spot_img
Home Blog Page 3969

ନବଦମ୍ପତିଙ୍କୁ ମିଳିବ ସରକାରୀ ଉପହାର, ଗିଫ୍ଟରେ ରହିବ କଣ୍ଡୋମ- ପ୍ରେଗନାନ୍ସି ଟେଷ୍ଟିଂ କିଟ୍‌..

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ନବଦମ୍ପତିଙ୍କୁ ମିଳିବ ସରକାରୀ ଉପହାର । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏହି ବ୍ୟବସ୍ଥା ଆରମ୍ଭ କରୁଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏନଆରଏଚଏମ୍ ତରଫରୁ ଦିଆଯିବ ‘ନବଦମ୍ପତି ଗିଫ୍ଟ’ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଓ ଏନଆରଏଚଏମ୍ ନିର୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି । ନୂଆ ବିବାହ କରିଥିବା ସ୍ବାମୀ-ସ୍ତ୍ରୀଙ୍କୁ ତାଙ୍କ ଅଞ୍ଚଳରେ ଥିବା ଆଶାକର୍ମୀ ଏହି ଉପହାର ପ୍ରଦାନ କରିବେ ।

ନବଦମ୍ପତିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିବାହ ଉପହାର ଯୋଜନା ଆରମ୍ଭ କରାଯାଉଛି । ନବଦମ୍ପତିମାନେ ବିଳମ୍ବରେ ପ୍ରଥମ ସନ୍ତାନ ଓ ଦ୍ବିତୀୟ ସନ୍ତାନ ଲାଗି ଅତିକମରେ ୩ ବର୍ଷର ବ୍ୟବଧାନ ରଖନ୍ତୁ। ଏହାକୁ ଆଖି ଆଗରେ ରଖି ଏହି ଗିଫ୍ଟରେ କିଛି ପରିବାର କଲ୍ୟାଣ ପୁସ୍ତିକା, ନେଲ କଟର, ଆଇନା, ପାନିଆ, ଟିକିଲି, ରୁମାଲ, ତଉଲିଆ, କଣ୍ଡୋମ, ଓରାଲ କଣ୍ଟ୍ରାସେପଟିକ ପିଲସ, ପ୍ରେଗନାନ୍ସି ଟେଷ୍ଟିଂ କିଟ୍‌, ଏମରଜେନ୍ସି କଣ୍ଟ୍ରାସେପ୍ଟିକ ପିଲସ ଓ ବିବାହ ପଞ୍ଜୀକରଣ ଫର୍ମ ଇତ୍ୟାଦି  ନବଦମ୍ପତିମାନଙ୍କୁ ପ୍ରଦାନ କରାଯିବ ।

ଏହା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କେତେକ ପୁସ୍ତିକା ମଧ୍ୟ ଏହି କିଟରେ ରହିବ । ନବଦମ୍ପତିଙ୍କ ପାଇଁ ଏହି ଯୋଜନା ଚଳିତ ବର୍ଷ ବିବାହ ଋତୁ ତଥା ସେପ୍ଟେମ୍ବର ମାସରୁ ଲାଗୁ କରାଯିବ । ପ୍ରଥମ ରାଜ୍ୟ ଭାବେ ଓଡିଶା ଦେବାକୁ ଯାଉଛି ନବଦମ୍ପତିଙ୍କୁ ଏଭଳି ବିବାହ ଗିଫ୍ଟ । ଏହି ଯୋଜନା ଉଭୟ ସହର ଓ ଗ୍ରାମାଞ୍ଚରେ କାର୍ଯ୍ୟକାରୀ ହେବ । ଏନଆରଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏହି ସୂଚନା ଦେଇଛନ୍ତି ।

ସଂପ୍ରସାରିତ ହେବ ମିଲେଟ ମିଶନ, କ୍ୟାବିନେଟ ବୈଠକରେ ୧୭ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ୧୭ପ୍ରସ୍ତାବରେ ବାଜିଲା ମୋହର। ସଂପ୍ରସାରିତ ହେବ ମିଲେଟ ମିଶନ। ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ବୈଠକରେ ମଂଜୁରୀ ମିଳିଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ ମିଶନର ବିକାଶ ହେବ। ୪ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ ହେବ। ସୁନ୍ଦରଗଡ଼ କୋଏଲ ନଦୀରେ ଇନଷ୍ଟ୍ରିମ୍ ବ୍ୟାରେଜକୁ ମଂଜୁରୀ ମିଳିଛି ।

ସେହିପରି କ୍ୟାବିନେଟ୍ ବୈଠକରେ ଏକାଧିକ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼, ପଟ୍ଟାମୁଣ୍ଡାଇ, ରାଜନଗର, ଗରଦପୁର, ବାଲେଶ୍ୱର, ରେମୁଣାରେ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି । ଓଏମସି ସହ କଳିଙ୍ଗ ଆଇରନ ଓ୍ୱାର୍କ୍ସ ଓ ଫେରୋକ୍ରମର ମିଶ୍ରଣକୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଛି ।

କେନ୍ଦୁଝର ଜିଲ୍ଲାରେ ମୁଖ୍ୟ ଶାସନ ସଚିବଙ୍କ ୨ୟ ଦିନ, ଜାରି ରହିଛି ସମୀକ୍ଷା

କେନ୍ଦୁଝର:  ୨ ଦିନିଆ ଗସ୍ତର ୨ୟ ଦିନରେ ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର କାନପୁର ଜଳସେଚନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଆଶିଷ ଠାକରେ , ଜଳସେଚନ ବିଭାଗ ବରିଷ୍ଠ ଯନ୍ତ୍ରୀ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରି କାମର ପ୍ରକୃତ ସ୍ଥିତି ଅନୁଧ୍ୟାନ କରିଥିଲେ । କାନପୁର ଡ୍ୟାମ୍ ସ୍ପିଲ୍ୱେର ପ୍ରାୟ ୧୦୦ମି ପାଖାପାଖି ଜାତୀୟ ରାଜପଥ ଯାଇଥିବାରୁ ନଦୀକୁ ପାଣି ନିର୍ଗମନ ପାଇଁ ହାଇ ଲେଭେଲ ପୋଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଅକ୍ଟୋବର ଶେଷସୁଦ୍ଧା ଏହା ପୂର୍ଣ୍ଣାଙ୍ଗ କରିବା ନିମନ୍ତେ ସମୟ ନିର୍ଘଣ୍ଟ ଧାର୍ଯ୍ୟ ହୋଇଥିଲା । ୨୦୨୩ ମସିହା ଶେଷସୁଦ୍ଧା ଡ୍ୟାମ୍ ଓ କେନାଲ କାର୍ଯ୍ୟ ଶେଷକରି ଚାଷ ପାଇଁ ପାଣି ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ଜଳସଂପଦ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଡ୍ୟାମ୍ ନିର୍ମାଣ ଓ ସ୍ଥାନାନ୍ତରିତ ଲୋକମାନଙ୍କର ଥଇଥାନ ସମ୍ବନ୍ଧିତ କ୍ଷେତ୍ରସ୍ତରୀୟ ସମସ୍ୟାର ଆଶୁ ସମାଧାନ ପନ୍ଥା ସ୍ଥିର କରାଯାଇଥିଲା । ସମୀକ୍ଷାରୁ ଜଣାପଡିଥିଲା ଯେ କେନ୍ଦୁଝର ଜିଲ୍ଲାର ବାସୁଦେବପୁରଠାରେ ବ୍ରାହ୍ମଣୀନଦୀ ଉପରେ ନିର୍ମାଣାଧିନ କାନପୁର ବହୁମୁଖୀ ଜଳସେଚନ ପ୍ରକଳ୍ପ ଦ୍ୱାରା ଚଂପୁଆ, ଝୁମ୍ପୁରା, ପାଟଣା, କେନ୍ଦୁଝର ସଦର ଓ ଯୋଡା ବ୍ଲକ୍ ଅନ୍ତର୍ଗତ ୨୪୪ ଟି ଗ୍ରାମର ୨୯୫୭୮ ହେକ୍ଟର ଜମି ଜଳସେଚିତ ହେବ । ଏହାଦ୍ୱାରା ଏହିସବୁ ଗ୍ରାମର ପ୍ରାୟ ୧୪,୪୮,୮୮ ଲୋକ ଉପକୃତ ହେବ । ମୁଖ୍ୟ ଡ୍ୟାମ୍, ୭୮.୨୧ କି.ମି. ମୁଖ୍ୟ କେନାଲ, ୭୩.୭୩ କି.ମି. ଶାଖା କେନାଲ ଏବଂ ୨୯୧.୫୫ କି.ମି. ମାଇନର, ସବ୍ମାଇନର କେନାଲ ଆଦି ପ୍ରକଳ୍ପର ମୁଖ୍ୟାଂଶ । ଏହି ପ୍ରକଳ୍ପରୁ ମଧ୍ୟ ୪.୨ ମେଗାସ୍ବାଟ୍ ଜଳ ବିଦ୍ୟୁତ ଉତ୍ପାଦନ ହେବ । ପ୍ରକଳ୍ପରେ ସମୁଦାୟ ୨୪୩୮.୨୯ କୋଟି ଟଙ୍କା ବିନିଯୋଗ ହେବ । ତନ୍ମଧ୍ୟରୁ ରାଜ୍ୟ ସରକାର ୧୫୫୫.୨୬ କୋଟି ଏବଂ କେନ୍ଦ୍ରସରକାର ୮୮୩.୦୩ କୋଟି ଯୋଗାଇବାର ବ୍ୟବସ୍ଥା ଥିବାର ଜଣାପଡିଛି ।

ବର୍ତ୍ତମାନସୁଦ୍ଧା ୩୪୬୦ ମିଟର ଲମ୍ବ ଡ୍ୟାମ୍ର ପ୍ରାୟ ୮୬ ପ୍ରତିଶତ ନିର୍ମାଣ ସରିଛି ଏବଂ ଅବଶିଷ୍ଟ ୧୪ ପ୍ରତିଶତ ଅଂଶର ନିର୍ମାଣ ଦୃତ ଗତିରେ ଚାଲିଛି । ସେହିପରି ସ୍ପିଲ୍ୱେର ୮୬ ଶତକଡା ଏବଂ କେନାଲର ୭୬ ଶତକଡା କାମ ସରିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ ପାଇଁ ସାପ୍ତାହିକ ଓ ମାସିକ କାର୍ଯ୍ୟ-ସାରଣୀ ପ୍ରସ୍ତୁତ କରି ତାର ନିୟମିତ ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ପରେ ପରେ  କାଞ୍ଜିପାଣି ଘାଟି ଓ ହଦଗଡ଼ ଅଂଚଳ ପରିଦର୍ଶନ କରି ସେଠାରେ ଇକୋ- ପର୍ଯ୍ୟଟନ ସୁବିଧାର ଅଧିକ ବିକାଶ ସମ୍ଭାବନା ଅନୁଧ୍ୟାନ କରିଥିଲେ ମୁଖ୍ୟ ଶାସନ ସଚିବ । ସ୍ଥାନୀୟ ବାସୀନ୍ଦାଙ୍କୁ ସାମିଲ କରି ସେଠାରେ ଇକୋ-ପର୍ଯ୍ୟଟନ ସୁବିଧା ସୃଷ୍ଟି ନିମନ୍ତେ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପ୍ରସ୍ତୁତି ପାଇଁ ଜିଲ୍ଲାପାଳ , ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରକଳ୍ପ ମାଧ୍ୟମରେ ଉକ୍ତ ଅଞ୍ଚଳରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଆୟର ପନ୍ଥା ବୃଦ୍ଧି ପାଇବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ  ।

ଝାରସୁଗୁଡ଼ାରେ ଡାଇରିଆ ଆତଙ୍କ, ୬୬ରେ ଆକ୍ରାନ୍ତଙ୍କ ସଂଖ୍ୟା

ଝାରସୁଗୁଡା:  ଲଖନପୁର ବ୍ଲକରେ ଝାଡ଼ାବିନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୬୬ରେ ପହଞ୍ଚିଛି l ଲଖନପୁର ବ୍ଲକର ବାଦିମାଲ ଓ ପିଥିଣ୍ଡାରୁ ଅନ୍ଯ ଗ୍ରାମକୁ ବ୍ୟାପିଛି ଝାଡ଼ାବାନ୍ତି । ପିଥିଣ୍ଡା ଗାଁରେ ୧୯ ଜଣ ନୂତନ ଭାବେ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୪୫ରେ ପହଞ୍ଚିଛି । ସେମାନଙ୍କ ମଧ୍ଯରୁ ୧୫ ଜଣଙ୍କୁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେହିପରି ବାଦିମାଲରେ ଗତକାଲି ୨ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୧୪ ଜଣ ଆକ୍ରାନ୍ତ ହୋଇଛନ୍ତି ।

ସୂଚନା ମୁତାବକ ଆକ୍ରାନ୍ତଙ୍କ ମଧ୍ୟରୁ ଗତକାଲି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩ଟି ଗାଁରେ ପ୍ରତିଷେଧକ ଔଷଧ, ଓଆରଏସ୍ ପ୍ୟାକେଟ୍ ବିତରଣ କରାଯାଇଛି । ନଳକୂପର ଜଳକୁ ଫୁଟାଇ ପିଇବା ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ପିପିଲିରେ ଓଲଟିଲା ସାରଳା ବସ, ଭୁବନେଶ୍ୱରରୁ କାକଟପୁର ଯାଉଥିଲା

ପିପିଲି: ପିପିଲି ଟୋଲଗେଟ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ  । ଓଲଟିପଡ଼ିଲା ଯାତ୍ରୀବାହୀ ବସ୍  । ବସରେ ୫୦ରୁ ଅଧିକ ଯାତ୍ରୀ ରହିଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି  । ଖବର ମୁତାବକ ଭୁବନେଶ୍ୱରରୁ  କାକଟପୁର ଯାଉଥିବା ଯାତ୍ରୀବାହୀ ସାରଳା ବସ ପିପିଲି ଟୋଲଗେଟ୍ ନିକଟରେ ଓଲଟିପଡ଼ିଥିଲା  । ଭାରସାମ୍ୟ ହରାଇ ଟୋଲଗେଟ ନିକଟରେ ଓଲଟିଥିବା ଜଣାପଡ଼ିଛି  ।

ମିଳିଥିବା ସୂଚନା ମୁତାବକ ଦୁର୍ଘଟଣାରେ ଜଣେଙ୍କର ମୃତ୍ୟୁ ହୋଇଛି  । ମୃତକ ଜଣଙ୍କ ବସର ହେଲପର ବୋଲି ଜଣା ପଡ଼ିଛି  । ସେପଟେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି  । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମେଡିକାଲରେ ତୁରନ୍ତ ଭର୍ତ୍ତି କରାଯାଇଛି  । ଅନ୍ୟପଟେ ଦୁର୍ଘଟମା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି  ।

 

 

ଛତିଶଗଡ଼ରେ କମୁନି ବର୍ଷା, ହିରାକୁଦରେ ବଢୁଛି ଜଳସ୍ତର

ସମ୍ବଲପୁର: ଛତିଶଗଡରେ ବର୍ଷା ଲାଗି ରହିଥିବାରୁ ବଢିଚାଲିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ଏବେ ୨୦ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ । ବାମପଟୁ ୧୩ ଓ ଡାହାଣ ପାର୍ଶ୍ୱରୁ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ୪ ଲକ୍ଷ ୨୧ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୪୦ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ହୀରାକୁଦର ଜଳଧାରଣ କ୍ଷମତା ରହିଛି ୬୩୦ ଫୁଟ ।

ଏବେ ୬୧୫ ଦଶମିକ ୬୦ରେ ପହଞ୍ଚିଛି ଜଳସ୍ତର । ମହାନଦୀ ଫୁଲୁଥିବାରୁ ଲୋକଙ୍କୁ ସତର୍କ କରିଛି ପ୍ରଶାସନ । ଲୋକଙ୍କୁ ମାଇକ ଯୋଗେ ସଚେତନ କରାଯାଉଛି । ତଳି ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ରହିଛି । ଏଣୁ ତଳିଆ ଅଞ୍ଚଳରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ । ନଦୀକୁ ନ ଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ  ବୋଲି ପ୍ରଶାସନ ପକ୍ଷରୁ ସୂଚନା ରହିଛି ।

‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୈନିକ ଖବରକାଗଜ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗତକାଲି ସମ୍ବଲପୁର ଓ ଭବାନୀପାଟଣାଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହିତ ସମ୍ପନ୍ନ ହୋଇଛି । ଆଜି ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ସ୍ଥାନୀୟ ଷ୍ଟିୱାର୍ଟ ସ୍କୁଲରେ ଉଭୟ ନନ୍ଦିଘୋଷ ଟିଭି ଓ ସକାଳ ଖବରକାଗଜ ସହିତ ସ୍କୁଲ କର୍ତ୍ତୃପକ୍ଷ ଓ ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଉଭୟ ବର୍ଗରେ କର୍ମଚାରୀ ଏବଂ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ ।

ଆସନ୍ତାକାଲି ପୁଣି ଚିତ୍ର ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଆସନ୍ତା ୧୪ତାରିଖ ରବିବାର ଦିନ ବ୍ରହ୍ମପୁର ସହର ସମେତ ଅନ୍ୟ ସହରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିର ହୋଇଛି । ଏଭଳି ଏକ ଅବସରରେ ସକାଳ ଓ ନନ୍ଦିଘୋଷ ଟିଭି ଭଳି ଗଣମାଧ୍ୟମ ସଂସ୍ଥା ଆଗକୁ ଆସି ରକ୍ତଦାନ ଶିବିର ଭଳି ସାମାଜିକ କାର୍ଯ୍ୟ ହାତକୁ ନେଇଥିବାରୁ ଷ୍ଟିୱାର୍ଟ ସ୍କୁଲ ଅଧ୍ୟକ୍ଷା ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ପୁରୁଷଙ୍କ ଭଳି ମହିଳାମାନେ ଦିନକୁ ଦିନ ଏକ୍ଷେତ୍ରରେ ଆଗକୁ ଆସୁଥିବାରୁ ସମାଜରେ ଏହାର ନିଶ୍ଚିତ ପ୍ରଭାବ ପଡ଼ିବ ଏବଂ ଯୁବପିଢ଼ି ରକ୍ତଦାନ ଭଳି ମହତଦାନ କରିବାକୁ ଆଗେଇ ଆସିବେ ବୋଲି ସକାଳର ସିଇଓ ଓ ପ୍ରକାଶକଙ୍କ ସହ ରକ୍ତଦାତା ସଂଗଠନର ସଦସ୍ୟ ମତ ପ୍ରକାଶ କରିଛନ୍ତି । ଏହାଦ୍ୱାରା ରକ୍ତର ଅଭାବକୁ ମେଣ୍ଟାଇବା ସହଜ ହେବ ଓ ରକ୍ତର ଅଭାବ କାରଣରୁ ଯେମିତି କାହାର ଜୀବନ ନଯାଏ ଏହି ଲକ୍ଷ୍ୟ ସାଧିତ ହୋଇପାରିବ ।

ମୋର ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ନାହିଁ: ନୀତୀଶ କୁମାର

ପାଟନା: ପ୍ରଧାନମନ୍ତ୍ରୀ ହେବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ତାଙ୍କର ପ୍ରଧାନମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ । ବରଂ ୨୦୨୪ ପୂର୍ବରୁ ସବୁ ବିରୋଧୀ ଏକଜୁଟ୍ ହେବାର ସମୟ ଆସିଲାଣି ବୋଲି ସେ କହିଛନ୍ତି ।  ବିରୋଧୀ ଏକଜୁଟ୍ ହୋଇ ଦେଶର ସମସ୍ୟାକୁ ସମାଧାନ କରିବାକୁ ପଡିବ । ଏନେଇ ସେ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା ଜାରି ରଖିଛନ୍ତି । ଖୁବଶୀଘ୍ର ଏନେଇ ଏକ ଏଜେଣ୍ଡା ପ୍ରସ୍ତୁତ ହେବ । ୨୦୧୪ରେ ଯିଏ ସରକାରକୁ ଆସିଥିଲେ ସେମାନେ ଚିନ୍ତା କରିବା ଦରକାର ଯେ ୨୦୨୪ରେ ସରକାର ଗଠନ କରିପାରିବେ କି ନାହିଁ । କାରଣ ସେତେବେଳର ସମୟ ଆଉ ଏବେ ନାହିଁ । ବର୍ତ୍ତମାନ ଲୋକ ସଚେତନ ହେଲେଣି ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

ବଢୁଛି କଂଗ୍ରେସର କନ୍ଦଳ, ହାତ ଛାଡ଼ିଲେ ଆଉ ୬୦ରୁ ଅଧିକ ଯୁବକର୍ମୀ

ଭୁବନେଶ୍ୱର: କଂଗ୍ରେସ ଛାଡ଼ିଲେ ୬୦ରୁ ଅଧିକ ଯୁବକର୍ମୀ । ଯେଉଁମାନଙ୍କ ମଧ୍ୟରେ ୧୦ ଜଣ ପଦାଧିକାରୀ ଅଛନ୍ତି । ପିସିସି ଉପରେ ଅସନ୍ତୋଷ ପ୍ରକାଶ କରି ଏମାନେ ଦଳ ଛାଡ଼ିଛନ୍ତି । କଟକ, ଗଞ୍ଜାମ ଓ ଅନ୍ୟାନ୍ୟ ଜିଲ୍ଲାରୁ ଯୁବ କଂଗ୍ରେସ ନେତା କଂଗ୍ରେସ ଦଳ ଛାଡ଼ିଛନ୍ତି । ପୂର୍ବରୁ ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା, ପିସିସିର ପୂର୍ବତନ ସମ୍ପାଦକ ତଥା ମୁଖପାତ୍ର ନିକୁଞ୍ଜ ପଶାୟତ, ପୂର୍ବତନ ମୁଖପାତ୍ର ଅଶୋକ ସାମଲ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ, ଜାତୀୟ ସଂଯୋଜକ ସୌମ୍ୟ ମିଶ୍ର, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସଞ୍ଜୟ ବାରିକ, ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଅକ୍ଷୟ ମଲ୍ଲ, ଛାତ୍ର କଂଗ୍ରେସ ସମ୍ପାଦକ ପ୍ରବୀଣ ବୋଦଲା ପ୍ରମୁଖ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।