ପାଟଣାଗଡ଼: ମହଙ୍ଗା ପଡ଼ିଲା ବିଡିଓଙ୍କୁ ଦୁର୍ବ୍ୟବହାର । ପାଟଣାଗଡ଼ର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବିରୋଧରେ ଥାନାରେ ଏତଲା । ବିଡିଓଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏତଲା ଦେଇଛି ଆାଦିବାସୀ ସଂଘ । ଗତ ୧୮ତାରିଖରେ ମଣ୍ଡଳ ଗାଁ ନିକଟରେ ବିଡିଓଙ୍କୁ ଧମକ ଦେବା ସହ ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ପ୍ରଶ୍ନ ପଚାରି ଅସଦାଚରଣ କରିଥିଲେ କେଭି ସିଂହଦେଓ । ବେଲପଡ଼ା ବିଡିଓଙ୍କୁ ଧମକ ଦେଇଥିଲେ । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
କୁସ୍ତି ସଂଘର ଅତିରିକ୍ତ ସଚିବଙ୍କୁ ନିଲମ୍ବନ କଲା ଖେଳ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ଏବଂ ଭାରତୀୟ କୁସ୍ତି ସଂଘ ବିବାଦରେ ଖେଳ ମନ୍ତ୍ରଣାଳୟର ବଡ଼ କାର୍ଯ୍ୟାନୁଷ୍ଠାନ । ଖେଳ ମନ୍ତ୍ରଣାଳୟ କୁସ୍ତି ସଂଘର ଅତିରିକ୍ତ ସଚିବ ବିନୋଦ ତୋମାରଙ୍କୁ ନିଲମ୍ବିତ କରିଛି । ତେବେ ବିନୋଦ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ପକ୍ଷରେ ବୟାନ ଦେଇଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି । ଖେଳ ମନ୍ତ୍ରଣାଳୟର ନୋଟିସର ଜବାବ ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆ ଦେଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ ବିକ୍ଷୋଭ କରୁଥିବା ଖେଳାଳି ନିଜ ସ୍ୱାର୍ଥ ଓ ହିତ ପାଇଁ ରେସଲିଂ ସଂଘକୁ ବଦନାମ କରୁଛନ୍ତି । ବିରୋଧ ପଛରେ ସେମାନଙ୍କ ବ୍ୟକ୍ତିଗତ ଏଜେଣ୍ଡା ରହିଛି । ଭାରତୀୟ କୁସ୍ତି ସଂଘରେ ଅଧ୍ୟକ୍ଷ ବା ଅନ୍ୟ କେହି ମନମାନି କରିପାରିବେନି ।
ସଂଘ ନିୟମର ଉର୍ଦ୍ଧ୍ୱରେ କେହି ବି ନୁହନ୍ତି । ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନଙ୍କ ତିନିଦିନ ହେବ ଚାଲିଥିବା ଧାରଣା ଗତକାଲି ରାତି ୧ଟାରେ ଶେଷ ହୋଇଛି । ଏହି ନିଷ୍ପତ୍ତି ଖେଳ ମନ୍ତ୍ରୀ ଅନୁରାଗ ଠାକୁର ଏବଂ କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ୭ ଘଣ୍ଟା ଲମ୍ବା ଆଲୋଚନା ପରେ ନିଆଯାଇଛି । ଅନୁରାଗ ଠାକୁର କହିଥିଲେ ଯେ ଏକ ଯାଞ୍ଚ କମିଟିର ଗଠନ କରାଯିବ । ଏହି କମିଟି ୪ ସପ୍ତାହ ମଧ୍ୟରେ ନିଜର ରିପୋର୍ଟ ଦାଖଲ କରିବ ।
ଏହି ୭ ଜଣିଆ କମିଟିରେ ଏମସି ମ୍ୟାରିକମ୍ ଏବଂ ଯୋଗେଶ୍ୱ ଦତ୍ତଙ୍କ ଭଳି ଖେଳାଳି ସାମିଲ ଅଛନ୍ତି । ଏହି ପ୍ୟାନେଲର ତୀରନ୍ଦାଜ ଡୋଲା ବନାର୍ଜୀ ଏବଂ ଭାରତୀୟ ଭାରୋତ୍ତଳନ ମହାସଂଘର ଅଧ୍ଯକ୍ଷ ସହଦେବ ଯାଦବ ମଧ୍ୟ ସାମିଲ ଅଛନ୍ତି । ଏହି ନିଷ୍ପତ୍ତି ଆଇଓଏର କାର୍ଯ୍ୟକାରୀ ପରିଷଦର ଜରୁରୀକାଳୀନ ବୈଠକରେ ନିଆଯାଇଛି । ଏହି ବୈଠକରେ ଆଇଓଏ ଅଧ୍ୟକ୍ଷ ପିଟି ଉଷା ଏବଂ ସଂଯୁକ୍ତ ସଚିବ କଲ୍ୟାଣ ଚୌବେଙ୍କ ବ୍ୟତୀତ ଅଭିନବ ବିନ୍ଦ୍ରା ଏବଂ ଯୋଗେଶ୍ୱରଙ୍କ ଭଳି ଖେଳାଳି ସାମିଲ ହୋଇଥିଲେ ।
ଭାରତ ବିରୋଧରେ ଚଳିବନି ଡ୍ରାଗନର ଦାଦାଗିରି, ଆରମ୍ଭ ହେବ ସମରାଭ୍ୟାସ ’ପ୍ରଳୟ’
ନୂଆଦିଲ୍ଲୀ: ଶତ୍ରୁ ରାଷ୍ଟ୍ର ବିରୋଧରେ ଭାରତ କରିବ ସମରସଜ୍ଜା । ଚଳିବନି ଡ୍ରାଗନର ଦାଦାଗିରି । ସୀମାରେ ଦମ୍ ଦେଖାଇବ ଭାରତୀୟ ବାୟୁସେନା । ଚାଲିବ ଏୟାରଫୋର୍ସର ସମରାଭ୍ୟାସ ’ପ୍ରଳୟ’ । ଶତ୍ରୁ ରାଷ୍ଟ୍ରର ଚାଲେଞ୍ଜ ଲାଗି ଆଗୁଆ ପ୍ରସ୍ତୁତି । ଉତ୍ତରପୂର୍ବାଞ୍ଚଳରେ ସମସ୍ତ ଏୟାରବେସରେ ହେବ ଏକ୍ସରସାଇଜ । ଆସନ୍ତା କିଛି ଦିନ ମଧ୍ୟରେ ଭାରତୀୟ ବାୟୁସେନା ପକ୍ଷରୁ ଆରମ୍ଭ ହେବ ଅଭିଯାନ । ସମରାଭ୍ୟାସରେ ସାମିଲ ହେବେ ଏସ-୪୦୦ ଏୟାର ଡିଫେନ୍ସ ସ୍କ୍ବାଡ୍ରନ, ରାଫେଲ ଓ ସୁଖୋଇ-୩୦ ।
ଶତ୍ରୁପକ୍ଷରୁ କୌଣସି ପ୍ରକାର ବିମାନ ବା ମିସାଇଲକୁ ୪୦୦ କିଲୋମିଟର ଦୂରରୁ ଖସାଇବାର ସାମର୍ଥ୍ୟ ହାସଲ କରିଛି ସିଷ୍ଟମ । ସିକ୍କିମ ଓ ସିଲିଗୁଡ଼ି କରିଡରରେ ଚୀନ ଚଳାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିରୋଧରେ ବି ସତର୍କ ହୋଇଛି ଭାରତ । ଚୀନ ସହ ସମ୍ପର୍କ ତିକ୍ତ ହେବା ପରେ ଭାରତ ପକ୍ଷରୁ କିଛିଦିନ ତଳେ ଡ୍ରୋନ ସ୍କ୍ବାଡ୍ରନ ଏଲଏସିକୁ ପ୍ରେରଣ କରାଯାଇଥିଲା । ସେପଟେ ପୂର୍ବ ଲଦାଖ ଅନ୍ତର୍ଗତ ସୀମାରେ ମୁତୟନ ସୈନ୍ୟଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।
ସୀମାରେ ପ୍ରତିରକ୍ଷା ପ୍ରସ୍ତୁତି ନେଇ ପିପୁଲ୍ସ ଲିବରେସନ ଆର୍ମି ମୁଖ୍ୟାଳୟରୁ ସୈନ୍ୟଙ୍କୁ ଉଦବୋଧନ ଦେଇଛନ୍ତି ଜିନପିଙ୍ଗ । ସେପଟେ ଭାରତୀୟ ନୌସେନାରେ ଆସନ୍ତା ୨୩ରେ ସାମିଲ ହେବ ବାହୁବଳୀ । ଫିପଥ୍ ଡିଜେଲ ଇଲେକ୍ଟ୍ରିକ ସ୍କର୍ପିନ ଆଇଏନଏସ ବାଗିର ନୌସେନାର ସାମିଲ ହେବା ଲାଗି ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଆଣ୍ଟି ସରଫେସ ଓ୍ବାରଫେର, ଆଣ୍ଟିସବମେରିନ ଓ୍ବାରଫେର, ଇଣ୍ଟେଲିଜେନସି ଗ୍ୟାଦରିଂ, ସର୍ଭେଲାନ୍ସ ମିସନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛି ଆଇଏନଏସ ବାଗିର । କାଲଭାରି ଶ୍ରେଣୀର ଏହି ସବମେରିନ ମଧ୍ୟରୁ ଆଇଏନଏସ କାଲଭାରି, ଆଇଏନଏସ କରଞ୍ଜ, ଆଇଏନଏସ ବେଳା ଭାରତୀୟ ନୌସେନାରେ ସାମିଲ ହୋଇସାରିଛି ।
ଚର୍ଚ୍ଚାରେ ଆତ୍ମଘୋଷିତ ବାବା ବାଗେଶ୍ୱର; ଲୋକଙ୍କୁ ଦେଖି ଅତୀତ ଓ ଭବିଷ୍ୟତ କହିବାପାରୁଥିବା ଦାବି
ଭୋପାଳ: ଚର୍ଚ୍ଚାରେ ଆତ୍ମଘୋଷିତ ବାବା ବାଗେଶ୍ବର ଧାମ ସରକାର । ପ୍ରକୃତ ନାଁ ଧିରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ । ବୟସ ୨୬ ବର୍ଷ । ଲୋକଙ୍କ ଅତୀତ ଓ ଭବିଷ୍ୟତ କହିପାରୁଛନ୍ତି ବୋଲି ଦାବି କରୁଥିବା ବାବା ବାଗେଶ୍ବରଙ୍କୁ ନେଇ ଚର୍ଚ୍ଚା ଜୋର । ଜାତୀୟ ଗଣମାଧ୍ୟମରେ ଇଣ୍ଟଭ୍ୟୁ ଦେଇ ସେ ରାବଣ ସହିତ କଥା ହୋଇଥିବା ଦାବି କରିଛନ୍ତି । ଏହାକୁ ନେଇ ଅନେକ ଲୋକ ତାଙ୍କୁ ଠକ ବାବା କହିଥିବା ବେଳେ ଅନ୍ଧବିଶ୍ବାସୀ ବୋଲି କହିଛନ୍ତି । ବାବା ବାଗେଶ୍ବର ନିଜକୁ ହନୁମାନଙ୍କର ବଡ଼ ଭକ୍ତ ଭଲ କୁହନ୍ତି ।
ନିକଟର ନାଗପୁରରେ ଅନ୍ଧବିଶ୍ବାସୀ ବିରୋଧୀ ଲୋକେ ଏକ ସମ୍ମିଳନୀ କରିଥିବା ବେଳେ ସେଠାରେ ପ୍ରବଳ ବିରୋଧର ଶୀକାର ହୋଇଥିଲେ ବାବା ବାଗେଶ୍ବର । ସେବେଠୁ ସୋସିଆଲ ମିଡିଆରେ ସେ ଚର୍ଚ୍ଚା ରହୁଛନ୍ତି । ତାଙ୍କ ଭାଷଣର ଭିଡିଓ ଏବେ ଭାଇରାଲ ହେଉଛି । ମଧ୍ୟପ୍ରଦେଶର ଛତ୍ରପୁର ବାସିନ୍ଦା ହେଉଛନ୍ତି ବାବା ବାଗେଶ୍ବର । ଦେଶର ବିଭିନ୍ନ ସ୍ଥାନରେ ସେ ସମ୍ମିଳନୀ କରୁଥିବା ବେଳେ ହଜାର ହଜାର ଲୋକ ଯୋଗ ଦେଉଛନ୍ତି ।
ଗାଧୋଇବା ବେଳେ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ମୃତ, ଜଣେ ଗୁରୁତର
ଢେଙ୍କାନାଳ: ଢେଙ୍କାନାଳ ରାମଚଣ୍ଡୀ ମନ୍ଦିର ନିକଟରେ ଅଘଟଣ । ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ମୃତ, ଜଣେ ଗୁରୁତର । ଭୋଜି କରିବାକୁ ଯାଇଥିବା ବେଳେ ଘଟିଛି ଅଘଟଣ । ମୃତକ ଜଣକ ଏକ ଘରୋଇ କମ୍ପାନୀରେ କାମ କରୁଥିବା ସୂଚନା ରହିଛି । ଭୋଜି କରିବାକୁ ଯାଇ ଗାଧୋଉଥିବା ବେଳେ ଉଭୟ ବୁଡ଼ିଯାଇଥିଲେ । ନଦୀରୁ ଜଣଙ୍କର ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଅନ୍ୟ ଗୁରୁତର ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

