ସମ୍ବଲପୁର: ସମ୍ବଲପୁର ଠେଲକୋଲଇ ଥାନା ଖିଣ୍ଡା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛ ପଟୁ ପିଟିଲା ଯାତ୍ରୀ ବାହୀ ବସ୍ । ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କୁ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଅଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଝାରସୁଗୁଡାରୁ ସମ୍ବଲପୁର ଆସୁଥିବା ବେଳେ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଯାତ୍ରୀବାହୀ ବସ ।
ଆଜି ଜ୍ଞାନବାପୀର ସୁପ୍ରିମ ଶୁଣାଣୀ, ଖଣ୍ଡପୀଠ ଗଠନ କରିବେ ସର୍ବୋଚ୍ଚ ଅଦାଲତ
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ହେବ ଜ୍ଞାନବାପୀ ମସଜିଦ ପରିସରରେ ଶିବଲିଙ୍ଗ ପୂଜିବା ସଂକ୍ରାନ୍ତ ଆବେଦନର ଶୁଣାଣି। ଆବେଦନକାରୀଙ୍କ ଦ୍ବାରା ହୋଇଥିବା ୩ଟି ମୁଖ୍ୟ ଦାବି ଉପରେ କୋର୍ଟ ରାୟ ଦେଇପାରନ୍ତି । ଜ୍ୟୋର୍ତିଲିଙ୍ଗ ଭଗବାନ ବିଶ୍ବେଶ୍ବରଙ୍କୁ ତୁରନ୍ତ ପୂଜା ଆରମ୍ଭ କରିବା ପାଇଁ ଅନୁମତି ଦେବା, ସମଗ୍ର ଜ୍ଞାନବାପୀ ମସଜିଦ ପରିସରକୁ ହିନ୍ଦୁ ପକ୍ଷଙ୍କୁ ଦେବା ଏବଂ ମସଜିଦ ପରିସରରେ ମୁସଲିମଙ୍କ ପ୍ରବେଶ ନିଷିଦ୍ଧ ସଂକ୍ରାନ୍ତରେ ୩ଟି ଦାବି ହୋଇଥିଲା।
ତେବେ ଏହି ୩ଟି ଦାବି ଉପରେ ଆଜି ରାୟ ଦେଇପାରନ୍ତି ସୁପ୍ରିମ କୋର୍ଟ। ତେବେ ଜ୍ଞାନବାପୀ ମସଜିଦ ପରିସରରେ ଏବେ ମୁସଲିମ ପକ୍ଷଙ୍କୁ ପ୍ରାର୍ଥନା ପାଇଁ ଅନୁମତି ଅଛି। ପୂର୍ବ ଶୁଣାଣି ସମୟରେ ବାରଣାସୀ କୋର୍ଟ ମସଜିଦ ପରିସରରୁ ମିଳିଥିବା ଶିବଲିଙ୍ଗର ବୈଜ୍ଞାନିକ ଅନୁଧ୍ୟାନ ପାଇଁ ମନା କରି ଦେଇଥିଲେ। ହିନ୍ଦୁ ପକ୍ଷ ଏହି ନିର୍ମାଣର କାର୍ବନ ଡେଟିଂ ପାଇଁ ଦାବି କରିଥିଲେ । ହିନ୍ଦୁ ପକ୍ଷ କହିଛନ୍ତି ଯେ, ଶିବଲିଙ୍ଗ କାର୍ବନ ଡେଟିଂ ସଂକ୍ରାନ୍ତ ବାରଣାସୀ କୋର୍ଟଙ୍କ ରାୟକୁ ସେମାନେ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିବେ । ସେପ୍ଟେମ୍ବର ୨୯ ଶୁଣାଣିରେ ହିନ୍ଦୁ ପକ୍ଷ ଏଏସ୍ଆଇ ଦ୍ବାରା ଶିବଲିଙ୍ଗର ବୈଜ୍ଞାନିକ ତଦନ୍ତ ପାଇଁ ଦାବି କରିଥିଲେ।
ପଦମପୁର ନିର୍ବାଚନ ପୂର୍ବରୁ ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ନେତା
ବରଗଡ଼: ପଦ୍ମପୁର ନିର୍ବାଚନ ପୂର୍ବରୁ ଆହୁରି ବଢୁଛି ବିଜେଡି । ବିଜେପି ଛାଡ଼ି ବିଜେଡିରେ ମିଶିଲେ ପଦମପୁର ବ୍ଲକ ସର୍ଗିବାହାଲ ପଞ୍ଚାୟତର ବିଜେପି ନେତା ବାବୁଲୁ ବହିଦାର । ଏହାସହ ବରିହାପାଲି ପଞ୍ଚାୟତର ସ୍ବାଧୀନ ସମିତି ସଭ୍ୟ ଶ୍ରୀକାନ୍ତ ସାହୁ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ସେମାନେ ଦଳ ଛାଡି ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି ଏହି ମିଶ୍ରଣ ପର୍ବ ।
ଗୌତମ ନାଭଲାଖାଙ୍କୁ ଗୃହବନ୍ଦୀ ରଖିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଏଲଗାର ପରିଷଦ- ମାଓବାଦୀ ଲିଙ୍କ ମାମଲା । ଜେଲରେ ଥିବା ସାମାଜିକ କର୍ମୀ ଗୌତମ ନାଭଲାଖାଙ୍କୁ ତାଙ୍କ ଘରେ ଗୃହବନ୍ଦୀ କରି ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଗୃହବନ୍ଦୀ କ୍ଷେତ୍ରରେ କେତେକ ସର୍ତ୍ତ ଲାଗୁ କରିଛନ୍ତି କୋର୍ଟ । ଗୌତମଙ୍କ ମେଡିକାଲ ରିପୋର୍ଟକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କହିଛନ୍ତି ଅଦାଲତ । ୪୮ ଘଣ୍ଟା ଭିତରେ ସମସ୍ତ ପ୍ରକ୍ରିୟା ଯାଞ୍ଚ କରି ଗୌତମଙ୍କୁ ଗୃହବନ୍ଦୀ ଅବସ୍ଥାରେ ରଖିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ସହ ଗୃହବନ୍ଦୀ ସମୟରେ ପୋଲିସ ମୁତୟନ ଖର୍ଚ୍ଚ ଲାଗି ଆବଶ୍ୟକ ୨ ଲକ୍ଷ ୪୦ ହଜାର ଟଙ୍କା ଜମା କରିବା ଲାଗି ଗୌତମଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୃହବନ୍ଦୀ କାଳରେ ଏହି ସୁଯୋଗର ଅପବ୍ୟବହାର ନ କରିବା, ମୋବାଇଲ, ଇଣ୍ଟରନେଟ, ଲାପଟପ ଓ ଅନ୍ୟାନ୍ୟ କମ୍ୟୁନିକେସନ ବ୍ୟବସ୍ଥା ବ୍ୟବହାର ନ କରିବା ଲାଗି କୋର୍ଟ କହିଛନ୍ତି । ଦୈନିକ ତାଙ୍କୁ ଥରଟିଏ ଲାଗି ମାତ୍ର ୧୦ ମିନଟ ମୋବାଇଲ ବ୍ୟବହାର ସକାଶେ ଅନୁମତି ଦିଆଯିବ ।
ସପ୍ତାହରେ ଥରେ ତାଙ୍କ ପରିବାରର ଦୁଇ ସଦସ୍ୟଙ୍କୁ ଭେଟିବା ଲାଗି ଅନୁମତି ଦିଆଯିବ । ସେ ରହୁଥିବା ଘର ଓ ବାହାରେ ସିସିଟିଭି କ୍ୟାମେରା ଲାଗିବ । ଗୌତମ ଥିଲେ ବହୁଳ ପ୍ରସାରିତ ଇକୋନୋମିକ ଆଣ୍ଡ ପଲିଟିକାଲ ଓ୍ବିକିଲିର ଏଡିଟୋରିଆଲ କନସଲଟାଣ୍ଟ । ସେ ବର୍ତ୍ତମାନ ମହାରାଷ୍ଟ୍ରର ତାଲୋଜା ଜେଲରେ ଅଛନ୍ତି ।
‘ବିଜେପି ନେତାଙ୍କ ମୁଖା ଖୋଲିବ, ସେତେବେଳେ ହୋସ୍ ଉଡିଯିବ’
ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡିରେ ତଦନ୍ତକୁ ନେଇ ବିଜେପିର ରାଜନୀତିକୁ ସମାଲୋଚନା କଲା ବିଜେଡି । ଏହି ବିବାଦରେ ମାଳମାଳ ବିଜେପି ନେତା ଛନ୍ଦି ହୋଇଛନ୍ତି । ଓଡ଼ିଶା ପୋଲିସ୍ ଅର୍ଚ୍ଚନାଙ୍କ ଅପରାଧିକ ମାମଲାର ତଦନ୍ତ କରୁଛି । ଅର୍ଥନୈତିକ ଦିଗର ଖୋଳତାଡ଼ ଆରମ୍ଭ କରିଛି ଇଡି । ପୂରା ତଦନ୍ତ ଶେଷ ହେବା ପରେ ବିଜେପି ନେତାଙ୍କ ଯେତେବେଳେ ମୁଖା ଖୋଲିବ, ସେତେବେଳେ ମିଡିଆ ଆଗରେ ମିଛ ଘୋଡ଼ାଇବାକୁ ନାଟକ କରୁଥିବା ବିଜେପି ନେତାଙ୍କ ହୋସ୍ ଉଡିଯିବ ।
ତେବେ ତଦନ୍ତକୁ ଅପେକ୍ଷା ନକରି ମିଡିଆରେ ମିଛ ଷ୍ଟେଟମେଣ୍ଟ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜୁ ଜନତା ଦଳର ପ୍ୟାନେଲିଷ୍ଟ ଇପସିତା ସାହୁ । ଅର୍ଚ୍ଚନା ନାଗ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ଦଳ ଖଗେଶ୍ୱରଙ୍କୁ ଉଠାଇ ନେଇଥିବା ମଦ୍ୟ ସୂଚନା ମିଳୁଛି । ତେବେ ଆଗକୁ ପଦ୍ମପୁର ଉପନିର୍ବାଚନ ଥିବାବେଳେ ବିଜେପି ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ଏବଂ ବିଜେଡି ।

