spot_img
Home Blog Page 3684

ନବନିଯୁକ୍ତ ସହକାରୀ ପ୍ରଫେସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ

ସରକାରୀ ମେଡିକାଲ କଲେଜରେ ନବନିଯୁକ୍ତ ସହକାରୀ ପ୍ରଫେସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆ ସହକାରୀ ପ୍ରଫେସରଙ୍କୁ ଶୁଭେଚ୍ଛା ଜଣାଇବା ସହ ଫାଇଭ-ଟି ମନ୍ତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ସ୍ବାସ୍ଥ୍ୟ ସେବାକୁ ସବୁବେଳେ ପ୍ରାଥମିକତା ଦେଇ ଆସୁଛନ୍ତି ରାଜ୍ୟ ସରକାର । ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ବିଗତ ୩ ବର୍ଷ ମଧ୍ୟରେ ସ୍ବାସ୍ଥ୍ୟ ବଜେଟ ଦୁଇଗୁଣା କରାଯାଇଛି ।

ରାଜ୍ୟ ବଜେଟର ୬ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟ କରାଯାଉଛି । ଏହି ପରିପ୍ରକ୍ଷୀରେ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ ପାଇଁ ୨୦୩ ଜଣ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଅବସରରେ ନବନିଯୁକ୍ତ ସହକାରୀ ପ୍ରଫେସରମାନଙ୍କୁ ଦିଗଦର୍ଶନ ଦେବା ସହ ସେମାନଙ୍କ ନୈତିକତା ସମ୍ପର୍କରେ ସଚେତନ କରାଇଥିଲେ । ପ୍ରତି ଜୀବନ ମୂଲ୍ୟବାନ ।

ସେଥିପାଇଁ ରାଜ୍ୟ ସରକାର ସବୁବେଳେ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଉପରେ ବିଶ୍ବାସ ରଖନ୍ତି । ଟ୍ରାନ୍ସପାରେନ୍ସି, ଟେକ୍ନୋଲୋଜି, ଟିମ୍ ଓ୍ବାର୍କ, ଟାଇମ ଓ ଟ୍ରାନ୍ସଫରମେସନ କ୍ୟାରିୟରରେ ସବୁଠାରୁ ଅଧିକ ମହତ୍ତ୍ବ ରଖେ । ତେଣୁ ନବନିଯୁକ୍ତ ସହକାରୀ ପ୍ରଫେସର ମାନେ ଏହି ଧାରାରେ କାର୍ଯ୍ୟ କଲେ ସ୍ବାସ୍ଥ୍ୟ ସେବାରେ ଅଧିକ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏମ୍ସରେ ଅତ୍ୟାଧୁନିକ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ କବକ ସଂକ୍ରମଣ ଓ ନିରାକରଣ ନିମନ୍ତେ ଅତ୍ୟାଧୁନିକ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଉଦଘାଟିତ ହୋଯାଇଛି। କବକ ଚିହ୍ନଟ ଏବଂ ଏନେଇ ହେଉଥିବା ସଂକ୍ରମଣ ଓ ଏହାର ନିରାକରଣ ନେଇ ଆଜି ଏମ୍ସ ଭୁବନେଶ୍ବର ରେ ଆରମ୍ଭ ହୋଇଥିବା ଅନୁସନ୍ଧାନକେନ୍ଦ୍ର ପୂର୍ବ ଭାରତରେ ପ୍ରଥମ। ଏନେଇ ଅଧିକ ଗବେଷଣା ପାଇଁ ଏହା ଏକ ରେଫରାଲ୍ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ବୋଲି ଗବେଷକମାନେ ମତ ରଖିଛନ୍ତି।

ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସଙ୍କ ଉପସ୍ଥିତିରେ ବିଶ୍ୱପ୍ରସିଦ୍ଧ ମେଡିକାଲ ମାଇକୋଲୋଜିଷ୍ଟ ପ୍ରଫେସର ଅରୁଣାଲୋକ ଚକ୍ରବର୍ତ୍ତୀ ଆଜି ଏମ୍ସ ର ମାଇକ୍ରୋ ବାୟୋଲୋଜି ବିଭାଗରେ ଆଇସିଏମଆର ଆଡଭାନ୍ସ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ରିସର୍ଚ୍ଚ ସେଣ୍ଟର ଉଦଘାଟନ କରିଛନ୍ତି।

ଏହି ଅବସରରେ ଏମ୍ସ ଡିନ (ଏକାଡେମିକ୍) ପ୍ରଫେସର ପି ଆର ମହାପାତ୍ର, ମାଇକ୍ରୋ ବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ବୈଜୟନ୍ତୀମାଳା ମିଶ୍ର ଏବଂ ଆଇସିଏମଆର ଵୈଜ୍ଞାନିକ ଡ. ମଧୁଛନ୍ଦା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଫେସର ଅରୁଣାଲୋକ ଚକ୍ରବର୍ତ୍ତୀ କହିଛନ୍ତି ଯେ କୋଭିଡ୍ ଏବଂ ପରବର୍ତ୍ତୀ ସମୟରେ ଅନେକ ମାରାତ୍ମକ ଫଙ୍ଗାଲ୍ ସଂକ୍ରମଣ ସାମ୍ନାକୁ ଆସିଛି। ଏଥିମଧ୍ୟରୁ ମ୍ୟୁକର୍ମାଇକୋସିସ୍ ଏବଂ କ୍ୟାଣ୍ଡିଡା ଆରିସ୍ ପରି କେତେକ ଫଙ୍ଗାଲ ।

ମେଡିକାଲ୍ ଏବଂ ଅଣ-ମେଡିକାଲ୍ କ୍ଷେତ୍ରରେ ଲକ୍ଷ୍ୟ କରାଯାଇଛି । ପ୍ରଫେସର ଆଶୁତୋଷ ବିଶ୍ୱାସଙ୍କ ମତରେ ନିକଟରେ ଫଙ୍ଗାଲ୍ ସଂକ୍ରମଣର ବ୍ୟାପକତା ବୃଦ୍ଧି ପାଇଛି। ବିଭିନ୍ନ ବ୍ୟବସ୍ଥା ସତ୍ତ୍ୱେ କବକ ସଂକ୍ରମଣର ଚିହ୍ନଟ ଏବଂ ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ଭଳି ଅନେକ ଅଭାବ ରହିଛି ।

ଏହାକୁ ପୂରଣ ପାଇଁ ସମଗ୍ର ଭାରତରେ କବକ ପାଇଁ ଉନ୍ନତ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।ପ୍ରଫେସର ଅରୁଣାଲୋକ ଚକ୍ରବର୍ତ୍ତୀ ଏବଂ ଡ. ମଧୁଛନ୍ଦା ଦାସ ଗୁରୁତ୍ୱାରୋପ କରିଛନ୍ତି ଯେ, ଉନ୍ନତ ଲାବୋରେଟୋରୀ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ହେଉଛି ଓଡ଼ିଶାବାସୀଙ୍କ ପାଇଁ ଫଙ୍ଗଲ୍ ସଂକ୍ରମଣ ପାଇଁ ଅତ୍ୟାଧୁନିକ ନିରାକରଣ ଉପଲବ୍ଧ କରାଇବା, ଫଙ୍ଗଲ୍ ସଂକ୍ରମଣର ଚିହ୍ନଟ ତଥା ଚିକିତ୍ସା ପାଇଁ ଓଡ଼ିଆ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ତାଲିମ ଦେବା ଏବଂ ଫଙ୍ଗଲ୍ ସଂକ୍ରମଣର ନିରାକରଣ ଏବଂ ପରିଚାଳନା ପାଇଁ ପୂର୍ବ ଭାରତର ବିଭିନ୍ନ ମେଡିକାଲ୍ ଡାକ୍ତରଖାନାକୁ ସହଯୋଗ କରିବା।

ଏହି କେନ୍ଦ୍ର ବିଭିନ୍ନ ଫଙ୍ଗଲ୍ ସଂକ୍ରମଣ ରୋଗୀଙ୍କ ପାଇଁ ଏକାଧିକ ସେରୋଲୋଜିକାଲ୍, ମଲିକୁଲାର୍ ଏବଂ ଆଣ୍ଟିଫଙ୍ଗାଲ୍ ସମ୍ବେଦନଶୀଳତା ପରୀକ୍ଷା ସେବା ପ୍ରଦାନ କରି ମେଡିକାଲ୍ ଫଙ୍ଗାଲ । ଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ।

ଏଥିସହିତ ଏହି କେନ୍ଦ୍ରରେ ମାଇକ୍ରୋବାୟୋଲୋଜି ଟ୍ରେନିଂ କିମ୍ବା ମାଇକ୍ରୋବାୟୋଲୋଜିଷ୍ଟମାନଙ୍କୁ ଅଭ୍ୟାସ କରୁଥିବା ପର୍ଯ୍ୟବେକ୍ଷକ / ହ୍ୟାଣ୍ଡ-ଅନ୍ ଲାବୋରେଟୋରୀ ତାଲିମ ସୁଯୋଗ ପ୍ରଦାନ କରିବ। କବକ ସଂକ୍ରମଣର ଶିକାର ହୋଇଥିବା ଡାକ୍ତରଖାନାଗୁଡ଼ିକ ଏହି କେନ୍ଦ୍ରରୁ ସହାୟତା ଲୋଡିପାରିବେ ଯାହା ଦ୍ଵାରା ଏହି ସଂକ୍ରମଣ ଏପିସୋଡ୍ ବନ୍ଦ ହେବାର ମୂଳ କାରଣ ଚିହ୍ନଟ କରାଯାଇପାରିବ ଏବଂ ଭବିଷ୍ୟତରେ ଘଟୁଥିବା ଘଟଣାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇପାରିବ।

ପ୍ରଥମ ରାଜ୍ୟ ଭାବେ ଗୁଜରାଟର ଜିଲ୍ଲା ମୁଖ୍ୟାଳୟରେ ମିଳିବ ଜିଓ ଟ୍ରୁ-୫ଜି ସେବା

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଟ୍ରୁ-୫ଜି ନେଟ୍‌ୱର୍କକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି । ଗୁଜରାଟର ୩୩ ଜିଲ୍ଲା ମୁଖ୍ୟ କର୍ଯ୍ୟାଳୟରେ ଜିଓ ପକ୍ଷରୁ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏହା ଦ୍ୱାରା ଗୁଜରାଟ ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି ଯେଉଁଠାରେ ୧୦୦% ଜିଲ୍ଲା ମୁଖ୍ୟାଳୟରେ ଜିଓ ଟ୍ରୁ-୫ଜି କଭରେଜ୍ ମିଳିବ ।

ରିଲାଏନ୍ସର ଜନ୍ମଭୂମି ହୋଇଥିବାରୁ କଂପାନି ପାଇଁ ଗୁଜରାଟ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନରେ ରହିଛି । ସେଠାରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ଗୁଜରାଟ ଏବଂ ଏହାର ବାସିନ୍ଦାଙ୍କ ପ୍ରତି ଏକ ସମର୍ପଣ ସଦୃଶ । ଏକ ମଡେଲ୍ ରାଜ୍ୟ ଭାବେ ଜିଓ ପକ୍ଷରୁ ଗୁଜରାଟରେ ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ଶିଳ୍ପ ୪.୦ ଏବଂ ଆଇଓଟି ଆଦି କ୍ଷେତ୍ରରେ ଟ୍ରୁ-୫ଜି ପାୱାରଡ୍ ଅଭିଯାନର ଶୁଭାରମ୍ଭ କରାଯିବ ଓ ଏହା ପରେ ତାହାକୁ ସାରା ଦେଶରେ ସମ୍ପ୍ରସାରଣ କରାଯିବ ।

“ଏଜୁକେସନ ଫର ଅଲ୍‌’ ନାମକ ଏକ ସ୍ୱତନ୍ତ୍ର ଟ୍ରୁ-୫ଜି ପାୱାରଡ୍ ଅଭିଯାନ ଜରିଆରେ ଗୁଜରାଟରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଛି । ଏହି ଅଭିଯାନରେ ରାଜ୍ୟର ୧୦୦ ସ୍କୁଲକୁ ଡିଜିଟାଇଜ୍ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ଓ ଜିଓ ପରସ୍ପର ସହ ହାତ ମିଳାଇଛନ୍ତି ।

ଏହି ଅଭିଯାନରେ ସ୍କୁଲ୍‌ଗୁଡ଼ିକରେ ଜିଓ ଟ୍ରୁ-୫ଜି ସଂଯୋଗ, ଉନ୍ନତ କଟେଂଟ୍ ପ୍ଲାଟଫର୍ମ, ଶିକ୍ଷକ ଓ ଛାତ୍ରଛାତ୍ରୀ ସହଯୋଗିତା ପ୍ଲାଟଫର୍ମ ଏବଂ ସ୍କୁଲ ପରିଚାଳନା ପ୍ଲାଟଫର୍ମ ଆଦି ସୁବିଧା ମିଳିବ ।

ଏହି ଅବସରରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଏମ୍ ଅମ୍ବାନି କହିଛନ୍ତି ଯେ, “ଆମେ ଗର୍ବର ସହିତ ଏହା ଘୋଷଣା କରୁଛୁ ଯେ ଗୁଜରାଟ ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ୧୦୦% ଜିଲ୍ଲା ମୁଖ୍ୟାଳୟ ଜିଓ ଟ୍ରୁ-୫ଜି ନେଟ୍‌ୱର୍କ ସହ ଯୋଡ଼ି ହୋଇଛନ୍ତି । ଏହି ପ୍ରଯୁକ୍ତିର ବାସ୍ତବ ଶକ୍ତି ଏବଂ ଏହା କିଭଳି କୋଟି କୋଟି ଜୀବନକୁ ପ୍ରଭାବିତ କରୁଛି ତାହା ଆମେ ପ୍ରଦର୍ଶିତ କରିବାକୁ ଚାହୁଛୁ ।

ଆମ ପ୍ରଧାନମନ୍ତ୍ରୀଙ୍କ ପାଇଁ ଶିକ୍ଷା ହେଉଛି ଏକ ଗୁରୁତ୍ୱର କ୍ଷେତ୍ର । ଆସନ୍ତା ୧୦-୧୫ ବର୍ଷରେ ୩୦-୪୦ କୋଟି କୁଶଳୀ ଭାରତୀୟ ଶ୍ରମ ଶକ୍ତିରେ ଯୋଗ ଦେବାର ଶକ୍ତି ବିଷୟରେ କଳ୍ପନା କରନ୍ତୁ । ଏହା କେବଳ ପ୍ରତି ଭାରତୀୟଙ୍କୁ ଉତ୍ତମ ଜୀବନ ଧାରଣ ମାନ ପ୍ରଦାନ କରିବ ନାହିଁ, ବରଂ ୨୦୪୭ ସୁଦ୍ଧା ଏକ ବିକାଶଶୀଳ ଦେଶରେ ପରିଣତ ହେବା ଲାଗି ଆମ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ରହିଥିବା ଲକ୍ଷ୍ୟକୁ ଏହା ପୂରଣ କରିବ ।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ “ଏଜୁକେସନ ଆଣ୍ଡ୍ ସ୍ପୋର୍ଟସ୍ ଫର ଅଲ୍ (ଇଏସଏ)କାର୍ଯ୍ୟକ୍ରମ ଜାରି ରହିଛି ଯେଉଁଥିରେ ଗୁଣାତ୍ମକ ଶିକ୍ଷା ଏବଂ କ୍ରୀଡ଼ାରେ ସୁଯୋଗ ଜରିଆରେ ତୃଣମୂଳ ସ୍ତରରେ ଯୁବବର୍ଗଙ୍କୁ ସଶକ୍ତ ଓ ସକ୍ଷମ କରାଯାଉଛି । ଜିଓର ଟ୍ରୁ-୫ଜିକୁ ବ୍ୟବହାର କରି ଜିଓ ଏବଂ ରିଲାଏନ୍ସ ଫାଉଣ୍ଡେସନ “ଏଜୁକେସନ ଫର ଅଲ୍‌’ଅଭିଯାନକୁ ସମ୍ପୂର୍ଣ୍ଣ ଏକ ନୂଆ ସ୍ତରକୁ ନେବେ ଯାହା ସ୍କୁଲ ଗୁଡ଼ିକୁ ଡିଜିଟାଇଜ୍ କରିବ ଏବଂ ସେଗୁଡ଼ିକୁ ଭାରତ ଏବଂ ଦୁନିଆର ଶ୍ରେଷ୍ଠ ସ୍ତରକୁ ଆଣିବ ।

ଆମ ବଡ଼ ସହର ଗୁଡ଼ିକରେ ବାସ କରୁଥିବା ସ୍ୱଚ୍ଛଳ ବର୍ଗର ଲୋକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସେବା ହୋଇ ରହିବନି ୫ଜି । ଏହା ନିଶ୍ଚିତ ରୂପେ ଭାରତର ପ୍ରତି ନାଗରିକ, ପ୍ରତି ଗୃହ ଏବଂ ପ୍ରତି ବ୍ୟବସାୟ ପାଖରେ ପହଂଚିବା ଦରକାର । କେବଳ ସେତେବେଳେ ଆମେ ସାରା ଅର୍ଥନୀତିରେ ଉତ୍ପାଦକତା, ଆୟ ଏବଂ ଜୀବନ ଧାରଣ ମାନରେ ଉଲ୍ଲେଖନୀୟ ବୃଦ୍ଧି ଆଣିପାରିବା, ଯାହା ଫଳରେ ଆମ ଦେଶ ଏକ ସମୃଦ୍ଧ ଓ ଅନ୍ତର୍ଭୁକ୍ତୀକରଣ ସମାଜରେ ପରିଣତ ହୋଇପାରିବ ।’

୨୦୨୨ ନଭେମ୍ବର ୨୫ରୁ ଗୁଜରାଟରେ ଜିଓର ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫର ଅଧୀନରେ ଆମନ୍ତ୍ରଣ କରାଯିବ ଯେଉଁଥିରେ ସେମାନେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତର ଅସୀମିତ ଡାଟା ପାଇପାରିବେ ।

ଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇଗଲାଣି । କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ରାଜ୍ୟରେ ଶୀତ ଲହରୀ ଏବଂ ଗରିବ ଲୋକଙ୍କୁ ଶୀତ ସହାୟତା ଯୋଗାଇବା ସଂପର୍କରେ ଏକ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ଗରିବ ଲୋକ ବିଶେଷ କରି ବରିଷ୍ଠ ନାଗରିକ ମାନଙ୍କୁ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ଡିସେମ୍ବର ପହିଲା ସୁଦ୍ଧା ସବୁ ହିତାଧିକାରୀଙ୍କୁ କମ୍ବଳ କିଣିବା ପାଇଁ ୩୦୦ ଟଙ୍କା ଲେଖାଏ ଶୀତ ସହାୟତା ଭାବରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ମଧୁବାବୁ ପେନ୍ସନ ଯୋଜନା ଓ ଜାତୀୟ ପେନ୍‌ସନ ଯୋଜନା (NSAP) ଅନ୍ତର୍ଗତ ୪୮ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ଉପକୃତ ହେବେ ଏବଂ ଏଥିପାଇଁ ରାଜ୍ୟ ସରକାର ୧୪୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହାସହିତ ଶୀତ ପ୍ରବାହ ସମୟରେ କେହି ଯେପରି ଖୋଲା ସ୍ଥାନରେ ଅସହାୟ ଭାବରେ ନ ରୁହନ୍ତି, ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ତଥା ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତ୍ତୃପକ୍ଷମାନେ ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ପ୍ରତି ଦୁଇ ବର୍ଷରେ ଥରେ ରାଜ୍ୟ ସରକାର ପେନ୍ସନ ହିତାଧିକାରୀ ମାନଙ୍କୁ ଗ୍ରୀଷ୍ମ ଓ ଶୀତ ସହାୟତା ଯୋଗାଇ ଦେଇଆସିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୫୫ଟି ଯାତ୍ରୀ ଆଶ୍ରୟସ୍ଥଳୀ ଖୋଲାଯାଇଥିବା ବେଳେ ଆବଶ୍ୟକସ୍ଥଳେ ପଞ୍ଚାୟତ କାର୍ଯ୍ୟାଳୟ ଓ ସ୍କୁଲ ଘର ଗୁଡିକୁ ମଧ୍ୟ ରାତ୍ରି ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରିବାପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନଭେମ୍ବର ୩୦ ଓ ଡିସେମ୍ବର ୧, ଏହି ଦୁଇ ଦିନ ମଧ୍ୟରେ ସବୁ ହିତାଧିକାରୀ ଯେପରି ଏ ସହାୟତା ପାଇବେ, ସେଥିପାଇଁ ପଦକ୍ଷେପ ନିଆଯିବ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, ମୁଖ୍ୟମନ୍ତ୍ରୀଙ୍କ 5-ଟି ସଚିବ ଭି.କେ. ପାଣ୍ଡିଆନ ତଥା ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ବିଜେପିର ହତ୍ୟା ଧମକ !

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମର୍ଡର ପ୍ଲାନ । MCD ନିର୍ବାଚନ ପୂର୍ବରୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର । ଷଡଯନ୍ତ୍ରକାରୀଙ୍କୁ ଗିରଫ ଦାବି କରିଛି ଆପ୍ । ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କଲେ ଖୁଲାସା । ସାମ୍ବାଦିକ ସମ୍ମିଳନୀରେ କହିଲେ, ଅରବିନ୍ଦ କେଜ୍ୱିୱାଲଙ୍କୁ ହତ୍ୟା କରିବାକୁ ହେଉଛି ପ୍ଲାନ । ଆଉ ପ୍ଲାନ ପଛରେ ରହିଛି ବିଜେପିର ପ୍ରତ୍ୟେକ୍ଷ ହାତ । ଶୁକ୍ରବାର ସକାଳ ୧୦ଟାରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତା ମନୋଜ ତିୱାରୀଙ୍କୁ ଆରେଷ୍ଟ କରିବାକୁ ଦାବି କରିଛନ୍ତି ମନୀଷ ସିସୋଦିଆ ।

କାରଣ ମନୋଜ ତିୱାରୀଙ୍କ ଟ୍ୱିଟ ହିଁ ହତ୍ୟା ଷଡ଼ଯନ୍ତ୍ରର ବଡ଼ ପ୍ରମାଣ ବୋଲି କହିଛନ୍ତି ସିସୋଦିଆ । ଗୋଟେପଟେ ଆପର ଶ୍ରମିକ ନେତା ସନ୍ଦୀପ ଭରଦ୍ୱାଜଙ୍କ ସୁଇସାଇଡକୁ ନେଇ ବିଜେପି ନିଶାନାରେ ଆମ ଆଦମୀ ପାର୍ଟି । ଦଳୀୟ ନେତାଙ୍କ ଆତ୍ମହତ୍ୟା ପଛରେ ଆପର ହାତ ଥିବା ଦାବି କରିଛି ବିଜେପି । ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲଙ୍କ ହତ୍ୟା ଷଡ଼ଯନ୍ତ୍ର ବିଜେପି କରୁଥିବା ପାଲଟା ଆକ୍ରମଣ କରିଛି ଆପ୍ । ସିସୋଦିଆ ପ୍ରେମମିଟରେ ମନୋଜ ତିୱାରୀଙ୍କ ଟ୍ୱିଟକୁ ଉଲ୍ଲେଖ କରିଛନ୍ତି । ଯେଉଁଥିରେ କେଜ୍ୱିୱାଲଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ତିୱାରୀ ।

ସିସୋଦିଆ ପଚାରିଛନ୍ତି, ତୁମକୁ କେମିତି ଜଣାପଡିଲା ହମଲା ହେବ ବୋଲି ? ଚିନ୍ତା ପ୍ରକଟ ନୁହେଁ, ଏ ଧମକର ଭାଷା । ଆମେ ଏନେଇ ଥାନାକୁ ଯିବୁ, କେସ କରିବୁ ବୋଲି କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ବାସ୍ତବରେ କଣ କହିଥିଲେ ମନୋଜ ତିୱାରୀ, କାହିଁକି ହତ୍ୟା ଷଡଯନ୍ତ୍ର ଅଭିଯୋଗ ଆଣିଛି ଆପ୍ । ଯଦି ନଜର ପକାଇବା, ତେବେ ମନୋଜ ତିୱାରୀ ନିଜ ଟ୍ୱିଟର ପେଜରେ ଏକ ଟ୍ୱିଟ କରିଥିଲେ । ତାରିଖ ଥିଲା ୨୪ ନଭେମ୍ବର ଅର୍ଥାତ ଗୁରୁବାର । ତିୱାରୀ ଟ୍ୱିଟ କରି ଲେଖିଥିଲେ, ମୁଁ କେଜ୍ୱିୱାଲଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରୁଛି ।

ଭ୍ରଷ୍ଟାଚାର, ଦୁର୍ନିତୀ, ନିଶା ଏବଂ ଜେଲରେ ମସାଜ ଭଳି ଘଟଣାକୁ ନେଇ ଦିଲ୍ଲୀ ଜନତା ଆକ୍ରୋଶରେ ଅଛନ୍ତି । ଟିକେଟ ବିକ୍ରିକୁ ନେଇ ଖୋଦ ଆପ୍ କାର୍ଯ୍ୟକ୍ରତା ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି । ତେଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ କିଛି ଅଘଟଣ ନଘଟୁ ବୋଲି ପ୍ରାର୍ଥନା କରିଥିଲେ ଦିଲ୍ଲୀ ବିଜେପି ନେତା ମନୋଜ ତିୱାରୀ । ଜବାବ ଟ୍ୱିଟ ଦେଲେ ସିସୋଦିଆ । ଶୁକ୍ରବାର ମନୀଷ ସିସୋଦିଆ କହିଥିଲେ, ଗୁଜୁରାଟ ଏବଂ ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ବିଜେପିର ପରାଜୟ ଭୟ ରହିଛି । ଯେୁଁଥିପାଇଁ ସେମାନେ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ମନୋଜ ତିୱାରୀ ସାର୍ବଜନୀନ ଭାବେ ତାଙ୍କ ଗୁଣ୍ଡାଙ୍କୁ ଆକ୍ରମଣ କରିବାକୁ କହୁଛନ୍ତି । ପୁରା ପ୍ଲାନିଙ୍ଗର ସହ ପ୍ରସ୍ତୁତି କରିଛନ୍ତି । ତେଣୁ ବିଜେପି ନେତାଙ୍କୁ ଖୁବ ଜଲ୍ଦି ଆରେଷ୍ଟ କରପାଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସିସୋଦିଆ । ବିଜେପିର ଏଭଳି ଷଡଯନ୍ତ୍ରର ଜବାବ ଜନତା ଦେବେ ବୋଲି କହିଛନ୍ତି ଆପ ନେତା । ଅନ୍ୟପଟେ ଆପର ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନୋଜ ତିୱାରୀ । କେବଳ ମାମଲରୁ ଖସିବାୱପାଇଁ ଏଭଳି ଆରୋପ ଆଣିଛି ଆପ ।

ଆପର ବରିଷ୍ଠ ନେତା ସନ୍ଦୀପ ଭରଦ୍ୱାଜଙ୍କ ଆତ୍ମହତ୍ୟା ନୁହେଁ, ଏହା ହତ୍ୟା । ଖୋଦ ସନ୍ଦୀପ ଭରଦ୍ୱାଜଙ୍କୁ ହତ୍ୟା କରିଛନ୍ତି ଆପ ନେତା । ତେଣୁ ଏହାର ସତ୍ୟତା ସାମ୍ନାକୁ ଆସୁବୋଲି କହିଛନ୍ତି ମନୋଜ । ସେ ଏକଥା ମଧ୍ୟ କହିଛନ୍ତି ଯେଉଁ ସ୍ଥାନରେ ସନ୍ଦୀପ ନିର୍ବାଚନ ଲଢୁଥିଲେ, କେଜ୍ରାୱାଲ ଅଞ୍ଜଳୀ ରାୟଙ୍କ ପୁତ୍ରକୁ ଟିକେଟ ଦେଇଥିଲେ । ଯାହାକୁ ନେଇ ଅସନ୍ତୁଷ୍ଟ ଥିଲେ ସନ୍ଦୀପ ।

କେଜ୍ରୱାଲ ନିଜ ସାଥି ନେତାଙ୍କୁ ଟିକେଟ ନଦେଇ, ଟଙ୍କା ପାଇଁ ଅନ୍ୟ ଜଣଙ୍କୁ ବିକିଦେଲେ ଟିକେଟ, ତେଣୁ ଏହାର ସତ ସାମ୍ନାକୁ ଆସୁ ବୋଲି କହିଛନ୍ତି ମନୋଜ ତିୱାରୀ । ନିର୍ବାଚନୀ ପାରା ଯେତେ ଗରମ ହେଉଛି, ଆରୋପ ପ୍ରତ୍ୟାରୋପ ଭିତରେ ରାଜନୀତି ଉଷ୍ମ ହେଉଛି । ରାଜନୀତି ତ ହେବ । ନିର୍ବାଚନରେ ଜଣଙ୍କର ବିଜୟ ହେବ । କିନ୍ତୁ ରାଜନୀତିରେ ହତ୍ୟା ଅଭିଯୋଗ ପୁଣି ମୁଖ୍ୟମନ୍ତ୍ରୀଙ୍କୁ, ଏହାର କେତେ ସତ୍ୟତା ରହିଛି ତାହା ସମୟ କହିବ

ଦେଖୁ ଦେଖୁ ଚପଲ ନେଇ ପଳାଇଲା ସାପ…

ନୂଆଦିଲ୍ଲୀ: ମାଙ୍କଡ, କୁକୁର କିମ୍ବା ଅନ୍ୟ କେହି ଚପଲ ନେଇ ଯିବାର ଆପଣ ଜାଣିଥିବେ । ହେଲେ କେବେ ସାପ ଚପଲ ନେଇ ଯିବାର ଜାଣିଛନ୍ତି କି ? ବନ ଅଧିକାରୀ ସେୟାର କରିଥିବା ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦେଖାଯାଉଛି ସାପ ଉପରକୁ ଜଣେ ଚପଲ ପକାଉଛନ୍ତି । ଆଉ ସାପଟି ଚପଲକୁ କାମୁଡ଼ି ପଳାଉଛି । ପାଖରେ ଥିବା ଲୋକ ଜୋରରେ ପାଟି କରୁଛନ୍ତି । ସାପଟି ଲୋକଙ୍କ ପାଟି ଶୁଣି ପାଖରେ ଥିବା ବୁଦା ଭିତରକୁ ପଳାଉଛି ।

ଏହି ଭିଡିଓକୁ ଜଣେ ବନ ଅଧିକାରୀ ସେୟାର କରି ମଜା କଲା ଭଳି କ୍ୟାପ୍ସନ୍ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ମୁଁ ଆଶ୍ଚର୍ଯ୍ୟ ଯେ, ସାପଟି ଚପଲ ନେଇ କରିବ କ’ଣ? ତାର ତ ଗୋଡ଼ ନାହିଁ ।

IFS ଅଧିକାରୀଙ୍କ ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

ଶ୍ରୀମନ୍ଦିରରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ

ପୁରୀ: ଶ୍ରୀମନ୍ଦିରରେ କର୍ତ୍ତବ୍ୟ ସମୟରେ ନିୟୋଜିତ ପୋଲିସ୍ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି । ବିଶେଷ କାର୍ଯ୍ୟରେ ନିୟୋଜିତ ଥିବା କିଛି ଅଧିକାରୀଙ୍କ ଛାଡିଦେଲେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା । ଶ୍ରୀମନ୍ଦିର ଭିତରେ ମୋବାଇଲ ନେବା ବାରଣ ରହିଥିବାବେଳେ ପୋଲିସ୍ କର୍ମଚାରୀ ମୋବାଇଲ ଧରିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା ।

ଇତିମଧ୍ୟରେ ମଧ୍ୟ ବାରମ୍ବାର ମନ୍ଦିର ଭିତରର ଫଟୋ ଭାଇରାଲ ହେଉଥିବା ନଜରକୁ ଆସିଥିବାବେଳେ ପୋଲିସ କର୍ମଚାରୀମାନଙ୍କ ଉପରେ ମଧ୍ୟ ଅନେକମାତ୍ରାରେ ସନ୍ଦେହ ସୃଷ୍ଟି ହୋଇଛି । ଏଣୁ ପୁରୀ ଏସପି ଡକ୍ଟର କନଓ୍ବର ବିଶାଲ ସିଂ ସ୍ମାର୍ଟଫୋନ ଶ୍ରୀମନ୍ଦିର ଭିତରକୁ ନେବା ଉପରେ କଟକଣା ଜାରି କରିଥିବା ନେଇ ଚିଠି କରିଛନ୍ତି ।

ବିଜେପିର ଅଭିଯୋଗ- ଭାରତ ଯୋଡ଼ୋ ଯାତ୍ରାରେ ପାକିସ୍ତାନ ଜିନ୍ଦାବାଦ ନାରା, କଂଗ୍ରେସ କହିଲା ବଦନାମ କରିବାକୁ ଷଡ଼ଯନ୍ତ୍ର

ଭୋପାଳ: ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାକୁ ନେଇ ବିବାଦ ଦେଖା ଦେଇଛି । ବିଜେପି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କଂଗ୍ରେସକୁ ଭର୍ତ୍ସନା କରିଛି । ବିଜେପି ଅଭିଯୋଗ କରିଛି ଯେ, ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ପାକିସ୍ତାନ ଜିନ୍ଦାବାଦ ନାରା ଲଗାଯାଇଛି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଏହାର ପାଲଟା ଜବାବ ଦେଇଛି । କଂଗ୍ରେସ କହିଛି ଭାରତ ଯୋଡ ଯାତ୍ରାର ସଫଳତା ଦେଖି ବିଜେପି ଭୟଭୀତ ହୋଇଛି । କଂଗ୍ରେସକୁ ବଦନାମ କରିବାକୁ ମିଛ ଭିଡିଓ ଜାରି କରିଛି ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି, ପାକିସ୍ତାନ ଜିନ୍ଦାବାଦ ନାରା ଲଗାଇଥିବା ଲୋକଙ୍କୁ କୌଣସି ବି ସ୍ଥିତିରେ ଛଡ଼ାଯିବ ନାହିଁ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଶିବରାଜଙ୍କ ବ୍ୟତୀତ ବିଜେପିର ଅନେକ ନେତା ସାମାଜିକ ଗଣାଧ୍ୟମରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାର ମଧ୍ୟପ୍ରଦେଶରେ ଶୁକ୍ରବାର ତୃତୀୟ ଦିନ ଥିଲା । ଯାତ୍ରା ଖରଗୋନ ଜିଲ୍ଲା ଦେଇ ଯାଉଛି ।

ଏଥିରେ ପ୍ରିୟଙ୍କା ଗାନ୍ଧି, ତାଙ୍କ ସ୍ୱାମୀ ରବର୍ଟ ବାଡ୍ରା, ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ଦିଗବିଜୟ ସିଂହ ସମେତ ଅନେକ ବରିଷ୍ଠ ନେତା ସାମିଲ ଅଛନ୍ତି । କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ କରି ଲେଖିଛନ୍ତି ଭାରତ ଯୋଡୋ ଯାତ୍ରାକୁ ମିଳିଥିବା ସମର୍ଥନକୁ ନେଇ ବିଜେପି ବିଚଳିତ ହୋଇଛି । କଂଗ୍ରେସକୁ ବଦନାମ କରିବାକୁ ଭିଡିଓ ଏଡିଟ କରି ଚଲାଉଛି । ଆମେ ଏହା ବିରୋଧରେ ଆଇନର ଆଶ୍ରୟ ନେବୁ । କଡ଼ା ଜବାବ ଦିଆଯିବ ।

ସେପଟେ ବିଜେପିର ମଧ୍ୟପ୍ରଦେଶ ଅଧ୍ୟକ୍ଷ ବିଡି ଶର୍ମା କହିଛନ୍ତି, ଖରଗୋନରେ ରାହୁଲ ଗାନ୍ଧିଙ୍କ ବାରତ ଯୋଡୋ ଯାତ୍ରାରେ ଖୁଲମ ଖୁଲା ପାକିସ୍ତାନ ଜିନ୍ଦାବାଦ ନାରା ଦ୍ୱାରା କଂଗ୍ରେସର ଦେଶ ଭାଙ୍ଗିବା ମାନସିକତା ପୁଣିଥରେ ଉଜାଗର ହୋଇଛି । ଏହା ଲଗାତାର ପ୍ରମାଣିତ ହୋଇଛି । ଏହା ବାରମ୍ବାର ପ୍ରମାଣିତ ହେଉଛି କି ଏହା ଭାରତ ତୋଡୋ ଯାତ୍ରା ଅଟେ । ଏହି ନିନ୍ଦନୀୟ କୃତ୍ୟ ପାଇଁ ରାହୁଲ ଗାନ୍ଧିଙ୍କୁ ଦେଶକୁ କ୍ଷମା ମାଗିବା ଆବଶ୍ୟକ ।

ତେବେ ବିଜେପି ପୋଷ୍ଟ କରିଥିବା ଭିଡିଓ ଟି କେତେ ସତ କେତେ ମିଛ ସେନେଇ କୌଣସି ଠୋସ୍ ପ୍ରମାଣ ମିଳିନାହିଁ । ଗୋଟିଏ ପଟେ ପାକିସ୍ତାନ ଜିନ୍ଦାବାଦର ନାରା ଲାଗୁଥିବା ଭିଡିଓ ବିଜେପି ପୋଷ୍ଟ କରିଥିବା ବେଳେ କଂଗ୍ରେସ ଜବାବରେ ଆଉ ଏକ ଭିଡିଓ ପୋଷ୍ଟ କରିଛି । କଂଗ୍ରେସ ପୋଷ୍ଟ କରିଥିବା ଭିଡିଓରେ ରାହୁଲ ଗାନ୍ଧି ଜିନ୍ଦାବାଦ ଓ କଂଗ୍ରେସ ଜିନ୍ଦାବାଦ ଅଡିଓ ଶୁଣାଯାଉଛି । ହେଲେ ବିଜେପି ଓ କଂଗ୍ରେସ ପୋଷ୍ଟ କରିଥିବା ଭିଡିଓ ସମାନ ରହିଛି କେବଳ ଅଡିଓ ପାର୍ଥକ୍ୟ ରହିଛି । ଏହାର ଯାଞ୍ଚ ପରେ ଜଣାପଡ଼ିବ କେଉଁଟି ସତ ଆଉ କେଉଁଟି ମିଛ ।

ଦୁନିଆର ସବୁଠୁ ଦାମି ଔଷଧ, ଦାମ୍ ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ: ଆମେରିକାର ଫେଡେରାଲ ଡ୍ରଗ୍ ଆଡମିନିଷ୍ଟ୍ରେସନ ଏକ ଔଷଧକୁ ଦୁନିଆର ସବୁଠୁ ଦାମି ଔଷଧର ମାନ୍ୟତା ଦେଇଛନ୍ତି । ଏହି ଔଷଧର ଦାମ ହେଲା ୨୮.୫୧ କୋଟି ଟଙ୍କା । ଏହି ଔଷଧ ହିମୋଫେଲିଆ-ବି ରୋଗରେ ପିଡୀତ ଥିବା ରୋଗୀଙ୍କୁ ଦିଆଯାଏ । ଏହା ଏକ ଜେନେଟିକ୍ ରୋଗ ।

ବୈଜ୍ଞାନିକଙ୍କ କହିବା କଥା ହେଲା ଏହି ଔଷଧ ରୋଗକୁ ଠିକ୍ କରିଥାଏ । ରୋଗକୁ ଆଖି ଆଗରେ ରଖି ଏହି ମେଡିସିନ ତିଆରି କରାଯାଇଛି । ଔଷଧର ନାଁ ହେଲା ‘ହେମଜେନିକ୍ସ’ । ଯେତେବେଳେ କୌଣସି ରୋଗୀଙ୍କ ଶରୀରରେ ରକ୍ତ ତିଆରି ହେବା ପ୍ରକ୍ରିୟା ଧିମା ହୋଇଯାଇଥାଏ । ଥରେ ରକ୍ତ ପ୍ରବାହ ହେଲେ ବନ୍ଦ ହୁଏ ନାହିଁ । ସେତେବେଳେ ଏହି ଔଷଧ କାମ ଦେଇଥାଏ । ଏଥିପାଇଁ ଏହି ଔଷଧକୁ ତିଆରି କରାଯାଇଛି ।

ପୁରୁଷ ଏହି ରୋଗରେ ଅଧିକ ପିଡୀତ ହୋଇଥାନ୍ତି ।  ସାରା ଦୁନିଆରେ ଏହି ରୋଗରେ କେତେଜଣ ପିଡୀତ ଅଛନ୍ତି ତାହା ଜଣାପଡ଼ିନାହିଁ । କିନ୍ତୁ ଆମେରିକାରେ ପ୍ରାୟ ୮ ହଜାର ହିମୋଫେଲିଆ ରୋଗୀ ଅଛନ୍ତି ।

ଏହି ରୋଗର ଚିକିତ୍ସା କରିବା ଏତେ ମହଙ୍ଗା ଯେ, ସବୁ ଲୋକ ଚିକିତ୍ସା କରାଇ ପାରନ୍ତି ନାହିଁ । ଏହି ରୋଗରେ ଅଧିକ ପିଡ଼ୀତ ଥିବା ରୋଗୀ ପାଇଁ ଔଷଧର ବହୁତ ଆବଶ୍ୟକ ଥାଏ । ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଜଣେ ରୋଗୀ ତା’ ଜୀବନରେ ୧୭୧ରୁ ୧୮୭ କରୋଡ ଯାଏ ରୋଗ ପାଇଁ ଖର୍ଚ୍ଚ କରିଦିଏ ।

ରେଳ ଇଞ୍ଜିନ, ଷ୍ଟିଲ ବ୍ରିଜ ଚୋରି କରି ପୋଲିସକୁ ଚୋରଙ୍କ ଓପନ ଚ୍ୟାଲେଞ୍ଜ

ପାଟନା: ବିହାର ପୋଲିସର ନିଦ ହଜାଇଛି ଚୋର ଗ୍ୟାଙ୍ଗ । ରେଳ ଇଞ୍ଜିନ, ଷ୍ଟିଲ ବ୍ରିଜ ଚୋରି କରି ପୋଲିସକୁ ଓପନ ଚ୍ୟାଲେଞ୍ଜ । ଗ୍ୟାଙ୍ଗରେ ସାମିଲ ୩ଜଣଙ୍କୁ ଗିରଫ ପରେ ବଡ଼ ଗ୍ୟାଙ୍ଗର ଖୁଲାସା କରିଛି ପୋଲିସ । ଏକ କବାଡି ଗୋଦାମରେ ଚଢ଼ାଉ କରି ୧୩ଟି ରେଳ ଇଞ୍ଜିନର ପାର୍ଟସ ଜବତ କରିଛି ।

ଚଳିତ ମାସ ଆରମ୍ଭରେ ରିପ୍ୟାରିଂ ପାଇଁ ଆସିଥିବା ଡିଜେଲ ରେଳ ଇଞ୍ଜିନକୁ ଏହି ଗ୍ୟାଙ୍ଗ ଚୋରି କରିନେଇଥିଲେ । ରେଲଓ୍ବେ ୟାର୍ଡ ନିକର୍ଟରେ ଡକାୟତମାନେ ଏକ ଟନେଲ ମଧ୍ୟ ନିର୍ମାଣ କରିଥିବା ପୋଲିସ କହିଛି । ଏହି ଟନେଲ ଦେଇ ଚୋରମାନେ ରେଳ ଇଞ୍ଜିନ ଚୋରି କରିନେଉଥିଲେ । ରେଳ ଇଞ୍ଜିନ ଓ ବ୍ରିଜ ଚୋରି ସିଣ୍ଡିକେଟରେ ଆହୁରି ଅନେକ ସାମିଲ ଥିବା ପୋଲିସ ସନ୍ଦେହ କରୁଛି ।