spot_img
Home Blog Page 3701

ଟ୍ରକ୍ ଧକ୍କାରେ ସାମ୍ବାଦିକଙ୍କ ପୁତ୍ର ବିୟୋଗ, ବିଶ୍ୱାସ କରିପାରୁନାହାଁନ୍ତି ଅଞ୍ଚଳବାସୀ

ଯାଜପୁର: ସଡକ ଦୁର୍ଘଟଣାରେ ଦୈନିକ ସକାଳର ବରିଷ୍ଠ ସହ-ସମ୍ପାଦକ ଶ୍ରୀନାଥ ଜେନାଙ୍କର ଏକମାତ୍ର ପୁତ୍ର ସୁପ୍ରତ୍ୟୁଷ ଜେନାଙ୍କର ପରଲୋକ ହୋଇଛି । ସୁପ୍ରତ୍ୟୁଷ ଓଡିଶା ଖଣିନିଗମର ଭୂତତ୍ୱବିତ ଭାବେ କାର୍ଯ୍ୟ କରୁଥିଲେ। ସରକାରୀ କାର୍ଯ୍ୟରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଯାଇଥିବା ବେଳେ କଟିକଟା ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନଡିଆସାହସପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ସେଠାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । କଟକରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ବର୍ଗତ ସୁପ୍ରତ୍ୟୁଷଙ୍କ ପିତା ବର୍ତ୍ତମାନ ଦୈନିକ ସକାଳର ବରିଷ୍ଠ ସହ-ସମ୍ପାଦକ ଭାବେ କାର୍ଯ୍ୟରତ ଥିବାବେଳେ ମା ଓଡିଶା ଖଣି ନିଗମର ବରିଷ୍ଠ ଅର୍ଥ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ସୁପ୍ରତ୍ୟୁଷ ଜଣେ ମେଳାପୀ ଏବଂ ପରୋପକାରୀ ଯୁବକ ହୋଇଥିବା ବେଳେ ତାଙ୍କର ଏପରି ଆକସ୍ମିକ ପରଲୋକକୁ ସ୍ଥାନୀୟ ଲୋକ ସହଜରେ ବିଶ୍ବାସ କରପାରୁନାହାନ୍ତି ।

ସୁପ୍ରତ୍ୟୁଷଙ୍କ ପରଲୋକ ଖବର ପାଇ ସମଗ୍ର ଯାଜପୁର ଜିଲାରେ ଶୋକର ଛାୟା ଖେଳିଯାଇଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଅଶୋକ ଦାସ ପାଂଉଣ୍ଡେସନର ସଚିବ ଭବପ୍ରସାଦ ଦାସ, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଦେଓ, କୈଳାସ ଚନ୍ଦ୍ର ନାୟକ, ସନ୍ଦୀପ୍ତ ରାୟଙ୍କ ସମେତ ପୁରା ସକାଳ ପରିବାର ସଦସ୍ୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୃଷ୍ଟି ହେଲା ୨ ହଜାର ଡାକ୍ତର ପଦବୀ

ଭୁବନେଶ୍ୱର: ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ସୃଷ୍ଟି ହେଲା ନୂଆ ୨ ହଜାର ଡାକ୍ତର ପଦବୀ । ଓଡ଼ିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା କ୍ୟାଡରର ଗ୍ରୁପ-ଏ ଜୁନିଅର ବ୍ରାଞ୍ଚରେ ୨ ହଜାର ଏଲଟିଆରଏମଓ ପଦବୀ ସୃଷ୍ଟି ହୋଇଛି । ଓଆରଏସପି ନିୟମାବଳୀ ୨୦୧୭ର ଲେବଲ-୧୨ ପେ ମାଟ୍ରିକ୍ସ ଅନୁସାରେ ସେମାନଙ୍କ ଦରମା ଧାର୍ଯ୍ୟ ହେବ ।

୩୦ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୫୦ଟି ଲେଖାଏ ଏଲଟିଆରଏମଓ ନିଯୁକ୍ତ ହେବେ । ଏହା ସହ ଆରଜିଏଚ ରାଉରକେଲାରେ ୨୦ଜଣ ନିଯୁକ୍ତି ପାଇବେ । ସେହିପରି ୩୨ଟି ଉପଖଣ୍ଡ ହସ୍ପିଟାଲରେ ୧୫ଜଣ ଲେଖାଏ ଏଲଟିଆରଏମଓ ନିଯୁକ୍ତ ହେବେ ।

‘କାସା ବକାର୍ଡି ଅନ୍ ଟୁର୍‌’ ମ୍ୟୁଜିକ୍ କନ୍‌ସର୍ଟରେ ଯୋଗଦେବେ ନ୍ୟୁକ୍ଲିୟା

ଭୁବନେଶ୍ୱର: ଜଣାଶୁଣା ପାନୀୟ ବ୍ରାଣ୍ଡ୍ ବକାର୍ଡି, ଭୁବନେଶ୍ୱରବାସୀଙ୍କୁ ଏକ ନିଆରା ଅନୁଭୂତି ଦେବା ପାଇଁ, ଦେଶର ସବୁଠାରୁ ଲୋକପ୍ରିୟ ତଥା ସ୍ୱାଧୀନ କଳାକାର ନ୍ୟୁକ୍ଲିୟା ଏବଂ ଅନ୍ୟତମ ଡିଜେ ଗୁର୍‌ବାକ୍ସ୍‌ଙ୍କ ସହିତ ‘କାସା ବକାର୍ଡି ଅନ୍ ଟୁର୍‌’ ମ୍ୟୁଜିକ୍ କନ୍‌ସର୍ଟର ଆୟୋଜନ କରିଛି । ୧୯ ନଭେମ୍ବର,୨୦୨୨ ଶନିବାର ଦିନ ଅପରାହ୍ନ ୫ଟାରେ ଆରମ୍ଭ ହେଉଥିବା ଏହି ବଡ ପାର୍ଟୀ ଏମ୍ବାସୀ କନସର୍ଟ, ସିମ୍ପୋନୀ ମଲ୍‌ରେ ଅନୁଷ୍ଠିତ ହେବ ।

ବ୍ରାଣ୍ଡ୍ ବକାର୍ଡିର ସିନିୟର୍ ମ୍ୟାନେଜର୍ ସମିସ୍କା ୟୁନିୟାଲ୍ ଏହି କାର୍ଯ୍ୟକ୍ରମ ବିଷୟରେ କହିଛନ୍ତି, “ସହରରେ ସଙ୍ଗୀତର ଭଲପାଇବା ଅଧିକ ରହିଥିବାରୁ, ଆମେ ନ୍ୟୁକ୍ଲିୟାଙ୍କୁ ଭୁବନେଶ୍ୱର ଆଣିବାକୁ ବହୁତ ଆଗ୍ରହୀ । ଇଭେଣ୍ଟ୍ ଘୋଷଣା ହେବା ଦିନଠାରୁ ଆମେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଅନୁଭବ କରିପାରିଛୁ । ଏହାର ପ୍ରତିକ୍ରିୟା ସମ୍ପୂର୍ଣ୍ଣ ଅଭୁତପୂର୍ବ ରହିଛି ଏବଂ ‘କାସା ବକାର୍ଡି ଅନ୍ ଟୁର୍‌’ ସହିତ ସହରକୁ ଏହି ଅନୁଭୂତି ଦେବା ପାଇଁ ଆମେ ଅପେକ୍ଷା କରିଛୁ ।”

ନ୍ୟୁକ୍ଲିୟା ତଥା ଉଦୟାନ୍ ସାଗର୍ ଭାରତ ପାଇଁ ସ୍ୱତନ୍ତ୍ର ବେସ୍ ସଙ୍ଗୀତର ଅଭିଧାନ ବନେଇଛନ୍ତି । ତାଙ୍କର ଟ୍ରାକ୍ ‘ଲେଟ୍ସ୍ ନାଚୋ’ ଏବଂ ‘ପେନ୍ତ୍ରା’ କପୁର୍ ଆଣ୍ଡ୍ ସନ୍ସ୍ ଏବଂ ମୁକ୍କାବାଜ୍ ଭଳି ବଲିଉଡ ଚଳଚିତ୍ରରେ ସ୍ଥାନ ପାଇଛି । ୟୁଟ୍ୟୁବ୍‌ରେ ୧.୪୮ମିଲିୟନ୍ ସବ୍‌ସ୍କ୍ରାଇବର୍‌ଙ୍କ ସହ ସେ ତାଙ୍କ ସଙ୍ଗୀତ ପାଇଁ ନିଆରା ଦର୍ଶକ ଅର୍ଜନ କରିଛନ୍ତି ।
ବକାର୍ଡି ଏକ୍ସପିରିୟନ୍‌ସେସ୍ ଦ୍ୱାରା ଉପସ୍ଥାପିତ ଓ ଡବ୍ଲୁଏମ୍‌ଏସ୍ ଦ୍ୱାରା ପ୍ରଯୋଜିତ ଏହି କାର୍ଯ୍ୟକ୍ରମ ପ୍ରମୋସନ୍ ସହଭାଗୀ ସିଗ୍‌ନେଚର୍ ୨୪ ପ୍ରଡକ୍ସନ୍ସ ଆୟୋଜନ କରିଛି ।

ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଗର୍ଭଗୃହ ଭିତରର ଫଟୋ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଛି ପ୍ରଶ୍ନ । ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଗର୍ଭଗୃହ ଭିତରର ଫଟୋ । ଆକାଶ ଚୌଧୁରୀ ନାମରେ ଥିବା ଫେସବୁକ ଆକାଉଣ୍ଟରୁ ଏହି ଫଟୋସବୁ ଭାଇରାଲ କରାଯାଇଛି । ଶ୍ରୀମନ୍ଦିର ଭିତରର ଫଟୋ ଅନେକ ବାର ଭାଇରାଲ ହୋଇଥିବା ସତ୍ତ୍ବେ ଏବେ ଗର୍ଭଗୃହ ଭିତରର ଫଟୋ କିପରି ଭାଇରଲ ହେଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ପୂର୍ବରୁ ଭିତର ବେଢାର ଭିଡିଓ ଭାଇରାଲ ହୋଇଥିବା ଏବେ ଗର୍ଭ ଗୃହ ଭିତରର ଫଟୋ ଭାଇରାଲ ହୋଇଛି । ତେଣୁ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କେତେ କଡ଼ାକଡ଼ି ତାକୁ ନେଇ ଉଠିଛି ପ୍ରଶ୍ନ । ଅନେକ ଥର ପୁରୀ ଶ୍ରୀମନ୍ଦିରର ଫଟୋ ଭାଇକରାଲ ହୋଇଥିବା ସ୍ୱତେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  । ସବୁଠୁ ବଡ଼ ପ୍ରଶ୍ନ ମନ୍ଦିର ପୋଲିସ ଉପରେ ରହିଛି  । ମନ୍ଦିରକୁ ମୋବାଇଲ ବାରଣ ସ୍ୱତେ କେମିତି ପ୍ରବେଶ କରୁଛି ମୋବାଇଲ  । କାହିଁକି ସୁରକ୍ଷାରେ ଢିଲା ପଡୁଛି ପୋଲିସ  ।

PMଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଓଡିଶା ପାଇଁ ହେଉ ଏକକ ରେଳବାଇ ଜୋନ..

ଭୁବନେଶ୍ୱର: ଓଡିଶା ପାଇଁ ହେଉ ଏକକ ରେଳବାଇ ଜୋନ । ରାଜ୍ୟର ସବୁ ରେଳପଥକୁ ଗୋଟିଏ ଜୋନ ଅଧିନକୁ ଅଣାଯାଉ । ଏନେଇ ପୂର୍ବରୁ ବାରମ୍ବାର ଦାବି ହେଉଥିବା ବେଳେ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ବାରମ୍ବାର ଦାବି ପରେ ୨୦୦୩ରେ କେନ୍ଦ୍ର ସରକାର ରାଜ୍ୟ ପାଇଁ ସ୍ବତନ୍ତ୍ର ପୂର୍ବତଟ ରେଳବାଇ ଜୋନ ଗଠନ କରିଥିଲେ । ଏବେ କିନ୍ତୁ କେନ୍ଦ୍ର ସରକାର ବିଶାଖାପଟଣାରେ ଦକ୍ଷୀଣ ତଟ ରେଳବାଇ ଜୋନ ଗଠନ କରିବାକୁ ପ୍ରସ୍ତାବ ରଖିଛନ୍ତି । ଏହାଦ୍ବାରା ପୂର୍ବତଟ ରେଳବାଇ ବ୍ୟାପକ ଭାବେ ପ୍ରଭାବିତ ହେବ ।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଓଡିଶା ପାଇଁ ଏକକ ରେଳବାଇ ଜୋନ ଗଠନ କରିବାକୁ ଦାବି କରିଛନ୍ତି । ଓଡିଶା ମଧ୍ୟ ଦେଇ ଯାଇଥିବା ସବୁ ରେଳପଥକୁ ପୂର୍ବତଟ ରେଳବାଇ ଅଧିନକୁ ଆଣିବାକୁ ଦାବି କରିଛନ୍ତି ନବୀନ । ଏଥିପାଇଁ ରାଉଲକେଲା, ଯାଜପୁର କିମ୍ବା ଯାଜପୁର-କେନ୍ଦୁରଝର ରୋଡ ଓ ରାୟଗଡା ଠାରେ ତିନୋଟି ନୂଆ ରେଳବାଇ ଡିଭିଜନ ଗଠନ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଦକ୍ଷୀଣ-ପୂର୍ବ ରେଳପଥ ଅଧିନରେ ଥିବା ଝାରସୁଗୁଡା-ବର୍ସୁଆଁ-କିରିବୁରୁ ରେଳପଥ, ରାଉଲକେଲା-ନୂଆଗାଁ ଓ ଦକ୍ଷୀଣ-ପୂର୍ବ-କେନ୍ଦ୍ରୀୟ ରେଳ ଡିଭିଜନ ଅଧିନରେ ଥିବା ଝାରସୁଗୁଡା-ହିମଗିରି ରେଳପଥକୁ ପ୍ରସ୍ତାବିତ ରାଉଲକେଲା ରେଳ ଡିଭିଜନ ସହ ସାମିଲ କରାଯାଉ ।

ସେହିଭଳି ଯାଜପୁର କିମ୍ବା ଯାଜପୁର-କେନ୍ଦୁଝର ରୋଡ ଡିଭିଜନରେ ବାଂଶପାଣୀ-ପଦପାହାଡ, ରୁପସା-ବାଙ୍ଗିରିପୋଷି ଓ ଭଦ୍ରକ-ଲକ୍ଷଣନାଥ ରୋଡ ରେଳପଥକୁ ନୂଆ ଡିଭିଜନ ଅଧିନକୁ ଅଣାଯାଉ । ସେହିଭଳି ରାୟଗଡାରେ ମଧ୍ୟରେ ପୂର୍ବତଟ ରେଳବାଇ ଜୋନ ଅଧିନରେ ଏକ ନୂଆ ଡିଭିଜନ ଗଠନ କରାଯାଉ । ଏହି ଡିଭିଜନରେ ନୂଆପଡା-ଗୁଣପୁର, ରାୟଗଡା-ଟିଟଲାଗଡ-ରାୟପୁର, କୋରାପୁଟ-ରାୟଗଡା, କୋରାପୁଟ-ଜୟପୁର-ଜଗଦଲପୁର-କିରାଣ୍ଡୁଲ ଏବଂ ଲାଂଜିଗଡ ରୋଡ-ଜୁନାଗଡ ରେଳପଥକୁ ସାମିଲ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହିତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରସ୍ତାବିତ ରେଳପଥ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଏହାଦ୍ବାରା ରାଜ୍ୟରେ ରେଳବାଇ ମଧ୍ୟରେ ସହଜରେ ସମ୍ବନୟ ରକ୍ଷା କରାଯାଇପାରିବ । ରେଳପଥକୁ ଓଡିଶା ସର୍ବାଧିକ ଟିକସ ଦେଉଥିଲେ ବି କେନ୍ଦ୍ରର ପ୍ରସ୍ତାବିତ ନୂଆ ଡିଭିଜନ ଦ୍ବାରା ଓଡିଶାର ଆୟ ବ୍ୟାପକ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଗତ ସାତ ବର୍ଷ ହେଲା ରାଜ୍ୟ ସରକାର ଓଡିଶା ପାଇଁ ଏକକ ରେଳବାଇ ଜୋନ ଗଠନ କରିବାକୁ ଦାବି କରିଆସୁଛନ୍ତି ।

ପଦମପୁର ବିଜେପି ପ୍ରଚାରରେ ରାଜ୍ୟ ସରକାରଙ୍କୁ ପ୍ରଶଂସା

ପଦମପୁର: ବିଜେପି ପ୍ରଚାରରେ ରାଜ୍ୟ ସରକାରଙ୍କୁ ପ୍ରଶଂସା । କଥାଟା ଖଟକା ଲାଗୁଥିଲେ ବି ସତ । ପଦମପୁର ଉପନିର୍ବାଚନ ପାଇଁ ଏବେ ସବୁ ଦଳ ପ୍ରଚାର ଜୋରଦାର କରିଛନ୍ତି । ବିରୋଧ ଦଳ ସରକାର ବିରୋଧରେ ଭୋଟ ମାଗୁଥିବା ବେଳେ ପଦମପୁରବାସୀ କିନ୍ତୁ ସରକାରୀ ଯୋଜନାର ସଫଳତାକୁ ନେଇ ଶତମୁଖ ।

ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରଚାର କରୁଥିବା ସମୟରେ ତାଙ୍କର ଜଣେ ସମର୍ଥକ ରାଜ୍ୟ ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନାକୁ ପ୍ରଶଂସା କରିଛନ୍ତି । ପଦମପୁରବାସୀ ସବୁ ସରକାରୀ ଯୋଜନା ଏପରିକି କାଳିଆ ସହାୟତାର ସୁଫଳ ପାଉଥିବା କହିଛନ୍ତି ଜଣେ ବିଜେପି ସମର୍ଥକ ।

ପୂର୍ବରୁ ମଧ୍ୟ ବିଜେପି ରାଲିରେ ନବୀନ ପଟ୍ଟନାୟକଙ୍କ ସ୍ଲୋଗାନ ଦେଖିବାକୁ ମିଳିଥିଲା  । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବାବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା  ।ଯେଉଁଥିରେ ଜଣେ କର୍ମୀ ନବୀନ ପଟ୍ଟନାୟକଙ୍କ ସ୍ଲୋଗାନ ଦେଇଥିଲେ  ।

ବ୍ରାଉନସୁଗାର କାରବାରରେ ଚୋରା ବନ୍ଧୁକ ଲିଙ୍କ୍

ଭୁବନେଶ୍ୱର: ଅପରେସନ ହ୍ବାଇଟ ସ୍ପାଇଡରକୁ ଜୋରଦାର କଲା କମିଶନରେଟ ପୋଲିସ । ପଦାକୁ ଆସିଲା ବ୍ରାଉନସୁଗାର କାରବାରରେ ଚୋରା ବନ୍ଧୁକ ଲିଙ୍କ । ୧୨ ଗ୍ରାମ ବ୍ରାଉନ ସୁଗାର କାରବାର ଅଭିଯୋଗରେ ଅନ୍ଧାରୁଆର ପିଣ୍ଟୁନା ଓରଫ କାହ୍ନା ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭରତପୁର ଥାନା ପୋଲିସ । ଡିଲ ବେଳେ ସୁରକ୍ଷା ଲାଗି ପାଖରେ ବନ୍ଧୁକ ରଖୁଥିଲା ପିଣ୍ଟୁନା । ବନ୍ଧୁକ କେଉଁଠାରୁ ଆଣିଥିଲା ତାହା ପୋଲିସ ତଦନ୍ତ କରୁଛି ।

ଜବତ ହୋଇଥିବା ବନ୍ଧୁକଟି ଲାଇସେନ୍ସ ନଥିଲା । ଚଳିତ ବର୍ଷ ଭରତପୁର ଥାନାରେ ୧୯ଟି ମାମଲା ରୁଜୁ ହୋଇଛି । ୩୨୦ ଗ୍ରାମ ଗଞ୍ଜେଇ ଓ ୭୨ ଗ୍ରାମ ବ୍ରାଉନସୁଗାର ଜବତ ବୋଇଥିବା ବେଳେ ୩୨ ଜଣଙ୍କୁ ଗିରଫ କରିଛି ପୋଲିସ । ସେପଟେ ଧଉଳି ଥାନା ପୋଲିସ ଦ୍ବାରା ୪୨ କେଜି ଗଞ୍ଜେଇ ଜବତ ହୋଇଛି । କେଶୁରା ପଟୁ ଦୟା ନଦୀବନ୍ଧ ଦେଇ ଚାଲାଣ କରୁଥିବା ବେଳେ ୩ ଜଣଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ଧଉଳି ଥାନା ପୋଲିସ । ସେମାନଙ୍କ ଠାରୁ ଗୋଟିଏ କାର ଜବତ ହୋଇଛି ।

ଚଳନ୍ତା ମୋଟର ସାଇକେଲରେ କାମୁଡିଲା ନାଗ..

ଦିନ ପ୍ରାୟ ୧୨ ଟା ବାଜିବ । ସଡାଙ୍ଗୋଇ, ଡେଲାଙ୍ଗ, ପୁରୀ ସ୍ଥିତ ଏକ ଫର୍ଣିଚର ଦୋକାନରୁ ମୋଟର ସାଇକେଲ ଧରି ଘରକୁ ଖାଇବାକୁ ବାହାରିଲେ ସୁକାନ୍ତ ସାମନ୍ତରାୟ । ପିନ୍ଧିଥିଲେ ଏକ ଫୁଲ ଶାର୍ଟ ଏବଂ ହାଫ ପ୍ୟାଣ୍ଟ । ମାତ୍ର ଶହେ ମିଟର ଯିବା ପରେ ଡାହାଣ ପାଟ ଗୋଇଠି ଉପରକୁ କଣ ଗୋଟେ କାମୁଡ଼ିଲା ଭଳି ମନେହେଲା । ତାହାକୁ ଭ୍ରୂକ୍ଷେପ କଲେନି ସୁକାନ୍ତ । ସେହିପରି ମୋଟର ସାଇକେଲ ଚଳେଇବାକୁ ଲାଗିଲେ । ଆଉ ଶହେ ମିଟର ବାଟ ଯିବା ପରେ ଏଥର କିନ୍ତୁ ସମାନ ଜାଗାରେ କିଛି ଗୋଟେ ଜୋର ରେ କାମୁଡିବା ଭଳି କଣ ପଡିଲା ସୁକାନ୍ତଙ୍କୁ । ଡାହାଣ ଗୋଡକୁ ଅନେଇ ଦେଖନ୍ତି ତ ଗୋଇଠି ଉପରୁ ରକ୍ତ ବାହାରୁଛି ଏବଂ ମୋଟର ସାଇକେଲ ରେ ଏକ ନାଗ ସାପ ଫଣା ଟେକି ଠିଆ ହୋଇଛି । ବିକଳରେ ମୋଟର ସାଇକେଲ ହ୍ୟାଣ୍ଡେଲ ଛାଡି ତଳକୁ ଡେଇଁ ପଡିଲେ ସୁକାନ୍ତ । ଉଭୟ ଚାଳକ ଏବଂ ମୋଟର ସାଇକେଲ ତଳେ ପଡିଲା । ପାଖରେ ଥିବା ଲୋକେ ଧାଇଁ ଆସି ସୁକାନ୍ତକୁ ଖୋଲା ଯାଗାକୁ ନେଇ ଗଲେ । ତେବେ, ନାଗ ସାପ କୁ ଦେଖିବା ପରେ ଆଉ ମୋଟର ସାଇକେଲ କୁ କେହି ଉଠେଇଲେ ନାହିଁ ।

ସୁକାନ୍ତଙ୍କର ଦାଦା ପୁଅ ଭାଇ ଦିଲିପ ସାମନ୍ତରାୟ ଅନ୍ୟ ଏକ ମୋଟର ସାଇକେଲରେ ସୁକାନ୍ତଙ୍କୁ ବସେଇ କ୍ୟାପିଟାଲ ହସପିଟାଲ ଅଭିମୁଖେ ଦ୍ରୁତ ଗତି ରେ ଚଳେଇବାକୁ ଲାଗିଲେ । ତେବେ, ସୁନ୍ଦରପଦା ପାଖରେ ସୁକାନ୍ତଙ୍କୁ ଅନ୍ଧାର ଅନ୍ଧାର ଦେଖାଯିବା ସହିତ ତାଙ୍କର ମୁଣ୍ଡ ବୁଲାଉଥିବା କହିବାରୁ, ଦିଲ୍ଲିପ ମଧ୍ୟ ଭୟ ପାଇଗଲେ । ସୁନ୍ଦରପଦାରେ ଗୋଟିଏ ଦୋକାନ ପାଖରେ ନିଜର ମୋଟର ସାଇକେଲ ରଖି ଦେଇ, ଏକ ଅଟୋ ଭଡା କରି କ୍ୟାପିଟାଲ ହସପିଟାଲ କୁ ସୁକାନ୍ତଙ୍କୁ ପହଞ୍ଚେଇ ଥିଲେ । କ୍ୟାପିଟାଲ ହସ୍ପିଟାଲରେ ସୁକାନ୍ତଙ୍କର ଅବସ୍ଥା ଦେଖି ତୁରନ୍ତ ଚିକିତ୍ସା ଆରମ୍ଭ ହୋଇଥିଲା । ଡ୍ୟୁଟି ରେ ଥିବା ଡାକ୍ତର ପ୍ରଥମ ଡୋଜ ରେ ସୁକାନ୍ତ ଙ୍କୁ ୧୦ ଭାଏଲ ଆଣ୍ଟି ଭେନମ ଦେଇଥିଲେ । ସୁକାନ୍ତ ଅବସ୍ଥା ଏବ ଭଲ ଅଛି, ଏବଂ ସେ ସମ୍ପୂର୍ଣ୍ଣ ବିପଦ ମୁକ୍ତ ଅଛନ୍ତି ।

ତେଣେ, ସୁକାନ୍ତଙ୍କୁ କାମୁଡ଼ିଥିବା ନାଗ ସାପଟି ସେମିତି ରାସ୍ତାରେ ପଡିଥିବା OD 33 C 2589 ହିରୋ ମୋଟର ସାଇକେଲ ରେ ସେମିତି ଥିଲା । ସ୍ଥାନୀୟ ଲୋକେ ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଙ୍କୁ ଫୋନ କରି ଏଇ ଘଟଣା ବିଷୟରେ ଜଣେଇଥିଲେ । ଖବର ପାଇ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ପ୍ରାୟ 2 ଟା ବେଳେ ସଡାଙ୍ଗୋଇ ଗ୍ରାମରେ ପହଞ୍ଚିଲା ବେଳକୁ କିନ୍ତୁ ସାପଟି ଆଉ ଦେଖା ଯାଉ ନଥିଲା । ଯେହେତୁ ଶତାଧିକ ଲୋକେ ମୋଟର ସାଇକେଲ କୁ ଘେରିକି ଥିଲେ, ଏଣୁ ସାପ ନିଶ୍ଚୟ ଟା ଭିତରେ କେଉଁଠି ଅଛି କହିବା ପରେ ସୁଶାନ୍ତ ପ୍ରଥମେ ମୋଟର ସାଇକେଲ ର ସିଟ ଖୋଲିଲେ । ଟା ପରେ ଦୁଇ ପାଟ ସାଇଡ ପ୍ୟାନେଲ ଏବଂ ଚୟନ କଭର ମଧ୍ୟ ଖୋଲିଥିଲେ । ଚେନ ଷ୍ପକେଟ ଖୋଳିବା ପରେ ଭିତରେ ନାଗ ସାପ ଦେଖା ଗଲା । କିନ୍ତୁ ଚେନ ଷ୍ପକେଟ ରେ ପେଶୀ ହୋଇଯାଥିବାରୁ ତାକୁ ବାହାର କରିବା ସମ୍ଭବ ନଥିଲା । ଗାଡିକୁ ଟିକେ ପଛକୁ ଆଣିବା ପରେ ସାପ ଟି ଚେନ ରେ ପେଶୀ ହୋଇଥିବା ଅବସ୍ଥାରେ ବାହାରକୁ ଆସିଲା ସତ କିନ୍ତୁ, ଚେନ ଋ ବାହାରି ଉପରକୁ ଉଠିଗଲା । ଯତ୍ନ ର ସହିତ 3 ଫୁଟ ଲମ୍ବର ନାଗ ସାପଟି କୁ ଉଦ୍ଧାର କରିଥିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ । ସୁଶାନ୍ତ ବେହେରା କହିଛନ୍ତି “ସାପଟି କୁ ମୁଁ ଉଦ୍ଧାର କରିଲି ସତ କିନ୍ତୁ, ଯେହେତୁ ସାପର ଲାଙ୍ଗୁଳ ପଟୁ ଚେନ ଓ ଲିଭର ମଝିରେ ପେଶୀ ହୋଇ ତାର ଅନ୍ତଃବୁଜୁଳା ବାହାରି ପଡିଥିଲା, ତାହା ଆଉ ବଞ୍ଚିବା ଅସମ୍ଭବ” ।

ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି “ଏଇ ଭଳି ଚଳନ୍ତା ମୋଟର ସାଇକେଲ ରେ କାହାକୁ ନାଗ ସାପ କାମୁଡିବା ସମ୍ଭବତଃ ବିଶ୍ବରେ ପ୍ରଥମ ଘଟଣା । ଉପସ୍ଥିତ ଦେଖଣାହାରୀ ଲୋକମାନେ ସମୟ ନଷ୍ଟ ନକରି ଠିକ ସମୟରେ ସୁକାନ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚେଇ ଥିବାରୁ ତାଙ୍କର ଜୀବନ ବଞ୍ଚିଗଲା” ।

ଭୋଟର ଦୁଆରେ ପଖାଳ ଖାଇଲେ ବର୍ଷା ସିଂ ବରିହା

ପଦମପୁର: ଗାଁ ଗାଁ ପଡ଼ା ପଡ଼ା ବୁଲୁଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା  । ଭୋଟରଙ୍କ ସହ ମିଶୁଛନ୍ତି, କାମ କରିବାର ସୁଯୋଗ ମାଗୁଛନ୍ତି  । ସାଧାରଣ ଲୋକଙ୍କ ସହ ମିଶିବାର ତରିକା ତାଙ୍କୁ ଲୋକଙ୍କ ନିକଟତର କରିଛି  । ଆଜି  ପଦମପୁରରେ ପ୍ରଚାର କରିବା ସମୟରେ ବର୍ଷା ଭୋଟରଙ୍କ ଦୁଆରେ ବସି ପଖାଳ ଖାଇଥିଲେ  । ଯାହା ତାଙ୍କୁ ସାଧାରଣ ଲୋକଙ୍କ ସହ ଜଡ଼ିତ କରିଛି  । ସ୍ଥାନୀୟ ଅଞ୍ଚଳରେ ପ୍ରାର୍ଥୀଙ୍କ ସରଳତାକୁ ନେଇ ଚର୍ଚ୍ଚା ହେଉଛି  ।

ଉପନିର୍ବାଚନ ପାଇଁ ଜୋରାଦାର ପ୍ରଚାର କରୁଛି ବିଜେଡି । ବାପା ବିଜୟ ରଞ୍ଜନ ସିଂ ବରିହାଙ୍କ ଜନ୍ମଦିନରେ ଫଟୋରେ ଫୁଲ ମାଳ ଦେଇ ଗାଁ ଗାଁ ବୁଲୁଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ବାପାଙ୍କ ଦେହାନ୍ତ ପରେ ଭାଙ୍ଗିପଡ଼ିଥା ବର୍ଷାଙ୍କ ପ୍ରତି ବଢୁଛି ସମର୍ଥନ । ଝିଅ ଭଳି ଆପଣାଇନେଇଛନ୍ତି ଗାଁ ଲୋକ । ବର୍ଷାଙ୍କୁ ଜିତାଇବାକୁ ପଣ କରିଛନ୍ତି ମହିଳାମାନେ । ଚଣ୍ଡିଭଟାରେ ଦେଖିବାକୁ ମିଳିଛି ବର୍ଷାଙ୍କ ପ୍ରତି ଭଲପାଇବାର ଏକ ନିଆରା ଦୃଶ୍ୟ । ଆଖିର ଲୁହ ପୋଛିଦେଇ ଗୋଟିଏ କଂସାରେ ପଖାଳ ଖୁଆଇଦେଉଛନ୍ତି ମହିଳା ।

ହିତାଧିକାରୀଙ୍କୁ ମିଳିବ ଶୀତକାଳୀନ ସହାୟତା

ଭୁବନେଶ୍ୱର:  ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ରାଜ୍ୟ ସରକାର ଶୀତକାଳୀନ ସହାୟତା ପ୍ରଦାନ କରିବେ । ପ୍ରତ୍ୟେକ ହିତାଧିକାରୀଙ୍କୁ ସେ ବାବଦରେ ଏକକାଳିନ ତିନି ଶହ ଟଙ୍କା ପ୍ରଦାନ କରାଯିବ । ଡିସେମ୍ବର ମାସରେ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଏଥି ଅର୍ଥ ଜମା କରାଯିବ । ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୪୮ ଲକ୍ଷରୁ ଅଧିକ ହିତାଧୀକାରିଙ୍କୁ ଶୀତକାଳିନ ସହାୟତା ପ୍ରଦାନ କରାଯିବ  ।

ରାଜ୍ୟ ସରକାର ସହାୟତା ବାବଦରେ ୧୪ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ସାମାଜିକ ସୁରକ୍ଷା ଓ ଭିନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କୁହାଯାଇଛି । ପୂର୍ବରୁ ହିତାଧୀକାରିଙ୍କୁ ଗ୍ରୀଷ୍ମକାଳୀନ ସହାୟତା ୧୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡ଼ିଶା ବାସୀଙ୍କ ସ୍ୱାର୍ଥ ପାଇଁ ଅନେକ ଘୋଷଣା କରିଛନ୍ତି  ।

ଶୀତ ଋତୁରେ ଶୀତକାଲୀନ ସହାୟତା, ଗ୍ରୀଷ୍ମ ଦିନରେ ଛତା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ  । ଅନ୍ୟପଟେ ଚଳିତବର୍ଷ ରାଜ୍ୟ ସରକାର ପୁରୀରେ ରହୁଥିବା ହବିଷ୍ୟାଳୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ  । ରହିବା ପାଇଁ ବହୁତଳ ପ୍ରାସାଦ ବୃନ୍ଦାବତୀ ନିବାସରେ ବ୍ୟବସ୍ଥା କରାଯାଇଥିବାବେଳେ ଖାଦ୍ୟ ଏବଂ କମ୍ବଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା  ।