spot_img
Home Blog Page 3698

ଛାତ୍ରୀଙ୍କ ଉପରେ ଚଢିଗଲା, ପାନ ଦୋକାନ ଉପରେ ମାଡ଼ିଗଲା କାର୍

ଗଞ୍ଜାମ: ଛାତିଥରା ଦୁର୍ଘଟଣା । ଛାତ୍ରୀଙ୍କ ଉପରେ ମାଡ଼ିଯାଇ ପାନ ଦୋକାନ ଉପରେ ଚଢିଗଲା କାର୍ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଭାଟକୁମରଡା ନିକଟ ପାଗଳବାବା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଧ୍ୟାହ୍ନରେ ବାସୁଦେବ ସେଠୀ ବିଜ୍ଞାନ ମହାବିଦ୍ୟାଳୟରୁ ଶ୍ରେଣୀ ସାରି ଛାତ୍ରୀମାନେ ଘରକୁ ଫେରୁଥିଲେ । ଏହି ସମୟରେ ପୁରୁଷୋତ୍ତମପୁ ରୁ ଶେରଗଡ ଅଭିମୁଖେ ଯାଉଥିବା ଏକ କାର କ୍ଷୀପ୍ର ବେଗରେ ଆସି ଛାତ୍ରୀଙ୍କୁ ଧକ୍କା ଦେଇଥିଲା ।

ପରେ ଛକରେ ଥିବା ଏକ ପାନଦୋକାନ ଉପରେ ଚଢି ଯାଇଥିଲା । ଦୁର୍ଘଟଣାରେ ୩ଜଣ ଛାତ୍ରୀଙ୍କ ସହିତ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଛାତ୍ରୀ ଓ ଡ୍ରାଇଭରଙ୍କୁ ପ୍ରଥମେ ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଘଟଣାସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ କାରଟି ସିଧା ରାସ୍ତାରେ ଯାଉଥିବା ଛାତ୍ରୀଙ୍କ ଧକ୍କା ଦେଲା, ଡ୍ରାଇଭର ମଦ୍ୟପାନ କରିଥିଲେ କି ନା ସେ ନେଇ ତଦନ୍ତ କରାଯାଉଥିବା ପୁରୁଷୋତ୍ତମପୁର ଥାନା ଅଧିକାରୀ କହିଛନ୍ତି ।

ଆମେରିକାର ନାଇଟ୍ କ୍ଲବରେ ଗୁଳିମାଡ଼, ୫ ମୃତ ଓ ୧୮ ଆହତ

କୋଲୋରାଡୋ: ଆମେରିକାର କୋଲୋରାଡୋ ସ୍ପ୍ରିଙ୍ଗସ୍ ସହର ସ୍ଥିତ ଏକ ନାଇଟ୍ କ୍ଲବରେ ରବିବାର ଗୁଳିମାଡ଼ ହୋଇଛି । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ମୁତାବକ କୋଲୋରାଡୋ ସ୍ପ୍ରିଙ୍ଗସ୍ ପୋଲିସ ଅଧିକାରୀ ଲେଫ୍ଟନାଣ୍ଟ ପାମେଲା କାସ୍ତ୍ରୋ କହିଛନ୍ତି- ଏଲଜିବିଟିକ୍ୟୁ ନାଇଟ୍ କ୍ଲବରେ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଥିଲା । ଆହତଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଗୁଳିମାଡ଼ ଖବର ପାଇବା ପରେ କ୍ଲବରେ ପହଞ୍ଚିଥିଲା ପୋଲିସ । ଘଟଣାସ୍ଥଳରେ ଆହତ ହୋଇଥିବା ଜଣେ ସଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଥିଲା ପୋଲିସ ।

ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ଦାବି: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ଟୁକୁନି ସାହୁ

ଭୁବନେଶ୍ୱର: ପଦମପୁର ଦେଇ ବରଗଡ଼ ଓ ନୂଆପଡାକୁ ରେଳ ସଂଯୋଗ ଲାଗି କେନ୍ଦ୍ର ନିକଟରେ ଦାବି । ଏନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିକଟକୁ ପତ୍ର ଲେଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ପତ୍ରରେ ମନ୍ତ୍ରୀ କହିଛନ୍ତି- ଏହି ରେଳଲାଇନ ପ୍ରତିଷ୍ଠା କରିବା ଲାଗି ପଦମପୁରବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବିପତ୍ର ଦିଆଯାଇଥିଲା । ରେଳ ଲାଇନ ପ୍ରତିଷ୍ଠା ନେଇ ଗତ ୨୦୧୮ ଡିସେମ୍ବର ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାଧାରଣ ସଭାରେ ଘୋଷଣା କରିଥିଲେ ।

ଭାଷଣ ଅବସରରେ ଧର୍ମେନ୍ଦ୍ର କହିଥିଲେ- କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ମଞ୍ଜୁରୀ କରିଛନ୍ତି । ୨୦୧୮ରୁ ଆଜି ଯାଏ ପଦମପୁର ଦେଇ ବରଗଡ଼ ଓ ନୂଆପଡାକୁ ରେଳ ସଂଯୋଗ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାର ବାରମ୍ବାର ରେଳ ମନ୍ତ୍ରାଳୟ ନିକଟରେ ଦାବି କରିଆସୁଛନ୍ତି । ଏହି ରେଳପଥ ନିର୍ମାଣ ହେଲେ ଓଡିଶାର ଦୁଇ ଜିଲ୍ଲା ମଧ୍ୟରେ ସଂଯୋଗ ସ୍ଥାପନ ହେବା ସହ ପଶ୍ଚିମ ଓଡ଼ିଶାର ଅର୍ଥନୈତିକ ବିକାଶ ସମ୍ଭବ ହେବ ।

ଏହି ରେଳ ଲାଇନ ପ୍ରତିଷ୍ଠା ହେଲେ ଖୋର୍ଦ୍ଧା-ବଲାଙ୍ଗିର ଲାଇନ ଦେଇ ଉପକୂଳ ଓଡିଶା ସହ ପଶ୍ଚିମ ଓଡିଶା ମଧ୍ୟରେ ତ୍ବରିତ ସଂଯୋଗ ପ୍ରତିଷ୍ଠା ହୋଇପାରିବ ବୋଲି ମନ୍ତ୍ରୀ ଟୁକୁନି ସାହୁ ପତ୍ରରେ ଦର୍ଶାଇଛନ୍ତି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ରେଳ ପ୍ରକଳ୍ପ ନେଇ ୨୦୧୮ ମସିହାରେ ପ୍ରତିଶ୍ରୁତି ଦେଇଥିବାବେଳେ କାର୍ଯ୍ୟକାରୀ କରାଇବାରେ ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟସଭା ସାସଂଦ ସସ୍ମିତ ପାତ୍ର  ।

୬୫ ରନରେ ବିଜୟୀ ଭାରତ, ସୂର୍ଯ୍ୟକୁମାର ଦେଖାଇଲେ ବ୍ୟାଟିଂ ଜଲୱା

ନନ୍ଦିଘୋଷ ବ୍ୟୁରୋ: ନ୍ୟୁଜିଲାଣ୍ଡକୁ ୬୫ ରନରେ ହରାଇ ବିଜୟୀ ହୋଇଛି ଇଣ୍ଡିଆ  । ଦଳର ନେତୃତ୍ୱ ନେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା  । ୧୯୨ ରନର ବିଜୟଲକ୍ଷ୍ୟ ପିଛା କରୁଥିବା ନ୍ୟୁଜିଲାଣ୍ଡ ମାତ୍ର ୧୨୬ ରନରେ ଅଲଆଉଟ ହୋଇଛି । ଦୀପକ ହୁଡା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ କେନ୍ ୱିଲିୟମସନ ସର୍ବାଧିକ ୬୧ ରନର ଇନିଂସ ଖେଳିଥିଲେ । ଏହି ମ୍ୟାଚରେ ବିଜୟୀ ହେବା ସହ ସିରିଜରେ ୧-୦ରେ ଆଗୁଆ ଅଛି ଟିମ୍ ଇଣ୍ଡିଆ ।

ଏହାପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୯୧ ରନ କରିଥିଲା । ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ ବଳରେ ୧୯୧ ରନ ସ୍କୋର କରିଥିଲା ଭାରତ । ଟି-୨୦ ଫର୍ମାଟରେ ଏହା ସୂର୍ଯ୍ୟକୁମାର ଯାଦବଙ୍କ ଦ୍ୱିତୀୟ ଶତକ । ମାତ୍ର ୫୧ ବଲରୁ ୧୧୧ ରନର ଇନିଂସ ଖେଳିଛନ୍ତି ସୂର୍ଯ୍ୟକୁମାର । ଯେଉଁଥିରେ ୧୧ଟି ଚୌକା ଓ ୭ଟି ଛକା ରହିଛି । ସେପଟେ ଦିପକ ହୁଡାଙ୍କ ଚମତ୍କାର ବୋଲିଂ ୪ଟି ୱିକେଟ ନେବାରେ ସଫଳ ହୋଇଛି  ।

ଶ୍ରୀ ରାମ କେବଳ ହିନ୍ଦୁଙ୍କର ନୁହଁନ୍ତି, ସେ ବିଶ୍ୱର ଭଗବାନ: ଫାରୁଖ ଅବଦୁଲ୍‌ଲା

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନଫରେନ୍ସର ନେତା ଫାରୁଖ ଅବଦୁଲ୍ଲା ପ୍ରଭୁ ଶ୍ରୀରାମଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଅଖନୁରର ଏକ ରାଲିରେ ସେ କହିଛନ୍ତି, ପ୍ରଭୁ ରାମ କେବଳ ହିନ୍ଦୁଙ୍କର ନୁହଁନ୍ତି, ସେ ପୂରା ବିଶ୍ୱର ଭଗବାନ । ସେଥିପାଇଁ ଧର୍ମକୁ ଆଧାର କରି ପ୍ରଭୁଙ୍କୁ ନବାଣ୍ଟିବାକୁ ସେ ଲୋକଙ୍କୁ ଅପିଲ୍ କରିଛନ୍ତି ।

ରାଲି ବେଳେ ସେ ବିଜେପି ଉପରେ ବର୍ଷିବା ସହ କହିଛନ୍ତି, ମନ୍ଦିର କିମ୍ବା ମସଜିଦର ଲଢେଇ ନାହିଁ । ପ୍ରଭୁ ଶ୍ରୀରାମ କୌଣସି ନିର୍ଦ୍ଦିଷ୍ଟ ଧର୍ମର ନୁହଁନ୍ତି ବରଂ ସେ ସମସ୍ତଙ୍କର । ସେଥିପାଇଁ ଆମକୁ ଏକଜୁଟ୍ ହୋଇ ଚାଲିବାକୁ ପଡିବ ଏବଂ ନିଜ ସହ ନିଜ ଧର୍ମକୁ ବି ମଜଭୁତ କରିବାକୁ ପଡିବ । ଯଦି ଆମେ ଧର୍ମରୁ ପଛକୁ ହଟୁଛୁ ତେବେ ଆମେ ବର୍ବାଦ ହୋଇଯିବା। ନିଜ ଦେଶକୁ ମଜଭୁତ କରିବାକୁ ହେଲେ ଆମକୁ ଏକାଠି ହେବାକୁ ପଡିବ । ନିଜ ପିଲାଙ୍କୁ ଠିକ୍ ଧର୍ମ ଶିଖାଅ। ଚୋରି, ବେଇମାନୀ, ବଳାତ୍କାର ଭଳି ଲଜ୍ଜାଜନକ ଘଟଣା କୌଣସି ଧର୍ମ ଶିଖାଏ ନାହିଁ । ଧର୍ମ କେବଳ ସଠିକ୍ ରାସ୍ତାରେ ଚାଲିବା ଶିଖାଏ ।

ସେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି, ନିର୍ବାଚନ ଆସିଲେ, ସେମାନେ ପାଖକୁ ଆସବେ ଏବଂ କହିବେ ହିନ୍ଦୁ ଧର୍ମ ବିପଦରେ ଅଛି । ଭାରତରେ ୭୦ରୁ ୮୦ ପ୍ରତିଶତ ହିନ୍ଦୁ ଧର୍ମାବଲମ୍ବୀ ।

ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଗିରଫ ହେଲା ରୋଡ ରୋମିଓ

କେନ୍ଦୁଝର: ବନ୍ଧାହେଲା ରୋଡ ରୋମିଓ । ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ପରେ ରାସ୍ତାରେ କରୁଥିଲା ହଇରାଣ । ଅଭିଯୋଗ ପରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳର ଘଟଣା । ଅଭିଯୋଗ ଅନୁସାରେ ଅଭିଯୁକ୍ତ ପୁରୁଷୋତ୍ତମ ସାହୁ ଜଣେ ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ।

ପ୍ରେମ ନିବେଦନ କରି ବିଫଳ ହେବାରୁ କଲେଜ ଯିବା ସମୟରେ ଛାତ୍ରୀଙ୍କୁ ଅପମାନିତ କରୁଥିଲେ । ଏହାଛଡ଼ା କଲେଜ ସମ୍ମୁଖରେ ଗାଳିଗୁଲଜ କରିଥିଲା ଅଭିଯୁକ୍ତ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ପୁରୁଷୋତ୍ତମକୁ ଗିରଫ କରିଛି ପୋଲିସ ।

ପୋଲିସ ରୋଡ ରୋମିଓଙ୍କୁ ସାବାଡ କରିବା ସାଧାରଣ ଲୋକଙ୍କ ପ୍ରଶଂସା ଯୋଗ୍ୟ ହୋଇଛି  । କଲେଜ ସମୟରେ  ଏହି ଅସଭ୍ୟ ଯୁବକମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ଘଟୁଥିଲା  । ଏମିତିକି ଛାତ୍ରୀଙ୍କ ପାଠ ପଢାରେ ବାଧକ ସାଜୁଥିଲେ  । ତେଣୁ ଏଥର କିନ୍ତୁ ଫସି ପାରିନଥିଲେ  । ଛାତ୍ରୀ ଜଣଙ୍କ ଅତିଷ୍ଠ ହୋଇ ଥାନାରେ ଏତଲା ଦେଇଥିଲେ  । ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ  ।

‘ବରଗଡ-ନୂଆପଡା ରେଳ ପ୍ରକଳ୍ପ ପ୍ରତିଶ୍ରୁତିକୁ ୪ବର୍ଷ ବିତିଛି, ଆଜି ବି ଇଟା ଖଣ୍ଡେ ପଡ଼ିନାହିଁ’

ଭୁବନେଶ୍ୱର: ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ନେଇ ସାଂସଦ ସସ୍ମିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ  । କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ସସ୍ମିତ ପାତ୍ର  । ରାଜ୍ୟ ସରକାର ଏହି ରେଳ ପ୍ରକଳ୍ପ ପାଇଁ ଆଗ୍ରହ ପ୍ରକାଶ କରିଥିବାବେଳେ କେନ୍ଦ୍ର ଏଥିପ୍ରତି ଆଗ୍ରହ ପ୍ରକାଶ କରିନାହିଁ  । ଏମିତିକି ରାଜ୍ୟ ସରକାର ୩ ଶହ କୋଟି ଆର୍ଥିକ ଅନୁଦାନ ସହ ଜାଗା ଦେବା ପାଇଁ ରାଜି ଅଛନ୍ତି କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି ବୈମାତୃକ ମନୋଭାବ ପ୍ରକାଶ କରିଛନ୍ତି  । ଯାହା ଫଳରେ ୪ ବର୍ଷ ପରେ ମଧ୍ୟ ଆଜି ବି ଏହି ପ୍ରକଳ୍ପରେ ଇଟା ଖଣ୍ଡେ ପଡିନାହିଁ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର  ।

ପ୍ରତିଶ୍ରୁତିକୁ ବିତିଛି ୪ବର୍ଷ  । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏନେଇ ଘୋଷଣା କରିଥିଲେ  । ପ୍ରକଳ୍ପ କଥା ତ ପଛକଥା, ଆଜି ପର୍ଯ୍ୟନ୍ତ ସର୍ଭେ ମଧ୍ୟ ହୋଇପାରିନାହିଁ  । ବରଗଡରୁ ନୂଆପଡା ଯାଏଁ ଯଦି ରେଳ ଲାଇନ ହୁଏ, ତେବେ ପଦମପୁର ବାସୀ ଉପକୃତ ହେବେ  । ପଦମପୁର ଦେଇ ଯିବ ଏହି ରେଳ ପ୍ରକଳ୍ପ  । କିନ୍ତୁ ରାଜ୍ୟର ସତ ଆଗ୍ରହ ସ୍ୱତେ କେନ୍ଦ୍ର ଅବହେଳା ଜଳ ଜଳ ହୋଇ ଦୃଶ୍ୟମାନ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର  ।

୨୦୧୮ରେ ରେଳ ପ୍ରକଳ୍ପ ନେଇ ଟୁଇଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାକୁ ୪ବର୍ଷ ବିତିଯାଇଥିଲେ ବି ପ୍ରତିଶ୍ରୁତି ପୂରଣ କରିନାହାନ୍ତି ଧର୍ମେନ୍ଦ୍ର । ୪ବର୍ଷ ମଧ୍ୟରେ ରେଳଲାଇନ ତ ଦୂରର କଥା ସର୍ଭେ ମଧ୍ୟ ହେଲାନି ବୋଲି କହିଛନନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର  ।  ରେଳବାଇ କ୍ଷେତ୍ରରେ ଓଡିଶା ପଛରେ ରହିଛି । ୫ବର୍ଷ ହେଲା ଗୋଟିଏ ବି ନୂଆ ରେଳ ଲାଇନ ହୋଇ ନାହିଁ । ଯେଉଁଥିରେ କେନ୍ଦ୍ର ସମ୍ପୂର୍ଣ୍ଣ ଶତ ପ୍ରତିଶତ କରିଛି  ।  ଏନେଇ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ । ରେଳଲାଇନକୁ ତୁରନ୍ତ ମଞ୍ଜୁରୀ ଦେବାକୁ ବିଜେଡି ଦାବି କରୁଛି । ଏହି ପ୍ରସଙ୍ଗ ରାଜ୍ୟସଭା ଏବଂ ଲୋକସଭାରେ ନିଶ୍ଚିତ ଉଠାଇବେ ବୋଲି କହିଛନ୍ତି ସାଂସଦ ସସ୍ମିତ  ପାତ୍ର   ।

ଶ୍ରୀମନ୍ଦିର ଗର୍ଭଗୃହ ଭିତରର ଫଟୋ ଭାଇରାଲ ଘଟଣା, ପ୍ରଶାସନ ପକ୍ଷରୁ ଥାନାରେ ଏତଲା

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ଭିତରର ଫଟୋ ଭାଇରଲ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଦିଆଯାଇଛି ଏତଲା । ଆକାଶ ଚୌଧୁରୀ ନାମକ ଫେସବୁକ ଆକାଉଣ୍ଟରୁ ଗତକାଲି ଗର୍ଭଗୃହ ଫଟୋ ଭାଇରାଲ ହୋଇଥିବା ଜଣାପଡିଥିଲା । ଭାଇରାଲ ହୋଇଥିବା ଫୋଟୋ ଗୁଡିକ ଗର୍ଭ ଗୃହ ଭିତରର ହୋଇଥିବା ବେଳେ, କିଭଳି ଓ କେଉଁ ପଡିସ୍ଥିତିରେ ଏହା ଭାଇରାଲ ହେଲା ତାର ତଦନ୍ତ କରି ହୋଇଛି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଏଭଳି ସମ୍ବେଦନଶୀଳ ଫଟୋ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଏହି ଘଟଣାକୁ ନେଇ ଗତକାଲି ଶ୍ରୀମନ୍ଦିର ଏକାଦଶୀ ସେବା ସଂଘ ପକ୍ଷରୁ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଶ୍ରୀମନ୍ଦିର ଥାନାରେ ଅଭିଯୋଗ କରାଯାଇଥିଲା । ବାରମ୍ବାର କେମିତି ଶ୍ରୀମନ୍ଦିରର ଗଭିତର ଫଟୋ ଭାଇରାଲ ହେଉଛି ତାହା ସବୁଛି ବଡ଼ ପ୍ରଶ୍ନ  ।

ମନ୍ଦିର ଭିତରକୁ ମୋବାଇଲେ ଏବଂ କୌଣସି ଇଲେକ୍ଟ୍ରୋନିକ ସାମଗ୍ରୀ ବାରଣ ଥିବାବେଳେ ମନ୍ଦିର ଭିତର ଫଟୋ ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେଇଛି  । ଅର୍ଥାତ ସୁରକ୍ଷା ବ୍ୟବସ୍ଥା ପ୍ରତି ଏଠି ପ୍ରଶ୍ନବାଚୀ ସୃଷ୍ଟି ହେଉଛି  । କାରଣ ଶ୍ରୀମନ୍ଦିର ଭିତରକୁ ଯିବା ପୂର୍ବରୁ ମୋବାଇଲ ଯାଞ୍ଚ କରାଯାଉଛି  । ମନ୍ଦିର ପୋଲିସ ପକ୍ଷରୁ ଯା଼୍ଚ କରାଯାଉଥିବା ସ୍ୱତେ କେମିତି ମୋବାଇଲ ପ୍ରବେଶ କରୁଛି ? ନା ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଢିଲାପଣ ଯୋଗୁଁ ମୋବାଇଲ ଯାଇପାରୁଛି ତାହା ଏବେ ସାଧାରଣଁ ଲୋକଙ୍କ ପ୍ରଶ୍ନ  ।

ଲୋକପ୍ରିୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ଦେହାନ୍ତ

କୋଲକାତା: ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ଦେହାନ୍ତ ହୋଇଛି । କାର୍ଡିଆକ୍ ଆରେଷ୍ଟ ଯୋଗୁଁ ଅଭିନେତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୨୪ ବର୍ଷ ବୟସ ହୋଇଥିଲା । ଯାହାକୁ ନେଇ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଦୀର୍ଘଦିନ ହେବ ଅଭିନେତ୍ରୀ ଜଣକ ଅସୁସ୍ଥ ହୋଇ ଚିକିତ୍ସାରତ ଥିଲେ । ହାର୍ଟ ଆଟାକ୍ ପରେ ଡାକ୍ତର ତାଙ୍କୁ କାର୍ଡିୟୋପଲ୍ମୋନରୀ ରିସସିଟେସନ୍ (ସିପିଆର୍) ଦେଇଥିଲେ । ଧିରେଧିରେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବା ସହ ତାଙ୍କର ଦେହାନ୍ତ ହୋଇଥିଲା ।

ନଭେମ୍ବର ୧ରେ  ଏଣ୍ଡ୍ରିଲାଙ୍କୁ ଅଚେତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ନଭେମ୍ବର ୧୫ ବେଳକୁ ତାଙ୍କୁ Cardiac arrest ହୋଇଥିଲା । ଯାହା ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏପରିକି ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ମୁଣ୍ଡରେ ବ୍ଲଡ୍ କ୍ଲଟ୍ ହୋଇଥିଲା । ପରେ ପରେ ମଲ୍ଟିପଲ୍ cardiac arrest ହେବାରୁ ତାଙ୍କର ନିଧନ ହୋଇଥିବା ମେଡିକାଲ୍ ପକ୍ଷରୁ ସୂଚନା ମିଳିଛି ।

ଦୁଇ ଦୁଇଥର କ୍ୟାନ୍ସରକୁ ହରାଇଥିଲେ-

ଏହି ଅଭିନେତ୍ରୀଙ୍କୁ ଦୁଇ ଦୁଇଥର କ୍ୟାନ୍ସର ହୋଇଥିଲା। ସେ କେମୋଥେରାପି ସେସନ୍ ମଧ୍ୟ ନେଇଥିଲେ । କେମୋଥେରାପି ପରେ ଡାକ୍ତର ତାଙ୍କୁ କ୍ୟାନ୍ସର ଫ୍ରି ବୋଲି ଘୋଷଣା କରିଥିଲେ। କିନ୍ତୁ ପରେ ସେ ପୁଣି ଅସୁସ୍ଥ ହୋଇପଡିଥିଲେ ।

 

 

ଆମେରିକାରେ ଭୟଙ୍କର ବରଫ ଝଡ଼, ଜମି ରହିଛି ୬ଫୁଟର ବରଫ

ନ୍ୟୁୟର୍କ: ହଠାତ ଆକାଶରେ ମାଡି ଆସିଲା ଝଡ଼  । ତାହା ପୁଣି ବର୍ଷ ଝଡ  । କେହି କିଛି ବୁଝିବା ଆଗରୁ ଯିଏ ଯେଉଁଠି ଥିଲେ, ସେଇଠି ଫସି ରହିଗଲେ  । ହଁ,  ଆମେରିକା ନ୍ୟୁୟର୍କରେ ଦେଖିବାକୁ ମିଳିଛି ଭୟଙ୍କର ବରଫ ଝଡ଼ । ବିଭିନ୍ନ ସ୍ଥାନରେ ୬ ଫୁଟର ବରଫ ଆସ୍ତରଣ ଯୋଗୁ ଫସିଛନ୍ତି ହଜାର ହଜାର ଲୋକ । ଘର ଆଗରେ ପ୍ରବଳ ବରଫପାତ ଯୋଗୁ ଘରୁ ବାହାରିବା ସମ୍ଭବ ହୋଇପାରିନାହିଁ ।

ରାସ୍ତାଘାଟରେ ଫସିଛନ୍ତି ହଜାର ହଜାର ଯାନବାହନ । ତୁଷାରପାତ ଯୋଗୁ ସାରା ସହରରେ ଜୀବନଯାତ୍ରା ଗୁରୁତର ବାଧାପ୍ରାପ୍ତ ହୋଇଛି । ଉଦ୍ଧାର କାର୍ଯ୍ୟରେ ନ୍ୟାସନାଲ ଗାର୍ଡ ମୁତୟନ କରାଯାଇଥିବାବେଳେ ଶତାଧିକ ବିମାନ ଚଳାଚଳ ବାତିଲ କରାଯାଇଛି । ତେବେ ପରିସ୍ଥିତି ସ୍ୱଭାବିକ ହେବା ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରିଛନ୍ତି  । ପ୍ରଶାସନ ଏଭଳି ପ୍ରାକୃତିକ ଦୁର୍ବିପାକକୁ ମୁକାବିଲା କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରୟାସ ଆରମ୍ଭ କରିଛନ୍ତି  ।