spot_img
Home Blog Page 3947

ବିସ୍ଫୋରଣରେ ପ୍ରାଣ ହରାଇଲେ ପୁଟିନଙ୍କ ପରାମର୍ଶଦାତାଙ୍କ ଝିଅ, ହତ୍ୟା ସନ୍ଦେହ

କିଭ: ୟୁକ୍ରେନ ଆକ୍ରମଣ ପଛର ମାଷ୍ଟରମାଇଣ୍ଡଙ୍କ ଝିଅ କାର୍ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୁଖ୍ୟ ପରାମର୍ଶଦାତା ଆଲେକଜାଣ୍ଡର ଡୁଗିନଙ୍କ ଝିଅକୁ ହତ୍ୟା  । ୨୯ ବର୍ଷ ବୟସ୍କ ଝିଅ ଡାରିୟା ଡୁଗିନଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ୟୁକ୍ରେନ ଉପରେ ଋଷର ଆକ୍ରମଣ ଘଟଣାରେ ଆଲେକଜାଣ୍ଡାରଙ୍କ ପ୍ରମୁଖ ଭୂମିକା ରହିଥିଲା ।

ସେ ଋଷରେ ‘ପୁଟିନଙ୍କ ବ୍ରେନ’ ଭାବେ ଜଣାଶୁଣା । ୟୁକ୍ରେନ ଓ କ୍ରିମିଆ ଆକ୍ରମଣ ପଛରେ ଆଲେକଜାଣ୍ଡାରଙ୍କ ସମ୍ପୂର୍ଣ୍ଣ ମାଷ୍ଟରପ୍ଲାନ କାର୍ଯ୍ୟ କରିଥିବା କୁହାଯାଉଛି । କାର୍ ବିସ୍ଫୋରଣ ଘଟଣାରେ କାହାର ହାତ ସେନେଇ କୌଣସି ସ୍ପଷ୍ଟ ହୋଇପାରିନାହିଁ । ୟୁକ୍ରେନ ସହ ଯୁଦ୍ଧ ପ୍ରସଙ୍ଗକୁ ନେଇ ଡାରିୟାଙ୍କ ବିରୋଧରେ ବି ପାଶ୍ଚାତ୍ୟ ରାଷ୍ଟ୍ର କଟକଣା ଜାରି କରିଥିଲେ ।

କାର୍ ବିସ୍ଫୋରଣ ଘଟଣାକୁ ହତ୍ୟା ଯୋଜନା ବୋଲି ବିଭିନ୍ନ ମହଲରୁ କୁହାଯାଇଛି । ସେହି କାର୍‌ରେ ବାପା ଆଲେକଜାଣ୍ଡାର ଯିବାର ଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ସେ ଅନ୍ୟ ଏକ କାର୍‌ରେ ଯାଇଥିବାରୁ ବର୍ତ୍ତି ଯାଇଥିଲେ । ମସ୍କୋ ନିକଟସ୍ଥ ବୋଲସିୟେ ବ୍ୟାଜୋମି ଠାରେ ଏହି ବିସ୍ଫୋରଣ ଘଟିଥିଲା ।

ବକ୍ସ ଅଫିସରେ ଲାଲ୍ ସିଂହ ଚଢାର ମୃତ୍ୟୁ, ଦଶମ ଦିନରେ ଆୟ ନିରାଶଜନକ

ମୁମ୍ବାଇ: ବକ୍ସ ଅଫିସରେ ଫେଲ୍‌ ମାରିଛି ଅମୀର ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଲାଲ ସିଂହ ଚଡା । ସୁପର ଫ୍ଲପ ହେବା ସାଙ୍ଗକୁ କଲେକ୍ସନରେ ମଧ୍ୟ ବ୍ରେକ ଲାଗିଛି  । ୧୧ ଅଗଷ୍ଟରେ ରିଲିଜ ହୋଇଥିବା ଲାଲ ସିଂ ଚଡାର ଆୟ ନୈରାଶ୍ୟଜନକ ରହିଛି  । ବକ୍ସ ଅଫିସରେ ଏତେ ଖରାପ ଆୟ କରିଥିବା ଅମୀରଙ୍କ ଏହା ପ୍ରଥମ ଫିଲ୍ମ ହେବାକୁ ଯାଉଛି  । ଦଶମ ଦିନରେ ମାତ୍ର ୧.୫୦ କୋଟି ରୋଜଗାର କରିଛି ଏହି ଫିଲ୍ମ  ।

ବର୍ତ୍ତମାନ ସୁଦ୍ଧା ପାଖାପାଖି ୫୪ କୋଟି ଟଙ୍କା ରୋଜଗାର କରିଛି ଏବି ବିଗ୍‌ ବଜେଟ୍‌ ଫିଲ୍ମ  । ଦର୍ଶକ ଅମୀରଙ୍କୁ ଏଭଳି ଉପହାର ଦେବେ ବୋଲି ସେ କେବେ ସେ ଭାବି ବି ନଥିବେ । ସିନେମା ହଲ୍‌ରେ ଟିକେଟ ବିକ୍ରି ନ ହେଉଥିବାରୁ ଅଧିକାଂଶ ଶୋ’ ଗୁଡିକୁ ବାତିଲ କରିବାକୁ ପଡୁଛି  ।

ରିଲିଜର ପ୍ରଥମ ଦିନ ଲାଲ ସିଂହ ଚଡା ମାତ୍ର ୧୧.୫୦ କୋଟି ଟଙ୍କାରେ ଖାତା ଖୋଲିଥିଲା  । ୨୦୨୨ର ସବୁଠାରୁ ବଡ ଓପନର୍ସଙ୍କ ମଧ୍ୟରେ ଲାଲ ସିଂ ଚଡା ନାମ ପଞ୍ଚମ ସ୍ଥାନରେ ରହିଛି  । କିନ୍ତୁ ପ୍ରଥମ ଦିନ ପରେ ଟିକେଟ ବିକ୍ରି କମି ଯାଇଥିବା ଦେଖିବାକୁ ମିଳିଥିଲା  । ଦ୍ବିତୀୟ ଦିନ ଫିଲ୍ମର ଆୟ ୩୫ରୁ ୪୦ ପ୍ରତିଶତ କମି ଯାଇଥିଲା  । ରିପୋର୍ଟରୁ ଜଣାପଡିଛି କିଙ୍ଗ ଖାନ୍‌ ଶାହରୁଖଙ୍କ ଜିରୋ ଠାରୁ ଲାଲ ସିଂହ ଚଡାର ଅବସ୍ଥା ଶୋଚନୀୟ ରହିଛି  ।

୪ ବର୍ଷ ପରେ ମିଷ୍ଟର ପରଫେକ୍ସନିଷ୍ଟ ଅମୀର ସିଲଭର ସ୍କ୍ରିନକୁ ଲାଲ ସିଂହ ଚଡା ସହ କମବ୍ୟାକ୍‌ କରିଥିଲେ  । ଫିଲ୍ମ ଦେଖିବାକୁ ସେ ଦର୍ଶକଙ୍କୁ ଅପିଲ୍‌ ମଧ୍ୟ କରିଥିଲେ  । କିନ୍ତୁ ଅମୀରଙ୍କ ସେ ସବୁ ଟେକ୍‌ନିକ୍‌ କିଛି କାମରେ ଆସିନାହିଁ  ।

 

ଝୁଲିପଡିଲେ ସଫ୍ଟୱେର ଇଞ୍ଜିନିୟର, ଡାଏରୀ ଖୋଲିବ ଆତ୍ମହତ୍ୟା ରହସ୍ୟ

ଭୁବନେଶ୍ୱର: ରାଜଧାନୀରେ ସଫ୍ଟୱେର ଇଞ୍ଜିନିୟରଙ୍କ ଆତ୍ମହତ୍ୟା । ଆପାର୍ଟମେଣ୍ଟରୁ ଜବତ ହେଲା ଡାଏରୀ ଓ ମୋବାଇଲ । ଚାକିରିର ମାନସିକ ଚାପ ନା କେଉଁ ଚାପରେ ଶ୍ବେତା ଆତ୍ମହତ୍ୟା କଲେ ତାର ତଦନ୍ତ କରୁଛି ପୋଲିସ । ଶୁକ୍ରବାର ରାତିରେ ଶୈଳଶ୍ରୀବିହାରର ଏକ ଆପାର୍ଟମେଣ୍ଟ ରୁମ୍‌ରେ ଆତ୍ମହତ୍ୟା କରିଥିଲେ ଯୁବତୀ  ।

ବେକରେ ଓଢଣୀ ଲଗାଇ ଫ୍ୟାନରେ ସେ ଝୁଲି ପଡିଛନ୍ତି । ମୃତ ଯୁବତୀ ହେଲେ ଶ୍ୱେତା ଉତ୍କଳ କୁମାରୀ  । ସେ ଭଦ୍ରକର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।  ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଶ୍ବେତା ଭୁବନେଶ୍ୱର ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରୁଥିଲେ। ଫୋନ୍ ସୁଇଚ ଅଫ୍ ଥିବାରୁ ପରିବାର ଲୋକ ତାଙ୍କ ସହ ଯୋଗାଯୋଗ କରି ପାରିନଥିଲେ ।

ଏ ନେଇ ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ପରିବାର ଲୋକେ ଖବର ଦେଇଥିଲେ । ପୋଲିସ ଅପାର୍ଟମେଣ୍ଟରୁ ମୃତଦେହ ସହ ଏକ ଡାଏରୀ ଓ ମୋବାଇଲ ଜବତ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ । ତେବେ ପରିବାରଲୋକଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନି । ପୂର୍ବରୁ ଶ୍ୱେତା ଥରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜାଣିବାକୁ ପାଇଛି ପୋଲିସ ।

ଝାଡଖଣ୍ଡରେ ବର୍ଷା, ଭାସିପାରେ ବାଲେଶ୍ବର ମୟୂରଭଞ୍ଜ

ଭୁବନେଶ୍ବର: ମୟୂରଭଞ୍ଜ ଓ ବାଲେଶ୍ବରରେ ଆସୁଛି ବନ୍ୟା । ସୁବର୍ଣ୍ଣରେଖା ନଦୀର ରାଇଜିଂ ଟ୍ରେଣ୍ଡ ବାଲେଶ୍ବର ଓ ମୟୂରଭଞ୍ଜରେ ବନ୍ୟା ସ୍ଥିତି ଗମ୍ଭୀର କରିବ । ସୁବର୍ଣ୍ଣରେଖା ଅବବାହିକାରେ ଆସିବ ବନ୍ୟା । ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗାଲୁଡିହି ବ୍ୟାରେଜରୁ ୬ ଲକ୍ଷ କ୍ୟୁସେକ୍ ପାଣି  ଆସୁଛି । ଏନେଇ ସତର୍କ କରାଇଛନ୍ତି ଏସଆରସି ପ୍ରଦୀପ ଜେନା । ଭୋଗରାଇ, ଜଳେଶ୍ବର ଓ ବସ୍ତାରେ ବନ୍ୟାର ପ୍ରକୋପ ରହିବ ।

ଗତକାଲି ଠାରୁ ଅଞ୍ଚଳରେ ଜିଲ୍ଲାପାଳ ସଜାଗ ଅଛନ୍ତି  । ଘଟଣାସ୍ଥଳକୁ ଅତିରିକ୍ତ ଉଦ୍ଧାରକାରୀ ଟିମ୍ ପଠାଯାଇଛି । ୫ ଏନଡିଆରଏଫ, ୪ ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି । ୧୨ ଅଗ୍ନିଶମ ବାହିନୀ ମଧ୍ୟ ନିୟୋଜିତ ଅଛନ୍ତି । ସ୍ଥାନୀୟ ଟିମ୍ ସହ ପାଖାପାଖି ୪୦ ଅପରେସନାଲ ଟିମ୍ ରହିବେ । ବାଲେଶ୍ବର ଜିଲ୍ଲାରେ ବନ୍ୟାର ପ୍ରଭାବ ଅପରାହ୍ନ ପରେ ସ୍ପଷ୍ଟ ହେବ  । କାଲି ଯାଏଁ ରହିବ ପ୍ରଭାବ  ।

ସେହିପରି ଶିମିଳିପାଳରେ ପ୍ରବଳ ବର୍ଷା ହେଲେ ମଧ୍ୟ ବୁଢ଼ାବଳଙ୍ଗ ବିପଦ ସଙ୍କେତ ତଳେ ଅଛି  । ଉଦବେଗଜନକ ସ୍ଥିତି ନାହିଁ । ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆନନ୍ଦପୁର ପାଖରେ ବୈତରଣୀ ଫଲିଂ ଟ୍ରେଣ୍ଡରେ ରହିଛି । ଆଖୁଆପଦାରେ ବୈତରଣୀ ଜଳସ୍ତର କମିବ  । ଗତ ବନ୍ୟାରେ କାଣୀନଦୀରେ ଘାଇ ଯୋଗୁ ଏବେ ସମସ୍ୟା ଉପୁଜୁଛି । ବୈତରଣୀ ବନ୍ୟା ସ୍ଥିତି ପାଇଁ ଭଦ୍ରକ, ଯାଜପୁର ଲାଗି ଅତିରିକ୍ତ ଫାୟାର, ଓଡ୍ରାଫ ଓ  ଏନଡିଆରଏଫ୍ ଟିମ୍ ପଠାଯାଇଛି । ଭଦ୍ରକକୁ ୨ ଏନଡିଆରଏଫ୍, ୨ ଓଡ୍ରାଫ ଓ ୫ ଫାୟାର ଟିମ୍ ଯାଇଛନ୍ତି  । ଯାଜପୁର ପାଇଁ ମଧ୍ୟ ଅତିରିକ୍ତ ରେସ୍କ୍ୟୁ ଟିମ୍ ପଠାଯାଇଛି ।

ସେପଟେ ହୀରାକୁଦ ଜଳସ୍ତର କମିଛି । ମୁଣ୍ଡଳୀରେ ଧୀରେଧୀରେ ଖସୁଛି ପାଣି  । ଆଉ ଜଳସ୍ତର ବଢ଼ିବନି, କିନ୍ତୁ ତଳି ଅଞ୍ଚଳରେ ପାଣି ଅଛି । ବନ୍ୟା ପରିସ୍ଥିତି ଧୀରେଧୀରେ ସୁଧୁରୁଛି । ମହାନଦୀ ସିଷ୍ଟମରେ ବନ୍ୟା ସ୍ଥିତି ଗମ୍ଭୀର ହେବାର ନାହିଁ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଅନ୍ୟପଟେ ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ଜଳପ୍ରବାହକୁ ଦୃଷ୍ଟିରେ ରଖି ଏହାର ସମୀକ୍ଷା କରିଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ବନ୍ୟା ଆସୁଥିବାରୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ।

ମୋଦିଙ୍କୁ ମନୀଷ ସିସୋଦିଆଙ୍କ ପ୍ରଶ୍ନ, କୁହନ୍ତୁ କେଉଁଠିକୁ ଆସିବି ?

ନୂଆଦିଲ୍ଲୀ: ‘ଆପଣଙ୍କ ସମସ୍ତ ଚଢାଉ ଫେଲ୍‌ ମାରିଲା  । କିଛି ମିଳିଲା ନାହିଁ  । ଗୋଟିଏ ଟଙ୍କାର ହେରଫେର ହୋଇନାହିଁ  । ଏବେ ଆପଣ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରିଛନ୍ତି ଯେ ମନୀଷ ସିସୋଦିଆ ମିଳୁ ନାହାନ୍ତି  । ଏହା କେଉଁ ନାଟକ ମୋଦିଜୀ ? ମୁଁ ଦିଲ୍ଲୀରେ ମୁକ୍ତ ବିଚରଣ କରୁଛି  । କୁହନ୍ତୁ କେଉଁଠିକୁ ଆସିବାକୁ ହେବ ? ମୁଁ ଆପଣଙ୍କୁ କେମିତି ମିଳୁନାହିଁ ’? ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ ଜାରି ପରେ କିଛି ଏମିତି ଢଙ୍ଗରେ ମୋଦିଙ୍କୁ ସେ ପ୍ରଶ୍ନ କରିଛନ୍ତି  ।

ସିସୋଦିଆଙ୍କ ବ୍ୟତୀତ ଅନ୍ୟ ୧୨ ଜଣଙ୍କ ବିରୋଧରେ ବି ନୋଟିସ ଜାରି ହୋଇଛି । ଦିଲ୍ଲୀ ମଦନୀତିକୁ ନେଇ ସିବିଆଇ ଦାଏର କରିଥିବା ଏଫଆଇଆରରେ ସମସ୍ତଙ୍କ ନାମ ସ୍ଥାନ ପାଇଥିଲା । ସେମାନେ ଯେପରି ଦେଶ ବାହାରକୁ ଯାଇପାରିବେ ନାହିଁ ସେଥିଲାଗି ଏହି ନୋଟିସ ଜାରି ହୋଇଛି । ଗତ ଶୁକ୍ରବାର ୭ଟି ରାଜ୍ୟର ୩୧ଟି ସ୍ଥାନରେ ସିବିଆଇ ରେଡ କରିବା ସହ ସିସୋଦିଆଙ୍କ ବାସଭବନେରେ ସର୍ଚ୍ଚ ଅପରେସନ କରିଥିଲା ।

ସିବିଆଇର ଏଫଆଇଆରରେ ସ୍ଥାନ ପାଇଥିବା ୧୫ ଅଭିଯୁକ୍ତଙ୍କ ତାଲିକାରେ ସିସୋଦିଆଙ୍କ ନାମ ସର୍ବାଗ୍ରେ ରହିଛି । ଗତକାଲି ସିସୋଦିଆ ଅଭିଯୋଗ କରିଥିଲେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରୁଛି । ତଥାକଥିତ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ସିବିଆଇ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି । ସିସୋଦିଆ କହିଥିଲେ- ଦିଲ୍ଲୀ ଅବକାରୀ ନୀତି ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ କାର୍ଯ୍ୟକାରୀ କରାଯାଇଛି । ଏଥିରେ କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ ।

ବିଶ୍ୱବିଦ୍ୟାଳୟ ହତାରେ ପହଞ୍ଚିଲା ପାରିବାରିକ କଳି, କବାଟ କିଳି ପିଟିଲେ

ବ୍ରହ୍ମପୁର: ବିଶ୍ୱବିଦ୍ୟାଳୟ ହତାରେ ପହଞ୍ଚିଲା ପାରିବାରିକ କଳି  । କବାଟ କିଳି ଚପଲରେ ପ୍ରଫେସରଙ୍କୁ ପିଟିଲେ ମହିଳା । ପିଜି କାଉନସିଲ କାର୍ଯ୍ୟାଳୟ ପରିସରରେ ଥିବା ଇଂରାଜୀ ବିଭାଗର ଆସୋସିଏଟ ପ୍ରଫେସରଙ୍କୁ ଚପଲରେ ମାଡ଼ ମାରୁଥିବା ଏକ ଭିଡ଼ିଓ ଭାଇରଲ ହୋଇଛି । ଇଂରାଜୀ ବିଭାଗର ଆସୋସିଏଟ ପ୍ରଫେସର ନିଜ ଚାମ୍ବରରେ ବସିଥିବା ବେଳେ ଜଣେ ମହିଳା ପ୍ରାୟ ୧୧:୫୦ ସମୟରେ ଆସି ରୁମରେ ପଶିଥିଲେ  ।

ଭିତର ପଟୁ କବାଟ ଦେଇ ପ୍ରାୟ ଅଧା ଘଣ୍ଟା ସମୟ ଧରି ପାଟିତୁଣ୍ଡ କରିବା ସହ ମାଡ଼ ମାରିଥିଲେ । କିଛି ଅଧ୍ୟାପକ ଅଧ୍ୟାପିକା ପାଟି ଶୁଣି କବାଟ ଖୋଲିବା ପାଇଁ କବାଟ ବାଡ଼େଇ ଥିଲେ । କବାଟ ନ ଖୋଲିବାରୁ କର୍ମଚାରୀ ନିରାପତ୍ତା ଅଧିକାରୀଙ୍କୁ ଘଟଣା ନେଇ ଜଣାଇଥିଲେ । କେତେକ କର୍ମଚାରୀ ସେଠାରେ ପହଞ୍ଚି କବାଟ ବାଡେଇବା ପରେ ନ ଖୋଲିବାରୁ ରୁମର ଭେଣ୍ଟିଲେସନ ପଟୁ ଦେଖିବା ବେଳେ ଜଣେ ମହିଳା ଆସୋସେଟ ପ୍ରଫେସରଙ୍କୁ ଚପଲରେ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା । କିଛି ସମୟ ପରେ ଉକ୍ତ କୋଠରୀର କବାଟ ଖୋଲା ଯାଇଥିଲା ।

ପଚରାଉଚୁରାରୁ ଜଣାପଡିଥିଲା ଯେ ମହିଳା ଜଣକ ତାଙ୍କର ଧର୍ମପତ୍ନୀ ବୋଲି । ଉଭୟଙ୍କୁ ବୁଝା ସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏଭଳି ଘଟଣା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ଘଟଣା ବୋଲି ଶୁଣିବାକୁ ମିଳୁଛି । ଏ ନେଇ ଆଜି ଦାୟିତ୍ଵରେ ଥିବା ପିଜି କାଉନସିଲ ଅଧକ୍ଷ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଯୋଗାଯୋଗ କରାଯିବା ବେଳେ ସେ ଖବର ଜାଣିଥିବା କହିବା ସହ ଘଟଣା ନେଇ କୌଣସି ଅଭିଯୋଗ ହୋଇନଥିବା କହିଥିଲେ ।

ସେପଟେ ଆସୋସିଏଟ ପ୍ରଫେସରଙ୍କ ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ଅନୁମାନ କରାଯାଉଛି  । ସେହିପରି ଇଂରାଜୀ ବିଭାଗର କିଛି କାର୍ଯ୍ୟକଳାପକୁ ଲୋକଲୋଚନକୁ ନ ଆଣିବା ପାଇଁ ପ୍ରଫେସରଙ୍କ ପତ୍ନୀଙ୍କୁ ଭୂଲ ତଥ୍ୟ ଦେଇ ଏପରି ଘଟଣା ଘଟାଇବାକୁ ଉସୁକେଇ ଥିବା ନେଇ କ୍ୟାମ୍ପସ ପରିସରରେ ଚର୍ଚ୍ଚା ହେଉଛି।

ପ୍ରବଳ ବର୍ଷାରେ ଘାଇଲା ପାହାଡୀ ରାଜ୍ୟ, ୧୮ ଜଣଙ୍କ ମିଳୁନି ପତ୍ତା

ଶିମଲା: ପାହାଡୀ ଇଲାକାରେ ବର୍ଷା ତାଣ୍ଡବ  । ହିମାଚଳ ପ୍ରଦେଶରେ ଅବିଶ୍ରାନ୍ତ ବର୍ଷା ପ୍ରଭାବରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି । ବାଦଲଫଟା ବର୍ଷାରେ ମଣ୍ଡି, ଚମ୍ବା ଏବଂ କାଙ୍ଗରା ଜିଲ୍ଲାରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି  । ୬ ଜଣଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳୁନାହିଁ ।

ମୃତକଙ୍କ ମଧ୍ୟରେ ମଣ୍ଡି ଜିଲ୍ଲାର ଗୋଟିଏ ପରିବାରର ୮ ଜଣ ଥିବା ଜଣାପଡିଛି  । ସେପଟେ ଲଗାଣ ବର୍ଷାରେ ଭାସିଗଲା ରେଳ ଓଭରବ୍ରିଜ  । ଏହି ବ୍ରିଜ ଯୋଗୁଁ ହିମାଚଳ ଏବଂ ପଞ୍ଜାବ ମଧ୍ୟରେ ଯୋଗାଯୋଗ ସମ୍ଭବ ହୋଇଥାଏ  । ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି  । ସେପଟେ ବିଭିନ୍ନ ସ୍ଥାନରେ ଭୁସ୍ଖଳନ ଘଟି ଅନେକ ଘର ଓ ଦୋକନ ଭାଙ୍ଗି ଯାଇଛି  । ମଣ୍ଡିର ଥୁନାଗ ବଜାରରେ ୬୦ ଦୋକାନ ଏବଂ ୩୦ଟି ଘର ଭାଙ୍ଗିଯାଇଥିବା ଜଣାପଡିଛି  ।

ବର୍ଷାରେ ଉବୁଟୁବୁ ହିଲ୍‌ ଷ୍ଟେସନ ମନାଲି । ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି। ପାଣିର ପ୍ରଖର ସ୍ରୋତରେ ଗାଡ଼ିମୋଟର ବି ଭାସିଯାଇଥିବା ଦେଖିବାକୁ ମିଳିଛି । କିନୌରରେ ମଧ୍ୟ ଜୋରଦାର କୁଆପଥର ବର୍ଷା ହୋଇଛି । ଏଥିରେ ଅନେକ ସ୍ଥାନରେ ଘରଦ୍ୱାର କ୍ଷତିଗ୍ରସ୍ତ ହେବା ସହ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି  ।

ସେହିପରି ପାହାଡୀ ରାଜ୍ୟ ଉତ୍ତରାଖଣ୍ଡ ମଧ୍ୟ ବନ୍ୟା ତାଣ୍ଡବରୁ ବର୍ତ୍ତି ପାରିନାହିଁ  । ବନ୍ୟାରେ ଭାସିଯାଇ ୪ ଜଣ ପ୍ରାଣ ହରାଇ ଥିବାବେଳେ ୧୨ ଜଣଙ୍କ ମିଳୁନି ପତ୍ତା  । ଅନେକ ନଦୀରେ ବନ୍ୟା ଆସିବା ସହ ଭାଙ୍ଗିଯାଇଛି ପୋଲ ଆଉ ରାସ୍ତା  । ୪ ଜଣଙ୍କୁ ଉଦ୍ଧାର କରିଛି ଭାରତୀୟ ବାୟୁସେନା ହେଲିକପ୍ଟର  । ତିନି ଜାତୀୟ ରାଜପଥ ସମେତ ୨୫୦ଟି ମାର୍ଗରେ ଗାଡି ଚଳାଚଳ ବନ୍ଦ ରହିଛି ।

ବାଲେଶ୍ବରର ବିପଦ ବଢାଇଲା ସୁବର୍ଣ୍ଣରେଖା ବୁଢାବଳଙ୍ଗ, ହାଇଆଲର୍ଟ ଜାରି

ବାଲେଶ୍ବର: ସୁବର୍ଣ୍ଣରେଖା ନଦୀରେ ଆସିବ ବଡ଼ ବନ୍ୟା । ଝାଡ଼ଖଣ୍ଡ ଗାଲୁଡିହର ୧୬ଟି ଗେଟ ଖୋଲାଯିବା ଫଳରେ ୪.୨୫ ଲକ୍ଷ କ୍ୟୁସେକ ପାଣି ନିଷ୍କାସିତ ହେଉଛି । ଫଳରେ ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି  । ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଆଲର୍ଟରେ ରହିବାକୁ  କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ଘଟଣାସ୍ଥଳକୁ ଅତିରିକ୍ତ ଦୁଇ ଏନଡିଆରଏଫ, ୨ ଓଡ୍ରାଫ୍, ୮ଟି ଫାୟାର ସର୍ଭିସ ଟିମ ପଠାଯାଇଛି  । ଭୋଗରାଇ, ବାଲିଆପାଳ ଓ ବସ୍ତାର ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି । ଏଥିସହ ୪ରୁ ୫ଟି ଅତିରିକ୍ତ ଟିମ୍‌ ଯାଜପୁର ଏବଂ ଭଦ୍ରକକୁ ସକାଳ ହେବା ପୂର୍ବରୁ ପଠାଇବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି  ।

ସେପଟେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୁଢାବଳଙ୍ଗ।  ବିପଦ ସଙ୍କେତ 5.50ମିଟର ଥିଲା ବେଳେ ବାଲେଶ୍ବରର ବସ୍ତା ମଥାନୀ ଠାରେ ସକାଳ 6 ଟା ସୁଦ୍ଧା 6.90 ମିଟରରେ ଜଳ ପ୍ରବାହିତ ହେଉଛି। ବାଲେଶ୍ବର ବୁଢାବଳଙ୍ଗ ନଦୀର ପୁଟୁକାଶାସନ ଦୁର୍ବଳ ନଦୀବନ୍ଧକୁ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଅଧା ବନ୍ଧ ଧସିଥିବାରୁ ମରାମତି ନିର୍ଦ୍ଦେଶ ଦିଆଯାଇଛି । 4 ଘଣ୍ଟା ଧରି ବୁଢାବଳଙ୍ଗ ନଦୀର ଜଳସ୍ତର ସ୍ଥିର ରହିଛି। ମୟୂରଭଞ୍ଜର ବାରିପଦା ନିକଟରେ ଜଳସ୍ତର କମିବା ଆରମ୍ଭ ହୋଇଛି। ରାତି ଭିତରେ ବାଲେଶ୍ବରରେ ବୁଢାବଳଙ୍ଗ ନଦୀର ଜଳସ୍ତର କମିବା ନେଇ ଅନୁମାନ କରୁଛି ଜଳସେଚନ ବିଭାଗ। ସୁବର୍ଣ୍ଣରେଖା ନଦୀ ବାଲେଶ୍ବର ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ସୂଚନା ଦେଇଛନ୍ତି ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଭାସ ପ୍ରଧାନ।

ବିପଦ ସଂକେତ ଉପରେ ବୈତରଣୀ, ଭଦ୍ରକରେ ଏନଡିଆରଏଫ ଓଡ୍ରାଫ

ଭଦ୍ରକ: ଲଘୁଚାପ ଜନିତ ବର୍ଷା ଯୋଗୁଁ ବୈତରଣୀ ନଦୀର ଉପରମୁଣ୍ଡରେ ବଢି ଚାଲିଛି ବନ୍ଯାପାଣି। ଫଳରେ ଆନନ୍ଦପୁର ନିକଟରେ ବୈତରଣୀ ନଦୀ ବିପଦ ସଂକେତ  ଛୁଇଁଥିବା ବେଳେ ଆଖୁଆପଦା ନିକଟରେ ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି । ଆଖୁଆପଦାରେ ବିପଦ ସଂକେତ 17 ଦଶମିକ 83 ଥିବା ବେଳେ ବର୍ତ୍ତମାନ 17 ଦଶମିକ 87 ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।

ଅନ୍ଯପଟେ ହଦଗଡ ଡ୍ଯାମର ୩ଟି ଗେଟ ଖୋଲା ଥିବାରୁ ସାଳନ୍ଦୀ ନଦୀର ବନ୍ଯାଜଳ ଦୃତଗତିରେ ବୃଦ୍ଧି ପାଇଛି । ଫଳରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ବନ୍ଯା ମୁକାବିଲା ପାଇଁ ଚାନ୍ଦବାଲି ଓ ତିହିଡି ବ୍ଲକର ଆରଡି, କାଁପଡାରେ ଏନଡିଆରଏଫ ସହ ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କୁ ମୁତୟନ କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ ।

ବନ୍ୟା ହେଲେ ଭଦ୍ରକ ଜିଲ୍ଲାର ଧାମନଗର , ଭଣ୍ଡାରିପୋଖରୀ, ତିହିଡି ଓ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ପ୍ରଭାବିତ ହେବ । ତେବେ ପୂର୍ବ ବନ୍ୟାର ପାଣି ସମ୍ପୂର୍ଣ୍ଣ ନିଷ୍କାସିତ ହୋଇନଥିବା ବେଳେ ଏବେ ପୁଣି ବୈତରଣୀରେ ବନ୍ୟା ସ୍ଥିତି ସଙ୍ଗୀନ ।

ଚାଷ ଜମି ଗୁଡିକରୁ ବନ୍ୟା ପାଣି କମ ହୋଇନଥିବା ବେଳେ ପୁଣି ବିଭିନ୍ନ ଏସକେପ ଦେଇ ବନ୍ୟା ଜଳ ଚାଷ ଜମିକୁ ମାଡିଛି । ସେପଟେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୁଢାବଳଙ୍ଗ । ବିପଦ ସଙ୍କେତ 5.50ମିଟର ଥିଲା ବେଳେ ବାଲେଶ୍ବରର ବସ୍ତା ମଥାନୀ ଠାରେ ସକାଳ 6 ଟା ସୁଦ୍ଧା 6.90 ମିଟରରେ ଜଳ ପ୍ରବାହିତ ହେଉଛି। ବାଲେଶ୍ବର ବୁଢାବଳଙ୍ଗ ନଦୀର ପୁଟୁକାଶାସନ ଦୁର୍ବଳ ନଦୀବନ୍ଧକୁ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

କାର ସହ ବଢିପାଣିରେ ଭାସିଯାଇଥିଲେ, ଆଜି ମିଳିଲା ମୃତଦେହ

ସମ୍ବଲପୁର: ପୋଲ ଅତିକ୍ରମ ବେଳେ ବଢି ପାଣିରେ କାର୍ ଭାସିଯାଇଥିଲା । ଆଜି ମିଳିଲା ୨ ଜଣଙ୍କ ମୃତଦେହ । ମୃତକ ହେଲେ ଗୁଣ୍ଡୁରୁଚୁଆଁ ଗାଁର ତାପସ ନାୟକ ଓ ପ୍ରତାପ ପଟେଲ । ଏହାସହ ଭାସିଯାଇଥିବା କାରଟି ନାଳ ଭିତରେ ଫସି ରହିଛି । ସମ୍ବଲପୁର ଜମନକିରା ବ୍ଲକ ନକଟିପାଲି ଗାଁ ରାସ୍ତାରେ ଗତକାଲି କାରଟି ପୋଲ ଅତିକ୍ରମ କରୁଥିବା ବେଳେ ଭାସି ଯାଇଥିଲା । ଖୋଜାଖାଜି ପରେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

ବର୍ଷା ଯୋଗୁଁ ନାଲା ପୋଲ ଉପରେ ଚାଲୁଥିଲା ୫ ଫୁଟର ପାଣି । ଏହି ପାଣିର ସ୍ରୋତରେ କାରଟି ଭାସିଯାଇଥିଲା । ତେବେ କାରରେ କେତେଜଣ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ଜଣାପଡିନାହିଁ ।

ଅଗ୍ନିଶମ ବାହିନୀ ଗତକାଲି ରାତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଏସଆରସି ଏନେଇ ସୂଚନା ଦେଇଥିବା ବେଳେ ସତର୍କ ରହିବା ପାଇଁ ସୂଚନା ଦେଇଛନ୍ତି । ଜଳ ପ୍ରବାହିତ ହେଉଥିବା ସ୍ଥାନରେ ବିପଦସଙ୍କୁଳ ଭାବେ ଯିବା ଆସିବା ନକରିବାକୁ ପରାମର୍ଶ ଦେଇଛନ୍ତି ।