରେ ଆଗୁଆ ରହିଥିଲା ।

ଏହାପରେ ୭୩ତମ ମିନିଟରେ ପେନାଲ୍ଟିକୁ ଗୋଲରେ ପରିଣତ କରି ମେସି ଆର୍ଜେଣ୍ଟିନା ପାଇଁ ଦ୍ୱିତୀୟ ଗୋଲ୍ କରିଥିଲେ । ଚଳିତ ବିଶ୍ୱକପରେ ଏହା ମେସିଙ୍କ ଚତୁର୍ଥ ଗୋଲ ଥିଲା । ମେସି ଏବଂ ଗେବ୍ରିୟଲଙ୍କ ନାଁ ବିଶ୍ୱକପରେ ଏବେ ୧୦-୧୦ ଗୋଲ ହୋଇଯାଇଛି । ଯଦି ଆଗାମୀ ମୁକାବିଲାରେ ମେସି ଗୋଲ କରନ୍ତି ତେବେ ଇତିହାସ ରଚିବେ । ଆର୍ଜେଣ୍ଟିନାର ଦୁଇଟି ପ୍ରାରମ୍ଭିକ ଗୋଲ ପରେ ଏମିତି ଲାଗିଥିଲା ଯେ ଦଳ ସହଜରେ ମ୍ୟାଚକୁ ଜିତିନେବ କିନ୍ତୁ ଶେଷ ସମୟରେ ନେଦରଲ୍ୟାଣ୍ଡସର ଖେଳାଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ।

୮୩ତମ ମିନିଟରେ ୱାଟ ବେଘୋରଷ୍ଟ ନେଦରଲ୍ୟାଣ୍ଡସ ପାଇଁ ପ୍ରଥମ ଗୋଲ କରି ପ୍ରତ୍ୟାବର୍ତ୍ତନର ଆଶା ଉଜ୍ଜିବୀତ କରାଇଥିଲେ । ୯୦ ମିନିଟ ପର୍ଯ୍ୟନ୍ତ ଗେମ ଆର୍ଜେଣ୍ଟିନା ପକ୍ଷରେ ରହିଥିଲା କାରଣ ଲିଓନେଲଙ୍କ ଟିମ୍ ୨-୧ରେ ଲିଡ୍ କରୁଥିଲା । ଇଂଜୁରି ଟାଇମର ପ୍ରାୟ ଶେଷ ମିନିଟରେ ନେଦରଲ୍ୟାଣ୍ଡସ ଦ୍ୱିତୀୟ ଗୋଲ କରି ବରାବର କରିନେଇଥିଲା । ଏହି ଗୋଲ ମଧ୍ୟ ବେଘୋରଷ୍ଟ ୯୦+୧୧ତମ ମିନିଟରେ ଦେଇଥିଲେ । ୧୯୯୦ ପରଠୁ ଏହା ଦ୍ୱିତୀୟ ଥର ଅଟେ ଯେବେ ଆର୍ଜେଣ୍ଟିନା ଶେଷ ଚାରି ଟିମରେ ସ୍ଥାନ ବନାଇଛି । ୨୦୧୪ରେ ମେସି ଫାଇନାଲରେ ଜର୍ମାନୀଠୁ ହାରିଥିବା ଟିମର ସଦସ୍ୟ ଥିଲେ ।

ବୋରୱେଲ ଟ୍ରାଜେଡି; ନାବାଳକ ତନ୍ମୟର ମୃତଦେହ ଉଦ୍ଧାର

ଭୋପାଳ: ଶେଷରେ ଜୀବନ ଯୁଦ୍ଧରେ ହାରିଗଲା ୬ ବର୍ଷର ନାବାଳକ ତନ୍ମୟ ।  ୮୪ ଘଣ୍ଟା ଧରି ଚାଲିଥିଲା ଅପରେସନ ତନ୍ମୟ । ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭୀରେ ବୋରଓ୍ବେଲରେ ଫସିଥିଲା ୬ ବର୍ଷର ତନ୍ମୟ । ଆଜି ସକାଳ ପ୍ରାୟ ୫ ଟା ୩୦ ସମୟରେ ଉଦ୍ଧାରକାରୀ ଦଳ ତନ୍ମୟକୁ ବାହାରକୁ ବାହାର କରିଥିଲେ । ଉଦ୍ଧାର ପରେ ଜଣାଯାଇଥିଲା ତନ୍ମୟ ମୃତ୍ୟୁବରଣ କରିଛି । ତନ୍ମୟର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

୪ଦିନ ହେବ ୪ଶହ ଫୁଟ ବୋରଓ୍ବେଲରେ ଫଶିଥିଲା କଅଁଳ ଜୀବନ । ପ୍ରାୟ ୫୩ ଫୁଟ ଭିତରେ ତନ୍ମୟ ଅଟକି ରହିଥିଲା । ୪ଦିନ ହେବ ଏନଡିଆରଏଫ୍ , ଏସଡିଆରଏଫ ପକ୍ଷରୁ ଲଗାତର ଭାବେ ରେସ୍କ୍ୟୁ ଅପରେସନ ଜାରି ରଖିଥିଲେ । ୪୪ ଫୁଟ୍ ରାମ୍ପ ଖନନର କାମ ଶେଷ ହୋଇଥିବା ବେଳେ ବଡ଼ ଚଟାଣ ପଡ଼ିବାରୁ ଖନନରେ ବାଧା ଉପୁଜିଥିଲା । ପାଇପ ଯୋଗେ ବୋରୱେଲର ମୁହଁପଟୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଥିଲା ।

ବୋରଓ୍ବେଲ ଭିତରେ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟିହେବା ଆଶଙ୍କା ରହିଥିଲା । ହେଲେ ଶେଷରେ ଉଦ୍ଧାରକାରୀ ଦଳ ତନ୍ମୟ ପାଖରେ ଆଜି ଭୋରରୁ ପହଞ୍ଚିଥିଲେ । ପ୍ରତି ମୁଭମେଣ୍ଟ ଉପରେ ଉଦ୍ଧାରକାରୀ ଟିମ୍ ନଜର ରଖିଥିଲା । ମାଣ୍ଡାଭି ଗାଁର ସୁନୀଲ ଦିୟାବର, ୬ ତାରିଖ ସନ୍ଧ୍ୟାରେ ୬ ବର୍ଷର ପୁଅ ତନ୍ମୟକୁ ନେଇ ବିଲକୁ ଯାଇଥିଲେ । ଏହି ସମୟରେ ତନ୍ମୟ ବୋରୱେଲ ଗାତକୁ ଚାହୁଁଥିବା ବେଳ ଅଚାନକ୍ ଗାତରେ ପଡ଼ିଯାଇଥିଲେ । ସପ୍ତାହେ ପୂର୍ବରୁ ନିଜେ ସୁନୀଲ ଏହି ବୋରୱେଲ ଖୋଳିଥିଲେ ।

ବୋରୱେଲରେ ଜଳସ୍ତର କମିଯିବାରୁ ଲାଗିଥିବା ମିଟର ଖୋଲି ଘରକୁ ନେଇଯାଇଥିଲେ । ଆଉ ଖୋଲା ଥିବା ବୋରୱେଲରେ ପଡ଼ିଯାଇଥିଲେ ତନ୍ମୟ । ଏହାପରେ ପରିବାର ଲୋକେ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ । ଉଦ୍ଧାରକାରୀ ଦଳ ଓ ଡାକ୍ତରୀ ଦଳ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ନିଜେ ମନିଟରିଂ କରୁଥିଲେ । ଡାକ୍ତରୀ ଦଳର ପରାମର୍ଶ କ୍ରମେ ପରିବାର ଲୋକେ ତନ୍ମୟ ସହ କଥା ହୋଇଥିଲେ ।

ହେଲେ ମଙ୍ଗଳବାର ରାତିରେ ଶେଷ ଥର ତନ୍ମୟ କଥା ହୋଇଥିଲା । ଏହାପରେ ସଜ୍ଞାହୀନ ହୋଇଯାଇଥିଲା । କୌଣସି ପ୍ରକାରର ମୁଭମେଣ୍ଟ ସିସିଟିଭିରେ ନଜର ଆସିନଥିଲା । ଅକ୍ସିଜେନ ଲଗାତାର ଦିଆଯାଉଥିଲା । ମୁଭମେଣ୍ଟ ନଥିବା କାରଣରୁ ଖାଦ୍ୟ ଓ ପାନୀୟ ସାମଗ୍ରୀ ମଧ୍ୟ ତା ପାଖକୁ ପଠାଯାଇ ପାରିନଥିଲା । ଏବଂ ପରିଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛି ତନ୍ମୟ । ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି ।

ସୂର୍ଯ୍ୟ ମନ୍ଦିର ଉପରିଭାଗରେ ଲାଗିଛି ଯାତ୍ରା ଭଳି ଲାଇଟ୍ : ସୁଦର୍ଶନ ପଟ୍ଟନାୟକ

ପୁରୀ: ସୂର୍ଯ୍ୟମନ୍ଦିରରେ ବିକୃତ ଆଲୋକୀକରଣ ଅଭିଯୋଗ ଆଣିଲେ ଆନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । କୋଣାର୍କ ସୂର୍ଯ୍ୟମନ୍ଦିରରେ ଏଏସଆଇ ଦ୍ବାରା ଆଲୋକୀକରଣ କରାଯାଇଛି । ମନ୍ଦିରର ଉପରିଭାଗରେ ଯାତ୍ରା ପାର୍ଟି ଭଳି ଲାଇଟ ଲଗାଯାଇଥିବା ଅଭିଯୋଗ କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଆଲୋକୀକରଣ ନାଁରେ କଳାକୃତୀର ମୂଲ୍ୟବୋଧ କ୍ଷୁର୍ଣ୍ଣ କରାନଯାଉ ବୋଲି ସୁଦର୍ଶନ କହିଛନ୍ତି । ପୂର୍ବରୁ ଏହାକୁ ବିରୋଧ କରି ଏଏସଆଇ କର୍ତ୍ତୃପକ୍ଷଙ୍କୁ ଟୁଇଟ୍ କରିଥିଲେ । ସୁଦର୍ଶନଙ୍କ ଅଭିଯୋଗକୁ ସମର୍ଥନ କରି କୋଣାର୍କ ସୁରକ୍ଷା ସମିତି ଏବଂ ସ୍ଥାନୀୟ ବାସିନ୍ଦା ମଧ୍ୟ ମନ୍ଦିର ଉପରିଭାଗରୁ ଲାଇଟ୍ କାଢିବାକୁ ଦାବି କରିଛନ୍ତି ।

ଗାଁରେ ଖଞ୍ଜିଥିଲେ ବୋମା, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ରାୟଗଡ଼ା:  କାଶୀପୁର ଥାନା ଅର୍ନ୍ତଗତ ସୁଙ୍ଗେର ଗ୍ରାମରେ ବୋମା ଖଞ୍ଜିଥିବା ଅଭିଯୋଗରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ତିନି ଜଣ ରାୟଗଡା ଜିଲ୍ଲାର ଓ ତିନି ଜଣ କଳାହାଣ୍ଡି ଜିଲ୍ଲାର ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି । ଗତ ୭ ତାରିଖ ଦିନ ସୁଙ୍ଗେର ଗ୍ରାମର ଟୁଟୁ ଗୋପାଳଙ୍କୁ ମାଓବାଦୀଙ୍କ ନାମରେ ୫ ଲକ୍ଷ ଟଙ୍କା ଚାନ୍ଦା ମାଗିବା ସହ ହତ୍ୟା ଧମକ ଦେଇଥିଲେ ।

ଏହାପରେ ତାଙ୍କ ଘର ପଛପଟେ ଥିବା ପାଇଖାନା ଭିତରେ ବୋମା ଖଞ୍ଜି ଦେଇଥିଲେ । ଟାଇମର ବୋମା ଖଞ୍ଜିଥିବା ଜଣାପଡ଼ିବା ପରେ ଟୁଟୁ କାଶୀପୁର ପୋଲିସକୁ ସୂଚନା ଦେଇଥିଲେ । ସାଇଣ୍ଟିଫିକ ଟିମ୍ ସହ ସିଆରପିଏଫ୍ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଏହାକୁ ଅଚଳ କରିଥିଲେ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଡେଟୋନେଟର, ବିଦ୍ୟୁତ୍ ତାର, ୪ଟି ମୋବାଇଲ, ସିଲିଣ୍ଡର ଜବତ ହୋଇଛି ।

କୃତିତ୍ୱ ହାସଲ କରିବେ ଓଡିଆ ପିଲା, ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ସ୍ୱତନ୍ତ୍ର ଉଦ୍ୟମ

ଭୁବନେଶ୍ୱର: ୟୁପିଏସସି ସିଭିଲ ସର୍ଭିସରେ ଆଇ.ଏ.ଏସ୍. ପରୀକ୍ଷାରେ ରାଜ୍ୟର ସଫଳତା ହାର ବଢ଼ାଇବା ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ପ୍ରୟାସ । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆ ଯୁବକ ଯୁବତୀ ମାନଙ୍କର ସଫଳତା ହାର ବଢ଼ାଇବା ନିମନ୍ତେ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରାଯାଇଛି ।

ଚଳିତ ୨୦୨୨ ବର୍ଷ ସଭିଲ୍ ସର୍ଭିସେସ୍ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଆ ଯୁବକଯୁବତୀମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଦିଗ୍ ଦର୍ଶନ ଓ ପରାମର୍ଶ ଦେବା ପାଇଁ ଏକ ସ୍ୱତନ୍ତ୍ର ସେଲ୍ ଖୋଲାଯାଇଛି । ଏଥିପାଇଁ ଅନଲାଇନ୍‌ ରେଜିଷ୍ଟ୍ରେସନ ବ୍ୟବସ୍ଥା କରାଯାଇଛି ।

ସିଭିଲ୍ ସର୍ଭିସର ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏବଂ ଗୋପବନ୍ଧୁ ଏକାଡ଼େମୀର ଦିଗ୍ ଦର୍ଶନ ନେବାକୁ ଇଛୁକଥିବା ଆଶାୟୀ ପ୍ରାର୍ଥୀମାନେ ଚଳିତ ମାସ ଡ଼ିସେମ୍ବର ୧୬ ତାରିଖ ସୁଦ୍ଧା [email protected] ରେ ନିଜ ନିଜ ଇମେଲ୍ରୁ ଅନୁରୋଧ ପତ୍ର ପଠାଇବେ । ଇଛୁକ ପ୍ରାର୍ଥୀମାନଙ୍କଠାରୁ ଆଗ୍ରହ ପତ୍ର ମିଳିବା ପରେ ଏକାଡ଼େମୀ ତରଫରୁ ସେମାନଙ୍କୁ ତୁରନ୍ତ ଯୋଗାଯୋଗ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

ପଦମପୁରରେ ଲେଖାହେବ ବିକାଶର ନୂଆ ଅଧ୍ୟାୟ, ଖୁବଶୀଘ୍ର ପଦମପୁର ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଦମପୁରରେ ଲେଖାହେବ ବିକାଶର ନୂଆ ଅଧ୍ୟାୟ । ପଦମପୁରବାସୀଙ୍କ ସମସ୍ତ ଦାବି ପୂରଣ ହେବ । ଖୁବଶୀଘ୍ର ପଦମପୁର ଯାଇ ବିଭିନ୍ନ ପ୍ରକଳ୍ପର ଘୋଷଣା ଓ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛି ବିଜେଡି ବିଧାୟକ ସୁଶାନ୍ତ ସିଂ । ବିପୁଳ ଜନସମର୍ଥନ ସହ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ବର୍ଷା ସିଂ ବରିହା ।

ଏହି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ପଦମପୁର ଆସିବାକୁ ନିମନ୍ତ୍ରଣ କରିଥିଲେ । ନବୀନ ମଧ୍ୟ ଏଥିପାଇଁ ସମ୍ମତ ପ୍ରକାଶ କରିଛନ୍ତି । ଗ୍ରାଉଣ୍ଡରେ ରହି ଲୋକଙ୍କ ସହ କାମ କରିବାକୁ ବର୍ଷାଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଦମପୁରର ବିକାଶ ପାଇଁ ପୂର୍ବରୁ ୪୮୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ଅନ୍ୟାନ୍ୟ ମୁଖ୍ୟ ଦାବିଗୁଡ଼ିକ ମଧ୍ୟ ପୂରଣ କରାଯିବ ।

ଶ୍ରଦ୍ଧା ଓ୍ବାକର ହତ୍ୟା ଘଟଣା; ପୋଲିସକୁ ଦାୟୀ କଲେ ବାପା

ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ହତ୍ୟା ଘଟଣାରେ ମହାରାଷ୍ଟ୍ର ପୋଲିସକୁ ଦାୟୀ କଲେ ଶ୍ରଦ୍ଧାଙ୍କ ବାପା ବିକାଶ ଓ୍ବାକର। ଘଟଣାରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବାପା ବିକାଶ। ଶ୍ରଦ୍ଧାକୁ ହତ୍ୟା ପାଇଁ ବୟଫ୍ରେଣ୍ଡ ଅଫତାବକୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି । ଏଥିସହ ଅଫତାବର ପରିବାର ଲୋକଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିକାଶ ।

୨୭ ବର୍ଷୀୟ ଶ୍ରଦ୍ଧା ହତ୍ୟା ଘଟଣା ପରେ ପ୍ରଥମ ଥର ପାଇଁ ତାଙ୍କ ପରିବାର ତରଫରୁ ଏଭଳି ବୟାନ ଦିଆଯାଇଛି। ପିଲାମାନେ ୧୮ ବର୍ଷ ହେବା ପରେ ପରିବାର ଲୋକଙ୍କୁ ଯେଉଁ ସ୍ବାଧିନତା ମାଗୁଛନ୍ତି ତା ଉପରେ ଗମ୍ଭୀର ଚିନ୍ତା କରିବାର ସମୟ ଆସିଛି। ଏଥିସହ କିଛି ଡେଟିଂ ଆପ୍‌ ଉପରେ ମଧ୍ୟ କଟକଣା ଲଗାଇବାକୁ ଦାବି କରିଛନ୍ତି ଶ୍ରଦ୍ଧାଙ୍କ ବାପା।

ଏହି ଆପ୍‌ ଯୋଗୁଁ ଛୋଟ ଛୋଟ ପିଲା ମାନେ ଭୁଲ ବାଟରେ ଯାଉଛନ୍ତି । ସେମାନଙ୍କୁ ସେଭଳି ଆପ୍‌ଠୁ ଦୁରେଇ ରଖାଯାଉ। ଶ୍ରଦ୍ଧା ଘର ଛାଡି ଅଫତାବ ସହ ଯିବା ପୂର୍ବରୁ ତାକୁ ଅନେକ ଥର ବୁଝାଇଥିଲୁ । କିନ୍ତୁ ଶ୍ରଦ୍ଧା ବୁଝିନଥିଲା । ମୁଁ ବଡ଼ ହୋଇଗଲିଣି । ନିଜ ପାଇଁ ନିଜେ ନିଷ୍ପତ୍ତି ନେଇପାରିବି ବୋଲି କହିଥିଲା । ଏହାପରେ ତିନି ବର୍ଷ ଧରି ଶ୍ରଦ୍ଧା ଓ ଅଫତାବ ସାଙ୍ଗରେ ରହିଥିଲେ । ହେଲେ ପାଖାପାଖି ବର୍ଷେ ପର୍ଯ୍ୟନ୍ତ ଶ୍ରଦ୍ଧା ସହ କଥା ନହେବା ପରେ ମହାରାଷ୍ଟ୍ର ପୋଲିସରେ ଅଭିଯୋଗ କରିଥିଲେ ଶ୍ରଦ୍ଧାଙ୍କ ବାପା । ସେତେବେଳେ ଯଦି ମହାରାଷ୍ଟ୍ର ପୋଲିସ ତଦନ୍ତ କରିଥାନ୍ତା ଆଜି ଶ୍ରଦ୍ଧା ବଞ୍ଚିଥାନ୍ତା ବୋଲି ବାପା ବିକାଶ ଓ୍ବାକର କହିଛନ୍ତି ।

ସେଲ୍ଫି ନେଲା ବେଳେ ଦେଖିଦେଲେ ଭଙ୍ଗା ଫୋନ୍, ମୁଖ୍ୟମନ୍ତ୍ରୀ ଦେଲେ ନୂଆ ମୋବାଇଲ୍

ଭୁବନେଶ୍ୱର: ଇଫୁ ମଲ୍ଲିକଙ୍କୁ ନୂଆ ସ୍ମାଟ୍ ଫୋନ୍ ଦେଲେ ମୁଖ୍ୟମନ୍ତ୍ରୀ  । ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍ଫି ନେଲା ବେଳେ ଫୋନଟି ଭାଙ୍ଗି ଯାଇଥିବା ଦେଖିନେଇଥିଲେ ମୁଖ୍ୟମନ୍ତ୍ରୀ  । ପରେ ଇଫୁଙ୍କୁ ମୁଖ୍ୟମନ୍ତ୍ରୀ ଏକ ନଆ ଫୋନ ଉପହାର ଦେଇଥିଲେ  । ଯାହାକୁ ଖୁସିରେ ବର୍ଣ୍ଣନା କରିଛନ୍ତି ଇଫୁ ମଲ୍ଲିକ  ।   ନିଟ୍ ପରୀକ୍ଷାରେ କୃତିତ୍ୱ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଇଫୁ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।

ଇଫୁଙ୍କ ପ୍ରତିଭାର ଉଚ୍ଚପ୍ରଶଂସା କରିବା ସହିତ ଆଗକୁ ଏହିପରି ଉଦ୍ୟମ ଜାରି ରଖି ଦେଶବାସୀଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରେରଣା ଦେଇଛନ୍ତି।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଫୁଙ୍କ ସହିତ ସେଲ୍ଫି ଉଠାଇବା ସହିତ ଏକ ପୁସ୍ତକ ମଧ୍ୟ ଉପହାର ଦେଇଥିଲେ। ଇଫୁ ମଲ୍ଲିକ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଗରିବ, ଆଦିବାସୀ ଯୁବକ। ନିଜର ପ୍ରତିଭା ଓ ଉଦ୍ୟମ ଯୋଗୁ ଅନେକ ପ୍ରତିକୂଳ ପରିସ୍ଥିତିରେ ସେ ମେଡିକାଲ ପଢିବା ପାଇଁ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। କିନ୍ତୁ ଅର୍ଥାଭାବ ତାଙ୍କ ବାଟ ଓଗାଳିଥିଲା ।

ସାମାଜିକ ଗଣମାଧ୍ୟମରୁ ଏ ସଂପର୍କରେ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ମେଡିକାଲ ପଢିବା ପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଦେବେ ବୋଲି ଘୋଷଣା କରିଥିଲେ। ଏଥିସହ ଇଫୁଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ଇଫୁଙ୍କ ସହିତ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇଥିଲା । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅତ୍ୟନ୍ତ ଭାବବିହ୍ବଳ ହୋଇ ହୃଦୟରୁ କୃତଜ୍ଞତା ଜ୍ଞାପନ କରି ଧନ୍ୟବାଦ ଜଣାଇଛନ୍ତି ଇଫୁ ।