spot_img
Home Blog Page 3826

ବିଜେପିର ଅଭିଯୋଗ, ସାଂସଦ ସନ୍ନି ଦେଓଲ ନିଖୋଜ

ଅମୃତସର: ପଞ୍ଜାବ ଗୁରୁଦାସପୁର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ ସନ୍ନି ଦେଓଲ ନିଖୋଜ । ସନ୍ନି ମିସିଂ ଥିବା ନେଇ ବିଜେପି କର୍ମୀମାନେ ପଠାନକୋଟ ସହରରେ ମାରିଛନ୍ତି ପୋଷ୍ଟର । ବିଶିଷ୍ଟ ଅଭିନେତା ତଥା ସାଂସଦ ଲୋକଙ୍କ ସହ ନଥିବାରୁ ଉତକ୍ଷିପ୍ତ କର୍ମୀ ସନ୍ନି ମିସିଂ ଥିବା ନେଇ ପୋଷ୍ଟର ମାରିଛନ୍ତି । ବିଭିନ୍ନ ଘରର କାନ୍ଥ, ରେଳଷ୍ଟେସନ ଓ ଯାନବାହନରେ ଏହି ପୋଷ୍ଟର ମରାଯାଇଛି ।

ଦୀର୍ଘ ଦିନ ଧରି ସଂସଦୀୟ କ୍ଷେତ୍ରରେ ସେ ଅନୁପସ୍ଥିତ ରହିବା ସହ ବିଭିନ୍ନ ଉନ୍ନୟମମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି । ଏପରିକି ସନ୍ନିଙ୍କ ଇସ୍ତଫା ଦାବି କରିଛନ୍ତି ଖୋଦ୍ ଦଳୀୟ କର୍ମୀ । କେତେକ କର୍ମୀ କହିଛନ୍ତି ସେ ରାଜ୍ୟରେ ଶିଳ୍ପ ପ୍ରଗତି ନେଇ କୌଣସି କାର୍ଯ୍ୟ କରି ନଥିବାବେଳେ ସଂସଦୀୟ ପାଣ୍ଠି ଖର୍ଚ୍ଚ କରିନାହାନ୍ତି । ଗୁରୁଦାସପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ସୁନୀଲ ଜାଖଡଙ୍କୁ ପରାସ୍ତ କରିଥିଲେ ସନ୍ନି ଦେଓଲ ।

ଫଳାଫଳ ଭିତ୍ତିକ ଗବେଷଣା ସଂକଳନକୁ ଉନ୍ମୋଚନ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଫଳାଫଳ ଭିତ୍ତିକ ଉନ୍ନୟନମୂଳକ ପରିଚାଳନା ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୁପ ରାଜ୍ୟ ସରକାର ସ୍ଥାନ ଭିତ୍ତିକ ଅଧ୍ୟୟନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀର ଉତ୍କର୍ଷ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ପ୍ରଥମ ସ୍ଥାନ ଭିତ୍ତିକ ଗବେଷଣା ସଂକଳନକୁ ଆଜି ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର ଉନ୍ମୋଚନ କରିଛନ୍ତି । ଏଥି ପାଇଁ ରାଜ୍ୟ ଲୋକସେବା ଭବନ ସଭାଗୃହରେ ଆୟୋଜିତ ବୈଠକରେ ଗୋପବନ୍ଧୁ ଏକାଡ଼େମୀର ମହା ନିର୍ଦ୍ଦେଶକ  ରଂଜନା ଚୋପ୍ରା ଏବଂ ୟୁନିସେଫ୍ର ରାଜ୍ୟ ମୁଖ୍ୟ ଡ଼ଃ ମୋନିକା ନିଲେସନ୍ ଯୋଗ ଦେଇଥିଲେ ।
ଉତ୍କର୍ଷ କେନ୍ଦ୍ରର ଏତାଦୃଶ ସୃଜନାତ୍ମକ ପ୍ରଚେଷ୍ଟା ପାଇଁ ଗବେଷକମାନଙ୍କୁ ସାଧୁବାଦ ଜଣାଇବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏ ପ୍ରକାର ଅଧ୍ୟୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଏସବୁ ଅଧ୍ୟୟନ ମାଧ୍ୟମରେ ଜନ-ସମୁଦାୟମାନଙ୍କର ଆବଶ୍ୟକତା, ଆକାଂକ୍ଷା ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଥିବା କ୍ଷେତ୍ରସ୍ତରୀୟ ଗୁରୁତ୍ୱପୂର୍ଣ୍ଣ-ଶୂନ୍ୟତା (କ୍ରିଟିକାଲ୍ ଗ୍ୟାପ୍) ଆଦି ଜାଣି ହେବ । ଅଧ୍ୟୟନର ଫଳାଫଳ ଅଧିକାରୀମାନଙ୍କ ତାଲିମ ନିମନ୍ତେ ଅତି ଉପାଦେୟ ଦେବା ସହ ଏବଂ ଅନ୍ୟତ୍ର ପ୍ରୟୋଗ ନିମନ୍ତେ ବିଭିନ୍ନ ପ୍ରକଳ୍ପ ନମୁନା ପ୍ରସ୍ତୁତିରେ ସହାୟକ ହେବବୋଲି ଶ୍ରୀ ମହାପାତ୍ର କହିଥିଲେ ।
ଅଧ୍ୟୟନରୁ ପ୍ରାପ୍ତ ତଥ୍ୟ ଓ ଉପସଂହାର ବିଷୟରେ ସଂପୃକ୍ତ ବିଭାଗମାନଙ୍କ ସହ ଆଲୋଚନାତ୍ମକ ଅନୁଶୀଳନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଗୋପବନ୍ଧୁ ଏକାଡ଼େମୀଙ୍କୁ ପରାମର୍ଶ ଦେଇଥିଲେ । ଏହା କ୍ଷେତ୍ରସ୍ତରୀୟ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସହଯୋଗିତା-ଭିତ୍ତିକ ଯୋଜନା ଓ ପ୍ରକଳ୍ପ ପ୍ରସ୍ତୁତି ଦିଗରେ ସହାୟକ ହେବ ।
ମହା ନିର୍ଦ୍ଦେଶ ଶ୍ରୀମତୀ ଚୋପ୍ରା କହିଥିଲେ ଯେ ରାଜ୍ୟ ସରକାରଙ୍କ ପାଣ୍ଠି ଏବଂ ୟୁନିସେଫ୍ଙ୍କ ବୈଷୟିକ ସହଯୋଗିତାରେ ୨୦୨୧ ମସିହାରୁ ଗୋପବନ୍ଧୁ ଏକାଡ଼େମୀର ଉତ୍କର୍ଷ କେନ୍ଦ୍ର ରାଜ୍ୟ ତାଲିମ ନିୟାମକ ଅନୁସାରେ କାର୍ଯ୍ୟ କରୁଛି । ଏହାର ପ୍ରଥମ ସଂକଳନ ବର୍ତ୍ତମାନ ପ୍ରକାଶିତ ହେଲା । ଏହି ସଂକଳନ ଉଭୟ ଉନ୍ନୟନମୂଳକ-ପ୍ରଶାସନ ଏବଂ ଅଧିକାରୀ ମାନଙ୍କ ତାଲିମର ଗୁଣାତ୍ମକ ବିକାଶରେ ବ୍ୟବହୃତ ହେବ ।
ୟୁନିସେଫ୍ ରାଜ୍ୟ ମୁଖ୍ୟ ଡ଼ଃ ମୋନିକା କହିଥିଲେ ଯେ ସ୍ଥାନ ଭିତ୍ତିକ ଗବେଷଣା ପଦ୍ଧତି ନେଇ କାର୍ଯ୍ୟ କରୁଥିବା ଉତ୍କର୍ଷ କେନ୍ଦ୍ର ସାରା ଦେଶରେ ପ୍ରଥମ । ଗୋପବନ୍ଧୁ ଏକାଡ଼େମୀର ଏହି କେନ୍ଦ୍ର ସହ ୟୁନିସେଫ୍ ନିଜର ସହଯୋଗିତା ବଜାୟ ରଖିବ । ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ଡ଼ଃ ଶଶାଙ୍କ ଗ୍ରହାଚାର୍ଯ୍ୟ କହିଥିଲେ ଯେ ବିବିଧ ବିଷୟରେ ୧୯ ଟି ଫଳାଫଳ ଭିତ୍ତିକ ଗବେଷଣା ଏହି ସଂକଳନରେ ସ୍ଥାନିତ ହୋଇଛି । ଆଦର୍ଶ ବିଦ୍ୟାଳୟର କାର୍ଯ୍ୟକାରିତା, ମହିଳା ବୁଣାକାରଙ୍କ ରୋଜଗାର ଉପରେ କୋଭିଡ୍-୧୯ ର ପ୍ରଭାବ, ସିକଲ୍ ସେଲ୍ର ପ୍ରଥମାବସ୍ଥାରୁ ନିର୍ଣ୍ଣୟ ଓ ଚିକିତ୍ସା , ଉପକୂଳ ଅଞ୍ଚଳରେ ମତ୍ସ୍ୟଜିବୀ ସମୁଦାୟ, ମାନସିକ ଅନଗ୍ରସର ପିଲାମାନଙ୍କର ଯତ୍ନ ଓ ଶିକ୍ଷା, ସ୍ୱାଧାର ଗୃହର କାର୍ଯ୍ୟକାରିତା, କିଶୋରୀମାନଙ୍କ ମଧ୍ୟରେ ରକ୍ତହୀନତା, ଧାନ ସଂଗ୍ରହ, ଅପପୁଷ୍ଟିର ସମାଧାନ, ବନ୍ୟଜନ୍ତୁ ଶିକାର ନିରାକରଣ, ଜନସମୁଦାୟ ସ୍ତରରେ ନୂତନ ଜିବୀକା ନିର୍ବାହ ପନ୍ଥା ଆଦି ପ୍ରମୁଖ ବିଷୟ ଏଥିରେ ସ୍ଥାନିତ ହୋଇଛି ।
ଡ଼ଃ ଶଶାଙ୍କ ଗ୍ରହାଚାର୍ଯ୍ୟ, ପଦ୍ମଜା ପତି, ସୌମ୍ୟ ବାନାର୍ଜୀ, ରଶ୍ମିତା ବେହେରା ଏବଂ ଅମର୍ତ୍ୟ କ୍ରିଷ୍ଣା ରାୟ ଆଦି ଗବେଷକମାନଙ୍କୁ ନେଇ ଗଠିତ ଉତ୍କର୍ଷ କେନ୍ଦ୍ରର ଗବେଷଣା ଟିମ୍ଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି । ସଂକଳନଟିକୁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ଏବଂ ୟୁନିସେଫ୍ଙ୍କ ଦ୍ୱାରା ଯୌଥ ଭାବେ ପ୍ରକାଶନ କରାଯାଇଛି ।

ଛାଡପତ୍ର ପରେ ବି ସ୍ୱାମୀ ବୁଝିବେ ସ୍ତ୍ରୀ-ଛୁଆ କଥା

ନୂଆଦିଲ୍ଲୀ: ସ୍ତ୍ରୀ, ପିଲାଙ୍କ ପ୍ରତି ଦାୟିତ୍ୱକୁ ଏଡ଼ାଇ ପାରିବେନି ସ୍ବାମୀ । ଶାରୀରିକ ପରିଶ୍ରମ କରି ପରିବାରକୁ ଚଳାଇବା ସ୍ବାମୀଙ୍କ ଦାୟିତ୍ବ ବୋଲି କହିଛନ୍ତି ବମ୍ବେ ହାଇ କୋର୍ଟ । ଛାଡ଼ପତ୍ର ପରେ ବି ସ୍ତ୍ରୀ ଓ ନାବାଳକ ପିଲାଙ୍କ ଚଳିବା ପାଇଁ ଆର୍ଥିକ ସୁରକ୍ଷା ଦେବାକୁ ସ୍ବାମୀ ବାଧ୍ୟ । ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

CRPC ସେକ୍ସନ ୧୨୫ ଆଧାରରେ ସାମାଜିକ ନ୍ୟାୟ ବ୍ୟବସ୍ଥାରେ ସ୍ତ୍ରୀ ଓ ପିଲାଙ୍କୁ ସୁରକ୍ଷା ଦେବା ସ୍ବାମୀର କର୍ତ୍ତବ୍ୟ । କୌଣସି ପରିସ୍ଥିତିରେ ସେ ଏହାକୁ ଏଡ଼ାଇ ଯାଇପାରିବେ ନାହିଁ । ରୋଜଗାର ନଥିବାରୁ ସ୍ତ୍ରୀ, ପିଲାଙ୍କୁ ଆର୍ଥିକ ସୁରକ୍ଷା ଦେଇ ନପାରିବା ନେଇ କୋର୍ଟରେ ଦାଏର ପିଟିସନର ଶୁଣାଣି କରି ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଏହାସହ ସ୍ବାମୀଙ୍କ ପିଟିସନକୁ ଖାରଜ କରିଦେଇଛନ୍ତି ।

ଭାଙ୍ଗିଗଲା ବନ୍ଦେ ଭାରତ ଏକ୍ସପ୍ରେସର ସମ୍ମୁଖ ଭାଗ, ୩୦ରେ ଉଦଘାଟନ କରିଥିଲେ PM

ଗାନ୍ଧୀନଗର: ଦୁର୍ଘଟଣାଗ୍ରସ୍ତ ହୋଇଛି ବନ୍ଦେ ଭାରତ ଟ୍ରେନ  ।  ଗୁଜୁରାଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବନ୍ଦେଭାରତ ଏକ୍ସପ୍ରେସ୍‌ । ଗୁରୁବାର ସକାଳେ ବତ୍ତ୍ବ ରେଳ ଷ୍ଟେସନରୁ ମାନୀନଗର ଯାଉଥିବା ବେଳେ ଏକ ମଇଁଷିକୁ ଧକ୍କା ଦେଇଥିଲା ଏହି ସେମି ହାଇସ୍ପିଡ୍‌ ଟ୍ରେନ୍‌  ।  ମଇଁଷିପଲକୁ ଧକ୍କା ଦେବାପରେ ଟ୍ରେନ୍‌ର ସମ୍ମୁଖ ଭାଗ ସାମାନ୍ୟ ଭାଙ୍ଗି ଯାଇଥିଲା  ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୩୦ ତାରିଖରେ ଗାନ୍ଧୀନଗରରୁ ମୁମ୍ବାଇ ରୁଟ୍‌ରେ  ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ ।

ମିଳିଥିବା ସୂଚନା ମୁତାବକ ସକାଳ ୧୧ଟା ବେଳେ ଏହି ଟ୍ରେନ୍‌ ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଗ୍ରସ୍ତ ଆରମ୍ଭ କରିଥିଲା  । ମୁମ୍ବାଇରେ ପହଁଚିବା ପୂର୍ବରୁ ଏକ ମଇଁଷି ପଲକୁ ବତ୍ତ୍ବ ରେଳ ଷ୍ଟେସନରୁ ମାନୀନଗର ମଧ୍ୟରେ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଜଣେ ରେଳ କର୍ମଚାରୀ ଟ୍ରେନ୍‌ର ମୁଖ ପାର୍ଶ୍ବରୁ ଭାଙ୍ଗି ଯାଇଥିବା ଅଂଶକୁ ହଟାଇଛନ୍ତି ।  ଟ୍ରାକ୍‌ କ୍ଲିୟର ପରେ ପୁନଃ ବନ୍ଦେ ଭାରତ ଏକ୍ସପ୍ରେସ୍‌ ସେବା ଆରମ୍ଭ  ହୋଇଥିବା ସୂଚନା ମିଳିଛି  ।

ରବିବାରକୁ ଛାଡି ସପ୍ତାହକୁ 6 ଦିନ ଚାଲୁଛି  ବନ୍ଦେ ଭାରତ ଏକ୍ସପ୍ରେସ । ବନ୍ଦେ ଭାରତ ଟ୍ରେନ୍‌ ନମ୍ବର 20901 ସପ୍ତାହକୁ 6 ଦିନ ମୁମ୍ବାଇରୁ ସକାଳ 6ଟା 10ରୁ ବାହାରି ଗାନ୍ଧୀନଗରରେ 12ଟା 30ରେ  ପ୍ରତିଦିନ ପହଁଚୁଛି । ଟ୍ରେନ ନମ୍ବର 20902 ଅପରାହ୍ନ 2ଟା 5ରୁ ଗାନ୍ଧୀନଗରରୁ ବାହାରି ରାତି 8ଟା 35ରେ ମୁମ୍ବାଇରେ ପହିଞ୍ଚିବ । ଏଥିରେ 16ଟି କୋଚ୍‌ ରହିଛି । ଏକ୍ସପ୍ରେସ୍‌ରେ ପାଖାପାଖି 1,128 ଯାତ୍ରୀ ବସିବାର କ୍ଷମତା ରହିଛି । ଏହାର ଓଜନ 392ରୁ ଟନ୍‌ରୁ 38 ଟନକୁ କମାଇ ଦିଆଯାଇଛି ।

ଶାଶୂ ଚିରିଦେଲେ ପାଲ, ଦୀପିକା ପକାଇଲେ ତାଲା

ବ୍ରହ୍ମପୁର: ୬୫ ଦିନ ହେବ ଧାରଣାରେ ଥିବା କେ. ଦୀପିକା ପୁଣି ଚର୍ଚ୍ଚାରେ । ଦୀର୍ଘ ଦିନ ଧରି ଧାରଣାରେ ବସିଥିବା ବେଳେ ଶାଶୁ ଶ୍ବଶୁର ତାଲା ପକାଇ କେଉଁଆଡ଼େ ପଳାଇଥିଲେ । ଆଜି ବ୍ରହ୍ମପୁର ଫେରି ଚାବି ଖୋଲି ଘରକୁ ଯାଉଥିବା ବେଳେ ଦୀପିକା ଟାଙ୍ଗିଥିବା ପାଲ ଚିରି ଦେଇଥିବା ଅଭିଯୋଗ ହୋଇଛି । ଫଳରେ ଘଟଣାସ୍ଥଳରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି ।

ଶାଶୁଘର ଲୋକଙ୍କୁ ଦୀପିକା ମାଡ ମାରିଥିବା ମଧ୍ୟ ଅଭିଯୋଗ ଆସିଛି । ଏପଟେ ମୋର ଯଦି କିଛି ହୁଏ ତାହାହେଲେ ଶ୍ବଶୁର ଘର ଲୋକ ଦାୟୀ ବୋଲି କହିଛନ୍ତି ଦୀପିକା । ଶାଶୂ ଘରେ ନିଜ ହକ୍ ଦାବି କରି ବାରଣ୍ଡାରେ ଧାରଣା ଦେଇଛନ୍ତି ଦୀପିକା । ଦୀପିକାଙ୍କ ଶାଶୁ ଘର ଲୋକ ଏବଂ ଦୀପିକା ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି  । ପରେ ଶାଶୁଘର ଲୋକଙ୍କୁ ଭିତରକୁ ନଛାଡିବାକୁ ଅଡ଼ି ବସିଛନ୍ତି ଦୀପିକା  ।

 

ଫ୍ରାନ୍ସ ଲେଖିକା ଆନି ଏର୍ନକ୍ସ ପାଇବେ ନୋବେଲ

ସ୍ୱିଡେନ୍: ସାହିତ୍ୟ କ୍ଷେତ୍ରରେ ନୋବେଲ ଘୋଷଣା  ।  ପ୍ରସିଦ୍ଧ ଫ୍ରାନ୍ସ ଲେଖିକା ଆନି ଏର୍ନକ୍ସ ପାଇବେ ସାହିତ୍ୟ ଲାଗି ନୋବେଲ । ଏନେଇ  ନୋବେଲ କମିଟି ପକ୍ଷରୁ କରାଯାଇଛି ଘୋଷଣା । ଚଳିତବର୍ଷ ସାହିତ୍ୟ ପାଇଁ ଆନି ଏର୍ନକ୍ସଙ୍କ ନାମ ଘୋଷଣା କରାଯାଇଛି  ।  ଅପରିସୀମ ଶୌର୍ଯ୍ୟ ଓ ବ୍ୟୁତ୍ପତ୍ତି ସୃଷ୍ଟି କରି ଇତିହାସ ରଚିଥିଲେ ଆନି । ବିଶ୍ବର ବିଭିନ୍ନ ଭାଷାରେ ତାଙ୍କର ଅଗଣିତ ଲେଖା ହୋଇଛି ଅନୁଦିତ ।

ଶ୍ରେଣୀ ଓ ଲିଙ୍ଗଗତ ଭାବନାକୁ ନିଜର ଉପନ୍ୟାସରେ ସ୍ଥାନୀତ କରି ସାହିତ୍ୟ ଜଗତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଆନି । ୧୯୦୧ରୁ ବର୍ତ୍ତମାନ ସୁଦ୍ଧା ୧୧୩ଜଣଙ୍କୁ ଦିଆଗଲାଣି ସାହିତ୍ୟରେ ନୋବେଲ । ସାହିତ୍ୟ ପ୍ରତି ପିଲାବେଳୁ ରୂଚି ରଖୁଥିବା ଏହି ପ୍ରସିଦ୍ଧ ଲେଖିକାଙ୍କ ଅନେକ ପୁସ୍ତକ ପାଠକଙ୍ର ହୃଦୟ ଜତିଛି   ।  ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଆଦି ବିଭାଗରେ ନୋବେଲ ଘୋଷଣା କରାଯାଇଥିବାବେଳେ ଆଜି ସାହିତ୍ୟ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର  ।

 

ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନ ଆସେମ୍ବ୍ଲିରେ ଯୋଗଦେବେ ସସ୍ମିତ

ଭୁବନେଶ୍ୱର: ଭାରତ ପକ୍ଷରୁ  ବିଦେଶ ଗସ୍ତ କରିବେ ସସ୍ମିତ ପାତ୍ର  ।  ଆସନ୍ତା ୧୧ରୁ ୧୫ ତାରିଖ ଯାଏ ରାଓ୍ୱଣ୍ଡାର କିଗାଲିରେ ଅନୁଷ୍ଠିତ ହେବ ୧୪୫ତମ ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନ ଆସେମ୍ବ୍ଲି । ଏହି ସମ୍ମିଳନୀରେ ଯୋଗଦେବେ ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ସସ୍ମିତଙ୍କୁ ଚୟନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ । ଏହି ଅଧିବେଶନରେ ଯୋଗଦେବେ ୧୭୦ଟି ଦେଶର ସଂସଦୀୟ ପ୍ରତିନିଧି  ଯୋଗଦେଉଥିବା ବେଳେ ସସ୍ମିତ ମଧ୍ୟ ଗସ୍ତ କରିବେ । ଏହି ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀରେ ଯୋଗ ଦେବାକୁ ମନୋନୀତ ହୋଇଥିବାରୁ କୃତଜ୍ଞତା ଜଣାଇଛନ୍ତି ଡକ୍ଟର ପାତ୍ର ।

ଆତତାୟୀର ଆତଙ୍କ, ଆଖିବୁଜା ଗୁଳିମାଡ଼ରେ ୩୬ ଜଣଙ୍କ ମୃତ୍ୟୁ

ଥାଇଲାଣ୍ଡ: ଥାଇଲାଣ୍ଡର ନା-କ୍ଲାଙ୍ଗ ଅଞ୍ଚଳରେ ଭୟାବହ ଗୁଳିକାଣ୍ଡ । ଆତତାୟୀର ଆଖିବୁଜା ଗୁଳିମାଡ଼ରେ ୩୬ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ ଏକ ଡେ-କେୟାର ସେଣ୍ଟରରେ ଘଟିଛି ଏହି ଲୋମହର୍ଷଣ ହତ୍ୟାକାଣ୍ଡ  ।  ଜଣେ ପୂର୍ବତନ ପୋଲିସ କର୍ମଚାରୀ ଆଜି ଆଖିବୁଜା ଗୁଳିମାଡ଼ କରିଛନ୍ତି  । ଫଳରେ ସେଠାରେ ଉପସ୍ଥିତ ୩୬ଜଣଙ୍କର ମୃତ୍ୟୁ  ହୋଇଛି  । ଏମିତିକି  ଗୁଳିକାଣ୍ଡ ଘଟାଇବା ସହ ନିଜ ପୁତ୍ର ଓ ପତ୍ନୀଙ୍କୁ ବି ହତ୍ୟା କରିଛନ୍ତି ଉକ୍ତ ବ୍ୟକ୍ତି ଜଣଙ୍କ । ଗୁଳିକାଣ୍ଡ ପରେ ସେ ନିଜେ ଆତ୍ମହତ୍ୟା କରିଥିବା ସୂଚନା ମିଲିଛି  ।

ଏହି ଲୋମ ହର୍ଷଣ ହତ୍ୟାକାଣ୍ଡରେ ମୃତକଙ୍କ ମଧ୍ୟରେ ଅଛନ୍ତି ୨୨ ଶିଶୁ, ୫ କର୍ମଚାରୀ ଓ ଜଣେ ଗର୍ଭବତୀ । ଥାଇଲାଣ୍ଡର ନୋଙ୍ଗ ବୁଆ ଲାମ୍ଫୁରେ ଆଜି ସକାଳେ ଆତତାୟୀଜଣକ ଏକ ଡେ-କେୟାର ସେଣ୍ଟରରେ ପ୍ରବେଶ କରି ଆଖିବୁଜା ଗୁଳିମାଡ଼ କରିଥିଲା । ବୀଭତ୍ସ ହତ୍ୟାକାଣ୍ଡ ଘଟାଇବା ପରେ ସେ ନିଜେ ଆତ୍ମହତ୍ୟା କରିଥିଲା । ଏହି ଗୁଳିକାଣ୍ଡ ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆତତାୟୀଜଣକର ନାମ ପାନ୍ୟା ଖାମରାବ ବୋଲି ସୂଚନା ମିଳିଛି । ଏମିତି ଏକ ଘଟଣା ପୂର୍ବରୁ ମଧ୍ୟ ଘଟିଥିଲା  ।   ୨୦୨୦ ମସିହାରେ ମଧ୍ୟ ଥାଇଲାଣ୍ଡର ଜଣେ ସେନା କର୍ମଚାରୀ କୌଣସି କାରଣରୁ ଆଖିବୁଜା ଗୁଳିମାଡ ଘଟଣାଇଥିଲେ  । ଯେଉଁଥିରେ  ୨୯ଜଣଙ୍କ ମୃତ୍ୟୁ ଘଟିଥିଲା ।

ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ, ପଦ୍ମପୁର ଆସନ ଖାଲି

ଭୁବନେଶ୍ୱର: ଖାଲି ପଡିଛି ପଦ୍ମପୁର ବିଧାନସଭା ଆସନ । ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଖାଲି ପଡ଼ିଛି ଏହି ଆସନ । ଏନେଇ ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । ବିଧାନସଭା ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ୩ଦିନ ତଳେ ବିଜୟ ରଂଜନ ସିଂ ବରିହାଙ୍କ ମୃତ୍ୟୁ ହୋଇଥିଲା । ୬୫ବର୍ଷ ବୟସରେ ଆଖି ବୁଜିଥିଲେ ବିଜୟ ରଞ୍ଜନ ସିଂ ବରିହା  ।

ବିଜୟ  ଅସୁସ୍ଥତା କାରଣରୁ କିଛିଦିନ ହେଲା  ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପଦ୍ମପୁରରୁ ୫ଥର ବିଧାୟକ ଥିଲେ ବିଜୟ । ୧୯୯୦, ୧ରୁ ୨୦୦୦ମସିହା ଯାଏ ଜନତା ଦଳରୁ ବିଧାୟକ ହୋଇଥିଲେ । ୨୦୦୦ ଓ ୨୦୦୯ ଓ ୨୦୧୯ରେ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ ।

ପଶ୍ଚିମ ଓଡ଼ିଶାରେ  ବିଜେଡିର ଜଣା ଟାଣୁଆ ନେତା ଥିଲେ ବିଜୟ । ୨୦୦୯ ମସିହାରେ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଜେଏନୟୁରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ ବିଜୟ । ବିଧାନସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ତଥ୍ୟ ସମ୍ବଳିତ ପ୍ରଶ୍ନ ପଚାରି ଚର୍ଚ୍ଚାରେ ରହି ଆସନ୍ତି ବିଜୟ ରଞ୍ଜନ ସିଂ ବରିହା  । ତାଙ୍କର ମୃତ୍ୟୁରେ ସମଗ୍ର ଓଡ଼ିଶା ସ୍ତମ୍ଭୀଭୁତ ହୋଇଥିବାବେଳେ ଉକ୍ତ ଆସନ ଏବେ ଖାଲି ପଡ଼ିଛି  ।