spot_img
Home Blog Page 3841

ପୁଣି ସୁପରହିଟ୍ ଖାଦ୍ୟ ସୁରକ୍ଷାର ଓଡ଼ିଶା ମଡେଲ୍, ବିଶ୍ବ ଖାଦ୍ୟ ସଂଗଠନ ଭାରତ ମୁଖ୍ୟଙ୍କ ପ୍ରଶଂସା

ଭୁବନେଶ୍ୱର: ପୁଣି ସୁପରହିଟ୍ ଖାଦ୍ୟ ସୁରକ୍ଷାର ଓଡ଼ିଶା ମଡେଲ୍ । ବିଶ୍ୱ ଖାଦ୍ୟ ସଂଗଠନର ଭାରତ ମୁଖ୍ୟ ବିଶ୍ୱ ପାରାଜୁଲିଙ୍କ ଭୁରି ଭୁରି ପ୍ରଶଂସା । ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ପାରାଜୁଲି ପ୍ରଶଂସା କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ସାରା ଦେଶରେ ଓଡ଼ିଶା ଏକ ନମ୍ୱର ସ୍ଥାନରେ ରହିଛି । ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ଯସାଚୀ ନାୟକଙ୍କୁ ଭେଟିଛନ୍ତି ପାରାଜୁଲି । ରାଜ୍ୟରେ ସେଣ୍ଟର ଅଫ ଏକ୍ସିଲେନ୍ସ ପ୍ରତିଷ୍ଠା କରିବ ବିଶ୍ୱ ଖାଦ୍ୟ ସଂଗଠନ ।

ମାଲକାନଗିରି ଜିଲ୍ଲାରେ ପୋଷଣଯୁକ୍ତ ଚାଉଳ ବଣ୍ଟନର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ବଣ୍ଟନ କାର୍ଯ୍ୟକ୍ରମର ସୀମା ନିର୍ଦ୍ଧାରଣ ପାଇଁ ସର୍ଭେ କରାଯିବ। ପୋଷଣଯୁକ୍ତ ଚାଉଳ ଧାନର ଉପଯୋଗୀତା ନେଇ ଯୋଗାଣ ଅଧିକାରୀ, ମିଲର ଓ ଡିଲରଙ୍କୁ ସଚେତନ କରାଯିବ। ସବୁ ପିଡିଏସ ଜିଲ୍ଲାରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ଭୁବନେଶ୍ୱରରେ ଶସ୍ୟ ATM ପ୍ରତିଷ୍ଠା ପାଇଁ WFP ସହଯୋଗ କରିଛି । ରାଜ୍ୟର ସବୁ ମହାନଗର ନିଗମରେ ୨ଟି ଲେଖାଏଁ ATM ପ୍ରତିଷ୍ଠା ପାଇଁ WFP ଭାରତ ମୁଖ୍ୟଙ୍କ ନିକଟରେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦାବି କରିଛନ୍ତି ।

ଦ୍ୱିତୀୟ ସିଡିଏସ୍ ଭାବେ ଦାୟିତ୍ୱ ଗ୍ରହଣ କଲେ ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ

ନୂଆଦିଲ୍ଲୀ: ଦେଶର ଦ୍ବିତୀୟ ସିଡିଏସ୍‌ ଭାବେ ଦାୟିତ୍ବ ଗ୍ରହଣ କଲେ ଲପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ । ତିନି ସେନାର ମୁଖ୍ୟ ତଥା ଚିଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ବ ନେଇଛନ୍ତି ଜେନେରାଲ ଚୌହାନ । ଦାୟିତ୍ବ ଗ୍ରହଣ କରିବା ପରେ ତିନି ସେନାର ମୁଖ୍ୟ ଭାବେ ସବୁ ପ୍ରକାର ଚ୍ୟାଲେଞ୍ଜର ମୁକାବିଲା କରିବେ ବୋଲି କହିଛନ୍ତି । ମିଳିତ ଭାବେ ସବୁ ସମସ୍ୟାର ସାମାଧାନ କରାଯିବ ବୋଲି ଜେନେନାଲ ଚୌହାନ କହିଛନ୍ତି ।

ସିଡିଏସ୍‌ ଜେନେରାଲ ଅନୀଲ ଚୌହାନ ହେଉଛନ୍ତି ଇଷ୍ଟର୍ଣ୍ଣ ଆର୍ମିର ପୂର୍ବତନ କମାଣ୍ଡର। ସେନାନିବୃତ୍ତି ପରେ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସଚିବାଳୟରେ ସୈନ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟରତ ଥିଲେ । ୨୦୧୯ରେ ବାଲାକୋଟ ଏୟାର ଷ୍ଟ୍ରାଇକର ସୈନ୍ୟ ମହାନିର୍ଦ୍ଦେଶକ ଥିଲେ ଜେନେରାଲ ଚୌହାନ । ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବାର ପ୍ରାୟ ୯ ମାସ ପରେ ସେ ଏହି ପଦ ପାଇଛନ୍ତି ।

AICC ସଭାପତି ରେସରେ ଖାଡଗେ, ଥରୁର ଭରିଲେ ନାମାଙ୍କନ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ । ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ନୂଆ ଟୁଇଷ୍ଟ । ପ୍ରାର୍ଥୀ ନହୋଇ ପ୍ରସ୍ତାବକ ହେବେ ଦିଗବିଜୟ ସିଂ । G-23 ମେମ୍ବର ତଥା ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେ ରେସରେ ସାମିଲ ହୋଇଥିବା ବେଳେ ଦିଗବିଜୟ ରେସରୁ ଓହରି ଯାଇଛନ୍ତି । ଏହାଛଡ଼ା ସେ ଖାଡଗେଙ୍କ ପ୍ରସ୍ତାବକ ହେବେ ବୋଲି କହିଛନ୍ତି । କର୍ଣ୍ଣାଟକର ଦଳିତ ନେତା ଖାଡଗେ ଗାନ୍ଧୀ ପରିବାରର ବେଶ୍‌ ବିଶ୍ବସ୍ତ । ଫଳରେ ତାଙ୍କୁ AICC ସଭାପତି କରାଯାଇପାରେ । ଖାଡଗେଙ୍କ ପାଇଁ ପିଏଲ ପୁନିଆ ଓ ପ୍ରମୋଦ ତିଓ୍ବାରୀ ମଧ୍ୟ ପ୍ରସ୍ତାବକ ରହିବେ । ନାମାଙ୍କନ ପୂର୍ବରୁ ଖାଡଗେଙ୍କ ଘରେ ପହଞ୍ଚିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ।

ସେପଟେ କେରଳ ସାଂସଦ ଶଶି ଥରୁର ଆଜି କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଏହାଛଡ଼ା ମୁକୁଲ ବାସନିକ, କୁମାରୀ ସୋଲଜା ମଧ୍ୟ ଆଜି ନାମାଙ୍କନ ଭରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରେସରୁ ଆଉଟ ହୋଇଥିବା ବେଳେ G-23ର ଆଉ କିଛି ନେତା ଦୌଡ଼ରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି । ୮ଅକ୍ଟୋବର ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଅକ୍ଟୋବର ୧୭ରେ ନିର୍ବାଚନ ଓ ୧୯ରେ ରେଜଲ୍ଟ ଘୋଷଣା ହେବ ।

ଚାଷୀଙ୍କ ଫସଲ ବୀମା ଅର୍ଥ ପ୍ରସଙ୍ଗ, କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଚିଠି । ରାଜ୍ୟର ଲକ୍ଷାଧିକ ଚାଷୀଙ୍କୁ ଫସଲବୀମା କମ୍ପାନୀ ପ୍ରତାରଣା କରୁଥିବା ଚିଠିରେ ଅମର ଉଲ୍ଲେଖ କରିଛନ୍ତି । ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ସହ ଚାଷୀଙ୍କୁ ସେମାନଙ୍କ ଫସଲ ବୀମା ମିଳିବା ଦିଗରେ ପଦକ୍ଷେପ ନେବାକୁ ସାଂସଦ ଅମର ପଟ୍ଟନାୟକ ଅନୁରୋଧ କରିଛନ୍ତି ।  ଚାଷୀମାନଙ୍କୁ ଫସଲ ବୀମାରାଶି ଦେବା ନେଇ ବୀମା କମ୍ପାନୀଗୁଡ଼ିକ ଅହେତୁକ ବିଳମ୍ବ କରୁଛନ୍ତି ।  ଦୀର୍ଘଦିନ ଧରି ଚାଷୀମାନେ ଫସଲ ବୀମା କରିଥିଲେ ମଧ୍ୟ ଆବଶ୍ୟକ ସମୟରେ ମିଳୁନାହିଁ । ବୀମା କମ୍ପାନୀଗୁଡ଼ିକ ବୀମାରାଶି ଦେବା ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଠିକ୍ ସମୟରେ ଚାଷୀମାନେ ବୀମା ଅର୍ଥ ନପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବୀମା କମ୍ପାନୀ ଚାଷୀଙ୍କଠାରୁ ଫସଲ ବୀମା ପ୍ରିମିୟମ ନେଇ ଚାଷୀଙ୍କୁ ଠକିବା ଏକ ଦଣ୍ଡନୀୟ ଅପରାଧ । ବୀମା କମ୍ପାନୀଗୁଡିକ ଫସଲ କଟା ସମୟକୁ ଅପେକ୍ଷା କରୁଥିବା କୁହାଯାଉଛି । ଯାହାକି ଫସଲ ବୀମା ନିୟମର ବିରୋଧାଚରଣ କରୁଛି । ରାଜ୍ୟରେ ଫସଲ ବୀମା କରୁଥିବା କମ୍ପାନୀଗୁଡ଼ିକଙ୍କ ମନମାନୀ ଚରମ ସୀମାରେ ପହଞ୍ଚିଛି । ଅନେକ ସମୟରେ ରାଜ୍ୟ ସରକାର ଚାଷୀଙ୍କୁ ସେମାନଙ୍କ ବୀମାରାଶି ଦେବାକୁ ଏସବୁ କମ୍ପାନୀକୁ ଅନୁରୋଧ କରୁଥିଲେ ମଧ୍ୟ କମ୍ପାନୀ ଶୁଣୁନାହାନ୍ତି । ଏ ପ୍ରସଙ୍ଗ ରାଜ୍ୟସଭାର ଶୂନ୍ୟକାଳରେ ଉଠିଥିଲା । କିନ୍ତୁ ବୀମା କମ୍ପାନୀଗୁଡ଼ିକୁ କାହାକୁ ଖାତିର କରୁନାହାନ୍ତି । ତେଣୁ କେନ୍ଦ୍ର କୃଷି ମନ୍ତ୍ରାଳୟ  ଏ ସଂକ୍ରାନ୍ତରେ ବିହିତ ପଦକ୍ଷେପ ନେବା ସହ ତୁରନ୍ତ ଚାଷୀଙ୍କୁ ସେମାନଙ୍କୁ ବୀମାରାଶି ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ସାଂସଦ ଅମର ପଟ୍ଟନାୟକ।

ରାଜ୍ୟ ପରିବହନ ବିଭାଗ ଓ ସେଫ୍ କର୍ମଶାଳାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷିତ ଯାତ୍ରା ନେଇ ଆଲୋଚନା

ଭୁବନେଶ୍ୱର: ସଡ଼କ ସୁରକ୍ଷା ଏବଂ ପରିବେଶ ନେଇ ଭୁବନେଶ୍ୱରରେ ମାନସ ମନ୍ଥନ । ସୁରକ୍ଷିତ ଯାତ୍ରା ନେଇ ରାଜ୍ୟ  ପରିବହନ ବିଭାଗ, ଓ  Society of automotive fitness and environment ପକ୍ଷରୁ କର୍ମଶାଳା ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ  ଏହି  ସମ୍ମିଳନୀକୁ ଉଦଘାଟନ କରିଥିଲେ । ପରିବହନ ମନ୍ତ୍ରୀ ଟୁକୁନୀ ସାହୁ,  5T ସଚିବ ଭି.କେ ପାଣ୍ଡିଆନ, ସଚିବ ବିଷ୍ଣୁପଦ ସେଠି, ପରିବହନ କମିଶନର ଅରୁଣ ବୋଥ୍ରା ପ୍ରମୁଖ ଉପସ୍ଥିତ ଅଛନ୍ତି ।

ସଡ଼କ ସୁରକ୍ଷା ଏବଂ ପରିବେଶର ପ୍ରାଥମିକତା ସହ ସୁରକ୍ଷିତ ଯାତ୍ରା ଉପରେ ହୋଇଛି ଆଲୋଚନା । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ କର୍ମଚାରୀଙ୍କ ସମେତ ବସ୍ ମାଲିକ, ଡ୍ରାଇଭର, ବିଭିନ୍ନ ଟେକ୍ନୋଲୋଜି କମ୍ପାନୀ ଏବଂ ଅନ୍ୟାନ୍ୟ ଷ୍ଟେକ୍ ହୋଲ୍ଡରମାନେ ଯୋଗ ଦେଇଛନ୍ତି।

ସମ୍ପତ୍ତି ପାଇଁ ବଂଶ ବୁଡ଼ାଇଦେଲେ ସମ୍ପର୍କୀୟ, ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ହତ୍ୟା

ରାୟପୁର: ସମ୍ପତ୍ତି ପାଇଁ ବଂଶ ବୁଡ଼ାଇ ଦେଲେ ସମ୍ପର୍କୀୟ । ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ହତ୍ୟା । ସ୍ୱାମୀ-ସ୍ତ୍ରୀ ଓ ଦୁଇ ପିଲା ମୃତ । ଦୁର୍ଗ ଜିଲ୍ଲା କୁହ୍ମାରୀ ନିକଟ ଅକେଳି ଗାଁରେ ରହୁଥିଲେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଦେଢ଼ଗାଁର ଗୋଟିଏ ପରିବାରର ୪ ଜଣ । ଟାଙ୍ଗିଆରେ ସେମାନଙ୍କୁ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।

ସମ୍ପତ୍ତି ବିବାଦରୁ ସେମାନଙ୍କୁ କେହି ସମ୍ପର୍କୀୟ ହତ୍ୟା କରିଥିବା ନେଇ ଛତିଶଗଡ଼ ପୋଲିସ ସନ୍ଦେହ କରୁଛି । ମୃତକ ହେଲେ ଭୋଳନାଥ ଯାଦବ, ସ୍ତ୍ରୀ ନେଇଲା ଯାଦବ, ପୁଅ ପ୍ରମୋଦ ଓ ଝିଅ ମୁକ୍ତା । ୧୨ ବର୍ଷ ହେଲା ସ୍ବାମୀ-ସ୍ତ୍ରୀ ଛତିଶଗଡ଼ରେ ପନିପରିବା ବଗିଚାରେ କାମ କରି ଆସୁଥିଲେ । ପୋଲିସ ମୃତଦେହକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।

ଜଷ୍ଟିସ୍ ଯଶଓ୍ୱନ୍ତ ସିଂ ହେବେ ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ: ଜଷ୍ଟିସ ଯଶୱନ୍ତ ସିଂ ହେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି । ସୁପ୍ରିମକୋର୍ଟ କଲେଜିୟମର ସୁପାରିସ । ୨୮ ତାରିଖରେ ସୁପ୍ରିମକୋର୍ଟ କଲେଜିୟମରେ ଜଷ୍ଟିସ୍ ଯଶଓ୍ୱନ୍ତ ସିଂଙ୍କ ନାମ ସୁପାରିସ ହୋଇଥିଲା । ଜଷ୍ଟିସ ଯଶୱନ୍ତ ସିଂଙ୍କୁ ନିଯୁକ୍ତି ପ୍ରଦାନ କଲେ ସୁପ୍ରିମକୋର୍ଟ । ୨୦୨୧ ଅକ୍ଟୋବରରୁ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ଯଶଓ୍ୱନ୍ତ ସିଂ ।

ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ସମୟସୀମାକୁ ନେଇ ଚିନ୍ତାରେ ଥିବା ଗାଡ଼ି ଚାଳଳଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ସେମାନଙ୍କୁ ମିଳିଛି ଆଉ ମାସେ ମହଲତ । ଅର୍ଥାତ ଅକ୍ଟୋବର ୩୧ ଯାଏ ହାଇସିକ୍ୟୁରିଟି ନମ୍ୱର ପ୍ଲେଟ ଅବଧି ବୃଦ୍ଧି ହୋଇଛି । ଫଳରେ ପୁରୁଣା ନମ୍ବର ପ୍ଲେଟ ଥିଲେ ବି ଆସନ୍ତାକାଲି ଗଣିବାକୁ ପଡ଼ିବନି ଜରିମାନା ।

ଆଜି ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ, ନିଜ ଆଡୁ ସତ୍ୟପାଠ ଦାଖଲ କରିଥିଲେ ପରିବହନ କମିଶନର । ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମାସକର ମହଲତ ପାଇ ଗାଡ଼ି ଚାଳକ ଆଶ୍ବସ୍ତ ହୋଇଥିବା ବେଳେ, ଏହା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ପ୍ରୟାସ ଜାରି ରଖିବେ ବୋଲି କୁହାଯାଇଛି ।

ପୁଣି ରେପୋ ରେଟ ବଢ଼ାଇଲା RBI, ମହଙ୍ଗା ହେବ ବ୍ୟାଙ୍କ ଋଣ

ନୂଆଦିଲ୍ଲୀ: ପୁଣି ବଢ଼ିଲା ରେପୋ ରେଟ୍, ମହଙ୍ଗା ହେବ EMI । ପୁଣି ରେପୋରେଟ ବଢ଼ାଇଲା ରିଜର୍ଭ ବ୍ୟାଙ୍କ । ରେପୋ ରେଟରେ ୫୦ ବେସିସ ପଏଣ୍ଟ ବୃଦ୍ଧି କରାଯାଇଛି । ରେପୋ ରେଟ୍ ୫.୪୦ ପ୍ରତିଶତରୁ ବଢ଼ି ୫.୯୦ ପ୍ରତିଶତ ହୋଇଛି । ରେପୋ ରେଟ୍ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ଲଗାତାର ଚତୁର୍ଥ ଥର ପାଇଁ ମୁଦ୍ରା ନୀତି ବୈଠକରେ ରେପୋ ରେଟରେ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି । ଆରବିଆଇ ରେପୋ ରେଟ ବଢ଼ିବା ପରେ ବ୍ୟାଙ୍କ ଋଣ ଅଧିକ ହେବ, ଯାହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ ।

ରେପୋ ରେଟ ବଢିବା ପରେ ହୋମ ଲୋନ୍, କାର ଲୋନ୍ ଏବଂ ବିଜନେସ ଲୋନ୍ ମହଙ୍ଗା ହେବ । ପୂର୍ବରୁ ଯେଉଁମାନେ ରେପୋ ରେଟ୍ ଆଧାରିତ ହୋମ ଲୋନ୍ ନେଇଛନ୍ତି ସେମାନଙ୍କ EMI ବଢ଼ିବ । ୨୦୨୨ରେ ଆରବିଆଇ ରେପୋ ରେଟରେ ୧.୪୦ ପ୍ରତିଶତ ବଢାଇଛି । ପ୍ରଥମ ଥର ଆରବିଆଇ ମେ’ ମାସରେ ୪୦ ବେସିସ୍ ପଏଣ୍ଟ, ଦ୍ୱିତୀୟରେ ଜୁନ ମାସରେ ୫୦ ବେସିସ୍ ପଏଣ୍ଟ ଏବଂ ଅଗଷ୍ଟରେ ୦.୫୦ ପ୍ରତିଶତ ବଢାଯାଇଥିଲା ।

ବାତିଲ ହେଲା ଦୟା ଏନକ୍ଲେଭର ଫ୍ଲାଟ୍ ଆବଣ୍ଟନ, ରେରାର ଅଙ୍କୁଶ ପରେ ବିଡିଏର ପଦକ୍ଷେପ

ଭୁବନେଶ୍ୱର: ଦୟା ଏନକ୍ଲେଭର ୧୨୮ଟି ଫ୍ଲାଟ୍ ଆବଣ୍ଟନ ପାଇଁ ଚାଲିଥିବା ପ୍ରକ୍ରିୟାକୁ ବିଡିଏ ବାତିଲ କରିଛି । ବିଡିଏ ପକ୍ଷରୁ ନିର୍ମାଣ କରାଯାଇଥିବା ଦୟା ଏନକ୍ଲେଭର ଉପରେ ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି ବା ରେରା ଅଙ୍କୁଶ ଲଗାଇବା ପରେ ବିଡିଏ ଏହି ପଦକ୍ଷେପ ନେଇଛି । ଭଗବାନପୁରରେ ଦୟା ଏନକ୍ଲେଭ୍ ନିର୍ମାଣ ପରେ ୧୨୮ଟି ଫ୍ଲାଟର ବିକ୍ରୟ ପାଇଁ ବିଡିଏ ପ୍ରକ୍ରିୟା ଆରମ୍ଭ କରିଥିଲା । ହେଲେ ଏହି ପ୍ରକଳ୍ପରେ ରେରା ଦ୍ବାରା ନିର୍ଦ୍ଧାରିତ ଅନେକ ନିୟମ ଉଲ୍ଲଂଘନ ହୋଇଥିବାରୁ ରେରା କୋର୍ଟ ଏହି ପ୍ରକଳ୍ପ ଉପରେ ରହିତାଦେଶ ଜାରି କରିଥିଲେ । ଗତ ୨୦ ତାରିଖରେ ରେରା କୋର୍ଟ ଏହି ନିଷ୍ପତ୍ତି ନେବା ପରେ ଏହାକୁ ଆଧାର କରି ବିଡିଏ ଏକ ବିଜ୍ଞପ୍ତି ଜାରି କରି ଏହି ନିର୍ଦ୍ଦେଶାନାମା ଜାରି କରିଛି ।

ରେରା ଆଇନ ହିସାବରେ ସମସ୍ତ ପ୍ରକଳ୍ପ ଏଗ୍ରିମେଣ୍ଟ ଫର୍ ସେଲ୍ ନିୟମ ଆଧାରରେ ବିକ୍ରି ହେବ । ଏଥିପାଇଁ ଏହାର ପଞ୍ଜିକରଣ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏହି ଏଗ୍ରିମେଣ୍ଟ ଫର୍ ସେଲ୍ ନହେବା ପର୍ଯ୍ୟନ୍ତ ବିକ୍ରେତା କେବଳ ପ୍ରକଳ୍ପ ମୂଲ୍ୟର ୧୦ ପ୍ରତିଶତ ଅର୍ଥ ନେଇପାରିବେ । ଏହି ଏଗ୍ରିମେଣ୍ଟ ପରେ ବାକି ଅର୍ଥ କାରବାର ହୋଇପାରିବ ବୋଲି ରେରା ନିୟମ ରହିଛି । ମାତ୍ର ବିଡିଏ ଏହି ପ୍ରକଳ୍ପରେ ଏଗ୍ରିମେଣ୍ଟ ଫର୍ ସେଲ୍ ସର୍ତ୍ତକୁ ସମ୍ପୂର୍ଣ୍ଣ ବାଦ ଦେଇଛି । ବିଡିଏ ଏହି ପ୍ରକଳ୍ପର କୌଣସି ଫ୍ଲାଟ୍ ବିକ୍ରି କରିପାରିବ ନାହିଁ ବୋଲି ରେରା କହିଥିବା ବେଳେ ବିଡିଏର ପ୍ରକଳ୍ପର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ କାହିଁକି ବାତିଲ ନହେବ, ତା’ର କାରଣ ଦର୍ଶାଇବାକୁ ନୋଟି ଜାରି ହୋଇଛି । ତେଣୁ ଏହି ମାମଲାର ବିଚାର ସଂପୂର୍ଣ୍ଣ ଶେଷ ନହେବା ଯାଏଁ ଏହି ପ୍ରକ୍ରିୟା ବନ୍ଦ ରହିବ ବୋଲି ଜଣାପଡ଼ିଛି । ଦୟା ଏନକ୍ଲେଭରେ ବିଡିଏ ଦ୍ବାରା ୧୨୮ଟି ଫ୍ଲାଟ୍ ନିର୍ମାଣ କରାଯାଇଛି । ପ୍ରକଳ୍ପରେ ୮୦ଟି ଟାଇପ୍-୧ ଓ ୪୮ଟି ଟାଇପ୍-୨ ଫ୍ଲାଟ୍ ରହିଛି । ଏଥିପାଇଁ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି ।