spot_img
Home Blog Page 3896

ତୁମେ ଆଗକୁ ବଢ଼, ଆମେ ସାଥୀରେ ଅଛୁ

ଭୁବନେଶ୍ୱର: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଦ୍ୱାଦଶ ପ୍ରତିଷ୍ଠା ଦିବସ । ଏହି ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଦ୍ୱାଦଶ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ଆନନ୍ଦିତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ପିଲାମାନେ ତୁମମାନଙ୍କ ହସ ସମସ୍ତଙ୍କୁ ଖୁସି ଦେଇଥାଏ । ତୁମମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରୁଛୁ । ପାଠ, ଖେଳ, ନାଚ, ଗୀତ ତୁମମାନଙ୍କ ରୁଚି ଅନୁସାରେ ତୁମେମାନେ ଆଗକୁ ବଢ଼ । ଆମେ ସବୁବେଳେ ତୁମ ସାଥିରେ ଅଛୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି କହିଥିଲେ କି ପିଲାମାନେ ଆମ ସମାଜର ଭବିଷ୍ୟତ । ସେମାନେ ଆମର ସାମୂହିକ ଆଶା ଏବଂ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରନ୍ତି । ହସୁଥିବା ପିଲାମାନେ ଆମ ସମାଜକୁ ଅନେକ ରଙ୍ଗରେ ରଙ୍ଗୀନ କରନ୍ତି ଏବଂ ଏହାର ଜୀବନ୍ତତାକୁ ଚିତ୍ରଣ କରନ୍ତି । ଆମର ସମସ୍ତ ପ୍ରୟାସକୁ ଗୋଟିଏ ଲକ୍ଷ୍ୟରେ ନିର୍ଦ୍ଦେଶିତ କରାଯିବା ଉଚିତ- ପ୍ରତ୍ୟେକ ପିଲାଙ୍କ ମୁହଁରେ ହସ ଆଣିବା ।

ମୋ ସରକାର ପିଲାମାନଙ୍କ କଲ୍ୟାଣ ପାଇଁ ଆନ୍ତରିକ ଉଦ୍ୟମ ଜାରି ରଖିଛନ୍ତି । ଆମେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥାପନ କରିଛୁ । କଟକ ଉତ୍କଳ ବାଳାଶ୍ରମ ବିଲଡିଂ ନିର୍ମାଣ ପାଇଁ ମୁଁ ୩ କୋଟି ୮୨ ଲକ୍ଷ ଟଙ୍କା ମଞ୍ଜୁର କରି ଖୁସି ଅଟେ ବୋଲି ମଧ୍ୟ କହିଥିଲେ ମୁଖ୍ୟମନ୍ତ୍ରୀ । ଶିଶୁମାନଙ୍କର ଅଧିକାରର ସୁରକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଥିବା ନିୟମକୁ କାର୍ଯ୍ୟକାରୀ କରିବା ପାଇଁ OSPCR ଆନ୍ତରିକତାର ସହିତ କାର୍ଯ୍ୟ କରୁଛି । ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଏହା ନିରନ୍ତର ପ୍ରୟାସ କରୁଛି । ମୁଁ ଆଶା କରୁଛି ଏହା ଆମ ପିଲାମାନଙ୍କ ପାଇଁ ଏକ ଭଲ ଭବିଷ୍ୟତ ପାଇଁ ପ୍ରୟାସ ଜାରି ରଖିବ ।

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟରେ ପରିବର୍ତ୍ତନ, ସକାଳ ୫ଟା ୪୫ରୁ ପାକତ୍ୟାଗ ଓ ଦେବନୀତି ନିଷେଧ

ପୁରୀ: ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟରେ ପରିବର୍ତ୍ତନ । ଶ୍ରୀଜିଉଙ୍କ ହେବ ସ୍ୱତନ୍ତ୍ର ରୀତିନୀତି । ୮ ତାରିଖ ମଧ୍ୟ ରାତ୍ରୀ ୧୨ଟାରେ ଦ୍ବାରଫିଟା ନୀତି । ପରେ ମଙ୍ଗଳ ଆଳତି, ମଇଲମ ଓ ଅବକାଶ ପୂଜା ହେବ । ସୁନାବେଶ ପରେ ଗୋପାଳବଲ୍ଲଭ ଭୋଗମଣ୍ଡପ ନୀତି ହେବ। ଏନେଇ ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ପାକତ୍ୟାଗ ଭୋର ୫ଟା ୪୫ ମିନିଟ ୫୩ ସେକେଣ୍ଡରେ କରାଯିବ । ପୂର୍ବରୁ ପାକତ୍ୟାଗ ସକଳା ୮ଟା ୨୯ରେ କରାଯିବା ନେଇ ନୀତିନିର୍ଘଣ୍ଟ ହୋଇଥିବା ବେଳେ ଏହାକୁ ଆଜିର ବୈଠକରେ ବଦଳା ଯାଇଛି । ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୧୮ମିନିଟ ୪୭ ସେକେଣ୍ଡରେ ହେବ । ତେବେ ପଞ୍ଚୁକ ନୀତି ଶୃଙ୍ଖଳିତ କରିବା ପାଇଁ ସମସ୍ତ ସେବାୟତଙ୍କ ସହଯୋଗ ଲୋଡିଛି ପ୍ରଶାସନ । ଭକ୍ତ ସକାଳୁ ଦେବନୀତି ଓ ଡଙ୍ଗା ଭସା କାର୍ଯ୍ୟ ଭୋର ୫ଟା ୫୪ପୂର୍ବରୁ କରିବାକୁ ପରାମର୍ଶ ।

ଶୀତ ଦିନରେ କୁହୁଡ଼ି ଓ ଧୂଆଁ ପାଇଁ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର: ଶୀତ ଦିନରେ କୁହୁଡ଼ି ଓ ଧୂଆଁ ଯୋଗୁଁ ଦୃଶ୍ୟମାନ ହ୍ରାସ ପାଇଥାଏ । ଏଥିପାଇଁ ସଡ଼କ ଦୁର୍ଘଟଣା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ । ନଭେମ୍ବରରୁ ଫେବ୍ରୁଆରୀରେ ଦୁର୍ଘଟଣା ଶତକଡା ୩୦ ଭାଗ ଅଧିକ ହେଉଥିବା ସମୀକ୍ଷାରୁ ଜଣାପଡ଼ିଛି । ରାଜ୍ୟରେ ଦୁର୍ଘଟଣା ଓ ଏହି ଜନିତ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ ଆରମ୍ଭ କରାଯାଇଛି ।

ଆଜିଠାରୁ ଆରମ୍ଭ ହୋଇଥିବା ଏହି ଡ୍ରାଇଭ୍ ଦୁଇ ମାସ ଧରି ନଭେମ୍ବର ଓ ଡିସେମ୍ବର ମାସ ତମାମ୍ ଚାଲିବ । ନଭେମ୍ବର ଓ ଡିସେମ୍ବର ମାସରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ସହିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଭିଡ଼ ଓ ମଦ୍ୟାପାନ କରି ଦ୍ରୁତ ଗାଡିଚାଳନା ଅଧିକ ହେଉଥିବାରୁ ସଡକ ଦୁର୍ଘଟଣା ବଢୁଥିବା ଲକ୍ଷ୍ୟ କରାଯାଇଛି । ଏନଫୋର୍ସମେଣ୍ଟ ସମୟରେ ହେଲମେଟ୍ ଓ ସିଟ ବେଲ୍ଟ ବିନା ଡ୍ରାଇଭିଂ, ମଦ୍ୟପାନ କରି ଡ୍ରାଇଭିଂ, ଦ୍ରୁତ ଗାଡି ଚାଳନା, ମୋବାଇଲ ଧରି ଗାଡି ଚଳାଇବା ଆଦି ସମସ୍ତ ବିଷୟ ଉପରେ ଧ୍ୟାନ ଦିଆଯିବ ବୋଲି ପରିବହନ ବିଭାଗ ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି ।

ବିଜେପି ରାଲିରେ ଛୋଟ ପିଲା, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ବିଜେପି ରାଲିରେ ଛୋଟପିଲାଙ୍କୁ ସାମିଲ କରିବା ଘଟଣାକୁ ନିନ୍ଦା । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଫେରାଦ ହେଲା ବିଜେଡିର ୭ ଜଣିଆ ପ୍ରତିନିଧି ଦଳ । ବିଜେପି ସମ୍ବେଦନଶୀଳ ଘଟଣାରେ ସବୁବେଳେ ହୀନ ରାଜିନୀତି କରୁଛି । ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାର ତଦନ୍ତ ଚାଲିଥିବା ବେଳେ ଏହାକୁ ନେଇ ମଧ୍ୟ ରାଜନୀତି କରୁଛି ବିଜେପି । ଏହାକୁ ନେଇ ରାଜନୀତି ନକରିବାକୁ ଧର୍ମେନ୍ଦ୍ରଙ୍କ ପରିବାର ଅନୁରୋଧ କରିଥିଲେ । ହେଲେ ଏହାକୁ ମଧ୍ୟ ବିଜେପି ହେୟଜ୍ଞାନ କରି ଗତକାଲି ରାଲି ପ୍ରଦର୍ଶନ କରିଥିଲା ।

କିନ୍ତୁ ବିଜେପି କରୁଥିବା ରାଲିକୁ ଲୋକଙ୍କ ସମର୍ଥନ ମିଳିନଥିଲା । ଶେଷରେ ନିରୁପାୟ ହୋଇ ଛୋଟଛୋଟ ପିଲାଙ୍କୁ ଦଳୀୟ ପତାକା ଧରାଇ ରାଲିରେ ସାମିଲ କରିଥିଲା ବିଜେପି । ବିଜେପିର ଏଭଳି କାର୍ଯ୍ୟ ନିନ୍ଦନୀୟ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି । ଏନେଇ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ବିଜେଡି ଅଭିଯୋଗ କରିଛି । ପ୍ରମାଣ ମଧ୍ୟ ବିଜେଡି ପକ୍ଷରୁ ହସ୍ତାନ୍ତର କରାଯାଇଛି । ଆୟୋଗ ଅଧ୍ୟକ୍ଷା ଅଭିଯୋଗକୁ ଗ୍ରହଣ କରିଛନ୍ତି । ପିଲା ଦେଶ ଓ ରାଜ୍ୟର ଭବିଷ୍ୟତ । ପିଲାମାନକୁ ଏଭଳି  ବ୍ୟବହାର କରିବା ଠିକ ନୁହେଁ । ତଦନ୍ତ ପରେ ଗାଇଡ ଲାଇନ ଅନୁସାରେ କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆୟୋଗ ଅଧ୍ୟକ୍ଷା କହିଛନ୍ତି ।

ବାତ୍ୟା ମୁକାବିଲା ପାଇଁ ନୂଆ ମାଷ୍ଟର ପ୍ଲାନ୍, ଆସନ୍ତା ଜାନୁଆରୀରୁ ନିର୍ମାଣ ହେବ ପ୍ରତିରୋଧକ ଲୁଣାବନ୍ଧ

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନୂଆ ମାଷ୍ଟର ପ୍ଲାନ । ଆସନ୍ତା ଜାନୁଆରୀ ମାସରୁ ନିର୍ମାଣ ଆରମ୍ଭ ହେବ ବାତ୍ୟା ପ୍ରତିରୋଧକ ଲୁଣାବନ୍ଧ ପ୍ରକଳ୍ପ । ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବାତ୍ୟା ମୁକାବିଲା ପାଇଁ ଗୋଟିକ ପରେ ଗୋଟିଏ ସଫଳ ପଦକ୍ଷେପ ନେଇ ଚାଲିଛି ଓଡ଼ିଶା । ଏହି ଯୋଜନାରେ ୩୬ଟି ପ୍ରକଳ୍ପ ନିର୍ମାଣ କରାଯିବ । ଏଥିପାଇଁ ୨୦୨୫ ସୁଦ୍ଧା ଖର୍ଚ୍ଚ ହେବ ୭୬୩.୪୮ କୋଟି ଟଙ୍କା । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀର ଲୁଣା ବନ୍ଧଗୁଡ଼ିକୁ ଆହୁରି ଶକ୍ତିଶାଳୀ କରିବାକୁ ୧୯୮.୮୧ କିଲୋମିଟର ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯିବ । ଏଥିପାଇଁ ପ୍ରଥମ ବର୍ଷ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଷ୍ଟିୟରିଂ କମିଟି ଗଠନ କରି କ୍ଷେତ୍ରାଞ୍ଚଳରେ ହିଁ ପ୍ରକଳ୍ପ ସମ୍ପର୍କିତ ସମସ୍ୟା ସମାଧାନ କରାଯିବ । ଚଳିତ ସପ୍ତାହରେ ବସିବ ଷ୍ଟିୟରିଂ କମିଟି ବୈଠକ ।

ଲୁଣାବନ୍ଧ, ଏହାର ପଥର ପ୍ୟାକିଂ, ହେନ୍ତାଳ ବଣ ଓ ଛୋଟ ଛୋଟ ଘାସ ବାତ୍ୟା ସମୟରେ ଲୁଣାପାଣି ମାଡ଼ ପ୍ରତିରୋଧ କରିବାରେ ସହାୟକ ହୁଅନ୍ତି । ବାତ୍ୟା ସମୟରେ ସମୁଦ୍ରର ଜୁଆର ୮ରୁ ୧୫ ଫୁଟ୍ ଉଚ୍ଚ ରହିବାର ଆଶଙ୍କା ରହୁଥିବାରୁ ୧୫ରୁ ୨୦ ଫୁଟ ଉଚ୍ଚ ବନ୍ଧ ନିର୍ମାଣ କରିବାର ଆବଶ୍ୟକତା ରହିଛି । ଏଥିପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ପ୍ରତି ତିନି ମାସରେ ଷ୍ଟିୟରିଂ କମିଟି ବୈଠକ ବସିବ । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କାର୍ଯ୍ୟର ସମୀକ୍ଷା କରିବେ । ଏନେଇ ଚେନ୍ନାଇର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜିର ପରାମର୍ଶ ନିଆଯିବ ।

 

ଗୋପାଳପୁରରେ ପ୍ରିନ୍ସ ଡ୍ୟାନ୍ସ ଷ୍ଟୁଡିଓ ଉଦଘାଟିତ, ମାଗଣାରେ ମିଳିବ ପ୍ରଶିକ୍ଷଣ

ବ୍ରହ୍ମପୁର: ଥକି ଯିବନି ପାଦ, ମଉଳିବନି ପ୍ରତିଭା । ଅର୍ଥାଭାବରୁ ନିରାଶ ହେବେନି ନୃତ୍ୟାଭିଳାସୀ । କଳାକାରଙ୍କୁ ମାଗଣାରେ ନାଚ ଶିଖାଇବ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ । ରାଜ୍ୟ ସରକାରଙ୍କ ପ୍ରୟାସରେ ଗୋପାଳପୁର ବେଳାଭୂମି ନିକଟରେ ଉଦଘାଟିତ ହୋଇଛି ପ୍ରିନ୍ସ ଡ୍ୟାନ୍ସ ଷ୍ଟୁଡିଓ । ୪ ଏକର ଜାଗାରେ ନିର୍ମିତ ଷ୍ଟୁଡିଓରେ ରହିଛି ହରି ମଣ୍ଡପ, କୃଷ୍ଣା ହଲ୍, ସୁଦର୍ଶନ ହଲ୍ ଏବଂ ଓପନ ଗ୍ୟାଲେରି । ଏଠାରେ ଆଧୁନିକଠାରୁ ଲୋକକଳା ପର୍ଯ୍ୟନ୍ତ ସମସ୍ତ ପ୍ରକାର ନୃତ୍ୟ ଶିକ୍ଷା ପ୍ରଦାନ କରାଯିବ । ଦେଶର ନାମିଦାମୀ ତଥା ଓଡ଼ିଶାର ଗର୍ବ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପକୁ ଏହାର ପରିଚାଳନା ଦାୟିତ୍ବ ପ୍ରଦାନ କରାଯାଇଛି ।

୨୦୦୯ରେ ପ୍ରିନ୍ସ ଡ୍ୟାନ୍ସ ଷ୍ଟୁଡିଓର ପରିକଳ୍ପନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁମ୍ବାଇରେ ଆୟୋଜିତ ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟରେ ଭାଗନେଇ ସୁନାମ ଆଣିଥିଲା ବ୍ରହ୍ମପୁରର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ । ଦିନ ମଜୁରିଆଙ୍କୁ ନେଇ ଗଠିତ ଏହି ଡ୍ୟାନ୍ସ ଗ୍ରୁପକୁ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ନୃତ୍ୟ ଅଭ୍ୟାସ ପାଇଁ ବେଳାଭୂମୀରେ ୪ ଏକର ଯାଗା ଦେବା ସହିତ କୋଠା ନିର୍ମାଣ ପାଇଁ ସହାୟତା ପ୍ରଦାନ କରିଥିଲେ । ଆଗାମୀ ଦିନରେ ଏଠାରୁ ନୃତ୍ୟ କଳା ବିକଶିତ ହେବ ବୋଲି ଆଶା ରଖାଯାଇଛି । ଉଦଘାଟନୀ ଉତ୍ସବରେ ବ୍ରହ୍ମପୁର ସାଂସଦଙ୍କ ସମତେ ବିଧାୟକ ଓ ମେୟର ଉପସ୍ଥିତ ଥିଲେ  । ପ୍ରମୁଖ ଆକର୍ଷଣ ସାଜିଥିଲେ ବଲିଉଡ ଅଭିନେତା ରଜନିସ୍ ଦୁଗଲ୍ ।

ବିଏମସିର ମୁଣ୍ଡବିନ୍ଧା ପାଲଟିଛି ଅଳିଆ, ରାଜରାସ୍ତାରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ

ଭୁବନେଶ୍ୱର: ବିଏମସିର ମୁଣ୍ଡବିନ୍ଧା ପାଲଟିଛି ଅଳିଆ । ୨ ମାସରେ ଅଳିଆ ଗାଡ଼ି ନେଲାଣି ୨ ଜୀବନ । ଭୁଆଶୁଣିରେ ଡମ୍ପି ବନ୍ଦ, ପୁଣି ଉଛୁଳିଲାଣି TTS । ଭୁବନେଶ୍ବରରେ ଆରମ୍ଭ ହୋଇଥିବା ରାତ୍ରୀକାଳୀନ ସଫେଇକୁ ବିରୋଧ କରିଛନ୍ତି କର୍ମଚାରୀ । ମହିଳା ସଫେଇ କର୍ମଚାରୀ ନିଜକୁ ଅସୁରକ୍ଷିତ ମଣୁଥିବାବେଳେ ଅନେକ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୋଇଛି । ନିକଟରେ ରାଜମହଲ ଛକରେ ଦୁର୍ଘଟଣାରେ କାର୍ଯ୍ୟରତ ସାନିଟାରୀ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି । ଏଣୁ ତୁରନ୍ତ ରାତିରେ ସଫେଇ କାମକୁ ବନ୍ଦ କରିବାକୁ ଦାବି କରିଛି ଭୁବନେଶ୍ବର ସଫେଇ କର୍ମଚାରୀ ମଜଦୁର ସଂଘ । କାର୍ଯ୍ୟବନ୍ଦ ଡାକରା ସହ ବିଏମସି କାର୍ଯ୍ୟାଳୟ ଘେରିଛନ୍ତି କର୍ମଚାରୀ ।

ଭୁଆଶୁଣି ଡମ୍ପିଂୟାର୍ଡ ସମସ୍ୟାର ସ୍ଥାୟୀ ପ୍ରତିକାର ଓ ଭିତ୍ତିଭୂମିର ବିକାଶ ପାଇଁ ବିଏମସିକୁ ମିଳିଛି ୯ ମାସର ମହଲତ । ଇତି ମଧ୍ୟରେ ବିତିଗଲାଣି ୨ ମାସ । ଏହି ସମୟରେ ଅଳିଆ ଗାଡି ଧକ୍କାରେ ଗଲାଣି ଦୁଇ ଜୀବନ । ଡମ୍ପିଂୟାର୍ଡ ରାସ୍ତାରେ ବିଦ୍ୟୁତ୍ ଅଭାବ ଓ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ବଢୁଛି । ଯାହାକୁ ନେଇ ଗତ ରବିବାରଠୁ ଡମ୍ପିଂୟାର୍ଡକୁ ବନ୍ଦ ରଖିଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ । ଫଳରେ ରାଜରାସ୍ତାରେ ଗଦା ହୋଇଛି କୁଢକୁଢ ଅଳିଆ । ଗାଡକଣ ଟିଟିଏସରେ ସୃଷ୍ଟି ହେଲାଣି ଅଳିଆ ପାହାଡ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଉଥିବା କହିଛନ୍ତି ବିଏମସି କମିଶନର । ନିର୍ଦ୍ଧାରିତ ସମୟ ମଧ୍ୟରେ ଭିତ୍ତିଭୂମିର ବିକାଶ ଶେଷ ହେବ । ଏହା ଏକ ସାମୁହିକ କାର୍ଯ୍ୟ, ଏଥିପାଇଁ ସମସ୍ତଙ୍କର ଦାୟିତ୍ବ ରହିଛି ବୋଲି କହିଛନ୍ତି କମିଶନର ।

କଟକରେ ଇଞ୍ଜିନିୟର ଛାତ୍ରୀଙ୍କୁ ଛୁରାମାଡ଼, ଏକତରଫା ପ୍ରେମରୁ ଛୁରାମାଡ଼ ସୂଚନା

କଟକ: କଟକରେ ଇଞ୍ଜିନିୟର ଛାତ୍ରୀଙ୍କୁ ଛୁରାମାଡ଼ । ବିଚ୍ ରାସ୍ତାରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । କଟକ ସଦରଥାନା ପ୍ରତାପନଗରୀ ନିକଟର ଘଟିଛି ଏହି ଘଟଣା । ଏକତରଫା ପ୍ରେମରୁ ଯୁବକ ଜଣକ ଯୁବତୀଙ୍କୁ ଛୁରାମାଡ଼ କରିଥିବା ସୂଚନା ।

ବିଚ୍ ରାସ୍ତାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ଯୁବକ ଜଣକ ଉତ୍ତ୍ୟକ୍ତ ହୋଇ ଛୁରାମାଡ଼ କରିଥିଲେ । ଛୁରାମାଡ଼ ଫଳରେ ଯୁବତୀଙ୍କ ହାତରେ ଆଘାତ ଲାଗିଛି । ତେଣୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଏହି ଗଟଣାରେ ମୁଖ୍ୟ ଅଭିଯୁକ୍ତ ଏବେ ଫେରାର ରହିଛି । ସୂଚନା ଅନୁସାରେ ଦୁଇ ଭାଇ ଗୋଟିଏ ଝିଅକୁ ପ୍ରେମ କରୁଥିଲେ । ଏକତରଫା ପ୍ରେମକୁ ନେଇ ସାନ ଭାଇ ଯୁବତୀଙ୍କୁ ଛୁରାମାଡ଼ କରିଛି  ।

ବିଚ୍ ରାସ୍ତାରେ ମହିଳାଙ୍କୁ ହାଣିଲେ ଦୁର୍ବୃତ୍ତ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଉଦଳା: ବିଚ୍ ରାସ୍ତାରେ ମହିଳାଙ୍କୁ ହାଣିଦେଲେ । ବସରୁ ଓହ୍ଲାଇ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ହଠାତ କେହି ଦୁର୍ବୃତ୍ତ ଆସି ମହିଳାଙ୍କୁ ହାଣି ଦେଇ ଚାଲିଗଲେ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଜୁନପାଳ ଗାଁ ଛକରେ । କଣ୍ଟାଗଡ଼ି ଗ୍ରାମର ପଦ୍ମିନୀ ପ୍ରଧାନ ଉଦଳାରୁ କାମ ସାରି ବସ୍ ଯୋଗେ ଜୁନପାଳସ୍ଥିତ ସମ୍ପର୍କୀୟ ଘରକୁ ଯିବା ନିମନ୍ତେ ବସରୁ ଓହ୍ଲାଇଥିଲେ । ଏହି ସମୟରେ ହଠାତ କେହି ଦୁର୍ବୃତ୍ତ ଆସି ମହିଳାଙ୍କୁ ହାଣି ଦେଇ ଚାଲିଯାଇଥିଲେ ।

ମହିଳାଙ୍କ ମୁଣ୍ଡରେ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ପଦ୍ମିନୀ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କିଏ ଏବଂ କାହିଁକି ପଦ୍ମିନୀଙ୍କୁ ହାଣି ହତ୍ୟା କରିଲା ତାହା ଏବେ ପୋଲିସ ତଦନ୍ତ କରୁଛି । ତେବେ ଏହି ହତ୍ୟାକାଣ୍ଡ ପଛର କାରଣ ଅସ୍ପଷ୍ଟ ରହିଛି ।

ଧାମନଗରରେ ସରିଲା ପ୍ରଚାର, ଶେଷଦିନରେ ୩ ପ୍ରମୁଖ ଦଳର ପ୍ରାଣମୂର୍ଚ୍ଛା ଲଢ଼େଇ

ଧାମନଗର: ଧାମନଗର ଉପନିର୍ବାଚନ କାଉଣ୍ଟଡାଉନ । ସରିଲା ପ୍ରଚାର ଆଉ ଦିନକ ପରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ । ପ୍ରଚାରର ଶେଷ ଦିନରେ ଭୋଟରକୁ ଆକୃଷ୍ଟ କରିବାକୁ ଜୋରଦାର କସରତ କରିଛନ୍ତି ସବୁ ଦଳର ପ୍ରାର୍ଥୀ । ଗାଁ ଗାଁରେ ବାଇକ ରାଲି ସହିତ ଷ୍ଟାର କ୍ୟାମ୍ପେନରଙ୍କ କ୍ୟାମ୍ପେନରେ କମ୍ପିଲା ଧାମନଗର । ହଜାର ହଜାର କର୍ମୀଙ୍କୁ ନେଇ ବଡ଼ ବାଇକ ରାଲି କରିଛି ବିଜେଡି । ଲୋକଙ୍କ ପାଖରେ ପହଞ୍ଚି ଭୋଟ ପାଇଁ ନିବେଦନ କରିଛି ଦଳ । ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟ ଘରଘର ବୁଲି ପ୍ରଚାର କରିଛନ୍ତି ।

ସେପଟେ ଭୋଟିଂ ପାଇଁ ପ୍ରସ୍ତୁତି କରିଛି ପ୍ରଶାସନ । ପ୍ରତି ବୁଥକୁ ପଠାଯାଉଛି ଇଭିଏମ । କାଲି ସମସ୍ତ ବୁଥରେ ଇଭିଏମ ପହଞ୍ଚିବ । ଉପନିର୍ବାଚନରେ ୨ ଲକ୍ଷ ୩୮ ହଜାର ୪୧୭ ମତଦାତା ବାଛିବେ ନିଜର ବିଧାୟକଙ୍କୁ । ମତଦାନ ପାଇଁ ୨୫୨ ପୋଲିଂ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ୮୦ ବର୍ଷରୁ ଅଧିକ ବୟସ୍କ କିମ୍ବା ଦିବ୍ୟାଙ୍ଗଙ୍କଠୁ ପୋଷ୍ଟାଲ ବାଲାଟ ସଂଗ୍ରହ ହୋଇଛି । ୧୦୭ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ୨୬ ଜଣ ମାଇକ୍ରୋ ଅବଜର୍ଭର, ୨ ପ୍ଲାଟୁନ୍ ସିଆରପିଏଫ୍, ୨ ପ୍ଲାଟୁନ୍ ବିଏସଏଫ୍, ୧୭ ପ୍ଲାଟୁନ୍ ପୋଲିସ ଫୋର୍ସ ନିର୍ବାଚନ ପାଇଁ ମୁତୟନ ହେବେ । ନଭେମ୍ବର ୩ ତାରିଖରେ ଭୋଟ ହୋଇ ୬ ତାରିଖରେ ଫଳ ପ୍ରକାଶ ପାଇବ । ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ।