ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିବ ମଞ୍ଜୁରୀ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ବୈଠକ ବସିବ । ଏଥିରେ ୧୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର । ବିଶେଷକରି ରାଜସ୍ବ,ପାନୀୟ ଜଳ ଯୋଗାଣ, କୃଷି, ସାଧାରଣ ପ୍ରଶାସନ, ପରିବହନ, ପୂର୍ତ୍ତ ଓ କ୍ରୀଡ଼ା ବିଭାଗର ବିଭିନ୍ନ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିପାରେ ।
ଐତିହାସିକ ବାଲିଯାତ୍ରା ପାଇଁ ଉଚ୍ଚସ୍ତରୀୟ ବୈଠକ, ଏକାସଙ୍ଗେ ଭାସିବ ୧୦ ହଜାର କାଗଜଡଙ୍ଗା
କଟକ: କଟକର ଐତିହାସିକ ବାଲିଯାତ୍ରା ପାଇଁ ଉଚ୍ଚସ୍ତରୀୟ ବୈଠକ । ସିଏମସି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମେୟର, ଡେପୁଟି ମେୟର, ଚୌଦ୍ବାର-କଟକ ବିଧାୟକ, ବାରବାଟୀ-କଟକ ବିଧାୟକ, ଜିଲ୍ଲାପାଳ, ସିଏମସି କମିଶନର, ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ବିଭିନ୍ନ ଓ୍ବାର୍ଡର କର୍ପୋରେଟର ସାମିଲ ହୋଇଥିଲେ। ଚଳିତବର୍ଷ ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଦିଗକୁ ନେଇ ହୋଇଥିଲା ଆଲୋଚନା। ବିଶେଷକରି ବାଲିଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ ଓ ଆବର୍ଜନା ମୁକ୍ତ କରିବାକୁ ଯୋଜନା ପ୍ରସ୍ତୁତ କରାଯିବ।
ଏହାଛଡା ମହାନଦୀରେ ଏକସଂଗେ ୧୦ ହଜାର କାଗଜଡଙ୍ଗା ଭସାଇବାକୁ ଯୋଜନା କରାଯାଇଛି। ସହରର ବିଭିନ୍ନ ପ୍ରବେଶ ପଥରେ ଅସ୍ଥାୟୀ ଗେଟ ନିର୍ମାଣ ସହ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ତେବେ ଜିଲ୍ଲା ପ୍ରଶାସନର ପ୍ଲଟ ପାଇଁ ବର୍ଦ୍ଧିତ ଦରକୁ ନେଇ ଅନେକ କର୍ପୋରେଟର ପ୍ରତିବାଦ କରିଥିଲେ। ବାଲିଯାତ୍ରାକୁ ବ୍ୟବସାୟିକରଣ ନକରି ପରମ୍ପରା ଅନୁଯାୟୀ ମେଳା ଆୟୋଜନ କରିବାକୁ ଦାବି କରିଥିଲେ।
ନିର୍ମାଣଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅନୁଧ୍ୟାନ କଲେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ
ରାଉରକେଲା: ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀଙ୍କ ସହିତ ହକି ଇଣ୍ଡିଆର ଉଚ୍ଚ ପ୍ରତିନିଧି ଦଳ ଆଜି ରାଉରକେଲାରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ଏହି ଟିମ୍ ମୁଖ୍ୟ ଷ୍ଟାଡିୟମ ସହିତ ଦର୍ଶକ ଗ୍ୟାଲେରି, ଅଭ୍ୟାସ ପଡ଼ିଆ, ଖେଳାଳିମାନଙ୍କ ରହଣିସ୍ଥଳ ଏବଂ ଚେଞ୍ଜିଙ୍ଗ ରୁମ ଆଦି ଦେଖିଥିଲେ ।
ଏହି ପ୍ରତିନିଧି ଦଳରେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ, ସାଧାରଣ ସମ୍ପାଦକ ଭୋଳାନାଥ ସିଂହ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମାଣ୍ଡର ଆର. କେ. ଶ୍ରୀବାସ୍ତବ ଥିଲେ । ହକି ବିଶ୍ବକପକୁ ସ୍ମରଣୀୟ କରିବା ଲାଗି ଓଡ଼ିଶା ସରକାର ନେଉଥିବା ବିଭିନ୍ନ ପଦକ୍ଷେପକୁ ସେମାନେ ପ୍ରଶଂସା କରିଥିଲେ ।
ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଓଡ଼ିଶା ସରକାରଙ୍କ ଲକ୍ଷ୍ୟ
ଭୁବନେଶ୍ୱର: ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ । ଓଡ଼ିଶାରେ ପ୍ରତି ବର୍ଷ ବାତ୍ୟା, ବନ୍ୟା, ମରୁଡ଼ି ଓ ପୋକ କାରଣରୁ ୭୦ ପ୍ରତିଶତରୁ ଅଧିକ ଚାଷୀ କ୍ଷତି ସହୁଛନ୍ତି । ରାଜ୍ୟ କୃଷି ବିଭାଗ ଓ ଅନ୍ତଃରାଷ୍ଟ୍ରୀୟ ଖାଦ୍ୟନୀତି ଗବେଷଣା ସଂସ୍ଥାର ମିଳିତ ସହଯୋଗରେ ଭୁବନେଶ୍ବରଠାରେ ନୀତିନର୍ଦ୍ଧାରଣ ରାଉଣ୍ଡ ଟେବୁଲ ବୈଠକ ଅନୁଷ୍ଠିତ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଚାଷୀର ଆୟ ବଢି ପାରୁ ନଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି ।
ଅନ୍ତଃରାଷ୍ଟ୍ରୀୟ ଖାଦ୍ୟନୀତି ଗବେଷଣା ସଂସ୍ଥାର ରିପୋର୍ଟକୁ ନେଇ ଚିନ୍ତା ପ୍ରକଟ । ଚାଷୀ ପିଛା ମାତ୍ର ୦ ଦଶମିକ ୯୫ ହେକ୍ଟର ଫାର୍ମ ହୋଲଡିଂ ରହିବାରୁ ସେମାନଙ୍କ ଆୟ ପ୍ରଭାବିତ ହେଉଛି । ଚାଷୀଙ୍କୁ ସଠିକ୍ ମୂଲଚାଲ କ୍ଷମତା ମିଳୁନ ଥିବାବେଳେ ଉତ୍ପାଦିତ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଠିକ୍ ଭାବେ ବଢୁନି। ଆୟ ବୃଦ୍ଧି ଲାଗି ଚାଷୀଙ୍କ ଋଣ ନେବା କ୍ଷମତା ବୃଦ୍ଧି ନେଇ ବ୍ୟାଙ୍କମାନଙ୍କ ସହ ଆଲୋଚନା ହୋଇଛି । ବିମୁଦ୍ରୀକରଣ ସମୟରେ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ହିଁ ଚାଷୀଙ୍କ ଦୁର୍ଗତିର କାରଣ ବୋଲି ଅଭିଯୋଗ କରିଛନ୍ତି କୃଷିମନ୍ତ୍ରୀ । ତେବେ ନୀତିନର୍ଦ୍ଧାରଣ ରାଉଣ୍ଡ ଟେବୁଲ ବୈଠକର ମତାମତକୁ ନେଇ ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଦିଗରେ କାମ ଆରମ୍ଭ କରାଯିବ ।


