spot_img
Home Blog Page 3937

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ସଫଳତା; ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଲି.ରେ ନିଯୁକ୍ତି ପାଇଲେ ୪୦୦ ଓଡ଼ିଆ ଯୁବତୀ

ଭୁବନେଶ୍ୱର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ବଡ ସଫଳତା। ତାମିଲନାଡୁ ହୋସୁରରେ ଥିବା ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଲିମିଟେଡରେ ନିଯୁକ୍ତି ପାଇଲେ ୪୦୦ ଓଡ଼ିଆ ଯୁବତୀ। ସମସ୍ତଙ୍କ ବୟସ ୧୮ରୁ ୨୧ ବର୍ଷ ମଧ୍ୟରେ ହୋଇଥିବା ବେଳେ ଯୋଗ୍ୟତା ରହିଛି ଯୁକ୍ତ ଦୁଇ । ସମସ୍ତେ ଟାଟା ଇଲେକ୍ଟ୍ରୋନିକ୍ସରେ ଜୁନିୟର ଟେକ୍ନିସିଆନ ଭାବେ କାମ କରିବେ ।

ପ୍ରାଥମିକ ପର୍ଯ୍ୟାୟରେ ବାରିପଦାର ୭୦ ଜଣ ଯୁବତୀ ତାମିଲନାଡୁ ଅଭିମୁଖେ ଯାତ୍ରା କରିବେ। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବତୀଙ୍କୁ ସ୍ବତନ୍ତ୍ର ବସ ଯୋଗ ଭୁବନେଶ୍ୱର ବିମାନ ବନ୍ଦର ଅଣାଯାଉଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଆସନ୍ତାକାଲି କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ଯୁବତୀ ସ୍ବତନ୍ତ୍ର ବିମାନରେ ଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବତୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଆଣିବା ପାଇଁ ୬ଟି ସ୍ବତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି।

ସେହିଭଳି ୨୦ ତାରିଖରେ ସୁନ୍ଦରଗଡର ଅନ୍ୟ ୭୦ ଜଣ, ୨୧ ତାରିଖରେ ଫୁଲବାଣୀରୁ ଚୟନ ହୋଇଥିବା ୫ ଜଣ ଯୁବତୀ ତାମିଲନାଡୁ ଯିବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସବୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଏମ୍ପଲୟମେଣ୍ଟ ଏକ୍ସଚେଞ୍ଜରେ ନାମ ପଞ୍ଜିକରଣ କରିଥିବା ଯୁବତୀ ମାନଙ୍କୁ ଅଫିସର ମାନେ ଚିହ୍ନଟ କରିବା ସହ ଟାଟା କମ୍ପାନୀ ପକ୍ଷରୁ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିଥିଲେ । ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪ଶହ ଯୁବତୀ ନିଯୁକ୍ତି ପାଇବାରେ ସକ୍ଷମ ହୋଇଛନ୍ତି।

ଜମ୍ମୁ-କାଶ୍ମୀରରେ ୟୁିପର ଦୁଇ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ। ସୋପିଆନ ଜିଲ୍ଲାର ହରମାନଠାରେ ଦୁଇ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଆଜି ସକାଳୁ ଗ୍ରେନେଡ ମାଡ କରି ଦୁଇ ଶ୍ରମିକଙ୍କୁ ହତ୍ୟା କରାଯାଇଛି । ମୃତ ଦୁଇ ଶ୍ରମିକ ଉତ୍ତରପ୍ରଦେଶର ମନୀଷ କୁମାର ଓ ରାମ ସାଗର । ସେମାନେ ୟୁପି କନୌଜ ଜିଲ୍ଲାର ହୋଇଥିବା ବେଳେ କାଶ୍ମୀରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଶୋଇଥିବା ବେଳେ ସେମାନଙ୍କ ଉପରକୁ ହ୍ୟାଣ୍ଡ ଗ୍ରନେଡ ମାଡ କରାଯାଇଥିବା ଅଭିଯୋଗ।

ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି ବୋଲି କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା। ସେପଟେ ଏହି ହତ୍ୟାକାଣ୍ଡ ନେଇ ଟିଆରଏଫ୍ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି। ଚଳିତ ସପ୍ତାହରେ କାଶ୍ମୀର ଉପତ୍ୟକାରେ ଏହା ଦ୍ବିତୀୟ ଟାର୍ଗେଟ କିଲିଂ ।

ସୂଚନାଯୋଗ୍ୟ, ଗତ ଶନିବାର ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ। ସେପଟେ ଟାର୍ଗେଟ କିଲିଂକୁ ନେଇ ରାଜନୀତି ପାରା ହାଇ । ଧାରା ୩୭୦ ଲାଗୁ ହେବା ପରେ କାଶ୍ମୀରରେ ଶାନ୍ତି ଫେରିଛି ବୋଲି ସରକାର ଦାବି କରୁଥିବା ବେଳେ ନିରୀହ ଲୋକଙ୍କୁ ଟାର୍ଗେଟ କରାଯାଉଛି ବୋଲି କଂଗ୍ରେସ କହିଛି । ସେପଟେ କାଶ୍ମୀର ସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ବିଶେଷଜ୍ଞ ।

୩୮ ଦିନରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ: ୩୮ ଦିନରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା । ୪ଟି ରାଜ୍ୟର ୧୬ ଜିଲ୍ଲା ଦେଇ ଆଜି ଆନ୍ଧ୍ରପ୍ରଦେଶରେ ପହଞ୍ଚିଛି ଏହି ପଦଯାତ୍ରା । ଆଜି ସକାଳୁ ଆନ୍ଧ୍ରପଦେଶ ଜଜିରାକଲ୍ଲୁ ଟୋଲପ୍ଲାଜା ନିକଟରୁ ପଦଯାତ୍ରା ଆରମ୍ଭ ହୋଇଛି । କରନୋଲରେ ପହଞ୍ଚିବା ପରେ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟମାନଙ୍କୁ ସ୍ବାଗତ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା।

ଆଜି ଆଲୁରୁ, ହାତୀ ବେଲଗଲ ଓ ମୁନିକୁରଥିରେ କଂଗ୍ରେସ ପଦଯାତ୍ରା କରାଯିବ। ଅପରାହ୍ନରେ ମିନିକୁରଥିଠାରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବେ ରାହୁଲ। ଆସନ୍ତାକାଲି ଆଦୋନିଠାରେ କଂଗ୍ରେସ ପକ୍ଷରୁ ଏକ ସାଧାରଣ ସଭାର ଆୟୋଜନ କରାଯାଇଛି। ପ୍ରାୟ ଶହେ କିମି ଯାତ୍ରା ପରେ ଅକ୍ଟୋବର ୨୧ରେ ଆନ୍ଧ୍ରରୁ କର୍ଣ୍ଣାଟକ ଦେଇ ତେଲେଙ୍ଗାନା ଯିବ ପଦଯାତ୍ରା ।

ସମ୍ବଲପୁରରେ ହାତୀ ମୃତ୍ୟୁ ଘଟଣା, ୩ଜଣଙ୍କୁ କୋର୍ଟ ଚାଲାଣ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ବଡରମା ରେଂଜ ତିଲେଇମାଲ ପତ୍ରାଜଙ୍ଗଳରେ ଦୁଇ ହାତୀ ମୃତ୍ୟୁ ଘଟଣାରେ ବନବିଭାଗ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୬ ତାରିଖରେ ତିଲେଇମାଲ ଗ୍ରାମ୍ୟ ପତ୍ରାଜଙ୍ଗଳରେ ଗୋଟିଏ ମାଈ ଓ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା।

ବାମରା ବନଖଣ୍ଡ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ, ଭୁବନେଶ୍ୱରରୁ ଜଏଣ୍ଟ ଟାକ୍ସଫୋର୍ସ କମିଟିର ୪ଜଣିଆ ଦଳ ମଧ୍ୟ ତଦନ୍ତ କରିଥିଲେ। ତିଲେଇମାଲର ୩ଜଣ ବୁଦ୍ଦ ବଲୁଆ, କାଜଳ ମାଝୀ ଓ ବୀର୍ସା ଭଗତ ପ୍ରମୁଖଙ୍କୁ ବନବିଭାଗ ଗିରଫ କରିଛି। ଫସଲରେ କୀଟନାଶକ ପ୍ରୟୋଗ ପରେ ହାତୀ ଖାଇଥିବା ଏବଂ ବିଦ୍ୟୁତ ଜନିତ ଆଘାତ ହୋଇଥିବା କୁହାଯାଉଥିବା ବେଳେ ବନବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ନେବନି କମିଶନରେଟ ପୋଲିସ

ଭୁବନେଶ୍ୱର: ବ୍ଲାକମେଲର ମାୟାବିନୀ ଅର୍ଚ୍ଚନା ନାଗ ଗିରଫ ମାମଲା, ରିମାଣ୍ଡରେ ନେବନି କମିଶନରେଟ ପୋଲିସ । ଆବଶ୍ୟକ ସ୍ଥଳେ ଜେଲରେ ହୋଇପାରେ ପଚରା ଉଚରା । କେସ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରମାଣ ପୋଲିସ ପାଖରେ ଅଛି । ଅର୍ଚ୍ଚନା ବିରୋଧରେ ରହିଛି ହନିଟ୍ରାପ, ବ୍ଲାକମେଲ, ମାନବ ଚାଲାଣ ଭଳି ଅଭିଯୋଗ ।

ସୂଚନା ଅନୁଯାୟୀ, ନିଶା ଦେଇ ଫସାଇବା ସହ କରୁଥିଲା ଅପରାଧିକ ଷଡଯନ୍ତ୍ର । ଗତକାଲି ଅର୍ଚ୍ଚନାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ SDJM କୋର୍ଟ । ଖୁବଶୀଘ୍ର ଡିସିପିଙ୍କ ନିକଟରେ ହାଜର ହେବେ ସ୍ୱାମୀ ଜଗବନ୍ଧୁ ଚାନ୍ଦ । କମିଶନରେଟ ପୋଲିସର ନୋଟିସ ଆଧାରରେ ହେବେ ହାଜର । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆର୍ଥିକ କାରବାରର ଖୋଳତାଡ଼ କରୁଛି ପୋଲିସ । ଟ୍ରାଞ୍ଜାକ୍ସନ ହୋଇଥିବା ଆକାଉଣ୍ଟ ହୋଲ୍ଡର ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି । କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବିଜେଡି ନେତାଙ୍କ କାର ଉପରକୁ ବୋମାମାଡ଼

କାମାକ୍ଷାନଗର: ବିଜେଡି ନେତାଙ୍କ କାର ଉପରକୁ ବୋମାମାଡ଼ । କାମାକ୍ଷାନଗର ପୋଲିସର ତନାଘନା ଜାରି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର ଉପରକୁ ଗତକାଲି  ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଛନ୍ତି । ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି।

ପ୍ରଥମେ ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଗୋଟିଏ ରାଉଣ୍ଡ ବୁଲି ସାରିବା ପରେ ଗାଡି ଉପରକୁ ୩ଟି ବୋମା ପକାଇଥିଲେ । ଏବେବି ଦୁଇଟି ବୋମା ଅଫୁଟା ପଡିଥିବା ଦେଖିବାକୁ ମିଳିଛି । ଯାହାର ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ରାତିରେ ବୋମା ମାଡ଼ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଶବ୍ଦ ଶୁଣି ଘର ବାହାରକୁ ଆସିଥିଲେ ।

ଏପରିକି ନାଇଟ ପେଟ୍ରୋଲିଂରେ ଥିବା ପୋଲିସ ମଧ୍ୟ କାହ୍ନୁ ଚରଣ ସାହୁଙ୍କ ଘର ପାଖକୁ ଆସିଥିଲେ । ତେବେ କାହ୍ନୁଙ୍କର କୌଣସି ରାଜନୈତିକ କିମ୍ବା ବ୍ୟବସାୟୀକ ଶତ୍ରୁ ନଥିବା ସେ ପ୍ରକାଶ କରିଛନ୍ତି । ଏ ନେଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଆଜିଠାରୁ ବସିବ ୪ଦିନିଆ ୯୦ତମ ଇଣ୍ଟରପୋଲ୍ ଜେନେରାଲ ଆସେମ୍ବଲି

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଆଜିଠାରୁ ବସିବ ୪ଦିନିଆ ୯୦ତମ ଇଣ୍ଟରପୋଲ୍ ଜେନେରାଲ ଆସେମ୍ବଲି । ୨୫ ବର୍ଷ ପରେ ଭାରତରେ ଏହି ଆସେମ୍ବଲି ହେବାକୁ ଯାଉଛି । ଯେଉଁଥିରେ ୧୯୫ ଇଣ୍ଟରପୋଲ ସଦସ୍ୟ ଦେଶର ପ୍ରତିନିଧି ସାମିଲ ହେବେ । ୧୯୯୭ରେ ଶେଷ ଥର ପାଇଁ ଭାରତରେ ହୋଇଥିଲା ଅନ୍ତର୍ଜାତୀୟ ଇଣ୍ଟରପୋଲ ସମ୍ମିଳନୀ।

ଚଳିତ ବର୍ଷ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ଏହି ସମ୍ମିଳନୀକୁ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା, ଯାହାକୁ ବିପୁଳ ସମର୍ଥନ ମିଳିଥିଲା ।  ଆଜିଠୁ ୨୧ ତାରିଖ ଯାଏ ଏହି ସମ୍ମିଳନୀ ଚାଲିବ । ଯେଉଁଥିରେ,  ବିଭିନ୍ନ ଦେଶର ପୋଲିସ ମୁଖ୍ୟ,  ଏନସିବିର ମୁଖ୍ୟଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହେବେ ।

ସୂଚନାଯୋଗ୍ୟ, ଜେନେରାଲ ଆସେମ୍ବଲି ହେଉଛି ଇଣ୍ଟରପୋଲର ସୁପ୍ରିମ  ଗଭର୍ଣ୍ଣିଂ ବଡ଼ି। ଏହି ମିଟିଂ ବର୍ଷକୁ ଥରେ ବସେ। ଯେଉଁଥିରେ ଇଣ୍ଟରପୋଲର କାର୍ଯ୍ୟଧାରା ଓ ଫୋକସ ଏରିଆ ଉପରେ ଆଲୋଚନା ହୋଇଥାଏ । ଭାରତରେ ଏହି ଇଭେଣ୍ଟ ହେଉଥିବାରୁ ଦେଶର ଆଇନଶୃଙ୍ଖଳା ବ୍ୟବସ୍ଥା ପୁରା ବିଶ୍ବ ଆଗରେ ପ୍ରତିପାଦନ କରିବାର ସୁଯୋଗ ପାଇବ ଦେଶ। ପ୍ରଧାନମନ୍ତ୍ରୀ ଏହି ଆସେମ୍ବଲିରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ, ଇଣ୍ଟରପୋଲ ସଭାପତି ଏହମ୍ମଦ ନାସିର୍ ଓ ସେକ୍ରେଟାରୀ ଜେନେରାଲ ଜର୍ଜେନ ଷ୍ଟକ, ସିବିଆଇ ନିର୍ଦ୍ଦେଶକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

ଆଜି ବିସିସିଆଇର ବାର୍ଷିକ ସାଧାରଣ ବୈଠକ; ବିନ୍ନିଙ୍କ ନାଁରେ ବାଜିପାରେ ମୋହର

ନୂଆଦିଲ୍ଲୀ: ଆଜି ବସୁଛି ବିସିସିଆଇର ବାର୍ଷିକ ସାଧାରଣ ବୈଠକ। ବିସିସିଆଇ ସଭାପତି ପାଇଁ ରୋଜର ବିନ୍ନିଙ୍କ ନାଁରେ ବୈଠକରେ ବାଜିପାରେ ମୋହର। ଏନେଇ ଆଜି ବିଧିବଦ୍ଧ ଘୋଷଣା କରିପାରେ ବୋର୍ଡ । ନାଁ ଘୋଷଣା ହେଲେ ରୋଜର ବିନ୍ନି ହେବେ ପରବର୍ତ୍ତୀ ବିସିସିଆଇ ସଭାପତି । ନୂଆ ସଭାପତି ଭାବେ ସେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବେ ।

ଏହାସହ କୋଷାଧ୍ୟକ୍ଷ ପଦ ଛାଡିଥିବା ଅରୁଣ ଧୁମାଲଙ୍କ ନାଁ ଆଇପିଏଲ୍ ଅଧ୍ୟକ୍ଷ ଭାବେ ଘୋଷଣା କରାଯିବ ।  ବୈଠକରେ ଆଇସିସି ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ବିସିସିଆଇ ନିଜେ ପ୍ରାର୍ଥୀ ଦେବ କିମ୍ବା ଗ୍ରେଗ୍ ବାରକ୍ଲେଙ୍କୁ ପୁଣି ଥରେ ସମର୍ଥନ କରିବ ସେନେଇ ବିଚାର କରାଯିବ । ଆଇସିସି ଅଧ୍ୟକ୍ଷ ପଦ ପାଇଁ ଆସନ୍ତା ୨୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି ।

ପୁରୀରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

ପୁରୀ: ପୁରୀର ଏକ ହୋଟେଲରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ| ସିଟି ରୋଡ଼ ସ୍ଥିତ ଘରୋଇ ହୋଟେଲରେ ଘଟିଛି ଏ ଘଟଣା | ଉଭୟ ବିଷ ଖାଇଥିବା ସୂଚନା ମିଳିଛି | ଉଭୟଙ୍କୁ ହୋଟେଲ କର୍ତ୍ତୃପକ୍ଷ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି | ତେବେ ପ୍ରେମିକର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାକୁ କଟକ ସ୍ଥାନାନ୍ତରିତ କରାଯିବା ନେଇ ସୂଚନା ମିଳିଛି ।

ଆଜି ଠାରୁ ପୁଣି କଡାକଡି ହେବ ଯାନବାହାନ ଚେକିଂ

ଭୁବନେଶ୍ୱର: ଆଜି ଠାରୁ ପୁଣି କଡାକଡି ହେବ ଯାନବାହାନ ଚେକିଂ। ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଆଜି ଠାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ଓ ଅପରାହ୍ନରେ କଡାକଡି ହେବ ଯାଞ୍ଚ।

ଦ୍ରୁତ ଗତିରେ ଗାଡି ଚଲାଇବା, ହେଲମେଟ ନପିନ୍ଧିବା, ଗାଡି ଚଲାଇବା ସମୟରେ ମୋବାଇଲ ଫୋନ୍ ବ୍ୟବହାର କରିବା ଓ ଟ୍ରାଫିକ ନିୟମ ଉଲ୍ଲଂଘନ ଆଦି ଉପରେ ନଜର ରଖିବେ ଉଭୟ ପୋଲିସ ଓ ପରିବହନ ବିଭାଗ । ନିୟମ ଉଲ୍ଲଂଘନ କଲେ ୩ ମାସ ପର୍ଯ୍ୟନ୍ତ ବାତିଲ ହେବ ଡ୍ରାଇଭଂ ଲାଇସେନ୍ସ । ଏହାସହ ଆଦାୟ କରାଯିବ ମୋଟା ଅଙ୍କର ଜରିମାନା ।

ତେବେ ସକାଳ ୯ଟା ଠାରୁ ୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଯାଞ୍ଚ କରାଯିବ । ସଡକ ଦୁର୍ଘଟଣା ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟ କମିଟି ଚିନ୍ତା ପ୍ରକଟ କରିବା ସହ ଯାଞ୍ଚକୁ କଡାକଡି କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଯାଞ୍ଚକୁ କଡାକଡି କରିବାକୁ ନିର୍ଦ୍ଦଶ ଦେଇଛନ୍ତି ।