spot_img
Home Blog Page 3897

ପରାଜୟ ଭୟରେ ନିୟମ ଉଲଂଘନ କରୁଛି ବିଜେପି, CEOଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ସୁଧୁରୁନି ବିଜେପି । ଧାମନଗର ଉପ ନିର୍ବାଚନରେ ପରାଜୟ ଭୟରେ ବିଜେପି ସମସ୍ତ ନିୟମ ଉଲଂଘନ କରୁଛି । ବାରମ୍ବାର ମହିଳାଙ୍କ ଉପରେ ଆକ୍ରମଣ କରି ଚାଲିଛି ବିଜେପି । ଅଶୋଭନୀୟ ଆଚରଣ କରିବା ସହ ଗାଳି ଗୁଲଜ କରୁଛି ବିଜେପି । ମହିଳାଙ୍କୁ ବଦନାମ କରିବାକୁ ପଛାଉନାହିଁ ବିଜେପି । ଏନେଇ ପୁଣି ସିଇଓଙ୍କୁ ନିକଟରେ ଫେରାଦ ହୋଇଛି ବିଜେଡିର ୭ ଜଣିଆ ପ୍ରତିନିଧି ଦଳ । ବିଜେପିର ଗୁଣ୍ଡାଗର୍ଦ୍ଦି ଦିନକୁ ଦିନ ସୀମା ଟପିବାରେ ଲାଗିଛି । ମହିଳା ଏସଏଜିଙ୍କ ବିରୋଧରେ ଫେକ ଭିଡିଓ କରିଥିଲା ବିଜେପି । ଏହା ଦ୍ବାରା ଧାମନଗରର ନାରୀ ଶକ୍ତି ଓ ମହିଳା ଏସଏଜିଙ୍କ ଗାରିମାଙ୍କୁ ନଷ୍ଟ କରିବାକୁ ଚେଷ୍ଟା କରିଛି ବିଜେପି ।

ବରିଷ୍ଠ ମନ୍ତ୍ରୀଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ ବିଜେପି କର୍ମୀ । ଏପରିକି ଗତକାଲି ଜଣେ ମହିଳା ମମତା ଆଚାର୍ଯ୍ୟଙ୍କୁ ଆକ୍ରମଣ କରିବା ସହ ତାଙ୍କ ମିଠା ଦୋକାନ ଭଙ୍ଗାରୁଜା କରାଯାଇଛି । ବିଜେପିର ଜଣେ କ୍ୟାଡର ଏହି କାର୍ଯ୍ୟ କରିଛନ୍ତି । ଏନଏସଏରେ ବୁକ ହୋଇଥିବା ଜଣେ ଅପରାଧି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର କର୍ମୀ ଏହି କାର୍ଯ୍ୟ କରିଛନ୍ତି । ବିଜେପିର ଏହି ମହିଳା ବିରୋଧୀ ଆଚରଣକୁ ବିଜେଡି ନିନ୍ଦା କରିଛି ।

ନିଶାଡ଼ି ଖଟିରେ ପୋଲିସର ଅତର୍କିତ ଚଢ଼ାଉ, ୭ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ନିଶାଡ଼ି ଖଟିରେ କମିଶନରେଟ୍ ପୋଲିସର ଅତର୍କିତ ଚଢ଼ାଉ । ନିଶା ଖାଇବା ସହ ନିଶା କାରବାରରେ ଲିପ୍ତ ଥିବା ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ବ୍ରାଉନସୁଗାର ଖାଇବା ସହ ନିଜ ସାଙ୍ଗ ସାଥିଙ୍କୁ ନିଶାରେ ନିୟୋଜିତ କରାଇବା ଓ ନିଶା ବିକ୍ରି କରୁଥିବା ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏବେ ଫେରାର ଅଛନ୍ତି । ପୋଲିସ ଏମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ମିଳିଛି । ନିଶା ଖାଇବା ପରେ ଅଭିଯୁକ୍ତମାନେ କୌଣସି ଅପରାଧରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ଖୋଳତାଡ଼ ଜାରି ରଖିଛି ପୋଲିସ ।

ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା, ଚାକିରିରୁ ବିଦା ହେଲେ ୧୪ ଅଧିକାରୀ

ଭୁବନେଶ୍ୱର: ପୁଣି 5T ଛାଟ । ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ ନୀତି । ଅପାରଗ, ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ଆଜି ପୁଣି ବଡ଼ ଆକ୍ସନ୍। ଏକକାଳୀନ ଚାକିରିରୁ ବିଦା ହେଲେ ୧୪ ଅଧିକାରୀ । ୪ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର, ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଓ ୬ ଜଣଙ୍କ ପେନସନ୍‌ ସ୍ଥାୟୀଭାବେ ସ୍ଥଗିତ ରଖିଲେ ସରକାର । ଜଣେ ସୁପରିନ୍‌ଟେଣ୍ଡେଣ୍ଟ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଡିଏସପି, ଜଣେ ସିଡିପିଓ, ଜଣେ ଫରେଷ୍ଟ ରେଞ୍ଜ ଅଫିସର, ଜଣେ ତହସିଲଦାର,  ଜଣେ ବି.ଡି.ଓ, ଜଣେ ସିନିଅର ମ୍ୟାନେଜର, ଜଣେ ଟ୍ୟାକ୍ସ କଲେକ୍ଟର, ଜଣେ ସପ୍ଲାଇ ଇନ୍ସପେକ୍ଟର ଓ ୩ ଜଣ ଜୁନିଅର ଇଞ୍ଜିନିୟର ସାମିଲ ଅଛନ୍ତି  । 5T ଓ  ମୋ  ସରକାର  ବ୍ୟବସ୍ଥାରୁ  ମିଳିଥିବା ଫିଡବ୍ୟାକ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବର୍ଷକ ମଧ୍ୟରେ ଏପର୍ଯ୍ୟନ୍ତ ୧୮୭ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲାଣି  ।

କଟକ ପି.ଏଚ. ଡିଭିଜନର ସୁପରିନଟେଣ୍ଡେଣ୍ଟ ଇଞ୍ଜିନିୟର ନବକିଶୋର ସାମଲଙ୍କ ନାମରେ ଟେଣ୍ଡର ଓ ଚୁକ୍ତି ପରିଚାଳନା ପ୍ରକ୍ରିୟାରେ ଅନିୟମିତତା ଓ ନିଜ ପଦବୀର ଅପବ୍ୟବହାର ଆଦି ଗମ୍ଭୀର ଅଭିଯୋଗ ଥିଲା । ତାଙ୍କୁ ପୂର୍ବରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି ଢେଙ୍କାନାଳ IUCAWର (ମହିଳା ମାନଙ୍କ ଉପରେ ଅପରାଧ ଘଟଣାର ତଦନ୍ତ କରୁଥିବା ୟୁନିଟ) ପୂର୍ବତନ ଡିଏସପି ମଳୟ କିଶୋର ନାୟକଙ୍କ ନାମରେ ଲାଞ୍ଚ ଗ୍ରହଣର ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା । ତାଙ୍କ ନାମର ଦୁଇଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯାଇଥିଲା । ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସୁନ୍ଦରଗଡ ମ୍ୟୁନିସିପାଲଟିର ଆସିଷ୍ଟାଣ୍ଟ ଇଞ୍ଜିନିୟର ଜୟନ୍ତ ନାରାୟଣ ପଣ୍ଡାଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି । ତାଳଚେର ମ୍ୟୁନିସପାଲ୍ଟିର ପୂର୍ବତନ ଟ୍ୟାକ୍ସ କଲେକ୍ଟର କ୍ଷୀରୋଧ ଚନ୍ଦ୍ର ରାଉତଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଅନ୍ୟପକ୍ଷରେ କୋରାପୁଟ ଲମତାପୁଟ ବ୍ଲକର ପୂର୍ବତନ ସିଡିପିଓ ସ୍ବର୍ଣ୍ଣଭା ଦାସଙ୍କ ନାମରେ ଲାଞ୍ଚ ଗ୍ରହଣ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା। ସେଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ପୂର୍ବତନ ବିଡିଓ ଦାମୋଦର ମହାଲିକ ଏକ ଲାଞ୍ଚ ଗ୍ରହଣ ତଥା ନିଜ ପଦବୀର ଅପବ୍ୟବହାର ଆଦି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ର ପୂର୍ବତନ ଜୁନିଅର ଇଞ୍ଜିନିୟର ତଥା ବର୍ତ୍ତମାନ ଦଶମନ୍ତପୁର ବ୍ଲକର ଜୁନିଅର ଇଞ୍ଜିନିୟର ମନୋଜ କୁମାର ବେଉରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ବୌଦ୍ଧ ଫରେଷ୍ଟ ଡିଭିଜନର ପୂର୍ବତନ ରେଞ୍ଜ ଅଫିସର ତଥା ବର୍ତ୍ତମାନ ସୁନ୍ଦରଗଡ ବଡଗାଁ ରେଞ୍ଜରେ ଅବସ୍ଥାପିତ ଫରେଷ୍ଟ ରେଞ୍ଜର ଶ୍ରୀ ଦିଲ୍ଲିପ କୁମାର ଦିଗଲ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଅସାଧୁତା ତଥା ଅପାରଗତା  କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି।

ନୟାଗଡ଼ ଖଣ୍ଡପଡ଼ା ତହସିଲର ପୂର୍ବତନ ତହସିଲଦାର ପଞ୍ଚାନନ ବାରିକ ଗୋଟିଏ ଲାଞ୍ଚ ଗ୍ରହଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ସେହିପରି ଗଜପତି ଜିଲ୍ଲା ମୋହନା ବ୍ଲକର ପୂର୍ବତନ ସପ୍ଲାଇ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ପାତ୍ର ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।  ଅସାଧୁତା କାରଣରୁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।

ଢେଙ୍କାନାଳ RWSS Divisionର ପୂର୍ବତନ ଆସିଷ୍ଟାଣ୍ଟ ଇଞ୍ଜିନିୟର ପ୍ରସନ୍ନ କୁମାର ପାଣି ଅର୍ଥ ଆତ୍ମସାତ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲାରେ ସେ ଦୋଷୀସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନସନ ଓ ଗ୍ରାଚ୍ୟୁଇଟିକୁ ସ୍ଥଗିତ ରଖାଯାଇଛି ।

କୋରାପୁଟ ନନ୍ଦପୁର ବ୍ଲକର ଦାୟିତ୍ବରେ ଥିବା ପୂର୍ବତନ ଜୁନିଅର ଇଞ୍ଜିନିୟର ଦୁଷ୍ମନ୍ତ କୁମାର ନାୟକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।

ଭୁବନେଶ୍ବର ଓବିସିସିର ପୂର୍ବତନ ସିନିଅର ମ୍ୟାନେଜର(ଟେଣ୍ଡର) ଶ୍ରୀ ସୋମନାଥ ପଣ୍ଡା ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।  ଅସାଧୁତା କାରଣରୁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ସେହିପରି ଭୁବନେଶ୍ବର ଆଇଆରସି ଭିଲେଜ ମେଣ୍ଟେନାନସ ସେକ୍ସନର ପୂର୍ବତନ ଜୁନିଅର ଇଞ୍ଜିନିୟର କୁଞ୍ଜବିହାରୀ ମହାପାତ୍ରଙ୍କ ନାମରେ ଅର୍ଥ ଆତ୍ମସାତ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା । ସେଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।

 

ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ, ରାଧା ପାଦ ଦର୍ଶନ କରିପାରିବେ ଭକ୍ତ

ପୁରୀ: ଆସନ୍ତାକାଲି ପବିତ୍ର ଅଁଳା ନବମୀ । ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିରରେ ରାଧା ପାଦ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ, ତେବେ ରାଧା ପାଦ ସ୍ପର୍ଶ ନେଇ କଟକଣା ଲାଗୁ କରାଯାଇଛି । ଅଁଳା ନବମୀରେ ଓଡିଆଣୀ ବେଶରେ ଦର୍ଶନ ଦେବେ ଶ୍ରୀରାଧା । ବର୍ଷକରେ ଥରେ ଓଡ଼ିଆଣୀ ବେଶ ସହ ରାଧା ପାଦ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ । କୋଭିଡ କଟକଣା ପାଇଁ ଦୁଇ ବର୍ଷ ଧରି  ଭକ୍ତଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଥିଲା । ଚଳିତ ବର୍ଷ କଟକଣା କୋହଳ ପରେ ଶ୍ରଦ୍ଧାଳୁ ଦର୍ଶନ ସୁଯୋଗ ପାଇବେ। ଏଥିପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ସ୍ୱତନ୍ତ୍ର ଦେବ ନୀତି ନିର୍ଦ୍ଧାରଣ କରାଯାଇଛି ।

ମଙ୍ଗଳା ଆରତୀ, ମର୍ଦନ ଅବକାଶ, ନଟବର ବେଶ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ମଦନ ମୋହନ ଭୋଗ, ଆଦି ମା’ଙ୍କର ସେବା ରୀତିନିତୀ ସହ ସଂପନ୍ନ ହେବା ପରେ ଭୋର ୫ଟାରୁ ଭକ୍ତଙ୍କ ପାଇଁ ସାହାଣ ମେଳା ଦର୍ଶନ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତମାନେ ଧାଡ଼ିରେ ଯାଇ ଦର୍ଶନ କରିପାରିବେ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ନେଇ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ବାଲିଯାତ୍ରା ପ୍ଲଟ୍ ପାଇଁ ଆରମ୍ଭ ହୋଇଛି ଅନ୍ ଦି ସ୍ପଟ୍‌ ବୁକିଂ

କଟକ: ବାଲିଯାତ୍ରାକୁ ଆଉ ୮ ଦିନ । ସେଥିପାଇଁ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ବାଲିଯାତ୍ରାକୁ ଆଡ଼ମ୍ବର କରିବା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ରାଜ୍ୟ ତଥା ରାଜ୍ୟ ବାହାରୁ ବ୍ୟବସାୟୀମାନେ ବାଲିଯାତ୍ରାରେ ବ୍ୟବସାୟ କରିବା ପାଇଁ ଆସୁଥିବାବେଳେ ଉପର ପଡ଼ିଆରେ ସମ୍ପୂର୍ଣ ପ୍ଲଟ୍ ବୁକିଂ ସରିଛି ।

ଆଜି ତଳ ପଡ଼ିଆରେ ବଳକା ପ୍ଲଟ ପାଇଁ ଆରମ୍ଭ ହୋଇଛି ଅନ ଦ ସ୍ପଟ ବୁକିଂ। ୨୫୦ ପ୍ଲଟ୍ ପାଇଁ ଚାଲିଛି ବୁକିଂ । ବୁକିଂ ପାଇଁ ବାରବାଟୀ ପ୍ୟାଲେସରେ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼ ଲାଗି ରହିଛି । ଆଜି ଓ ଆସନ୍ତାକାଲି ବାରବାଟୀ ପ୍ୟାଲେସରେ ସ୍ପଟ ବୁକିଂ ହେବ ।

ମେକ୍ ଇନ ଓଡ଼ିଶା ପାଇଁ ଭୂମି ପୂଜା, ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଚାଲିବ କନକ୍ଲେଭ୍

ଭୁବନେଶ୍ୱର: ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଭୁବନେଶ୍ୱର ଜନତା ମୈଦାନରେ ଭୂମି ପୂଜନ ଅନୁଷ୍ଠିତ ହୋଇଛି । ଏଥିରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ IDCOର ଜେନେରାଲ୍ ମ୍ୟାନେଜର ଭୂପେନ୍ଦ୍ର ସିଂହ ପୁନିଆ ଉପସ୍ଥିତ ଥିଲେ । ଆସନ୍ତା ନଭେମ୍ୱର ୩୦ରୁ ଡିସେମ୍ୱର ୪ ତାରିଖ ପର୍ଯ୍ୟନ୍ତ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ହେବ । ସେଥିପାଇଁ ଆଜିଠାରୁ ଜନତା ମଇଦାନରେ ଭୂମି ପୂଜନ ସହ ପାଭିଲିୟନ ନିର୍ମାଣ ଆରମ୍ଭ ହୋଇଛି । ପୁଞ୍ଜି ନିବେଶକାରୀଙ୍କ ପାଇଁ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱେବ୍ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଚଳିତବର୍ଷ ନୂଆ ଶିଳ୍ପନୀତି-୨୦୨୨ ଆସିବ। ଏଥିରେ ଇସ୍ପାତ ଓ ଆଲୁମିନିୟମ ଶିଳ୍ପକୁ ଅଗ୍ରାଧିକାର ଦିଆଯାଉଛି। ରାଜ୍ୟରେ ଗଚ୍ଛିତ କଞ୍ଚାମାଲକୁ ଅଗ୍ରାଧିକାର ଦେଇ ପୁଞ୍ଜିନିବେଶକୁ ଉତ୍ସାହିତ କରାଯାଉଛି । ଅଧିକ ରୋଜଗାର ସୃଷ୍ଟି ପାଇଁ ଉଦ୍ୟମ କରାଯିବ। ଶିଳ୍ପନୀତି-୨୦୨୨ରେ ପଶ୍ଚିମ ଓଡ଼ିଶାରେ ଶିଳ୍ପାୟନକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଶିଳ୍ପନୀତିରେ ବିଜୁ ଇକୋନୋମିକ କରିଡରର ବ୍ୟବସ୍ଥା ହେବ। ହସ୍ତତନ୍ତ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ପାଇଁ ପୁଞ୍ଜି ସବସିଡି ସହ ବିଦ୍ୟୁତ ସବସିଡି ମଧ୍ୟ ଯୋଗାଇ ଦିଆଯିବ।

ପୂର୍ବରୁ ଦୁବାଇ, ଅହମ୍ମଦାବାଦ, ନୂଆଦିଲ୍ଲୀ, ମୁମ୍ୱାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ନିବେଶକାରୀଙ୍କ ସହ ଆଲୋଚନା ହୋଇଛି । ପୁଞ୍ଜିନିବେଶ ପାଇଁ ୨୩୦ଟି ଆବେଦନ ପତ୍ର ମିଳିଛି । ୧୮୦ଟି ଲେଟର ଅଫ ଇଣ୍ଟେଣ୍ଟ ଆସିଛି । ଏସବୁକୁ ସମୀକ୍ଷା କରାଯାଉଛି । ମେକ୍‌ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣକୁ ଚିତ୍ତାକର୍ଷକ ଓ ବଡ଼ ଆକାରରେ କରିବାକୁ ପ୍ରସ୍ତୁତି ଚାଲିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସହଭାଗିତା ପାଇଁ ନରୱେ ଓ ଜର୍ମାନୀ ଆଗ୍ରହ ପ୍ରକାଶ କରିଛନ୍ତି ।

ଟି-୨୦ ବିଶ୍ୱକପରୁ ପ୍ରଥମ ଦଳ ଭାବେ ବାଦ୍ ପଡ଼ିଲା ଆଫଗାନିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଆଫଗାନିସ୍ତାନ କ୍ରିକେଟ ପ୍ରେମୀଙ୍କ ପାଇଁ ଦୁଃଖ ଖବର । ଟି-୨୦ ବିଶ୍ୱକପ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଲା ଆଫଗାନିସ୍ତାନ । ଔପଚାରିକ ଭାବେ ଟି-୨୦ ବିଶ୍ୱକପରୁ ବାହାର ହୋଇଯାଇଛି ଦଳ । ଏବେ ସେ ସେମିଫାଇନାଲ ପହଞ୍ଚିବାର କୌଣସି ସୁଯୋଗ ନାହିଁ । ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୬ୱିକେଟରେ ପରାଜୟର ସାମ୍ନା କରିବା ପରେ ଦଳ ବାଦ୍ ପଡ଼ିଛି ।

ଏବେ କାବୁଲ ଫେରିବା ପାଇଁ ଦଳକୁ ପ୍ରସ୍ତୁତି କରିବାକୁ ହେବ । ଚଳିତଥର ଆଫଗାନିସ୍ତାନକୁ ସୁପର-୧୨ରେ ସିଧା ପ୍ରବେଶ ମିଳିଥିଲା, କିନ୍ତୁ ସେ ସେମିଫାଇନାଲରେ ସ୍ଥାନ ସୃଷ୍ଟି କରିପାରିଲା ନାହିଁ । ଚଳିତ ଟି-୨୦ ବିଶ୍ୱକପରେ ଏଯାବତ ଆଫଗାନିସ୍ତାନ ୪ଟି ମ୍ୟାଚ୍ ଖେଳିସାରିଛି । ଏଥିମଧ୍ୟରୁ ୨ଟିରେ ପରାଜୟର ସମ୍ମୁଖୀନ ହୋଇଥିବା ବେଳେ ୨ଟି ମ୍ୟାଚ୍ ବର୍ଷା କାରଣରୁ ଧୋଇଯାଇଥିଲା ।

ଏଥିପାଇଁ ଆଫଗାନିସ୍ତାନକୁ ୨ ପଏଣ୍ଟ ମିଳିଥିଲା । ଏବେ ଆଫଗାନିସ୍ତାନ କେବଳ ଗୋଟିଏ ମ୍ୟାଚ୍ ଖେଳିବା ବାକି ରହିଛି, ଯଦି ଏହି ମ୍ୟାଚ୍ ସେ ଜିତି ବି ଯାଏ ତେବେ ମୋଟ ପଏଣ୍ଟର ସଂଖ୍ୟା ୪ ହିଁ ହେବ । ଅର୍ଥାତ ସେମିଫାଇନାଲରେ ପହଞ୍ଚିବାର କୌଣସି ସୁଯୋଗ ନାହିଁ । ଶେଷ ମ୍ୟାଚ୍ କେବଳ ଔପଚାରିକ ପାଇଁ ଖେଳିବ ।

ଆଫଗାନିସ୍ତାନ ପ୍ରଥମ ମ୍ୟାଚରେ ଇଂଲଣ୍ଡଠାରୁ ୫ ୱିକେଟରେ ପରାଜିତ ହୋଇଥିଲା । ଏହାପରେ ନ୍ୟୁଜିଲାଣ୍ଡ ଓ ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବର୍ଷା କାରଣରୁ ରଦ୍ଦ ହୋଇଥିଲା । ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିଲା । ଆଜି ଶ୍ରୀଲଙ୍କାଠାରୁ ୬ୱିକେଟରେ ପରାଜୟର ସାମ୍ନା କରିଛି । ଆଗାମୀ ମ୍ୟାଚ୍ ୪ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଛି ।

ଧମକ ମିଳିବା ପରେ ବଢ଼ାଗଲା ସଲମାନ ଖାନଙ୍କ ସୁରକ୍ଷା

ମୁମ୍ବାଇ: ବଲିଉଡ ମେଗାଷ୍ଟାର ସଲମାନ ଖାନଙ୍କ ସୁରକ୍ଷା ବଢ଼ାଇଛି ମୁମ୍ବାଇ ପୋଲିସ । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଧମକ ଦେବା ପରେ ସୁରକ୍ଷା ବୃଦ୍ଧି କରାଯାଇଛି । ପୂର୍ବରୁ ମଧ୍ୟ ହତ୍ୟା ଧମକ ପରେ ସୁରକ୍ଷା ବଢ଼ାଯାଇଥିଲା । ଏବେ ପୂର୍ବଠାରୁ ଆହୁରି ଅଧିକ କଡ଼ାକଡ଼ି କରାଯାଇଛି ସୁରକ୍ଷା । ଜୀବନରୁ ମାରିଦେବାକୁ ଧମକ ମିଳିବା ପରେ ତାଙ୍କୁ Xପ୍ଲସ୍ ସୁରକ୍ଷା ଦିଆଯାଇଥିଲା ।

କିନ୍ତୁ ଏବେ ମୁମ୍ବାଇ ପୋଲିସର ପ୍ରୋଟେକ୍ସନ ବ୍ରାଞ୍ଚ ସଲମନ ଖାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବୃଦ୍ଧି କରି Yପ୍ଲସ୍ କରିଦେଇଛି । ପଞ୍ଜାବରେ ସିଦ୍ଧୁ ମୁଜେୱାଲାଙ୍କ ହତ୍ୟା ପରେ ପୋଲିସ ଅଧିକ ସତର୍କ ହୋଇଛି । ସଲମାନ ଖାନଙ୍କ ସହ ପୂର୍ବରୁ ଜଣେ ପୋଲିସ କର୍ମଚାରୀ ହାତରେ ବନ୍ଧୁକ ଧରି ସବୁବେଳେ ନିୟୋଜିତ ରହୁଥିଲେ । କିନ୍ତୁ ଏବେ ଦୁଇଜଣ ପୋଲିସ କର୍ମୀ ୨୪ ଘଣ୍ଟା ବନ୍ଧୁକ ଧରି ତାଙ୍କ ସହ ରହିବେ ।

ଗୁଜୁରାଟ ନିର୍ବାଚନ ପୂର୍ବରୁ କେନ୍ଦ୍ରର ବଡ଼ ଚାଲ୍; ଶରଣାର୍ଥୀଙ୍କୁ ଦେବେ ନାଗରିକତା ପ୍ରମାଣପତ୍ର

ନୂଆଦିଲ୍ଲୀ: ଗୁଜରାଟରେ କେନ୍ଦ୍ରର ନିର୍ବାଚନୀ ଚାଲ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସଂଖ୍ୟଲଘୁଙ୍କ ନାଗରିକତାକୁ ନେଇ ବଡ଼ ଘୋଷଣା । ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲା ଶରଣାର୍ଥୀଙ୍କୁ ନାଗରିକତା ପ୍ରମାଣପତ୍ର ଦେବେ ସରକାର । ଏହି ତିନି ରାଷ୍ଟ୍ରରୁ ଆସିଥିବା ଶହ ଶହ ଶରଣାର୍ଥୀ ଗୁଜରାଟର ଦୁଇଟି ଜିଲ୍ଲାରେ ରହିଆସୁଛନ୍ତି ।

ନାଗରିକତା ଆଇନ ୧୯୫୫ ଆଧାରରେ ସେମାନଙ୍କୁ ନାଗରିକତା ପ୍ରମାଣପତ୍ର ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ଘୋଷଣା କରିଛନ୍ତି । ଏ ନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି । ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଚାଲି ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ୍ ଓ ପାରସୀ ଆଦି ନାଗରିକଙ୍କୁ ନାଗରିକତା ପ୍ରମାଣପତ୍ର ଦେବାକୁ ନିଷ୍ପତ୍ତି ହୋଇଛି । ଏ ନେଇ ଅନଲାଇନରେ ଆବେଦନ କରିବାକୁ ହେବ । ଜିଲ୍ଲାପାଳ ଆବେଦନ ଫର୍ମର ଯାଞ୍ଚ କରିବେ । ଏହାପରେ ଆବେଦନ ଫର୍ମ ସହ ଜିଲ୍ଲାପାଳ ଯାଞ୍ଚ ରିପୋର୍ଟ ଗୃହ ମନ୍ତ୍ରଣାଳୟରେ ଦାଖଲ କରିବେ ।

ରାଜଧାନୀ ଦିଲ୍ଲୀରେ ଗମ୍ଭୀର ହେଉଛି ପ୍ରଦୂଷଣ ମାତ୍ରା

ନୂଆଦିଲ୍ଲୀ: ଜହର ହେଲାଣି ଦିଲ୍ଲୀ ହାଓ୍ବା । ଗତ ସପ୍ତାହେ ଧରି ରାଷ୍ଟ୍ରୀୟ ରାଜଧାନୀରେ ଗମ୍ଭୀର ହୋଇଛି ପ୍ରଦୂଷଣ ମାତ୍ରା । ଅଧିକାଂଶ ସ୍ଥାନରେ କାର୍ବନ ମନୋସ୍କାଇଡ ସ୍ତର ବୃଦ୍ଧି ଯୋଗୁ ଅଣନିଶ୍ବାସୀ ହୋଇଛନ୍ତି ରାଜଧାନୀ ବାସିନ୍ଦା । ଆଜି ସକାଳୁ ୯ ସ୍ଥାନରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪ଶହ ଉପରେ ରେକର୍ଡ ହୋଇଛି । ନରେଲାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୫୭୧ ରେକର୍ଡ ହୋଇଛି । ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ ବୋଲି ଆଶଙ୍କା କରାଯାଉଛି । କେଜରିୱାଲ ସରକାର ପକ୍ଷରୁ ପ୍ରଦୂଷ ମାତ୍ରା କମାଇବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ହେଲେ ପ୍ରଦୂଷଣ ରୋକିବାରେ ସମସ୍ତ ପଦକ୍ଷେପ ବିଫଳ ସାବ୍ୟସ୍ତ ହେଉଛି ।