spot_img
Home Blog Page 3789

କିଏ ହେବ ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ? ନିଷ୍ପତ୍ତି ନେବ ହାଇକମାଣ୍ଡ

ସିମଲା: କିଏ ହେବ ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଥିବା କଂଗ୍ରେସ ହାଇକମାଣ୍ଡ ନେବେ ନିଷ୍ପତ୍ତି । ଗତକାଲି ସଂଧ୍ୟାରେ ସିମ୍ଲାରେ କଂଗ୍ରେସ ବିଧାୟକ ଦଳର ବୈଠକ ହୋଇଥିବା ବେଳେ କିଛି ନିଷ୍ପତ୍ତି ହୋଇପାରିନି । ଏନେଇ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ଫାଇନାଲ ହେବ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ନିର୍ବାଚନ ଜିତିବା ପରେ କଂଗ୍ରେସର ଦଳୀୟ କନ୍ଦଳ ପଦାକୁ ଆସିଛି ।

କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଜୋର ବିବାଦ । ମୁଖ୍ୟମନ୍ତ୍ରୀ ଆସନ ଗୋଟିଏ, କିନ୍ତୁ ଆଶାୟୀଙ୍କ ଲମ୍ବା ଲାଇନ୍ । ବିଧାୟକଙ୍କ ମଧ୍ୟରେ ବଡ଼ ବିଭାଜନ ଦେଖିବାକୁ ମିଳୁଥିବା ବେଳେ ବିଜୟୀ ପ୍ରାର୍ଥୀଙ୍କ ଦେଖାନାହିଁ । ସରକାର ଗଢିବା ପାଇଁ ବିଧାୟକଙ୍କ ମଧ୍ୟରେ ତତ୍ପରତା ଦେଖାଯାଉନଥିବା ବେଳେ ୬ଜଣ ବରିଷ୍ଠ ବିଧାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା ରଖିଛନ୍ତି । ଏଭଳି କ୍ଷେତ୍ରରେ ରାଜ୍ୟପ୍ରଭାରୀ ରାଜୀବ ଶୁକ୍ଲା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ତଥା ପ୍ରଭାରୀ ଭୁପେଶ ବାଘେଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା ରାଜ୍ୟପାଳଙ୍କୁ ଭେଟି କଂଗ୍ରେସ ସରକାର ଗଠନ କରିବା ନେଇ ପ୍ରସ୍ତାବ ଦେଇଛନ୍ତି ।

ଏଥିସହ ବିଧାୟକଙ୍କ ତାଲିକା ମଧ୍ୟ ପ୍ରଦାନ କରିଛନ୍ତି ତେବେ ବଡ଼ କଥା ହେଉଛି, ଏହି ସମୟରେ ରାଜ୍ୟର କୌଣସି ନେତା କିମ୍ବା କଂଗ୍ରେସ ବିଧାୟକ ଉପସ୍ଥିତ ନଥିଲେ । ତେବେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହ କହିଛନ୍ତି ଯେ ରାଜ୍ୟ କଂଗ୍ରେସରେ କୌଣସି ଅସୁବିଧା ନାହିଁ । ଖୁବଶୀଘ୍ର ନୂଆ ସରକାର ଶପଥ ନେବେ ବୋଲି କହିଛନ୍ତି ।

ପ୍ରତିଭା ସିଂଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମର୍ଥକ ଦାବି କରୁଥିବା ବେଳେ ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ବିରୋଧ କରିଛନ୍ତି । ସେପଟେ ସୁକବିନ୍ଦର ସିଂହ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ ଅଛନ୍ତି । ସେ କିଛି ବିଧାୟକଙ୍କୁ ନେଇ ହୋଟେଲରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । ଚଳିତ ନିର୍ବାଚନରେ ୬୮ଟି ଆସନ ମଧ୍ୟରୁ କଂଗ୍ରେସ ୪୦ଟି ସିଟ୍ ଜିତି ବହୁମତ ହାସଲ କରିଛି ।

ଆଜି ଭାରତୀୟ ଅଲମ୍ପିକ ସଂଘର ନିର୍ବାଚନ, ସଭାପତି ପାଇଁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବେ ପିଟି ଉଷା

ନୂଆଦିଲ୍ଲୀ: ଆଜି ଭାରତୀୟ ଅଲମ୍ପିକ ସଂଘ ବା ଆଇଓଏର ନିର୍ବାଚନ । ଅଧ୍ୟକ୍ଷ, ଜଣେ ବରିଷ୍ଠ ଉପାଧ୍ୟକ୍ଷ, ଦୁଇଜଣ ଉପାଧ୍ୟକ୍ଷ, ଜଣେ କୋଷାଧକ୍ଷ, ସଂଯୁକ୍ତ ସଚିବ, କାର୍ଯ୍ୟକାରୀ ପରିସଦ ସଦସ୍ୟ ପଦ ପାଇଁ ମତଦାନ ହେବ । ସଂଘର ପ୍ରଥମ ମହିଳା ସଭାପତି ହେବେ ପିଟି ଉଷା । ଏନେଇ ନିଶ୍ଚିତ ହୋଇସାରିଥିବାବେଳେ ଆଜି ଔପଚାରିକ ଘୋଷଣା କରାଯିବ । ଅଧ୍ୟକ୍ଷ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ପିଟି ଉଷା ନାମାଙ୍କନ ଭରିଥିଲେ ।

ଏଣୁ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ନିଶ୍ଚିତ । ୫୮ ବର୍ଷୀୟ ପିଟି ଉଷା ଏସିୟ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । 1984 ମସିହା ଅଲିମ୍ପିକ୍ସରେ ୪୦୦ ମିଟର ଦୌଡରେ କାଂଶ୍ୟ ପଦକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ଅନ୍ୟ ୧୪ ଜଣ ବ୍ୟକ୍ତି ମଧ୍ୟ ଭିନ୍ନ ଭିନ୍ନ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । କାର୍ଯ୍ୟକାରିଣୀ ସଦସ୍ୟର ୪ପଦ ପାଇଁ ୧୨ଆଶାୟୀ ମଇଦାନରେ ଅଛନ୍ତି ।

ଆଜି ଭାରତ-ବାଂଲାଦେଶ ଶେଷ ଦିନିକିଆ, ରୋହିତଙ୍କ ସ୍ଥାନରେ ଯୁବ ଖେଳାଳିଙ୍କୁ ମିଳିବ ସୁଯୋଗ

ଚଟ୍ଟୋଗ୍ରାମ: ଆଜି ଭାରତ-ବାଂଲାଦେଶ ଶେଷ ଦିନିକିଆ । ୩ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଦିନ ସାଢେ ୧୧ଟାରୁ ଆରମ୍ଭ ହେବ ମ୍ୟାଚ୍ । ଆହତ ଜନିତ ସମସ୍ୟା କାରଣରୁ ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଦୀପକ ଚହର, କୁଲଦୀପ ସେନ ତୃତୀୟ ଦିନିଆରୁ ବାଦ ପଡ଼ିଛନ୍ତି ।

ଏଭଳି ସ୍ଥିତିରେ କେ.ଏଲ ରାହୁଲଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ମେନ ଇନ୍ ବ୍ଲୁ । ପୂର୍ବରୁ ଗତ ଦୁଇଟି ମ୍ୟାଚ ହାରି ବ୍ୟାକ ଫୁଟରେ ଅଛି ଭାରତ । ଆଜି ମ୍ୟାଚ ଜିତି ସମ୍ମାନ ରଖିବାକୁ ଉଦ୍ୟମ କରିବ ଟିମ୍ । ସେପଟେ ଆଜିର ମ୍ୟାଚ୍ ଜିତି ସିରିଜ ପୋଛିନେବାକୁ ରଣନୀତି କରିଛି ଘରୋଇ ଟିମ୍ । ଆଗକୁ ଦିନିକିଆ ବିଶ୍ୱକପ୍ ଥିବାରୁ ଭାରତକୁ ସ୍ଥିତି ସୁଦୃଢ଼ କରିବାକୁ ପଡ଼ିବ ।

ଲଗାତାର ଫ୍ଲପ୍ ହେଉଛି ଟିମ୍ ଇଣ୍ଡିଆ । ଏସିଆ କପ୍ ଓ ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ବାଂଲାଦେଶଠୁ ସିରିଜ୍ ହାରିଛି । ସବୁଠୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇକୁ ଟିମର ଏପରି ପ୍ରଦର୍ଶନ ପାଇଁ ସମାଲୋଚନା କରାଯାଇଛି । ଟିମରେ ପରିବର୍ତ୍ତନ ପାଇଁ ଲଗାତାର ଦାବି କରାଯାଉଛି । ନିକଟରେ ବିସିସିଆଇ ମଧ୍ୟ ଚୟନକର୍ତ୍ତା କମିଟିକୁ ବରଖାସ୍ତ କରି ନୂଆ କମିଟି ଗଠନ ପାଇଁ ନିଷ୍ପତ୍ତି ନେଇଥିଲା ।

ସମ୍ଭାବିତ ଭାରତୀୟ ଦଳ: ଶିଖର ଧୱନ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଷାନ/ରାହୁଲ ତ୍ରିପାଠୀ, କେଏଲ ରାହୁଲ (ଅଧିନାୟକ/ୱିକେଟ କିପର), ୱାସିଂଟନ ସୁନ୍ଦର, ଅକ୍ସର ପଟେଲ, ଶ୍ରାଦ୍ଧୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଉମ୍ରାନ ମଲିକ ।

ସମ୍ଭାବିତ ବାଂଲାଦେଶ ଦଳ: ନଜମୁଲ ହୁସେନ ଶାନ୍ତୋ, ଲିଟନ ଦାସ (ଅଧିନାୟକ), ଆନାମୁଲ ହକ୍, ଶାକିବ ଅଲ ହସନ, ମୁଶଫିକର ରହିମ (ୱିକେଟ କିପର), ମହମୁଦୁଲ୍ଲାହ, ଅଫିଫ ହୁସେନ, ମେହିଦି ହସନ ମିରାଜ, ନାସୁମ ଅହମ୍ମଦ, ଏବାଡଟ ହୁସେନ, ମୁସ୍ତାଫିଜୁର ରେହମାନ ।

ଗତକାଲି ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ମାଣ୍ଡୋସ୍

ଚେନ୍ନାଇ: ଲ୍ୟାଣ୍ଡଫଲ କଲା ବାତ୍ୟା ମାଣ୍ଡୋସ୍ । ମଧ୍ୟରାତ୍ରୀରେ ଚେନ୍ନାଇ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଛି । ତାମିଲନାଡୁର ମହାବଳିପୁରମରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଏହା ଲ୍ୟାଣ୍ଡଫଲ କରିଛି । ଏହି ସମୟରେ ଘଣ୍ଟାପ୍ରତି ୮୦ରୁ ଅଧିକ କିଲୋମିଟର ବେଗରେ ପବନ ବହିଥିଲା । ପବନରେ ବଡ଼ବଡ଼ ଗଛ ଭାଙ୍ଗି ଯାଇଥିବାବେଳେ କଚ୍ଚା ଘର ଉଡ଼ିଯାଇଛି । ବିଭିନ୍ନସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ସ୍ଥିତିକୁ ଦେଖି ବିଭିନ୍ନ ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦ କରାଯାଇଛି । ୧୫ଟି ବିମାନକୁ ବାତିଲ କରିଦିଆଯାଇଛି । ଏନଡିଆରଏଫ ଓ ନୌସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ନେଦରଲ୍ୟାଣ୍ଡସକୁ ପେନାଲ୍ଟି ସୁଟଆଉଟ୍ ରେ ହରାଇ ସେମିଫାଇନାଲରେ ଆର୍ଜେଣ୍ଟିନା

ଦୋହା: କତାରରେ ଚାଲିଥିବା ଫିଫା ବିଶ୍ୱକପ୍ ୨୦୨୨ରେ ଶୁକ୍ରବାର ବିଳମ୍ବିତ ରାତିରେ ଦ୍ୱିତୀୟ ଅତ୍ୟନ୍ତ ରୋମାଞ୍ଚକର କ୍ୱାଟର ଫାଇନାଲ୍ ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚରେ ଲିଓନେଲ ମେସିଙ୍କ ଟିମ୍ ଆର୍ଜେଣ୍ଟିନାର ଟକ୍କର ନେଦରଲ୍ୟାଣ୍ଡସ ସହ ହୋଇଥିଲା । ଏହି ମୁକାବିଲା ବହୁତ ରୋମାଞ୍ଚକର ରହିଥିଲା, ଯେଉଁଥିରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ୪-୩ ରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । ଏବେ ମେସିଙ୍କ ଟିମ୍ ଚଳିତଥର ଚମ୍ପିଆନ ହେବାକୁ ଦୁଇଟି ବିଜୟ ଦୂରରେ ରହିଛି ।

ଆର୍ଜେଣ୍ଟିନା ଟିମର ଟକ୍କର ଏବେ ସେମିଫାଇନାଲରେ କ୍ରୋଏସିଆ ସହ ହେବ । କ୍ରୋଏସିଆ ଗତକାଲି ରାତିରେ ନିଜର କ୍ୱାଟର ଫାଇନାଲ ମୁକାବିଲାରେ ନେମାରଙ୍କ ବ୍ରାଜିଲକୁ ପେନାଲ୍ଟି  ସୁଟଆଉଟରେ ପରାଜିତ କରିଛି । ଏବେ କ୍ରୋଏସିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ୧୩ ଡିସେମ୍ବର ବିଳମ୍ବିତ ରାତି ୧୨ ଟା ୩୦ରେ ସେମିଫାଇନାଲ ମ୍ୟାଚ ହେବ । କ୍ୱାଟର ଫାଇନାଲରେ ମେସି ନିଜ କଳାର ପ୍ରଦର୍ଶନ କରି ୩୫ତମ ମିନିଟରେ ନାହୁଏଲ ମୋଲିନାଙ୍କ ପାଇଁ ପ୍ରାରମ୍ଭିକ ଗୋଲ୍ ସେଟ୍ କରିଥିଲେ, ଏହି ଗୋଲ୍ ସହ ଆର୍ଜେଣ୍ଟିନା ନିଜ ଖାତା ଖୋଲିଥିଲା ଏବଂ ୧-୦ରେ ଆଗୁଆ ରହିଥିଲା ।

ଏହାପରେ ୭୩ତମ ମିନିଟରେ ପେନାଲ୍ଟିକୁ ଗୋଲରେ ପରିଣତ କରି ମେସି ଆର୍ଜେଣ୍ଟିନା ପାଇଁ ଦ୍ୱିତୀୟ ଗୋଲ୍ କରିଥିଲେ । ଚଳିତ ବିଶ୍ୱକପରେ ଏହା ମେସିଙ୍କ ଚତୁର୍ଥ ଗୋଲ ଥିଲା । ମେସି ଏବଂ ଗେବ୍ରିୟଲଙ୍କ ନାଁ ବିଶ୍ୱକପରେ ଏବେ ୧୦-୧୦ ଗୋଲ ହୋଇଯାଇଛି । ଯଦି ଆଗାମୀ ମୁକାବିଲାରେ ମେସି ଗୋଲ କରନ୍ତି ତେବେ ଇତିହାସ ରଚିବେ । ଆର୍ଜେଣ୍ଟିନାର ଦୁଇଟି ପ୍ରାରମ୍ଭିକ ଗୋଲ ପରେ ଏମିତି ଲାଗିଥିଲା ଯେ ଦଳ ସହଜରେ ମ୍ୟାଚକୁ ଜିତିନେବ କିନ୍ତୁ ଶେଷ ସମୟରେ ନେଦରଲ୍ୟାଣ୍ଡସର ଖେଳାଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ।

୮୩ତମ ମିନିଟରେ ୱାଟ ବେଘୋରଷ୍ଟ ନେଦରଲ୍ୟାଣ୍ଡସ ପାଇଁ ପ୍ରଥମ ଗୋଲ କରି ପ୍ରତ୍ୟାବର୍ତ୍ତନର ଆଶା ଉଜ୍ଜିବୀତ କରାଇଥିଲେ । ୯୦ ମିନିଟ ପର୍ଯ୍ୟନ୍ତ ଗେମ ଆର୍ଜେଣ୍ଟିନା ପକ୍ଷରେ ରହିଥିଲା କାରଣ ଲିଓନେଲଙ୍କ ଟିମ୍ ୨-୧ରେ ଲିଡ୍ କରୁଥିଲା । ଇଂଜୁରି ଟାଇମର ପ୍ରାୟ ଶେଷ ମିନିଟରେ ନେଦରଲ୍ୟାଣ୍ଡସ ଦ୍ୱିତୀୟ ଗୋଲ କରି ବରାବର କରିନେଇଥିଲା । ଏହି ଗୋଲ ମଧ୍ୟ ବେଘୋରଷ୍ଟ ୯୦+୧୧ତମ ମିନିଟରେ ଦେଇଥିଲେ । ୧୯୯୦ ପରଠୁ ଏହା ଦ୍ୱିତୀୟ ଥର ଅଟେ ଯେବେ ଆର୍ଜେଣ୍ଟିନା ଶେଷ ଚାରି ଟିମରେ ସ୍ଥାନ ବନାଇଛି । ୨୦୧୪ରେ ମେସି ଫାଇନାଲରେ ଜର୍ମାନୀଠୁ ହାରିଥିବା ଟିମର ସଦସ୍ୟ ଥିଲେ ।

ବୋରୱେଲ ଟ୍ରାଜେଡି; ନାବାଳକ ତନ୍ମୟର ମୃତଦେହ ଉଦ୍ଧାର

ଭୋପାଳ: ଶେଷରେ ଜୀବନ ଯୁଦ୍ଧରେ ହାରିଗଲା ୬ ବର୍ଷର ନାବାଳକ ତନ୍ମୟ ।  ୮୪ ଘଣ୍ଟା ଧରି ଚାଲିଥିଲା ଅପରେସନ ତନ୍ମୟ । ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭୀରେ ବୋରଓ୍ବେଲରେ ଫସିଥିଲା ୬ ବର୍ଷର ତନ୍ମୟ । ଆଜି ସକାଳ ପ୍ରାୟ ୫ ଟା ୩୦ ସମୟରେ ଉଦ୍ଧାରକାରୀ ଦଳ ତନ୍ମୟକୁ ବାହାରକୁ ବାହାର କରିଥିଲେ । ଉଦ୍ଧାର ପରେ ଜଣାଯାଇଥିଲା ତନ୍ମୟ ମୃତ୍ୟୁବରଣ କରିଛି । ତନ୍ମୟର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

୪ଦିନ ହେବ ୪ଶହ ଫୁଟ ବୋରଓ୍ବେଲରେ ଫଶିଥିଲା କଅଁଳ ଜୀବନ । ପ୍ରାୟ ୫୩ ଫୁଟ ଭିତରେ ତନ୍ମୟ ଅଟକି ରହିଥିଲା । ୪ଦିନ ହେବ ଏନଡିଆରଏଫ୍ , ଏସଡିଆରଏଫ ପକ୍ଷରୁ ଲଗାତର ଭାବେ ରେସ୍କ୍ୟୁ ଅପରେସନ ଜାରି ରଖିଥିଲେ । ୪୪ ଫୁଟ୍ ରାମ୍ପ ଖନନର କାମ ଶେଷ ହୋଇଥିବା ବେଳେ ବଡ଼ ଚଟାଣ ପଡ଼ିବାରୁ ଖନନରେ ବାଧା ଉପୁଜିଥିଲା । ପାଇପ ଯୋଗେ ବୋରୱେଲର ମୁହଁପଟୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଥିଲା ।

ବୋରଓ୍ବେଲ ଭିତରେ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟିହେବା ଆଶଙ୍କା ରହିଥିଲା । ହେଲେ ଶେଷରେ ଉଦ୍ଧାରକାରୀ ଦଳ ତନ୍ମୟ ପାଖରେ ଆଜି ଭୋରରୁ ପହଞ୍ଚିଥିଲେ । ପ୍ରତି ମୁଭମେଣ୍ଟ ଉପରେ ଉଦ୍ଧାରକାରୀ ଟିମ୍ ନଜର ରଖିଥିଲା । ମାଣ୍ଡାଭି ଗାଁର ସୁନୀଲ ଦିୟାବର, ୬ ତାରିଖ ସନ୍ଧ୍ୟାରେ ୬ ବର୍ଷର ପୁଅ ତନ୍ମୟକୁ ନେଇ ବିଲକୁ ଯାଇଥିଲେ । ଏହି ସମୟରେ ତନ୍ମୟ ବୋରୱେଲ ଗାତକୁ ଚାହୁଁଥିବା ବେଳ ଅଚାନକ୍ ଗାତରେ ପଡ଼ିଯାଇଥିଲେ । ସପ୍ତାହେ ପୂର୍ବରୁ ନିଜେ ସୁନୀଲ ଏହି ବୋରୱେଲ ଖୋଳିଥିଲେ ।

ବୋରୱେଲରେ ଜଳସ୍ତର କମିଯିବାରୁ ଲାଗିଥିବା ମିଟର ଖୋଲି ଘରକୁ ନେଇଯାଇଥିଲେ । ଆଉ ଖୋଲା ଥିବା ବୋରୱେଲରେ ପଡ଼ିଯାଇଥିଲେ ତନ୍ମୟ । ଏହାପରେ ପରିବାର ଲୋକେ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ । ଉଦ୍ଧାରକାରୀ ଦଳ ଓ ଡାକ୍ତରୀ ଦଳ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ନିଜେ ମନିଟରିଂ କରୁଥିଲେ । ଡାକ୍ତରୀ ଦଳର ପରାମର୍ଶ କ୍ରମେ ପରିବାର ଲୋକେ ତନ୍ମୟ ସହ କଥା ହୋଇଥିଲେ ।

ହେଲେ ମଙ୍ଗଳବାର ରାତିରେ ଶେଷ ଥର ତନ୍ମୟ କଥା ହୋଇଥିଲା । ଏହାପରେ ସଜ୍ଞାହୀନ ହୋଇଯାଇଥିଲା । କୌଣସି ପ୍ରକାରର ମୁଭମେଣ୍ଟ ସିସିଟିଭିରେ ନଜର ଆସିନଥିଲା । ଅକ୍ସିଜେନ ଲଗାତାର ଦିଆଯାଉଥିଲା । ମୁଭମେଣ୍ଟ ନଥିବା କାରଣରୁ ଖାଦ୍ୟ ଓ ପାନୀୟ ସାମଗ୍ରୀ ମଧ୍ୟ ତା ପାଖକୁ ପଠାଯାଇ ପାରିନଥିଲା । ଏବଂ ପରିଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛି ତନ୍ମୟ । ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି ।

ସୂର୍ଯ୍ୟ ମନ୍ଦିର ଉପରିଭାଗରେ ଲାଗିଛି ଯାତ୍ରା ଭଳି ଲାଇଟ୍ : ସୁଦର୍ଶନ ପଟ୍ଟନାୟକ

ପୁରୀ: ସୂର୍ଯ୍ୟମନ୍ଦିରରେ ବିକୃତ ଆଲୋକୀକରଣ ଅଭିଯୋଗ ଆଣିଲେ ଆନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । କୋଣାର୍କ ସୂର୍ଯ୍ୟମନ୍ଦିରରେ ଏଏସଆଇ ଦ୍ବାରା ଆଲୋକୀକରଣ କରାଯାଇଛି । ମନ୍ଦିରର ଉପରିଭାଗରେ ଯାତ୍ରା ପାର୍ଟି ଭଳି ଲାଇଟ ଲଗାଯାଇଥିବା ଅଭିଯୋଗ କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଆଲୋକୀକରଣ ନାଁରେ କଳାକୃତୀର ମୂଲ୍ୟବୋଧ କ୍ଷୁର୍ଣ୍ଣ କରାନଯାଉ ବୋଲି ସୁଦର୍ଶନ କହିଛନ୍ତି । ପୂର୍ବରୁ ଏହାକୁ ବିରୋଧ କରି ଏଏସଆଇ କର୍ତ୍ତୃପକ୍ଷଙ୍କୁ ଟୁଇଟ୍ କରିଥିଲେ । ସୁଦର୍ଶନଙ୍କ ଅଭିଯୋଗକୁ ସମର୍ଥନ କରି କୋଣାର୍କ ସୁରକ୍ଷା ସମିତି ଏବଂ ସ୍ଥାନୀୟ ବାସିନ୍ଦା ମଧ୍ୟ ମନ୍ଦିର ଉପରିଭାଗରୁ ଲାଇଟ୍ କାଢିବାକୁ ଦାବି କରିଛନ୍ତି ।

ଗାଁରେ ଖଞ୍ଜିଥିଲେ ବୋମା, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ରାୟଗଡ଼ା:  କାଶୀପୁର ଥାନା ଅର୍ନ୍ତଗତ ସୁଙ୍ଗେର ଗ୍ରାମରେ ବୋମା ଖଞ୍ଜିଥିବା ଅଭିଯୋଗରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ତିନି ଜଣ ରାୟଗଡା ଜିଲ୍ଲାର ଓ ତିନି ଜଣ କଳାହାଣ୍ଡି ଜିଲ୍ଲାର ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି । ଗତ ୭ ତାରିଖ ଦିନ ସୁଙ୍ଗେର ଗ୍ରାମର ଟୁଟୁ ଗୋପାଳଙ୍କୁ ମାଓବାଦୀଙ୍କ ନାମରେ ୫ ଲକ୍ଷ ଟଙ୍କା ଚାନ୍ଦା ମାଗିବା ସହ ହତ୍ୟା ଧମକ ଦେଇଥିଲେ ।

ଏହାପରେ ତାଙ୍କ ଘର ପଛପଟେ ଥିବା ପାଇଖାନା ଭିତରେ ବୋମା ଖଞ୍ଜି ଦେଇଥିଲେ । ଟାଇମର ବୋମା ଖଞ୍ଜିଥିବା ଜଣାପଡ଼ିବା ପରେ ଟୁଟୁ କାଶୀପୁର ପୋଲିସକୁ ସୂଚନା ଦେଇଥିଲେ । ସାଇଣ୍ଟିଫିକ ଟିମ୍ ସହ ସିଆରପିଏଫ୍ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଏହାକୁ ଅଚଳ କରିଥିଲେ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଡେଟୋନେଟର, ବିଦ୍ୟୁତ୍ ତାର, ୪ଟି ମୋବାଇଲ, ସିଲିଣ୍ଡର ଜବତ ହୋଇଛି ।

କୃତିତ୍ୱ ହାସଲ କରିବେ ଓଡିଆ ପିଲା, ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ସ୍ୱତନ୍ତ୍ର ଉଦ୍ୟମ

ଭୁବନେଶ୍ୱର: ୟୁପିଏସସି ସିଭିଲ ସର୍ଭିସରେ ଆଇ.ଏ.ଏସ୍. ପରୀକ୍ଷାରେ ରାଜ୍ୟର ସଫଳତା ହାର ବଢ଼ାଇବା ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ପ୍ରୟାସ । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆ ଯୁବକ ଯୁବତୀ ମାନଙ୍କର ସଫଳତା ହାର ବଢ଼ାଇବା ନିମନ୍ତେ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରାଯାଇଛି ।

ଚଳିତ ୨୦୨୨ ବର୍ଷ ସଭିଲ୍ ସର୍ଭିସେସ୍ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଆ ଯୁବକଯୁବତୀମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଦିଗ୍ ଦର୍ଶନ ଓ ପରାମର୍ଶ ଦେବା ପାଇଁ ଏକ ସ୍ୱତନ୍ତ୍ର ସେଲ୍ ଖୋଲାଯାଇଛି । ଏଥିପାଇଁ ଅନଲାଇନ୍‌ ରେଜିଷ୍ଟ୍ରେସନ ବ୍ୟବସ୍ଥା କରାଯାଇଛି ।

ସିଭିଲ୍ ସର୍ଭିସର ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏବଂ ଗୋପବନ୍ଧୁ ଏକାଡ଼େମୀର ଦିଗ୍ ଦର୍ଶନ ନେବାକୁ ଇଛୁକଥିବା ଆଶାୟୀ ପ୍ରାର୍ଥୀମାନେ ଚଳିତ ମାସ ଡ଼ିସେମ୍ବର ୧୬ ତାରିଖ ସୁଦ୍ଧା [email protected] ରେ ନିଜ ନିଜ ଇମେଲ୍ରୁ ଅନୁରୋଧ ପତ୍ର ପଠାଇବେ । ଇଛୁକ ପ୍ରାର୍ଥୀମାନଙ୍କଠାରୁ ଆଗ୍ରହ ପତ୍ର ମିଳିବା ପରେ ଏକାଡ଼େମୀ ତରଫରୁ ସେମାନଙ୍କୁ ତୁରନ୍ତ ଯୋଗାଯୋଗ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

ପଦମପୁରରେ ଲେଖାହେବ ବିକାଶର ନୂଆ ଅଧ୍ୟାୟ, ଖୁବଶୀଘ୍ର ପଦମପୁର ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଦମପୁରରେ ଲେଖାହେବ ବିକାଶର ନୂଆ ଅଧ୍ୟାୟ । ପଦମପୁରବାସୀଙ୍କ ସମସ୍ତ ଦାବି ପୂରଣ ହେବ । ଖୁବଶୀଘ୍ର ପଦମପୁର ଯାଇ ବିଭିନ୍ନ ପ୍ରକଳ୍ପର ଘୋଷଣା ଓ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛି ବିଜେଡି ବିଧାୟକ ସୁଶାନ୍ତ ସିଂ । ବିପୁଳ ଜନସମର୍ଥନ ସହ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ବର୍ଷା ସିଂ ବରିହା ।

ଏହି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ପଦମପୁର ଆସିବାକୁ ନିମନ୍ତ୍ରଣ କରିଥିଲେ । ନବୀନ ମଧ୍ୟ ଏଥିପାଇଁ ସମ୍ମତ ପ୍ରକାଶ କରିଛନ୍ତି । ଗ୍ରାଉଣ୍ଡରେ ରହି ଲୋକଙ୍କ ସହ କାମ କରିବାକୁ ବର୍ଷାଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଦମପୁରର ବିକାଶ ପାଇଁ ପୂର୍ବରୁ ୪୮୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ଅନ୍ୟାନ୍ୟ ମୁଖ୍ୟ ଦାବିଗୁଡ଼ିକ ମଧ୍ୟ ପୂରଣ କରାଯିବ ।