ଭୁବନେଶ୍ବର : ଡିଜେ ଗାଡ଼ିକୁ ନେଇ ପରିବହନ ବିଭାଗର କଡ଼ା ଆଭିମୁଖ୍ୟ । ମୋଟର ଯାନର ମୂଳ ଢାଞ୍ଚାକୁ ମନଇଚ୍ଛା ବଦଳାଇପାରିବେ ନାହିଁ ମାଲିକ । ବେଆଇନ ପରିବର୍ତ୍ତନ ବିରୋଧରେ ସର୍କୁଲାର ଜାରି କରାଯାଇଛି । STA କହିଛି, ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଜରିମାନା ସହ ପଞ୍ଜୀକରଣ ଓ ଫିଟନେସ୍ ରଦ୍ଦ କରାଯିବ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ପଦକ୍ଷେପ ନେଇଛି ରାଜ୍ୟ ପରିବହନ ପ୍ରାଧିକରଣ । ବେଆଇନ ଡିଜେ ଗାଡ଼ି ଯୋଗୁଁ ହୋଇଥିବା ଅନେକ ଅଘଟଣକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା । ଡିଜେ ଗାଡ଼ିର ବେଆଇନ ଭାବେ ଢାଞ୍ଚାରେ ପରିବର୍ତ୍ତନ, ଗାଡ଼ିର ଉଚ୍ଚତା, ଲମ୍ବ ଏବଂ ପ୍ରସ୍ଥରେ ପରିବର୍ତ୍ତନ, ଅତି ଉଚ୍ଚ ସ୍ୱରର ଲାଉଡ ସ୍ପିକର ଏବଂ ଚିକମିକ କରୁଥିବା ବେଆଇନ ଆଲୋକ ରୋକିବା ନିମନ୍ତେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ପରିବହନ ବିଭାଗ। ଏ ନେଇ ସର୍କୁକାଲ ଜାରି କରାଯାଇଛି। ଆଗକୁ ଗାଡ଼ି ମାଲିକ ତଥା ଅପରେଟରମାନଙ୍କୁ ଆଇନ ଓ ସୁରକ୍ଷା ମାନଦଣ୍ଡ ବିଷୟରେ ସଚେତନ କରିବା ପାଇଁ ଅଭିଯାନ ଆରମ୍ଭ କରାଯିବ। ପାର୍ବଣ ଋତୁରେ ଏଭଳି ବେଆଇନ ଯାନକୁ ବ୍ୟବହାର ନକରିବା ନିମନ୍ତେ ଜନସାଧାରଣଙ୍କୁ ପରିବହନ ବିଭାଗ ଅନୁରୋଧ କରିଛି ।
ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣା : ମାଟି ତଳୁ ବାହାରିଲା ମୃତଦେହ…
ଭୁବନେଶ୍ଵର : ଭୁବନେଶ୍ଵର ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣା ଉପରୁ ହଟିଲା ପରଦା। ଭୁବନେଶ୍ଵରରେ କରିଥିଲା ହତ୍ୟା। ପତ୍ନୀକୁ ମାରି ଗାଡ଼ି ଡିକିରେ ପୁରାଇ କେନ୍ଦୁଝର ଘଟଗାଁ ନିକଟ ଏକ ଜଙ୍ଗଲରେ ନେଇ ପୋତିଥିଲା। ପୋତାଯାଇଥିବା ସ୍ଥାନରେ ଜେସିବି ସହାୟତାରେ ଖୋଳି ବାହାର କରିଛି ପୋଲିସ। ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ଵାମୀ କନେଷ୍ଟବଳ ଦୀପକ ରାଉତକୁ ଘଟଗାଁ ଥାନାକୁ ନେଇ ଜେକା କରିଥିଲା କମିଶନରେଟ ପୋଲିସ। ଘଟଗାଁ ଥାନାରେ ଜେରା ପରେ ଶୁଭମିତ୍ରା ସାହୁଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନକୁ ନେଇଥିଲା କମିଶନରେଟ ପୋଲିସ। ମୃତଦେହ ପୋତିବାରେ ସହାୟତା କରିଥିବା ଦୀପକଙ୍କ ମାଉସୀ ପୁଅ ଭାଇକୁ ମଧ୍ୟ ପୋଲିସ ଗିରଫ କରିଛି। ତେବେ ପତ୍ନୀ ଶୁଭମିତ୍ରା ସାହୁଙ୍କୁ କାହିଁକି ମାରିଥିଲା ସ୍ଵାମୀ ଦୀପକ ରାଉତ। ବିଭିନ୍ନ ଦିଗକୁ ନେଇ ପୋଲିସ ତନାଘନା କରୁଛି। ଉଭୟଙ୍କ ମଧ୍ୟରେ ୧୦ ଲକ୍ଷ ଟଙ୍କାକୁ ନେଇ ଝଗଡ଼ା ହୋଇଥିଲା। ଝଗଡ଼ାରୁ ନେଇ ମଧ୍ୟ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ। ହତ୍ୟା ପଛରେ ଶୁଭମିତ୍ରାଙ୍କ ନାଁରେ ହୋଇଥିବା ୧ କୋଟି ଟଙ୍କାର ଇନସୁରାନ୍ସ ମଧ୍ୟ ଏକ କାରଣ ହୋଇପାରେ। ଗତ ଜୁଲାଇ ୨୦୨୪ରେ ଶୁଭମିତ୍ରାକୁ ବିବାହ କରିଥିଲା କନଷ୍ଟେବଲ ଦୀପକ ରାଉତ। ପୂର୍ବରୁ ଦୀପକର ପ୍ରଥମ ସ୍ତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ତାଙ୍କ ନାମରେ ଥିବା କୋଟିଏ ଟଙ୍କାର ବୀମା ଟଙ୍କା ପାଇଥିଲା। ପ୍ରଥମ ସ୍ତ୍ରୀର ମୃତ୍ୟୁ ମାମଲା ଏବେ ବି ସନ୍ଦେହ ଘେରରେ ରହିଛି। ଏହାକୁ ନେଇ ତଦନ୍ତ କରୁଛି ପୋଲିସ। ଘଟଗାଁ ଥାନା ପୋଲିସ ଓ ଭୁବନେଶ୍ଵର ପୋଲିସ ମିଳିତ ଭାବେ ତଦନ୍ତ କରୁଛନ୍ତି। ଭୁବନେଶ୍ଵରରେ ହତ୍ୟା କରାଯାଇଥିବା ସ୍ପଟକୁ ନେଇ ସରଜମିନ ତଦନ୍ତ କରିଥିଲା ପୋଲିସ। ୬ ତାରିଖରେ ଶୁଭମିତ୍ରା ଶେଷଥର ଲାଗି ଅଫିସରେ ଡ୍ୟୁଟି କରିଥିଲେ। ଏହାପରେ ଶୁଭମିତ୍ରା ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଏ ନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ।
ପୂର୍ବ ଶତ୍ରୁତାକୁ ନେଇ ରାଜଧାନୀର ଦୁଇ ବସ୍ତି ମଧ୍ୟରେ ବୋମା ମାଡ଼
ପୂର୍ବ ଶତ୍ରୁତାକୁ ନେଇ ରାଜଧାନୀର ଦୁଇ ବସ୍ତି ମଧ୍ୟରେ ବୋମା ମାଡ଼। ଗୌତମ ନଗର ବସ୍ତି ଏବଂ ଅଶୋକ ନଗର ଫାଳିକିଆ ବସ୍ତି ଭିତରେ ବୋମା ମାଡ ହୋଇଛି। ଏହା ପରେ ଦୁର୍ବୃତ୍ତମାନେ ଘରର କବାଟ ବି ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି। ରାଜଧାନୀରେ ବୋମା ମାଡ଼ ନୂଆ ନୁହେଁ । ଏଇ ଦୁଇ ମାସରେ ଭିତରେ ଭରତପୁର ପଣ୍ଡା କୁଦିଆ ବସ୍ତି ଏବଂ ପୁଲେଶ୍ୱରି ବସ୍ତି ରେ ଫୁଟିଥିଲା ବୋମା। ଆଉ ଗତ କାଲି ବିଳମ୍ବିତ ରାତିରେ ପୁଣି ଦେଖିବାକୁ ମିଳିଛି ବସ୍ତି ବସ୍ତି ଭିତରେ ବୋମା ମାଡ। ଲାଗୁଛି କମିଶନରେଟ ପୋଲିସକୁ ବାରମ୍ବାର ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ।

