spot_img
Home Blog Page 3853

ବିଜେପି ଚାପରେ ଘାଇଲା ଆପ୍‌, ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ପ୍ରାର୍ଥୀ

0

ଗାନ୍ଧୀନଗର: ବିଜେପି ଚାପରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ଆପ୍ ପାର୍ଥୀ । ଗୁଜୁରାଟ ସୁରଟ(ପୂର୍ବ) ଆସନରୁ ଆମ ଆଦମୀ ପାର୍ଟି ପକ୍ଷରୁ ଲଢୁଥିବା ପ୍ରାର୍ଥୀ କାଞ୍ଚନ ଜରିଓ୍ବାଲା ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ସୂଚନା ମିଳିଛି । ଗତକାଲି ଠାରୁ ସେ ଅପହୃତ ହୋଇଥିବା ନେଇ ଅଭିଯୋଗ କରିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ ।

ସିସୋଦିଆ କହିଛନ୍ତି ପରାଜୟ ଭୟରେ ଗୁଜୁରାଟରେ ବିଜେପି ଆତଙ୍କିତ ଅବସ୍ଥାରେ ରହିଛି । ଗତକାଲି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ସାରି ଫେରୁଥିବାବେଳେ ଜରିଓ୍ବାଲାଙ୍କୁ ବିଜେପିର କିଛି ଗୁଣ୍ଡା ଅପହରଣ କରିନେଇଛନ୍ତି ବୋଲି ସିସୋଦିଆ ଅଭିଯୋଗ କରିଥିଲେ । ଏହା ଏକ ବିପଜ୍ଜନକ ପଦକ୍ଷେପ ଏବଂ ଗଣତନ୍ତ୍ରକୁ ଅପହରଣ କରାଯାଇଛି ବୋଲି କହିଛନ୍ତି ସିସୋଦିଆ ।

ସୁରଟ ଇଷ୍ଟ ଆସନରୁ ବିଜେପିର ବର୍ତ୍ତମାନ ବିଧାୟକ ଅରବିନ୍ଦ ରାଣାଙ୍କୁ ଟିକେଟ ଦିଆଯାଇଛି  । ସେହିପରି କଞ୍ଚନ ଜରିୱାଲାଙ୍କୁ ପ୍ରାର୍ଥୀ କରିଛି ଆପ୍‌  । ଯଦି କଞ୍ଚନଙ୍କୁ ୧୦ ରୁ ୧୫ ହଜାର ଭୋଟ୍‌ ମିଳେ ତେବେ ଭାଜପା ପାଇଁ ଏଠାରେ ବିଜୟ ସମସ୍ୟା ସୃଷ୍ଟି କରିବ  । ଯେଉଁଥିପାଇଁ ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଛି ଆପ୍‌  ।

 

 

ବିଦେଶରୁ ଆସିଲା ଖୁସି ଖବର, ପ୍ରତିବର୍ଷ ୩ ହଜାର ଭିସା ଯୋଗାଇବ ବ୍ରିଟେନ

ଲଣ୍ଡନ: ବଢିଲା ଭାରତ- ବ୍ରିଟେନ ସମ୍ପର୍କ । ଭାରତର ଯୁବ ବୃତ୍ତିଜୀବୀଙ୍କ ଲାଗି ପ୍ରତିବର୍ଷ ୩ ହଜାର ଭିସା ଯୋଗାଇବାକୁ ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଭାରତ ଓ ବ୍ରିଟେନ ମଧ୍ୟରେ ମାଇଗ୍ରେସନ ଓ ମୋବିଲିଟି ପାର୍ଟନରସିପ୍ ବଢିବ ବୋଲି ଦୁଇ ପକ୍ଷ ଆଶାବାଦୀ ରହିଛନ୍ତି । ଗ୍ରୁପ-୨୦ ସମ୍ପିଳନୀରେ ଋଷି ସୁନକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ସୁନକ ।

ଏହି ଭିସା ବଳରେ ୧୮ରୁ ୩୦ ବର୍ଷ ବୟସ୍କ ଡିଗ୍ରୀଧାରୀ ବୃତ୍ତିଜୀବୀ ସର୍ବାଧିକ ୨ ବର୍ଷ ଯାଏ ବ୍ରିଟେନରେ କାର୍ଯ୍ୟ କରିବାର ସୁଯୋଗ ପାଇବେ । ଜଣେ ଭାରତୀୟ ବଂଶୋଦ୍ଭବ ଭାବେ ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ପରେ ଏହି ବଡ଼ ଘୋଷଣା କରାଯାଇଛି । ବ୍ରିଟେନ କରିଥିବା ଘୋଷଣା ପ୍ରକାରେ ଭାରତ ସରକାର ବି ସେହି ଧରଣର ପଦକ୍ଷେପ ନେବେ । ଭାରତର ବିଭିନ୍ନ ନିବେଶ ଯୋଗୁଁ ବ୍ରିଟେନରେ ପ୍ରାୟ ୯୫ ହଜାର ଚାକିରି ସୃଷ୍ଟି ହୋଇଛି ।

ପଦମପୁର ଉପନିର୍ବାଚନ: ଶକ୍ତି ବଢାଉଛି ବିଜେଡି, କାଲି ନାମାଙ୍କନ ଶେଷ ଦିନ

0

ବରଗଡ: ଉଷୁମ ହେଉଛି ପଦମପୁର ଉପନିର୍ବାଚନ ରାଜନୀତି । ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲେ ବି ଏପର୍ଯ୍ୟନ୍ତ ୩ ଦଳର ପ୍ରାର୍ଥୀ ନାମାଙ୍କନ ଭରିନାହାନ୍ତି ।  ନାମାଙ୍କନ ପତ୍ର ଦାଖଲ ପାଇଁ ଆଉ ଗୋଟିଏ ଦିନ ବାକି ଥିବାବେଳେ ବିଜେଡି ଶକ୍ତି ବଢାଇବାରେ ଲାଗିଛି । ଆଜି ପଦମପୁରର ବିଭିନ୍ନ ଜୋନରେ ବିଜେଡି ବିରାଟ ସଭାକରି ଭୋଟରଙ୍କୁ ଏକଜୁଟ କରୁଛି ।

୧ ନଂ ଜୋନରେ ୮ଟି ପଞ୍ଚାୟତର ଲୋକଙ୍କୁ ନେଇ ଆଜି ସର୍ଗିବାହାଲରେ ହେବ ରାଜନୈତିକ ସଭା । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଭୋଟରଙ୍କୁ ସଚେତନ କରିବେ ନେତା । ସେହିପରି ଆଜି ପଦମପୁର ନିର୍ବାଚନ ମଣ୍ଡଳୀ ଅଧୀନ ପାଇକମାଳରେ ବିଜେଡିର କର୍ମୀ ସମ୍ମିଳନୀ ଆୟୋଜିତ ହେବ । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସମ୍ମିଳନୀରେ ସାମିଲ ହେବେ ।

ପଦମପୁର ନିର୍ବାଚନ ପୂର୍ବରୁ ଜୋର ଧରିଲା ଜିଲ୍ଲା ମାନ୍ୟତା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କମିଟି

0

ଭୁବନେଶ୍ବର: ପଦମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପଦମପୁରବାସୀ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ପାଇଁ କମିଟି ଦାବି କରିଛି । ପଦମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ଜାରି ରଖିଛି ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜେଡି ବିଧାୟକ ସୁଶାନ୍ତ ସିଂ କମିଟିକୁ ଭେଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନିମନ୍ତ୍ରଣ ଦେଇଥିଲେ । ସେହି ଅନୁରୋଧ କ୍ରମେ ଆଜି କମିଟିର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ପଦମପୁର ଉପନିର୍ବାଚନ ଥିବାରୁ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଛି । ଜିଲ୍ଲା ଗଠନ ଦାବିକୁ ବିଜେଡି ପୂର୍ବରୁ ସମର୍ଥନ ଜଣାଇଛି ।

ମିଛ ଖବର ପ୍ରସାରଣ କରି ବିବାଦରେ ‘ଓଡିଶା ରିପୋର୍ଟର’, ନୋଟିସ ପଠାଇଲେ ମନ୍ତ୍ରୀଙ୍କ ଓକିଲ

ଭୁବନେଶ୍ବର: ମହଙ୍ଗା ପଡ଼ିଲା ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ବଦନାମ କରିବା ପାଇଁ ଅସତ୍ୟ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପରିବେଷଣ । ଏହି ଧରଣର ଅସତ୍ୟ ଖବର ପ୍ରସାରିତ କରିଥିବା ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ସମ୍ପାଦକଙ୍କୁ ୭ ଦିନ ଭିତରେ ନିଃସର୍ତ୍ତ କ୍ଷମା ମାଗି ସ୍ପଷ୍ଟୀକରଣ ଦେବା ପାଇଁ ମନ୍ତ୍ରୀଙ୍କ ଓକିଲ ନୋଟିସ ପଠାଇଛନ୍ତି ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଫଟୋ ସହିତ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଫଟୋ ଲଗାଇ ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ଗତ ଅକ୍ଟୋବର ୧୨ ତାରିଖରେ ଏକ କଦର୍ଥ ଖବର ପ୍ରସାରଣ କରିଥିଲା । ଏଭଳି ଖବରର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଜଣେ ସୁପ୍ରତିଷ୍ଠିତ ଜନପ୍ରତିନିଧି ଓ କ୍ୟାବିନେଟ ମନ୍ତ୍ରୀଙ୍କୁ ଲୋକଲୋଚନରେ ବଦନାମ କରିବା ପାଇଁ କପୋଳକଳ୍ପିତ ଖବର ପ୍ରସାରଣ କରାଯାଇଛି । ଏହା ଆଇନ ବିରୁଦ୍ଧ । ଇଣ୍ଡିଆନ ଏକ୍ସପ୍ରେସ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ବିରୁଦ୍ଧାଚରଣ କରୁଛି ।

ଏହାସହିତ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଆଇନର ଧାରା ୭୮ ଓ ଅଧିନିୟମ ୭୯ ଅନୁଯାୟୀ ସଂପୃକ୍ତ ଓ୍ବେବ ଚ୍ୟାନେଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ମନ୍ତ୍ରୀଙ୍କ ଓକିଲ ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତା ୭ଦିନ ଭିତରେ ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ଏଭଳି କଦର୍ଥ ସମ୍ବାଦ ପରିବେଷଣ ନେଇ ଯଦି ନିଃସର୍ତ୍ତ କ୍ଷମା ନମାଗେ ଓ ସ୍ପଷ୍ଟୀକରଣ ନଦିଏ, ତେବେ ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ବିରୁଦ୍ଧରେ କୋର୍ଟ ଓ ପ୍ରେସ କାଉନସିଲ ଇଣ୍ଡିଆରେ ମାମଲା ଦାୟର କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରାଯିବ ।

ଆୟକର ଫାଙ୍କିଛନ୍ତି ଭିଭୋ କମ୍ପାନୀର ଓଡିଶା ମୁଖ୍ୟ, ଇଡି ଦେଲା ନୋଟିସ୍‌

ଭୁବନେଶ୍ବର: ଚାଇନିଜ ମୋବାଇଲ କମ୍ପାନୀ ଭିଭୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଓଡ଼ିଶା ମୁଖ୍ୟ ଏ.ଡି ଚେନଙ୍କୁ ଇଡି ନୋଟିସ । ଆୟକର ଫାଙ୍କିବା ଅଭିଯୋଗରେ ହାଜର ହେବାକୁ ଚେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଜାରି କରିଛି । ଭିଭୋ କମ୍ପାନୀ ଆୟକର ଫାଙ୍କିବା ଅଭିଯୋଗରେ ଗତ ଜୁଲାଇରେ ଦେଶର ପ୍ରାୟ ୪୫ ସ୍ଥାନରେ ରେଡ୍‌ ହୋଇଥିଲା ।

ଜାଲ କାଗଜପତ୍ର ଯୋଗେ ଦେଶରେ ବ୍ୟବସାୟ ଚଳାଇଥିଲା କମ୍ପାନୀ । ଭିଭୋ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚେନ୍‌ ଜଗତସିଂହପୁର ଜିଲ୍ଲାର ଜଣେ ମହିଳାଙ୍କୁ ପ୍ରେମ ବିବାହ କରିଛନ୍ତି । ହଂସପାଳରେ ତାଙ୍କର ଏକ ଫ୍ଲାଟ ମଧ୍ୟ ରହିଛି ।

ମନି ଲଣ୍ଡରିଂ ମାମଲାରେ ଏଡି ଚେନଙ୍କ ବିରୋଧରେ ଏକାଧିକ ପ୍ରମାଣ ମିଳିଥିବା ବେଳେ ତାଙ୍କୁ ହାଜର ହେବାକୁ ଇଡି ନୋଟିସ ଜାରି କରିଛି ।

ଆମେରିକା ରାଷ୍ଟ୍ରପତି ରେସ୍‌ରେ ଡୋନାଲ୍ଡ ଟ୍ରମ୍ପ, ରିପବ୍ଲିକାନରୁ ଲଢିବେ

ୱାଶିଂଟନ: ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ ରିପବ୍ଳିକାନ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଳିକାନ ପାର୍ଟିର ଆଶାତୀତ ବିଜୟ ପରେ ଏହି ଘୋଷଣା କରିଛନ୍ତି ଟ୍ରମ୍ପ ।

୨୦୨୪ ନିର୍ବାଚନ ଲାଗି ସମସ୍ତ ପ୍ରକ୍ରିୟା ବି ଶେଷ କରିଛନ୍ତି ଟ୍ରମ୍ପ । ୭୬ ବର୍ଷ ବୟସ୍କ ଟ୍ରମ୍ପ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ପରେ ରାଜନୈତିକ ଶିବିର ଚଳଚଞ୍ଚଳ ହୋଇଛି । ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୂର୍ବରୁ ରାଷ୍ଟ୍ରପତି ଥିଲେ ଟ୍ରମ୍ପ ।

ଜଣେ ବିଜନେସ ଟାଇକୁନ ଓ ରିଆଲିଟି ଟିଭି ଷ୍ଟାର ଭାବେ ଖ୍ୟାତି ଅର୍ଜନ କରିଥିବା ଟ୍ରମ୍ପ କିଛି ମାସ ଧରି ଅଡୁଆରେ ପଡିଛନ୍ତି । ହ୍ବାଇଟହାଉସରୁ ଗୁରୁତ୍ବପୂର୍ଣ୍ଣ ଫାଇଲପତ୍ର ନିଜ ବାସଭବନକୁ ନେଇଯାଇଥିବା ଅଭିଯୋଗ ହେବା ପରେ ଏହାର ତଦନ୍ତ ଜାରି ରହିଛି ।

ପୋଲାଣ୍ଡରେ ହିଟ୍‌ କଲା ଋଷ କ୍ଷେପଣାସ୍ତ୍ର, ତାତିଲା ନାଟୋ

କିଭ୍‌: ଘନେଇଲା ଋଷ ଉପରେ ନାଟୋ ସଦସ୍ୟଙ୍କ ଆକ୍ରମଣ ଆଶଙ୍କା । ଯୁଦ୍ଧ ଆରମ୍ଭରୁ ପ୍ରଥମ ଥର ଲାଗି ଋଷୀୟ କ୍ଷେପଣାସ୍ତ୍ର ହିଟ୍ କଲା ନାଟୋ ସଦସ୍ୟ ରାଷ୍ଟ୍ରରେ । ଋଷର କ୍ଷେପଣାସ୍ତ୍ର ମାଡରେ ପୋଲାଣ୍ଡର ଦୁଇ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ କ୍ଷୁବ୍ଧ ହୋଇଛି ନାଟୋ । ସେପଟେ ଗ୍ରୁପ-20 ବୈଠକରେ ଯୋଗ ଦେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବାଲି ସମ୍ମିଳନୀ ସ୍ଥଳରେ ଗ୍ରୁପ-7 ଓ ନାଟୋ ସଦସ୍ୟଙ୍କ ଏକ ଜରୁରୀ ବୈଠକରେ ଏନେଇ ସ୍ଥିତି ସମୀକ୍ଷା କରିଛନ୍ତି ।

ୟୁକ୍ରେନ ସୀମା ନିକଟ ପୋଲାଣ୍ଡର ପ୍ରେଜୋଦୋରେ କ୍ଷେପଣାସ୍ତ୍ର ପଡିବା କାରଣରୁ ବିସ୍ଫୋରଣ ଘଟିଥିବା ଅଭିଯୋଗ କରିଛି ନାଟୋ । ଆମେରିକାର କିଛି ବରିଷ୍ଠ ଗୁଇନ୍ଦା ଅଧିକାରୀ ମଧ୍ୟ କ୍ଷେପଣାସ୍ତ୍ର ମାଡ ନେଇ ଋଷକୁ ଦାୟୀ କରିଛନ୍ତି । ସେପଟେ କୌଣସି କ୍ଷେପଣାସ୍ତ୍ର ପୋଲାଣ୍ଡ ସୀମା ଅତିକ୍ରମ କରିନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ । କ୍ଷେପଣାସ୍ତ୍ର ଆକ୍ରମଣ ପରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ମାତେସୁ ମୋରଓ୍ବିକି ଜରୁରୀ ଜାତୀୟ ନିରାପତ୍ତା ଓ ପ୍ରତିରକ୍ଷା ବ୍ୟାପାର କମିଟି ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି ।

କ୍ଷେପଣାସ୍ତ୍ର ପ୍ରୟୋଗକୁ ମଧ୍ୟ ବିରୋଧ କରିଛନ୍ତି ଲାଟଭିଆ ଉପପ୍ରଧାନମନ୍ତ୍ରୀ ଆର୍ତିସ ପାବ୍ରିକସ୍ । ଆକ୍ରମଣର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସୂଚନା ଲାଗି ନାଟୋ ସଦସ୍ୟ ନରଓ୍ବେ, ଲିଥୁଆନିଆ ଓ ଏସ୍ତୋନିଆ ବୈଠକରେ ଉପନୀତ ହୋଇଛନ୍ତି । ଲିଥୁଆନିଆ ରାଷ୍ଟ୍ରପତି ଗୀତନାସ ନୌସେଦା କହିଛନ୍ତି ନାଟୋର ପ୍ରତିଟି ସୀମାର ସୁରକ୍ଷା ଦିଗରେ ପଦକ୍ଷେପ ନିଆଯିବ । ଏସ୍ତୋନିଆ ବି କହିଛି, ନାଟୋ ଶକ୍ତି ମିଳିତ ଭାବେ ଏନେଇ ନିଷ୍ପତ୍ତି ନେବେ । ଗତକାଲି ୟୁକ୍ରେନର ଲିବିବ୍ ଓ ତେର୍ଣ୍ଣୋପିଲ୍ ସମେତ ଅନ୍ୟ କେତେକ ସୀମାନ୍ତ ସହରରେ ଋଷର ମିସାଇଲ ବର୍ଷା ହୋଇଥିବା ନେଇ କିଭ୍‌ ଅଭିଯୋଗ କରିଛି ।

ସେପଟେ ଋଷର ଜୋରଦାର ମିସାଇଲ ଷ୍ଟ୍ରାଇକରେ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଗଭୀର କ୍ଷତିଗ୍ରସ୍ତ ହୋଇଛି । ଧ୍ବଂସ ହୋଇଛି ଅନେକ ଗ୍ରୀଡ । ପ୍ରାୟ ୭୦ ଲକ୍ଷ ଘର ଅନ୍ଧାରରେ ରହିଥିବା ସୂଚନା ମିଳିଛି । ଏପରିକି ୟୁକ୍ରେନ ପଡୋଶୀ ମୋଲଡୋଭାର ବି ଲକ୍ଷାଧିକ ଘରକୁ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି । ଖେରସନରୁ ଋଷ ସୈନ୍ୟ ପ୍ରତ୍ୟାହାର ଏବଂ ଗ୍ରୁପ-20 ସମ୍ମିଳନୀ ଚାଲିଥିବାବେଳେ ଏହି ହାମଲା ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି ।

ବଢୁଛି ଶୀତ, ୨୦ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରକୋପ । କୁହୁଡ଼ ସହିତ ଧିରେ ଧିରେ ଶୀତ ବଢିବାରେ ଲାଗିଛି । ରାଜ୍ୟର ପ୍ରାୟ ୨୦ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଛି । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ଭାବେ ପରିଣତ ହୋଇଛି । ରାତିର ସର୍ବନିମ୍ନ ତାପମାତ୍ରା ୭ ଦଶମିକ ୨ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି ।

ଆଗାମୀ ୩ରୁ ୪ ଦିନ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ଆସନ୍ତା ୩ଦିନ ମଧ୍ୟରେ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା । ଫଳରେ ରାତିରେ ଶୀତ ଅନୁଭୂତ ହେବ । ସର୍ବନିମ୍ନ ତାପମାତ୍ରା ବୌଦ୍ଧ ଓ ଫୁଲବାଣୀ ଠାରେ ୧୩.୫ ଡିଗ୍ରୀ ରେକର୍ଡ ହୋଇଛି ।

ସେହିଭଳି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହାର ପ୍ରଭାବ ରାଜ୍ୟରେ କେତେ ରହିବ ତା ଉପରେ ପାଣିପାଗ ବିଭାଗର ନଜର ରହିଛି । ହେଲେ ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଶୀତ ବଢିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଆଜି ପୁଣି ଆମେରିକାର ମିଶନ ମୁନ୍‌, ମହାକାଶଚାରୀଙ୍କ ପୂର୍ବରୁ ଲଞ୍ଚ୍‌ କରିବ ରକେଟ୍‌

ୱାଶିଂଟନ: ଦୁଇ ଦୁଇ ଥର ଉଦ୍ୟମ ବିଫଳ ପରେ ଆଜି ପୁଣି ହେବ ଆମେରିକାର ମିଶନ ମୁନ୍ । ଚନ୍ଦ୍ରକୁ ମହାକାଶଚାରୀ ପଠାଇବାକୁ ନାସାର ବଡ଼ ପ୍ରୟାସ । ମହାକାଶଚାରୀଙ୍କ ଯାତ୍ରା ପୂର୍ବରୁ ଆଜି ଲଞ୍ଚ୍‌ ହେବ ରକେଟ । ମୁନ୍ ମିଶନ ସିରିଜରେ ଏହା ନାସାର ପ୍ରଥମ ଟେଷ୍ଟ ରନ୍ । ଚନ୍ଦ୍ରକୁ ନାସା ପଠାଇବ ରକେଟ ଆର୍ଟେମିସ-1 । ଦୀର୍ଘବର୍ଷ ଧରି ଆର୍ଟେମିସ ଓ୍ବାନ ମିଶନକୁ ସଫଳ କରିବା ପାଇଁ ନାସାର ପ୍ରୟାସ ଆଜି ପୂରଣ ହେବାକୁ ଯାଉଛି । କେନେଡିସ୍ ଲଞ୍ଚପ୍ୟାଡରୁ ଏହି ସ୍ପେସ ଲଞ୍ଚ ସିଷ୍ଟମ ଉତକ୍ଷେପଣ କରାଯିବ । ବିଶ୍ବର ସବୁଠୁ ଶକ୍ତିଶାଳୀ ଏହି ରକେଟରେ କେହି ମନୁଷ୍ୟ ଯିବେ ନାହିଁ ।

ଦୁଇ ଘଣ୍ଟା ଲଞ୍ଚ ୱିଣ୍ଡୋ ସମୟରେ ଲଞ୍ଚପ୍ୟାଡରୁ ଏହି ଆର୍ଟେମିସ-1 ସ୍ପେସ୍ ଲଞ୍ଚ ସିଷ୍ଟମ୍ ଉତକ୍ଷେପଣ ହେବ । ଦୁନିଆର ସବୁଠାରୁ ଶକ୍ତିଶାଳୀ ରକେଟ୍ ଚନ୍ଦ୍ର ପୃଷ୍ଠରେ ୪୨ ଦିନିଆ ଯାତ୍ରା କରି ଫେରିଆସିବ । ୪୨ଦିନର ଯାତ୍ରାରେ ଏହି ସ୍ପେସ ଲଞ୍ଚ ସିଷ୍ଟମ ୧୬ଲକ୍ଷରୁ ଊର୍ଦ୍ଧ୍ବ କିଲୋମିଟର କକ୍ଷପଥରେ ଭ୍ରମଣ କରିବ । ନାସାର ଏହି ମହାକାଶଯାନ ଚନ୍ଦ୍ର ପାର୍ଶ୍ୱରୁ ପ୍ରାୟ ୪୦ ହଜାର ମାଇଲ ଦୂରରେ ଯାତ୍ରା କରିବ ।

ଅକ୍ଟୋବରରେ ପ୍ରଶାନ୍ତ ମହାସାଗରରେ ଏହି ସ୍ପେସ ଲଞ୍ଚ ସିଷ୍ଟମ ଖସିଯିବ ବୋଲି ଆଶା କରାଯାଉଛି । ଏହି ମିଶନ ସଫଳ ହେଲେ ମହାକାଶଚାରୀଙ୍କୁ ପଠାଯିବ । ଆପୋଲୋ ମିସନର 50 ବର୍ଷ ପରେ ଚନ୍ଦ୍ରକୁ ମନୁଷ୍ୟ ପଠାଇବା ପାଇଁ ପ୍ରୟାସ କରୁଛି ଆମେରିକା । ଏହି ସ୍ପେଶକ୍ରାଫ୍ଟ ୩୨୨ ଫୁଟ୍ ଲମ୍ବା ଏବଂ ୨ ହଜାର ୬୦୦ ଟନ୍ ଓଜନ । ଏହା କେବଳ ଆମେରିକା ପାଇଁ ନୁହେଁ, ସାରା ବିଶ୍ବ ପାଇଁ ଏକ ନୂଆ ଅନୁଭୂତି ଆଣିବ । ୧୯୭୨ ପରେ ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠରେ ମନୁଷ୍ୟ ପାଦ ଥାପିବାକୁ ଉଦ୍ୟମ ହେଉଛି । ପୂର୍ବରୁ ଦୁଇ ଦୁଇ ଥର ଉଦ୍ୟମ ହୋଇଥିଲେ ବି ଯାନ୍ତ୍ରୀକ ତୃଟି ଯୋଗୁଁ ମିଶନ ଫେଲ ମାରିଥିଲା ।