spot_img
Home Blog Page 386

କିଏ ହେବ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ? ଆରମ୍ଭ ହୋଇଗଲାଣି ଛକାପଞ୍ଝା

ନନ୍ଦିଘୋଷ ବ୍ୟୁରୋ : କିଏ ହେବ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ। ଦେଶର ଯୁବପିଢ଼ି ମଧ୍ୟରେ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ। ଏନେଇ ଆରମ୍ଭ ହୋଇଯାଇଛି ଛକାପଞ୍ଝା। ସେନା  ମୁଖ୍ୟାଳୟ ବାହାରେ ପ୍ରାର୍ଥୀଙ୍କ ନାମକୁ ନେଇ ଯୁବକମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ସୂଚନା ରହିଛି। ସେପ୍ଟେମ୍ବର ୯ରେ କାଠମାଣ୍ଡୁ ମେୟର ଏବଂ ରାପର୍ ବାଲେନ୍ ଶାହ, ସେପ୍ଟେମ୍ବର ୧୦ ରେ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଲା କାର୍କି ଏବଂ ସେପ୍ଟେମ୍ବର ୧୧ରେ କୁଲମାନ ଘିସିଂଙ୍କ ନାମ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଦୌଡ଼ରେ ସର୍ବାଗ୍ରେ ଥିଲା।ଏବେ ବର୍ତ୍ତମାନର ମେୟର ହରକା ରାଜ ସମ୍ପାଙ୍ଗ ରାୟ ଓରଫ ହରକା ସମ୍ପାଙ୍ଗଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡା ଯାଇଛି। ସାମ୍ବାଦିକରୁ ରାଜନେତା ହୋଇଥିବା ରବି ଲାମିଛାନେ ମଧ୍ୟ ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ, ଯିଏ ପ୍ରତିବାଦ ସମୟରେ ଜେଲରୁ ମୁକ୍ତ ହୋଇଥିଲେ।ବାଲେନ, ସୁଶୀଳା କାର୍କି କିମ୍ବା ସାମ୍ପାଙ୍ଗଙ୍କୁ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି ଅନେକ ଯୁବକ।ଯାହା କାରଣରୁ ଗୁରୁବାର ଯୁବକମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।ତଥାପି ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ବର୍ତ୍ତମାନ, ଜେନେରାଲ- ଜେଡ ପ୍ରତିନିଧି, ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲ ଏବଂ ସେନା ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଦେଶରେ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବାରେ ସଂଯମତାର ସହିତ ସହଯୋଗ କରିବାକୁ ଅପିଲ କରାଯାଇଛି।

ନେପାଳରୁ ଉଦ୍ଧାର ହେଲେ ୨୩ ଜଣ ଓଡ଼ିଆ ଯାତ୍ରୀ

ନନ୍ଦିଘୋଷ ବ୍ୟୁରୋ : ନେପାଳର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରି ଭାରତକୁ ଫେରାଇ ଅଣାଯାଇଛି। ସେମାନେ ନେପାଳ ଭ୍ରମଣରେ ଯାଇଥିଲେ ଏବଂ ସେଠାରେ ହିଂସାକାଣ୍ଡ ହେବା ପରେ ଫସି ରହିଥିଲେ। ଉକ୍ତ ଘଟଣାଟି ସାମନାକୁ ଆସିବା ପରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, ଓଡ଼ିଶା ସରକାରଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନେପାଳ କାଠମାଣ୍ଡୁ ସ୍ଥିତ ଭାରତର ଦୂତାବାସ କାର୍ଯ୍ୟାଳୟ, ରୋମାନିଆ ପାଇଁ ରହିଥିବା ଭାରତର ରାଷ୍ଟ୍ରଦୂତ ଡ଼. ମନୋଜ କୁମାର ମହାପାତ୍ରଙ୍କୁ ଯୋଗାଯୋଗ କରିଥିଲା। ସମସ୍ତଙ୍କ ମିଳିତ ସହଯୋଗରେ ନେପାଳରେ ଫସି ରହିଥିବା ୨୩ଜଣ ଓଡ଼ିଆ ଯାତ୍ରୀମାନଙ୍କୁ ନେପାଳରୁ ଭାରତକୁ ଫେରାଇ ଅଣାଯାଇଅଛି। ନେପାଳରେ ଫସିଥିବା ବହୁ ଭାରତୀୟ ବି ଦେଶକୁ ଫେରିବାକୁ ଚେଷ୍ଟା କରୁଛନ୍ତି। କିଏ ବୁଲିବାକୁ ଯାଇଥିଲା ତ କିଏ ସେଠାରେ କାମ କରୁଛି। ଆଉ କିଏ ବେପାର କରିବାକୁ ପ୍ରାୟତଃ ନେପାଳ ଯାଆନ୍ତି। ଏବେ ସ୍ଥିତି ବିଗିଡ଼ିଥିବାରୁ ଫେରିବାକୁ ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତକାଲିଠୁ କାଠମାଣ୍ଡୁ ଏୟାରପୋର୍ଟ ଖୋଲିଛି। ବିମାନ ଚଳାଚଳ ପୁରାପୁରି ସ୍ଵାଭାବିକ ହୋଇ ନାହିଁ। ତଥାପି ବିମାନ ଜରିଆରେ ଦେଶକୁ ଫେରିବାକୁ ଲୋକେ ଅପେକ୍ଷା କରିଛନ୍ତି।  ନେପାଳ ଆର୍ମି ପକ୍ଷରୁ ସୀମାରେ ଦେଶବ୍ୟାପୀ କଟକଣା ଜାରି କରିଥିବାବେଳେ ଭାରତ-ନେପାଳ ସୀମାରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ନେପାଳରେ ରହୁଥିବା ଭାରତୀୟଙ୍କ ଲାଗି ଆଡଭାଇଜରୀ ଜାରି କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ହେଲପଲାଇନ ନମ୍ବର 977 – 980 860 2881 ଏବଂ  977  981 032 6134 ଜାରି କରାଯାଇଛି। ବହୁ ବିମାନ ଚଳାଚଳ ବି ବାତିଲ ହୋଇଛି। ପଶ୍ଚିମବଙ୍ଗ ଦାର୍ଜିଲିଂସ୍ଥିତ ପେନିତାଙ୍କିରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି।

ବଢ଼ିବ ଭୁବନେଶ୍ବର କଳେବର, ୮୦୦ ଏକର ଜମିକୁ ନେଇ ତିଆରି ହେବ ନୂଆ ଭୁବନେଶ୍ବର

ଭୁବନେଶ୍ବର : ହୁ ହୁ ହୋଇ ବଢୁଛି ଭୁବନେଶ୍ବର। ଟ୍ରାଫିକ ସମସ୍ୟା ନକହିଲେ ଭଲ। ଦିନକୁ ଦିନ ବଢୁଛି ଜନସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ସହରାଞ୍ଚଳ ବିକାଶ ଦିଗରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଗୋଠପାଟଣା, ମଳିପଡା ଓ ଦାଶପୁର ଅଞ୍ଚଳର ପ୍ରାୟ ୮୦୦ ଏକର ଜମିକୁ ନେଇ କରାଯାଇଛି ନୂଆ ଭୁବନେଶ୍ବରର ପରିକଳ୍ପନା। ଉଚ୍ଚ ଅଟ୍ଟାଳିକା ସହ ରାସ୍ତା, ସ୍ୱେରେଜ, ଡ୍ରେନେଜ ଭଳି ଆନୁଷଙ୍ଗିକ ସୁବିଧା ରହିବ ଏହି ନୂଆ ଭୁବନେଶ୍ୱରରେ। ପୂରା ପ୍ରକଳ୍ପ ପାଇଁ ବିଡିଏ ଆଗାମୀ ୧୫ ବର୍ଷରେ ୮ ହଜାର ୧୭୯ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା କରିଛି । ନୂଆ ଭୁବନେଶ୍ୱର ପାଇଁ ଡିପିଆର ପ୍ରସ୍ତୁତ କରିବ ସିଙ୍ଗାପୁର। ନୁଆ ଭୁବନେଶ୍ବର ସହ ପୁରୁଣା ଭୁବନେଶ୍ବରକୁ ସଜାଡିବା ପାଇଁ ଯୋଜନା କରାଯାଉଛି। ସେହିପରି ସହର ବଢୁଥିବାରୁ ମେଟ୍ରୋ ପ୍ରକଳ୍ପର ଆବଶ୍ୟକତା ରହିଛି । ହେଲେ ଏହି ମେଟ୍ରୋ ପ୍ରକଳ୍ପ କେବେ ହେବ ତାର ସଠିକ ଉତ୍ତର ନଗର ଉନ୍ନୟନ ମନ୍ତ୍ରୀଙ୍କ ପାଖରେ ନାହିଁ।

ସେହିପରି ରାଜଧାନୀକୁ ଗୋରୁ ଗାଈ ମୁକ୍ତ କରାଯିବ। ଭୁବନେଶ୍ୱରରେ ନିର୍ମାଣ ହେବ ଆଦର୍ଶ ଗୋଶାଳା। ୪୦ କୋଟି ଟଙ୍କା ବ୍ୟୟରେ ଆଦର୍ଶ ଗୋଶାଳା ନିର୍ମାଣ କରିବେ ରାଜ୍ୟ ସରକାର। ଭୁବନେଶ୍ବରର ବୁଲା ଗାଈ ଗୋରୁଙ୍କୁ ସେଠାରେ ରଖାଯିବ। ଆଦର୍ଶ ଗୋଶାଳା ପାଇଁ ଜମି ଚିହ୍ନଟ ସରିଛି। ଗୋମାତାଙ୍କ ଗୋବର ଓ ମୂତ୍ରରୁ ବିଭିନ୍ନ ପ୍ରଡକ୍ଟ ବାହାରିବ। ସରକାର ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ ଆରମ୍ଭ ହୋଇଥିବା କହିଛନ୍ତି ମନ୍ତ୍ରୀ। କେବଳ ସେତିକି ନୁହେଁ, ବର୍ଷାଜଳ ନିଷ୍କାସନ ଏକ ସମସ୍ୟା ହୋଇଥିବାରୁ, ଏହାର ସମାଧାନ ପାଇଁ ମଧ୍ୟ ଯୋଜନା କରାଯାଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।

ବିଜେଡି ସରକାର ସମୟରେ ଭୁବନେଶ୍ବରକୁ ଦେଶର ଏକ ନମ୍ବର ସହର ଭାବେ ଗଢ଼ି ତୋଳିକାବୁ ବହୁ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ବଡ଼ ବଡ଼ ସହର ପରି ମେଟ୍ରୋ ଟ୍ରେନ ଚଳାଚଳ କରିବା ପାଇଁ ୨୦୨୪ ଜାନୁଆରୀ ପହିଲାରେ  ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହେଲେ ବିଜେପି ସରକାର ଆସିବା ପରେ ମେଟ୍ରୋ ପ୍ରକଳ୍ପର ସ୍ବପ୍ନ ସ୍ବପ୍ନରେ ରହିଯାଇଛି। ତେଣୁ ନୂଆ ଭୁବନେଶ୍ୱର କେବଳ ଘୋଷଣା ନା ବାସ୍ତବ ରୂପ ନେବ ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସହରବାସୀ।

ଓଡ଼ିଶା ଉପରେ ପଡୋଶୀଙ୍କ ଲୋଲୁପ ଦୃଷ୍ଟି

ଭୁବନେଶ୍ବର : ଓଡ଼ିଶା ଉପରେ ପଡିଶାର ଲୋଲୁପ ଦୃଷ୍ଟି । ଜଙ୍ଗଲ,ଜମି,ପାଣି ଓ ଖଣି ଉପରେ ନଜର ।  ତୁଟୁନି କୋଟିଆ, ମହାନଦୀ, ପୋଲାଭରମ ବିବାଦ । ସରକାରଙ୍କ ଉପରେ ବର୍ଷିଲେ ବିଜେଡି ଓ କଂଗ୍ରେସ । ରାଜସ୍ବ ମନ୍ତ୍ରୀ କହିଲେ କେନ୍ଦ୍ରକୁ ଜଣାଇଛୁ । କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ, ମହାନଦୀକୁ ନେଇ ଛତିଶଗଡର ମନମାନି, ପୋଲାଭରମ ପ୍ରକଳ୍ପକୁ ନେଇ ଆନ୍ଧ୍ର ଏକପାଖିଆ କାମ କରିବାରେ ଲାଗିଛି । ସୀମାବର୍ତ୍ତୀ ଜିଲ୍ଲା ମାନଙ୍କରେ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି  । ଦେଢବର୍ଷର ବିଜେପି ସରକାରରେ ସମସ୍ୟା ପରେ ସମସ୍ୟା ବଢୁଛି । ହେଲେ ସମାଧାନର ବାଟ ଶୂନ । କେଉଁଠି ପଡୋଶୀ ପାଇଁ ବୁଡିବ ଓଡ଼ିଶା ତ ଆଉ କେଉଁଠି ଜମି ଚାଲିଯିବ । ଓଡିଶାର ସ୍ବାର୍ଥକୁ ଅଣଦେଖା କରିଚାଲିଛନ୍ତି ବିଜେପି ସରକାର । ଲୁଟ ହୋଇ ଚାଲିଛି ପ୍ରାକୃତିକ ସମ୍ପଦ । ଏସବୁ ସୁରକ୍ଷା ଦେବାକୁ ତୁରନ୍ତ ରାଜ୍ୟ ସରକାର ଆଗେଇ ଆସିବାକୁ ଦାବି କରିଛନ୍ତି ଦୁଇ ବିରୋଧୀ ବିଜେଡି ଓ  କଂଗ୍ରେସ । ଓଡିଶାର ଜମିକୁ ବାହାର ରାଜ୍ୟ ମାଡି ବସିବା ନେଇ ରାଜ୍ୟ ସରକାରଙ୍କୁ ତେରେଚ୍ଛା ବାଣ ମାରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ବିଜେଡି ଉପରେ କେବଳ ଦୋଷ ଲଦିଲେ ହେବନାହିଁ  । ୨୦୦୦ ମସିହାରୁ ୨୦୦୯ ପର୍ଯନ୍ତ ବିଜେପି ବିଜେଡି ସହ ମିଳିତ ଭାବରେ ସରକାରରେ ଥିଲା । ରାଜସ୍ବ ବିଭାଗ ମଧ୍ୟ ତାଙ୍କ ଅଧୀନରେ ଥିଲା । ହେଲେ ସେମାନେ ସମାଧାନର ବାଟ କାଢିଲେନି । ସରକାର ଲୋକଙ୍କୁ ଏ ବାବଦରେ ଅବଗତ କରାଇବାକୁ ଚାହୁଁ ନାହାନ୍ତି । ବିଜେଡି କିନ୍ତୁ ଏହା ବିରୋଧରେ ଲଢେଇ କରୁଛି । ପିସିସି ସଭାପତି କହିଛନ୍ତି ସରକାର ତୁରନ୍ତ ଏସବୁ ସମସ୍ୟାର ସମାଧାନ କରନ୍ତୁ ।

ସେପଟେ ଓଡ଼ିଶାର ଜମି କୌଣସି ପ୍ରଦେଶ ନେଇପାରିବ ନାହିଁ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ରାଜ୍ୟ ସରକାର ଏ ବାବଦରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିସାରିଲେଣି । ସୁପ୍ରିମକୋର୍ଟରେ କେସ ମଧ୍ୟ ହୋଇଛି । ସବୁ ବିଷୟରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି । ଆଗକୁ ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆଇନ ଆଣିବାକୁ ସରକାର ଚିନ୍ତା କରୁଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ଓଡିଶା ଉପରେ ପଡିଶାଙ୍କ ଲୋଲୁପ ଆଖିକୁ ନେଇ ଶାସକ ଓ ବିରୋଧୀ ମୁହାମୁହିଁ ହୋଇଛନ୍ତି । କିନ୍ତୁ ରାଜ୍ୟର ହକ ପାଇଁ ବିଜେଡି କେବେ ପଛଘୁଞ୍ଚା ଦେବ ନାହିଁ ବୋଲି କହିଦେଇଛି ।

୧୮ରୁ ଆରମ୍ଭ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର : ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ଆସନ୍ତା ୧୬ ତାରିଖରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ୭ଟି କାର୍ଯ୍ୟଦିବସ ଥିବା ବେଳେ, ଉଭୟ ବିରୋଧୀ ଓ ଶାସକ ଦଳର ସହଯୋଗରେ ଅଧିବେଶନକୁ ଶେଷ କରିବାକୁ ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିବେ ବାଚସ୍ପତି। ଦେଢ଼ବର୍ଷର ବିଜେପି ସରକାରର ବିଫଳତାକୁ ଗୃହରେ ଉଠାଇବ ମୁଖ୍ୟ ବିରୋଧୀ ବିଜେଡି। ବିଶେଷକରି ଚାଷୀ ସମସ୍ୟା ରାଜ୍ୟରେ ଉତ୍କଟ ରୂପ ନେଇଥିବାରୁ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଶାସକ ଦଳକୁ ପଚାରିବ ପ୍ରଶ୍ନ। ସାର କଳାବାଜାରୀ ଓ ଚାଷୀଙ୍କୁ ୟୁରିଆ ସାର ନମିଳିବା, ଧାନ ପଞ୍ଜିକରଣ ଠିକ ସେ ନହେବା ଯୋଗୁଁ ସାରା ରାଜ୍ୟରେ ହନ୍ତସନ୍ତ ହେଉଛନ୍ତି ଚାଷୀ। ଏହାକୁ ପ୍ରସଙ୍ଗ କରି ଶାସକ ଦଳକୁ ଜବାବ ମାଗିବ ବିଜେଡି। କଂଗ୍ରେସ ମଧ୍ୟ ଅଧିବେଶନର ପ୍ରଥମ ଦିନରୁ ସରକାରଙ୍କୁ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, ଏନଏସି ଘୋଷଣାରେ ପାତରଅନ୍ତର ଭଳି ଅନେକ ପ୍ରସଙ୍ଗକୁ ଗୃହରେ ଉଠାଇବ। ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ସରକାର ବିଫଳ ହୋଇଥିବାରୁ ଦଳ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଆରମ୍ଭ କରିଛି ସଜବାଜ।

ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ କହିଛନ୍ତି ଯେ, ଗୃହକୁ ଶୃଙ୍ଖଳିତ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ଅଧିବେଶନରେ ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଆଣିବେ, ସରକାର ତାହାକୁ ଆଲୋଚନା ମାଧ୍ୟମରେ ଜବାବ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସରୋଜ ପ୍ରଧାନ। ୧୮ରୁ ୨୫ ତାରିଖ ଯାଏ ବିଧାନସଭାର ମୌସୁମୀ ଅଧିବେଶନ। ୩ ପ୍ରମୁଖ ଦଳର ବିଧାୟକ ଦଳ ବୈଠକ ପୂର୍ବରୁ ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ଘେରିବାକୁ ପ୍ରସ୍ତୁତ କରିଛନ୍ତି ରଣନୀତି।

ଶିକ୍ଷା କ୍ଷେତ୍ରରେ ନବୀନ ଲେଖିଥିଲେ ସ୍ବର୍ଣ୍ଣିମ ଅଧ୍ୟାୟ

ଭୁବନେଶ୍ବର : ନବୀନଙ୍କ ଭିଜନ ସୁଦୂରପ୍ରସାରୀ । ଶିକ୍ଷା କ୍ଷେତ୍ରରେ ନବୀନ ଲେଖିଥିଲେ ସ୍ବର୍ଣ୍ଣିମ ଅଧ୍ୟାୟ । ତାର ପ୍ରମାଣ ଦେଇଛି ଇଣ୍ଡସ ଆକ୍ସନ ରିପୋର୍ଟ । ନବୀନ ପଟ୍ଟନାୟକ ସରକାର ସମୟରେ ଓଡ଼ିଶାର ଷ୍ଟୁଡେଣ୍ଟ ରିଟେନସନ୍ ହାର ଥିଲା ସର୍ବାଧିକ ୯୭ ପ୍ରତିଶତ। ଅର୍ଥାତ ୪ଟି ରାଜ୍ୟରେ ରାଇଟ୍ ଟୁ ଏଜୁକେସନ୍ ଆଇନରେ ସ୍କୁଲରେ ନାଁ ଲେଖାଇଥିବା ପିଲାଙ୍କ ମଧ୍ୟରୁ ସବୁଠୁ ଅଧିକ ପିଲା ପାଠ ପଢ଼ା ଜାରି ରଖିଥିଲେ ଓଡ଼ିଶାରେ । ଏହା ହେଉଛି ୨୦୨୩-୨୪ ର ତଥ୍ୟ । ଏହି ରିପୋର୍ଟ ପ୍ରକାଶ କରିଛି ଇନ୍ଦସ୍ ଆକ୍ସନ। ସେସମୟରେ ମାତ୍ର ୩ ପ୍ରତିଶତ ପିଲା ପାଠ ଛାଡ଼ିଥିଲେ, ଯାହାକି ସର୍ଭେରେ ସାମିଲ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବନିମ୍ନ । ଏହା କେବଳ 5T ପାଇଁ ସମ୍ଭବ ହୋଇପାରିଥିଲା । ଗରିବ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲା ଯେମିତି ଉଚ୍ଚମାନର ଶିକ୍ଷା ପାଇବେ, ସେଥିପାଇଁ ନବୀନ ପଟ୍ଟନାୟକଙ୍କ  ସରକାର ଯେଉଁ ପ୍ରଚେଷ୍ଟା କରିଥିଲା, ତାର ଫଳସ୍ଵରୂପ ଏହି ସଫଳତା ମିଳିଛି । 5T ଜରିଆରେ ୭ ହଜାର ସରକାରୀ ସ୍କୁଲର ରୂପାନ୍ତରଣ ହୋଇଥିଲା । ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଏହା ନୂଆ ଦିଗ ଦେଇଥିଲା। ଛାତ୍ରଛାତ୍ରୀଙ୍କ ପାଇଁ ସୃଷ୍ଟି କରିଥିଲା ନୂଆ ସମ୍ଭାବନା । ଏହି ସଫଳତା ପଛରେ ରହିଛି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବାପା ମାଆ, ପ୍ରଶାସକଙ୍କ ପ୍ରତିଶ୍ରୁତିବଦ୍ଧତା ଓ ଅବଦାନ। ଏଥିପାଇଁ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଡ୍ରପଆଉଟ କମିଥିବାରୁ ଆଜି ଓଡ଼ିଶା ବିଶ୍ବ ଦରବାରରେ ପ୍ରଶଂସିତ । ହେଲେ ଦୀର୍ଘ ୧୪ ମାସ ହେବ ଛାତ୍ରୀ ଅସୁରକ୍ଷିତ। ଅନାହାର ମୃତ୍ୟୁ ହେଉଛି । ମଧ୍ୟାହ୍ନ ଭୋଜନ ଦୁର୍ନୀତି ହେଉଛି । ଯେଉଁ ଓଡ଼ିଶାକୁ ନବୀନ ପଟ୍ଟନାୟକ ଜିରୋରୁ ହିରୋ କରିଥିଲେ, ତାକୁ ବିଜେପି ସରକାର ବର୍ବାଦ ନ କରନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି ।

ଅଭିଭାବକ ଓ ଶିକ୍ଷାବିତ ବି ସଫଳତାର ଏହି ଶ୍ରେୟ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଏଥିରେ 5T ସ୍କୁଲର ବଡ଼ ଭୂମିକା ରହିଛି । ଘରୋଇ ସ୍କୁଲକୁ ଦେଖି 5T ସ୍କୁଲ ରୂପାନ୍ତର ହୋଇ ସ୍ମାର୍ଟ କ୍ଲାସରୁମ ହୋଇଛି । ଯେଉଁଠି କମ୍ପ୍ୟୁଟର, ଲାବୋରେଟୋରି ସହ ସମସ୍ତ ଭିତ୍ତିଭୂମି ତତ୍କାଳୀନ ସରକାରଙ୍କ ସମୟରେ ବିକଶିତ ହୋଇଥିଲା । ଯାହା ସ୍କୁଲ ଫେରିବାକୁ ପିଲାମାନଙ୍କ ଭିତରେ ଆଗ୍ରହ ସୃଷ୍ଟି କରିଥିଲା । ହେଲେ ବର୍ତ୍ତମାନର ସରକାର ଏହାକୁ ଜାରି ରଖିଲେ ହିଁ ଗୁଣାତ୍ମକ ଶିକ୍ଷା ମିଳି ପାରିବ ବୋଲି ଉଭୟ ଅଭିଭାବକ ଓ ଶିକ୍ଷକ ଦାବି କରିଛନ୍ତି ।

ଗତ ଏକ ବର୍ଷରୁ ଡ୍ରପଆଉଟ ଚିନ୍ତା ପୁଣି ବଢି ଯାଇଛି । ଏହି ଶିକ୍ଷା ବର୍ଷରେ ୭,୬୮୨ ପିଲା ଅଧାରୁ ପାଠ ଛାଡ଼ିଥିଲେ । ଏଥିସହ ୨୦୨୪-୨୫ ମସିହାରେ ପ୍ରାଥମିକ ଶ୍ରେଣୀରେ ୨ ହଜାର ୨୯୯ ପିଲା ଅଧାରୁ ପାଠ ଛାଡ଼ିଥିଲେ । ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ପର୍ଯ୍ୟନ୍ତ ଏ ହଜାର ୧୯୮ ପିଲା ଅଧାରୁ ପାଠ ଛାଡ଼ିଥିଲେ । ସେହିପରି ନବମରୁ ଦଶମ ଶ୍ରେଣୀ ମଧ୍ୟରେ ୧ ହଜାର ୪୪୬ ପିଲା ଅଧାରୁ ପାଠ ଛାଡ଼ିଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୪୮୧ ପିଲା ସ୍କୁଲ ଫେରିଥିଲେ । ମାତ୍ର ୨୮ ଟି ଜିଲ୍ଲାରେ ୯୬୫ ପିଲା ବିଦ୍ୟାଳୟ ଆସୁନାହାନ୍ତି । ମାଟ୍ରିକରେ ଫର୍ମ ଫିଲଅପ୍ କରି ୮ ହଜାର ୩୬୨ ପିଲା ପରୀକ୍ଷା ଦେଇ ପାରି ନଥିଲେ ।

ପଞ୍ଚାୟତସ୍ତରୀୟ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା ସଂକୁଚିତ କରିଦେବେ କି ରାଜ୍ୟ ସରକାର ?

ଭୁବନେଶ୍ଵର : ପଞ୍ଚାୟତସ୍ତରୀୟ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା ସଂକୁଚିତ କରିଦେବେ କି ରାଜ୍ୟ ସରକାର। ଏପରି ସନ୍ଦେହର କାରଣ ହେଲା ଗତକାଲିର କ୍ୟାବିନେଟ ନିଷ୍ପତ୍ତି। ଏହି ନିଷ୍ପତ୍ତି ଅନୁସାରେ ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍ ପାସ୍ କରିବା ପାଇଁ ବିଡିଓଙ୍କ ଆର୍ଥିକ କ୍ଷମତା ପ୍ରତି ସ୍ଵାକ୍ଷର ବିନା ୨ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି କ୍ୟାବିନେଟ ନିଷ୍ପତ୍ତି ପରେ ଓଡ଼ିଶା ପଞ୍ଚାୟତ ସମିତି ହିସାବ ପ୍ରଣାଳୀ ନିୟମାବଳୀ, ୨୦୦୨ ଅଧୀନରେ ନିର୍ଦ୍ଧାରିତ ବୈଷୟିକ ମଞ୍ଜୁରୀ ଓ ପ୍ରଶାସନିକ ଅନୁମୋଦନ ସୀମାକୁ ବୃଦ୍ଧି କରାଯାଇଛି । ବିଜେଡି ଅଭିଯୋଗ କରିଛି, ବ୍ଲକ ଅଧ୍ୟକ୍ଷଙ୍କ କ୍ଷମତା ସଂକୁଚିତ କରିବାକୁ ଏହା ବିଜେପି ସରକାରଙ୍କ ଷଡ଼ଯନ୍ତ୍ର। ପଂଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ବିଜେପି ସରକାର ସବୁ କ୍ଷମତାକୁ ଅପହରଣ କରିବାକୁ ଷଡ଼ଯନ୍ତ୍ର କରି  କ୍ୟାବିନେଟ ମୋହର ମାରିଛନ୍ତି । ପୂର୍ବରୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାମ ହେଉଥିଲା । ହେଲେ ବିଜେପି ସରକାରରେ ବିକଶିତ ଗାଁ ବିକଶିତ ଓଡ଼ିଶାରେ କୌଣସି ମୁହୂର୍ତ୍ତରେ ବି ଜିଲ୍ଲାପାଳ ଏହାକୁ ପରିବର୍ତ୍ତନ କରିବାର ବ୍ୟବସ୍ଥା ରହିଛି । ଏହା ଜରିଆରେ ସରକାରୀ ଅଧିକାରୀଙ୍କ ଆଗରେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କୁ ସରକାର ସମର୍ପଣ କରି ଦେଇଛନ୍ତି । ବିରୋଧୀ ବିଧାୟକ କି ବିରୋଧୀ ପଞ୍ଚାୟତ ପ୍ରତିନିଧିଙ୍କ କଥା ନ ରଖିବାକୁ ଏହା ସରକାରଙ୍କ ନୂଆ ଯୋଜନା ବୋଲି ଆଖ୍ୟା ଦେଇଛି ବିଜେଡି। କାରଣ ଅଧିକାଂଶ ପଞ୍ଚାୟତସ୍ତରୀୟ ଜନ ପ୍ରତିନିଧି ହେଉଛନ୍ତି  ବିଜେଡି ସମର୍ଥିତ। କାମ କରି ପାରିବେ ନାହିଁ ବୋଲି ସରକାର ଡରୁଛନ୍ତି। ଏମିତି ପାଞ୍ଚ ବର୍ଷ ପଳେଇବ। ବାବୁରାଜ୍ ଆରମ୍ଭ ହୋଇଛି। ବିଡିଓ ଅଣନିଶ୍ଵାସୀ ହୋଇ ପଡ଼ିଥବା  ବିଜେଡି କଟାକ୍ଷ କରିଛି । ନୂଆ ନିୟମ ଜରିଆରେ ସରକାରୀ ବାବୁଙ୍କ ଜରିଆରେ ବ୍ଲକରେ ଦୁର୍ନୀତି କରିବାକୁ ବିଜେପି ଯୋଜନା ରଖିଥିବାର ଅଭିଯୋଗ କରିଛି ବିଜେଡି । ସରକାର ଏହି ଆଦେଶ ପ୍ରତ୍ୟାହାର ନ କଲେ, ପ୍ରତି ବ୍ଲକରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି।

ବିଜେପି ସରକାରଙ୍କ କ୍ଷମତା ଅପହରଣ ଷଡ଼ଯନ୍ତ୍ରକୁ ଚିହ୍ନି ବିଜେଡି ସହ ସ୍ଵର ମିଶାଇଛି କଂଗ୍ରେସ । ଅଧିକାଂଶ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ଦଖଲରେ ରହିଥିବାରୁ ପଞ୍ଚାୟତରେ ଦୁର୍ନୀତି କରି ପାରୁନି ବିଜେପି । ଏବେ ସରକାରୀ କର୍ମଚାରୀଙ୍କୁ କ୍ଷମତା ଦେଇ ଦଳୀୟ ଏଜେଣ୍ଟ ଭାବେ ବ୍ୟବହାର କରି ବିଜେପି ନେତା ଦୁର୍ନୀତି କରିବେ ବୋଲି କଂଗ୍ରେସ ଅଭିଯୋଗ କରିଛି । ଅପର ପକ୍ଷରେ ସରକାରଙ୍କ ଓକିଲାତି କରିବାକୁ ଯାଇ ବିଜେପି କହିଛି ଯେ ପଞ୍ଚାୟତକୁ ସଶକ୍ତ କରିବ ଏହି କ୍ୟାବିନେଟ ନିଷ୍ପତ୍ତି । ପଞ୍ଚାୟତକୁ ମିଳୁଥିବା ଅର୍ଥ ରାଶି ବଢିବା ସହ ଦାୟିତ୍ବ ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ବିଜେପି ସଫେଇ ଦେଇଛି। ଆଗକୁ ପଞ୍ଚାୟତ ନିର୍ବାଚନ। ସରକାରଙ୍କ ନୂଆ ନିୟମ ନେଇ ଏବେଠାରୁ ପଞ୍ଚାୟତରେ ଅସ୍ଥିରତା ଦେଖା ଦେଲାଣି ।

୨୧ଜଣ ଯୁବ ତୀରନ୍ଦାଜ ଓଡ଼ିଶା ରାଜ୍ୟ ମୁକ୍ତ ତୀରନ୍ଦାଜ ପ୍ରତିଯୋଗିତା ପାଇଁ ମନୋନୀତ

ନନ୍ଦିଘୋଷ ବ୍ୟୁରୋ ; ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ,  ଲାଞ୍ଜିଗଡ଼ରେ ଏହାର ପ୍ରମୁଖ କ୍ରୀଡା ତାଲିମ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାର ଯୁବ ତୀରନ୍ଦାଜମାନଙ୍କୁ ସମର୍ଥନ କରୁଛି । ସମ୍ପ୍ରତି, ଏହି କ୍ରୀଡାବିତମାନଙ୍କ ମଧ୍ୟରୁ ୨୧ଜଣ ଯୁବ ତୀରନ୍ଦାଜ ଆଗାମୀ ୨୬ତମ ଓଡ଼ିଶା ରାଜ୍ୟ ମୁକ୍ତ ତୀରନ୍ଦାଜ ପ୍ରତିଯୋଗିତା ୨୦୨୫ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ବେଦାନ୍ତର ସହାୟତାରେ କଳାହାଣ୍ଡି ଆଥଲେଟିକ୍ ଆସୋସିଏସ ନ୍ଦ୍ୱାରା ଆୟୋଜିତ ଲାଞ୍ଜିଗଡ଼ର SSD  ସ୍କୁଲରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପରୀକ୍ଷଣରୁ ଏହି ଯୋଗ୍ୟତା ହାସଲ କରିଛନ୍ତି,  ଯେଉଁଠାରେ ମୋଟ ୪୦ଜଣ ତୀରନ୍ଦାଜ ଭାରତୀୟ ରାଉଣ୍ଡ, କମ୍ପାଉଣ୍ଡ ଏବଂ ରିକର୍ଭ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

୨୦୧୮ରେ ଆରମ୍ଭ ହୋଇଥିବା ବେଦାନ୍ତ ଲାଞ୍ଜିଗଡ଼ର କ୍ରୀଡା ପଦକ୍ଷେପ କଳାହାଣ୍ଡିର ଯୁବ ପ୍ରତିଭାକୁ ବୃତ୍ତିଗତ ତାଲିମ, ଜାତୀୟ ସ୍ତରୀୟ ପ୍ରଶିକ୍ଷଣ, ଆଧୁନିକ ଉପକରଣ ଏବଂ କିଟ୍, ଲଜିଷ୍ଟିକ ସହାୟତା ଏବଂ ପୁଷ୍ଟିକର ଖାଦ୍ୟ ପ୍ରଦାନ କରି ସେମାନଙ୍କୁ ପ୍ରୋତ୍ସାହିତ କରୁଛି। ବର୍ତ୍ତମାନ, ୪୦ଜଣ ଛାତ୍ର ତୀରନ୍ଦାଜୀରେ ଏବଂ ଅନ୍ୟ ୪୦ଜଣ ଆଥଲେଟିକ୍ସରେ ତାଲିମ ନେଉଛନ୍ତି, ଏହି କାର୍ଯ୍ୟକ୍ରମ ଅଧୀନରେ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଯୁବା ତାଲିମ ପାଇଛନ୍ତି। ଏହି ପଦକ୍ଷେପ ଲଗାତାର ପ୍ରଭାବଶାଳୀ ଫଳାଫଳ ପ୍ରଦାନ କରିଆସୁଛି, ପ୍ରଶିକ୍ଷାର୍ଥୀମାନେ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ସ୍ତରୀୟ ଇଭେଣ୍ଟରେ ୩୭ ପଦକ ଜିତିଛନ୍ତି, ଜାତୀୟ ପ୍ରତିଯୋଗିତାରେ ୨୦ରୁ ଅଧିକ ପ୍ରତିନିଧିତ୍ୱ କରିଛନ୍ତି ଏବଂ ଦ୍ୱିତୀୟ ଜନଜାତୀୟ ଖେଳ ମହୋତ୍ସବ ୨୦୨୪ରେ ଗୋଟିଏ ଜାତୀୟ ପଦକ ଜିତିଛନ୍ତି।

ଏହି ଗୌରବର ମୁହୂର୍ତ୍ତରେ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ,  ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଆନନ୍ଦ ପ୍ରକାଶ କରି କହିଛନ୍ତି, ଏହି ସଫଳତା କେବଳ ଯୁବ ତୀରନ୍ଦାଜଙ୍କ ପାଇଁ ନୁହେଁ ବରଂ କଳାହାଣ୍ଡିର ସମଗ୍ର ସମ୍ପ୍ରଦାୟ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏହା ପ୍ରତିଫଳିତକରେ ଯେ କେନ୍ଦ୍ରିତ ତାଲିମ ଏବଂ ସଠିକ ସମର୍ଥନ ସମ୍ଭାବନାର ସମନ୍ଵନ୍ୟ କଣ ନକରିପାରେ! ଆମର ପ୍ରୟାସ ହେଉଛି ଏହି ଅଞ୍ଚଳର ତୃଣମୂଳ କ୍ରୀଡା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଉଚ୍ଚସ୍ତରରେ ଚମକାଇବା ପାଇଁ ଏକ ଦୃଢ଼ ମଞ୍ଚ ପ୍ରଦାନ କରିବା। ଆମର କ୍ରୀଡା କାର୍ଯ୍ୟକ୍ରମରୁ ଏପରି ଆହୁରି ଅନେକ ସଫଳ ତାରକା ଉନ୍ମୋଚିତ ହେବାକୁ ଆମେ ଅପେକ୍ଷା କରୁଛୁ।

ଏହି ପରିପଦକ୍ଷେପ ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ ସମଗ୍ର ଓଡ଼ିଶାରେ ତୃଣମୂଳ କ୍ରୀଡା ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ। କମ୍ପାନୀ ୫୦୦ରୁ ଅଧିକ ଯୁବକଙ୍କୁ ତୀରନ୍ଦାଜୀ, ହକି, କରାଟେ ଏବଂ ଫୁଟବଲ ତାଲିମଦେଇଛି, ଯେତେବେଳେ ଏହାର ବୃହତ ସାମାଜିକ ପ୍ରଭାବ କାର୍ଯ୍ୟକ୍ରମ ୫୦୦ଟି ଗାଁର ୪.୫ଲକ୍ଷ ଲୋକଙ୍କ ଜୀବନକୁ ଛୁଇଁଛି, ଯାହା ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ତୃଣମୂଳ ସ୍ତରର କ୍ରୀଡା ଏବଂ ସଂସ୍କୃତିକୁ ବ୍ୟାପିଛି। ଏହାର ପ୍ରମୁଖ ‘ନନ୍ଦଘର’ ପ୍ରକଳ୍ପର ଅଂଶଭାବରେ, ବେଦାନ୍ତ ଓଡ଼ିଶାରେ ୫୩୧ଟି ଆଧୁନିକ ଅଙ୍ଗନୱାଡି ପ୍ରତିଷ୍ଠା କରିଛି, ଯାହା ରାଜ୍ୟରେ ମହିଳା ଏବଂ ଶିଶୁବିକାଶକୁ ପ୍ରୋତ୍ସାହିତ କରୁଛି।

ମିଳିଲାନି ଅନୁମତି, ମଣ୍ଡପରେ ହେବ ଗଣେଶ ବିସର୍ଜନ

କଟକ : ମଣ୍ଡପରେ ହେବ ଗଣେଶ ବିସର୍ଜନ । ନଦୀକୁ ନେବା ସମ୍ଭବ ନଥିବାରୁ ମଣ୍ଡପ କର୍ମକର୍ତ୍ତାଙ୍କ ନିଷ୍ପତ୍ତି । ପବିତ୍ର ଜଳ ସିଞ୍ଚନ କରି ଗଜାନନଙ୍କୁ ଦିଆଯିବ ମେଲାଣି । କଟକ ସହରର ଗଣେଶ ପୂଜା ସରିବା ପରେ ୩ଟି ରବିବାରରେ ପର୍ଯ୍ୟାୟ କ୍ରମେ ଚାଲିଛି ଭସାଣ ଉତ୍ସବ । ତେବେ ସହରର ତିନିଘରିଆ, ନୂଆପଡା ଓ ଖାନନଗରର ୩ଟି ସ୍ଥାନରେ ହୋଇଥିବା ସୁଉଚ୍ଚ ଗଜାନନଙ୍କ ମୂର୍ତ୍ତିର ବିସର୍ଜନକୁ ନେଇ ଚିନ୍ତାରେ ଆୟୋଜକ । ତିନିଘରିଆରେ ୫୮ ଫୁଟ ଉଚ୍ଚର ମୂର୍ତ୍ତି ନିର୍ମାଣ କରାଯାଇଥିବାବେଳେ ଖପୁରିଆ ନୂଆପଡା, ଖାନନଗରରେ ୩୮ ଓ ୨୫ ଫୁଟର ମୂର୍ତ୍ତି ପୂଜା ପାଇଥିଲେ । ଏହି ବିଶାଳ ମୂର୍ତ୍ତି ବିସର୍ଜନ ପାଇଁ ନେବା ଅସମ୍ଭବ ବୋଲି କହିଛି ପ୍ରଶାସନ ।

ଦୁଇବର୍ଷ ତଳେ ଚାଉଳିଆଗଞ୍ଜର ଯୁବକମାନେ ଏଭଳି ୪୫ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ଗଢିଥିଲେ । ତେବେ ଏହାକୁ ନେଇ ନପାରି ସେହିଠାରେ ଅଗ୍ନୀଶମ ବିଭାଗ ସହାୟତାରେ ସେମାନେ ଜଳସ୍ପ୍ରେ କରି ବିସର୍ଜନ କରିଥିଲେ । ଏବେ ଖାନନଗର, ତିନିଘରିଆ ଗଣେଶ ପୂଜା କମିଟି ମଧ୍ୟ ସେଭଳି ନିଷ୍ପତ୍ତି ନେଇଛନ୍ତି । ପବିତ୍ର ଜଳ ସିଞ୍ଚନ କରି ମୂର୍ତ୍ତିକୁ ସମ୍ମାନର ସହ ବିସର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏତେ ବଡ ଗଣେଶ ଦେଖିବାକୁ ଭଲ ଲାଗୁଛି ସତ କିନ୍ତୁ ବିସର୍ଜନ କରିବା ସମୟରେ ସମସ୍ୟା ଦେଖାଯାଉଛି । ତେଣୁ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମଣ୍ଡପରେ ବିସର୍ଜନ କରିବାକୁ କର୍ମକର୍ତ୍ତା ନିଷ୍ପତ୍ତି ନେଇଛନ୍ତି ।

ଆୟୁଷ୍ମାନ ଦେଉଛି ଯନ୍ତ୍ରଣା, କାର୍ଡ ଥାଇ ଚିକିତ୍ସା ପାଇଁ ହସନ୍ତସନ୍ତ ରୋଗୀ

ଭୁବନେଶ୍ବର : ଆୟୁଷ୍ମାନ ଦେଉଛି ଯନ୍ତ୍ରଣା । ଟଙ୍କା ଗଣି ଚିକିତ୍ସା କରୁଛନ୍ତି ରୋଗୀ । ନାଁ ଶୁଣିଲେ ଫେରାଇ ଦେଉଛି ହସପିଟାଲ । ଅସ୍ତ୍ରୋପଚାର ପରେ ଲମ୍ବା ବିଲ୍ ଦେଖି କାନ୍ଦୁଛନ୍ତି ହିତାଧିକାରୀ । ଯାଜପୁର ଅଞ୍ଚଳର ଚନ୍ଦ୍ରମଣି ସାହୁ । ପୁଅ ପ୍ରଶାନ୍ତର ଗୋଡ଼ରେ ଅସ୍ତ୍ରୋପଚାର କରିବା ପାଇଁ ଭୁବନେଶ୍ଵର ଏମ୍ସକୁ ଆଣିଥିଲେ । ଭାବିଥିଲେ ଆୟୁଷ୍ମାନ୍ କାର୍ଡରେ ମାଗଣା ଚିକିତ୍ସା ପାଇ ପୁଅ ସୁସ୍ଥ ହେବ । ହେଲେ ଅପରେସନ ସିନା ହେଲା ହେଲେ ପରେ ଆବଶ୍ୟକ ଔଷଧ ପାଇଁ ଲମ୍ବା ଚିଠା ଧରାଇ ଦେଲେ ଡାକ୍ତର I ଦୁଇଦିନରେ ୧୦ ହଜାର ଟଙ୍କାର ମେଡ଼ିସିନ୍ କିଣା ସରିଲାଣି । ସେପଟେ ଏମ୍ସ କର୍ତ୍ତୃପକ୍ଷଙ୍କ କହିବା କଥା, ହେଲ୍ଥ ପ୍ୟାକେଜରେ ଆସୁନି ମେଡିସିନ୍ । ପାଖରେ ଟଙ୍କାଟିଏ ନାହିଁ, ପୁଣି ମେଡ଼ିସିନ୍ କିଣା ବୋଝ । କିପରି ପୁଅର ଚିକିତ୍ସା କରିବେ ସେନେଇ ଚିନ୍ତାରେ ଚନ୍ଦ୍ରମଣିଙ୍କ ପରିବାର । ଏଭଳି ଅସୁବିଧା ସାମ୍ନା କରିବାପରେ ବିଏସକେୱାଇକୁ ମନେ ପକାଇଛନ୍ତି ରୋଗୀଙ୍କ ପରିବାର ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ଅନୁଗୁଳରୁ ଆସିଥିବା ବୁଢୀ ମାଉସୀ ବି ଅକଳରେ ପଡ଼ିଛନ୍ତି । ଅନୁଗୁଳରୁ ଆସି ଭୁବନେଶ୍ବର ଏମ୍ସ ହସ୍ପିଟାଲ ଗେଟ ପାଖ ରାସ୍ତା କଡରେ ବସିଛନ୍ତି ବୟସ୍କା ରଜନୀ ବେହେରା । ହାତ ଭାଙ୍ଗି ଯାଇଛି । ଭୁବନେଶ୍ବର ଏକ ବେସରକାରୀ ହସ୍ପିଟାଲରେ ଆୟୁଷ୍ମାନ୍ କାର୍ଡରେ ଅପରେସନ ହୋଇଥିଲା I ଅପରେସନ ପରେ ଆଉ ଅଧିକ ଚିକିତ୍ସା ହୋଇ ପାରିବନି କହି ତାଙ୍କୁ ଫେରାଇ ଦେଲେ ହସପିଟାଲ କର୍ତ୍ତୃପକ୍ଷ । ପରିବାର ଲୋକେ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ଆଣିଥିଲେ । ଆୟୁଷ୍ମାନ୍ କାର୍ଡରେ ଆଡମିସନ କରିବା ପାଇଁ କହିବାରୁ, ଦୁଇ ସପ୍ତାହ ପରେ ଆସିବାକୁ କହି ଫେରାଇ ଦେଇଛନ୍ତି ହସପିଟାଲ କର୍ତ୍ତୃପକ୍ଷ । ପୂର୍ବରୁ ରୋଗକୁ ନେଇ ଚିନ୍ତାଶୂନ୍ୟଥିଲେ ଗରିବ ଲୋକେ । ବିଏସକେୱାଇ କାର୍ଡ ଉପରେ ଥିଲା ଭରସା । ହେଲେ କାର୍ଡ ଥାଇ ବି ହନ୍ତସନ୍ତ ହେବାକୁ ପଡୁଥିବା ଅଭିଯୋଗ ହୋଇଛି ।