spot_img
Home Blog Page 3801

IBMର ଭୁବନେଶ୍ୱର କାର୍ଯ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ରାଜଧାନୀ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳରେ ଆଇବିଏମର ଭୁବନେଶ୍ୱର କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ଦେଶର ପୂର୍ବ ଭାଗରେ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ଆଇବିଏମର ଏହ ପ୍ରଥମ ଶାଖା କାର୍ଯ୍ୟାଳୟ । କାର୍ଯ୍ୟାଳୟ ଉଦଘାଟନ ସମୟରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଆଇଟି ସଚିବ ମଧ୍ୟ ଉପସ୍ଥିତ ଥିଲେ ।

ମେକ୍ ଇନ୍ ଓଡ଼ିଶା ଉପକ୍ରମ କ୍ରମରେ ଆଇବିଏମ୍ ଓଡ଼ିଶା ଆସିଛି । ସେପ୍ଟେମ୍ବର ମାସରେ ଆଇବିଏମ୍ ଓଡ଼ିଶାରେ ତା’ର କାର୍ଯ୍ୟାଳୟ ଖୋଲିବା ପାଇଁ ଘୋଷଣା କରିଥିଲା । ଘୋଷଣାର ମାତ୍ର ମାସକ ପରେ ଓଡ଼ିଶାରେ ଆଇବିଏମ୍ ତା’ର କାର୍ଯ୍ୟାଳୟ ଖୋଲିଛି । ଓଡ଼ିଶା ସରକାରଙ୍କ ଶିଳ୍ପନୀତିକୁ ଏଥିପାଇଁ ପ୍ରଶଂସା କରାଯାଉଛି । ସୂଚନାଯୋଗ୍ୟ ଯେ, ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ଅନ୍ତର୍ଗତରେ ମୁଖ୍ୟମନ୍ତ୍ରୀ ଦେଶର ବିଭିନ୍ନ ମହାନଗରୀକୁ ଯାଇ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଶିଳ୍ପପତି ମାନଙ୍କୁ ଆମନ୍ତ୍ରଣ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ନିକଚରେ ମୁମ୍ବାଇ,ବେଙ୍ଗାଲୁରୁରେ ଇନଭେଷ୍ଟର୍ସ ମିଟ୍ ଓଡି଼ଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ରବିବାର ଦିନ ହାଇଦ୍ରାବାଦ ଯାଉଛନ୍ତି ।

କୋଟି ଓଡ଼ିଆଙ୍କ ହୃଦୟର ମଉଡ଼ମଣି ‘ନବୀନ’

ଭୁବନେଶ୍ବର: ଚାଲେଞ୍ଜରୁ ସେ ସୁଯୋଗ ସାଉଁଟନ୍ତି । ସଫଳତା ପାଇଁ କଠିନ ପରିଶ୍ରମ, ଟିମ୍ ଓ୍ବାର୍କକୁ ଶ୍ରେୟ ଦିଅନ୍ତି । ରାଜନୈତିକ କ୍ୟାରିୟରରେ ନିଜେ ରେକର୍ଡ ତିଆରି କରୁଛନ୍ତି । ନିଜ ରେକର୍ଡକୁ ନିଜେ ଭାଙ୍ଗୁଛନ୍ତି । ରାଜ୍ୟ ରାଜନୀତି ମଇଦାନରେ ସେ ଦୀର୍ଘ ୨୫ ବର୍ଷ ହେବ ବାଟ ଚାଲୁଛନ୍ତି । ମାତ୍ର ଏଯାଏଁ ସେ ଥକି ନାହାନ୍ତି । ଦୀର୍ଘ ଅଢ଼େଇ ଦଶନ୍ଧି ହେବ ରାଜ୍ୟ ରାଜନୀତିର ମେରିଖୁଣ୍ଟ ସାଜିଛନ୍ତି । ନିଜ ନିର୍ମଳ ଭାବମୂର୍ତ୍ତି ଓ ନିରଳସ ଜୀବନଯାପନ ପାଇଁ ସାରା ଦେଶରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଜନ୍ମଦିନରେ ଛୁଟିଛି ଶୁଭେଛାର ସୁଅ ।

ଅଟଳ, ଅପରାଜେୟ, ଅସାଧାରଣ । ଆତ୍ମବିଶ୍ୱାସଭରା ମିଜାଜ୍ ଫିକା ପଡ଼ିନି । ସେଇ ଦମ୍ଭ ସାଙ୍ଗକୁ ସେମିତି ଦୃଢ଼ୋକ୍ତି । ଆଞ୍ଚଳିକ ଦଳ ବିଜେଡିର ମୁଖିଆ ଭାବେ ଜାତୀୟ ରାଜନୀତିରେ ସେ ଏବେ ବଡ଼ ବ୍ରାଣ୍ଡ୍ । ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଚଢ଼ି ଚାଲିଛି ପାହାଚ ପରେ ପାହାଚ । ଅଢ଼େଇ ଦଶନ୍ଧିର ରାଜ୍ୟ ଓ ଜାତୀୟ ରାଜନୀତିକୁ ବ୍ୟବଚ୍ଛେଦ କଲେ ଜଳଜଳ ଯେ, ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ପାଇଁ ବିଜେଡି ଆଜି ଏକ ଅପରାଜେୟ ଶକ୍ତି । ଓଡ଼ିଶାବାସୀଙ୍କ ସମର୍ଥନ ଓ ଆଶୀର୍ବାଦରେ ବିଜୁ ଜନତା ଦଳ କ୍ରମାଗତ ୫ ପାଳି ରାଜ୍ୟର ଶାସନ ଡୋରି ଧରିଛି । ଗୋଟିଏ ଆଞ୍ଚଳିକ ଦଳର ଏଭଳି ସଫଳତା ପଛର ମହାନାୟକ ହେଉଛନ୍ତି ସ୍ୱୟଂ ନବୀନ ।

ସମୟର ପାହୁଣ୍ଡ ଆଗକୁ ଆଉ ଆଗକୁ । ନବୀନଙ୍କ ଜନ୍ମଦିନରେ ନବରଙ୍ଗପୁରରୁ ନବୀନ ନିବାସ ଯାଏଁ ଉତ୍ସାହ, ଖୁସି ଆଉ ସେଲିବ୍ରେସନର ମାହୋଲ । ଓଡ଼ିଶାବାସୀଙ୍କ ବଳ ପାଲଟିଛି ବିଜୁ ଜନତା ଦଳ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ସାକାର କରିବାକୁ ବିଜେଡି ସୁପ୍ରିମୋ ଗତ ଦୁଇ ଦଶନ୍ଧିରେ କଠିନ ପରିଶ୍ରମ କରିଛନ୍ତି । ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଓଡ଼ିଶା ଆଜି ‘ରୋଲ ମଡେଲ’ । ଏ ସମସ୍ତ ସଫଳତାର କ୍ରେଡିଟ୍ ହିଁ ସାଉଁଟିବେ ବିଜେଡି ‘କମାଣ୍ଡର ଇନ ଚିଫ୍‌’ ସ୍ୱୟଂ ନବୀନ ।

୧୯୯୭ରେ ପଲଟିକାଲ କ୍ୟାରିୟର ଆରମ୍ଭ କରିଥିବା ନବୀନ ପାଇଁ ବିଜେଡି ଆଜି ବଳୁଆ ଦଳ । ଜାତୀୟ ରାଜନୀତିରେ ବିଜେଡିର ଦବଦବା କାହିଁରେ କ’ଣ । ଦଳରେ ସେ ହିଁ ଆରମ୍ଭ, ସେ ହିଁ ଶେଷ । ରାଜ୍ୟ ରାଜନୈତିକ ଇତିହାସରେ ସେ ନୂଆ ନୂଆ ମାଇଲଖୁଣ୍ଟ ବସାଉଛନ୍ତି । ୫ମ ପାଳି ମୁଖ୍ୟମନ୍ତ୍ରୀ କୁର୍ସି ସମ୍ଭାଳି ନିଜେ ନିଜ ରେକର୍ଡ ଭାଙ୍ଗିଛନ୍ତି ।

ବିଜୁଙ୍କ ଦାୟାଦ ନବୀନ ରାଜନୀତିରେ ପ୍ରଥମରୁ ରୁଚି ରଖିନଥିଲେ । ମାତ୍ର ପିତାଙ୍କ ଦେହାନ୍ତ ପରେ ଓଡ଼ିଶା ପଲଟିକାଲ ସର୍କଲକୁ ଏଣ୍ଟ୍ରି ମାରିଲେ । ୧୯୯୭ରୁ କୌଣସି ନିର୍ବାଚନ ହାରି ନଥିବା ନବୀନ ନିଜକୁ ଅଟଳ ଓ ଅପରାଜେୟ ବୋଲି ପ୍ରମାଣିତ କରିଛନ୍ତି । ତାଙ୍କର ବ୍ରାଣ୍ଡଭାଲ୍ୟୁ ହିଁ ବିଜେଡିର ସବୁଠାରୁ ବଡ଼ ବଳ । ଦୀର୍ଘ ଅଢ଼େଇ ଦଶନ୍ଧିର ଲମ୍ବା କ୍ୟାରିୟରରେ ତାଙ୍କ ସଫେଦ କୁର୍ତ୍ତାରେ କଳା ଦାଗ ଲାଗିନି । ଏହା ହିଁ ତାଙ୍କର ସବୁଠାରୁ ବଡ଼ ପୁଂଜି । ପ୍ଲସ ପଏଣ୍ଟ ।

“ଲୋକଙ୍କ ଭଲ ପାଇବା ଆଗରେ କ୍ଷମତା, ସମ୍ମାନ ଓ ସମ୍ପତ୍ତିର କିଛି ମୂଲ୍ୟ ନାହିଁ । ଏହି ଭଲ ପାଇବା ହିଁ ଗାନ୍ଧିଜୀଙ୍କୁ ଅମର କରିଛି । ଆଉ ବିଜୁ ବାବୁଙ୍କୁ ମହାନ କରିଛି । ଲୋକଙ୍କ ସେବା କର, ହୃଦୟ ଜିତ ।” ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କୁ ସେ ଏହି ମନ୍ତ୍ର ଦେଇଛନ୍ତି । ଓଡ଼ିଆ ଭାବେ ସେ ଗର୍ବିତ ବୋଲି କହି ଆହ୍ୱାନ ଦେଇଛନ୍ତି । ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଆସ ସଂକଳ୍ପ ନେବା । ବିଶ୍ୱ ଇତିହାସରେ ଓଡ଼ିଶା ପାଇଁ ସ୍ଥାନ ଗଢ଼ିବା । ଆମେ ଶ୍ରେଷ୍ଠ ହେବା ବୋଲି କହି ପ୍ରତି ଓଡ଼ିଆଙ୍କ ହୃଦୟରେ ନୂଆ ଆଶା ସଞ୍ଚାର କରିଛନ୍ତି ।

ବିଜେଡିର ଆଖି ତରାଟିଲା ଭଳି ସଫଳତା ପଛର ବଡ଼ ରହସ୍ୟ ହେଉଛି ନବୀନଙ୍କ ସରଳ ଜୀବନଯାପନ ସହ ଶାସନର କେନ୍ଦ୍ରବିନ୍ଦୁରେ ସାଧାରଣ ଲୋକ। ବିଜେଡି କର୍ମୀଙ୍କୁ ନବୀନଙ୍କ ମନ୍ତ୍ର ହେଉଛି, ଆପଣମାନେ ସରଳ ଜୀବନଯାପନ କରନ୍ତୁ । ଜନତା ଆମର ପ୍ରଭୁ । ଏଣୁ ନମ୍ରତାର ସହ ସେମାନଙ୍କ ସେବା କରନ୍ତୁ । ବିଜେଡି ମୁଖିଆଙ୍କ ଏ ମନ୍ତ୍ର ଦଳକୁ ଦେଇଛି ଅସମ୍ଭବ ସଫଳତା । ସାଧାରଣ ଓ ଗରିବ ଲୋକଙ୍କ ପାଇଁ ନବୀନ ଯେତିକି ଯୋଜନା ଆପଣାଇଛନ୍ତି ତାହା ତାଙ୍କ ଦଳ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ବହୁ ଗୁଣିତ କରିଛି । ଟଙ୍କିକିଆ ଚାଉଳରୁ ଆରମ୍ଭ କରି, କାଳିଆ, ବଳରାମ, ମମତା, ଆହାର ଯୋଜନା ଗରିବଙ୍କ ମୁହଁରେ ହସ ଆଣିଛି । ସ୍ୱତନ୍ତ୍ର କୃଷି ବଜେଟ୍‌, ସ୍ୱତନ୍ତ୍ର କୃଷି ଓ ଐତିହ୍ୟ କ୍ୟାବିନେଟ୍‌, ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କୁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ, ମିଶନଶକ୍ତି ଆନ୍ଦୋଳନରେ ୭୦ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବା, ବିଏସକେୱାଇ ହେଲଥ କାର୍ଡରେ ଗୁଣାତ୍ମକ ମାଗଣା ସ୍ୱାସ୍ଥ୍ୟସେବା, ୧୦ ନୂଆ ମେଡିକାଲ କଲେଜ, ସ୍କୁଲ ରୂପାନ୍ତରୀକରଣ ବିଜେଡିର ମାଇଲଖୁଣ୍ଟ ।

ରାଜ୍ୟରେ ବିକାଶର ଗତିଶୀଳତାକୁ ଆଗକୁ ନେବାକୁ ‘5T’ ଦଳଗତ କାର୍ଯ୍ୟ, ସ୍ୱଚ୍ଛତା, ବୈଷୟିକ ଜ୍ଞାନ, ପରିବର୍ତ୍ତନ ଓ ସମୟ (ଟିମ୍ ୱାର୍କ, ଟ୍ରାନସ୍‌ପରେନ୍ସି, ଟେକ୍‌ନୋଲୋଜି, ଟ୍ରାନସଫରମେସନ, ଟାଇମ୍‌) ଅନୁସାରେ କାମ ଆରମ୍ଭ ହୋଇଛି । ଜନସାଧାରଣଙ୍କୁ ତ୍ୱରିତ ସେବା ଦେବାରେ ଏହା ବହୁତ ସହାୟକ ହେଉଛି । ମଧ୍ୟସ୍ଥି, ଦଲାଲଙ୍କ ଶୋଷଣରୁ ମିଳିଛି ମୁକ୍ତି । ରାଜ୍ୟରେ ଆରମ୍ଭ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ ।

ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟନଗରୀ କରିବା ସହ ଏକାମ୍ରକ୍ଷେତ୍ରକୁ ନୂଆ ରୂପ ଦେବାର କାମ ଆରମ୍ଭ ହୋଇଛି । ବିକାଶଶୀଳ ଦେଶ ଭଳି ରାଜ୍ୟରେ ଘରେ ମିଳୁଛି ଜୀବାଣୁ ଶୂନ୍ୟ ପଇପ୍ ପାଣି । କଟକ ବଡ଼ ମେଡିକାଲକୁ ‘ଏମ୍ସ ପ୍ଲସ୍‌’ ଭାବେ ଗଢିବାକୁ କାମ ଆଗେଇଛି । ବିପର୍ଯ୍ୟୟର ମୁକାବିଲାର ରୋଲ ମଡେଲ ନବୀନ କରୋନା କାଳରେ ‘ସଂକଟମୋଚକ’ ଭାବେ ଉଭା ହେଲେ । ‘ହକି’ ପାଇଁ ନବୀନ ସାଜିଛନ୍ତି ଲକି ମାସ୍କଟ । ଏବେ ଫୁଟବଲ ପାଇଁ ଅଣ୍ଟା ଭିଡ଼ିଛନ୍ତି । ହଁ….ସମଗ୍ର ବିଶ୍ୱ ଦରବାରରେ ଓଡ଼ିଶାର ଏବେ ନୂଆ ପରିଚୟ । ବିକାଶର ରାସ୍ତାରେ ଏବେ ଓଡ଼ିଶା । ବିଶ୍ବ ଶୁଣୁଛି ଓଡ଼ିଶା ସଫଳତାର କାହାଣୀ ।

ଏ ପରିବର୍ତ୍ତନର ପୁରୋଧା ହେଉଛନ୍ତି ବିକାଶ ପୁରୁଷ ନବୀନ । ନବୀନଙ୍କ ଜନ୍ମଦିନରେ ଚାରଆଡୁ ଶୁଭେଛା ଓ ଶୁଭକାମନାର ସୁଅ । ସମସ୍ତେ କହୁଛନ୍ତି ନବୀନ ତୁ ସି ଗ୍ରେଟ ହୋ…. ।

ହାପି ବାର୍ଥ ଡେ’ ନବୀନ: ୭୭ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜନନାୟକ ତଥା କୋଟି ଓଡ଼ିଆଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୭ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଜନ୍ମଦିନରେ ନବୀନ ନିବାସ ନ ଆସିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟର ଆର୍ଥିକ ବିକାଶ ପାଇଁ ନିବେଶକଙ୍କ ସହ ଆଲୋଚନା କରିବାକୁ ହାଇଦ୍ରବାଦ୍ ଯାଉଛନ୍ତି ନବୀନ । ଓଡ଼ିଶାବାସୀଙ୍କ ସ୍ନେହ ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ଋଣି ବୋଲି କହିଛନ୍ତି । ଚଳିତବର୍ଷ ଜନସେବାର ୨୫ ବର୍ଷ ପୂରଣ କରିଛନ୍ତି ନବୀନ ।

ବିଜୁ ଜନତା ଦଳ କର୍ମୀ ଓ ନେତା ଆଜି ଦିନକୁ ସେବାର ଦିନ ଭାବେ ପାଳନ କରୁଛନ୍ତି । ସାରା ରାଜ୍ୟରେ ବ୍ୟାପକ ହେଉଛି ରକ୍ତଦାନ ଶିବିର । ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି ଦଳ । ବ୍ୟାପକ ବୃକ୍ଷରୋପଣ ବି କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଯାଜପୁରରେ ଜିଲ୍ଲା ବାଳାଶ୍ରମ ପଡ଼ିଆ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ପ୍ରତିମୂର୍ତ୍ତି ଲଗାଯାଇଛି । ଏହି ଅବସରରେ ଆୟୋଜନ ହୋଇଛି ବ୍ୟାପକ କାର୍ଯ୍ୟକ୍ରମ ।

ରାଜ୍ୟ କ୍ୟାବିନେଟରେ 9ଟି ପ୍ରସ୍ତାବରେ ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ 9ଟି ପ୍ରସ୍ତାବକୁ ବାଜିଛି ମୋହର । ଦକ୍ଷତା ବିକାଶ ଓ କୌଶଳ, ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ । ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର ନିୟମାବଳୀରେ ସଂଶୋଧନ । ସହକାରୀ ଉପବିଭାଗ ଅଧିକାରୀ ପଦବୀରେ ବରିଷ୍ଠଙ୍କୁ ନିଯୁକ୍ତି । ସମନ୍ବିତ ବୈଷୟିକ ସେବା ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ 2022ର ପ୍ରଣୟନ ନେଇ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବିଭିନ୍ନ ବୈଷୟିକ ପଦବୀରେ ନିଯୁକ୍ତି ପାଇଁ ଏଣିକି ଏକକ ପରୀକ୍ଷା ହେବ ।

ଖ-ବର୍ଗ ଆଶାୟୀ ଏକକ ପରୀକ୍ଷା ପାଇଁ ଆବେଦନ କରିପାରିବେ । ସେହିପରି ନୟାଗଡ଼ ଜିଲ୍ଲାରେ ହେବ ଦୁଇଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଜଳ ଜୀବନ ମିଶନ,JJM ଯୋଜନାରେ ରଣପୁର ଓ ଓଡ଼ଗାଁରେ ହେବ ପ୍ରକଳ୍ପ । ଉପକୃତ ହେବ 429 ଟି ଗ୍ରାମର ଲୋକେ । ପ୍ରକଳ୍ପ ପାଇଁ 395 କୋଟିରୁ ଅଧିକ ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି । ସେହିପରି ବରଗଡ଼ ଜିଲ୍ଲାରେ ହେବ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଆମ୍ବଭୋନା, ଭଟଲି ଓ ସୋହେଲାରେ ହେବ ପ୍ରକଳ୍ପ । ଉପକୃତ ହେବେ 316 ଟି ଗ୍ରାମର ଲୋକ ।

ପ୍ରକଳ୍ପ ପାଇଁ 453 କୋଟିରୁ ଅଧିକ ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ 5ଟି ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ପ୍ରକଳ୍ପ ପାଇଁ 456 କୋଟିରୁ ଅଧିକ ଟଙ୍କାର ଟେଣ୍ଡରକୁ ମିଳିଛି ଅନୁମୋଦନ । କଳାହାଣ୍ଡିର 2 ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ମିଳିଥିବାବେଳେ 4 ଜିଲ୍ଲାରେ 11 ବ୍ଲକ ପାଇଁ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେବ ।

ରାଜ୍ୟ ଇତିହାସରେ ବଡ଼ ଘୋଷଣା, ହଟିଲା ଠିକା ନିଯୁକ୍ତି ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟ ଇତିହାସରେ ବଡ଼ ଘୋଷଣା  । କ୍ୟାବିନଟରେ ଐତିହାସିକ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ  । ଜନ୍ମଦିନରେ ଦେଲେ ବଡ଼ ଉପହାର  । ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦୀର୍ଘଦିନର ଦାବି ଶୁଣିଛନ୍ତି  । ଉଚ୍ଛେଦ କରିଛନ୍ତି  ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା  । ରାଜ୍ୟରେ ଥିବା କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରୁ ଉଚ୍ଛେଦ ହେଲା ଠିକା ନିଯୁକ୍ତି ବ୍ୟବସ୍ଥା । ଆସନ୍ତାକାଲି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  । ମୋଟ ୫୭ ହଜାର କର୍ମଚାରୀ ଏହି ପ୍ରକ୍ରିୟାରେ ବର୍ତ୍ତମାନ  ସ୍ଥାୟୀ ହେବେ’ । ଯେଉଁଥିପାଇଁ ଖର୍ଚ୍ଚ ହେବ ‘୧୩୦୦ କୋଟି  ।  ଅତିରିକ୍ତ ବଜେଟ୍ ହେବ ବୋଲି କହିଛନ୍ତି ସିଏମ ।  ଏଣିକି ନିୟମିତ ହେବେ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ।

ସଂଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇଥିଲେ  । କହିଥିଲେ,  ଆପଣମାନଙ୍କ ଆଶୀର୍ବାଦରେ ୨୦୦୦ ମସିହାରେ ମୁଁ ଓଡିଶା ମା’ର ସେବାର ସୁଯୋଗ ପାଇଥିଲି। ମହାବାତ୍ୟା ପର ସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ମୋ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା। ନିତି ଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ଓଡିଶା ଅର୍ଥନୀତି ପାଇଁ ଏହା ଏକ କଳା ସମୟ ଥିଲା । ରାଜକୋଷ ଖାଲି ଥିଲା। ଅର୍ଥନୀତି ଉପରେ ବହୁତ ଚାପ ଥିଲା। ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ଆମେ ବହୁତ ପଛୁଆ ଥିଲୁ । ବନ୍ୟା ବାତ୍ୟା ମରୁଡି ଲାଗି ରହି ଥିଲା ଗରିବୀ ବହୁ ଅଧିକ ଥିଲା  ।

ସୀମିତ ସମ୍ବଳ ଭିତରେ ଏସବୁ କ୍ଷେତ୍ରରେ ଉନ୍ନତି ଆଣିବା ଥିଲା ଆମ ପାଇଁ ସବୁଠାରୁ ବଡ ପ୍ରାଥମିକତା। ସେତେବେଳେ ନିଯୁକ୍ତି ପୁରାପୁରି ବନ୍ଦ ଥିଲା । ପୋଷ୍ଟ ସବୁ ଉଚ୍ଛେଦ କରିବାକୁ ପଡୁଥିଲା । ଏହା ମୋ ପାଇଁ ବହୁତ କଷ୍ଟକର ଥିଲା। ମୋ ରାଜ୍ୟର ପିଲାମାନେ ନିଯୁକ୍ତି ନ ପାଇ ହଇରାଣ ହେଉଥିଲେ। ଏହା ମୋତେ ବହୁତ ଦୁଃଖ ଦେଉଥିଲା । ପ୍ରତିଦିନ ମୋ ମନରେ ଚିନ୍ତା ଥିଲା, କେବେ ପରିସ୍ଥିତିରେ ଉନ୍ନତି ଆସିବ ଏବଂ ଆମ ପିଲାମାନେ ରେଗୁଲାର ନିଯୁକ୍ତି ପାଇବେ ?

ଆପଣମାନଙ୍କର ସହଯୋଗ ଓ ମହାପ୍ରଭୁଙ୍କ ଆଶୀର୍ବାଦ ହିଁ ଆମର ସବୁଠାରୁ ବଡ ଶକ୍ତି । ଉତ୍ତମ ଆର୍ଥିକ ପରିଚାଳନା ଓ ସୁଶାସନ ଜରିଆରେ ହିଁ ଧିରେ ଧିରେ ପରିସ୍ଥିତିରେ ଉନ୍ନତି ଆସିଲା । ୨୦୧୩ରୁ ଆମେ ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କଲୁ । ଏହା ମଧ୍ୟ ମୋ ପାଇଁ ଏକ କଷ୍ଟକର ନିଷ୍ପତ୍ତି ଥିଲା। ଏବେ ଆମ ଅର୍ଥନୀତିରେ ଉନ୍ନତି ଆସିଛି । ବିକାଶ କ୍ଷେତ୍ରରେ ଓଡିଶା ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି । ଗତ ବର୍ଷ ଆମେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି କୁ ପରିବର୍ତ୍ତନ କରି ଇନିସିଆଲ ଆପଏଣ୍ଟି କରିଥିଲୁ ।

ଆଜି ମୁଁ ଖୁସିର ସହ ଘୋଷଣା କରୁଛି ଯେ ଆଜି ରାଜ୍ୟ କ୍ୟାବିନେଟ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବ୍ୟସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ବି ଅନେକ ରାଜ୍ୟରେ ନିୟମିତ ନିଯୁକ୍ତି ବନ୍ଦ ଅଛି । ଚୁକ୍ତିଭିତ୍ତିକ ନିଯୁକ୍ତି ଚାଲିଛି। ଓଡିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହେଲା। ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ । ବହୁ ଦିନ ଧରି ଏ ସୁଦିନକୁ ମୁଁ ଅପେକ୍ଷା କରିଥିଲି। ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ହାରାହାରି 13୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ସେମାନଙ୍କ ପରିବାର ପାଇଁ ଏହା ଆଗୁଆ ଦୀପାବଳି ଆଣିଛି।

ଆଜି ଓଡିଶା ଆତ୍ମବିଶ୍ବାସର ସହ ଆଗକୁ ବଢୁଛି । ସଶକ୍ତ ହେଉଛି। ଓଡିଶା ଇତିହାସର ଏହା ଏକ ସୁବର୍ଣ୍ଣ ମୂହୁର୍ତ୍ତ । ସରକାରୀ କର୍ମଚାରୀ ମାନଙ୍କୁ ମୋର ଅନୁରୋଧ, ଆପଣମାନେ ସମସ୍ତେ ଭଲ କାମ କରନ୍ତୁ। ନିଷ୍ଠାର ସହ ଲୋକଙ୍କ ସେବା କରନ୍ତୁ । ଦାୟିତ୍ବ ପାଳନ କରିବାବେଳେ, ୫-ଟି ଉପକ୍ରମ – ଟିମ୍‌ ୱାର୍କ, ଟେକ୍‌ନୋଲୋଜି, ଟ୍ରାନ୍‌ସପ୍ୟାରେନ୍‌ସି ଓ ଟ୍ରାନସଫରମେସନକୁ ଅନୁସରଣ କରନ୍ତୁ। ସରକାରଙ୍କ ପରିଚୟକୁ ଆହୁରି ଉଜ୍ଜଳ କରନ୍ତୁ ଏବଂ ଓଡିଶାର ରୂପାନ୍ତରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖନ୍ତୁ ।

ବିଶ୍ୱ ଶୁଣିବ BSKY କାହାଣୀ, ଜର୍ମାନୀରେ କହିବେ ଅମର

ବର୍ଲ୍ଲିଂନ: ଜର୍ମାନୀରେ ଶୁଭିବ ବିଏକେଓ୍ବାଇର ସଫଳ କାହାଣୀ । ବିଶ୍ବ ସ୍ବାସ୍ଥ୍ୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଯୋଗ ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଓ ସାର୍ବଜନିନ ସ୍ବାସ୍ଥ୍ୟ ଚିକତ୍ସା କ୍ଷେତ୍ରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ମାଇଲ ଖୁଣ୍ଟ ଭାବେ ଉଭା ହୋଇଛି । ରାଜ୍ୟର ପ୍ରତ୍ୟେକ ଗରିବୀ ପରିବାରରେ ସଞ୍ଜିବନୀ ସାଜିଛି ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା  ।

୧୬ରୁ ୧୮ ଅକ୍ଟୋବର ତିନିଦିନ ଧରି ଜର୍ମାନରେ ବର୍ଲିନରେ ଅନୁଷ୍ଠିତ ହେଉଛି ବିଶ୍ବସ୍ବାସ୍ଥ୍ୟ ସମ୍ମିଳନୀ  । ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଓଡ଼ିଶାରୁ ସାଂସଦ ଅମର ପଟ୍ଟନାୟକ ଯୋଗଦେଇଛନ୍ତି  । ରାଜ୍ୟରେ ସାଧାରଣ ଗରିବୀ ଏବଂ ଦିନ ମଜୁରିଆ ଲୋକଟି କିଭଳି ବିଏସକେୱାଇ ଦ୍ୱାରା ଉପକୃତ ହେଉଛି  । କିଭଳି ଏହା ସାଧାରଣ ଲୋକଟି ପାଇଁ ସଞ୍ଜିବନୀ ସାଜିଛି ସେ ବିଷୟରେ ଉଲ୍ଲେଖ କରିବେ ସାଂସଦ ଅମର ପଟ୍ଟନାୟକ ।

ସଂଧ୍ୟାରେ CM କରିବେ ବଡ଼ ଘୋଷଣା, କ୍ୟାବିନେଟ୍ ନେଇଛି ଐତିହାସିକ ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ସଂଧ୍ୟାରେ ମୁଖ୍ୟମନ୍ତ୍ରୀ କରିବେ ବଡ଼ ଘୋଷଣା  । ଲୋକସେବା ଭବନରେ ଜାରି ରହିଛି କ୍ୟାବିନେଟ ବୈଠକ  । ଉକ୍ତି କ୍ୟାବିନେଟରେ ବଡ଼ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଉଥିବା ସୂଚନା ମିଳିଛି  । ରାଜ୍ୟ କ୍ୟାବିନେଟରେ ଆସିବ ଐତିହାସିକ ନିଷ୍ପତ୍ତି, ତେଣୁ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ବଢିଛି  ।

ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଧ୍ୟା ୬ଟା ୩୦ରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ  । କ୍ୟାବିନେଟରେ ନିଆଯାଇଥିବା ବଡ଼ ନିଷ୍ପତ୍ତି ସଂକ୍ରାନ୍ତରେ  ମୁଖ୍ୟମନ୍ତ୍ରୀ ଘୋଷଣା କରିବେ  ।  କ୍ୟାବିନେଟରେ ୧୦ରୁ ଉର୍ଦ୍ଧ୍ୱ ନିଷ୍ପତିରେ ବାଜିପାରେ ମୋହର । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି ରାଜ୍ୟବାସୀ  ।

୮ ୱିକେଟରେ ଶ୍ରୀଲଙ୍କାକୁ ହରାଇ ଭାରତର ବିଜୟ

ନନ୍ଦିଘୋଷ ବ୍ୟୁରୋ: ମହିଳା ଏସିଆ କପ୍ କ୍ରିକେଟରେ ଭାରତର ବାଜିମାତ୍ । ୮ ଓ୍ବିକେଟରେ ଶ୍ରୀଲଙ୍କାକୁ ହରାଇ ଭାରତର ଫାଇନାଲ ବିଜୟ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୯ ଓ୍ବିକେଟ ହରାଇ ୬୫ ରନ୍ କରିଥିବା ବେଳେ ଭାରତ ମାତ୍ର ଦୁଇଟି ଓ୍ବିକେଟ ହରାଇ ୭୧ ରନ୍ କରିଛି । ଶ୍ରୀଲଙ୍କାର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିବା ବେଳେ ୮ଜଣ ଖେଳାଳି ଦୁଇ ଅଙ୍କ ରନ୍ ବି ଛୁଇଁ ପାରିନଥିଲେ ।

ଭାରତୀୟ ବୋଲର ରେନୁକା ସିଂ ତିନୋଟି ଓ୍ବିକେଟ, ରାଜେଶ୍ବରୀ ଗାଏକଓ୍ବାଡ ଏବଂ ସ୍ନେହ ରାଣା ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଭାରତୀୟ ବ୍ୟାଟ୍ସମ୍ୟାନ୍ ସ୍ମ୍ରିତି ମନ୍ଧାନା ୨୫ ବଲରେ ସର୍ବାଧିକ ୫୧ ରନ୍ କରି ନଟଆଉଟ ରହିଥିଲେ ।

କର୍ଣ୍ଣାଟକରେ କଂଗ୍ରେସର ଗର୍ଜନ, ବିଜେପିକୁ ରାହୁଲଙ୍କ ଟାର୍ଗେଟ୍

ବେଙ୍ଗାଲୁର: ଭାରତ ଯୋଡ଼ୋ ଯାତ୍ରାରେ କଂଗ୍ରେସର ଗର୍ଜନ । କର୍ଣ୍ଣାଟକ ବେଲାରୀରେ କଂଗ୍ରେସ ପକ୍ଷରୁ କରାଯାଇଛି ବିଶାଳ ସମାବେଶ । ଦରବୃଦ୍ଧି, ବେକାରୀ, ଅର୍ଥନୈତିକ ସଂକଟ ଆଦିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ନେତା । ସମାବେଶରେ ଯୋଗ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଭିନ୍ନ ପ୍ରସଙ୍ଗ ଉତଥାପନ କରିଥିବାବେଳେ ଦେଶରେ ବିଜେପି ବିରୋଧରେ ମେଳି ଲାଗି ଆହ୍ବାନ ଦେଇଛନ୍ତି ।

ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି,   ଦେଶରେ ବିଜେପି ଓ ଆରଏସଏସ ଯୋଗୁ ବିଦ୍ବେଷ ଓ ହିଂସା ବଢୁଛି । କର୍ଣ୍ଣାଟକରେ ହେଉଥିବା ରୈଜନୈତିକ ସମାବେଶରେ ସାମିଲ ହୋଇଛନ୍ତି ଏଆଇସିସି ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜ୍ଜୁନ ଖାଡଗେ । କେରଳ ପରେ କର୍ଣ୍ଣାଟକରେ ଏବେ ଯାତ୍ରା ଜାରି ରହିଥିବାବେଳେ ବିପୁଳ ଜନସମର୍ଥନ ପରିଲକ୍ଷିତ ହୋଇଛି ।

କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ପୁଣି କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ହତ୍ୟା

ଜମ୍ମୁ-କାଶ୍ମୀର: କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ । ଦକ୍ଷିଣ କାଶ୍ମୀରର ସୋପିଆନ ଅନ୍ତର୍ଗତ ଚୌଧୁରୀ ଗୁଣ୍ଡ୍ ଇଲାକାରେ ଜଣେ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ପୂରଣ କିଷନ ଭଟ୍ଟ ନାମକ ଜଣେ ପଣ୍ଡିତ ତାଙ୍କ ଘର ନିକଟରେ ଥିବାବେଳେ କେତେକ ଆତଙ୍କବାଦୀ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା ।

ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଅଞ୍ଚଳ ସିଲ୍ କରି ପୋଲିସ ଛାନବିନ କରୁଛି । ହତ୍ୟାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । କାଶ୍ମୀରୀ ପଣ୍ଡିତଙ୍କ ସୁରକ୍ଷା ଦାବି କରାଯାଇଛି । କିଛି ଦିନର ବ୍ୟବଧାନ ପରେ ପୁଣି ପଣ୍ଡିତଙ୍କୁ ଟାର୍ଗେଟ କରାଯିବା ପରେ ଆତଙ୍କ ପ୍ରକାଶ ପାଇଛି ।