spot_img
Home Blog Page 384

ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ବାରମ୍ବାର ବଡ଼ ଦେଉଳ ଉପରେ ଉଡୁଛି ଡ୍ରୋନ୍

ବିପଦରେ ଶ୍ରୀମନ୍ଦିର । ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ବାରମ୍ବାର ବଡ଼ ଦେଉଳ ଉପରେ ଉଡୁଛି ଡ୍ରୋନ୍ । ଭିତରକୁ ପ୍ରବେଶ କରୁଛି ସ୍ପାଏ କ୍ୟାମେରା । ଗତ କାଲି ବିଳମ୍ବିତ ରାତି ଓ ଆଜି ସକାଳୁ ଶ୍ରୀମନ୍ଦିର ଉପରେ ଡ୍ରୋନ ଘୁରି ବୁଲୁଥିବା ନଜରକୁ ଆସିଛି  । ଡ୍ରୋନ ଦ୍ୱାରା ଶ୍ରୀମନ୍ଦିରର ଚିତ୍ର ଉତ୍ତୋଳନ କିଏ କେଉଁଥି ପାଇଁ ଓ କେଉଁ ଉଦ୍ଦେଶ୍ୟରେ କରୁଛି ତାହା ଏବେ ବି ରହସ୍ୟ ଘେରରେ ରହିଛି । ଶ୍ରୀମନ୍ଦିର ଆଇନରେ ଏଭଳି ଅମାନିଆଙ୍କ ବିରୁଦ୍ଧରେ କଠୋର ଦଣ୍ଡର ଆବଶ୍ୟକତା ରହିଥିବା ଦର୍ଶାଇ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ । ସେପଟେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସରକାରୀ ସ୍ୱତ୍ରନ୍ତ୍ର ବାଟାଲିୟନ ଗଠନ କରି ସୁରକ୍ଷା କର୍ମୀ ନିୟୋଜିତ କରାଯାଇଛି । ତେବେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଦାୟିତ୍ୱରେ ଏବେ ବି ଜଣେ ଅବସର ପ୍ରାପ୍ତ ଅଧିକାରୀ ରହିଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ନେଇ ସରକାରଙ୍କର ଏଭଳି ନୀତିକୁ ସବୁ ମହଲରେ ସମାଲୋଚନା କରାଯାଇଅଛି  ।

ମନ୍ଦିର ଉପରେ ଡ୍ରୋନ ଉଡିବା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ । ଏଭଳି ଘଟଣା ଉପରେ ଆବଶ୍ୟକତା ଅନୁଯାଇ ପଦଷେପ ନିଆଯିବ ବୋଲି ପୁରୀ ଜିଲ୍ଲପାଳ ମତ ରଖିଛନ୍ତି  । ସ୍ୱତ୍ରନ୍ତ୍ର ଭାବେ ଚାରିଦ୍ୱାରରେ ନିୟୋଜିତ ସୁରକ୍ଷା କର୍ମୀ ମାନଙ୍କୁ ବଡି କ୍ୟାମେରା ପ୍ରଦାନ କରାଯାଇଛି । ତେବେ ଶ୍ରୀମନ୍ଦିର ସୁରକ୍ଷାକୁ ଗୁରୁତର ସହ ନିଆଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ମତ ରଖିଛନ୍ତି ।

ପାର୍ବଣରେ ଇଲେକଟ୍ରୋନିକ୍ସ ଦୋକାନରେ ଗ୍ରାହକଙ୍କୁ ଡବଲ ଅଫର

ପାର୍ବଣରେ ଇଲେକଟ୍ରୋନିକ୍ସ ଦୋକାନରେ ଗ୍ରାହକଙ୍କୁ ଡବଲ ଅଫର। ଜିଏସଟି ପ୍ରତିଶତ ହ୍ରାସ ସାଙ୍ଗକୁ ପୂଜାରେ ମିଳିବ ଗିଫ୍ଟ । ଏବେଠାରୁ ବୁକିଂ କଲେ ବି ୧୮% ଜିଏସିଟ ହ୍ରାସରେ ମିଳିବ ସାମଗ୍ରୀ।  ଟିଭି, ଏସି ଓ ଡିସ-ୱାସର୍ସ ଉପରେ ଜିଏସଟି ୨୮ ରୁ ୧୮ %କୁ ହ୍ରାସ ହେଲା ପରେ ବି ଗ୍ରାହକ ମାନେ କିଣିବା ପାଇଁ ୨୨ ତାରିଖକୁ ଅପେକ୍ଷା କରିଛନ୍ତି । କିନ୍ତୁ ତା ପୂର୍ବରୁ ରାଜ୍ ଇଲେକଟ୍ରୋନିକ୍ସ ଗ୍ରାହକ ମାନଙ୍କ ପାଇଁ ନେଇ ଆସିଛି ସ୍ବତନ୍ତ୍ର ସୁବିଧା । ୨୨ ତାରିଖ ପୂର୍ବରୁ ଏ ସବୁ ସାମଗ୍ରୀ କିଣିବେ କିମ୍ବା ବୁକିଂ କଲେ ବି ୨୮ ନୁହଁ ୧୮ ପ୍ରତିଶତ ଜିଏସଟି ଉପରେ କିଣିପାରିବେ। ଏବେ ବୁକିଂ କଲେ ଆଗକୁ ଭିଡ଼ରୁ ବର୍ତ୍ତିବେ। ଆଜି ବି କିଣିଲେ ୨୨ ତାରିଖର ଜିଏସଟି ବିଲିଂ ପାଇବେ । ପୂର୍ବରୁ ୪୩ ଇଞ୍ଚିଆରୁ ଅଧିକ ଟିଭି ଉପରେ ୨୮ ପ୍ରତିଶତ ଲାଗି ୨୬ ହଜାର ଟଙ୍କା ପଡୁଥିଲା । ଏବେ ୧୮ ପ୍ରତିଶତ ଜିଏସଟି ହ୍ରାସ ପାଇବା ପରେ ୨୩ ହଜାର ଟଙ୍କା ପଡୁଛି। ସେହିଭଳି ଏସି ୩୫ ହଜାର ପଡୁଥିବା ବେଳେ ଏବେ ୨୯ ହଜାର ୫୦୦ ପଡିବ। ସେହିଭଳି ଡିସ ୱାସର୍ସ ଗୁଡିକ ୫୪ ହଜାର ପଡୁଥିବା ବେଳେ ଏବେ ୩୯, ୬୦୦ ଟଙ୍କା ପଡିବ। ଆଗକୁ ପୂଜା ଆସୁଥିବାରୁ ରାଜ୍ ଇଲୋଟ୍ରନିକ୍ସ ପକ୍ଷରୁ ଦୁର୍ଗାପୂଜାରୁ ଦୀପାବଳୀ ପର୍ଯ୍ୟନ୍ତ ପ୍ରତ୍ୟେକ ସାମଗ୍ରୀ ଉପରେ ଗିଫ୍ଟ ଭାଉଚର ରହିବ ବୋଲି ମ୍ୟାନେଜିଙ୍ଗ ପାର୍ଟନର କହିଛନ୍ତି ।

ସେପଟେ ଏ ହେଉଛି ପାତ୍ର ଇଲେକଟ୍ରୋନିକ୍ସ । ଜିଏସଟି ଘୋଷଣା ହେବା ପରେ ବେପାର ମାନ୍ଦା ପଡିଛି। ଆସନ୍ତା ୨୨ ତାରିଖ ଠାରୁ ଇଲେକ୍ଟ୍ରି ପ୍ରଡକ୍ଟ ଉପରେ ୧୮ ପ୍ରତିଶତ ହ୍ରାସ ହେବା ନେଇ ଲୋକଙ୍କ ମନରେ ଦ୍ବନ୍ଦ ରହିଛି। ସମସ୍ତ ସାମଗ୍ରୀ ଉପରେ ନୁହେଁ ୩୨ ଇଞ୍ଚିଆରୁ ଉର୍ଦ୍ଦ ଏଲଇଡି ଟିଭି, ଏସି ଓ ଡିସ ୱାସ ଉପରେ ହିଁ ଜିଏସଟି କମିଛି। ପ୍ରତିଦନ ଗ୍ରାହକ ଆସୁଛନ୍ତି, ହେଲେ କେହି ବି ସାମଗ୍ରୀ କିଣୁନାହାନ୍ତି। ଜିଏସଟି ଘୋଷଣା ହେବା ପୂର୍ବରୁ ପ୍ରତିଦିନ ୧୦ ଲକ୍ଷ ଟଙ୍କାର କାରବାର ହେଉଥିବା ବେଳେ ଏବେ ୨ରୁ ୩ ଲକ୍ଷ ଟଙ୍କାର କାରବାର ହେଉଛି ବୋଲି ମ୍ଯାନେଜର କହିଛନ୍ତି।

ଜୟପୁର ଜିଲ୍ଲା ଚିକିତ୍ସାଳୟରେ ରୋଗୀ ସେବା ବ୍ୟାଘାତ: ଠିକା କର୍ମଚାରୀଙ୍କୁ ପ୍ରତାରଣା କରୁଛି ଠିକା ସଂସ୍ଥା

ଜୟପୁର ଜିଲ୍ଲା ଚିକିତ୍ସାଳୟରେ ରୋଗୀ ସେବା ବ୍ୟାଘାତ । ଠିକା କର୍ମଚାରୀଙ୍କୁ ପ୍ରତାରଣା କରୁଛି ଠିକା ସଂସ୍ଥା L&K ସର୍ଭିସ୍ । ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ୪୩୦ ଜଣ ଠିକା କର୍ମଚାରୀ କାର୍ଯ୍ୟ କରୁଛନ୍ତି । ହେଲେ ସେମାନଙ୍କୁ ଅଭ୍ୟାସଗତ ଭାବେ ଗୋଟିଏ ମାସ ଦରମା ଦେଲେ ପୁଣି ଦୁଇ ମାସ ଦରମା ଦେଉନି ଠିକା ସଂସ୍ଥା । ଚିକିତ୍ସାଳୟରେ କାର୍ଯ୍ୟରତ ୭୦ ଜଣ ଷ୍ଟାଫ୍ ନର୍ସ୍ ,୧୦୦ ଜଣ ସିକୁରିଟି ଗାର୍ଡ , ୧୦୦ ଜଣ ସୁଇପର , ୧୦୦ ଜଣ ଆଟେଣ୍ଡାଣ୍ଟଙ୍କ ସହିତ ଡ୍ରାଇଭର , ଡାଟା ଏଣ୍ଟ୍ରି ଅପରେଟର ଏମିତି ୪୩୦ ଜଣଙ୍କୁ ନିୟମିତ ଦରମା ଦେବାରେ ବିଳମ୍ବ କରୁଛି ଠିକା ସଂସ୍ଥା । କାମ କଲେ ପରିବାର ଚଳାଉଥିବା ଠିକା କର୍ମଚାରୀ ମାନେ ବାରମ୍ବାର ଅଭିଯୋଗ କଲେ ବି କିଏ ଶୁଣୁନାହାନ୍ତି । ଖାଲି ସେତିକି ନୁହେଁ ଜଣେ ଜଣେ ଠିକା କର୍ମଚାରୀ ମାନଙ୍କ ଠାରୁ ଚାକିରି ଦେବା ପାଇଁ ୨୫ରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ହାତଗୁଞ୍ଜା ମଗାଯାଉଛି । ଏନେଇ ଅଭିଯୋଗ କଲେ କାର୍ଯ୍ୟରୁ ବାହାର କରିଦେବାକୁ ଧମକ ଦିଆଯାଉଛି । ଆଜି ଜୟପୁର ସଦର ଥାନାରେ ଅଭିଯୋଗ କରିବା ପରେ ଜିଲ୍ଲା ଚିକିତ୍ସାଳୟ ଧାରଣାରେ ବସିଛନ୍ତି ।

ଏପରି କ୍ରମାଗତ ଭାବେ ଗତ ୭ ବର୍ଷ ଧରି କାମ କରୁଥିବା ଠିକା କର୍ମଚାରୀ ମାନେ ନିର୍ଯାତନାର ଶିକାର ହେବାକୁ ପଡୁଥିବା କହିଛନ୍ତି କର୍ମଚାରୀ । ଏପଟେ ଜିଲ୍ଲା ଚିକିତ୍ସାଳୟ ଅଧିକାରୀ କହିଛନ୍ତି ଯେ ଠିକା କର୍ମଚାରୀ ମାନଙ୍କ ଧାରଣା ନିଶ୍ଚିତ ଭାବେ ରୋଗୀ ସେବାରେ ସମସ୍ଯା ସୃଷ୍ଟି କରୁଛି । ଏତେ ସଂଖ୍ୟକ କର୍ମଚାରୀ ମାନଙ୍କ ଦରମା ନ ମିଳିଲେ ସେମାନେ କାମ କେମିତି କରିବେ ? ସେମାନଙ୍କ ଦାବି ଯୁକ୍ତିଯୁକ୍ତ ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ । ଏହାର ସ୍ଥାୟୀ ପ୍ରତିକାର ପାଇଁ ଠିକା ସଂସ୍ଥା L&K ସର୍ଭିସ୍ କୁ ଜଣାଇ ଦିଆଯାଇଛି । ଏବଂ ଠିକା ସଂସ୍ଥା ବିରୋଧରେ ରାଜ୍ଯ ସ୍ବାସ୍ଥ୍ୟ ବିଭାଗକୁ ଚିଠି କରାଯାଇଛି ।

ଖ୍ୟାତନାମା ନାଟ୍ୟକାର ତଥା ଲୋକନୃତ୍ୟ ବିଶେଷଜ୍ଞ ମନ୍ମଥ ଶତପଥୀ ପାଇବେ ନବଗୁଞ୍ଜର ସମ୍ମାନ-୨୦୨୫

ପ୍ରଖ୍ୟାତ ନାଟ୍ୟକାର, ନିର୍ଦ୍ଦେଶକ,ଲେଖକ ଓ ଓଡ଼ିଆ ଲୋକସଂସ୍କୃତି ବିଶେଷଜ୍ଞ ମନ୍ମଥ କୁମାର ଶତପଥୀଙ୍କୁ ୨୦୨୫ ବର୍ଷର ନବଗୁଞ୍ଜର ସମ୍ମାନ ପାଇଁ ମନୋନୀତ କରାଯାଇଛି। ଓଡ଼ିଆ ନାଟକ ଓ ଲୋକକଳା କ୍ଷେତ୍ରରେ ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ଧରି ସଫଳ ଓ ସମର୍ପିତ ସାଧନା ନିମନ୍ତେ , ‘ନବଗୁଞ୍ଜର ସଂସ୍କୃତି ମଞ୍ଚ’ ଭୁବନେଶ୍ୱର ପରିଚାଳନା ପରିଷଦ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି।

ଶ୍ରୀ ଶତପଥୀ ଛାତ୍ର ଜୀବନରୁ ନାଟକ ରଚନା, ଅଭିନୟ, ନିର୍ଦ୍ଦେଶନା ଆଦିରେ ବିଶେଷ ରୁଚି ରଖୁଥିଲେ ଏବଂ ନିଜ ଜନ୍ମଭୂମି ସାରସ୍ଵତ କ୍ଷେତ୍ର ଭଞ୍ଜନଗରରେ ‘ତରୁଣ କଳାକାର ସଂସ୍ଥା’ ଭଳି ଅଗ୍ରଣୀ ନାଟ୍ୟାନୁଷ୍ଠାନ ପ୍ରତିଷ୍ଠା କରି ସ୍ୱଳ୍ପବ୍ୟୟ ତଥା ନାରୀ ଚରିତ୍ର ବିନା ସାମାଜିକ ନାଟକ ମଞ୍ଚସ୍ଥ କରି ଏକ ଅଭିନବ ପରମ୍ପରା ଆରମ୍ଭ କରିଥିଲେ। ଶ୍ରୀ ଶତପଥୀ ଏଯାବତ୍ ୩୫ଟି ମଞ୍ଚ ନାଟକ, ୨ଟି ରେଡ଼ିଓ ନାଟକ ରଚନା କରିବା ସହ ୪ଟି ଓଡ଼ିଆ ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ଲେଖିଛନ୍ତି। ସେ ୨୦୦ରୁ ଅଧିକ ମଞ୍ଚ ନାଟକ ଓ ଲୋକନାଟ୍ୟ ନିର୍ଦ୍ଦେଶନା ଦେଇ ଓଡ଼ିଆ ମଞ୍ଚକଳା ଜଗତକୁ ରୁଦ୍ଧିମନ୍ତ କରିଛନ୍ତି।

ଦୀର୍ଘ ୨୦ ବର୍ଷର ଗବେଷଣା ପରେ ତାଙ୍କ ଲିଖିତ ଓ ନିର୍ଦ୍ଦେଶିତ ମଞ୍ଚ ନାଟକ “ମୁଁ ଚକରା କହୁଛି”, ରାଜ୍ୟସାରା ଓ ରାଜ୍ୟ ବାହାରେ ବହୁ ପ୍ରଶଂସିତ ହୋଇଆସିଛି। ତାଙ୍କରି ଏହି ପ୍ରଚେଷ୍ଟା ଫଳରେ ଆଜି ଘୁମୁସରର ଆଦିବାସୀ ବିପ୍ଳବୀ ନେତା ଚକରା ବିଷୋୟୀ, ଓଡ଼ିଶାର ଜଣେ ସର୍ବପୁରାତନ ସ୍ଵାଧୀନତା ସଂଗ୍ରାମୀ ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି ! ତାଙ୍କର ଆଉ ଗୋଟିଏ ଉଲ୍ଲେଖନୀୟ ସଫଳତା ହେଉଛି, ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ବିଶିପଡା ଗ୍ରାମର ୩ଶହ ବର୍ଷ ପୁରାତନ ଲୋକୋତ୍ସବ “ଲଙ୍କାପୋଡ଼ି ଯାତ୍ରା” ର ସଫଳ ପୁନରୁଦ୍ଧାର ଓ ଏହାର ଦସ୍ତାବିଜ୍ ନିର୍ମାଣ!

ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଐତିହ୍ୟ, ବିଶେଷକରି ଲୁପ୍ତପ୍ରାୟ ଲୋକନୃତ୍ୟ ଓ ଲୋକକଳା ଗୁଡ଼ିକର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଶ୍ରୀ ଶତପଥୀଙ୍କର ଦୀର୍ଘ ବର୍ଷର ଅକ୍ଲାନ୍ତ ଉଦ୍ୟମ ଓଡ଼ିଆ ଅସ୍ମିତା କ୍ଷେତ୍ରକୁ ତାଙ୍କର ଆଉ ଏକ ଉଲ୍ଲେଖନୀୟ ଅବଦାନ! କେନ୍ଦ୍ର ତଥା ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନରେ ଶ୍ରୀ ଶତପଥୀ ଓଡ଼ିଶାର ଲୋକନୃତ୍ୟ ଓ ମୁଖା ନୃତ୍ୟ ବିଷୟରେ ବ୍ୟାପକ ଗବେଷଣା କରିଛନ୍ତି। ଗତ ପ୍ରାୟ ସାତବର୍ଷ ଧରି ଇନ୍ଫୋସିସ ଫାଉଣ୍ଡେସନ ଓ ଭାରତୀୟ ବିଦ୍ୟାଭବନ ସହଯୋଗରେ ଶ୍ରୀ ଶତପଥୀ ଓଡ଼ିଶାର ଲୁପ୍ତପ୍ରାୟ ଲୋକକଳା ଯଥା ପାଲା,ଦାସକାଠିଆ, ଦଣ୍ଡନାଚ, ଘୋଡ଼ାନାଚ, କଣ୍ଢେଇନାଚ, ସଖିନାଚ, ଘୁମୁରା, ଧୁଡ଼ୁକି ଓ ପ୍ରହ୍ଲାଦ ନାଟକ ଆଦିର ପୁନରୁଦ୍ଧାର, ଡିଜିଟାଲ ସଂରକ୍ଷଣ, ପ୍ରସାରଣ ତଥା ଜାତୀୟ ସ୍ତରରେ ସମ୍ୟକ୍ ଉପସ୍ଥାପନ ପାଇଁ ଅଦମ୍ୟ ପ୍ରଚେଷ୍ଟା କରି ଚାଲିଛନ୍ତି। ଏଥିପାଇଁ ଗୋଟିଏ ଆଧୁନିକ ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ସେ ପ୍ରକଳ୍ପଟିଏ ହାତକୁ ନେଇଛନ୍ତି।

ଶ୍ରୀ ମନ୍ମଥ ଶତପଥୀଙ୍କ ଅନନ୍ୟ ମଞ୍ଚନାଟ୍ୟ ପ୍ରତିଭା ତଥା ଓଡ଼ିଶାର ଅନୁପମ ଲୋକକଳାର ସଂରକ୍ଷଣ ଓ ପ୍ରସାରଣ ପାଇଁ ତାଙ୍କର ଦୀର୍ଘ ସମର୍ପିତ ଉଦ୍ୟମକୁ ଦୃଷ୍ଟିରେ ରଖି ତାଙ୍କୁ ନବଗୁଞ୍ଜର ସମ୍ମାନ-୨୦୨୫ ପାଇଁ ମନୋନୀତ କରାଯାଇଛି ବୋଲି ନବଗୁଞ୍ଜର ସଂସ୍କୃତି ମଞ୍ଚର ପ୍ରତିନିଧି ଆନୁଷ୍ଠାନିକ ସୂଚନା ଦେଇଛନ୍ତି। ଆସନ୍ତା ଅକ୍ଟୋବର ୫ତାରିଖରେ ଭୁବନେଶ୍ୱରରେ ନବଗୁଞ୍ଜର ମଞ୍ଚର ବାର୍ଷିକ ଉତ୍ସବରେ ଶ୍ରୀ ଶତପଥୀଙ୍କୁ ଏହି ସମ୍ମାନ ଦିଆଯିବ। କିଛିଜଣ ଓଡ଼ିଆ ସଂସ୍କୃତି ପ୍ରେମୀ ବରିଷ୍ଠ ବ୍ୟକ୍ତି ଏକାଠି ହୋଇ ୨୦୨୦ ଅଗଷ୍ଟ ମାସରେ ଭୁବନେଶ୍ୱରରେ ଏହି ସସ୍କୃତି ମଞ୍ଚ ଗଠନ କରିଛନ୍ତି। ଓଡ଼ିଆ ସଂସ୍କୃତିର ବିଭିନ୍ନ କ୍ଷେତ୍ରରେ ପ୍ରତି ମାସରେ ବିଚାର-ବିମର୍ଶ, ଗୋଷ୍ଠୀଗତ କାର୍ଯ୍ୟକଳାପ ଓ ଆମ ଯୁବସମାଜକୁ ଓଡ଼ିଆ ସଂସ୍କୃତି ମନସ୍କ କରିବା ଏହି ମଞ୍ଚର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତ୍ୟେକ ବର୍ଷ, ଏହି ଅନୁଷ୍ଠାନ ପକ୍ଷରୁ, ଓଡ଼ିଆ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନବଗୁଞ୍ଜର ସମ୍ମାନ ଘୋଷଣା କରାଯାଉଛି।

ଶିକ୍ଷାଗତ ଯୋଗ୍ୟତା MBA: ଗୋପାଳନ କରି ବାର୍ଷିକ ୧୨-୧୫ ଲକ୍ଷ ଲାଭ

ଶିକ୍ଷାଗତ ଯୋଗ୍ୟତା MBA । କିନ୍ତୁ ଜୀବିକା ଗୋପାଳନ । ନବରଙ୍ଗପୁର ଜିଲ୍ଲା ତାରାଗାଁ ଗ୍ରାମର ସଫଳ ଚାଷୀ ଇରଫାନ ଖାନ। MBA ଡିଗ୍ରୀ ହାସଲ ପରେ କୋଣସି କମ୍ପାନୀରେ ଚାକରି କରି ବହୁ ଅର୍ଥ ଉପାର୍ଜନ କରି ପାରିଥାନ୍ତେ। କିନ୍ତୁ ଆଜି ଗୋପାଳନ କରି ନିଜେ ରୋଜଗାରକ୍ଷମ ହେବା ସହ ଦଶ ଜଣଙ୍କୁ ନିଜ ଡାଇରୀ ଫାର୍ମରେ ରୋଜଗାରର ସୁଯୋଗ ଦେଇଛନ୍ତି। ୨୦୧୩ ମସିହାରୁ ଅତ୍ୟାଧୁନିକ ଗୋଶାଳା କରି ଜର୍ସି ଓ ଏଚ୍ଏଫ୍ ଜାତୀୟ ଗାଈ ଓ ମଇଁଷି ପାଳନ କରୁଛନ୍ତି । ଆଜି ଇରଫାନଙ୍କ ଡାଇରୀ ଫାର୍ମରେ ଷାଠିଏରୁ ଅଧିକ ଗାଈ ଥିବା ବେଳେ ପ୍ରତିଦିନ ୫ଶହ ଲିଟରରୁ ଅଧିକ କ୍ଷୀର ଉତ୍ପାଦନ କରି ବଜାରରେ ବିକ୍ରି କରୁଛନ୍ତି । ଗୋପାଳନ କରି ବାର୍ଷିକ ୧୨ ରୁ ୧୫ ଲକ୍ଷ ଲାଭ ପାଉଥିବା ସେ କହିଛନ୍ତି।

ମାତ୍ର ଚାରୋଟି ଗାଈରୁ ଫାର୍ମ ଆରମ୍ଭ କରିଥିଲେ ଇରଫାନ। ବର୍ତ୍ତମାନ ଇରଫାନଙ୍କ ପାଖରେ ଷାଠିଏଟି ଗାଈ ଓ ମଇଁଷି ଅଛନ୍ତି । ଏମାନଙ୍କ ପାଇଁ ଅତ୍ୟାଧୁନିକ ଘର, ଖାଦ୍ୟ, ପିଇବା ପାଣି ବ୍ୟବସ୍ଥା ସହ ମେସିନ ଯୋଗେ କ୍ଷୀର ସଂଗ୍ରହ କରାଯାଉଛି । ଦୈନିକ ପାଞ୍ଚ ସହ ଲିଟର କ୍ଷୀର ସଂଗ୍ରହ ହେଉଛି । ପ୍ରତିବର୍ଷ ଆଠରୁ ଦଶଟି ବାଛୁରୀ ସେ ବିକ୍ରି କରନ୍ତି । ମୋଟାମୋଟି ବାର୍ଷିକ ବାରରୁ ଚଉଦ ଲକ୍ଷ ଟଙ୍କା ରୋଜଗାର ହେଉଥିବା ସେ କହିଛନ୍ତି। ଏହି ଡାଏରି ଫାର୍ମ ପାଇଁ ୭୦ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ମଧ୍ୟ କରିଛନ୍ତି । ଗାଈଙ୍କୁ ପୁଷ୍ଟିକର ଓ ପ୍ରାକୃତିକ ଖାଦ୍ୟ ଉପରେ ଗୁରୁତ୍ବ ଦେଉଛନ୍ତି । ଏଣୁ ନିଜ ଫାର୍ମରେ ଗୋଖାଦ୍ୟ ପ୍ରସ୍ତୁତ କରନ୍ତି ଇରଫାନ । ମକା ଓ ଘାସ ଗଛକୁ କାଟି ସାଇଲେସ ପ୍ରସ୍ତୁତ କରି ଗାଈମାନଙ୍କୁ ଖାଇବାକୁ ଦେଉଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ନବରଙ୍ଗପୁର ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି ବୋଲି ଇରଫାନ କହିଛନ୍ତି।

ପାର୍ବଣ ଆଗରୁ ମାତିଲେ ଲୁଟେରା: ଗନ ପଏଣ୍ଟରେ କରୁଛନ୍ତି ଟାର୍ଗେଟ

ପାର୍ବଣ ଆଗରୁ ମାତିଲେ ଲୁଟେରା। କାହାକୁ ହାଣୁଛନ୍ତି ତ କାହୁକୁ ଗନ ପଏଣ୍ଟରେ କରୁଛନ୍ତି ଟାର୍ଗେଟ । ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଲୁଟେରାଙ୍କ ଆତଙ୍କ । ୬୦ ନମ୍ବର ଜାତୀୟ ରାଜପଥ ଓ ଜଳେଶ୍ଵର ସହରର ବିଭିନ୍ନ ସ୍ଥାନରେ ଆକ୍ଟିଭ ଛିନତାଇ ଗ୍ୟାଙ୍ଗ। ୪ ଦିନରେ ୪ଟି ଲୁଟ୍ ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଗତ ୭ ତାରିଖରେ ବାଣିଦା ଗ୍ରାମର ଅରୁଣ ମହାନ୍ତି ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ । ଜାତୀୟ ରାଜପଥ ଜମାଳପୁର ନିକଟରେ ତାଙ୍କୁ କଟୁରିରେ ହାତଗୋଡ଼ ହାଣି ଲୁଟିଛନ୍ତି । ସେହିଭଳି ଗତ ୮ ତାରିଖରେ ରାଇବଣିଆ ଆରଆଇ ଶଶିକାନ୍ତ ସିଂ ତହସିଲ ଆସୁଥିବା ବେଳେ ଆକ୍ରମଣ ସହ ଲୁଟର ଶିକାର ହୋଇଛନ୍ତି । ସେହିପରି ଗତ ୯ ତାରିଖରେ ମେଡ଼ିସିନ ରିପ୍ରେଜେଣ୍ଟେଟିଭିଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ। କେତେବେଳେ ସୁନା ଅଳଙ୍କାର ତ କେତେବେଳେ ବାଇକରେ ଆସି ଝାମ୍ପି ନେଉଛନ୍ତି ଟଙ୍କା।

୪ ଦିନରେ ୪ଟି ଲୁଟ ଘଟଣା ଜଳେଶ୍ବରବାସୀଙ୍କ ନିଦ ହଜାଇ ଦେଇଛି। ଚାରିଟି ଘଟଣାରେ ପୋଲିସର ହାତ ବି ଖାଲି । ପୋଲିସର ନିଷ୍କ୍ରିୟତା ଓ ପେଟ୍ରୋଲିଂ ଅଭାବକୁ ଦାୟୀ କରିଛନ୍ତି ଲୋକେ। ଏନେଇ ଜଳେଶ୍ଵର SDPOଙ୍କୁ ପଚାରିବାରୁ ପୋଲିସ ତଦନ୍ତ କରୁଛି ବୋଲି ଚିରାଚରିତ ଉତ୍ତର ରଖିଛନ୍ତି ।

ଅବହେଳିତ ଅବସ୍ଥାରେ ସ୍ଵାଧୀନତା ସଂଗ୍ରାମୀ ସ୍ମାରକୀ ଭବନ

ଅବହେଳିତ ଅବସ୍ଥାରେ ସହିଦ ମାୟାଧର ଭୂୟାଁ ସ୍ମାରକୀ ପୀଠ। ଜରାଜୀର୍ଣ୍ଣ ଅବସ୍ଥାରେ ସ୍ଵାଧୀନତା ସଂଗ୍ରାମୀ ସ୍ମାରକୀ ଭବନ। ରକ୍ଷଣାବେକ୍ଷଣ ଅଭାବରୁ ପାଲଟିଛି ଧ୍ବଂସସ୍ତୁପ। ଦେଶପାଇଁ ଜୀବନକୁ ବଳିଦାନ ଦେଇଥିବା ସହିଦ ବରପୁତ୍ରଙ୍କୁ ମିଳୁନି ସମ୍ମାନ। ଯାଜପୁର ଜିଲ୍ଲା ବରୀ କଳାମାଟିଆ ଓ ବରୀପାଳରେ ସ୍ଵାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ସ୍ଥାପିତ ହୋଇଥିବା ସ୍ମାରକୀ ପୀଠ ଓ ଭବନ ଆଜି ଅବହେଳିତ। ୧୯୪୨ ମସିହା ଅଗଷ୍ଟ ୨୬ ତାରିଖ ଗହ୍ମା ପୂର୍ଣ୍ଣିମା ଦିନ କଳାମାଟିଆ ରକ୍ତରଞ୍ଜିତ ହୋଇଥିଲା। ବରୀ ମାଟିର ୪ ଯୁବକ ଦେଶ ମାତୃକା ପାଇଁ ବ୍ରିଟିଶ୍ ଗୁଳିରେ ସହିଦ୍ ହୋଇଥିଲେ । ସେମାନେ ହେଲେ ସାଉଁଟି ମାଲିକ, ସାନନ୍ଦ ସ୍ୱାଇଁ , ହାଡିବନ୍ଧୁ ପଣ୍ଡା ଓ ମାୟାଧର ଭୂୟାଁ । ଏମାନେ ନିଜ ଜୀବନକୁ ଦେଶ ମାତୃକା ପାଇଁ ସମର୍ପି ଦେଇ ବରୀ ମାଟିକୁ ସଂଗ୍ରାମୀର ସ୍ଵାଦ ଦେଇଥିଲେ।

ଏହି ବୀରପୁତ୍ରଙ୍କୁ ମନେ ପକାଇବା ପାଇଁ ପୂର୍ବ ସରକାର ବରୀପାଳଠାରେ ସ୍ଵାଧୀନତା ସଂଗ୍ରାମୀ ସ୍ମାରକୀ ଭବନ ସ୍ଥାପନ କରିଥିଲେ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି ଏହି ସ୍ଵାଧୀନତା ସଂଗ୍ରାମୀ ସ୍ମାରକୀ ଭବନ। ଯାହା ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ମୂର୍ତ୍ତି ରଖିବା ପାଇଁ ନିର୍ମିତ ହୋଇଛି ପିଣ୍ଡି। କିନ୍ତୁ ଏବେ ସେହି ପିଣ୍ଡି ଅର୍ଦ୍ଧଭଗ୍ନ ଅବସ୍ଥାରେ ପଡ଼ିରହିଥିବା ବେଳେ ପିଣ୍ଡି ଉପରେ ରଖାଯାଉଛି ଜୋତା । ସହିଦଙ୍କ ପ୍ରତିମୂର୍ତ୍ତି ରଖିବା ପାଇଁ ଯେଇଁ ସ୍ଥାନଟି ନିର୍ମିତ ହୋଇଥିଲା ତହା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ । ସେଠାରେ ଲାଗିଥିବା ଟାଇଲ ସବୁ ଭାଙ୍ଗି ଗଲାଣି । ସହିଦ ସ୍ତୁପ ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ବେଳେ ସ୍ଥାନଟି ଏବେ ସରୀସୃପଙ୍କ ଆଡ୍ଡାସ୍ଥଳୀ ପାଲଟିଛି।

ଗୋଲ୍ଡ ଲୋନ କମ୍ପାନୀ କର୍ମଚାରୀ ଲକ୍ଷାଧିକ ଟଙ୍କା ଠକେଇ କରି ଫେରାର ଅଭିଯୋଗ

ଗୋଲ୍ଡ ଲୋନ କମ୍ପାନୀ କର୍ମଚାରୀ ଠକେଇ କରି ଫେରାର ଅଭିଯୋଗ । ଯାଜପୁର ଟାଉନ ଶୀତଳେଶ୍ବର ଅଞ୍ଚଳରେ ଥିବା ଗୋଲ୍ଡ ଲୋନ କମ୍ପାନୀରେ କାର୍ଯ୍ୟରତ ଜନୈକ କର୍ମଚାରୀ ବିଭିନ୍ନ ଖାଉଟିଙ୍କ ଠାରୁ ଠକେଇ କରି ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଆଲୋକ କୁମାର ବାଡିଆ ନାମକ ଜନୈକ କର୍ମଚାରୀ ଉପଭୋକ୍ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ଗ୍ରାହକଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ କରିବା ନାଁରେ ସେ ଏଭଳି ଠକେଇ କରିନେଇଥିବା ଏକାଧିକ ଗ୍ରାହକ ଶୀତଳେଶ୍ଵର ବ୍ରାଞ୍ଚରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବ୍ରାଂଚ ମ୍ୟାନେଜର ରାଜା ରାମମୋହନ ରାୟ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ଅଭିଯୋଗ ପାଇବା ପରେ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

ଭେଡେନକୁ କାହିଁକି ମିଳିଲାନି NAC ମାନ୍ୟତା: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ବରଗଡ଼ ଜିଲ୍ଲା ଭେଡେନକୁ NAC ମାନ୍ୟତା ଦାବି। ଭେଡେନକୁ NAC କରାଯାଇନଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ସାମ୍ବାଦିକ ସମ୍ମିଳନୀ କରି ସେ ସରକାରଙ୍କ ଉପରେ ବର୍ଷିଛନ୍ତି। ନବୀନ ପଟ୍ଟନାୟକ ସରକାର ସମୟରେ ଭେଡେନକୁ NAC ଘୋଷଣା କରାଯାଇଥିଲା। ବର୍ତମାନ ରାଜ୍ୟ ସରକାର ଭେଡେନକୁ NAC ରୁ ବାଦ୍ ଦେଇଛନ୍ତି। ଏହାର କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି ସ୍ନେହାଙ୍ଗିନୀ। ଭେଡେନ NAC ହେବାକୁ ପୁରା ଯୋଗ୍ୟ। ସରକାର ଆନ୍ତରିକତା ଦେଖାଇନଥିବାରୁ ଏହାକୁ କଡ଼ା ନିନ୍ଦା କରିବା ସହିତ ଭେଡେନଙ୍କୁ ତୁରନ୍ତ ଏନଏସି କରିବାକୁ ସେ ଦାବି କରିଛନ୍ତି। ଆଜି ଭେଡେନ BDO ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ୧୯ ତାରିଖରେ ବିଜୁ ଜନତା ଦଳ ଭେଡେନରେ ଆନ୍ଦୋଳନ କରିବାକୁ ସେ ଚେତାଇ ଦେଇଛନ୍ତି।

୮ ଛାତ୍ରଙ୍କ ଆଖିରେ ଫେବିକ୍ଵିକ ପକାଇଲେ ସହପାଠୀ

୮ ଛାତ୍ରଙ୍କ ଆଖିରେ ଫେବିକ୍ଵିକ୍ ପକାଇଲେ ସହପାଠୀ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୋଲଗୁଡ଼ା ପଞ୍ଚାୟତ ସୋଲଗୁଡ଼ା ସେବାଶ୍ରମ ସ୍କୁଲର ଘଟଣା। ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ୮ ଛାତ୍ରଙ୍କ ଆଖିରେ ଫେବିକ୍ଵିକ୍ ପକାଇଲେ ସହପାଠୀ ଛାତ୍ର। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ପ୍ରଥମେ ଗୋଛପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଜଣେ ସୁସ୍ଥ ଥିବା ବେଳେ ୭ ଜଣଙ୍କୁ ଫୁଲବାଣୀ ମେଡିକାଲକୁ ପଠାଯାଇଛି । ଗତକାଲି ରାତିରେ ସମସ୍ତେ ଖାଇସାରି ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି ।