spot_img
Home Blog Page 3653

ଆମେରିକାର ଆକ୍ରମଣରେ ISIS ଲିଡର ନିହତ

ଓ୍ୱାଶିଂଟନ: ଆମେରିକାର ଆକ୍ରମଣରେ ISIS ଲିଡର ନିହତ । ସୋମାଲିଆରେ ଆମେରିକାର ମିଲିଟାରୀ ଆକ୍ରମଣରେ ISISର ସିନିୟର ଲିଡର ବିଲାଲ ଅଲ ସୁଦାନୀର ମୃତ୍ୟୁ ହୋଇଛି । ବିଶ୍ୱରେ ଆତଙ୍କବାଦ ବଢ଼ାଇବା, ଆତଙ୍କୀ କାର୍ଯ୍ୟକଳାପ ପାଇଁ ଫଣ୍ଡ ଯୋଗାଡ଼ କରୁଥିଲା ବିଲାଲ । ବିଲାଲକୁ ଧରିବାକୁ US ଆର୍ମିର ଉଦ୍ୟମ ବେଳେ ଉଭୟ ପକ୍ଷରୁ ଗୁଳିଚାଳନା ହୋଇଥିଲା । ଏଥିରେ ବିଲାଲ ସମେତ ୧୦ ସୁଦାନୀ ଇସଲାମିକ ଷ୍ଟେଟର ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଆମେରିକା ପକ୍ଷରୁ କୁହାଯାଇଛି । ସୋମାଲିଆରେ ISIS ଆତଙ୍କୀଙ୍କୁ କାବୁ କରିବାକୁ ଆମେରିକା ଆର୍ମିକୁ ଜାନୁଆରୀ ୨୫ରେ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥିଲେ ବୋଲି ଆମେରିକାର ପ୍ରତିରକ୍ଷା ସଚିବ ସଚୂନା ଦେଇଛନ୍ତି ।

 

ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ, ଆଜି ତୀର୍ଥଯାତ୍ରାରେ ଯାଉଛନ୍ତି ୯୭୦ ଜଣ ବରିଷ୍ଠ ନାଗରିକ

ଭୁବନେଶ୍ୱର: ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ । ବରିଷ୍ଠ ନାଗରିକଙ୍କ ଆଶା ପୂରଣ କରୁଛନ୍ତି ରାଜ୍ୟ ସରକାର  । ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ତୀର୍ଥ ଯାତ୍ରାରେ ଯାଉଛନ୍ତି ୯୭୦ ଜଣ । କିଛି ସମୟ ପରେ ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନରେ ଆହ୍ଲାବାଦ ଓ ବାରଣାସୀ ଅଭିମୁଖେ ଯାତ୍ରା କରିବେ ତୀର୍ଥଯାତ୍ରୀ  । ସେମାନଙ୍କ ମଧ୍ୟରେ ରହିଛନ୍ତି ୭ ଜିଲ୍ଲାର ୯୭୦ ଜଣ ବରିଷ୍ଠ ନାଗରିକ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାର ବରିଷ୍ଠ ନାଗରିକ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ନେବେ । ରାଜ୍ୟ ସରକାରଙ୍କ ପକ୍ଷରୁ ତୀର୍ଥଯାତ୍ରୀଙ୍କୁ ଆବଶ୍ୟକ କିଟ୍ ଯୋଗାଇ ଦିଆଯାଇଛି । ଆବଶ୍ୟକ ସୁବିଧା ସହ ଗାଇଡ୍ ବନ୍ଦୋବସ୍ତ କରାଯାଇଛି ।

ପୁଟିନଙ୍କ ପ୍ରତିଶୋଧ, ଘନ ଘନ ମିସାଇଲ ମାଡ଼ରେ ଥରିଲା ୟୁକ୍ରେନର ଅଧିକାଂଶ ସହର

କିଭ୍: ୟୁକ୍ରେନ ଉପରେ ପୁଣି ଜୋରଦାର ଆକ୍ରମଣ । ପଶ୍ଚିମ ୟୁକ୍ରେନ ସହରରେ ମିସାଇଲ ଓ ଡ୍ରୋନ୍ ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ରମଣରେ ସହର ଛାରଖାର ହୋଇଥିବା ବେଳେ ପ୍ରାୟ ୨୦ ଜଣ ସାଧାରଣ ଲୋକ ଗୁରୁତର ହୋଇଛନ୍ତି ବୋଲି ସୂଚନା ମିଳିଛି । ୟୁକ୍ରେନର ବିଭିନ୍ନ ଉର୍ଜା କ୍ଷେତ୍ରକୁ ଟାର୍ଗେଟ କରି ବୋମାମାଡ଼ କରିଛି ଋଷ । ଘନ ଘନ ଆକ୍ରମଣ ଯୋଗୁ ଅଧିକାଂଶ ପ୍ରାନ୍ତ ବ୍ଲାକଆଉଟ ହୋଇଛି । ବିଭିନ୍ନ ସହରରେ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ବଙ୍କର ଓ ମେଟ୍ରୋ ଷ୍ଟେସନରେ ଲୋକମାନେ ଲୁଚି ରହିଛନ୍ତି ।

ୟୁକ୍ରେନକୁ ଟାଙ୍କର ଯୋଗାଇବାକୁ ପଶ୍ଚିମୀ ରାଷ୍ଟ୍ରର ଘୋଷଣା ପରେ ଆକ୍ରମଣ ଜୋରଦାର କରିଛି ମସ୍କୋ । ଆମେରିକା, ଜର୍ମାନୀ ଓ କାନାଡ଼ା ଲିଓପାଡ ଟାଙ୍କ ଯୋଗାଣ କରିବାକୁ ଘୋଷଣା କରିଛନ୍ତି । ଋଷ ୟୁକ୍ରେନର ବିଭିନ୍ନ ସହରରେ ୫୫ଟି ମିସାଇଲ ପକାଇଥିବା ବେଳେ ସେଥିରୁ ପ୍ରାୟ ୪୭ଟିକୁ ନଷ୍ଟ କରିଦିଆଯାଇଛି ବୋଲି ୟୁକ୍ରେନ କହିଛି ।

ଭାରତକୁ ପୁଣି ଆସିବେ ଆଫ୍ରିକା ଚିତା, ୧୦୦ ଚିତା ପଠାଇବା ଲାଗି ସାଉଥ ଆଫ୍ରିକା ସହ ବୁଝାମଣା

ନୂଆଦିଲ୍ଲୀ: ଭାରତକୁ ପୁଣି ଆସିବେ ଆଫ୍ରିକା ଚିତା । ଚିତା ପ୍ରକଳ୍ପ ସଫଳ ହୋଇଥିବା ଦୃଷ୍ଟିରୁ ୧୦୦ ଚିତା ପଠାଇବା ଲାଗି ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ବୁଝାମଣା ହୋଇଛି । ଆସନ୍ତା ମାସରେ ପ୍ରାଥମିକ ପର୍ଯ୍ୟାୟରେ ୧୨ଟି ଚିତା ଅଣାଯିବା ଲାଗି ନିଷ୍ପତ୍ତି ହୋଇଛି । ଗତବର୍ଷ ସେପ୍ଟେମ୍ବରରେ ନାମିବ୍ୟାରୁ ୮ଟି ଚିତା ଅଣାଯାଇଥିଲା । ସେମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭଲ ଅବସ୍ଥାରେ ରହିଛନ୍ତି । ନୂଆ ଯୋଜନାରେ ଆସନ୍ତା ୮ରୁ ୧୦ ବର୍ଷ ଯାଏ ପ୍ରତିବର୍ଷ ୧୨ଟି ଲେଖାଁଏ ଚିତା ଅଣାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଏକଦା ଚିତାସମୃଦ୍ଧ ଭାରତରେ ଚିତା ବଂଶର ବିଲୁପ୍ତ ଘଟିଥିଲା । ଏନେଇ ୧୯୫୨ରେ ବିଧିବଦ୍ଧ ଘୋଷଣା ହୋଇଥିଲା । ୟୁନିଭର୍ସିଟି ଅଫ ପ୍ରିଟୋରିଆର ବନ୍ୟଜନ୍ତୁ ବିଶେଷଜ୍ଞ ଆଦ୍ରିଆନ ଟର୍ଡିଫେ କହିଛନ୍ତି- ଭାରତ ଆସିବାକୁ ଥିବା ଚିତାମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି । ସେମାନେ ସମ୍ପୂର୍ଣ୍ଣ ଭଲ ଥିବା ସୂଚନା ମିଳିଛି । ଗତବର୍ଷ ଆସିଥିବା ଚିତାମାନଙ୍କୁ ମଧ୍ୟପ୍ରଦେଶରେ କୁନୋ ଜାତୀୟ ପାର୍କରେ ରଖାଯାଇଛି । ସେଠାରେ ଚିତାମାନଙ୍କ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ରଖାଯାଇଛି ।

ପାକିସ୍ତାନରେ ଘୋର ଅର୍ଥନୈତିକ ସଂକଟ, ଡଲାର ତୁଳନାରେ କମିଲା ଟଙ୍କା

ଇସଲାମାବାଦ: ପାକିସ୍ତାନରେ ଆର୍ଥିକ ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଆର୍ଥିକ ସଙ୍କଟ ଯୋଗୁଁ ଏବେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ରେକର୍ଡ ହ୍ରାସ ପାଇଛି । ପାକିସ୍ତାନୀ ଟଙ୍କା ଗୋଟିଏ ଡଲାର ତୁଳନାରେ ୨୫୫ରେ ପହଞ୍ଚିଛି । ଯାହା ସର୍ବନିମ୍ନ ସ୍ତର ଅଟେ । ସରକାର ବିନିମୟ ମୂଲ୍ୟ ଉପରେ ନିଜର ଆଭିମୁଖ୍ୟ ହ୍ରାସ କରିବା ପରେ ପାକିସ୍ତାନୀ ଟଙ୍କାରେ ଏହି ହ୍ରାସ ଘଟିଛି । ଏହି ହ୍ରାସର ଅନ୍ୟତମ କାରଣ ହେଉଛି ଯେ ପାକିସ୍ତାନ ଆଇଏମଏଫର ସର୍ତ୍ତ ଅନୁସାରେ ପଦକ୍ଷେପ ନେଇଛି । ଖୋଲା ବଜାର ମୂଲ୍ୟ ଅନୁଯାୟୀ ଏହାର ଟଙ୍କା ଉପରେ ପାକିସ୍ତାନ ସରକାରଙ୍କର ହସ୍ତକ୍ଷେପ ରହୁନାହିଁ ।

ସରକାରୀ ରାଜକୋଷକୁ ଡଲାର ସହାୟତା ମିଳିବା ପାଇଁ ପାକିସ୍ତାନ ସରକାର ଏପରି କରିଥିବା କୁହାଯାଉଛି । ପୂର୍ବରୁ ବ୍ୟାଙ୍କ ଡଲାର ବିନିମୟ ପାଇଁ ସରକାରୀ ବ୍ୟାଙ୍କକୁ ଆସିବା ପରିବର୍ତ୍ତେ ଖୋଲା ବଜାରକୁ ଯାଉଥିଲେ । ଯେଉଁଠାରେ ସେମାନଙ୍କୁ ଅଧିକ ମୂଲ୍ୟ ମିଳୁଥିଲା । ପାକିସ୍ତାନର ସରକାରୀ ରାଜକୋଷରେ ଡଲାର ହ୍ରାସ ହେବାର ଏହା ମଧ୍ୟ ଏକ ବଡ଼ କାରଣ । ବିଶେଷଜ୍ଞଙ୍କ କହିବା କଥା ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ମାତ୍ର ୪.୩୪ ବିଲିୟନ ଡଲାରରେ ରହିଛି । ଯାହା ନଥିବା ସାଙ୍ଗରେ ସମାନ ବୋଲି କୁହାଯାଉଛି । ଆଇଏମଏଫ୍ ସହାୟତା ପାଇଁ ବିଭିନ୍ନ ସର୍ତ୍ତ ରଖିଥିବା ବେଳେ ପାକିସ୍ତାନ ସରକାର ଆଇଏମଏଫ ଅନୁସାରେ କାମ କରୁଛନ୍ତି ।

ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ, ବସନ୍ତରେ ଉତ୍ତପ୍ତ ହେଉଛି ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ । ବସନ୍ତରେ ଆଉ ବହୁନି ମଳୟ ପବନ । ଧିରେ ଧିରେ ଉତ୍ତପ୍ତ ହେଉଛି ପଶ୍ଚିମ ଓଡ଼ିଶା । ଏବେଠୁ ଘାଇଲା କଲାଣି ଖରା । ସ୍ୱାଭାବିକଠାରୁ ୬ ଡିଗ୍ରୀ ଉପରେ ରହିଛି ପାରଦ । ୩୨ ଡିଗ୍ରୀ ଉପରେ ରାଜ୍ୟର ୧୭ ସହରର ତାପମାତ୍ରା ।

ରାଜଧାନୀ ଭୁବନେଶ୍ୱରରେ ରେକର୍ଡ କରିଛି ତାତି । ଜାନୁଆରୀରେ ୩୪ ଡିଗ୍ରୀ ପାର କରିଛି ତାପମାତ୍ରା । ଗତକାଲି ବୌଦ୍ଧରେ ସର୍ବାଧିକ ୩୪.୫ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଭୁବନେଶ୍ବରରେ ଦ୍ବିତୀୟ ସର୍ବାଧିକ ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଏବେଠୁ ଖରା ବଢୁଥିବାବେଳେ ଆଗାମୀ ଦିନରେ ସ୍ଥିତି ଆସମ୍ଭାଳ ହେବା ଆଶଙ୍କା କରାଯାଉଛି । ଚଳିତବର୍ଷ ଭୁବନେଶ୍ବର ହୋଇପାରେ ବିଶ୍ବର ସବୁଠୁ ଉତ୍ତପ୍ତ ସହର ।

ଆଜି ବିଆରଏସରେ ମିଶିବେ ବିଜେପି ଛାଡ଼ିଥିବା ବରିଷ୍ଠ ନେତା ଗିରିଧର ଓ ଶିଶିର ଗମାଙ୍ଗ

ଭୁବନେଶ୍ୱର: ଆଜି ବିଆରଏସରେ ମିଶିବେ ବିଜେପି ଛାଡ଼ିଥିବା ବରିଷ୍ଠ ନେତା ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ । ହାଇଦ୍ରାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ଉଭୟ ବିଧିବଦ୍ଧ ଭାବେ ବିଆରଏସରେ ସାମିଲ ହେବେ । ଗିରିଧରଙ୍କ ଧର୍ମପତ୍ନୀ ମଧ୍ୟ ଭାରତ ରାଷ୍ଟ୍ର ସମିତିରେ ସାମିଲ ହେବାର ସୂଚନା ରହିଛି । ସେମାନଙ୍କ ସହିତ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ମଧ୍ୟ ବିଆରଏସରେ ମିଶିବେ । ଗତ ୨୫ରେ ୮ ବର୍ଷର ସମ୍ପର୍କକୁ ବାଏ ବାଏ କରି ବିଜେପି ଛାଡ଼ିଥିଲେ ଗିରିଧର ଓ ଶିଶିର ଗମାଙ୍ଗ । ଇସ୍ତଫା ଦେଇ ବିଜେପି ଉପରେ ବର୍ଷିଥିଲେ ବାପପୁଅ ।

୨୦୧୫ରେ ଗିରିଧର ଓ ଶିଶିର ଗମାଙ୍ଗ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଏହି ସମୟରେ ରାଜ୍ୟ ବିଜେପିକୁ ଯେପରି ଦେଖିଥିଲେ ଏବେ ବିଜେପି ସେମିତି ନାହିଁ । ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଜାଣିଶୁଣି ଦୂରେଇ ରଖାଯାଇଛି ବୋଲି ଗିରିଧର ଅଭିଯୋଗ କରିଥିଲେ । ଅନ୍ୟପଟେ ଶିଶିର କହିଥିଲେ, ରାଜ୍ୟ ବିଜେପିର ତୃଣମୂଳ ସଂଗଠନ କେବଳ କାଗଜ କଲମରେ ଚାଲିଛି । ଯାହା ପ୍ରତିଫଳିତ ହୋଇଛି ପଞ୍ଚାୟତ ଓ ପୌର ନିର୍ବାଚନରେ । ୨୦୧୯ରେ ଦଳ ତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୂଆଁ ବୁଲାଇଥିଲା ବୋଲି ସେ ଅଭିଯୋଗ କରିଥିଲେ ।

ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍, ୩ ଟିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍

ରାଞ୍ଚ: ଆଜିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ୩ ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ମେନ୍ ଇନ ବ୍ଲୁ । ଆଜି ସନ୍ଧ୍ୟା ୭ଟାରେ ରାଞ୍ଚିରେ ଖେଳାଯିବ ପ୍ରଥମ ମ୍ୟାଚ୍ । ସିରିଜରେ ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦିନିକିଆ ଶୃଙ୍ଖଳା କ୍ଲିନ୍ ସୁଇପ କରି ଭାରତର ମନୋବଳ ଦୃଢ଼ ରହିଛି ।

ICC ଦିନିକିଆ ମାନ୍ୟତାରେ ଏକ ନମ୍ବର ଦଳ ହୋଇଛି ଟିମ୍ ଇଣ୍ଡିଆ । ଯାହାକି ଭାରତୀୟ ଖେଳାଳିଙ୍କ ମନରେ ଜୋସ୍ ଭରିଛି । ଏଣୁ ମ୍ୟାଚ ଜିତି ଆରମ୍ଭରୁ ସିରିଜକୁ କବଜାକୁ ନେବାକୁ ଉଦ୍ୟମ କରିବ ଭାରତ । ସେପଟେ ତ୍ରୁଟି ସୁଧାରି ଭାରତକୁ ଜବାବ ଦେବାକୁ ରଣନୀତି କରିଛି ନ୍ୟୁଜିଲାଣ୍ଡ । ଦିନିକିଆରେ ଶୋଚନୀୟ ପରାଜୟ ପରେ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ ପାଇଁ ଦଳ ଉଦ୍ୟମ କରିବ ।

ଆଜି ହକି ବିଶ୍ବକପ ସେମିଫାଇନାଲ, କଳିଙ୍ଗ ଷ୍ଟାଡିୟମରେ ହେବ ମହାମୁକାବିଲା

ଭୁବନେଶ୍ୱର: ହକି ବିଶ୍ୱକପ ପାଇଁ ଆଜି ସେମି ଟକ୍କର । କମ୍ପିବ କଳିଙ୍ଗ । ଫାଇନାଲ ଟିକେଟ ପାଇଁ ଟର୍ଫକୁ ଓହ୍ଲାଇବେ ୪ଟି ଟିମ୍ । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଜର୍ମାନୀ । ସାଢେ ୪ଟାରୁ କଳିଙ୍ଗରେ ହେବ ମୁକାବିଲା । ମ୍ୟାଚରେ ଅଷ୍ଟ୍ରେଲିଆ ଶତପ୍ରତିଶତ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆ କୋଚ୍ କୋଲିନ ବ୍ୟାଚ୍ । ଅଷ୍ଟ୍ରେଲିଆ ଏବେ ବିଶ୍ୱର ଏକ ନମ୍ବର ରାଙ୍କିଙ୍ଗ ଟିମ୍ । ଚଳିତ ବିଶ୍ୱକପରେ ଦଳ ଅପରାଜେୟ ରହିଛି ।

ସେହିପରି ସନ୍ଧ୍ୟା ୭ଟାରେ ଦ୍ୱିତୀୟ ସେମିଫାଇନାଲରେ ବେଲଜିୟମ ଓ ନେଦାରଲାଣ୍ଡ୍ସ ମଧ୍ୟରେ ହେବ ଟକ୍କର । ବିଶ୍ବର ୪ଟି ଶ୍ରେଷ୍ଠ ଟିମ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଯେଉଁ ଟିମ୍ ଶ୍ରେଷ୍ଠ ପ୍ରଦର୍ଶନ କରିବ ସେହି ଟିମ୍ ଫାଇନାଲକୁ ଯିବ ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ଚଳିତ ବିଶ୍ବକପର ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆ ଓ ନେଦାରଲାଣ୍ଡ୍ସ ଭଲ ପ୍ରଦର୍ଶନ କରୁଥିବା ବେଳେ ଏହି ଦୁଇଟି ଟିମ୍ ଫାଇନାଲ ଯିବାର ସମ୍ଭାବନା ଅଧିକ ବୋଲି ଦିଲ୍ଲୀପ ତିର୍କୀ କହିଛନ୍ତି ।

କ୍ବାଟର୍ସରୁ ବାଦ ପଡିବା ପରେ ଭାରତର ଦମଦାର ପ୍ରଦର୍ଶନ, ଜାପାନକୁ ୮-୦ ଗୋଲରେ ହରାଇଲା ଭାରତ

ରାଉରକେଲା: ପୁରୁଷ ହକି ବିଶ୍ବକପରେ ଭାରତୀୟ ଦଳ କ୍ବାର୍ଟର ଫାଇନାଲରୁ ବାଦ୍ ପଡ଼ିବା ପରେ ନବମ ସ୍ଥାନ ପାଇଁ ଲଢ଼େଇ ଆରମ୍ଭ କରିଛି । ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା କ୍ଲାସିଫିକେସନ ମ୍ୟାଚରେ ଜାପାନକୁ ୮-୦ ଗୋଲରେ ହରାଇଛି ଭାରତ । ତେବେ ଭାରତୀୟ ଦଳ ଆସନ୍ତା ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳିବ। ଏହି ମ୍ୟାଚ୍କୁ ଜିତିଲେ ଭାରତ ନବମ ସ୍ଥାନରେ ରହିବ ।

ତେବେ ଆଜି ଖେଳାଯାଇଥିବା ମ୍ୟାଚରେ ଆରମ୍ଭରୁ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମ ଦୁଇଟି କ୍ୱାଟରରେ ଗୋଲ ଶୂନ୍ୟ ରହିଥିଲା । କିନ୍ତୁ ତୃତୀୟ କ୍ୱାଟର ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲା ଭାରତ । ତୃତୀୟ କ୍ୱାଟର ୪ଟି ଗୋଲ ସ୍କୋର କରିବା ସହ ଚତୁର୍ଥ କ୍ୱାଟରରେ ମଧ୍ୟ ୪ଟି ଗୋଲ୍ ସ୍କୋର କରିଥିଲା ଭାରତ । ଯାହାଫଳରେ ଏହି ମ୍ୟାଚକୁ ଭାରତ ୮-୦ରେ ନିଜ ନାମରେ କରିଥିଲା । ଏହି ମ୍ୟାଚରେ ଭାରତ ପକ୍ଷରୁ ଅଭିଷେକ ଓ ହରମନପ୍ରୀତ ସିଂ ଦୁଇଟି ଲେଖାଏଁ ଗୋଲ ସ୍କୋର କରିଥିବାବେଳେ ମନଦୀପ ସିଂ, ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ ଓ ସୁଖଜିତ୍ ସିଂ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ ।