ଭୁବନେଶ୍ୱର: ବିଜେଡିର ପଦଯାତ୍ରା ପାଇଁ ଆଜି ବସିବ ପ୍ରସ୍ତୁତି ବୈଠକ । ଆଜି ଓ କାଲି ଦୁଇ ଦିନ ଯାକ ଜନସଂପର୍କ ପଦଯାତ୍ରାର ରୋଡମ୍ୟାପ ସଂପର୍କରେ ଦଳୀୟ କର୍ମୀଙ୍କୁ ଅବଗତ କରିବ ବିଜେଡି । କିପରି ମାସେ ବ୍ୟାପୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଯିବ, ସେ ଦିଗରେ ଦଳର ବରିଷ୍ଠ ନେତା ଉଦବୋଧନ ଦେବେ। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ସକାଳ ୯ ସୁଦ୍ଧା ପହଞ୍ଚିବେ ନେତା ଓ କର୍ମୀ । ୯.୪୫ରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ଭର୍ଚ୍ଚୁଆଲରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ ହୋଇ ସଂଧ୍ୟା ୫ଟାରେ ସରିବ । ଆଜି ଦଳର ବରିଷ୍ଠ ନେତା ଜିଲ୍ଲା, ଜୋନ, ବ୍ଲକ, ପୌରର ଯୁବ, ଛାତ୍ର ଓ ମହିଳା ସଭାପତିଙ୍କ ସମେତ କଟକ ଭୁବନେଶ୍ୱରର ଛାତ୍ର ବିଜେଡି କ୍ୟାମ୍ପସ କମିଟିର ସଦସ୍ୟଙ୍କୁ ବିଭିନ୍ନ ପ୍ରସଙ୍ଗ ନେଇ ବୁଝାଇବେ । ସଂଘୀୟ ବ୍ୟବସ୍ଥାରେ ଓଡ଼ିଶାର ହକ୍, ୫Tରେ ଓଡ଼ିଶା ରୂପାନ୍ତର, ଓଡ଼ିଶା ନବନିର୍ମାଣରେ ଯୁବ, ଛାତ୍ର ଓ ମହିଳାଙ୍କ ଭୂମିକା ପରି ପ୍ରସଙ୍ଗ ଉପରେ ଆଲୋଚନା ହେବ। ସଂଗଠିତ ହୋଇ କାମ କରି ପଦଯାତ୍ରାକୁ ସଫଳ କରିବା ପାଇଁ ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି କରିବେ ମୋଟିଭେସନାଲ ସ୍ପିକର।
AICC ଅଧକ୍ଷ ପାଇଁ ନିର୍ବାଚନ ଲଢ଼ିବେ ଦିଗବିଜୟ ସିଂ
ନୂଆଦିଲ୍ଲୀ: AICC ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ଏମପି ଦିଗବିଜୟ ସିଂ । ଆଜି ରାତିରେ ସେ ଦିଲ୍ଲୀ ଗସ୍ତ କରିପାରନ୍ତି । ଖୁବଶୀଘ୍ର ସେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ସେପଟେ ରାଜସ୍ଥାନ କଂଗ୍ରେସ କଳି ସମାଧାନ ହୋଇପାରିନଥିବା ବେଳେ ଆଜି ସୋନିଆଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ।
ଏଆଇସିସି ସଭାପତି ପଦଲାଗି ସେ ପ୍ରତିଦ୍ୱନ୍ଦ୍ୱିତା କରି ପାରିବେ କି ନାହିଁ ସେ ନେଇ ସୋନିଆଙ୍କ ସହ ଆଲୋଚନା କରିବେ। ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବାକୁ ବିରୋଧ କରି ରାଜସ୍ଥାନର ୯୦ ବିଧାୟକ ଇସ୍ତଫା ଦେବାକୁ ଧମକ ଦେଇଥିଲେ। ଗେହେଲଟ ଉଭୟ AICC ସଭାପତି ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ରୁହନ୍ତୁ ବୋଲି ଦାବି କରିଥିଲେ ଗେହେଲଟଙ୍କ ଗୋଷ୍ଠୀର ବିଧାୟକ।
SCB ମେଡିକାଲରେ ଶିଶୁ କନ୍ୟା ଚୋରି ଘଟଣା; ସୁରକ୍ଷାକର୍ମୀଙ୍କୁ ବହିଷ୍କୃତ,୩ ନର୍ସଙ୍କୁ କାରଣଦର୍ଶାଅ ନୋଟିସ
କଟକ: SCB ମେଡିକାଲରେ ଶିଶୁ କନ୍ୟା ଚୋରି ଘଟଣା। SNCU ଭିତରକୁ ଅବାଧ ପ୍ରବେଶକୁ ନେଇ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ । ଜଣେ ସୁରକ୍ଷାକର୍ମୀଙ୍କୁ ବହିଷ୍କୃତ କରାଯାଇଛି । ୩ଜଣ ନର୍ସଙ୍କୁ କାରଣଦର୍ଶାଅ ନୋଟିସ ଜାରି ହୋଇଛି । ୩ଦିନ ଭିତରେ ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ ସୂଚନା ଦେଇଛନ୍ତି ।
ଗତ ୨୬ ତାରିଖ ଦିନ ଏସସିବିରୁ ଡିସଚାର୍ଜ ହେବାକୁ ଥିବା ଶିଶୁର ନିଖୋଜ ନେଇ ହଇଚଇ ସୃଷ୍ଟି ହୋଇଥିଲା । ବାପା, ମା’ଙ୍କ ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତନାଘନା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମିଛ ଆଳ ଦେଖାଇ ପିଲାଟିକୁ ଫେରାଇ ଦେଇଥିଲେ ସୁଇଟି ଓ ତାଙ୍କ ସ୍ୱାମୀ । ଶିଶୁ ଚୋରି ଘଟଣାକୁ ପ୍ରଶାସନିକ ସ୍ତରରେ ଗୁରୁତ୍ୱ ଦିଆଯାଇଛି । ମଙ୍ଗଳାବାଗ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି। ସଂପୃକ୍ତ ମହିଳାଙ୍କ ସହ ତିନିଜଣଙ୍କୁ ଅଟକ ରଖିଛି ପୋଲିସ । ଶିଶୁ କନ୍ୟା ଫେରିବା ପରେ ତାର ଚିକିତ୍ସା ଚାଲିଛି। ଶିଶୁଟି ସୁସ୍ଥ ଥିବା ଏସସିବି ପକ୍ଷରୁ ସୂଚନା ମିଳିଛି। ଆଗକୁ ଏପରି ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେନେଇ ଖୁବ୍ ଶୀଘ୍ର ସ୍ଵତନ୍ତ୍ର ନିୟମ କରାଯିବ ବୋଲି ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି।
ସରୁନି ରାଜସ୍ଥାନ ସସପେନ୍ସ, ଆଜି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ଭେଟିବେ ଅଶୋକ ଗେହଲଟ
ଜୟପୁର: ସରୁନି ରାଜସ୍ଥାନ ସସପେନସ । ଆଜି କଂଗ୍ରେସ ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ଭେଟିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏଆଇସିସି ସଭାପତି ପଦଲାଗି ସେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସେନେଇ ସୋନିଆଙ୍କ ସହ ସବିଶେଷ ଆଲୋଚନା କରିବେ ଗେହଲଟ୍ । ଗତ ରବିବାର ରାତିରେ ୮୨ଜଣ ବିଧାୟକ ବାଚସ୍ପତି ସି.ପି. ଯୋଶୀଙ୍କୁ ନିଜ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିବାବେଳେ ସେମାନେ ୩ ଦଫା ଦାବି ଉପସ୍ଥାପନ କରିଥିଲେ ।
ଅଶୋକ ଗେହଲଟ ଯଦି କଂଗ୍ରେସ ସଭାପତି ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ତାଙ୍କ ବଦଳରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରା ନଯାଉ । ଦ୍ୱିତୀୟ ଦାବି ଥିଲା- ଜୁନ ୨୦୨୦ରେ ପାଇଲଟଙ୍କ ବିଦ୍ରୋହ କାଳରେ ସରକାରଙ୍କୁ ରକ୍ଷା କରିଥିବା ବିଧାୟକଙ୍କ ମଧ୍ୟରୁ ଜଣକୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବା । ତୃତୀୟ ଦାବି ଥିଲା- ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଗେହଲଟଙ୍କ ମତାମତକୁ ଗୁରୁତ୍ୱ ଦିଆଯାଉ । ସେପଟେ ରାଜସ୍ଥାନରେ ଘଟିଥିବା ଅଚଳାବସ୍ଥା ଲାଗି ସୋନିଆ ଗାନ୍ଧି ଓ ଗେହଲଟ ଦାୟୀ ନୁହନ୍ତି ବୋଲି ରିପୋର୍ଟରେ ଦର୍ଶାଇଛନ୍ତି ପର୍ଯ୍ୟବେକ୍ଷକ ।

