spot_img
Home Blog Page 3908

ରାୟଗଡ଼ା ମୁଖ୍ୟ ବଜାରରେ ଲାଗିଲା ନିଆଁ, ଜଳିଗଲା ୩ କୋଟିରୁ ଅଧିକ ସମ୍ପତ୍ତି

ରାୟଗଡ଼ା: ସହରର ମୁଖ୍ୟ ବଜାରରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ୨ଟି ଦୋକାନରେ ଲାଗିଲା ନିଆଁ । କପିଳାସ ରୋଡରେ ଥିବା ନଟରାଜ ହାର୍ଡୱେର ଓ ଶ୍ରୀ ପରମ ଜ୍ୟୋତି ମେଡିକାଲ ଷ୍ଟୋରରେ ଅଗ୍ନିକାଣ୍ଡ ଘଟି ୩ କୋଟିରୁ ଉର୍ଦ୍ଧ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ରାୟଗଡ଼ା ଓ କୋଲନରାର ଅଗ୍ନିଶମ ବିଭାଗର ୨ଟି ଦଳ ଦୀର୍ଘ ୪ ଘଣ୍ଟା ଧରି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ। ବିଳମ୍ବିତ ରାତିରେ ପ୍ଲାଷ୍ଟିକ ଓ ରସାୟନ ସାମଗ୍ରୀ ଥିବା ଯୋଗୁଁ ନିଆଁକୁ ଆୟତ କରିବା କଷ୍ଟ ହୋଇପଡିଥିଲା ।

ପଟ୍ଟାମୁଣ୍ଡାଇ କେନାଲରେ ୧୦୦ ଫୁଟର ଘାଈ, ଭାସିଗଲା ୬ ଦୋକାନ

କଟକ: ମାହାଙ୍ଗା ତ୍ରିବେଣୀଶ୍ୱର ପଟ୍ଟାମୁଣ୍ଡାଇ କେନାଲରେ ୧୦୦ଫୁଟରୁ ଉର୍ଦ୍ଧ ଘାଈ ସୃଷ୍ଟି ହୋଇଛି । ପାଗା କୁଆଁପାଳ ପୂର୍ତ୍ତ ରାସ୍ତା ବିଛିନ୍ନ ହୋଇଛି । ବିରୂପା ନଦୀକୁ ଭସାଇ ନେଲା ୬ଦୋକାନ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ତ୍ରିବେଣୀଶ୍ୱର ଠାରେ ପଟ୍ଟାମୁଣ୍ଡାଇ କେନାଲ ବାମ ପାର୍ଶ୍ୱ ବନ୍ଧ କୁଆଁପାଳ-ଗୋପିନାଥପୁର ପୂର୍ତ୍ତ ରାସ୍ତାରେ ବିଳମ୍ବିତ ରାତିରେ ୧୦୦ଫୁଟରୁ ଉର୍ଦ୍ଧ ଘାଇ ସୃଷ୍ଟି ହୋଇଛି।

କେନାଲ ବନ୍ଧ କଡ଼ରେ ଥିବା ସହଜ ଜନସେବା କେନ୍ଦ୍ର, ଟେଣ୍ଟ ହାଉସ, ତେଜରାତି, ସାନିଟାରୀ, ଟେଶନାରୀ ଆଦି ୬ଟି ଦୋକାନ ଗୃହରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ବିରୂପା ନଦୀକୁ ଭସାଇ ନେଇଛି।

ଆଜି ପାଳନ ହେବ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ

ଭୁବନେଶ୍ୱର: ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ଉଦଘାଟନ କରିବେ। ବିପର୍ଯୟ ପରିଚାଳନା ସହ ଜଡ଼ିତ ସମସ୍ତ ବିଭାଗ ଉପସ୍ଥିତ ରହି ନିଜ ପ୍ରସ୍ତୁତିକୁ ଉପସ୍ଥାପନ କରିବେ । କେନ୍ଦ୍ର ସରକାରଙ୍କ କମ ସହଯୋଗ ସତ୍ୱେ ରାଜ୍ୟ କିପରି ଏକାକି ପ୍ରାକୃତିକ ବିପର୍ଯୟ ମୁକାବିଲା କରୁଛି, ସେ ଦିଗରେ ଜାରିଥିବା କାମକୁ ବି ସମାରୋହର ଫୋକସରେ ରଖାଯିବ ।

ସୂଚନାଯୋଗ୍ୟ, ୧୯୯୯ମସିହା ଅକ୍ଟୋବର ୨୯ ତାରିଖରେ ଓଡ଼ିଶାରେ ପ୍ରଳୟଙ୍କାରୀ ମହାବାତ୍ୟା ହୋଇ ଧନଜୀବନ ନଷ୍ଟ ହୋଇଥିଲା । ତେଣୁ ପ୍ରତିବର୍ଷ ଏହି ଦିନକୁ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରୁଛନ୍ତି ଓଡ଼ିଶା ସରକାର ।

ଜୟପୁରବାସୀଙ୍କ ସ୍ୱପ୍ନ ହେବ ସାକାର, ୩୧ରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର: ପୂରଣ ହେବ ଜୟପୁରବାସୀଙ୍କ ସ୍ୱପ୍ନ । ଆସନ୍ତା ୩୧ ତାରିଖରୁ ଭୁବନେଶ୍ୱରରୁ ଜୟପୁରକୁ ପ୍ରଥମ ଉଡାଣ ଆରମ୍ଭ କରିବ ଇଣ୍ଡିଆ ୱାନ ଏୟାର। ଜୟପୁରକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏରୋଡ୍ରମ ମାନ୍ୟତା ମିଳିବା ପରେ ଏହା ହେବ ପ୍ରଥମ ଉଡାଣ । ଇଣ୍ଡିଆ ୱାନ ଏୟାର ମାତ୍ର ୯୯୯ ଟଙ୍କାରେ ପ୍ରଥମ ଉଡାଣ ଆରମ୍ଭ କରିବାକୁ ସୂଚନା ଦେଇଛି । କମ୍ପାନି ନିଜ ୱେବସାଇଟ ଜରିଆରେ ବୁକିଂ ଆରମ୍ଭ କରିଛି । ଦୁଇଦିନ ଯାଏ ଅଫରରେ କମ ଭଡ଼ା ରହିଛି । ୩୧ତାରିଖ ଦିନ ପୂର୍ବାହ୍ନ ୧୦.୩୦ରେ ମୁଖ୍ୟମନ୍ତ୍ରୀ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଭୁବନେଶ୍ୱରରୁ ୧୧.୩୫ରୁ ବାହାରି ଜୟପୁର ରେ ୧.୨୦ରେ ପହଂଚିବ । ଜୟପୁରରୁ ୧.୪୦ରେ ବାହାରି ବିଶାଖାପାଟଣାରେ ୨.୩୦ରେ ପହଂଚିବ । ସେଠାରୁ ୩.୦୦ରୁ ବାହାରି ଜୟପୁରରେ ୩.୫୦ରେ ପହଂଚିବ । ଜୟପୁରରୁ ୪.୦୫ରୁ ବାହାରି ୫.୫୦ରେ ଭୁବନେଶ୍ୱରରେ ପହଂଚିବ। ଏବେ ଗୋଟିଏ ଏୟାର କ୍ରାପ୍ଟ ଚାଲିବ। ଯାତ୍ରୀ ମାନଙ୍କପାଇଁ 2500ଟଙ୍କା ଭଡା ରହିବ। ଏୟାର କ୍ରାପ୍ଟରେ ସର୍ବାଧିକ ୯ ଜଣ ଯାତ୍ରୀ ଯାଇପାରିବେ ।

ଉଡ଼ାଣ ଦିବସର ଗୋଟିଏ ଦିନ ପୂର୍ବରୁ ଗତ ୨୦ ତାରିଖ ଦିନ ଜୟପୁରକୁ ଏରୋଡ୍ରମ ଅନୁମତି ଲାଇସେନ୍ସ ଦେଇଥିଲା ଡିଜିସିଏ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ଏନେଇ ଟୁଇଟ କରି ସୂଚନା ଦେଇଥିଲେ। ତେବେ ବର୍ତ୍ତମାନ ଦୀର୍ଘ ଦିନର ଏହି ସ୍ୱପ୍ନରେ ଡେଣା ଲାଗିବାକୁ ଯାଉଛି।

ଉଡନ୍ତା ବିମାନରେ ଲାଗିଲା ନିଆଁ, ଫ୍ଲାଇଟରେ ଥିଲେ ୧୮୪ ଯାତ୍ରୀ

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନରେ ଲାଗିଲା ନିଆଁ  । ବେଙ୍ଗାଲୁରୁ ଅଭିମୁଖେ ଗ୍ରସ୍ତ କରୁଥିବା  ବିମାନର ଡେଣା ହଠାତ୍ ଜଳି ଉଠିଥିଲା, ଯାହା ଫଳରେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ ଗୋଷଣା କରାଯାଇଥିଲା  । ଏବଂ ଦିଲ୍ଲୀରେ ହିଁ ୫ରୁ ୭ ସେକେଣ୍ଡ ମଧ୍ୟରେ ଅବତରଣ କରିଥିଲା ବିମାନଟି  । ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରରେ ଘଟିଛି ଏହି  ଅଘଟଣ  ।

ଇଣ୍ଡିଗୋ ଫ୍ଲାଇଟ ୬E-୨୧୩୧ର ବିମାନଟି ବାଙ୍ଗାଲୁର ଅଭିମୁଖେ ଉଡ଼ାଣ ଭରିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ଜଣେ ଯାତ୍ରୀ ଦେଖିପାରିଥିଲେ  । ଏହାପରେ ବିମାନଟିକୁ  ଜରୁରୀ ଅବତରଣ କରାଯାଇଥିଲା  । ଉକ୍ତ ବିମାନରେ ୧୮୪ ଜଣ ଯାତ୍ରୀ ରହିଥିଲେ  । ଏକ ବଡ଼ ଅଘଟଣ ପୂର୍ବରୁ ବର୍ତ୍ତି ଯାଇଛି ସମସ୍ତଙ୍କ ଜୀବନ  । ସେପଟେ ସୋସିଆଲ ମିଡିଆରେ ଜଣେ ଯାତ୍ରୀ ବିମାନର ଭିଡିଓ ପୋଷ୍ଟ କରିଛନ୍ତି  ।

ୟେଉଁଥିରେ ବିମାନର ଡେଣାରେ ସ୍ପାର୍କିଂ କରୁଥିବା ଦୃଶ୍ୟମାନ ହୋଇଛି  । ତେଣେ ଇଂଜିନକୁ ଏହି ନିଆଁ ବ୍ୟାପିବା ପୂର୍ବରୁ ବିମାନଟିକୁ ଅବତରଣ କରିସାରିଥିଲା  । ସମଗ୍ର ବିମାନ ବନ୍ଦଦରେ ହାଇ ଆଲର୍ଟ ମଧ୍ୟ ଜାରି କରାଯାଇଥିଲା  । ଦମକଳ ବାହିନୀ ନିଆଁକୁ ମଧ୍ୟ ଆୟତ କରିଥିଲେ  । ଅନ୍ୟପଟେ କାହିଁକି ଏବଂ କେଉଁ କାରଣ ଯୋଗୁଁ ଫ୍ଲାଇଟରେ ନିଆଁ ଲାଗିଲା ତାହାର କାରଣ ଜଣା ପଡିନାହିଁ  । ଏହାର କାରଣ ଯଥାଶୀଘ୍ର ଖୋଜାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି  ।

ଆସିଆନ ଦେଶ ପାଇଁ ଓଡିଶା ବ୍ୟବସାୟୀକ ଗେଟୱେ, ନବୀନଙ୍କ ସହ ରାଷ୍ଟ୍ରଦୂତଙ୍କ ଆଲୋଚନା

ଭୁବନେଶ୍ୱର: ଓଡିଶା ଓ ଦକ୍ଷୀଣ-ପୂର୍ବ ଆସିଆନ ଦେଶ ମଧ୍ୟରେ ସାଂସ୍କୃତିକ ଓ ବାଣିଜ୍ୟିକ ସମ୍ପର୍କ ସୁଦୃଢ ହେବ । ଆସିଆନ ଦେଶ ପାଇଁ ଓଡିଶା ବ୍ୟବସାୟୀକ ଗେଟଓ୍ବେ । ତେଣୁ ମେକ ଇନ ଓଡିଶା କନକ୍ଲେଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ଆସିଆନ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଛନ୍ତି । ପ୍ରାକୃତିକ ସମ୍ପଦ ଓ ଭୌଗୋଳିକ ଅବସ୍ଥିତି ପାଇଁ ଓଡିଶା ପୁଞ୍ଜିନିବେଶ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି । ଆଧୁନିକତା ସହ ତାଳ ଦେଇ ଓଡିଶାରେ ମଧ୍ୟ ବୈଷୟିକ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଦି ହୋଇଛି । ଏହିଦୃଷ୍ଟିରୁ ଓଡିଶା ଓ ଆସିଆନ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ସୁଦୃଢ ହୋଇପାରିବ ।

ଏଥିସହିତ ଉଭୟଙ୍କ ମଧ୍ୟରେ ଆଗାମୀ ଦିନରେ ସାଂସ୍କୃତିକ ସମ୍ପର୍କ ସୃଷ୍ଟି କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । ମେକ ଇନ ଓଡିଶା କନକ୍ଲେଭରେ ଆସିଆନ ରାଷ୍ଟ୍ର ପକ୍ଷରୁ ଆନ୍ତର୍ଜାତିକ ପାଭିଲିଆନ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ସବୁ ପ୍ରକାର ସହଯୋଗର ପ୍ରତିଶୃତି ଦେବା ସହ ଏନେଇ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ଅବସରରେ ରୟାଲ ଥାଇର ରାଷ୍ଟ୍ରଦୂତ ପଟ୍ଟାରାତ୍ ହଙ୍ଗଟଙ୍ଗ ରାଜ୍ୟ ସରକାରଙ୍କ ଅର୍ଥନୈତିକ ଅଭିବୃଦ୍ଧି ଓ ବ୍ୟବସାୟୀକ ସୁଯୋଗକୁ ପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣରେ ଆସିଆନ ପ୍ରତିନିଧି ଦଳ ତିନିଆ ଓଡିଶା ଗସ୍ତରେ ଆସି ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ସାଂସ୍କୃତି ଓ ବ୍ୟବସାୟୀକ ସମ୍ପର୍କ ସୃଷ୍ଟି ଦିଗରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଆସିଆନ ପ୍ରତିନିଧିମଣ୍ଡଳୀର ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ, ଫାଇଭ୍ ଟି ସଚିବ, ଶଳ୍ପ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଟ୍ରାଭେଲ ବଜାରର ଚତୁର୍ଥ ସଂସ୍କରଣ ଉଦଘାଟନ, ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସଂକଳ୍ପବଦ୍ଧ ସରକାର

ଭୁବନେଶ୍ୱର: ବିଶ୍ୱ ଦେଖିବ ଓଡ଼ିଶାର ପର୍ଯ୍ୟଟନ । ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଜଣେ ପର୍ଯ୍ୟଟକ ଓଡ଼ିଶାରୁ ଭଲ ପର୍ଯ୍ୟଟନ ଅଭିଜ୍ଞତା ନେଇ ଫେରିପାରିବ । ଏଥିପାଇଁ ୧୭ଟି ସ୍ଥାନ ଚିହ୍ନଟ ହୋଇ ବିକଶିତ କରାଯାଉଛି ବୋଲି ଓଡ଼ିଶା ‘ଟ୍ରାଭେଲ ବଜାର’ର ଚତୁର୍ଥ ସଂସ୍କରଣ ଉଦଘାଟନ କରିବା ଅବସରରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ ।

ଆମ ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରୀୟ କରାଯିବା କାମ ଜାରିରହିଛି । ଭୁବନେଶ୍ୱର ଏବେ ଭାରତର କ୍ରୀଡ଼ା କ୍ୟାପିଟାଲ ପାଲଟିଛି ।ଗତ କିଛିବର୍ଷ ଧରି ଏଠାରେ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ହୋଇଆସୁଛି । ଫିଫା ୧୭ବର୍ଷରୁ କମ୍ ମହିଳା ବିଶ୍ୱକପ ସଫଳତାର ସହ ଆୟୋଜନ କରିଛୁ । ୨୦୨୩ରେ ଓଡ଼ିଶା FIH ପୁରୁଷ ହକି ବିଶ୍ୱକପ ଆୟୋଜନ କରିବାକୁ ଯାଉଛି । ତେବେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଓଡ଼ିଶା ପାଖରେ ପୂର୍ଣ୍ଣ ସମ୍ଭାବନା ରହିଛି ।

ସେହି ସମ୍ଭାବନା ବିଷୟରେ ଦେଶ ଓ ବିଦେଶର ଟୁର ଅପରେଟରମାନଙ୍କୁ ଜଣାଇବା ଲାଗି ଆୟୋଜିତ ହେଉଛି ଓଡ଼ିଶା ଟ୍ରାଭେଲ ବଜାର । ଚତୁର୍ଥ ସଂସ୍କରଣରେ ୨୫ଟି ବିଦେଶୀ ଏବଂ ଭାରତର ୮୩ ଟୁର ଅପରେଟର ଅଂଶଗ୍ରହଣ କରିଛନ୍ତି। ଟୁର୍ ଅପରେଟରମାନଙ୍କୁ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପରିଦର୍ଶନରେ ନିଆଯିବ । ନିବେଶକ ଏବଂ ଏୟାରଲାଇନ୍ସମାନଙ୍କ ସହ ବି-2-ବି ବୈଠକ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।

କଳିଙ୍ଗରେ କମାଲ କଲା ଭାରତ, ନ୍ୟୁଜିଲାଣ୍ଡ ୪-୩ରେ ହରାଇଲା ଇଣ୍ଡିଆ

ଭୁବନେଶ୍ୱର:  FIH ପ୍ରୋ ଲିଗ୍ ର ଉଦ୍ଘାଟନୀ ମ୍ୟାଚରେ ଭାରତ ର ଦମଦାର ବିଜୟ। କଳିଙ୍ଗ ଷ୍ଟାଡିୟମରେ  ଆରମ୍ଭ ହୋଇଛି ମ୍ୟାଚ  । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ କୁ ୪-୩ ହରାଇଲା ଭାରତ। ୩ୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୨ ଗୋଲରେ ପଛୁଆ ଥିବା ଭାରତ ଶେଷ କ୍ୱାର୍ଟର ୨ଟି ଗୋଲ କରି ମ୍ୟାଚ୍ କୁ ନିଜ ସପକ୍ଷ ରେ ନେଇ ଥିଲା। ଏହି ମ୍ୟାଚ୍ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଶନିବାର ସ୍ପେନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ।

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି FIH ପ୍ରୋ ଲିଗ୍ ମ୍ୟାଚ  । ଆଜି ଥିଲା ପ୍କୁରଥମ ମ୍ୟାଚ  ।  ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନୀ ମ୍ୟାଚରେ ଭାରତର ହୋଇଛି ଦମଦାର ବିଜୟ । ନ୍ୟୁଜିଲାଣ୍ଡକୁ 4-3 ଗୋଲରେ ହରାଇଛି ଘରୋଇ ଭାରତ । ତୃତୀୟ କ୍ବାର୍ଟର ଶେଷ ସୁଦ୍ଧା ୩-୨ ଗୋଲରେ ପଛୁଆ ଥିବାବେଳେ ଶେଷ କ୍ବାର୍ଟରରେ ୨ଟି ଗୋଲ କରି ମ୍ୟାଚ୍ କୁ ନିଜ ସପକ୍ଷରେ ନେଇ ଥିଲା ଭାରତ । ଆସନ୍ତାକାଲି ସ୍ପେନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ ।

ଅଭିନେତ୍ରୀଙ୍କ ଲଙ୍ଗଳା ନୃତ୍ୟ ଦେଖି ଜୋତା ଫିଙ୍ଗିଲେ ମହିଳା

ଭଦ୍ରକ: ଯାତ୍ରାରେ ଅଶ୍ଲୀଳ ନାଚକୁ ବିରୋଧ । ଜୋତା ଫିଙ୍ଗିବା ସହ ଯାତ୍ରା ବନ୍ଦ କଲେ ମହିଳା । କିଛି ସମୟ ପାଇଁ ଯାତ୍ରା ବନ୍ଦ ହୋଇଗଲା । ସୂଚନା ଅନୁଯାୟୀ କାଳୀପୂଜା ଉପଲକ୍ଷେ ଭଦ୍ରକ ଜିଲ୍ଲାରେ ଚରମ୍ପା ଅଞ୍ଚଳରେ ଯାତ୍ରା ରାଜ ନନ୍ଦିନୀ ଯାତ୍ରା ପରିବେଷଣ କରୁଛି । ରାଜ ନନ୍ଦିନୀ ଯାତ୍ରା ପାର୍ଟିର ରାନୀ ପ୍ରିୟଦର୍ଶିନୀ ନାମକ ଅଭିନେତ୍ରୀ ନାଚ ପରିବେଷଣ କରିଥିଲେ । କିନ୍ତୁ ଅଶ୍ଳୀଳ ନାଚ ଦେଖି ଦର୍ଶକଙ୍କ ମଧ୍ୟରୁ ଜଣେ ମହିଳା ନାଚୁଥିବା ଯାତ୍ରା ଅଭିନେତ୍ରୀଙ୍କ ଉପରକୁ ଜୋତା ଫିଙ୍ଗିଥିଲେ ।

ଜୋତା ଫିଙ୍ଗିବା ପରେ ମଧ୍ୟ ଅଭିନେତ୍ରୀ ଜଣଙ୍କ ନୃତ୍ୟ ଜାରି ରଖିଥିଲେ  । ପରେ ଅତିଷ୍ଠ ହୋଇ ମହିଳା ଜଣଙ୍କ ଯାତ୍ରା ପେଣ୍ଡାଲ ଉପରକୁ ଉଠିଥିଲେ  । ଏବଂ ଯାତ୍ରା ନୃତ୍ୟ ବନ୍ଦ କରିବାକୁ ମଞ୍ଚ ଉପରେ ଅଡ଼ି ବସିଥିଲେ  । ବେଶ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା ଯାତ୍ରା । ଆୟୋଜକ କମିଟି ସଦସ୍ୟ ଓ ଯାତ୍ରା ପାର୍ଟିର ସଦସ୍ୟ ମହିଳାଙ୍କୁ ବହୁ ବୁଝାସୁଝା କରିଥିଲେ  । ପରବର୍ତ୍ତୀ ସମରେ ଯାତ୍ରା ପୁଣି ଆରମ୍ଭ ହୋଇଥିବା ସୂଚନା ରହିଛି  ।

ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ କରିବ L&T, ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମେକ ଇନ ଓଡିଶା କନକ୍ଲେଭ ପୂର୍ବରୁ ବହୁ ରାଷ୍ଟ୍ରୀୟ କମ୍ପାନୀ ଏଲ ଆଣ୍ଡ ଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଏସ.ଏନ ସୁବ୍ରମଣ୍ୟମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟରେ ଶିଳ୍ପର ଅଗ୍ରଗତି ନେଇ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏଲ ଆଣ୍ଡ ଟିକୁ କେତେକ ପ୍ରସ୍ତାବ ଦେଇଛନ୍ତି । ପାରାଦ୍ବୀପ, ଗୋପାଳପୁର ଓ ଧାମରା ପରି ଶିଳ୍ପାଞ୍ଚଳରେ ଜଳ ବିଶୋଧନ ପ୍ରକଳ୍ପ ସାଙ୍ଗକୁ ଏରୋସ୍ପେସ୍ ଓ ସାମରିକ କାରଖାନା ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ମାଇଣ୍ଡ ଟ୍ରି ପକ୍ଷରୁ ରାଜ୍ୟରେ ଗ୍ଲୋବାଲ ଲର୍ଣ୍ଣିଂ ଓ ସଫ୍ଟେୱେୟାର ଡେଲିଭରି ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଏହାକୁ ଡେଭଲପମେଣ୍ଟ ସେଣ୍ଟର ଭାବେ ରୂପାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀ ଏଲ ଆଣ୍ଡ ଟିକୁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟରେ ଗୋପାଳପୁର, ଧାମରା ଓ ପାରାଦ୍ବୀପ ଭଳି ତିନୋଟି ବନ୍ଦର କାର୍ଯ୍ୟକ୍ଷମ ହୋଇଥିବାରୁ ଏଲ ଆଣ୍ଡ ଟି ପକ୍ଷରୁ ଉଭୟ ସାମରିକ ଓ ବାଣିଜ୍ୟିକ ଜାହଜ ମରାମତି କାରଖାନା ପ୍ରତିଷ୍ଠା କରାଯାଉ ।

ସେହିପରି ଦକ୍ଷତା ବିକାଶ ଦିଗରେ ଏଲ ଆଣ୍ଡ ଟି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସାଟେଲାଇଟ ସେଣ୍ଟର ପ୍ରତିଷ୍ଠା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଇସ୍ପାତ ଓ ଆଲୁମିନିୟମ ଉତ୍ପାଦନ ବଢୁଥିବାରୁ ଆଗାମୀ ଦିନରେ ମାଇନିଂ, ମେକାନିକାଲ ଯନ୍ତ୍ରାଂଶ ସାଙ୍ଗକୁ ଶିଳ୍ପ ଓ ସାମାଜିକ ଭିତ୍ତିଭୂମିରେ ମଧ୍ୟ ବିକାଶ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଏଲ ଆଣ୍ଡ ଟି ନିଜର କ୍ଷମତା ସଂପ୍ରସାରଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।