spot_img
Home Blog Page 3730

ରାଜଧାନୀରେ ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି, ଉପକୃତ ହେବେ ୯୦ ହଜାରରୁ ଊର୍ଦ୍ଧ୍ବ ପରିବାର

ଭୁବନେଶ୍ବର: ସହରରେ ନିଜ ଜମିର ମାଲିକ ହେବେ ବସ୍ତିବାସିନ୍ଦା । କାଲିଠାରୁ ରାଜ୍ୟର ୫ଟି ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କ ସର୍ଭେ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ । ଜାଗା ମିଶନ ଜରିଆରେ ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁରରେ ସର୍ଭେ କରାଯିବ । ଟାଟା ଟ୍ରଷ୍ଟ ଫାଉଣ୍ଡେସନ ଓ ସୂତ୍ର ଏଜେନ୍ସି ସହ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଛନ୍ତି ।

ଏରିଏଲ ଡ୍ରୋନ ସର୍ଭେ ସହ ଡୋର ଟୁ ଡୋର ସର୍ଭେ କରାଯିବ । ଭୁବନେଶ୍ୱରରେ 436ଟି ପଞ୍ଜିକୃତ ବସ୍ତିର 91ହଜାର 842 ପରିବାରଙ୍କୁ ଏହି ଜାଗା ମିଶନରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ଭେ ତଥ୍ୟ ସଂଗ୍ରହ ପରେ ଯୋଗ୍ୟ ହିତାଧିକାରୀଙ୍କୁ ସର୍ବନିମ୍ନ 30ବର୍ଗ ମିଟରରୁ ସର୍ବାଧିକ 45ବର୍ଗ ମିଟର ପର୍ଯ୍ୟନ୍ତ ଜମି ପଟ୍ଟା ପ୍ରଦାନ କରାଯିବ । ପୂର୍ବରୁ ରାଜ୍ୟର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପାଳିକାରେ ସର୍ଭେ ଶେଷ ହୋଇଥିବା ବେଳେ ଏବେ 5ଟି ମହାନଗର ନିଗମରେ ସର୍ଭେ ଆରମ୍ଭ ହେବ।

କାର ସହ କେନାଲକୁ ଡେଇଁଲେ ପରିବାର, ପତ୍ନୀଙ୍କ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ

ଚଣ୍ଡିଗଡ: ପଞ୍ଜାବରେ ସୁଇସାଇଡର ହୃଦୟ ବିଦାରକ ଚିତ୍ର ସାମନାକୁ ଆସିଛି । ଫିରୋଜପୁର ଜିଲ୍ଲାରେ ଜସବିନ୍ଦର ସିଂ ନାମକ ବ୍ୟକ୍ତି ଝିଅ, ପୁତୁରା ଓ ଭାଇଙ୍କୁ କାରରେ ନେଇ କେନାଲକୁ ଡେଇଁଛନ୍ତି । ଘଟଣାସ୍ଥଳରେ ୪ ଜଣ ପ୍ରାଣ ହରାଇଛନ୍ତି । ପୋଲିସ ଘଟଣାସ୍ଥଳରୁ ୪ ଜଣଙ୍କ ମୃତଦେହ ଜବତ କରିବା ସହ କେନାଲରୁ କାରଟି ଉଦ୍ଧାର କରିଛି । ତେବେ ମୃତ୍ୟୁ ପୂର୍ବରୁ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଗାଡି ଚଲାଇବା ସମୟରେ ସେ କାନ୍ଦି କାନ୍ଦି ପତ୍ନୀଙ୍କୁ ଗାଳି କରୁଥିବା ଦେଖିବାକୁ ମିଳିଛି ।

ପତ୍ନୀଙ୍କ ଅବୈଧ ସମ୍ପର୍କକୁ ନେଇ ବ୍ୟକ୍ତି ଜଣଙ୍କ ଭିଡିଓରେ ବାରମ୍ବାର ଅଭିଯୋଗ କରୁଛନ୍ତି । ପତ୍ନୀଙ୍କ ଏଭଳି ସମ୍ପର୍କକୁ ବି ତାଙ୍କ ମା ଓ ଭଉଣୀ ପ୍ରୋତ୍ସାହନ ଦେଉଥିବା ସେ କହିଛନ୍ତି । ଜସବିନ୍ଦରଙ୍କ ସହ ଗାଡିରେ ବସିଥିବା ଝିଅ ଓ ପୁତୁରା ବି ବଞ୍ଚିବାକୁ ଚାହୁଁନଥିବା କହୁଥିବା ଦେଖିବାକୁ ମିଳିଛି ।

ଜସବିନ୍ଦରଙ୍କ ପତ୍ନୀ କାଲା ସିନ୍ଧୁ ନାମକ ବ୍ୟକ୍ତିଙ୍କ ସହ ଦୀର୍ଘ ତିନି ବର୍ଷ ଧରି ଆସୁଛନ୍ତି । ସବୁବେଳେ ସୌଖୀନ ଜୀବନ ବିତାଇବାକୁ ପସନ୍ଦ କରୁଥିବା ତାଙ୍କ ପତ୍ନୀ ସେଥିପାଇଁ କାଲା ସିନ୍ଧୁ ଠାରୁ ଦାମୀ ଉପହାର ମଧ୍ୟ ଗ୍ରହଣ କରୁଥିଲେ । ଯେଉଁଥିପାଇଁ ଦୀର୍ଘ ଦିନ ସମ୍ପର୍କରେ ରହିବା ପରେ ସେ ପିଲାଛୁଆ ଓ ପରିବାରକୁ ଛାଡି କାଲା ସିନ୍ଧୁ ପାଖକୁ ଚାଲି ଯାଇଥିଲେ ।

ବିମାନ ବନ୍ଦରରେ ବଗିଚା ଭ୍ରମ, ୫ ହଜାର କୋଟିରେ ନିର୍ମାଣ ହୋଇଛି କେମ୍ପାଗୋଡାର ଟର୍ମିନାଲ ୨

ବେଙ୍ଗାଲୁରୁ: ନଭେମ୍ବର ୧୧ରେ କେମ୍ପାଗୋଡା ବିମାନ ବନ୍ଦରର ନବନିର୍ମିତ ଟର୍ମିନାଲ ୨ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫ ହଜାର କୋଟି ଟଙ୍କାରେ ନିର୍ମିତ ଏହି ଏୟାରପୋର୍ଟ ଯାତ୍ରୀଙ୍କ ପାଇଁ ଲାଭଦାୟକ ରହିବ । ଯାତ୍ରୀଙ୍କ ଚେକ୍‌ ଇନ ଓ ଇମିଗ୍ରେସନ ବ୍ୟତୀତ ବିମାନ ବନ୍ଦରରେ କ୍ଷମତା ଧାରଣ ଦୁଇଗୁଣ ହୋଇଯିବ ।
ପ୍ରତିବର୍ଷ ଯାତ୍ରୀ ଧାରଣ କରିବାର କ୍ଷମତା କେମ୍ପାଗୋଡା ବିମାନ ବନ୍ଦରରେ ୨.୫ କୋଟି ରହିଛି । ଟର୍ମିନାଲ ୨ ଉଦଘାଟନ ପରେ ଏହା ୫ରୁ ୬ କୋଟିରେ ପହଞ୍ଚିବ ।

ସେହପରି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବେଙ୍ଗାଲୁରୁ ସହରର ସଂସ୍ଥାପକଙ୍କ ୧୦୮ ଫୁଟ ଉଚ୍ଚ କାଂସ୍ୟ ପ୍ରତିମାର ଉଦଘାଟନ କରିବେ । ହ୍ୟାଙ୍ଗିଙ୍ଗ ଗାର୍ଡେନ, ସବୁଜ ଘାସ ନିର୍ମିତ କରିଡର, ଫୁଲ ସଜ୍ଜିତ କାନ୍ଥ ନିଶ୍ଚିତ ରୂପେ କେମ୍ପାଗୋଡାରେ ଯାତ୍ରୀଙ୍କୁ ଆକର୍ଷିତ କରିବ ।

ବେଙ୍ଗାଲୁରୁର ଗାର୍ଡନ ସିଟି ଭାବେ କେମ୍ପାଗୋଡା ବିମାନ ବନ୍ଦରକୁ ସଜ୍ଜିତ କରାଯାଇଛି । ଏଠାକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ବଗିଚାରେ ବୁଲିବା ସଦୃଶ ଅନୁଭବ ହେବ । ୧୦ ହଜାର ବର୍ଗମିଟରରୁ ଅଧିକ ଏରିଆରେ ସବୁଜ କାନ୍ଥ, ଝୁଲୁଥିବା ବଗିଚା ଉଦ୍ଦ୍ୟାନକୁ ଯାତ୍ରୀ ମାନେ କେମ୍ପାଗୋଡାରେ ଉପଭୋଗ କରିପାରିବେ । ସ୍ବଦେଶୀ ଟେକନିକରେ ଏହି ବଗିଚା ଗୁଡିକୁ ଭାରତରେ ନିର୍ମାଣ କରାଯାଇଛି ।

ଅପହରଣ କରି ନେଇଥିଲେ, ସକାଳୁ ଥାନା ସାମନାରେ ଫୋପାଡି ଦେଇଗଲେ ମୃତଦେହ

ସମ୍ବଲପୁର: ଅପରାଧୀଙ୍କ କବଳରେ ବୁର୍ଲା ସହର । ଯୁବକଙ୍କୁ ଅପହରଣ ପରେ ନିର୍ମମ ହତ୍ୟା । ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ଆଜି ସକାଳୁ ବୁର୍ଲା ଥାନା ସମ୍ମୁଖରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ଥିବା ବେଳେ ଡାହଣ ଗୋଡ଼ର ସବୁ ନଖ ଓପାଡ଼ି ଦିଆଯାଇଥିବା ଦେଖାଯାଇଛି ।

ସକାଳ ୮ଟା ବେଳେ ଏକ ଲାଲ ରଙ୍ଗର ଗାଡ଼ିରେ ଦୁର୍ବୃତ୍ତମାନେ ଆସି ଯୁବକଙ୍କ ମୃତଦେହ ଫିଙ୍ଗି ଦେଇଥିଲେ । ସ୍ପଷ୍ଟ ଦିବାଲୋକରେ ଥାନା ଆଗରେ ରକ୍ତାକ୍ତ ମୃତଦେହ ଫିଙ୍ଗି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ । ମୃତଦେହ ଫୋପାଡ଼ି ଦେବା ପରେ ସେଠାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ମୃତ ଯୁବକ ହେଲେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ନିକଟ ବସନ୍ତ ବିହାର ଅଞ୍ଚଳର ରାମ ମେହେର । ତେବେ ରାମଙ୍କୁ କିଏ ଅପହରଣ କରିଥିଲା ?

କେଉଁ କାରଣରୁ ତାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଗଲା ? ସେ ସମ୍ପର୍କରେ ଜଣାପଡ଼ି ନଥିବା ବେଳେ ପୋଲିସକୁ ଅପରାଧୀଙ୍କ ଭୟ ନଥିବାରୁ ଏଭଳି ଅପରାଧ ବଢୁଛି ବୋଲି ସହରରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ବୁର୍ଲା ସହରର ମୁଖ୍ୟ ଛକରେ ଗୋଟିଏ ହେଲେ ସିସିଟିଭି କ୍ୟାମେରା ଲଗାଯାଇନାହିଁ । ଯାହାକୁ ନେଇ ଜନଅସନ୍ତୋଷ ତୀବ୍ର ହେଉଛି ।

ସ୍ବାମୀ ଅତ୍ୟାଚାର କରୁଥିଲେ, ସ୍ତ୍ରୀ ପୁଅ ମିଶି ମାରି ଦେଲେ

ବ୍ରହ୍ମପୁର: ପାରିବାରିକ କଳହରୁ ବିଭତ୍ସ ହତ୍ୟା । ସ୍ତ୍ରୀ ସାଜିଲା ସ୍ବାମୀର ହତ୍ୟାକାରୀ । ମାଆ ସହ ମିଶି ବାପାକୁ ଦୁଇ ପୁଅ ହତ୍ୟା କରିଥିବା ସୂଚନା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟାଗାଁରେ। ମୃତ ବ୍ୟକ୍ତି ହେଲେ ତୋଟାଗାଁର ସୂର୍ଯ୍ୟ ପାହାନ । ସ୍ତ୍ରୀଙ୍କ କହିବା କଥା ୧୫ ବର୍ଷ ହେବ ସ୍ବାମୀ ସୂର୍ଯ୍ୟ ସେମାନଙ୍କୁ ଅତ୍ୟାଚାର କରୁଥଲେ ।

ସେହି କାରଣରୁ ଏଭଳି ହତ୍ୟା କାଣ୍ଡ ଘଟାଇଥିବା ସେ କହିଛନ୍ତି । ତୋଟାଗାଁ ଶ୍ମଶାନ ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ମୃତ ଦେହ ପଡ଼ିଥିବା ଦେଖି ଖଲ୍ଲିକୋଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ ଦୁଇ ପୁଅ ଏବଂ ସ୍ତ୍ରୀ କୁ ଅଟକ ରଖିଛି ପୋଲିସ । ଘଟଣା ସ୍ଥଳରେ ପୋଲିସ ଏବଂ ସାନ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ବେନାମୀ ଚିଠି ଖୋଲିଦେଲା ମର୍ଡର ମିଷ୍ଟ୍ରି, ୧୧ ମାସ ପରେ ମୃତଦେହ ଉଦ୍ଧାର

ନୂଆପଡା: ହତ୍ୟାକାରୀକୁ ଧରାଇ ଦେଲା ବେନାମୀ ଚିଠି । ନୂଆପଡା ସଦର ଥାନାରେ ବେନାମୀ ଚିଠି ଆଧାରରେ ପୋଲିସ୍ ହତ୍ୟାକାରୀଙ୍କୁ ଧରିବାରେ ସଫଳ ହୋଇଛି। ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲେ ଅଭିଯୁକ୍ତ । ପ୍ରମାଣ ନଷ୍ଟ ପାଇଁ ନାବାଳିକାଙ୍କୁ ମାଟିତଳେ ପୋତି ଦେଇଥିଲେ। ନୂଆପଡ଼ା ରତିପାଲି ଗାଁରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଚାଷ ଜମିରୁ ମାଟି ଖୋଳି ନାବାଳିକାଙ୍କ ମୃତ ଶରୀରର ଅବଶେଷ ଉଦ୍ଧାର କରିଛି। ନାବାଳିକା ଜଣକ ରତିପାଲି ଗାଁର । ସେ ଘରୋଇ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିଲେ। ଜାନୁଆରୀ ୧ ତାରିଖରେ ସେ ରାତିରେ ଘରେ ଖାଇପିଇ ଶୋଇଥିଲେ। ତେବେ ସକାଳୁ ତାଙ୍କର ପତ୍ତା ମିଳିନଥିଲା । ବହୁତ ଖୋଜାଖୋଜି ପରେ ବି ଝିଅକୁ ପାଇନଥିଲେ ପରିବାର ଲୋକେ। ଏନେଇ ପରିବାର ଲୋକେ ଜାନୁଆରୀ ୯ତାରିଖରେ ନୂଆପଡ଼ା ଥାନାରେ ଅଭିଯୋଗ କରିଥିଲେ।

ଏହାପରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ନାବାଳିକାଙ୍କୁ କେହି ହତ୍ୟା କରି ମାଟିତଳେ ପୋତି ଦେଇଥିବା ନେଇ ଗତ ୨ ତାରିଖରେ ଏକ ବେନାମୀ ଚିଠି ଆସିଥିଲା। ପରିବାର ଲୋକେ ଚିଠି ଆଧାରରେ ପୁଣି ଏକ ଲିଖିତ ଅଭିଯୋଗ କରିଥିଲେ। ମାମଲାରେ ପୋଲିସ ୫ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି। ଗତକାଲି ସଦର ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସାଇଣ୍ଟିଫିକ୍ ଟିମ୍ ଓ ଅନୁସନ୍ଧାନୀ କୁକୁର ସାହାଯ୍ୟରେ ଘଟଣାସ୍ଥଳରେ ଛାନଭିନ୍ ଆରମ୍ଭ କରିଥିଲା। ନାବାଳିକାଙ୍କୁ ପୋତାଯାଇଥିବା ଧାନ ବିଲରୁ ଧାନ କାଟି ପୋଲିସ ଜେସିବି ସାହାଯ୍ୟରେ ମାଟି ଖୋଳିବା ପରେ ଦେହାବଶେଷ ଉଦ୍ଧାର କରାଯାଇଛି ।

ଦିଲ୍ଲୀରେ ସୁଧୁରୁଛି ସ୍ଥିତି, ଆଜିଠୁ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: ଆଜିଠୁ ରାଜଧାନୀ ଦିଲ୍ଲୀରେ ଖୋଲିଲା ସ୍କୁଲ । ବାୟୁ ପ୍ରଦୂଷଣର ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବାରୁ ସ୍କୁଲ ଖୋଲାଯାଇଛି । ଦ୍ରୁତ ଗତିରେ ପ୍ରଦୂଷଣ ବଢୁଥିବାରୁ ସ୍କୁଲ ବନ୍ଦ କରାଯାଇଥିଲା । ଏବେବି କିଛି ସ୍ଥାନରେ ପ୍ରଦୂଷଣ ମାତ୍ରା ଗମ୍ଭୀର ରହିଛି । ଦିଲ୍ଲୀ ଏବଂ ଏନସିଆରରେ ଏକ୍ୟୁଆଇ ସ୍ତର ୩୫୦ ତଳେ ରହିଛି । ଯାହା ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ବସ୍ତ କରିଛି ।

ଏତତ୍ ବ୍ୟତୀତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି ଯେ, ଆସନ୍ତା ୨ରୁ ୩ ଦିନ ଯାଏଁ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧିର ଆଶଙ୍କା କମ ରହିବ । ଫଳରେ ୱାର୍କ ଫର୍ମ ହୋମ ବ୍ୟବସ୍ଥାକୁ ଶେଷ କରାଯାଇଛି । ପ୍ରଦୂଷଣକୁ ନେଇ ଜାରି ହୋଇଥିବା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି ।

ଦୁଇ ଦିନିଆ ଓଡିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି, ସୁରକ୍ଷା ଦାୟିତ୍ବରେ ୩୦୦ ବରିଷ୍ଠ ପୋଲିସ ଅଧିକାରୀ

ନୂଆଦିଲ୍ଲୀ: ଆସନ୍ତାକାଲି ଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ । ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ । ରାଷ୍ଟ୍ରପତି ପୁରୀରେ ଜଗନ୍ନାଥ ଦର୍ଶନ ଓ ମହାପ୍ରସାଦ ସେବନ କରିବା ସହିତ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ ଯୋଗ ଦେବେ । ମହାମହିମଙ୍କ ଆଗମନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତି ବିମାନ ବନ୍ଦରରେ ଅବତରଣ କଲା ପରେ ଗାର୍ଡ ଅଫ ଅନର ଦେବା ସହିତ ତାଙ୍କର ଗସ୍ତ ପାଇଁ ଆଜି ହେବ ଫୁଲଡ୍ରେସ ଓ କାରକେଡ ରିହର୍ସଲ ।

ସୁରକ୍ଷା ପାଇଁ ମୁତୟନ ହେବେ ୫୫ ପ୍ଲାଟୁନ ପୋଲିସ । ଦାୟିତ୍ବରେ ରହିବେ ୩୦୦ ବରିଷ୍ଠ ପୋଲିସ ଅଧିକାରୀ । ବିମାନବନ୍ଦର, ରୁଟ୍ ଲାଇନ ଠାରୁ ରାଜଭବନ ପର୍ଯ୍ୟନ୍ତ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା । କାଲି ସକାଳ ସାଢେ ୯ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସାଢ଼େ ୧୦ଟାରେ ପୁରୀ ଯାତ୍ରା କରିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେଠାରୁ ପୁରୀ ରାଜଭବନକୁ ଯିବେ ।

ଅପରାହ୍ନରେ ଭୁବନେଶ୍ବର ଆସି ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ରାଜଭବନରେ ସିଭିକ୍ ରିସେପସନ କାର୍ଯ୍ୟକ୍ରମରେ ଯୋଗଦେବେ । ୧୧ ତାରିଖରେ ଖଣ୍ଡଗିରି ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ । ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର କାର୍ଯ୍ୟକ୍ରମ ଯୋଗ ଦେବେ ।

ନୂଆ ସିଜେଆଇ ଭାବେ ଦାୟିତ୍ବ ନେଲେ ଜଷ୍ଟିସ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଶପଥ ନେଲେ ଜଷ୍ଟିସ ଚନ୍ଦ୍ରଚୂଡ଼ । ଆଜି ଦାୟିତ୍ବ ନଲେ ନୂଆ ସିଜେଆଇ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ । ଦେଶର ୫୦ତମ ସିଜେଆଇ ଭାବେ ଦାୟିତ୍ବ ନେଇଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ଜଷ୍ଟିସଙ୍କୁ ଶପଥ ପାଠ କରାଇଛନ୍ତି ।

ପରବର୍ତ୍ତୀ ପ୍ରଧାନ ବିଚାରପତି ଚୟନ ପାଇଁ ଆଇନ ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଧନଞ୍ଜୟ ୟଶୋବନ୍ତ ଚନ୍ଦ୍ରଚୂଡ଼ଙ୍କ ନାଁ ସୁପାରିସ କରିଥିଲେ ମୁଖ୍ୟ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ ।

୨୦୨୪ ନଭେମ୍ବର ୧୦ ଯାଏଁ ପ୍ରଧାନ ବିଚାରପତି ରହିବେ ଜଷ୍ଟିସ ଚନ୍ଦ୍ରଚୂଡ଼ । ସେ ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ୨ ବର୍ଷରୁ ଅଧିକ ସମୟ ଏହି ପଦବୀରେ ରହିବେ ଚନ୍ଦ୍ରଚୂଡ଼ । ଏହି ସମୟ ମଧ୍ୟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ବିଚାର କରିବେ । ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଆଗରେ ରହିଛି ଅନେକ ଆହ୍ବାନ । ୩୭୦ ଧାରା ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନର ବୈଧତା, ଇଲେକ୍ଟ୍ରୋଲ ବଣ୍ଡ୍‌ ଯୋଜନା ଆଦି ମାମଲା ଉପରେ ରାୟ ଦେବେ ।

ଅପରାହ୍ନ ୫ଟାରୁ ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନିତି । ଦ୍ଵିତୀୟ ଭୋଗମଣ୍ଡପ ନିତି ବଢିବା ପରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ରଙ୍ଗରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ରଙ୍ଗ ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ।

ଏହା ଏକ ଗୁପ୍ତ ସେବା ନିତି ହୋଇଥିବାରୁ ଅପରାହ୍ନ ୫ ଟାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।