spot_img
Home Blog Page 3913

ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେଲା ବିଚାରପତି ସୁବାସଙ୍କ ଶେଷକୃତ୍ୟ

ନନ୍ଦିଘୋଷ ବ୍ୟୁରୋ: କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା ଘଟଣା । ପୁରୀ ସ୍ବର୍ଗଦ୍ବାରରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ । ବଡ଼ ଝିଅ ପ୍ରିତିସ୍ନିଗ୍ଧା ଦେଇଛନ୍ତି ମୁଖାଗ୍ନି । ଗତକାଲି ସିଡିଏ ସେକ୍ଟର ୯ ସରକାରୀ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ସୁବାସ । ପ୍ରଶ୍ନ ଉଠୁଛି କାହିଁକି ଆତ୍ମହତ୍ୟା କଲେ ବିଚାରପତି ସୁବାସ ବିହାରୀ ? ସେନେଇ ଖୋଳତାଡ଼ କରୁଛି ପୋଲିସ ।

ଗତକାଲି ବାପାଙ୍କ ଶ୍ରାଦ୍ଧ ଦିବସ ଥିବା ବେଳେ ଏଭଳି ଚରମ ନିଷ୍ପତ୍ତି କଣ ପାଇଁ ନେଲେ ? ପାରିବାରିକ ନା ବ୍ୟକ୍ତିଗତ କାରଣ ପାଇଁ ଜୀବନ ହାରିଲେ । ଏହାର କାରଣ ଖୋଜୁଛି ପୋଲିସ । ଘରେ ସ୍ତ୍ରୀ ଓ ଝିଅ ନଥିବା ବେଳେ ଆତ୍ମହତ୍ୟା କରିଥିଲେ । ଗତକାଲି ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ସମ୍ପର୍କୀୟ ଓ ପଡୋଶୀଙ୍କୁ ଅଧିକ ପଚରାଉଚରା କରିବ ପୋଲିସ ।

ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ଶ୍ରୀଲଙ୍କା ପୂର୍ବତନ ରାଷ୍ଟ୍ରପତି ରାଜପକ୍ଷ

କଲମ୍ବୋ: କଲମ୍ବୋ ଫେରିଲେ ଗୋଟାବାୟା ରାଜପକ୍ଷ । ସିଙ୍ଗାପୁରରୁ ଶ୍ରୀଲଙ୍କା ଫେରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ଦେଶରେ ଘୋର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ଏୟାରଫୋର୍ସ ଫ୍ଲାଇଟରେ ଦେଶରୁ ଲୁଚି ପଳାୟନ କରିଥିଲେ ଗୋଟାବାୟା । ଶୁକ୍ରବାର ବିଳମ୍ବିତ ରାତିରେ ସେ କଲୋମ୍ବୋ ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ ନେତାମାନେ ତାଙ୍କୁ ସ୍ବାଗତ କରିଥିଲେ ।

ଷ୍ଟେଟ୍ ଗେଷ୍ଟହାଉସରେ ତାଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଆର୍ଥିକ ଦୁରାବସ୍ଥାକୁ ନେଇ ରାଜପକ୍ଷ ପରିବାରକୁ ଦାୟୀ କରି ଦେଶବ୍ୟାପୀ ଜନ ଆନ୍ଦୋଳନ ଜୋରଦାର ହୋଇଥିଲା । ଏପରିକି ରାଷ୍ଟ୍ରପତି ବାସଭବନରେ ପଶି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଆନ୍ଦୋଳନକାରୀ । ଜନ ଆକ୍ରୋଶ ତୀବ୍ର ହେବା ପରେ ପରିବାର ସହ ଦେଶ ଛାଡ଼ି ସିଙ୍ଗାପୁର ପଳାୟନ କରିଥିଲେ ଗୋଟାବାୟା ରାଜପକ୍ଷ ।

ସେଠାରେ ପହଞ୍ଚିବା ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଗୋଟାବାୟା । ଏବେ ଦେଶରେ ସରକାର ବଦଳିବା ପରେ ରାଜନୈତିକ ସ୍ଥିରତା ଦେଖାଦେଇଛି । ଆର୍ଥିକ ସୁଧାର ପାଇଁ ସରକାର ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି । ଏବେ ବି ଦେଶରେ ଇନ୍ଧନ, ଔଷଧ ଓ ଖାଦ୍ୟ ସଙ୍କଟ ଲାଗି ରହିଛି ।

ରାଜଧାନୀରେ ସାଙ୍ଗକୁ ଛୁରାମାଡ଼ କଲା ସାଙ୍ଗ, ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ଜଧାନୀରେ ଛୁରାମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାଙ୍ଗକୁ ଛୁରାମାଡ଼ କଲା ସାଙ୍ଗ । ନିଶାଶକ୍ତ ଅବସ୍ଥାରେ ସେକ ଅବଦୁଲକୁ ଆକ୍ରମଣ କରିଛି ଆଦିତ୍ୟ ରାୟ । ଅବଦୁଲର ପେଟ ଓ ପିଞ୍ଜରାରେ କ୍ଷତ ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ କଦଳୀ ଗୋଦାମ ବସ୍ତିରେ ଘଟିଛି ଘଟଣା । ଆଦିତ୍ୟକୁ ଅଟକ ରଖି ତଦନ୍ତ କରୁଛି ଲକ୍ଷ୍ମୀସାଗର ଥାନା ପୋଲିସ । ତେବେ କେଉଁ କାରଣ ପାଇଁ ଆଦିତ୍ୟ ସାଙ୍ଗକୁ ଆକ୍ରମଣ କରିଛି ସେନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ । ପୋଲିସ ପଚରା ଉଚରା ଜାରି ରଖିଛି ।

ଆଜିଠୁ ଆରମ୍ଭ ହୋଇଛି ସ୍ପେଶାଲ ଓଜେଇଇ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ସ୍ପେଶାଲ ଓଜେଇଇ । ୨୮ ସହରର ୩୮ଟି କେନ୍ଦ୍ରରେ ଚାଲିଛି ପରୀକ୍ଷା । ଆଜି ସହ ୪ ଓ ୭ ତାରିଖରେ ହେବ ପରୀକ୍ଷା । ଦୈନିକ ୪ଟି ସିଫ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପରୀକ୍ଷା ପାଇଁ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ଆବେଦନ କରିଥିଲେ । CBT ବା କମ୍ପ୍ୟୁଟର ବେସଡ ଟେଷ୍ଟ ମାଧ୍ୟମରେ ହେଉଛି ସ୍ବତନ୍ତ୍ର ଓଜେଇଇ ।

ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଏବଂ ପାଟନାରେ ବି ପରୀକ୍ଷା କେନ୍ଦ୍ର କରାଯାଇଛି । ବିଟେକ୍, ବିଫାର୍ମା, ଏମବିଏ, ଲାଟେରାଲ ଏଣ୍ଟ୍ରି ଟୁ ବିଟେକ୍, ଏମସିଏ, ଏମଟେକ୍, ଆର୍କିଟେକ୍, ଏମ୍ ଫାର୍ମା ପାଠ୍ୟକ୍ରମରେ ନାମଲେଖା ପାଇଁ ହେବ ପରୀକ୍ଷା ।

ଚାକିରି ଦେବା କହି ଅଢ଼େଇ ଲକ୍ଷ ଠକିନେଲେ ବିଜେପି ବିଧାୟକ

କୋଲକାତା: ଏମ୍ସରେ ଚାକିରି ନାଁରେ ଠକେଇ । ଗ୍ରୁପ ସି ପାଇଁ ୧୦ ଲକ୍ଷ ଓ ଗ୍ରୁପ ସି ପାଇଁ ୫ଲକ୍ଷ ଦାବି କରୁଛନ୍ତି ବିଜେପି ବିଧାୟକ । ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ରାଣାଘାଟ ଥାନାରେ ବିଜେପି ବିଧାୟକ ମୁକୁଟମଣି ଅଧିକାରୀଙ୍କ ନାଁରେ ରୁଜୁ ହୋଇଛି ମାମଲା । ବିଧାୟକ ଆଶାୟୀ ଯୁବକଙ୍କଠାରୁ ଅଢ଼େଇ ଲକ୍ଷ ଟଙ୍କା ନେଇ ଧରାଛୁଆଁ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି ।

ଚାକିରି ଆଶାରେ ଯୁବକ ଜଣକ ବିଧାୟକଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଦେଇଥିଲେ । ମାତ୍ର ଧାର୍ଯ୍ୟ ସମୟରେ ଚାକିରି ଦେଇନଥିଲେ । ପରେ ଫୋନ୍ କରିବାରୁ ବିଧାୟକ ଉଠାଉ ନଥିବା ବେଳେ, ମେସେଜର ଉତ୍ତର ମଧ୍ୟ ଦେଉ ନଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଅଭିଯୋଗକାରୀ । ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଚାକିରି ପାଇଁ ଦେଇଥିବା ଟଙ୍କା ଫେରି ପାଇବାକୁ ଆଇନର ଦ୍ବାରସ୍ଥ ହୋଇଛନ୍ତି ଆଶାୟୀ ଯୁବକ ।

ଆଜି ନାସାର ମାନବବିହୀନ ମୁନ୍ ମିସନ! ଲଞ୍ଚ ହୋଇପାରେ ଆର୍ଟିମିସ-୧

ୱାଶିଂଟନ୍‌: ଆଜି ହୋଇପାରେ ନାସାର ମାନବବିହୀନ ମୁନ ମିସନ । ଲଞ୍ଚ ହୋଇପାରେ ଆର୍ଟିମିସ-୧ । ଫ୍ଲୋରିଡା କେନେଡି ସ୍ପେସ୍ ସେଣ୍ଟରରୁ ମାନବବିହୀନ ଯାନ ଉତ୍‌କ୍ଷେପଣ କରାଯିବା ଲାଗି ଧାର୍ଯ୍ୟ କରାଯାଇଛି । ଗତ ୨୯ ତାରିଖରେ ଏହାକୁ ଲଞ୍ଚ କରିବା ଲାଗି ସ୍ଥିରୀକୃତ ହୋଇଥିବା ବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା ।

ଚନ୍ଦ୍ର ପୃଷ୍ଠରେ ମାନବ ବସତି ଲାଗି ନାସା ଚଳାଇଛି ଉଦ୍ୟମ । ଗ୍ରହ, ଉପଗ୍ରହ ସଂକ୍ରାନ୍ତ ତଥ୍ୟ ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ । ପ୍ରାୟ ୫୦ବର୍ଷ ପରେ ପୁଣି ଜହ୍ନକୁ ଯାତ୍ରା ଲାଗି ଜୋରଦାର ଚାଲିଛି ପ୍ରୟାସ । ଦକ୍ଷିଣ ମେରୁରେ ପାଣି, ବରଫ, ଇନ୍ଧନ ସନ୍ଧାନ କରିବା ଲାଗି ଏହି ମିସନ ଉଦ୍ଦିଷ୍ଟ ରହିଛି । ଆସନ୍ତା ଦିନରେ ମହାକାଶ ସମ୍ପର୍କରେ ଅଧିକ ଗବେଷଣା କରିବା, ଚନ୍ଦ୍ର ପୃଷ୍ଠକୁ ପୁଣି ମାନବ ସହିତ ଯାନ ପଠାଇବା ଲାଗି ଏହି ମିସନ କ୍ଷେତ୍ର ପ୍ରସ୍ତୁତ କରିବ । ନାସାର କେନେଡି ସ୍ପେସ ସେଣ୍ଟର ଲଞ୍ଚ ପ୍ୟାଡ ୩୯-ବି’ରୁ ଏହାର ଉତକ୍ଷେପଣ କରାଯିବ । ଓରିଅନ ସ୍ପେସକ୍ରାଫ୍ଟ, ସ୍ପେସ ଲଞ୍ଚ ସିଷ୍ଟମ ବା ଏସଏଲଏସ ରକେଟ ଓ ଗ୍ରାଉଣ୍ଡ ସିଷ୍ଟମ ଜରିଆରେ ଏହାର ଉଦକ୍ଷେପଣ କରାଯିବ । ଏସଏଲଏସର ଇଞ୍ଜିନ ନମ୍ବର ୩ରେ ଅତ୍ୟଧିକ ଉତ୍ତାପ ପରିଲକ୍ଷିତ ହୋଇଥିବାରୁ ଏହାର ଉତକ୍ଷେପଣ ବାତିଲ ହୋଇଥିଲା । ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ଲାଗି ଆର୍ଟିମିସକୁ ଲାଗିବ ୪୨ ଦିନ ୩ ଘଣ୍ଟା ଓ ୨୦ ମିନଟ । ପୃଥିବୀରୁ ପ୍ରାୟ ୪ ଲକ୍ଷ ୫୦ ହଜାର କିଲୋମିଟର ଓ ଚନ୍ଦ୍ର ପାର୍ଶ୍ବରେ ପ୍ରାୟ ୬୪ ହଜାର କିଲୋମିଟର ଯାତ୍ରା କରିବ ଆର୍ଟିମିସ ।

ଆସନ୍ତା ୫ରୁ ରାଜ୍ୟରେ ପୁଣି ବର୍ଷା! ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟକୁ ଭିଜାଇବ ବର୍ଷା । ୫ ରୁ ୭ ତାରିଖ ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଛତିଶଗଡ ମୁହାଁ ହେବ । ଏହାର ପ୍ରଭାବରେ ଆସନ୍ତା ୫ ତାରିଖରୁ ରାଜ୍ୟରେ ପୁଣି ହୋଇପାରେ ବର୍ଷା । ସେହିପରି ୬ ତାରିଖରୁ ବଢ଼ିବ ବର୍ଷାର ପରିମାଣ । ଏହି ସମୟରେ ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଆହୁରି ୨ ଦିନ ରହିବ ଦୁର୍ବଳ ମୌସୁମୀର ପ୍ରଭାବ । ଯାହା ଫଳରେ ତାତି ସାଙ୍ଗକୁ ଲାଗି ରହିବ ଗୁଳୁଗୁଳି।

ଗଣେଶ ପୂଜା ମଣ୍ଡପରେ ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ତୋରଣ

ବ୍ରହ୍ମପୁର: ଗଣେଶ ପୂଜା ପାଇଁ ଦୁଲୁକୁଛି ବ୍ରହ୍ମପୁର ସହର । ଖାସ କରି ଅଶୋକନଗର ପୂଜା ପେଣ୍ଡାଲ ଦେଖିବାକୁ ଲାଗୁଛି ଲୋକଙ୍କ ଭିଡ଼ । କାରଣ ଏଠାରେ ବିଘ୍ନ ବିନାଶକଙ୍କ ପୂଜା ଚାଲିଥିବା ବେଳେ ମଣ୍ଡପରେ ଶୋଭା ପାଉଛି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୋରଣ ।

ପୂଜା କମିଟି ପକ୍ଷରୁ ମହାମହିମ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ସମୟକୁ ତୋରଣ ମାଧ୍ୟମରେ ପ୍ରଦର୍ଶନ କରାଯାଇଛି । ରାଷ୍ଟ୍ରପତି ହେବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ନବୀନ ପଟ୍ଟନାୟକଙ୍କୁ ରାକ୍ଷୀ ବାନ୍ଧିବାଠାରୁ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ସମୟକୁ ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି । ଯାହାକୁ ଦେଖିବା ପାଇଁ ସହରବାସୀଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳୁଛି । ପ୍ରତ୍ୟେକ ସନ୍ଧ୍ୟାରେ ଶହ ଶହ ଶ୍ରଦ୍ଧାଳୁ ଗଣପତିଙ୍କ ଦର୍ଶନ ସହିତ ମଣ୍ଡପ ବୁଲି ଦେଖୁଛନ୍ତି ।

ଓଡ଼ିଶା ହେଉଛି ସଂସ୍କୃତି, ବିକାଶ ଓ ଭାଇଚାରାର ମାଟି । ଦିନ ଥିଲା ନବୀନଙ୍କୁ ଦ୍ରୌପଦୀ ରାକ୍ଷୀ ବାନ୍ଧୁଥିଲେ । ଗତ ରାଷ୍ଟ୍ରପତି ନିର୍ବାଚନ ବେଳେ ଭଉଣୀଙ୍କ ପ୍ରତି ଭାଇ ସାହାଯ୍ୟର ହାତ ବଢ଼ାଇଥିଲେ । ତାହାର ଝଲକ ମଣ୍ଡପରେ ଦେଖିବାକୁ ମିଳୁଛି ।

୩ ଦିନ ପରେ ନିର୍ଧୁମ ବର୍ଷା

ଭୁବନେଶ୍ବର: ଆହୁରି ୩ ରୁ ୪ ଦିନ ସିଝାଇବ ଖରା । ତା’ପରେ ଦୁଇ ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା । ଏହାପରେ ଭିଜିବ ପୂରା ଓଡ଼ିଶା । ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଛତିଶଗଡ ମୁହାଁ ହେବ । ପ୍ରଭାବରେ ମହାନଦୀର ଉପର ଏବଂ ତଳମୁଣ୍ଡରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

ପ୍ରଥମଟି ୨ରୁ ୮ ତାରିଖ ଏବଂ ଦ୍ବିତୀୟଟି ୯ରୁ ୧୫ ତାରିଖ ମଧ୍ୟରେ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଇଛି । ୫ କିମ୍ବା ୬ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପ୍ରଭାବରେ ୬ ରୁ ୭ ତାରିଖ ମଧ୍ୟରେ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ରାୟଗଡା, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ସେପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଅସହ୍ୟ ଗରମ ସହ ଗୁଳୁଗୁଳି । ଦୁର୍ବଳ ମୌସୁମୀ ସହ ମେଘମୁକ୍ତ ଆକାଶ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି । ୩୬.୭ ଡିଗ୍ରୀ ସହ ପୁଣି ଆଜି ଚାନ୍ଦବାଲି ରାଜ୍ୟର ଉତ୍ତ୍ୟକ୍ତ ସହର ହୋଇଛି । ଉଚ୍ଚ ତାପମାତ୍ରା ଓ ବାୟୁମଣ୍ଡଳରେ ଆର୍ଦ୍ରତା ୬୫%ରୁ ଅଧିକ ରହୁଥିବାରୁ ତାପମାତ୍ରା ସ୍ବାଭାବିକଠାରୁ ୫ରୁ ୬ ଡିଗ୍ରୀ ଅଧିକ ଅନୁଭବ ହେଉଛି । ଜଳୀୟବାଷ୍ପର ପରିମାଣ ଅଧିକ ରହିବା ଏବଂ ତାତି ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ବଜ୍ରପାତ ଜନିତ ବର୍ଷା ପାଇଁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଚଳିତ ମୌସୁମୀ ସିଜିନ୍ ୧ ଜୁନରୁ ୨ ଅଗଷ୍ଟ ମଧ୍ୟରେ ରାଜ୍ୟରେ ସ୍ବାଭାବିକଠାରୁ ୬% ଅଧିକ ବର୍ଷା ରେକର୍ଡ ହୋଇଛି । ୬ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୨୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।

ମୁଖ୍ୟମନ୍ତ୍ରୀ ସମ୍ପର୍ଦ୍ଧିତ କରିବାକୁ ବିଜେଡିର ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର: ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନ । ନେତା ନମ୍ବର ଓ୍ବାନ୍ ନବୀନ ପଟ୍ଟନାୟକ ହେବେ ସମ୍ମାନିତ । ଦିଲ୍ଲୀରୁ ଓଡ଼ିଶା, ଶୁଭେଚ୍ଛା, ସମ୍ବର୍ଦ୍ଧନା ପାଇଁ ବଡ଼ ପ୍ରସ୍ତୁତି । ସାମିଲ ହେବେ ବିଧାୟକ, ନେତା, ପ୍ରବାସୀ ଓଡିଆ ।

ଓଡ଼ିଶା ରାଜନୀତିରେ ନବୀନ ଅପରାଜେୟ, ଅପ୍ରତିଦ୍ବନ୍ଦ୍ବୀ । ଦୃଢ ଓ ସ୍ବଚ୍ଛ ନେତୃତ୍ବ ପାଇଁ ଲଗାତର ୫ ଥର ମୁଖ୍ୟମନ୍ତ୍ରୀ ହୋଇ ସାରାଦେଶରେ ସ୍ବତନ୍ତ୍ର ପରିଚୟ ହାସଲ କରିପାରିଛନ୍ତି  । ଜାତୀୟ ରାଜନୀତିରେ ନବୀନଙ୍କ ଲୋକପ୍ରିୟତା କାହିଁରେ କ’ଣ ? ଆଉ ଏଥିପାଇଁ ସେପ୍ଟେମ୍ବର ୪ରେ ଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ।

ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଦେବା ପାଇଁ ବଡ଼ ପ୍ରସ୍ତୁତି କରିଛି ବିଜେଡି । ଦିଲ୍ଲୀର ଓଡ଼ିଶା ଭବନରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଅଶୋକ ପଣ୍ଡା,  ବରିଷ୍ଠ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ସମ୍ବର୍ଦ୍ଧନା ଉତ୍ସବ ପୂର୍ବରୁ ପ୍ରସ୍ତୁତି ବୈଠକ କରିଛନ୍ତି ।

ଦେଶ ରାଜନୀତିରେ ରାଷ୍ଟ୍ର ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨ ବର୍ଷ ଧରି ଦୃଢ ନେତୃତ୍ବ ଯୋଗୁଁ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହୋଇପାରିଛି । ଜୀବନବ୍ୟାପୀ ସାଧନା ସମ୍ମାନରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ହୋଇ ୬ ତାରିଖରେ ଓଡ଼ିଶା ଫେରିବେ । ସେହିଦିନ ଭୁବନେଶ୍ବର ବିମାନବନ୍ଦରରୁ ନବୀନ ନିବାସ ଯାଏଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଜେଡିର ଛାତ୍ର, ଯୁବ ଓ ମହିଳା ସଂଗଠନ ଅଣ୍ଟା ଭିଡ଼ିଛନ୍ତି । ବିରାଟ ପଟୁଆରରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ପୂରା ଓଡ଼ିଶା ପ୍ରସ୍ତୁତ । ବିଭିନ୍ନି ନିର୍ବାଚନ ମଣ୍ଡଳରୁ ଶତାଧିକ ଲୋକ ଭୁବନେଶ୍ବର ଆସୁଥିବାରୁ ଏହାକୁ ସଫଳ କରିବା ପାଇଁ ବିଧାୟକମାନେ ଅଣ୍ଟା ଭିଡ଼ିଛନ୍ତି ।

ଶିକ୍ଷା, ସ୍ବାସ୍ଥ୍ୟ, ଖାଦ୍ୟ ସୁରକ୍ଷା, କ୍ରୀଡାରୁ ମହିଳା ସଶକ୍ତିକରଣ ପର୍ଯ୍ୟନ୍ତ, ସ୍ପୋର୍ଟସ ହବରୁ ଦ୍ରୁତ ଶିଳ୍ପାୟନ ଲୋକାଭିମୁଖୀ ଯୋଜନାରେ ନବୀନ ଏକ ନମ୍ବର । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ବିଶ୍ବ ପାଇଁ ସେ ସାଜିଛନ୍ତି ରୋଲ ମଡ଼େଲ । ଜାତିସଂଘ ବି ଓଡ଼ିଶାକୁ ପ୍ରଶଂସା ସହ ପୁରସ୍କୃତ କରିଛି ।