ବେଜିଂ: ଚୀନର ହେନାନରେ ଏକ ଲୁଗା ତିଆରି କମ୍ପାନୀ ଭୟାନକ ଅଗ୍ନିକାଣ୍ଡ । ଏଥିରେ ଜୀବନ୍ତ ଦଗ୍ଧ ହୋଇଛନ୍ତି ୩୮ ଜଣ କର୍ମଚାରୀ । ଏଥିସହ ଦୁଇ ଜଣ ଗୁରୁତର ହୋଇଛନ୍ତି । ଅଗ୍ନିକାଣ୍ଡ ଏତେ ଭୟାନକ ଥିଲା ଯେ ନିଆଁ ଲିଭାଇବାକୁ ୪ ଘଣ୍ଟା ସମୟ ଲାଗିଥିଲା । ଓ୍ବେଲଡିଂ ମେସିନରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ନିଆଁ ଲିଭାଇବା ପାଇଁ ୬୩ଟି ଦମକଳ ଗାଡି ଓ ୨୪୦ ଜଣ ଅଗ୍ନିଶମ ଅଧିକାରୀ ନିୟୋଜିତ ହୋଇଥିଲେ । ମାମଲାରେ ତଦନ୍ତ ପାଇଁ କିଛି ସଂଦିଗ୍ଧଙ୍କୁ ପୋଲିସ ଅଟକ ରଖିଛି ।
ଖୁବଶୀଘ୍ର ରାଜଧାନୀରେ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଲାଗୁହେବ ସ୍ବତନ୍ତ୍ର ଆଇନ
ଭୁବନେଶ୍ୱର : ଖୁବଶୀଘ୍ର ଭୁବନେଶ୍ବରରେ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଲାଗୁହେବ ସ୍ବତନ୍ତ୍ର ଆଇନ । ମହାନଗର ନିଗମ ଆଇନ 2003ର ଧାରା 409(ଖ) ଓ 543(ଖ) ଅନୁଯାୟୀ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇପାରିବ । ତେବେ ନିୟମ ଲାଗୁ ପୂର୍ବରୁ ଜନମତ ସଂଗ୍ରହ କରାଯିବ । ଏହାପୂର୍ବରୁ ଚିଠା ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ମେୟର ଓ କମିଶନରଙ୍କ ଉପସ୍ଥିତିରେ ପଶୁପ୍ରେମୀ, ପଶୁ ମାଲିକ, ପୋଷା ପଶୁପକ୍ଷୀ ବ୍ୟବସାୟୀ ଆଲୋଚନାରେ ଯୋଗଦେଇଥିଲେ ।
ବୈଠକରେ ନିୟମ ଲାଗୁନେଇ ସମସ୍ତେ ମତଦେବା ସହିତ ବିଭିନ୍ନ ପ୍ରସ୍ତାବ ପ୍ରଦାନ କରିଛନ୍ତି । ୧୦ଦିନ ମଧ୍ୟରେ ଚିଠା ପ୍ରସ୍ତାବରେ ପରିବର୍ତ୍ତନ ହୋଇପାରିବ । ପରେ ସଂଶୋଧିତ ଚିଠା ପ୍ରସ୍ତାବକୁ ବିଏମସି କର୍ପୋରେସନ ବୈଠକରେ ଆଲୋଚନା କରି ଆଇନରେ ପରିଣତ କରାଯିବ । ଏଥିରେ ଗୃହପାଳିତ ପଶୁପକ୍ଷୀଙ୍କ ପଞ୍ଜିକରଣ ଓ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ନବୀକରଣ, ସେମାନଙ୍କର ଟିକାକରଣ ସହିତ ପରିବେଶ ଓ ପରିମଳ ଉପରେ ଗୁରୁତ୍ବ ଦିଆଯାଇଛି ।
କୋର୍ଟରେ ସତ ସ୍ୱୀକାର କଲା ସଇତାନ ଅଫତାବ
ନୂଆଦିଲ୍ଲୀ: ଦିଲ୍ଲୀରେ ଅଫତାବ ପୁନାଓ୍ବାଲାର ଚାଲିଛି ପଲିଗ୍ରାଫ ଟେଷ୍ଟ । ଖୁବଶୀଘ୍ର ଖୋଲିବ ବଡ଼ ବଡ଼ ଗୁମର । ଏପଟେ ଶ୍ରଦ୍ଧା ଓ୍ବାକର ମର୍ଡର ମିଷ୍ଟ୍ରିରେ ସତ ମାନିଛି ଅଫତାବ । କୋର୍ଟରେ ସତ ସ୍ବୀକାର କରିଥିବା କହିଛନ୍ତି ଅଭିଯୁକ୍ତ ଅଫତାବ ପୁନାଓ୍ବାଲାଙ୍କ ଓକିଲ । ରାଗରେ ଶ୍ରଦ୍ଧାଙ୍କୁ ହତ୍ୟା କରିଛି ବୋଲି ଅଫତାବଙ୍କ ଓକିଲ କୋର୍ଟରେ କହିଛନ୍ତି । ରାଗରେ ଲିଭ-ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା ଅଫତାବ । ବହୁତ ଦିନ ହୋଇଯାଇଥିବାରୁ ଅନେକ କଥା ଭୁଲି ଯାଇଛି ।
ମ୍ୟାପରେ ଶ୍ରଦ୍ଧା ମର୍ଡର କେସର ରୁଟ୍ ପ୍ରସ୍ତୁତ କରିବା ସହ ହିଟ୍ ଅଫ ମୋମେଣ୍ଟରେ ଏପରି ଘଟିଥିବା ଅଫତାବ କହିଛି । ସେପଟେ ଅଫତାବକୁ ଆଉ ୪ ଦିନ ରିମାଣ୍ଡରେ ନେଇଛି ପୋଲିସ । ଖୁବଶୀଘ୍ର ସୈତାନର ପଲିଗ୍ରାଫ ଟେଷ୍ଟ କରାଯିବ । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ କେଉଁଠି କେଉଁଠି ଫିଙ୍ଗିଛି ପୋଲିସକୁ କହିଛି ଅଫତାବ ।
ଆରି ଏବଂ ବ୍ଲେଡ ଗୁରୁଗ୍ରାମ DLF ଫେଜ୍ ୩ ରେ ଫିଙ୍ଗିଥିବା ବେଳେ ମେହରୁଲିର ଏକ ଅଳିଆ ଗଦାରେ ଚାପଡ଼ ଫିଙ୍ଗିଥିବା କହିଛି । ସେହିପରି ମୈଦାନଗଡ଼ ପୋଖରୀରେ ତମାମ ଖୋଜାଖୋଜି ପରେ ବି ପୋଲିସକୁ କିଛି ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମିଳିନି । ମେହରୁଲି ଜଙ୍ଗଲରୁ ମିଳିଥିବା କିଛି ହାଡ଼ ଖଣ୍ଡ ମଧ୍ୟ ପୋଲିସ ଫରେନସିକ ଲ୍ୟାବକୁ ଟେଷ୍ଟିଂ ପାଇଁ ପଠାଇଛି । ଦିଲ୍ଲୀ ପୋଲିସର ୧୪ଟି ଟିମ୍ ଶ୍ରଦ୍ଧା ମର୍ଡର କେସ୍ ପ୍ରମାଣ ଖୋଜିବାରେ ଲାଗିଛନ୍ତି । ଦିଲ୍ଲୀ, ଗୁରୁଗ୍ରାମ, ମହାରାଷ୍ଟ୍ର, ହିମାଚଳ, ଉତ୍ତରାଖଣ୍ଡରେ ଦିଲ୍ଲୀ ପୋଲିସ ପ୍ରମାଣ ଯୋଗାଡ଼ କରୁଛି ।
ବାହା ହେଲେ ଯୁବ ବୈଜ୍ଞାନିକ ଶେଷ କିଷାନ
ସମ୍ୱଲପୁର: ବିବାହ କଲେ ଯୁବ ବୈଜ୍ଞାନିକ ଶେଷ କିଷାନ । ନିଜ ଗାଁ ବାଲାସଙ୍ଗାରୁ ବାହାରି ରେଢ଼ାଖୋଲ ସହର ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ବିବାହ ସମ୍ପନ୍ନ ହୋଇଛି । ବାଜା, ଡିଜେ ଆଦି ପାରମ୍ପରିକ ଶୋଭାଯାତ୍ରାରେ ଘରୁ ବାହାରିଥିଲେ ଶେଷ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଅଞ୍ଚଳର ହରେକୃଷ୍ଣ ଜେନାଙ୍କ କନ୍ୟା ଜୟଶ୍ରୀ ଜେନାଙ୍କ ହାତ ଧରିଛନ୍ତି ଶେଷ କିଷାନ । ବୈଦିକି ରୀତିନୀତିରେ ଦୁହିଁଙ୍କ ହାତଗଣ୍ଠି ପଡ଼ିଛି ।
ବରର ପିତା ମାତା ସାଜିଥିଲେ ରେଢ଼ାଖୋଲ ସହର ସ୍ଥିତ ଆଦର୍ଶ ନଗରର ସୁନନ୍ଦ ପ୍ରଧାନ ଏବଂ ତାଙ୍କ ପତ୍ନୀ । ପିଲାଦିନେ ଶେଷ ଭୁବନେଶ୍ବରରେ ପାଠ ପଢ଼ୁଥିବା ସମୟରେ ଟ୍ରେନରେ ଘରକୁ ଆସୁଥିବା ବେଳେ ସୁନନ୍ଦ ଏବଂ ତାଙ୍କ ପତ୍ନୀଙ୍କ ସହ ଦେଖା ହୋଇଥିଲା । ସେଇଠୁ ଶେଷଙ୍କ ମାତା ପିତା ସାଜିଥିଲେ ଉଭୟ । ଜୟଶ୍ରୀଙ୍କୁ ଜୀବନସାଥୀ ଭାବେ ପାଇ ଶେଷ କିଷାନ ଖୁସିଥିବା ବେଳେ, ଜ୍ବାଇଁ ଭାବରେ ଶେଷଙ୍କୁ ପାଇ ଗର୍ବ ଅନୁଭବ କରିଛନ୍ତି ଶ୍ବଶୁର ହରେକୃଷ୍ଣ ଜେନା ।
୬ହଜାର ଟଙ୍କା ସହ ବାଦାମ ଓ ମୁଗ ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ
ଗଞ୍ଜାମ: ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀଙ୍କୁ ଧରିଛି ଭିଜିଲାନ୍ସ । କୋଦଳା ତହସିଲ ଅନ୍ତର୍ଗତ ବି ନୂଆ ଗାଁର ଦଣ୍ଡପାଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଘରବାରି ପଟ୍ଟା କରାଇଦେବା ନାମରେ ୬ ହଜାର ଟଙ୍କା ନେଉଥିବା ବେଳେ ଧରିଛି ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ।
ପୂର୍ବରୁ ଏନେଇ ଭିଜିଲାନ୍ସ ନିକଟରେ ଦଣ୍ଡପାଣି ଅଭିଯୋଗ କରିଥିଲେ। ପରେ ଯୋଜନା ମୁତାବକ ସଞ୍ଜୟଙ୍କୁ କୋଦଳା କକା ହୋଟେଲଠାରେ ଟଙ୍କା ଦେବାକୁ ଡାକିଥିଲେ ଅଭିଯୋଗକାରୀ ଦଣ୍ଡପାଣି । ୬ ହଜାର ଟଙ୍କା ସହ ବାଦାମ୍ ଓ ମୁଗ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା । ଏହାପରେ ସଞ୍ଜୟଙ୍କୁ ତହସିଲ କାର୍ଯ୍ଯାଳୟକୁ ଆଣି ତନାଘନା କରିବା ପରେ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି ।

