spot_img
Home Blog Page 3938

ମିଟିଂ ବେଳେ ହସିଦେଲେ ବୋଲି ଜେଇଙ୍କୁ କାରଣ ଦର୍ଶାଅ ନୋଟିସ !

ବାଲେଶ୍ୱର: ହସିଦେଲେ ବୋଲି କାରଣ ଦର୍ଶାଅ ନୋଟିସ। ପ୍ରତିବାଦରେ ଧାରଣାରେ ବସିଲେ ଜେଇ। ବାଲିଆପାଳ ବ୍ଲକ୍‌ର କାର୍ଯ୍ୟରତ ଜେଇ ମିହିର ପଣ୍ଡାଙ୍କୁ ଡ଼ିଆରଡ଼ିଏର ପିଡି କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିବାରୁ ଆଜି ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ସେ ଧାରଣାରେ ବସିଛନ୍ତି। କୌଣସି କାରଣ ନଥାଇ କାରଣ ଦର୍ଶାଅ ନୋଟିସ୍‌ କାହିଁକି ଜାରି କରାଗଲା ବୋଲି କହିଛନ୍ତି ଜେଇ ମିହିର।

ସୂଚନା ମୁତାବକ ବନ୍ୟା ପରିସ୍ଥିତିକୁ ନେଇ ବୈଠକ ଚାଲିଥିବାବେଳେ, ଖାଇବା ମିଲ୍‌କୁ ନେଇ ଆଲୋଚନା ହେଉଥିଲା। ଏହି ସମୟରେ ଜେଇ ମିହିର ପଣ୍ଡା ହସି ଦେଇଥିଲେ । ଏହି କାରଣକୁ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ମିଛରେ ସେ ନିଶାସକ୍ତ ହୋଇ ବୈଠକକୁ ଆସିଥିବା ଦର୍ଶାଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ଅଭିଯୋଗ କରିଛନ୍ତି ମିହିର।

ସେପଟେ ବନ୍ୟା ଭଳି ଜରୁରୀକାଳୀନ ପରିସ୍ଥିତିରେ ଜେଇ ମିହିର ପଣ୍ଡା ସରକାରୀ କାର୍ଯ୍ୟରେ ଅବହେଳା ଓ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି। ଧାରଣାରେ ବସିବାର ଘଣ୍ଟାକ ପରେ ମିହିର ଅଫିସ୍‌ ଛାଡ଼ି ପଳାଇ ଯାଇଥିଲେ ।

ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣା, ଥାନାରେ ହାଜର ହେଲେନି ସୌମ୍ୟଜିତ୍

ଭୁବନେଶ୍ୱର: ରାଜଧାନୀରେ ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣା ।  ଆଜି ଥାନାରେ ହାଜର ହୋଇନାହାଁନ୍ତି ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍ ।ତେବେ ସୌମ୍ୟଙ୍କ ମାନସିକ ସ୍ଥିତି ଠିକ ନାହିଁ । ତେଣୁ ଥାନାରେ ହାଜର ହୋଇନାହାନ୍ତି, ଓକିଲଙ୍କ ଜରିଆରେ ଆଉ କିଛି ସମୟ ମାଗିଥିବା ସୂଚନା ମିଳିଛି। ସୌମ୍ୟଙ୍କ ପରିବାର ପୋଲିସ ସହ ଯୋଗାଯୋଗରେ ଅଛନ୍ତି ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

ତେବେ ଘଟଣା ପରଦିନ ସୌମ୍ୟଜିତ୍‌ଙ୍କୁ ଥାନାରେ ପଚରାଉଚରା ହୋଇଥିଲା। ସେତବେଳେ ଶ୍ଵେତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିଲା। ପରେ ତାଙ୍କ ପରିବାର ଅଲଗା ଅଭିଯୋଗ ଆଣିଥିଲେ। ସେହି ଅନୁସାରେ ତଦନ୍ତ କରାଯାଉଛି। କମିଶନରେଟ ପୋଲିସ ଘଟଣା ଉପରେ ନଜର ରଖିଛି। ଯଦି ଶ୍ଵେତାଙ୍କ ପରିବାର ନିକଟରେ କିଛି ପ୍ରମାଣ ଅଛି, ତେବେ ସେମାନେ ଦିଅନ୍ତୁ । ଯିଏ ବି ଦୋଷୀ ପ୍ରମାଣିତ ହେବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି ।

ସେପଟେ ଆସିଛି ଶ୍ଵେତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଏହା ଏକ ଆତ୍ମହତ୍ୟା ଘଟଣା । ଶ୍ଵାସରୁଦ୍ଧ ହୋଇ ଶ୍ବେତାଙ୍କ ମୃତ୍ୟୁ ହୋଇଛି। ବେକ ବ୍ୟତୀତ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି । ବ୍ୟବଛେଦ ରିପୋର୍ଟ ପ୍ରସ୍ତୁତ ହୋଇଛି ଏବଂ ତଦନ୍ତକାରୀ ପୋଲିସକୁ ଦିଆଯିବ । ଫର୍ମାଟ ହୋଇଥିବା ଶ୍ଵେତାଙ୍କ ଫୋନ ରିଟ୍ରାଇଭ ହୋଇଛି । କଲରେକର୍ଡ, ଭିଡିଓ, ଫଟୋ ପୋଲିସ ହାତରେ ଲାଗିଛି।

ଚିକିତ୍ସା ବାହାନାରେ ସ୍ୱାମୀ ବିକିଦେଲା ସ୍ତ୍ରୀ କିଡନୀ

ମାଲକାନଗିରି: ସ୍ୱାମୀ ବିକିଦେଲା ସ୍ତ୍ରୀ କିଡନୀ । ମାଲକାନଗିରି ଟାଉନଥାନା ଅଞ୍ଚଳରୁ ଆସିଛି ଏପରି ସଂଗୀନ ଅଭିଯୋଗ। ଚିକିତ୍ସା ବାହାନାରେ ଡାକ୍ତରଖାନା ନେଇ ସ୍ୱାମୀ କିଡନୀ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି ପତ୍ନୀ।

ଅଭିଯୋଗ ଅନୁସାରେ ୧୨ବର୍ଷ ତଳେ କୋତାମେଟା ଗାଁର ପ୍ରଶାନ୍ତ କୁଣ୍ଡୁ ରଞ୍ଜିତା କୁଣ୍ଡୁଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ରହିଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । ୨୦୧୮ ମସିହାରେ ଚିକିତ୍ସା କରିବାକୁ କହି ରଞ୍ଜିତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନା ନେଇଥିଲେ ପ୍ରଶାନ୍ତ। ଡାକ୍ତରଖାନାରୁ ଫେରିବା ପରେ ସେ ବାପଘରେ ରହିଆସୁଥିଲେ। ପରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଡାକ୍ତରଖାନାରେ ଦେଖାଇବା ପରେ ତାଙ୍କର ଏକ କିଡନୀ ନଥିବା ଜଣାପଡ଼ିଥିଲା । ଯୋଜନା ମୁତାବକ MV 38 ଗାଁର ଜଣେ ବ୍ୟକ୍ତିଙ୍କୁ ସ୍ୱାମୀ ପ୍ରଶାନ୍ତ କିଡନୀ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ୨ ମହିଳାଙ୍କର ମୃତ୍ୟୁ

ମାଲକାନଗିରି: ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ୨ ମହିଳାଙ୍କର ମୃତ୍ୟୁ । ମାଲକାନଗିରି ଥାନା ପାଣ୍ଡ୍ରିପାଣି ଗାଁରେ ଘଟିଛି ଏହି ଅଘଟଣ । ସୂଚନା ମୁତାବକ ବଜ୍ରପାତରେ ୨ ଜଣ ମହିଳା ଚାଷୀଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ବାଉଁଶଗୁଡା ଗାଁର ଦଇମତି ଖିଲ ଓ ରାଉଳିଗୁଡ଼ା ଗାଁର ଦୀପା ପାଞ୍ଜି । ତେବେ ଅନ୍ୟ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟଜଣେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଅଛନ୍ତି ।

୨ ବର୍ଷ ପରେ ଜମିବ ଗଣେଶ ପୂଜା, ଶତାଧିକ ଲୋକଙ୍କୁ ନେଇ ଭୁବନେଶ୍ବରରେ ହେବ ପୂଜାର୍ଚ୍ଚନା

ଭୁବନେଶ୍ୱର: ଏଥର ରାଜଧାନୀରେ ଜମିବ ଗଣେଶ ପୂଜା । ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ହେଇପାରିବ ଗଣେଶ ପୂଜା । ପରଦା ଆଢ଼ୁଆଳରେ ନୁହେଁ ଭକ୍ତ କରିବେ ସିଧାସଳଖ ଦର୍ଶନ । ତେବେ କୋଭିଡ୍ କଟକଣା ଉଠିଛି କିନ୍ତୁ ମୁହଁରେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ଅନୁରୋଧ କଲେ BMC କମିଶନର । ମୂର୍ତ୍ତୀ ବିସର୍ଜନ ପାଇଁ ରାଜଧାନୀର କୁଆଖାଇ ଓ ଦୟାନଦୀ କୂଳରେ ହୋଇଛି ୨ଟି ଅସ୍ଥାୟୀ ପୋଖରୀ । ସେଥିରେ ଭୁବନେଶ୍ୱରର ସମସ୍ତ ମୂର୍ତ୍ତି ବିସର୍ଜନ କରିବାକୁ କମିଶନର ଅପିଲ କରିଛନ୍ତି । ଚଳିତ ବର୍ଷ ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଗଣେଶ । ପୂଜାରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ପୋଖରୀରେ ପକାଇବାକୁ ଅନୁରୋଧ କରିଛନ୍ତି କମିଶନର ବିଜୟ ଅମୃତା କୁଲାଙ୍ଗେ ।

ଟ୍ୟାକ୍ସ ଚୋରି ମାମଲାରେ ଅନିଲ ଅମ୍ବାନୀଙ୍କୁ ଆୟକର ବିଭାଗର ନୋଟିସ୍

ମୁମ୍ବାଇ: ଟ୍ୟାକ୍ସ ଚୋରି ମାମଲାରେ ଅନିଲ ଅମ୍ବାନୀଙ୍କୁ ଆୟକର ବିଭାଗର ନୋଟିସ୍ । ବ୍ଲାକ ମନି ଆକ୍ଟରେ ରିଲାଏନ୍ସ ଗ୍ରୁପର ପୂର୍ବତନ ଚେୟାରମ୍ୟାନ ଅନିଲ ଅମ୍ବାନୀଙ୍କୁ ନୋଟିସ କରିଛି ଆୟକର ବିଭାଗ । ସ୍ୱିସ ବ୍ୟାଙ୍କରେ ୮୧୪ କୋଟି ଟଙ୍କା ଜମା ରଖିଥିବା ଜଣାପଡ଼ିବା ପରେ ଅନିଲ ଅମ୍ବାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ୪୨୦ କୋଟି ଟ୍ୟାକ୍ସ ଚୋରି ଅଭିଯୋଗରେ ଅନିଲଙ୍କୁ ଜରିମାନା ସହ ୧୦ ବର୍ଷ ଜେଲ ଦଣ୍ଡ ହୋଇପାରେ । ଟ୍ୟାକ୍ସ ଫାଙ୍କିବା ପାଇଁ ସେ ଜାଣିଶୁଣି ବିଦେଶରେ ଥିବା ଅର୍ଥ ସମ୍ପର୍କରେ ଲୁଚାଇଥିଲେ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି ।

ହଷ୍ଟେଲରେ ସୁଜି ଖାଇ ୪୦ ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଚାଲିଛି ଚିକିତ୍ସା

କେନ୍ଦୁଝର: ହଷ୍ଟେଲରେ ସୁଜି ଖାଇ ୪୦ ଛାତ୍ରୀ ଅସୁସ୍ଥ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସର ୪୦ ଛାତ୍ରୀ ଅସୁସ୍ଥ ହେବାରୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ସନ୍ଧ୍ୟାରେ କିଛି ଛାତ୍ରୀଙ୍କର ମୁଣ୍ଡ ବୁଲାଇବା ସହିତ ଝାଡା ବାନ୍ତି ହୋଇଥିଲା । ଛାତ୍ରୀଙ୍କ କହିବା ଆନୁସାରେ, ସନ୍ଧ୍ୟାରେ ସେମାନେ ସୁଜି ଖାଇଥିଲେ । ଏହା ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ହଷ୍ଟେଲରେ ୧୦୦ ଛାତ୍ରୀ ରହୁଥିବା ବେଳେ ୪୦ ଛାତ୍ରୀ ଅସୁସ୍ଥ ହୋଇଛନ୍ତି  । ତେବେ ଖାଦ୍ୟ କିମ୍ବା ପାଣି ଯୋଗୁଁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ଛାତ୍ରୀମାନଙ୍କର ଚିକିତ୍ସା ଚାଲିଛି ଓ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ବଢ଼ିଲା ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ, ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ

ଭୁବନେଶ୍ୱର: ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ । ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ରରୁ ଅନୁମୋଦନ ମିଳିଛି । ଯାହା ଫଳରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ୨୮ ଫେବ୍ରୁଆରୀ ୨୦୨୩ ପର୍ଯ୍ୟନ୍ତ ନିଜ ପଦରେ ରହିବେ ସୁରେଶ । ପୂର୍ବରୁ ମଧ୍ୟ ସୁରେଶ ମହାପାତ୍ରଙ୍କର ୬ ମାସ କାର୍ଯ୍ୟକାଳ ବଢ଼ିଥିଲା । ୨୦୨୨ ଫେବ୍ରୁଆରୀରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । କିନ୍ତୁ ପ୍ରଥମ ଦଫାରେ ୬ ମାସ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ।

୭ ଦିନ ଭିତରେ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଦେବାକୁ ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ୭ ଦିନ ଭିତରେ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ କେତେ ଚାଷ ଜମି ନଷ୍ଟ ହୋଇଛି, ଘର କେତେ ଭାଙ୍ଗିଛି ତାହାର ରିପୋର୍ଟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ । ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ବିଭାଗ କ୍ଷୟକ୍ଷତିର ପ୍ରାଥମିକ ଆକଳନ ଆରମ୍ଭ କରିଛନ୍ତି । ରିଲିଫ କୋର୍ଡ ଅନୁସାରେ ରିପୋର୍ଟ ଆସିବାର ୧୫ ଦିନ ଭିତରେ ଘର ଭଙ୍ଗା ଓ ଫସଲ କ୍ଷତି ସହାୟତା ରାଶି ଯୋଗାଇ ଦିଆଯିବ ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣି ଛାଡ଼ିବାର ୭ ଦିନ ଭିତରେ କ୍ଷୟକ୍ଷତି ଆକଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ନିର୍ଦ୍ଦେଶ ଅନୁସାରେ ଆକଳନ ଆରମ୍ଭ କରାଯାଇଥିବା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ବନ୍ୟାରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ।

ଫି’ ପାଇଁ ପିଲା ବନ୍ଦୀ ପ୍ରସଙ୍ଗ, ଘରୋଇ ସ୍କୁଲରେ ଖୋର୍ଦ୍ଧା ଓ ଭୁବନେଶ୍ୱର ବିଇଓଙ୍କ ତଦନ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ଘରୋଇ ସ୍କୁଲରେ ସ୍କୁଲ ଫି’ ନଦେବାରୁ ପିଲା ବନ୍ଦୀ ଘଟଣା । ସ୍କୁଲରେ ତଦନ୍ତ କରିଛନ୍ତି ଖୋର୍ଦ୍ଧା ଓ ଭୁବନେଶ୍ୱର ବିଇଓ । ଏହି ଘଟଣାରେ ଏକାମ୍ର ବିଧାୟକ ଅଶୋକ ପଣ୍ଡା କହିଛନ୍ତି ଯେ, ଏହା ଶିକ୍ଷାର ବିରୁଦ୍ଧାଚରଣ । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ଏହାସହ ସେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସହ କଥା ହୋଇଛନ୍ତି । ବିଭାଗୀୟ ଶାସନ ସଚିବଙ୍କ ଜରିଆରେ ସମ୍ପୃକ୍ତ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ପିଲାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର କାହିଁକି କରାନଯିବ ବୋଲି ପ୍ରଶ୍ନ କରିଛନ୍ତି ଅଶୋକ ପଣ୍ଡା ।

ସେପଟେ ଏହା ଶିଶୁ ଅଧିକାର ଓ RTE ଆଇନ ଉଲ୍ଲଙ୍ଘନ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଘରୋଇ ସ୍କୁଲ ପିଲାଙ୍କର ଅଧିକ ଯତ୍ନ ନେବା କଥା । ଏନେଇ DEO, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର ପାଇଁ ସୁପାରିଶ କରିବେ । ସ୍କୁଲର CBSE ସ୍ୱୀକୃତି ସମେତ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରି ତଦନ୍ତ କରାଯିବ ବୋଲି ସନ୍ଧ୍ୟାବତୀ କହିଛନ୍ତି । ଗତ ସୋମବାର ଦିନ ସ୍କୁଲ ଫି’ ନଦେବାରୁ ୫ ଘଣ୍ଟା ଧରି ସ୍କୁଲର ଲାଇବ୍ରେରୀ ରୁମରେ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଥିଲେ ସ୍କୁଲ କର୍ତ୍ତୃପକ୍ଷ ।