spot_img
Home Blog Page 3914

ମହାରାଷ୍ଟ୍ରରୁ ଓଡିଶା ଆସି ଚାରି କୋଟି ଚୂନା ଲଗାଇଲେ ୪୨୦ ବ୍ରଦର୍ସ

ଭୁବନେଶ୍ବର: ମହାରାଷ୍ଟ୍ରରୁ ଓଡିଶା ଆସି ଓଡ଼ିଆଙ୍କୁ ଚୁନା ଲଗାଇଲେ ଦୁଇ ଭାଇ । ଲକ୍ଷେ କିମ୍ବା ଦୁଇ ଲକ୍ଷ ନୁହେଁ, ରାଜଧାନୀରେ ଚୁନା ଲଗାଇଛନ୍ତି ପାଖାପାଖି ୪ କୋଟି ଟଙ୍କା । ପାଖାପାଖି ୫୦ ଜଣ ଲୋକଙ୍କୁ ଠକି ଏବେ ଗାୟବ ଠକ ଭାଇ । ବିଭିନ୍ନ ପ୍ରକାର ପ୍ଲାନରେ ଚୁନା ଲଗାଇଥିବା ଏହି ଦୁଇ ଭାଇଙ୍କ ନାଁ ହେଉଛି ସନ୍ଦୀପ ଶରଦ ଶାହା ଓ ସଚିନ ଶରଦ ଶାହା ।

ସିସିଟିଭି ଲଗାଇବା ଆଳରେ ବିଭିନ୍ନ ଡିଲର ପଏଣ୍ଟରୁ କୋଟିକୋଟି ଟଙ୍କା ଠକି ନେଇଛନ୍ତି ଏହି ଫ୍ରଡ ବ୍ରଦର୍ସ । ନିଟ ପରୀକ୍ଷା ବେଳେ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ କହି କୋଟି କୋଟି ଟଙ୍କା ଚଳୁ କରିଥିଲେ ଶାହା ବ୍ରଦର୍ସ । ଡିଲର ପଏଣ୍ଟକୁ ଦେଇଥିବା କୋଟି କୋଟି ଟଙ୍କାର ଚେକ ମଧ୍ୟ ବାଉନ୍ସ ହୋଇଛି ।

ଚେକ୍‌ ବାଉନ୍ସ ହେବା ପରେ ୪୦ରୁ ଅଧିକ ଡିଲର ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ସେ ରହୁଥିବା ଖଣ୍ଡଗିରି ସ୍ଥିତ ଘରୁ ଦୁଇ ଭାଇ କେଉଁଆଡେ ଫେରାର ହୋଇଯାଇଛନ୍ତି । କେବଳ ସିସିଟିଭି ନୁହେଁ ଲିଜ୍‌ରେ ନେଇଥିବା ଏକ କଲ୍ୟାଣ ମଣ୍ଡପର ବୁକିଂ ଟଙ୍କା ଚଳୁ କରିଦେଇଛନ୍ତି ଦୁଇ ଭାଇ ।

ଏହାଛଡା ସୁନ୍ଦରପଦାରେ ଥିବା ଆପାର୍ଟମେଣ୍ଟ ବିକିବାକୁ କହି ଅନେକଙ୍କୁ ଠକିଛନ୍ତି ଏହି 420 ଶାହା ବ୍ରଦର୍ସ ।

ଗୁଣିଆ ସନ୍ଦେହରେ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ଗାଁରେ ଉତ୍ତେଜନା

ଭଞ୍ଜନଗର: ଗୁଣିଆ ସନ୍ଦହରେ ଗାଁରେ ଉତ୍ତେଜନା । ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ  । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମଧୁରଝୋଳି ଗାଁରେ  । ଗୁଣି ଗାରେଡି ସନ୍ଦେହରୁ ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଗ୍ରାମବାସୀ ।

ଉଭୟ ଆହତ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଘଟଣାକୁ ନେଇ ଗାଁରେ ଅଶାନ୍ତି ଲାଗି ରହିଛି । ଅନ୍ୟପଟେ କବିସୂର୍ଯ୍ୟନଗର ପୋଲିସ ପୋଲସରା ପୁରୁଷୋତ୍ତମପୁର ଥାନାର ବରିଷ୍ଠ ଅଧିକାରୀଙ୍କ ସହିତ 4 ପ୍ଲାଟୁନ ପୋଲିସ ଫୋର୍ସ ଧରି ଅଚାନକ ରାତି ଅଧରେ ଗାଁରେ ଚଢାଉ କରିଛି  ।

9 ଜଣକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ପାକିସ୍ତାନରେ ଜୋର ଧରିଲା ଆଗୁଆ ନିର୍ବାଚନ ଦାବି, ରାସ୍ତାକୁ ଓହ୍ଲାଇବେ ଇମରାନ୍‌

ଇସଲାମାବାଦ: ଜୋର ଧରିଲା ପାକିସ୍ତାନରେ ଆଗୁଆ ନିର୍ବାଚନ ଦାବି । ତୁରନ୍ତ ନିର୍ବାଚନ ଦାବିରେ ରାଜରାସ୍ତାକୁ ଓହ୍ଲାଇବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଇମ୍ରାନ କହିଛନ୍ତି ଆସନ୍ତାକାଲି ସକାଳୁ ଲାହୋରସ୍ଥିତ ଲିବର୍ଟି ସ୍କୋୟାରରୁ ଇସଲାମାବାଦ ଅଭିମୁଖେ ଯାତ୍ରା ଆରମ୍ଭ ହେବ । ସମର୍ଥକମାନେ ପ୍ରାୟ ୩୮୦ କିଲୋମିଟର ଯାତ୍ରା କରିବେ । ଲୋହାରରୁ ଇସଲାମାବାଦା ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ସଭାସମିତି କରିବାର କାର୍ଯ୍ୟକ୍ରମ ରହିଛି ।

ଦେଶରେ ନାନା ପ୍ରକାର ସଙ୍କଟ ସୃଷ୍ଟି ହେଉଥିବାବେଳେ ଅରାଜକତା ବ୍ୟାପୁଥିବାରୁ ତୁରନ୍ତ ନିର୍ବାଚନ କରିବା ଲାଗି ଦାବି କରିଛନ୍ତି ଇମ୍ରାନ । ବେଆଇନ ଗିଫ୍ଟ ବିକ୍ରି ମାମଲାରେ ଫସିଥିବା ଇମ୍ରାନ ଖାଁଙ୍କ ଏହି ଘୋଷଣା ସରକାରଙ୍କ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ତୋଷଖାନା ମାମଲାରେ ଇମ୍ରାନଙ୍କୁ ନିର୍ବାଚନ କମିଶନ ଅଯୋଗ୍ୟ ଘୋଷଣା ପରେ ତାତିଥିଲେ ପାକିସ୍ତାନ ତେହରିକ-ଇ-ଇନସାଫ କର୍ମୀ ।

ଦେଶର ବିଭିନ୍ନ ସ୍ଥାନରେ ଜାରି ରଖିଛନ୍ତି ବିକ୍ଷୋଭ । ଦେଶରେ ଅର୍ଥନୈତିକ ସଂକଟ ଜାରି ରହିଥିବା ବେଳେ ଋଣଭାର, ଖାଦ୍ୟାଭାବ ଆଦି ସମସ୍ୟାରେ ପଡିଛି ପାକିସ୍ତାନ ।

ନ୍ୟୁକ୍ଲିଅର ଡିଲ୍‌ କରୁଛି ଶକ୍ତିହୀନ ଋଷ୍‌: ଆତଙ୍କିତ ୟୁକ୍ରେନ, ଖପ୍ପା ଭାରତ

କିଭ୍‌: ଘଟିପାରେ କି ଆଣବିକ ଓ୍ବାର । ଋଷ ଉପରେ ୟୁକ୍ରେନ ନା ୟୁକ୍ରେନ ଉପରେ ଋଷ ପକାଇବ ନ୍ୟୁକ୍ଲିୟର ବମ୍ । ଏହାକୁ ନେଇ ଜାରି ରହିଛି ସସପେନ୍ସ । ୟୁକ୍ରେନ ଏକ ଡାର୍ଟି ବମ୍ ବ୍ୟବହାର କରିପାରେ ବୋଲି ଋଷ ଆଶଙ୍କା କରୁଥିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କରିଛନ୍ତି ନ୍ୟୁକ୍ଲିୟର ଡ୍ରିଲ । ଏହା ସହ ସମ୍ଭାବ୍ୟ ଆଣବିକ ଆକ୍ରମଣ ହେଲେ ଏହାର ଜବାବ ଦେବା ଲାଗି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୁଟିନ । ସିକ୍ରେଟ ଓ୍ବାର ରୁମରେ ବସି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୁଟିନ ।

ସେହିପରି ବାଲାଷ୍ଟିକ ମିସାଇଲର ପରୀକ୍ଷା କରିଛି ଋଷ । ଗତକାଲି ଆଣବିକ ଯୁଦ୍ଧାସ୍ତ୍ର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଭାରତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଦବେଗ ପ୍ରକାଶ କରିଥିଲେ । ସେପଟେ ୟୁକ୍ରେନର ଦକ୍ଷିଣ ଖେରସନରେ ସ୍ଥିତି ହେଲାଣି ବିପନ୍ନ । କେବଳ ଖେରସନରୁ ଘର ଛାଡିଲେଣି ୭୦ହଜାର ନାଗରିକ । ଏକ ସପ୍ତାହ ମଧ୍ୟରେ ୭୦ ହଜାର ଲୋକଙ୍କ ପଳାୟନ ଯୋଗୁ ସହର ଖାଁ ଖାଁ ହେବାରେ ଲାଗିଛି ।

ଦିନିପର ନଦୀ ତଟଦେଶରେ ଋଷ ନିୟନ୍ତ୍ରଣରେ ଥିବା ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଉଥିବାବେଳେ ଅଧିକ ଆକ୍ରମଣ ଆଶଙ୍କାରେ ସାରା ଖେରସନରେ ଆତଙ୍କର ଛାୟା ଜାରି ରହିଛି । ସେପଟେ ୟୁକ୍ରେନ ହମଲାରେ ନଷ୍ଟ ହେବାରେ ଲାଗିଛି ଶତାଧିକ ଲଢୁଆ ହେଲିକପ୍ଟର । ବ୍ରିଟେନ ଗୁଇନ୍ଦା ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ୟୁକ୍ରେନ ଆକ୍ରମଣରେ ଧ୍ବଂସ ହେଲାଣି ଅର୍ଦ୍ଧାଧିକ କେଏ-୫୨ ହେଲିକପ୍ଟର । ତେଣେ ଦୋନେସ୍କର ବଖମତ ଅଞ୍ଚଳରେ ଋଷକୁ ଲାଗିଛି ଜୋରଦାର ଧକ୍କା । ସେଠାରେ ୟୁକ୍ରେନୀୟ ସୈନ୍ୟ ଅଗ୍ରସର ହେବା ସହ ଋଷୀୟ ସୈନ୍ୟ ପଛଘୁଞ୍ଚା ଦେଇଥିବା ସୂଚନା ମିଳିଛି ।

କନ୍ଧମାଳକୁ ଛୁଇଁଲାଣି ପହିଲି ଶୀତ, କୁହୁଡି ସକାଳର ମଜା ନେଉଛନ୍ତି ଜିଲ୍ଲାବାସୀ

ଫୁଲବାଣୀ: କନ୍ଧମାଳରେ ଅନୁଭୂତ ହେଲାଣି ପହିଲି ଶୀତ । କାକର ଭିଜା ଶୀତୁଆ ସକାଳର ମଜା ନେଉଛନ୍ତି ସହର ବାସୀ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଦାରିଙ୍ଗବାଡ଼ି, ରାଇକିଆ, ବେଲଘର ଆଦି ଅଞ୍ଚଳରେ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି । ସକାଳୁ ସକାଳୁ ଯୁବକ ଓ ବୟସ୍କ ପଡିଆକୁ ଯାଇ ବ୍ୟାୟାମ କରୁଛନ୍ତି । ସେହିପରି ଆଉ କିଛି ଲୋକ ଶୀତୁଆ ସକାଳେ ପ୍ରାତ ଭ୍ରମଣ କରୁଥିବା ଦେଖିବାକୁ ମିଳୁଛି ।

ହାଲୁକା ଶୀତ ସ୍ପର୍ଶରେ ପୁଲକିତ ହୋଇ ଉଠିଛି ଜନଜୀବନ । ହାଲକା ଥଣ୍ଡା ସାଙ୍ଗକୁ କୁହୁଡ଼ି କାକର ବୁନ୍ଦା ଗଛର ପତ୍ରରେ ଦେଖିବାକୁ ମିଳିଛି l ସନ୍ଧ୍ୟା ସମୟରେ ମଧ୍ୟ ହାଲକା ଶୀତ ଅନୁଭୂତ ହେଉଛି । ସେପଟେ ଫୁଲବାଣୀ ସହରରେ ହାଲକା ଶୀତ ଓ ଘନ କୁହୁଡ଼ିର ମଜା ନେଉଛନ୍ତି ସହରବାସୀ  ।

ଆଜି ଟି-୨୦ ବିଶ୍ବକପରେ ମୁହାଁମୁହିଁ ହେବେ ଭାରତ ନେଦରଲ୍ୟାଣ୍ଡସ୍

ସିଡନୀ: ଆଜି ଟି-୨୦ ବିଶ୍ବକପରେ ମୁହାଁମୁହିଁ ହେବେ ଭାରତ ନେଦରଲ୍ୟାଣ୍ଡସ୍ । ସିଡନୀରେ ୧୨ଟା ୩୦ରେ ପରସ୍ପରକୁ ଭେଟିବେ ଦୁଇ ଦଳ । ସେମି ଫାଇନାଲ୍ ରାସ୍ତା ସହଜ କରିବା ପାଇଁ ଭାରତ ଏହି ମ୍ୟାଚ୍କୁ ବଡ ବ୍ୟବଧାନରେ ଜିତିବାକୁ ଲକ୍ଷ୍ୟ ରଖିଛି । ମେଲବର୍ଣ୍ଣ ପରି ସିଡନୀରେ ବି ମ୍ୟାଚ୍ ଉପରେ ବର୍ଷା ସାଜିପାରେ ବାଧକ ।

ଆଜିର ମ୍ୟାଚରେ ଅକ୍ଷର ପଟେଲଙ୍କ ସ୍ଥାନରେ ଋଷଭ ପନ୍ଥକୁ ମିଳିପାରେ ସ୍ଥାନ । ପାକିସ୍ତାନ ବିପକ୍ଷରେ ବିଜୟ ପରେ ଭାରତର ମନୋବଳ ଦୃଢ ରହିଛି । ଭାରତ ବିପକ୍ଷରେ କୌଣସି ଟି-୨୦ ଖେଳିନଥିବାରୁ ପ୍ରଥମ ମ୍ୟାଚକୁ ହାତେଇବାକୁ ଚେଷ୍ଟା କରିବ ନେଦରଲ୍ୟାଣ୍ଡସ୍ । 2016ରେ ସିଡନୀ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରେକର୍ଡ ସ୍କୋର୍ କରିଥିଲା । ପ୍ରଥମ ବ୍ୟାଟିଂ କରିଥିବା ଟିମକୁ ମିଳିପାରେ ସଫଳତା । ପ୍ରଥମ ବ୍ୟାଟିଂ କରିଥିବା ଟିମ୍ ସିଡନୀରେ 7 ଥର ବିଜୟ ନେଇ ରେକର୍ଡ ରହିଛି । ପ୍ରଥମ ବୋଲିଂ କରିବା ଟିମକୁ 5 ଥର ମିଳିଛି ସଫଳତା ।

ବାଂଲାଦେଶୀ ମତ୍ସ୍ୟଜୀବୀଙ୍କ ଜୀବନ ବଞ୍ଚାଇଲେ ଓଡ଼ିଶା ମତ୍ସ୍ୟଜୀବୀ

ବାସୁଦେବପୁର: ବାତ୍ୟା ସି-ତ୍ରଙ୍ଗ ମାଡ଼ରେ ମଝି ସମୁଦ୍ରରେ ବୁଡିଗଲା ବାଙ୍ଗଲାଦେଶୀ ବୋଟ । ଅଳ୍ପକେ ବର୍ତ୍ତିଲେ ୧୦ ମତ୍ସ୍ୟଜୀବୀ । ଦେବଦୂତ ସାଜି ସମସ୍ତଙ୍କୁ ଗଭୀର ସମୁଦ୍ରରୁ ଉଦ୍ଧାର କଲେ ଓଡ଼ିଆ ମତ୍ସଜୀବୀ ।

ବାତ୍ୟା ସି- ତ୍ରଙ୍ଗର ମାଡରେ ଓଡ଼ିଶା ଭିତରକୁ ପସିଆସିଥିଲା ବାଙ୍ଗଲାଦେଶୀ ବୋଟ । ପରେ ବୋଟଟି ମଝି ସମୁଦ୍ରରେ ବୁଡିଯାଇଥିଲା । ବୋଟରେ ଥିବା ୧୦ ମତ୍ସ୍ୟଜୀବୀ ପାଣି ଭିତରେ କଦଳୀ ଗଛ ଏବଂ ବାଉଁଛ ଖଣ୍ଡର ସାହାରା ନେଇ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିଲେ । ଏହି ସମୟରେ ଭଦ୍ରକ ବାସୁଦେବପୁର ବ୍ଲକର ମାଆ ଗଙ୍ଗା ନାମକ ବୋଟର ମତ୍ସଜୀବୀମାନେ ସମୁଦ୍ରରେ ବାଙ୍ଗଲାଦେଶୀ ମତ୍ସ୍ୟଜୀବୀମାନେ ଭାସୁଥିବା ଦେଖିବାକୁ ପାଇଥିଲେ । ସେମାନଙ୍କ ନିକଟରେ ପହଞ୍ଚି ଉଦ୍ଧାର କରିଥିଲେ ଓଡ଼ିଆ ମତ୍ସ୍ୟଜୀବୀ । ପରେ ସମସ୍ତ ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ବୋଟରେ ଧରି କସିଆ ମୁହାଣରେ ପହଞ୍ଚିଥିଲେ । ମୁର୍ମୂଷ ଅବସ୍ଥାରେ ଉଦ୍ଧାର ବାଙ୍ଗଲାଦେଶୀ ମତ୍ସ୍ୟଜୀବୀଙ୍କୁ କସିଆ ସାମୁଦ୍ରିକ ପୋଲିସକୁ ହସ୍ତାନ୍ତର କରିଥିଲା କସିଆ ମତ୍ସ୍ୟଜୀବୀ ସଂଘ । ପୋଲିସ ସମସ୍ତ ମତ୍ସ୍ୟଜୀବୀଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ସୂଚନା ରହିଛି ।

ତେଲଙ୍ଗାନାରେ ବିଧାୟକଙ୍କୁ କିଣାବିକା ଯୋଜନା ଫେଲ୍

ହାଇଦ୍ରାବାଦ: ତେଲଙ୍ଗାନାରେ ବିଧାୟକଙ୍କୁ କିଣାବିକା ଯୋଜନା ଫେଲ୍ । ଧରାପଡିଲେ ୪ ସନ୍ଦିଗ୍ଧ ବ୍ୟକ୍ତି । ଜବତ ହୋଇଛି ୧୫ କୋଟିରୁ ଅଧିଟ ଟଙ୍କା । ମୋଇନାବାଦସ୍ଥିତ ଅଜିଜନଗରର ଏକ ଫାର୍ମ ହାଉସରେ ରେଡ କରି ବିପୁଳ ଟଙ୍କା ଜବତ କରିଛି ସାଇବରାବାଦ ପୋଲିସ । ଶାସକ ତେଲଙ୍ଗାନା ରାଷ୍ଟ୍ରୀୟ ସମିତର ୪ ବିଧାୟକଙ୍କୁ ଲାଞ୍ଚ ଦେବା ଲାଗି ଏହି ଟଙ୍କା ରଖାଯାଇଥିବା ସୂଚନା ମିଳିଛି ।

ଟିଆରଏସର ୪ ଜଣ ବିଧାୟକଙ୍କୁ ଏହି ଟଙ୍କା ଦେବା ଲାଗି ବ୍ୟବସ୍ଥା କରାଯାଇଥିଲା ବୋଲି କହିଛନ୍ତି ସାଇବରାବାଦ ପୋଲିସ କମିଶନର ଷ୍ଟିଫେନ ରବୀନ୍ଦ୍ର । ପୋଲିସ ସୂଚନା ଅନୁସାରେ ପ୍ରାୟ ୧୦୦ କୋଟି ଟଙ୍କାର ଡିଲ୍ ହୋଇଥିଲା । ଅଜିଜ ନଗରସ୍ଥିତ ଏକ ଫାର୍ମ ହାଉସରେ ଏହି ରେଡ ହୋଇଥିଲା । ତେବେ ବିଧାୟକମାନେ ଅଭିଯୋଗ କରିଛନ୍ତି ସେମାନଙ୍କୁ ଦଳବଦଳ କରିବା ଲାଗି ଏହି ଟଙ୍କା ଯଚାଯାଉଥିଲା । ଅଟକ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଜାଲ ପରିଚୟପତ୍ର ନେଇ ହାଇଦ୍ରାବାଦରୁ ଆସିଥିବା ପୋଲିସ କହିଛି ।

ପୋଲିସ ଅଭିଯୋଗ ଅନୁସାରେ ଟିଆରଏସ ସରକାରକୁ ଗାଦିଚ୍ୟୁତ କରିବା ଲାଗି ବିଧାୟକଙ୍କୁ କିଣିବା ଯୋଜନା ଚାଲିଥିବାବେଳେ ଏହି ରେଡ ହୋଇଥିଲା । ଫାର୍ମ ହାଉସରେ ଦିଲ୍ଲୀର ରାମଚନ୍ଦ୍ର ଭାରତୀ, ପୀଥାଦିପାଥିର ସିଂହାୟାଜି, ତିରୁପତିର ଶ୍ରୀମନ୍ତ୍ ରାଜୁ ଓ ଅନ୍ୟ ଜଣେ ବ୍ୟକ୍ତି ନନ୍ଦ କୁମାର ସାମିଲ ଥିବା ପୋଲିସ କହିଛି । ଫାର୍ମ ହାଉସରେ ଖୋଦ କମିଶନର ପହଞ୍ଚି ସମସ୍ତ ଯାଞ୍ଚ କରିଛନ୍ତି । ଏହି ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରାଯାଉଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କମିଶନର ।

କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବଦଳରେ ଏଣିକି କାର୍ଯ୍ୟ କରିବ ଷ୍ଟିୟରିଂ କମିଟି

ଭୁବନେଶ୍ବର: କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବଦଳରେ ଏଣିକି କାର୍ଯ୍ୟ କରିବ ଷ୍ଟିୟରିଂ କମିଟି । ଏଆଇସିସି ପକ୍ଷରୁ ଘୋଷିତ ୪୭ ଜଣିଆ ଷ୍ଟିୟରିଂ କମିଟିରେ ସ୍ଥାନ ପାଇଛନ୍ତି ବହୁ ହେଭିଓ୍ବେଟ  ନେତା । ଏହି କମିଟିରେ ସୋନିଆ ଗାନ୍ଧୀ, ମନମୋହନ ସିଂ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଏ .କେ ଆଣ୍ଟୋନି, ଡକ୍ଟର ଅଭିଷେକ ମନୁ ସିଙ୍ଗଭି, ଅଜୟ ମାକେନ, ଅମ୍ବିକା ସୋନି ପ୍ରମୁଖ ସ୍ଥାନ ପାଇଛନ୍ତି । ଓଡ଼ିଶାରୁ କେବଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଏହି କମିଟିରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଜୟ ମାକେନ ଆନନ୍ଦ ଶର୍ମା, ପି ଚଦାମ୍ବରମ୍, ରଣଦୀପ ସୂର୍ଯ୍ୟଓ୍ବାଲା ଓ ଅଧୀର ରଞ୍ଜନ ଚୌଧୁରୀ ରହିଛନ୍ତି । ବଡ଼ କଥା ହେଉଛି ଏହି କମିଟିରେ ସ୍ଥାନ ପାଇନାହାଁନ୍ତି ଏଆଇସିସି ସଭାପତି ନିର୍ବାଚନରେ ପରାସ୍ତ ହୋଇଥିବା ଶଶୀ ଥରୁର ।

ଓଡିଶା ଟ୍ରାଭେଲ ବଜାରର ଚତୁର୍ଥ ସଂସ୍କରଣ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ଓଡିଶା ଟ୍ରାଭେଲ ବଜାରର ଚତୁର୍ଥ ସଂସ୍କରଣ । ପର୍ଯ୍ୟଟକକୁ ଆକୃଷ୍ଟ କରିବାକୁ ୩ ଦିନିଆ ଓଡ଼ିଶା ଟ୍ରାଭେଲ୍ ବଜାରରେ ବିଦେଶୀ ଓଡୋମେଷ୍ଟିକ ଟୁର୍ ଇପରେଟର ଯୋଦଦେବ । ଅକ୍ଟୋବର ୨୮ରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫିକିର ଟ୍ରାଭେଲ୍‌, ଇଣ୍ଡିଆନ ଚାମ୍ବର ଅଫ କମର୍ସ, ପର୍ଯ୍ୟଟନ ଓ ଆତିଥେୟତା କମିଟି ଓ ଓଡିଶା ପର୍ଯ୍ୟଟନ ବିଭାଗ ମିଳିତ ଭାବରେ ଏହାକୁ ଆଯୋଜନ କରୁଛନ୍ତି ।

ଓଡିଶା ପର୍ଯ୍ୟଟନ ଦେଖିବ ବିଶ୍ବ । ପର୍ଯ୍ୟଟନ ଶିଳ୍ପକୁ ମିଳିବ ସଞ୍ଜୀବନୀ । କରୋନା ଯୋଗୁଁ ଶିଥିଳ ପଡିଥିବା ପର୍ଯ୍ୟଟନ ଶିଳ୍ପକୁ ମିଳିବ ଶକ୍ତି । ହକି ବିଶ୍ବକପ୍ ଓ ମେକ୍ ଇନ୍ ଓଡିଶା କନକ୍ଲେଭ ପୂର୍ବରୁ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୨୮ ତାରିଖରେ ଏହାର ଉଦଘାଟନ କରିବେ । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଏବଂ ଡୋମେଷ୍ଟିକ୍ ଓ ବିଦେଶୀ ଟୁର୍ ଅପରେଟରମାନଙ୍କ ମଧ୍ୟରେ ବି-2-ବି ବୈଠକ ଆୟୋଜନ କରାଯିବା ଉପରେ ଗୁରୁତ୍ୱାରୋପ କରାଯିବ ।

ଓଡ଼ିଶା ହେଉଛି ପ୍ରାକୃତିକ ସମ୍ବଳର ଗନ୍ତାଘର । ଓଡିଶାରେ ୪୮୨ କିମି ବ୍ୟାପୀ ଲମ୍ବା ବେଳାଭୂମି, ୧୯ ବନ୍ୟଜନ୍ତୁ ଅଭୟାରଣ୍ୟ ସହିତ ଆମର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ନେଇ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଓଡ଼ିଶା ପାଖରେ ପୂର୍ଣ୍ଣ ସମ୍ଭାବନା ରହିଛି । ସେହି ସମ୍ଭାବନା ବିଷୟରେ ଦେଶ ଭିତରର ଓ ବିଦେଶର ଟୁର ଅପରେଟରମାନଙ୍କୁ ଜଣାଇବା ଲାଗି ଆମେ ତିନି ଦିନିଆ ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ କରୁଛୁ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବନୀ ପାତ୍ର କହିଛନ୍ତି ।

ଚତୁର୍ଥ ଓଡ଼ିଶା ଟ୍ରାଭେଲ୍ ବଜାରରେ ୨୫ଟି ବିଦେଶୀ ଟୁର ଅପରେଟର ଏବଂ ଭାରତର ୮୩ ଟୁର ଅପରେଟର ଅଂଶଗ୍ରହଣ କରିବେ । ଟୁର ଅପରେଟରଙ୍କୁ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପରିଦର୍ଶନରେ ନିଆଯିବ । ନିବେଶକ ଓ ଏୟାରଲାଇନ୍ସମାନଙ୍କ ସହ ବି-2-ଜି ବୈଠକ ମଧ୍ୟ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ବିକ୍ରେତାମାନେ ସେମାନଙ୍କ ଉତ୍ପାଦ ଓ ଯୋଜନାଗୁଡ଼ିକୁ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି ।

ଭାରତର ଟୁର ଅପରେଟରଙ୍କ ଭିତରେ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀର ପ୍ରସାର କରିବା ଲାଗି ଏକ ମଞ୍ଚ ସୃଷ୍ଟି କରିବା ହେଉଛି ଏହାର ମୂଳ ଲକ୍ଷ୍ୟ ।