spot_img
Home Blog Page 3877

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଭୋର ୫ଟା ୩୮ରୁ ସନ୍ଧ୍ୟା ୬ଟା ୨୦ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବକାର୍ଯ୍ୟ ନିଷେଧ

ଭୁବନେଶ୍ୱର: ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଭୋର ୫ଟା ୩୮ ମିନିଟରୁ ସନ୍ଧ୍ୟା ୬ଟା ୨୦ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବକାର୍ଯ୍ୟ ନିଷେଧ କରାଯାଇଛି । ଅପରାହ୍ଣ ୨ଟା ୩୯ରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇ ୬ଟା ୨୦ରେ ସର୍ବମୋକ୍ଷ ହେବ । ମିଥୁନ, କର୍କଟ, ସିଂହ, ତୁଳା, ବିଚ୍ଛା, ଧନୁ, କୁମ୍ଭ ଓ ମୀନ ରାଶି ପାଇଁ ଗ୍ରହଣ ଦର୍ଶନ ଶୁଭ ବୋଲି ଗଣନା କରାଯାଇଛି । ଓଡ଼ିଶାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାତ୍ର ୬ ମିନିଟ୍ ପାଇଁ ଅର୍ଥାତ ଅପରାହ୍ଣ ୫ଟା ୫ରୁ ୫ଟା ୧୧ ଯାଏଁ ଦେଖିପାରିବେ ।

ଚନ୍ଦ୍ରଗ୍ରହଣ ପାଇଁ ପଠାଣୀ ସାମନ୍ତ ପ୍ଲାନେଟାରିଅମରେ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି । ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଲୋକ ଏହି ବିରଳ ଦୃଶ୍ୟକୁ ଦେଖିପାରିବେ । ଚନ୍ଦ୍ରଗହଣ ପାଇଁ ଆରଡ଼ି ଆଖଣ୍ଡମଣୀ ପୀଠରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ଭୋର ୫ଟାରୁ ସଂନ୍ଧ୍ୟା ୬ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଚନ୍ଦ୍ରଗ୍ରହଣ ପାଇଁ ମଧ୍ୟରାତ୍ରରୁ ସକାଳ ନୀତିକାନ୍ତି ଓ ବୋଇତ ଭସାଣ କରାଯାଇଛି । ଆଜି ରାତି ୮ଟାରେ ଦୁର୍ଲଭ ହରଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବାବା ଆଖଣ୍ଡଳମଣୀ ।

ଆଜି କାର୍ତ୍ତିକ ମାସର ଶେଷ ଦିନ, ଡଙ୍ଗା ଭସାଇଲେ ହବିଷ୍ୟାଳି ଓ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆ କା ମା ବୈ ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋର । ଆଜି କାର୍ତ୍ତିକ ମାସର ଶେଷ ଦିନରେ ପୁସ୍କରଣୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ । ଓଡ଼ିଶା ସଂସ୍କୃତି ଓ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଛନ୍ତି ରାଜ୍ୟବାସୀ । ଜଳାଶୟରେ ପରମ୍ପରା ପାଳନ କରିଛନ୍ତି । ପୁରୀ ମହୋଦଧୀ, ତୀର୍ଥ ପୁଷ୍କରିଣୀ, ଭୁବନେଶ୍ବର ବିନ୍ଦୁସାଗର, କଟକ ନଈପଠା ଓ ଯାଜପୁର ଦଶ୍ବାସମେଧ ଘାଟ ପରି ଅନେକ ତୀର୍ଥ ସ୍ଥାନରେ ଡଙ୍ଗା ଭସାଣ ସରିଛି । ଚନ୍ଦ୍ରଗ୍ରହଣ ପାଇଁ ମଧ୍ୟରାତ୍ରୀ ୨ ଟାରୁ ଭୋର ୫ଟା ୪୫ ମଧ୍ୟରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ ।

ସେହିପରି ଭୁବନେଶ୍ବର ବିନ୍ଦୁସାଗରରେ ଅନୁଷ୍ଠିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ଅଶୋକ ପଣ୍ଡା । ସମ୍ମାନିତ ଅତିଥି ଭାବେ ମେୟର ସୁଲୋଚନା ଦାଶ, ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକଙ୍କ ସମେତ କର୍ପୋରେଟରମାନେ ଯୋଗ ଦେଇଥିଲେ । ବିନ୍ଦୁ ସାଗରରେ ଡଙ୍ଗା ଭସାଇବା ପାଇଁ ଲୋକଙ୍କ ସମାଗମ ହୋଇଥିଲା ।

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିବାବେଳେ, ଭୋର ୫ଟା ୫୪ ମିନିଟ ପରଠାରୁ ଦେବ ନୀତି ବନ୍ଦ ରହିଛି । ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ଭକ୍ତ ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କରୁଛନ୍ତି । ଦିନ ୨ଟା ୩୮ ପର୍ଯ୍ୟନ୍ତ ଦର୍ଶନ କରିପାରିବାର ସୌଭାଗ୍ୟ ପାଇବେ ଭକ୍ତ । ଧର୍ମ ମାସ କାର୍ତ୍ତିକର ଆଜି ଅନ୍ତିମ ଦିବସ ଥିବାରୁ ଶ୍ରୀକ୍ଷେତ୍ରରେ ମହୋଦଧି ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀ ମାନଙ୍କରେ ଡଙ୍ଗା ଭସାଇବା ପାଇଁ ମଧ୍ୟ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଭୋର ସମୟରୁ ୫ଟା୫୪ ମଧ୍ୟରେ ଭକ୍ତ ମାନେ ଡଙ୍ଗା ଭସାଇବା ନୀତି ଶେଷ କରି ବ୍ରତ ଉଦଯାପିତ କରିଥିଲେ । ତେବେ ଗ୍ରହଣକୁ ନେଇ ଶ୍ରୀମନ୍ଦିର ରାତ୍ର ୧୨ଟା ୮ରୁ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହେବା ସହିତ ପରେ ପରେ ଭିତର ଶୋଧ, ମଙ୍ଗଳ ଆଳତୀ, ଅବକାଶ ସାରି ଶ୍ରୀଜିଉଙ୍କୁ ରାଜାଧିରାଜ ବା ସୁନାବେଶରେ ଭୂଷିତ କରାଯାଇଥିଲା । ବେଶ ପରେ ଗୋପାଳ ବଲ୍ଲଭ, ସକାଳ ଧୂପ, ବାଳଧୂପ ଓ ଭୋଗ ମଣ୍ଡପ ନୀତି ଶେଷ କରାଯାଇଥିଲା । ଅନ୍ୟପକ୍ଷରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ନୀତି ଅନୁସାରେ ଶ୍ରୀଜିଉଙ୍କ ଦେବନୀତି ଆରମ୍ଭ କରାଯିବା ସହ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ଆଦି କରାଯିବ ।

ଭାରତ ଯୋଡୋକୁ ଝଟକା, କଂଗ୍ରେସର ଟ୍ବିଟର ହ୍ୟାଣ୍ଡଲ ବ୍ଲକ ଲାଗି କୋର୍ଟଙ୍କ ନିର୍ଦ୍ଦେଶ

ବେଙ୍ଗାଲୁରୁ: ଭାରତ ଯୋଡୋ ଯାତ୍ରାରେ କେଜିଏଫ-୨ ଗୀତ ବ୍ୟବହାର ପଡିଲା ମହଙ୍ଗା । କଂଗ୍ରେସର ଟ୍ବିଟର ହ୍ୟାଣ୍ଡଲ ବ୍ଲକ ଲାଗି ବେଙ୍ଗାଳୁରୁର ଏକ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ କେଜିଏଫ-୨ର ଏକ ଗୀତକୁ ବ୍ୟବହାର କରାଯାଉଥିବାରୁ ଦଳ ବିରୋଧରେ କପିରାଇଟ ମାମଲା ରୁଜୁ କରିଥିଲା ଏକ ମ୍ୟୁଜିକ ଫାର୍ମ ।

ମାମଲାର ଶୁଣାଣି କରି ଆକାଉଣ୍ଟର ସାମୟିକ ବ୍ଲକ ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ଗୀତର ବ୍ୟବହାର କରିଥିବାରୁ ଏମଆରଟି ମ୍ୟୁଜିକ ପକ୍ଷରୁ ଏମ. ନବୀନ କୁମାର ଏକ ମାମଲା ଦାୟର କରିଥିଲେ । କଂଗ୍ରେସ ନେତା ଜୟରାମ ରମେଶ ଯାତ୍ରାର ଦୁଇଟି ଭିଡିଓ ପୋଷ୍ଟ କରିଥିବାବେଳେ କେଜିଏଫ ଗୀତକୁ ବ୍ୟବହାର କରିଥିଲେ ।

୧୦ ବର୍ଷ ନ୍ୟାୟିକ ଲଢେଇରେ ହାରିଗଲେ ଛାୱଲା ଗଣଦୁଷ୍କର୍ମ ପୀଡିତା, ମା’ କହିଲେ ଅନ୍ୟାୟ ସହି ହଉନି

ନୂଆଦିଲ୍ଲୀ: ଆମକୁ ନ୍ୟାୟ ମିଳିବ । ୧୦ ବର୍ଷ ଧରି ନ୍ୟାୟିକ ଲଢେଇରେ ଆମର ବିଜୟ ହେବ । ହେଲେ ଏବେ ଭାବିପାରୁନୁ ଆମେ କରିବୁ କଣ ? ଭାବିବା ଶକ୍ତି ବି ସରିଗଲାଣି । କାନ୍ଦିବାକୁ ଚାହିଁଲେ ବି ଅନୁମତି ଦେଉନି ବିବେକ । ସତରେ କଣ ଆଖି ସାମନାରେ ହାରିଯାଉଛି କି ନ୍ୟାୟ ବ୍ୟବସ୍ଥା । ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ ପରେ ଯେମିତି ଯନ୍ତ୍ରଣାର ବାଦଲ ମୁଣ୍ଡ ଉପରେ ବର୍ଷା ହୋଇ ଅଜାଡି ହୋଇ ପଡିଛି । ମାନ୍ୟବର କୋର୍ଟଙ୍କୁ ପଚାରିବାକୁ ଇଚ୍ଛା ହେଉଛି ଏ କେମିତିକା ନ୍ୟାୟ ? ମୃତ୍ୟୁଦଣ୍ଡ ବଦଳରେ କାହିଁକି ମୁକ୍ତିର ମହାଆନନ୍ଦ । ଅଦାଲତଙ୍କ ଏଭଳି ଅନ୍ୟାୟ ନା ସହିପାରୁଛୁ ନା କାହାକୁ କହିପାରୁଛୁ । ଝିଅକୁ ନ୍ୟାୟ ଦେବ କିଏ ? ସର୍ବୋଚ୍ଚ କୋର୍ଟଙ୍କ ଉପରେ ଆଉ ଅଛି କିଏ ? ଏ ହେଉଛି ଜଣେ ଅସହାୟ ମା’ର ବୁକୁଫଟା ଅଭିମାନ ।

ଆମେ କହୁଛୁ ଦିଲ୍ଲୀ ଛାୱଲା ଅପହରଣ ଓ ଗଣଦୁଷ୍କର୍ମ କଥା । ୨୦୧୨ରେ ଘଟାଇଥିବା ଏହି ଜଘନ୍ୟ କାଣ୍ଡ ପାଇଁ ୩ ଦୋଷୀଙ୍କୁ ଆଜି ମୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ୧୯ ବର୍ଷୀୟ ଯୁବତୀଙ୍କୁ ଅପହରଣ, ଗଣଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ଯାହାପରେ ଦେଶରେ ଅସନ୍ତୋଷର ମାହୋଲ ଦେଖାଦେଇଛି । କୋର୍ଟଙ୍କ ଏଭଳି ରାୟ ପରେ କେମିତି ସୁରକ୍ଷିତ ରହିବେ ମହିଳା ? ଅପରାଧୀର ଛାତିରେ କିଭଳି ପଶିବ ଆଇନର ଛନକ ? କେଉଁ ଆଧାରରେ ସେମାନଙ୍କୁ ମୁକ୍ତ କରାଯାଇଛି ? ଏଭଳି ଅନେକ ପ୍ରଶ୍ନ ଭିତରେ ନ୍ୟାୟପାଳିକା ଉପରୁ ଭରସା ଉଠିଯାଇଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ଆଣ୍ଟି ରେପ୍‌ ଆକ୍ଟିଭିଷ୍ଟ ଯୋଗିତା ଭୟାନା ।

ଗତ ଫେବ୍ରୁଆରୀ ୨୦୧୪ରେ ଅଭିଯୁକ୍ତ ରବି କୁମାର, ରାହୁଲ ଓ ବିନୋଦଙ୍କୁ ଦିଲ୍ଲୀର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଅପହରଣ, ଦୁଷ୍କର୍ମ ଓ ହତ୍ୟା ଆଦି ଦଫା ସେମାନଙ୍କ ବିରୋଧରେ ଲାଗିବା ସହ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ କୋର୍ଟ । ନିମ୍ନ କୋର୍ଟଙ୍କ ରାୟ ବିରୋଧରେ ଅଭିଯୁକ୍ତ ଯାଇଥିଲେ ଦିଲ୍ଲୀ ହାଇକୋର୍ଟ । ହେଲେ ତିନି ଦୋଷୀଙ୍କୁ ହିଂସ୍ର ଜନ୍ତୁର ଆଖ୍ୟା ଦେଇଥିଲେ କୋର୍ଟ । ଏଭଳି ଜନ୍ତୁ ଶିକାର ଖୋଜୁଥାନ୍ତି କହି ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଥିଲେ ଦିଲ୍ଲୀ ହାଇକୋର୍ଟ। ଯାହା ବିରୋଧରେ ୩ ଅଭିଯୁକ୍ତ ହୋଇଥିଲେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ । ଏପରିକି ପୀଡିତାଙ୍କ ପରିବାର ନ୍ୟାୟ ମିଳିବା ଦାବିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କୁ ଭେଟିଥିଲେ । କିନ୍ତୁ ଏଭଳି ଘଟଣା ସାଧାରଣ କଥା କହି ଫେରାଇ ଦେଇଥିଲେ ସେତେବେଳର ଶାସକ ।

କଣ ଥିଲା ସେଇ ହୃଦୟ ବିଦାରକ ଘଟଣା ?

ପରିବାରର ଆର୍ଥିକ ବୋଝ ହାଲୁକା କରିବା ପାଇଁ ଘରୁ ଗୋଡ କାଢିଥିଲେ ପୀଡିତା । ସବୁଦିନ ପରି ସେଦିନ ବି କାମରୁ ଫେରିବା ସମୟରେ ଯୁବତୀଙ୍କୁ ଏକ କାରରେ ଅପହରଣ କରିଥିଲେ ଦୁଷ୍କର୍ମକାରୀ । ସେଠାରୁ ହରିୟାଣା ନେଇଯାଇ ତିନି ଦିନ ଲଗାତାର ଗଣଦୁଷ୍କର୍ମ କରିଥିଲେ । ତଥାପି ନରରାକ୍ଷସଙ୍କୁ ଶାନ୍ତି ମିଳି ନଥିଲା । ପୀଡିତାଙ୍କ ମୁହଁରେ ଏସିଡ ଢାଳି ନଷ୍ଟ କରିବା ସହ ଗରମ ରଡ୍‌ରେ ତାଙ୍କୁ ଆକ୍ରମଣ କରିଥିଲେ । କିଛି ଦିନ ପରେ ଏକ ସୋରିଷ କ୍ଷେତରୁ ପୀଡିତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ମହିଳାଙ୍କ ଗୁପ୍ତାଙ୍ଗରୁ ବିଅର ବୋତଲ ମିଳିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡିଥିଲା ।

ସୋନିଆଙ୍କ ଟେନିସ ଏକାଡେମୀର ଠିକଣା ଜାଣି ନାହାନ୍ତି ସୋଏବ, ବିଚ୍ଛେଦ ଯାଏଁ ପହଞ୍ଚିଲାଣି ସ୍ଥିତି

ହାଇଦ୍ରାବାଦ: ୧୨ ବର୍ଷ ପୂର୍ବେ କବୁଲ ହୈ କହି ହାତ ଧରିଥିଲେ । ଏବେ ତଲାକ୍‌ ତଲାକ୍‌ କହି ହାତ ଛାଡିଦେବେ କି ?ଶରହଦ୍‌ ପାର କରି ବାଛିଥିଲେ ସାଥୀ । ଆଉ ଏବେ ପ୍ରେମରେ ପଡିବ କି ପୂର୍ଣ୍ଣଚ୍ଛେଦ ? ଏମିତି ଅନେକ ପ୍ରଶ୍ନ ଭିତରେ ସୋହେବ ସାନିଆଙ୍କ ସମ୍ପର୍କ । ଖେଳ ଜଗତର ପାୱାରଫୁଲ କପଲଙ୍କ ପ୍ରେମସମ୍ପର୍କକୁ ନେଇ ଏବେ ଅନେକ ପ୍ରଶ୍ନ । ଟେନିସ କୋର୍ଟରେ ସବୁବେଳେ ହିଟ୍‌ ରହୁଥିବା ସାନିଆଙ୍କ ଲଭଷ୍ଟୋରୀ କିନ୍ତୁ ଫେଲ୍‌ ହେବା ନେଇ ଚାରିଆଡେ ଚର୍ଚ୍ଚା । ଖେଳ ଦୁନିଆର ପାୱାର କପଲ୍‌ ଭାବେ ଜଣାଶୁଣା ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ଅଲରାଉଣ୍ଡର ସୋଏବ ମଲ୍ଲିକ । ପୁଅ ଇଜହାନ ସହ ଆଦର୍ଶ ପରିବାରର ମିସାଇଲ ବି ଦିଅନ୍ତି ଏହି ସ୍ପୋର୍ଟସ କପଲ । କିନ୍ତୁ ଦୁହିଁଙ୍କ ବିଚ୍ଛେଦ ଖବର ଏବେ ପାକିସ୍ତାନ ମିଡିଆରେ ନିଆଁ ଭଳି ବ୍ୟାପିଛି । ଖୁବଶୀଘ୍ର ଦୁହେଁ ଅଲଗା ହେବା ନେଇ ଲଗାତାର ପାକିସ୍ତାନ ମିଡିଆ ପ୍ରସାରଣ କରିବାରେ ଲାଗିଛି ।

୨୦୧୦ରେ ବିବାଦୀୟ ଢଙ୍ଗରେ ପରସ୍ପରର ହାତ ଧରିଥିଲେ ସାନିଆ ଓ ସୋହେବ । ସେହି ସମୟରେ ଆଉ ଜଣେ ମହିଳା ସୋହେବଙ୍କ ପ୍ରଥମ ପତ୍ନୀ ରୂପେ ଅଭିଯୋଗ କରିଥିଲେ । ହେଲେ ପ୍ରେମରେ ଉବୁଟୁବୁ ସାନିଆ ସବୁ କିଛି ଭୁଲି ସୋଏବଙ୍କୁ ସାତଜନ୍ମର ସାଥୀ କରିଥିଲେ । ନିକଟରେ ମଲ୍ଲିକ କପଲ୍‌ ପୁଅ ଇଜହାନର ଜନ୍ମଦିନ ଏକାଠି ପାଳିଥିଲେ । କିନ୍ତୁ ସାନିଆ ପାର୍ଟିର ଗୋଟିଏ ବି ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିନଥିଲେ । ଯାହାକି ସହଜରେ ଗ୍ରହଣ କରି ପାରିନଥିଲେ ପ୍ରଶଂସକ । ଓଲଟା ପାରିବାରିକ ଜୀବନରେ ଝଡ ଉଠିଥାଇପାରେ ବୋଲି ଅନୁମାନ କରୁଛନ୍ତି ଫ୍ୟାନ୍ସ । କେବଳ ଏତିକି ନୁହେଁ ଚର୍ଚ୍ଚାକୁ ଆହୁରି ଖୋରାକ୍‌ ଯୋଗାଉଛି ସାନିଆଙ୍କ ପୋଷ୍ଟ । ସୋସିଆଲ ମିଡିଆରେ ‘ଖରାପ ସମୟ’ ‘ଭଙ୍ଗା ହୃଦୟ’ ଲେଖି ପୋଷ୍ଟ କରୁଛନ୍ତି ସାନିଆ । ସେପଟେ ସୋଏବ ମଧ୍ୟ ପାକିସ୍ତାନ ମିଡିଆର ଏକ ଟକ ଶୋ’ରେ ସାନିଆଙ୍କ ସହ ଧୋକା କରିଥିବା ନେଇ ମାହୋଲ ସରଗରମ ।

ଏକ ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନୀ କ୍ରିକେଟ ଶୋ ଆସ୍କ ଦ ପାଭିଲିଅନ କାର୍ଯ୍ୟକ୍ରମରେ ସାନିଆଙ୍କୁ ନେଇ ସୋଏବଙ୍କୁ ପ୍ରଶ୍ନ କରାଯାଇଥିଲା । ସାନିଆଙ୍କ ଟେନିସ ଏକାଡେମୀ ଓ ଏହାର ଲୋକେସନ ସମ୍ପର୍କରେ ପଚାରିଥିଲେ ଆଙ୍କର । ଯାହାର ଜବାବ ଦେଇ ସୋଏବ କହିଥିଲେ ଯେ ସେ ବାସ୍ତବରେ ଟେନିସ ଏକାଡେମୀର ଠିକଣା ଜାଣି ନାହାନ୍ତି । ଏପରିକି ଏକାଡେମୀକୁ ମଧ୍ୟ କେବେ ଯାଇନାହାନ୍ତି । ସୋଏବଙ୍କ ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ୱାକର ୟୁନିସ । ନିଜକୁ ସମ୍ଭାଳି ନପାରି ସେ ସୋଏବଙ୍କୁ କହିଥିଲେ ଯେ ତୁମେ କେମିତିକା ସ୍ବାମୀ ।

ସେ ଯାହା ବି ହେଉନା କାହିଁକି ବିଚ୍ଛେଦ ଖବରକୁ ନେଇ ମୁହଁ ଖୋଲି ନାହାନ୍ତି ମଲିକ ଦମ୍ପତି । ୨୦୧୦ରେ ନବାବ ଠାଣିରେ ହାଇଦ୍ରାବାଦରେ ବିବାହ କରିଥିଲେ ସାନିଆ ସୋଏବ । ବିବାହର ୧୦ ବର୍ଷ ପରେ ପୁଅ ଇଜହାନଙ୍କ ଜନ୍ମ ହୋଇଥିଲା ।

୫୧ ଜଣଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟଆଙ୍ଗେଲ୍ ପୁରସ୍କାର, ଓଡିଶାରୁ ୩

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୧ ନିମନ୍ତେ ଆଜି ନର୍ସିଂ ବୃତିଧାରୀଙ୍କୁ ରାଷ୍ଟ୍ରପତି ଭବନ ଠାରେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ପ୍ରଦାନ କରିଛନ୍ତି । ସାରା ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ଗୁଡିକରୁ ସମୁଦାୟ ୫୧ ଜଣଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାରରେ ପୁରସ୍କୃତ କରାଯାଇଛି  । ସେମାନଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି ଏଏନ୍‌ଏମ୍ , ୪ ଜଣ ଏଲ୍‌ଏଚ୍‌ଭି ଏବଂ ୩୦ ଜଣ ନର୍ସ । ଓଡିଶାର ନର୍ସ ଖୁଲଣା ବାରିକ ଓ ନର୍ସ ଶିବାନୀ ଦାସ ଏବଂ ଏଏନ୍‌ଏମ୍ ଦମୟନ୍ତୀ ରାଉତ ଏହି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନର୍ସ ମାନଙ୍କୁ ଫ୍ଲୋରେନ୍ସ ନାଇଟଏଙ୍ଗେଲ ସମ୍ମାନରେ ସମ୍ମାନୀତି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନଜନ ଉପାଧୀ ପ୍ରଦାନ କରାଯାଇଛି । ପ୍ରତିବର୍ଷ ଭାରତୀୟ ନର୍ସିଂ ପରିଷଦ ଦ୍ୱାରା ବିଭିନ୍ନ ବର୍ଗର ନର୍ସ ମାନଙ୍କୁ ଚୟନ କରି ପୁରସ୍କୃତ କରାଯାଇଥାଏ । ବ୍ରିଟିଶ ନର୍ସ ଫ୍ଲୋରେନ୍ସ ନାଇଟଏଙ୍ଗେଲଙ୍କ ସମାନର୍ଥେ ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ ଯୋଗଦାନ କରିଥିବା ନର୍ସମାନଙ୍କୁ ଏହି ସମ୍ମାନଜନକ ଉପାଧି ପ୍ରଦାନ କରାଯାଇଥାଏ । ଓଡ଼ିଶାରୁ ଚଳିତ ଥର ୩ ଜଣଙ୍କୁ ଏହି ସମ୍ମାନ ମିଳିଛି ।ସେମାନେ ହେଲେ ନର୍ସ ଖୁଲଣା ବାରିକ , ନର୍ସ ଶିବାନୀ ଦାସ ଏବଂ ଏଏନ୍‌ଏମ୍ ଦମୟନ୍ତୀ ରାଉତ । ଜଗତସିଂହପୁର ଜିଲ୍ଲା ହସ୍ପିଟାଲରେ କାର୍ଯ୍ୟରତ ଖୁଲଣା ବାରିକ ଓ ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ଶିବାନୀ ଦାଶଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫ୍ଲୋରେନ୍ସ ନାଇଟଏଙ୍ଗେଲ ସମ୍ମାନରେ ସମ୍ମାନିତ କରିଛନ୍ତି ।

ଏହି ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ୧୯୭୩ ମସିହାରେ ସମାଜ ପ୍ରତି ନର୍ସ ମାନଙ୍କର ଏବଂ ନର୍ସିଂ ବୃତିଧାରୀ ମାନଙ୍କର ପ୍ରଶଂସନୀୟ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ସ୍ଥାପିତ ହୋଇଥିଲା ।

ମଦ ପିଇ ମାତାଲ ଯୁବତୀ, ମଝି ରାସ୍ତାରେ ଗୁଣ୍ଡାଗର୍ଦ୍ଦି, ପିଟି ପିଟି ଯୁବତୀଙ୍କୁ…

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ୁଛି ଅପରାଧ । ନିଶାରେ ବୁଡ଼ି ରହୁଛନ୍ତି ଯୁବକ ଯୁବତୀ । ନିକଟରେ ନିଶାଗ୍ରସ୍ତ କିଛି ଯୁବତୀ ଏକାଠି ମିଶି ଜଣେ ଯୁବତୀଙ୍କୁ ପିଟୁଥିବାର ଦେଖିବାକୁ ମିଳିଛି । ଏହି ଘଟଣା ନଭେମ୍ବର ୪’ର ବୋଲି କୁହାଯାଉଛି । ଘଟଣାକୁ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ ।

ସୂଚନା ଅନୁସାରେ, ଏମଆଇଜି ଥାନା ଅଞ୍ଚଳସ୍ଥିତ ଏଲଆଇଜି ଅଞ୍ଚଳରେ ଜଣେ ଯୁବତୀଙ୍କୁ ନିସ୍ତୁକ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି । ମାତାଲ ଯୁବତୀଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣେ ଯୁବତୀଙ୍କୁ ବେଲ୍ଟରେ ପିଟୁଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି । ଲୋକଙ୍କ ଭିଡ଼ ଜମିଛି, କିନ୍ତୁ କେହି ସାହାଯ୍ୟ କରିବାକୁ ଆସୁନାହାଁନ୍ତି ।

ଘଟଣା ପରେ ପୀଡ଼ିତ ଯୁବତୀ  ୪ ଜଣ ନିଶାଶକ୍ତ ଯୁବତୀଙ୍କ ବିରୁଦ୍ଧରେ ଏମଆଇଜି ଥାନାରେ ଅଭିଯୋଗ କରିଛନ୍ତି । ତେବେ ଥାନା ଅଧିକାରୀଙ୍କ କହିବା ହେଉଛି,  ନିଶାଶକ୍ତ ଯୁବତୀଙ୍କୁ ପୋଲିସ୍‌ ଖୋଜୁଛି ।

 

ବିଶ୍ବପ୍ରସିଦ୍ଧ ଧନୁଯାତ୍ରାକୁ ୭୫ ବର୍ଷ, ଜୋରସୋରରେ ଚାଲିଛି ଚୟନ ପ୍ରକ୍ରିୟା

ବରଗଡ: ବିଶ୍ବପ୍ରସିଦ୍ଧ ଧନୁଯାତ୍ରାକୁ ପୁରିବ ୭୫ ବର୍ଷ । ଆସନ୍ତା ଡିସେମ୍ବର ୨୭ ତାରିଖରୁ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବରଗଡ଼ ଧନୁଯାତ୍ରା । ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ପ୍ରଥମ ପର୍ଯ୍ୟାୟରେ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଦେବକୀ, ବସୁଦେବ, ଉଗ୍ରେସନ, ନାରଦ, ସେନାପତି ଭୂମିକାରେ ବିଭିନ୍ନ ଜିଲ୍ଲାର ବହୁ କଳାକାର ମାନେ ଆସି ଚୟନ ପ୍ରକ୍ରିୟାରେ ଭାଗ ନେଇଛନ୍ତି ।

ଚୟନ ପ୍ରକ୍ରିୟାରେ 7 ଜଣ ଜଜ୍ ନିୟୋଜିତ ହୋଇଛନ୍ତି । ତିନି ଦିନ ଧରି ଚୟନ ପ୍ରକ୍ରିୟା ହେବାକୁ ଥିବା ବେଳେ ଆଜି 55 ଜଣ କଳାକାର ନିଜର ଅଭିନୟ ପ୍ରଦର୍ଶନ କରିଥିଲେ । ଉଗ୍ରସେନ ପାଇଁ 6 ଜଣ, ଦେବକୀ ପାଇଁ 4 ଜଣ, ସେନାପତି ପାଇଁ 24 ଜଣ, ନାରଦ ପାଇଁ 7 ଜଣ ଓ ବସୁଦେବ ପାଇଁ 14 ଜଣ ଏହି ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ ।

ପ୍ରଗତିବାଦୀକୁ ପୁରିଲା ୫୦ ବର୍ଷ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୈନିକ ଖବରକାଗଜ ପ୍ରଗତିବାଦୀକୁ ପୂରିଲା ୫୦ ବର୍ଷ । ପ୍ରଗତିବାଦୀର ସୁବର୍ଣ୍ଣ ଜୟନ୍ତୀ ସହିତ ଏହାର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ୯୦ତମ ଜୟନ୍ତୀ ସମାରୋହ ପାଳିତ ହୋଇଛି । ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦବୋଧନ ଦେଇ ନବୀନ କହିଛନ୍ତି ପ୍ରଗତିବାଦୀ ପାଇଁ ଆଜି ଏକ ଐତିହାସିକ ଦିନ ।

ଏହି ଅସବସରେ ପ୍ରଗତିବାଦୀ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଦ୍ୟୁମ୍ନ ବଳ ଜଣେ ଆଦର୍ଶ ବ୍ୟକ୍ତିତ୍ବ ଥିଲେ । ଜଣେ ଦୃଢ଼ମନା ବ୍ୟକ୍ତି ସହିତ ସମାଜର ସବୁ ଶ୍ରେଣୀ ପାଇଁ ସେ ଚିନ୍ତା କରୁଥିଲେ । ତାଙ୍କ ସଂଘର୍ଷ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି । ବାକ୍ ସ୍ବାଧୀନତା ଓ ମିଡିଆ ଏଥିକ୍ସକୁ ପାଳନ କରୁଥିଲେ ପ୍ରଦ୍ୟୁମ୍ନ । ତାଙ୍କ ଆଦର୍ଶରେ ସାମ୍ବାଦିକମାନେ ଅନୁପ୍ରାଣିତ ହୋଇଛନ୍ତି । ପ୍ରଦ୍ୟୁମ୍ନ ବଳଙ୍କ ଦ୍ବାରା ପ୍ରତିଷ୍ଠିତ ପ୍ରଗତିବାଦୀ ଆଜି ୫୦ବର୍ଷରେ ପାଦ ଥାପିଛି ।

ସବୁବେଳେ ନିରପେକ୍ଷତାକୁ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମାଜର ନିମ୍ନସ୍ତରରେ ଲୋକଙ୍କ ପାଇଁ କାମ ସହିତ ଭଏସଲେସଙ୍କ ଭଏସ ହେବାକୁ ନବୀନ କହିଛନ୍ତି । ଓଡ଼ିଶା ଏବେ ବିକାଶର ଶୀର୍ଷ ଆଡ଼କୁ ଅଗ୍ରସର । ଓଡ଼ିଶାର ରୂପାନ୍ତରଣ ସାରା ବିଶ୍ବରେ ପ୍ରଶଂସିତ । ନୂଆ ଓଡ଼ିଶା ଗଠନରେ ପ୍ରଗତିବାଦୀ ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।