spot_img
Home Blog Page 3697

ବିର୍ସାମୁଣ୍ଡାରେ ହକି ଦେଖିବେ ନବୀନ, ଷ୍ଟାଡିୟମ ଭିତରକୁ କଏନ ପାଣି ବୋତଲ ମନା ମନା

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଓ ସ୍ପେନ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ 4ଟା 45 ମିନିଟ ସମୟରେ ରାଉରକେଲା ବିମାନବନ୍ଦର ଠାରେ ପହଞ୍ଚିବେ। ପରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍ ନିକଟରେ ନିର୍ମିତ ହୋଇଥିବା ହକି ଭିଲେଜ ଯିବେ। ସନ୍ଧ୍ୟା 6ଟା 48 ମିନିଟରେ ଵିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଆସିବେ ମୁଖ୍ୟମନ୍ତ୍ରୀ।

ହକି ବିଶ୍ଵ କପ ପାଇଁ ରାଉରକେଲା ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ 56 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ୨ ଏସପି, ୧୧ ଅତିରିକ୍ତ ଏସପି, ୨୧ ଡିଏସପି, ୫୨ ଇନ୍ସପେକ୍ଟର, ୩୪୦ ଏସଆଇ ଓ ଏଏସଆଇ ଓ ୪୨୬ ହୋମଗାର୍ଡ ମୁତୟନ ହୋଇଛନ୍ତି । ଆଜି ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ଅପରାହ୍ନ ୫ଟା ସମୟରେ ଇଂଲଣ୍ଡ ଓ ୱେଲ୍ସସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଵ। ରାତି ସାତଟାରେ ଇଣ୍ଡିଆ ଓ ସ୍ପେନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ମ୍ୟାଚ ଆରମ୍ଭର ୨ଘଣ୍ଟା ପୂର୍ବରୁ ଗେଟ୍ ଖୋଲାଯିବ । ଶୃଙ୍ଖଳିତ ଭାବେ ଷ୍ଟାଡିୟମରେ ପ୍ରବେଶ କରିବେ ଦର୍ଶକ ।

ଦର୍ଶକଙ୍କୁ ସବୁ ପ୍ରକାର ସାହାଯ୍ୟ କରିବେ ସ୍ୱେଚ୍ଛାସେବୀ । ଷ୍ଟାଡିୟମ ଭିତରକୁ କଏନ, ହେଲମେଟ, ପାଣି ବୋତଲ ମନା । କେବଳ ଛୋଟ ଛୁଆଙ୍କ ଖାଦ୍ୟ ଓ ମେଡିସିନ ନେଇପାରିବେ । ଷ୍ଟାଡିୟମ ଭିତରେ ଉପଲବ୍ଧ ରହିଛି ଖାଦ୍ୟ ଓ ପାନୀୟ । ଗାଡି ରଖିବା ପାଇଁ ୬ଟି ପାର୍କିଂସ୍ଥଳର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛି ପ୍ରଶାସନ ।

କଟକଣା ମାନୁ ନାହାନ୍ତି ଅମାନିଆ, ପୋଷ୍ଟର ମାରିବା ଅଭିଯୋଗରେ ଥାନାରେ ମାମଲା

ଭୁବନେଶ୍ବର: ବିଶ୍ୱକପ ହକି ପାଇଁ ରାଜଧାନୀରେ ସୌନ୍ଦର୍ଯ୍ୟକରଣ ଜାରି ରହିଛି। ରାସ୍ତାଘାଟ ସବୁକିଛି ସୁନ୍ଦର ଭାବେ ସଜେଇ ହୋଇଛି। ରାସ୍ତା ପାର୍ଶ୍ଵ ପ୍ରାଚୀରରେ ବିଜ୍ଞାପନ କିମ୍ବା କୌଣସି ପୋଷ୍ଟର ନ ମାରିବାକୁ ବିଏମସି ପକ୍ଷରୁ ଆହ୍ୱାନ ଦିଆଯିବ ସହ କଟକଣା ଜାରି କରାଯାଇଛି।

ଏହା ସତ୍ତ୍ୱେ କିଛି ସଂସ୍ଥା ନିଜର ବ୍ୟବସାୟିକ ଫାଇଦା ଉଠାଇବା ପାଇଁ ସହରର ବିଭିନ୍ନ ସ୍ଥାନରେ ପ୍ରାଚୀରରେ ପୋଷ୍ଟର ମାରୁଥିବା ନଜରକୁ ଆସିଛି। ଏଭଳି ଘଟଣାରେ ବିଏମସି ପକ୍ଷରୁ କେନସଫ୍ଟ ନାମରେ ଥାନାରେ ଏତଲା ଦାଏର କରାଯାଇଛି। ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗରେ ଜରିମାନା ସହ ଏକାଧିକ ମାମଲା ରୁଜୁ ହୋଇଥିବା ନଜିର ରହିଛି।

ପୂର୍ବରୁ ବି  ନିୟମ ଭାଙ୍ଗି ରାଜଧାନୀର କାନ୍ଥରେ ପୋଷ୍ଟର ଲଗାଇବାରୁ ବିଏମସି ପକ୍ଷରୁ ବିଭିନ୍ନ ଥାନାରେ ଏକାଧିକ ଏତଲା ଦାୟର ହୋଇଛି । କେତେକ ସଂସ୍ଥା ବିରୋଧରେ ଏଫଆଇଆର ହୋଇଛି । ଭୁବନେଶ୍ବରରେ ରାସ୍ତାକଡ଼ କାନ୍ଥ ଓ ଗଛରେ ପୋଷ୍ଟର ଲଗାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୂର୍ବରୁ ବିଏମସି ସଚେତନ କରାଇଥିଲା ।

ପୋଷ୍ଟର ମୁକ୍ତ ସ୍ମାର୍ଟସିଟି ଲକ୍ଷ୍ୟରେ ବିଏମସି । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ କାନ୍ଥରେ ଲାଗିଥିବା ପୋଷ୍ଟରକୁ ସଫେଇ କର୍ମଚାରୀଙ୍କ ଜରିଆରେ ହଟାଯାଇଥିଲା । ଆଗକୁ ଜୋରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲୋକଙ୍କୁ ଅବଗତ କରାଯାଇଥିଲା । ହେଲେ କିଛି ଅସାଧୁ ଲୋକ ଏହି ନିୟମକୁ ବେଖାତିର କରି ବାରମ୍ବାର ପୋଷ୍ଟର ଲଗାଇ ଚାଲିଛନ୍ତି। ବିଶ୍ବକପ୍ ଓ ମେକ୍ ଇନ ଓଡ଼ିଶା କନକ୍ଲେଭକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ବ ଦିଆଯାଉଛି।

କଡା ସୁରକ୍ଷା ବଳୟରେ ଭୁବନେଶ୍ବର ଓ ରାଉରକେଲା, ଆଜି ଖେଳାଯିବ ପ୍ରଥମ ମ୍ୟାଚ

ଭୁବନେଶ୍ବର: ଆଜିଠୁ ହକି ବିଶ୍ବକପ୍ ମ୍ୟାଚ । କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ । ହକି ବିଶ୍ବକପ୍ ପାଇଁ କଡା ସୁରକ୍ଷା ମଧ୍ୟରେ ରହିଛି ଭୁବନେଶ୍ବର ଓ ରାଉରକେଲା । ଭୁବନେଶ୍ବରରେ ୮୧ ପ୍ଲାଟୁନ ପୋଲିସ ଫୋର୍ସ ବିଶ୍ୱକପ ପାଇଁ ନିୟୋଜିତ ହୋଇଛନ୍ତି । ଭୁବନେଶ୍ବରରେ ଡିସିପିଙ୍କ ନେତୃତ୍ୱରେ ୧୩ ଜଣ ଅତିରିକ୍ତ ଡିସିପି, ୩୩ ଜଣ ଏସିପି, ୬୨ ଇନ୍ସପେକ୍ଟର, ୩୩୬ ସବଇନ୍ସପେକ୍ଟର ମୁତୟନ ହୋଇଛନ୍ତି ।

ଖେଳାଳିଙ୍କ ପାଇଁ ବିମାନବନ୍ଦରରେ ନିୟୋଜିତ ହୋଇଛନ୍ତି ଜଣେ ଅତିରିକ୍ତ ଡିସିପି, ୨ ଜଣ ଏସିପି, ୪ ଜଣ ଇନ୍ସପେକ୍ଟର ଓ ୧୦୩ ଜଣ ପୋଲିସ କର୍ମଚାରୀ । ହୋଟେଲ ଦାୟିତ୍ୱରେ ୩ ଜଣ ଅତିରିକ୍ତ ଡିସିପି, ୯ ଏସିପି, ୯ ଇନ୍ସପେକ୍ଟରଙ୍କ ସହ ୧୮ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । କଳିଙ୍ଗ ଷ୍ଟାଡିୟମରେ ନିୟୋଜିତ ହୋଇଛନ୍ତି ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୧ ଇନ୍ସପେକ୍ଟର ଓ ୨୩ ପ୍ଲାଟୁନ ଫୋର୍ସ । ଏହାସହ ଓଡ୍ରାଫ, ଅଗ୍ନିଶମର ଟିମ ରହିବ । ଟ୍ରାଫିକ ଦାୟିତ୍ବରେ ୩ ଜଣ ଏସିପି, ୬ ଜଣ ଇନ୍ସପେକ୍ଟର ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ପୁରୀ ବେଳାଭୂମିରେ ଓଲି ଜଣାଉଛି ଶୁଭେଚ୍ଛା, ଆଜିଠୁ ଆରମ୍ଭ ହକି ମହାକୁମ୍ଭ

ପୁରୀ: ହକି ଖେଳାଳିଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ବାଲୁକା କଳା ନିର୍ମାଣ କରି ଶୁଭେଚ୍ଛା ଜଣାଇଛନ୍ତି  । ବାଲୁକା କଳାରେ ସେ ଓଲିର ଚିତ୍ରଣ କରିଛନ୍ତି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ 7 ଘଣ୍ଟା ସମୟ ଲାଗିଥିବା ବେଳେ ଏଥିରେ 10ଟନ ବାଲି ବ୍ୟବହାର କରାଯାଇଛି  ।

ଏହି ବାଲୁକା କଳାରେ “Best Wishes for all the Team” ଉଲ୍ଲେଖ କରିଛନ୍ତି ମାନସ । ଆଜିଠୁ ହକି ବିଶ୍ବକପ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା ମଧ୍ୟରେ ପ୍ରଥମ ଟକ୍କର ହେବ ।

କଳିଙ୍ଗରେ ଆଜି ବର୍ଷିବ ଗୋଲ୍‌, ଦିନ ଗୋଟାଏରୁ ଆରମ୍ଭ ମ୍ୟାଚ

ଭୁବନେଶ୍ବର: ଆଜିଠୁ ହକି ବିଶ୍ବକପ । କମ୍ପିବ କଳିଙ୍ଗ, ବିର୍ସାମୁଣ୍ଡାରେ ବର୍ଷିବ ଗୋଲ୍ । ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା ମଧ୍ୟରେ ପ୍ରଥମ ଟକ୍କର ହେବ । ଦିନ ଗୋଟାଏରେ ଆରମ୍ଭ ହେବ ମ୍ୟାଚ୍‌ । ୩ଟାରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ମ୍ୟାଚ୍‌ ହେବ । ଏହି ଦୁଇଟି ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥିସହ ପୁଲ ଏରେ ଥିବା ସବୁ ଟିମ ନିଜ ଶ୍ରେଷ୍ଠ ପ୍ରଦର୍ଶନ କରିବେ ।

ସଂଧ୍ୟା ୫ଟାରେ ଇଂଲଣ୍ଡ ଓ ଓ୍ବେଲସ ମଧ୍ୟରେ ଟକ୍କର ହେବ । ୭ଟାରେ ଇଣ୍ଡିଆ ଓ ସ୍ପେନ ମଧ୍ୟରେ ଟକ୍କର ହେବ । ଏହି ଦୁଇଟି ମ୍ୟାଚ୍‌ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ପୁଲ ପର୍ଯ୍ୟାୟରେ ଭାରତ ବିଜୟରୁ ଅଭିଯାନ କରିବାକୁ ଲକ୍ଷ୍ୟ ରଖିଛି । ଭାରତ ପୁଲ୍‌ ଡିରେ ଥିବାବେଳେ ଏହି ପୁଲ୍‌ରେ ସ୍ପେନ ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳ ଅଛନ୍ତି ।

ଦିବ୍ୟାଙ୍ଗ ବୁଲିବେ ଶିଶିର ସରସ, ୨୯ ଯାଏଁ ବରମୁଣ୍ଡା ପଡିଆରେ ଜମିବ ମେଳା

ଭୁବନେଶ୍ବର: ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଓରମାସ ଶିଶିର ସରସ ମେଳା । ଏହି ମେଳା ୨୯ ପର୍ଯ୍ୟନ୍ତ ବରମୁଣ୍ଡା ପଡ଼ିଆରେ ୩୫୦ ଷ୍ଟଲକୁ ନେଇ ଚାଲିବ । ପ୍ରତି ସନ୍ଧ୍ୟାରେ ଜମିବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ଭୁବନେଶ୍ବର ୨୦୨୩ ହକି ବିଶ୍ବକପ୍ ସମୟରେ ରାଜଧାନୀବାସୀଙ୍କୁ ମନୋରଞ୍ଜନର ଆଉ ଏକ ସୁଯୋଗ ଆଣିଦେବ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଶିଶିର ସରସ -୨୦୨୩ ।

ସେହିପରି ରାଉରକେଲାରେ ଆଞ୍ଚଳିକ ସରସ ମେଳା ଜାନୁଆରୀ 15 ରୁ 27 ତାରିଖ ପର୍ଯ୍ୟନ୍ତ ଏବଂ 30 ଟି ଯାକ ଜିଲ୍ଲାରେ ପଲ୍ଲିଶ୍ରୀ ମେଳା ଏବଂ ଜିଲ୍ଲା ମହୋତ୍ସବ ମଧ୍ୟ ଆୟୋଜନ କରାଯାଉଛି । ଭୁବନେଶ୍ବରରେ ଆୟୋଜିତ ମେଳାରେ ଓଡ଼ିଶାର ସମସ୍ତ 30 ଟି ଜିଲ୍ଲାରୁ ଏସ୍.ଏଚ୍.ଜି ମାନଙ୍କର ହାତ ତିଆରି ସାମଗ୍ରୀ ସହିତ 24 ଟି ରାଜ୍ୟର ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ଷ୍ଟଲରେ ବିକ୍ରି ହେବ ।

ମେଳାରେ ପ୍ରଖ୍ୟାତ ଗାୟକ ଋତୁରାଜ ମହାନ୍ତିଙ୍କ ସହିତ ଓଡିଆ ସଙ୍ଗୀତ ଜଗତର ବହୁ ନାମୀଦାମି ଗାୟକ – ଗାୟିକା ଓ ନୃତ୍ୟଶିଳ୍ପୀଙ୍କୁ ଦେଖିବାକୁ ମିଳିବ । ଏଥର ଶିଶିର ସରସ ମେଳାକୁ ଯେଭଳି ଦିବ୍ୟାଙ୍ଗ ମାନେ ସହଜରେ ବୁଲାବୁଲି କରିପାରିବେ ସେଥିପାଇଁ ଓରମାସ ତରଫରୁ ବ୍ୟାଟେରୀ ଚାଳିତ କାର୍, ହ୍ବିଲ ଚେୟାର ଏବଂ ଭଲ୍ୟୁଷ୍ଟିୟର ମାନଙ୍କର ବ୍ୟବସ୍ଥା କରାଯାଇଛି । ସେହିପରି ସ୍ବତନ୍ତ୍ର ଫୁଡ୍ କୋର୍ଟ ସହ, ହକି ପାଭିଲିଅନ, ସେଲଫି ପଏଣ୍ଟ, ଓପନ କୁଇଜ, ଛାତ୍ରଛାତ୍ରୀମାନଙ୍କ ପାଇଁ ଡ୍ରଇଂ ପ୍ରତିଯୋଗିତା ସହ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ବଡ଼ ଏଲ୍.ଇ.ଡି ସ୍କ୍ରିନରେ ହକି ମ୍ୟାଚର ସିଧାପ୍ରସାରଣ ଦେଖିବା ପାଇଁ ମଧ୍ୟ ଆୟୋଜକଙ୍କ ତରଫରୁ ବନ୍ଦୋବସ୍ତ କରାଯାଇଛି । ମେଳାରେ ନାବାର୍ଡ, କେ.ଭି.ଆଇ.ସି, କେ.ଭି.ଆଇ.ବି, ଏଚ୍ ଆଣ୍ଡ ସି.ଆଇ , ଟି.ଡି.ସି.ସି. ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆଦି ତରଫରୁ ବିଭିନ୍ନ ଷ୍ଟଲ ମଧ୍ୟ ଖୋଲାଯାଉଛି ।

ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କ ପରଲୋକ

ଗୁରୁଗ୍ରାମ : ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କ ପରଲୋକ । ବିୟୋଗ ନେଇ ଝିଅ ସୁଭାଷିନୀ ଦେଲେ ସୂଚନା । ୭୫ ବର୍ଷ ବୟସରେ ଶରଦ ଯାଦବଙ୍କ ପରଲୋକ ଘଟିଛି । ୭ ଥର ଲୋକସଭା ଓ ୩ ଥର ରାଜ୍ୟସଭାକୁ ଯାଇଥିଲେ ଶରଦ । ଜେଡିୟୁର ପ୍ରଥମ ଜାତୀୟ ସଭାପତି ଥିଲେ ଶରଦ ଯାଦବ । ୧୯୭୪ ମସିହାରେ ମଧ୍ୟପ୍ରଦେଶର ଜବଲପୁରରୁ ପ୍ରଥମ ଥର ପାଇଁ ଲୋକସଭାକୁ ହୋଇଥିଲେ ନିର୍ବାଚିତ । ଜେପି ମୁଭମେଣ୍ଟ ସମୟରେ ଚର୍ଚ୍ଚାକୁ ଆସିଥିଲେ ଶରତ ଯାଦବ । ତାଙ୍କର ନିଧନରେ ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି । ଗୁରୁଗ୍ରାମର ଫୋର୍ଟିସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶରଦ ଯାଦବଙ୍କ ଝିଅ ଶୁଭାଷିନୀ ଟ୍ୱିଟରରେ ବାପାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ବାପା ଆଉ ନାହାନ୍ତି ।

ଜାତୀୟ ପତାକାକୁ ଅସମ୍ମାନ ପଡିଲା ମହଙ୍ଗା, କାର୍ଯ୍ୟରୁ ନିଲମ୍ବନ ସହ ଗିରଫ ହେଲେ ଅଭିଯୁକ୍ତ ଗ୍ରାମସେବକ

ପୁରୀ: ଜାତୀୟ ପତାକାକୁ ଅସମ୍ମାନ ପଡିଲା ମହଙ୍ଗା । କାର୍ଯ୍ୟରୁ ନିଲମ୍ବନ ହେଲେ ପୁରୀ ଜିଲ୍ଲା ଗୋପ ସିମିଳି ପଞ୍ଚ।ୟତର ଗ୍ରାମସେବକ ପ୍ରଶାନ୍ତ କୁମାର ସ୍ବାଇଁ । ପ୍ରଶାନ୍ତ କାର୍ଯ୍ୟାଳୟରେ ଜାତୀୟ ପତାକାରେ ଚେୟାର ଟେବୁଲ ସଫାକରିବା ସହ ଅଳନ୍ଧୁ ଝାଡ଼ିବା ଓ ମୋବାଇଲ ସଫା କରିଥିଲେ । ଏହି ଭିଡ଼ିଓ ଭାଇରାଲ ପରେ ସୁବଠି ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏନେଇ ସେ କରିଥିବା ଭୁଲ ପାଇଁ କ୍ଷମା ମାଗିଥିଲେ । ହେଲେ ବି ତାଙ୍କ ବିରୋଦ୍ଧରେ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ ଅଞ୍ଚଳବାବୀ । ଏନେଇ କୋଣାର୍କ ପୋଲିସ ତାଙ୍କୁ ଗିରଫ କରିଥିଲା । ପରେ ସିଆପିସି ୪୧ ନୋଟିସ ଦେଇ ଛାଡିଛି ପୋଲିସ । ଏବେ ପ୍ରଶାନ୍ତ କୁମାର ସ୍ବାଇଁକୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ପୁରୀ ଜିଲ୍ଲାପାଳ ।

ବିଶ୍ବ ଗାଉଛି ହକି ହୈ ଦିଲ ମେରା

ଓଡ଼ିଶାରେ ହକିର ମହକ ଆଜି ସାରା ବିଶ୍ୱରେ ମହମହ ହୋଇ ବାସୁଛି । ତା’ ସହିତ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନର ଚିତ୍ର ସମସ୍ତଙ୍କୁ ଆକୃଷ୍ଟ କରିଛି । ରାଜଧାନୀ ଭୁବନେଶ୍ୱରରୁ ଗାଁର କୋଣ ଅନୁକୋଣରେ ହକିର ସ୍ପନ୍ଦନ ସ୍ପନ୍ଦିତ ହେଉଛି । ସମସ୍ତେ ଆଜି ସମବେତ ସ୍ୱରରେ ଗାନ କରୁଛନ୍ତି ‘ହକି ହୈ ଦିଲ ମେରା…’ ।

ଦେଶରେ ହକିର ପୁନରୁଦ୍ଧାର ଏବଂ କ୍ରୀଡ଼ାପ୍ରେମୀଙ୍କୁ ପୁଣି ହକି ପ୍ରତି ଆକୃଷ୍ଟ କରାଇବା ଦିଗରେ ଯେଉଁ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ଭୂମିକା ରହିଛି, ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକିର ମଧୁର ମହ୍ଲାର ଆଜି ସବୁଠି ଝଙ୍କୃତ ହେଉଛି ।

କଟକ ବାରବାଟୀ ଷ୍ଟାଡିୟମରେ ବୁଧବାର ଉଦ୍‌ଘାଟିତ ହୋଇଛି ପୁରୁଷ ହକି ବିଶ୍ୱକପ୍‌ର ୧୫ତମ ସଂସ୍କରଣ । କ୍ରମାନ୍ୱୟରେ ଦ୍ୱିତୀୟ ଥର ହକି ବିଶ୍ୱକପ୍ ଆୟୋଜନ କରି ଓଡ଼ିଶା ହକି ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି । ପୂର୍ବରୁ ହକି ଥିଲା, ବିଶ୍ୱକପ୍ ବି ଆୟୋଜିତ ହେଉଥିଲା । ୨୦୧୪ ପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ସହରରେ ୧୩ଟି ସଂସ୍କରଣ ସଫଳତାର ସହ ଆୟୋଜିତ ହୋଇଥିଲା । ତେବେ ମନକୁ ଏଠାରେ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ, ଓଡ଼ିଶା ଅଧିକ କ’ଣ କଲା?

ଫୁଟବଲ, ଟେନିସ, ଆଥଲେଟିକ୍ ଭଳି ହକି ବିଶ୍ୱରେ ଏତେ ଲୋକପ୍ରିୟ ନୁହେଁ । କିନ୍ତୁ ଏହା ଏକ ପ୍ରାଚୀନ କ୍ରୀଡ଼ା ଭାବେ ଆଦ୍ୟରୁ ଅଲିମ୍ପିକ୍ସରେ ସାମିଲ ହୋଇ ଆସିଛି । ପ୍ରଚାର ପ୍ରସାର ଅଭାବରୁ ହକିର ପରିସର ସୀମିତ ହୋଇ ରହିଛି । ଓଡ଼ିଶା ଦୁଇ ଥର କ୍ରମାନ୍ୱୟରେ ବିଶ୍ୱକପ୍ ଆୟୋଜନ କରି ବିଶ୍ୱରେ ହକିର ପ୍ରଚାର ପ୍ରସାର ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ୨୦୧୮ରେ ବିଶ୍ୱର ବିଭିନ୍ନ ମେଟ୍ରୋପଲିଟାନ ସହରରେ ବିଶ୍ୱକପ୍‌ର ପ୍ରଚାର ପ୍ରସାର କରାଯାଇଥିଲା । ବିଶ୍ୱକପ୍ ଆୟୋଜନକୁ ନୂଆ ରୂପ ଦେବାରେ ଓଡ଼ିଶାର ଭୂମିକା ସବୁଦିନ ହକି ଇତିହାସରେ ଲେଖା ହୋଇ ରହିବ । ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ା ଓ ଫିଫା ବିଶ୍ୱକପ୍ ଭଳି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ରଙ୍ଗୀନ ଉଦ୍‌ଘାଟନୀ ପର୍ବ ଓ ଆତସବାଜିର କାର୍ଯ୍ୟକ୍ରମ ହୋଇଥାଏ ।

ହକି ବିଶ୍ୱକପ୍‌ର ୨୦୧୮ ସଂସ୍କରଣରେ ରଙ୍ଗୀନ ଉଦ୍‌ଘାଟନୀ ପର୍ବ ପ୍ରଥମ କରି ଆରମ୍ଭ ହୋଇଥିଲା । ପୁଣି ୨୦୨୩ ସଂସ୍କରଣରେ ଓଡ଼ିଶା ଆଉ ଦୁଇ ପାଦ ଆଗକୁ ଯାଇ ପ୍ରଥମ ଥର ଦୁଇଟି ସହରରେ ବିଶ୍ୱକପ୍ ଆୟୋଜନ ଏବଂ ଭେନ୍ୟୁ ସ୍ଥାନକୁ ଛାଡ଼ି ସ୍ୱତନ୍ତ୍ର ଉଦ୍‌ଘାଟନୀ ପର୍ବ ଭିନ୍ନ ସହରରେ ଆୟୋଜିତ ହେବା ବିଶ୍ୱକପ୍‌କୁ ଅଧିକ ପରିବ୍ୟାପ୍ତ କରିପାରିଛି । ଓଡ଼ିଶାର ଏହି ଧାରା ପରବର୍ତ୍ତୀ ସଂସ୍କରଣକୁ ପ୍ରଭାବିତ କରିଛି । ୨୦୨୬ ସଂସ୍କରଣ ଦୁଇଟି ସହରରେ ନହେଲେ ବି ଦୁଇଟି ଦେଶରେ ଆୟୋଜିତ ହେବ ।

– ଭାରତରେ ହକିର ପୁନରୁଦ୍ଧାର

୧୯୮୦ ପରେ ଭାରତୀୟ ହକି କିଭଳି ସ୍ଥିିତି ଦେଇ ଗତି କରୁଥିଲା, ତାହା ସମସ୍ତେ ଜାଣିଛନ୍ତି । ଅଲିମ୍ପିକ୍ସରେ ୮ଟି ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତ ୨୦୦୮ରେ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିଲା । ସାହାରା ହକି ଇଣ୍ଡିଆର ପ୍ରାୟୋଜକ ଛାଡ଼ିବା ପରେ ଭାରତୀୟ ହକିର ସ୍ଥିତି ଏକ ପ୍ରକାର ଦୋହଲି ଯାଇଥିଲା । ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆକୁ ପ୍ରୋତ୍ସାହନ ଯୋଗାଇ ଦେବାର ଘୋଷଣା କଲେ । ଓଡ଼ିଶା ହକି ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ ହେଲା ।

୨୦୧୭ ଠାରୁ ଭାରତୀୟ ହକି ଦଳ (ପୁରୁଷ, ମହିଳା) ଓଡ଼ିଶା ନାମ ଲେଖା ଜର୍ସି ପରିଧାନ କରି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳୁଛି । ଜାତୀୟ ହକିକୁ ଓଡ଼ିଶା ପ୍ରୋତ୍ସାହନ ଯୋଗାଇ ଦେବାର ଫଳ ଟୋକିଓ ଅଲିମ୍ପିକ୍ସରେ ଦେଶକୁ ମିଳିଥିଲା । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ଦଳ ଅଲିମ୍ପିକ୍ସରେ ପଦକ ଜିତିବାର ସୌଭାଗ୍ୟ ଲାଭ କରିପାରି ଥିଲା । ସେମିତି ମହିଳା ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି (ଚତୁର୍ଥ) ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ । ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିବାର ଶ୍ରେୟ ଓଡ଼ିଶାବାସୀକୁ ମିଳିଥିଲା । ସମୟ ଆସିଲା, ଜାତୀୟ ସ୍ତରରେ ଓଡ଼ିଶା ଚର୍ଚ୍ଚାର ଶିରୋନାମା ପାଲଟିଲା; ତାହା ପୂର୍ବର ସେହି କାଳିମାମୟ ଘଟଣାବଳୀ ପାଇଁ ନୁହଁ ବରଂ ହକିର ବିଜୟ ଯାତ୍ରା ପାଇଁ । ହକି ଦଳର ସଫଳତାରେ ଖୁସି ହୋଇ ମୁଖ୍ୟମନ୍ତ୍ରୀ ଆଉ ଦଶ ବର୍ଷ ଭାରତୀୟ ଦଳକୁ ପ୍ରୋତ୍ସାହନ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । ବିଶ୍ୱରେ ହକି ଖେଳୁଥିବା ପ୍ରତିଟି ଦେଶ ଓଡ଼ିଶାକୁ ଜାଣିଛି ଏବଂ ଓଡ଼ିଶାର ଆତିଥ୍ୟରେ ପ୍ରୀତ ହୋଇଛି ।

– ଓଡ଼ିଶାରେ ହକିର ବିକାଶ

ଇଂରେଜମାନେ ଓଡ଼ିଶା ଆଗମନ ପରେ ଓଡ଼ିଶାରେ ହକିର ଉନ୍ମେଷ ଘଟିଥିଲା । ବିଶେଷ କରି ମିଶନାରୀମାନଙ୍କ ଦ୍ୱାରା ସୁନ୍ଦରଗଡ଼ରେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଲା । ସମୟକ୍ରମେ ହକି ଆଦିବାସୀମାନଙ୍କର ମୁଖ୍ୟ କ୍ରୀଡ଼ାର ମାନ୍ୟତା ପାଇଲା । ଧିରେ ଧିରେ ଏହାକୁ ନେଇ ପ୍ରତିଯୋଗିତା ଆୟୋଜିତ ହେଲା । ଏହି ପ୍ରତିଯୋଗିତାକୁ ଅଧିକ ଲୋକପ୍ରିୟ କରାଇଲା ସ୍ୱତନ୍ତ୍ର ଖାସି କପ୍ ଟୁର୍ଣ୍ଣାମେଣ୍ଟ । ପ୍ରତିବର୍ଷ ସୁନ୍ଦରଗଡ଼ରେ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ୱ ଖାସି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥାଏ ।

ସୁନ୍ଦରଗଡ଼ର ସମେତ ରାଜ୍ୟର କିଛି ଅଞ୍ଚଳରେ ହକି ଥିଲା, ଖେଳାଳି ବି ଥିଲେ କିନ୍ତୁ ଆଧୁନିକ ଭିତ୍ତିଭୂମି ଏବଂ ଆଧୁନିକ ସୁବିଧା ସୁଯୋଗ ନଥିଲା । ବିଗତ ଏକ ଦଶନ୍ଧି ମଧ୍ୟରେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ଅଭୂତପୂର୍ବ ବିକାଶ ଘଟିଛି । ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ଭଳି ସହରରେ ଅନ୍ତର୍ଜାତୀୟ ମାନର କ୍ରୀଡ଼ା ଭିତ୍ତିଭୂମି ଗଢ଼ି ଉଠିଛି । କଳିଙ୍ଗ ହକି ଷ୍ଟାଡିୟମ ପରେ ରାଉରକେଲାରେ ଏକ ନୂଆ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ ହୋଇଛି । ସୁନ୍ଦରଗଡ଼ରେ ତୃଣମୂଳସ୍ତରରୁ ହକିର ଆଧୁନିକୀକରଣ ପାଇଁ ୧୭ଟି ବ୍ଲକ ସମେତ ବିଭିନ୍ନ ଜିଲ୍ଲାରେ ମଧ୍ୟ ଆଷ୍ଟ୍ରୋ ଟର୍ଫ ବିଛା ଯିବା ନେଇ କାର୍ଯ୍ୟ ଆଗେଇ ଚାଲିଛି । ସେହିପରି ତୃଣମୂଳ ସ୍ତରରୁ ହକି ଖେଳାଳି ବାହାର କରିବା ପାଇଁ ସୁନ୍ଦରଗଡ଼ ସମେତ ଭୁବନେଶ୍ୱରରେ କ୍ରୀଡ଼ା ଛାତ୍ରାବାସ ଏବଂ ହକି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

– ଓଡ଼ିଶାରେ ହକିର ଆଧୁନିକ ପର୍ବ

ଆଦିବାସୀଙ୍କର ହକି ନୈପୁଣ୍ୟତାକୁ ବିଶ୍ୱମୁଖୀ କରାଇବା ପାଇଁ ରାଜ୍ୟ ସରକାର ପ୍ରଥମେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ଅନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମ ନିର୍ମାଣ କଲେ । ୨୦୧୩ ମଧ୍ୟଭାଗ ବେଳକୁ ଦୁଇ ଗ୍ୟାଲେରୀ ବିଶିଷ୍ଟ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା । ହକି ଇଣ୍ଡିଆର ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏଲ୍‌)ରେ ଏକ ଦଳ କ୍ରୟ କଲେ । ତାହାର ନାମ ଥିଲା ‘କଳିଙ୍ଗ ଲାନସର୍ସ’ । ଏହାପରେ ୨୦୧୪ରେ ହକି ଇଣ୍ଡିଆ ରାଜ୍ୟ ସରକାରଙ୍କୁ ‘ହକି ଚାମ୍ପିଅନ୍ସ ଟ୍ରଫି’ ଆୟୋଜନ ନେଇ ପ୍ରସ୍ତାବ ଦେଇଥିଲା । ୨୦୧୪ ଡିସେମ୍ବର ମାସରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେଲା । ପାକିସ୍ତାନ ସମେତ ବିଶ୍ୱର ୮ଟି ଶକ୍ତିଶାଳୀ ଦଳ ଏଥିରେ ଭାଗ ନେଲେ । ଚାମ୍ପିଅନ୍ସ ଟ୍ରଫି ଆୟୋଜନର ଅଭୂତପୂର୍ବ ସଫଳତା ହାସଲ କଲା । ଏହିଠାରୁ ଓଡ଼ିଶାରେ ଆରମ୍ଭ ହୋଇଥିଲା ହକିର ଆଧୁନିକ ପର୍ବ ଏବଂ ହକି ବିପ୍ଳବ ।

‘ହକି ଚାମ୍ପିଅନ୍ସ ଟ୍ରଫି’ର ସଫଳତା ପରେ ହକି ଇଣ୍ଡିଆ ଭୁବନେଶ୍ୱରରେ ୨୦୧୮ ବିଶ୍ୱକପ୍ ଆୟୋଜନ ନେଇ ପ୍ରସ୍ତାବ ରଖିଲା । ଏଭଳି ସୁଯୋଗକୁ ରାଜ୍ୟ ସରକାର ହାତଛଡ଼ା କଲେ ନାହିଁ । ଭୁବନେଶ୍ୱର ବିଶ୍ୱକପ୍ ଭେନ୍ୟୁ ଘୋଷଣା ହେବା ପରଠୁ ଷ୍ଟାଡିୟମର କଳେବର ବୃଦ୍ଧି ହେଲା । ଆଉ ଦୁଇଟି ନୂଆ ଗ୍ୟାଲେରୀ ସହ ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ୧୬ ହଜାରକୁ ବୃଦ୍ଧି କରାଗଲା ।

ବିଶ୍ୱକପ୍‌-୨୦୧୮ ଆୟୋଜନ ଅନ୍ତର୍ଜାତୀୟ ହକିରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଲା । ହକି ଇତିହାସରେ ପୂର୍ବରୁ କେବେ ଏମିତି ଆୟୋଜନ ବିଶ୍ୱବାସୀ ଦେଖି ନଥିଲେ । ଯାହା ସମସ୍ତଙ୍କୁ ଚକିତ କଲା । ସାରା ବିଶ୍ୱରେ ଓଡ଼ିଶାର ପ୍ରଶଂସା ହେଲା । ପରବର୍ତ୍ତୀ ସମୟରେ ୨୦୧୯ରେ ହକି ସିରିଜ ଫାଇନାଲ୍ସ, ପୁରୁଷ ଓ ମହିଳା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ, ୨୦୨୦ରେ ହକି ପ୍ରୋ ଲିଗ୍ ଏବଂ ୨୦୨୧ରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଭଳି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରରେ ଖେଳାଗଲା ।

– ବିଶ୍ୱକପ୍ ୨୦୨୩

୨୦୧୮ ବିଶ୍ୱକପ୍‌ର ସଫଳ ଆୟୋଜନ ପରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ହକି ଇଣ୍ଡିଆକୁ ପୁଣି ପରବର୍ତ୍ତୀ ସଂସ୍କରଣ ଆୟୋଜନ ଅଧିକାର ପ୍ରଦାନ କରିଥିଲା । ହକି ଇଣ୍ଡିଆର ପ୍ରସ୍ତାବକୁ ଏଥର ବି ରାଜ୍ୟ ସରକାର ଅଗ୍ରାହ୍ୟ କରିନଥିଲେ । ବରଂ ଭୁବନେଶ୍ୱର ସମେତ ରାଉରକେଲାରେ ବିଶ୍ୱକପ୍ ଖେଳାଯିବା ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମାତ୍ର ୧୫ ମାସ ମଧ୍ୟରେ ଇସ୍ପାତରେ ନିର୍ମିତ ନୂଆ ଷ୍ଟାଡିୟମ ଇସ୍ପାତ ନଗରୀ ରାଉରକେଲାରେ ଗଢ଼ି ଉଠିଛି । ଯାହାର ନାମ ରଖାଯାଇଛି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ । କେବଳ ଷ୍ଟାଡିୟମ ନୁହଁ, ଏହାର ପରିସରରେ ପଞ୍ଚ ତାରକା ହୋଟେଲର ସୁବିଧା ଥିବା ‘ହକି ଗ୍ରାମ’ ମଧ୍ୟ ନିର୍ମାଣ ହୋଇଛି । ଯେଉଁଠି ବିଶ୍ୱକପ୍ ଦଳ ଗୁଡ଼ିକର ରହିବାର ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ଓ ଅନ୍ୟାନ୍ୟ ନିର୍ମାଣ ପାଇଁ ୯ ଶହରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିର୍ସା ମୁଣ୍ଡା ଷ୍ଟାଡିୟମକୁ କେବଳ ଦେଶରେ ନୁହେଁ, ବିଶ୍ୱରେ ବୃହତ୍ ଷ୍ଟାଡିୟମର କୁହାଯାଉଛି ।

– ୧୬ ଦଳ, ୪୪ ମ୍ୟାଚ୍‌

ପ୍ରଥମ ଥର ହକି ବିଶ୍ୱକପ୍ ଦୁଇଟି ଭେନ୍ୟୁରେ ଖେଳାଯାଉଛି । ଉଭୟ ରାଉରକେଲା ଓ ଭୁବନେଶ୍ୱର ଭେନ୍ୟୁ ପ୍ରସ୍ତୁତ ରହିଛି । ମୋଟ୍ ୧୬ଟି ଦଳ ଏଥର ବିଶ୍ୱକପ୍‌ରେ ଭାଗ ନେଇଛନ୍ତି । ଦଳ ଗୁଡ଼ିକ ହେଲେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ଚିଲି, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡିଆ, ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ ଓ ୱେଲ୍ସ । ବିଶ୍ୱକପ୍‌ରେ ୪୪ଟି ମ୍ୟାଚ୍‌ରୁ ରାଉରକେଲାରେ ୨୦ ଏବଂ ଭୁବନେଶ୍ୱରରେ ୪୪ଟି ମ୍ୟାଚ୍ ଖେଳାଯିବାର ସୂଚୀ ରହିଛି ।

ହକିର ଉନ୍ନତି ଏବଂ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ଯାହାକୁ ନେଇ କିଛି ନାପସନ୍ଦ କରୁଛନ୍ତି ।

ବିମଳ କୁମାର ରାଉଳ, ଭୋଗରାଇ, ବାଲେଶ୍ୱର ମୋ-୯୭୭୬୩୨୭୦୫୩

କିନ୍ତୁ ନାପସନ୍ଦ କରିବାର କିଛି କାରଣ ନାହିଁ । କାରଣ ଏବେ କ୍ରୀଡ଼ାରେ ଯେଉଁ ପୁଞ୍ଜିର ବିନିଯୋଗ ହେଉଛି, ତାହା ଦିନେ ପୁଣି ବଳିଷ୍ଠ ହୋଇ ଆମ ପାଖକୁ ଫେରିବ । ଖେଳ ମାଧ୍ୟମରେ ଓଡ଼ିଶା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚି ପାରିଛି । ଆମ ସଂସ୍କୃତି, ପର୍ଯ୍ୟଟନ ଓ ଐତିହ୍ୟକୁ ସାରା ଦୁନିଆ ଚିହ୍ନିବା ଆରମ୍ଭ କଲାଣି । ଧିରେ ଧିରେ ରାଜ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ଆମ ଆତିଥେୟତା ବିଦେଶୀ ପୁଞ୍ଜି ନିବେଶକୁ ଅଧିକ ତ୍ୱରାନ୍ୱିତ କରିବ । ଶିଳ୍ପ ସମୃଦ୍ଧ ହେବ, ନିଯୁକ୍ତି ବୃଦ୍ଧି ପାଇବ ଏବଂ ଆମ ଜୀବନ ଧାରଣର ମାନ ବଢ଼ିବ । ହକି କିମ୍ବା ଯେ କୌଣସି କ୍ରୀଡ଼ାର ପ୍ରଚାର ପ୍ରସାର ପଶ୍ଚାତରେ ଏ ଜାତିର ସ୍ୱାର୍ଥ ନିହିତ ରହିଛି । ଉପଯୁକ୍ତ ସୁବିଧା ସୁଯୋଗ ଏବଂ ପ୍ରୋତ୍ସାହନ ପାଇ ଦିନେ ଏ ରାଜ୍ୟରୁ ଏକାଧିକ ଅଲିମ୍ପିକ୍ସ ପଦକ ବିଜେତା ବାହାରି ଦେଶକୁ ଗୌରବାନ୍ୱିତ କରିବେ ।

ନବନିଯୁକ୍ତ ଅଧିକାରୀଙ୍କୁ ଦିଗର୍ଶନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବନିଯୁକ୍ତ ଅଧିକାରୀଙ୍କୁ ଦିଗଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାସ୍ତରରେ କେନ୍ଦ୍ର ସମବାୟ ବ୍ୟାଙ୍କରେ ଯୋଗ ଦେଇଛନ୍ତି ୨୪୦ ଜଣ ସହକାରୀ ମ୍ୟାନେଜର । ସେହିପରି ୨୬ ଜଣ ସିଷ୍ଟମ ମ୍ୟାନେଜର ମଧ୍ୟ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଚାଷୀଙ୍କ ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ସମବାୟ ବ୍ୟାଙ୍କ ଗୁରୁତ୍ବ ଭୂମିକା ତୁଲାଉଛି ।

ନୂଆ କର୍ମଚାରୀ ନିଯୁକ୍ତି ଫଳରେ ଚାଷୀଙ୍କୁ ବ୍ୟାଙ୍କରୁ ଉତ୍ତର ସେବା ମିଳିବ । ଏଥିସହ ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଆର୍ଥିକ ସ୍ଥିତି କିଭଳି ସୁଦୃଢ଼ ହୋଇପାରିବ, ସେଥିପାଇଁ କାର୍ଯ୍ୟ କରିଆସୁଛି ସମବାୟ ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇ ନବନିଯୁକ୍ତଙ୍କୁ ଦିଗଦର୍ଶନ ଦେଇଛନ୍ତି ।

ସେହିପରି କୃଷି ବିଭାଗରେ ଯୋଗଦେଇଛନ୍ତି ୨୨ ସହକାରୀ କୃଷି ଅଧିକାରୀ । ସେହିପରି କାଜୁ ବିକାଶ ନିଗମରେ ଯୋଗ ଦେଇଛନ୍ତି ୫୩ ଅଧିକାରୀ । କାର୍ଯ୍ୟରେ ଯୋଗ ଦେଇଥିବା ନୂତନ ଅଧିକାରୀଙ୍କୁ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୃଷି ହେଉଛି ଏକକ ବୃହତ୍ତମ ନିଯୁକ୍ତିଦାତା । କୃଷି କ୍ଷେତ୍ରରେ ବିକାଶ ପାଇଁ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୧ରେ ରାଜ୍ୟରେ ରେକର୍ଡ ସଂଖ୍ୟକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି ।

ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ୧୩୦ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି । ଗତ ୨୦ ବର୍ଷ ମଧ୍ୟରେ ଏହା ଦ୍ୱିଗୁଣରୁ ଅଧିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୃଷି ଓ କୃଷକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । କାଜୁ ଉତ୍ପାଦନରେ ଓଡ଼ିଶା ଏକ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ । ତେଣୁ 5T ନୀତି ଅନୁସରଣ କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।