ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରଣାଳୟରେ ଧରାପଡ଼ିଲା ପାକିସ୍ତାନୀ ଏଜେଣ୍ଟ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିଲା ଏଜେଣ୍ଟ । ବୈଦେଶିକ ମନ୍ତ୍ରାଳୟର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ପଠାଇଥିବା ଜଣାପଡ଼ିଛି । ଆଇଏସଆଇ ଦ୍ୱାରା ହନିଟ୍ରାପର ଶିକାର ହୋଇଥିଲା ପାକିସ୍ତାନୀ ଏଜେଣ୍ଟ । ବୈଦେଶିକ ମନ୍ତ୍ରାଳୟରେ ସେ ଡ୍ରାଇଭର ଭାବେ କାମ କରୁଥିଲା । ଦିଲ୍ଲୀ ପୋଲିସ ଓ ତଦନ୍ତକାରୀ ସଂସ୍ଥା ଦ୍ୱାରା ତାଙ୍କୁ ଗିରଫ କରାଯାଇଛି । କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେ ଆଇଏସଆଇକୁ ପଠାଇଛି ତା ଉପରେ ଯାଞ୍ଚ କରାଯାଉଛି ।
ଦିଲ୍ଲୀ ଶ୍ରଦ୍ଧା ଓ୍ୱାକର ହତ୍ୟା ମାମଲା, କଟାଅଙ୍ଗ ଠାବ ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ
ନୂଆଦିଲ୍ଲୀ: ଲିଭ-ଇନ ପାର୍ଟନର ଶ୍ରଦ୍ଧା ଓ୍ୱାକରଙ୍କ ଶରୀରର କଟା ଅଂଶ ପଡ଼ିଛି କେଉଁଠି? କେଉଁ କେଉଁ ଅଞ୍ଚଳରେ କଟା ଅଙ୍ଗ ଫୋପାଡିଛି ହତ୍ୟା ଅଭିଯୁକ୍ତ ଅଫତାବ ଅମିନ ପୁନାଓ୍ବାଲା? ଏନେଇ ଦିଲ୍ଲୀ ପୋଲିସ ଆରମ୍ଭ କରିଛି ସର୍ଚ୍ଚ ଅପରେସନ । ଏଥିରେ ସାମିଲ ହେବା ଲାଗି ପୋଲିସର ସମସ୍ତ ୟୁନିଟକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ମେ ମାସରେ ଘଟିଥିବା ଲୋମହର୍ଷକ ହତ୍ୟାକାଣ୍ଡ ପରେ ଅଫତାବ ପ୍ରେମିକା ଶ୍ରଦ୍ଧାଙ୍କ ଶରୀରକୁ ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫୋପାଡିଥିଲା । ସେହି ଅଂଶଗୁଡ଼ିକୁ ବର୍ତ୍ତମାନ ଠାବ କରିବା କଷ୍ଟକର ହୋଇଥିବାବେଳେ ପୋଲିସ ଏହି ଚାଲେଞ୍ଜକୁ ଗ୍ରହଣ କରିଛି । ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବି ଗୁରୁଗ୍ରାମ ଯାଇ ସେଠାରେ ସର୍ଚ୍ଚ ଅପରେସନ ଜାରି ରଖିଛି । ଏପରିକି ୧୫ ଜିଲ୍ଲାରେ ଅବସ୍ଥାପିତ ୧୭୮ ପୋଲିସ ଅଧିକାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି ।
ଗତ ମେ ମାସରେ ହତ୍ୟାକାଣ୍ଡ ପରେ ଶ୍ରଦ୍ଧାଙ୍କ ଶରୀରର ବିଭିନ୍ନ ଅଂଶକୁ ଅଫତାବ ମେ, ଜୁନ, ଜୁଲାଇ ମଧ୍ୟରେ ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା । ଗତ ସପ୍ତାହରେ ମେହରୁଲି ଅଞ୍ଚଳରୁ ପ୍ରାୟ ୧୦ ବ୍ୟାଗ ଅଙ୍ଗପ୍ରତ୍ୟଙ୍ଗ ମିଳିଥିଲା । ସେପଟେ ଅଧିକ ଜେରା ଲାଗି ଅଫତାବକୁ ପୋଲିସ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ନେବ ବୋଲି ସୂଚନା ମିଳିଛି । ଗତ ଜୁନରେ ତ୍ରିଲୋକପୁରୀ ଅଞ୍ଚଳରେ ପୋଲିସ ଏକ କଟାମୁଣ୍ଡ ଓ କଟା ହାତ ଜବତ କରିଥିବା ଘଟଣା ସହ ଏହି ଘଟଣାର ସମ୍ପର୍କ ଥିବା ଆଶଙ୍କା କରୁଛି ପୋଲିସ ।
ସେପଟେ ପଦାକୁ ଆସିଲା ଶ୍ରଦ୍ଧାଙ୍କ ଆହତ ଅବସ୍ଥାର ଫଟୋ । ତାଙ୍କ ନାକରେ ଦାଗ ଥିବା ସହ ମୁହଁରେ କେତେକ ମାଡ ଚିହ୍ନ ଥିବା ଫଟୋରେ ସ୍ପଷ୍ଟ ହୋଇଛି । ତେଣେ ଗତ ମେ ୧୮ ତାରିଖରେ ମାରିଜୁଆନା ଖାଇ ଶ୍ରଦ୍ଧାଙ୍କ ବେକକୁ ଚିପି ଦେଇଥିଲା ବୋଲି ସ୍ୱୀକାର କରିଛି ଅଫତାବ । ମୁମ୍ବାଇରୁ ଦିଲ୍ଲୀକୁ ଆସିବା ପରେ ସେମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ ଏବଂ ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ସେପଟେ ଘଟଣାର ଅଧିକ ତଦନ୍ତ ଲାଗି ମୁମ୍ବାଇର ଭାସାଇକୁ ଯାଇଛି ଦିଲ୍ଲୀ ପୋଲସର ଏକ ଟିମ୍ ।
ଭାରତ ଯୋଡ଼ ଯାତ୍ରା ମଝିରେ ରାହୁଲଙ୍କୁ ହତ୍ୟା ଧମକ
ଇନ୍ଦୋର: ଭାରତ ଯୋଡ଼ ଯାତ୍ରା ମଝିରେ ରାହୁଲଙ୍କୁ ହତ୍ୟା ଧମକ । ଇନ୍ଦୋରର ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲଙ୍କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି । ଜୁନି ଇନ୍ଦୋର ଥାନା ଅଞ୍ଚଳରେ ଥିବା ଏକ ମିଠା ଦୋକାନରୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି । ୨୪ ନଭେମ୍ବର ସୁଦ୍ଧା ରାହୁଲଙ୍କ ଭାରତ ଯୋଡ଼ ପଦଯାତ୍ରା ଇନ୍ଦୋରରେ ପହଞ୍ଚିବ । ସେଠାରେ ଖାଲସା ଷ୍ଟାଡିୟମରେ ରାହୁଲ ରାତ୍ରୀ ବିଶ୍ରାମ କରିବା କାର୍ଯ୍ୟକ୍ରମ ରହିଛି । ସେହି ସମୟରେ କିଛି ଅଘଟଣ କରିବା ଯୋଜନା କରାଯାଇଛି ବୋଲି ପୋଲିସ ସନ୍ଦେହ କରୁଛି ।
ରାହୁଲଙ୍କ ମନ୍ତବ୍ୟକୁ ନେଇ ଏଭଳି ହତ୍ୟା ଧମକ ମିଳିଥିବା ଜଣାପଡ଼ିଛି । ଅନ୍ୟପଟେ ମୁମ୍ବାଇରେ ମଧ୍ୟ ଆଜି ରାହୁଲଙ୍କ ମନ୍ତବ୍ୟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ସେପଟେ ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାରେ ଆଜି ସକାଳୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଥିରେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ସାମିଲ ହୋଇଥିଲେ । ଏହାସହ ବହୁ ଲେଖକ ଓ ସାମାଜିକ କର୍ମୀ ପଦଯାତ୍ରାରେ ଯୋଡ଼ି ହୋଇଥିଲେ । ସେପ୍ଟେମ୍ବର ୭ ତାରିଖରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ପଦଯାତ୍ରା ଆସନ୍ତା ୨୦ ତାରିଖରେ ମଧ୍ୟପ୍ରଦେଶରେ ପ୍ରବେଶ କରିବ। ଫେବୃଆରୀ ଶେଷ ସୁଦ୍ଧା ଏହି ପଦଯାତ୍ରା କାଶ୍ମୀରରେ ପହଞ୍ଚିବ ।
ନୂଆଦିଲ୍ଲୀରେ ଦୁଇଦିନିଆ ‘ନୋ ମନି ଫର ଟେରର’ ସମ୍ମିଳନୀ, ଆତଙ୍କବାଦୀଙ୍କୁ ପାଣ୍ଠି ବିରୋଧରେ ସାରା ବିଶ୍ୱ ଏକ
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ନେଇ ଉଦବେଗ । ନୂଆଦିଲ୍ଲୀରେ ଆୟୋଜିତ ’ନୋ ମନି ଫର ଟେରର’ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ମିଳିତ ସଂଗ୍ରାମ ଲାଗି ଆହ୍ୱାନ ଦିଆଯାଇଛି । କେତେକ ଦେଶ ଆତଙ୍କବାଦକୁ ନିଜର ବୈଦେଶିକ ନୀତି ଭାବେ ଗ୍ରହଣ କରିଥିବାବେଳେ କେତେକ ଦେଶ ଆତଙ୍କୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଯେଉଁ ସଂଗଠନ ଓ ବ୍ୟକ୍ତିବିଶେଷ ଆତଙ୍କବାଦୀମାନଙ୍କୁ ସମବେଦନା ଦେଖାଉଛନ୍ତି ସେମାନ ବିରୋଧରେ ବିଶ୍ୱ ସମୁଦାୟ ଏକ ହେବା ଉଚିତ ବୋଲି ଆହ୍ୱାନ ଦିଆଯାଇଛି ।
ଯେଉଁ ରାଷ୍ଟ୍ର ଆତଙ୍କବାଦକୁ ସମର୍ଥନ କରୁଛନ୍ତି ସେହି ରାଷ୍ଟ୍ରରୁ ଆତଙ୍କୀ କାର୍ଯ୍ୟକଳାପଜନିତ କ୍ଷତି ଭରଣା କରିବା ଉଚିତ ବୋଲି ଆହ୍ୱାନ ଦିଆଯାଇଛି । ଆତଙ୍କବାଦୀଙ୍କ ବିରୋଧରେ ପଦକ୍ଷେପ ନେବା କ୍ଷେତ୍ରରେ ଚୀନ ବିଫଳ ହୋଇଛି ବୋଲି ବୈଠକରେ ଅଭିଯୋଗ ହୋଇଛି । ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଦେଶର ପ୍ରାୟ ୪୫୦ ପ୍ରତିନିଧି ଯୋଗ ଦେଇଛନ୍ତି ।
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ବିଧାୟକଙ୍କ ଦରମା କମ୍, ଖୁବଶୀଘ୍ର ବଢ଼ିବ ଦରମା
ଭୁବନେଶ୍ୱର: ବଢିବ ବିଧାୟକଙ୍କ ଦରମା । ବିଧାନସଭାର ଉପଦେଷ୍ଟା କମିଟି ଏନେଇ ବିଚାର ବିମର୍ଶ କରୁଛି । ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ୨ଲକ୍ଷରୁ ଅଢେଇ ଲକ୍ଷ ମଧ୍ୟରେ ରହିଛି । ଓଡ଼ିଶାରେ ବିଧାୟକଙ୍କ ଦରମା କମ୍ ରହିଛି । ସବୁ ମିଶି ବିଧାୟକମାନେ ୯୮ହଜାର ପାଉଛନ୍ତି । ଖୁବଶୀଘ୍ର ଦରମା ବୃଦ୍ଧି ନେଇ ବାଚସ୍ପତିଙ୍କୁ ରିପୋର୍ଟ ଦିଆଯିବ । ଏହାପରେ ରାଜ୍ୟ ସରକାର ସବିଶେଷ ନିଷ୍ପତ୍ତି ନେବେ।
ଟି-୨୦ ରୋମାଞ୍ଚରେ ବର୍ଷା ବାଧକ, ବର୍ଷା ଯୋଗୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ ବାତିଲ
ଓ୍ୱେଲିଂଟନ: ଆଜିଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ । ଏହି ସିରିଜର ପ୍ରଥମ ମ୍ୟାଚ ଆଜି ଓ୍ୱେଲିଂଟନରେ ଖେଳାଯିବାର ଥିଲା । କିନ୍ତୁ ଏହି ମ୍ୟାଚରେ ବାଧକ ସାଜିଛି ବର୍ଷା । ବର୍ଷା ଲାଗି ରହିଥିବାରୁ ପ୍ରଥମ ଟି-୨୦ ମ୍ୟାଚଟି ବାତିଲ ହୋଇଛି । ତେବେ ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହେବା ପରେ ଏହି ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ମାଉଣ୍ଟ ମାଙ୍ଗନୁଇରେ ଖେଳାଯିବ ।
ଟି-୨୦ ବିଶ୍ୱକପ ପରେ ଏହି ସିରିଜ୍ ଦୁଇ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଟି-୨୦ ବିଶ୍ୱକପରେ ଉଭୟ ଦଳ ସେମିଫାଇନାଲରୁ ପରାସ୍ତ ହୋଇ ବାହାରିବା ପରେ ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ରହିଥିଲେ ଦୁଇ ଦଳ । କିନ୍ତୁ ବର୍ଷା ଫଳରେ ଏହି ମ୍ୟାଚ ବାତିଲ ହୋଇଯାଇଛି । ତେବେ ଏହି ସିରିଜରେ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ବିଶ୍ରମା ଦିଆଯାଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଏକ ଯୁବ ଦଳ ଯାଇଛି । ତେଣୁ ଏହି ସିରିଜରେ ଯୁବ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।
ଚେନ୍ନାଇରେ ବାୟୁସେନାର ପାସିଂ ଆଉଟ ପରେଡ୍, ଯବାନ ଦେଖାଇଲେ ରଣକୌଶଳ
ଚେନ୍ନାଇ: ଚେନ୍ନାଇରେ ବାୟୁସେନା ପାସିଂ ଆଉଟ ପରେଡ । ତମ୍ବରାନ ଏୟାର ଫୋର୍ସ ଷ୍ଟେସନରେ ଆୟୋଜିତ ହୋଇଛି ରଙ୍ଗାରଙ୍ଗ ପରେଡ । ବାୟୁସେନା ଯବାନମାନେ ନିଜ ନିଜ ରଣକୌଶଳ ପ୍ରଦର୍ଶନ କରିଥିବାବେଳେ ଅପୂର୍ବ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ଏୟାର କମାଣ୍ଡର ବିପୁଲ ସିଂ । ଉଦ୍ଦାମ ଯବାନମାନେ ତ୍ରିରଙ୍ଗା ରଙ୍ଗର ପୋଷାକ ପିନ୍ଧି ରଣକୌଶଳ ପ୍ରଦର୍ଶନ କରିଥିବାବେଳେ ଆଖିଦୃଶିଆ ପରେଡ ପ୍ରଦର୍ଶନ କରିଛନ୍ତି । ବାୟୁସେନାର ଏହି ନିୟମିତ କାର୍ଯ୍ୟକ୍ରମରେ ଶତାଧିକ ଯବାନ ସାମିଲ ହୋଇଥିଲେ । ଯବାନମାନେ ସାଇକେଲ ଚାଳନା, ଦୁଃସାହସିକ କ୍ରୀଡା ଆଦି କାର୍ଯ୍ୟକ୍ରମରେ ବି ସାମିଲ ହୋଇଥିଲେ ।

