spot_img
Home Blog Page 399

ଓଡ଼ିଶା ସୂଚନା କମିଶନଙ୍କ ଐତିହାସିକ ନିର୍ଦ୍ଦେଶ ; ଓଡ଼ିଶା ଲୋକସେବା ଆୟୋଗକୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଓଡ଼ିଶା ସୂଚନା କମିଶନଙ୍କ ଐତିହାସିକ ନିର୍ଦ୍ଦେଶ। ଓଡ଼ିଶା ଲୋକସେବା ଆୟୋଗକୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୂଚନା କମିଶନ। ସୂଚନା କମିଶନଙ୍କ ନିୟମ ଅନୁଯାୟୀ ଅଟକା ଯାଇପାରିବ ନାହିଁ ସାକ୍ଷାତକାର ଫଳାଫଳ। ୨୦୨୨ ମସିହାରେ ସହକାରୀ ଶିକ୍ଷକ ପଦବୀ ପାଇଁ ମନୋନୀତ ହୋଇ ନଥିବା ଜଣେ ପ୍ରାର୍ଥୀଙ୍କୁ, ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଜିଲ୍ଲାର ମିନତୀ ରାଣୀ ମହାପାତ୍ର ଇତିହାସ ବିଷୟ ପାଇଁ ସହକାରୀ ଶିକ୍ଷକ ପଦବୀ ନିମନ୍ତେ ଆବେଦନ କରିଥିଲେ । ବିଜ୍ଞାପନ ଅନୁଯାୟୀ କ୍ୟାରିୟର ମାର୍କ ଏବଂ ସାକ୍ଷାତକାର ମାର୍କ ଉପରେ ଆଧାରିତ ଥିଲା । ଜୁନ୍‌ ୨୦୨୨ ମସିହାରେ ଓଡ଼ିଶା ଲୋକସେବା କମିଶନ ଦ୍ୱାରା ପ୍ରକାଶିତ ମନୋନୀତ ପ୍ରାର୍ଥୀଙ୍କ ତାଲିକାରେ ସେ ତାଙ୍କ ନାମ ପାଇ ନଥିଲେ । ଫଳାଫଳରେ ଅସନ୍ତୁଷ୍ଟ ହୋଇ ସେ ଡିସେମ୍ବର ୨୦୨୨ ମସିହାରେ ଆର୍‌ଟିଆଇରେ ଆବେଦନ ପୂର୍ବକ ଲୋକସେବା କମିଶନଙ୍କ ନିକଟରେ କ୍ୟାରିଅର ମୂଲ୍ୟାୟନ ଏବଂ ସାକ୍ଷାତକାରରେ ତାଙ୍କୁ ମିଳିଥିବା ମାର୍କର ବିବରଣୀ ମାଗିଥିଲେ । ଓଡିଶା ଲୋକସେବା ଆୟୋଗ ତାଙ୍କୁ କ୍ୟାରିଅରର ମାର୍କ ପ୍ରଦାନ କରିଥିଲେ । କିନ୍ତୁ ଡିସେମ୍ବର ୨୦୨୨ରେ ପ୍ରାର୍ଥୀଙ୍କୁ ସାକ୍ଷାତକାର ମାର୍କ ପ୍ରଦାନ ନକରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଆଧାରରେ ତାଙ୍କର ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ମନାକରି ଦେଇଥିଲେ ।

ସୂଚନା କମିଶନଙ୍କ ସମ୍ମୁଖରେ ଶୁଣାଣି ସମୟରେ ଓଡ଼ିଶା ଲୋକସେବା ଆୟୋଗର ପ୍ରତିନିଧି ଯୁକ୍ତି ବାଢ଼ିଥିଲେ ଯେ, ଏହି ପଦବୀରେ ପ୍ରାର୍ଥୀଙ୍କ ଚୟନ ପାଇଁ କୌଣସି ସାକ୍ଷାତକାର ମାର୍କ ରେକର୍ଡ କରାଯାଏ ନାହିଁ କିମ୍ବା କୌଣସି ସର୍ବନିମ୍ନ ମାର୍କ ସ୍ଥିର କରାଯାଏ ନାହିଁ । ପ୍ରାର୍ଥୀଙ୍କୁ କେବଳ ସେମାନେ ଉପଯୁକ୍ତ କି ଅନୁପଯୁକ୍ତ ବୋଲି ସୂଚନା ଦିଆଯାଏ । ପ୍ରାର୍ଥୀମାନଙ୍କୁ ନିର୍ଦ୍ଦିଷ୍ଟ ମାର୍କ ଦିଆଯାଏ ନାହିଁ କିମ୍ବା କୌଣସି ଯୋଗ୍ୟ ତାଲିକା ପ୍ରକାଶ କରାଯାଏ ନାହିଁ । କିନ୍ତୁ ସୂଚନା କମିଶନର ମନୋଜ ପରିଡା ତାଙ୍କ ଐତିହାସିକ ରାୟରେ କହିଛନ୍ତି ଯେ, ଓଡ଼ିଶା ଲୋକସେବା ଆୟୋଗର ଏପରି ନିଷ୍ପତ୍ତି ସୂଚନା ଅଧିକାର ଆଇନର ବ୍ୟବସ୍ଥା ବିରୁଦ୍ଧ । ପ୍ରାର୍ଥୀଙ୍କର ସାକ୍ଷାତକାରରେ ପାଇଥିବା ମାର୍କ ଜାଣିବାର ପୂର୍ଣ୍ଣ ଅଧିକାର ରହିଛି । ଏହା ଦ୍ୱାରା ସେ ପରବର୍ତ୍ତୀ ପ୍ରୟାସରେ ତାଙ୍କର ପ୍ରଦର୍ଶନକୁ ଉନ୍ନତ କରି ପାରିବେ । ଓଡ଼ିଶା ଲୋକସେବା ଆୟୋଗକୁ ଏହାର ପ୍ରକ୍ରିୟା ପରିବର୍ତ୍ତନ କରିବାକୁ ଏବଂ ପ୍ରାର୍ଥୀଙ୍କୁ ମିଳିଥିବା ମାର୍କ ସମ୍ପର୍କରେ ବିବରଣୀ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି ।

ମୁଣ୍ଡ ନୁଆଁଇଲେ ନେପାଳ ସରକାର ; ହଟିଲା ୨୬ଟି ସୋସିଆଲ ମିଡିଆ ଉପରେ ଜାରି ନିଷେଧାଦେଶ

ନନ୍ଦିଘୋଷ ବ୍ୟୁରୋ: ଜେନେରେସନ-ଜେଡ୍ ଆନ୍ଦୋଳନକାରୀଙ୍କ ଚାପରେ ମୁଣ୍ଡ ନୁଆଁଇଲେ ନେପାଳ କେ.ପି. ଶର୍ମା ଓଲି ସରକାର । ଯେଉଁ ୨୬ଟି ସୋସିଆଲ ମିଡିଆ ଉପରେ ସରକାର ନିଷିଦ୍ଧାଦେଶ ଜାରି କରିଥିଲେ ତାହାକୁ ହଟାଇନେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ସାରା ଦେଶରେ ହୋଇଥିବା ଆନ୍ଦୋଳନରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ବିଶେଷ କରି ଆନ୍ଦୋଳନ ଯୋଗୁ କାଠମାଣ୍ଡୁ ଗଭୀର ପ୍ରଭାବିତ ହୋଇଥଇଲା । ସୋସିଆଲ ମିଡିଆ ଉପରେ ବ୍ୟାନ ଓ ଦୁର୍ନୀତି ପ୍ରତିବାଦରେ ଏହି ଆନ୍ଦୋଳନ ହୋଇଥିଲା। ଗତକାଲି ରାତିରେ ବସିଥିବା ଜରୁରୀ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପ୍ରତ୍ୟାହାର ହେଲା ବୋଲି କହିଛନ୍ତି ଯୋଗାଯୋଗ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପୃଥ୍ବୀ ସୁବା ଗୁରୁଙ୍ଗ। ନେପାଳର ଯୋଗାଯୋଗ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ ଏହି ପ୍ରତିବନ୍ଧକ ହଟାଇବା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ହିଂସା ଏବଂ ପ୍ରତିବାଦକୁ ଦୃଷ୍ଟିରେ ରଖି, ନେପାଳ କ୍ୟାବିନେଟର ଏକ ଜରୁରୀକାଳୀନ ବୈଠକ ଡକାଯାଇଥିଲା। ଯେଉଁଥିରେ ସର୍ବସମ୍ମତିକ୍ରମେ ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଥିଲା।ସେପଟେ ଏହି ଘଟଣାକୁ ନେଇ ଇସ୍ତଫା ଦେଇଛନ୍ତି ନେପାଳ ଗୃହମନ୍ତ୍ରୀ ରମେଶ ଲେଖାକ ।

ନୈତିକତା କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଇଛି । ଗତକାଲି ଏହି ଘଟଣାକୁ ନେଇ ୭ଟି ସହରରେ କର୍ଫ୍ୟୁ ଜାରି ହୋଇଥିଲା । କାଠମାଣ୍ଡୁସ୍ଥିତ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବାସଭବନ ନିକଟରେ କର୍ଫ୍ୟୁ ଜାରି ହୋଇଥିଲା । ଆନ୍ଦୋଳନକାରୀଙ୍କ ଉପରକୁ ପୋଲିସ ଲୁହବୁହା ଗ୍ୟାସ ଓ ପାଣିମାଡ଼ କରିଥିଲା । ୧୯୯୫ରେ ଜେନ ଜେଡର ଉତ୍ପତ୍ତି ଘଟିଥିଲା ଏବଂ ୧୮ରୁ ୩୦ ବର୍ଷ ବୟସର ଯୁବକ ଯୁବତୀମାନଙ୍କୁ ଏଥିରେ ସାମିଲ ହୋଇଥାନ୍ତି । ଦେଶରେ ଉତ୍ତେଜନା ପରେ ଭାରତ-ନେପାଳ ସୀମାରେ ସୁରକ୍ଷା ବଢାଇ ଦିଆଯାଇଥିଲା । ଯୋଗାଯୋଗ ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ କହିଛନ୍ତି ଯେ ଏବେ ନେପାଳରେ ସମସ୍ତ ସାମାଜିକ ନେଟୱାର୍କିଂ ସାଇଟ୍ ହ୍ୱାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍, ଏକ୍ସ (ଟ୍ୱିଟର) ଏବଂ ଅନ୍ୟାନ୍ୟ ୨୬ଟି ପ୍ଲାଟଫର୍ମ ସକ୍ରିୟ ହୋଇଗଲାଣି।

କାହିଁକି ସି.ପି. ରାଧାକ୍ରିଷ୍ଣନଙ୍କୁ ଚୟନ କରିଛି ଏନଡିଏ ?

ନୂଆଦିଲ୍ଲୀ : ସି.ପି. ରାଧାକ୍ରିଷ୍ଣନ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ! ପ୍ରଶ୍ନ ଉଠୁଛି କେଉଁ କାରଣରୁ ରାଧାକ୍ରିଷ୍ଣନଙ୍କୁ ଏନଡିଏ କରିଛି ପ୍ରାର୍ଥୀ । ଆଞ୍ଚଳିକ ଭାରସାମ୍ୟ, ଆଦର୍ଶଗତ ଉତ୍ସ, ଜାତି, ମେଣ୍ଟ ଗଣିତ ଆଦିକୁ ଦୃଷ୍ଟିରେ ରଖି ଏହି ଚୟନ ହୋଇଥିବା ଚର୍ଚ୍ଚା ହେଉଛି । ଜଗଦୀପ ଧନଖଡ଼ଙ୍କ ପରେ ତାଙ୍କ ସ୍ଥାନ ଲାଗି ଅନେକ ବ୍ୟକ୍ତିଙ୍କ ନାଁ ଚର୍ଚ୍ଚାରେ ଥିଲା । ହେଲେ ସମସ୍ତଙ୍କୁ ଚମତ୍କୃତ କରି ରାଧାକ୍ରିଷ୍ଣନଙ୍କ ନାଁରେ ମୋହର ଲାଗିଥିଲା । ଯଦିଓ ଉପରାଷ୍ଟ୍ରପତି ହେବା ଲାଗି ରାଜ୍ୟପାଳ, କ୍ୟାବିନେଟ ମନ୍ତ୍ରୀ ପ୍ରମୁଖଙ୍କୁ ବଛାଯିବ ବୋଲି ସେପରି କୌଣସି ନିୟମ ନାହିଁ ତଥାପି ସରକାର ଏହାକୁ ଗୁରୁତ୍ବ ଦେଇଛନ୍ତି । ତେବେ ଆଞ୍ଚଳିକ ଭାରସାମ୍ୟ ପ୍ରତି ବର୍ତ୍ତମାନ ଗୁରୁତ୍ବ ଦିଆଯାଇଛି ।

୨୦୧୭ରେ ଉତ୍ତରପ୍ରଦେଶର ଦଳିତ ନେତା ରାମନାଥ କୋବିନ୍ଦଙ୍କୁ ବିଜେପି ରାଷ୍ଟ୍ରପତି କରିଥିଲା । ସେତେବେଳେ ଆନ୍ଧ୍ରପ୍ରଦେଶରୁ ଅର୍ଥାତ ଦକ୍ଷିଣଭାରତରୁ ଏମ. ଭେଙ୍କୟାନାଇଡୁଙ୍କୁ ଉପରାଷ୍ଟ୍ରପତି କରିଥିଲା । ୨୦୨୨ରେ ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରାଯାଇଥିବା ବେଳେ ରାଜସ୍ଥାନର ଜାଟ୍ ନେତା ଧନଖଡଙ୍କୁ ଉପରାଷ୍ଟ୍ରପତି କରିଥିଲା । ଭୌଗୋଳିକ, ଜାତି ଓ ସମ୍ପ୍ରଦାୟକୁ ଗୁରୁତ୍ବ ଦେଇଥିଲା ବିଜେପି । ସଙ୍ଘ ପରିବାରର ସଦସ୍ୟ ନଥିବା ଧନଖଡ ଓ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଯେପରି ଭାବେ ବିଜେପିକୁ ଅଡୁଆରେ ପକାଇଥିଲେ ସେଥିପ୍ରତି ସଜାଗ ରହି ବିଜେପି ଆରଏସଏସ ପରିବାର ସଦସ୍ୟମାନଙ୍କୁ ଭରସା କରୁଛି ।

ରାଧାକ୍ରିଷ୍ଣନଙ୍କୁ ଚୟନ ପଛର କାରଣ

-ରାଧାକ୍ରିଷ୍ଣନ ଜଣେ ପଛୁଆ ବର୍ଗ ଅର୍ଥାତ ଗୌଣ୍ଡର ସମ୍ପ୍ରଦାୟର ନେତା
-ଦକ୍ଷିଣ ଭାରତରେ ବିଜେପି ନିଜର ଭାବମୂର୍ତ୍ତି ଅଧିକ ସୁଦୃଢ କରିବ
-ରାଧାକ୍ରିଷ୍ଣନ ଆରଏସଏସର ଗୁଡ୍ ବୁକରେ ରହିଆସିଛନ୍ତି
-ତାମିଲନାଡୁ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରାଯାଇପାରିବ
-ରାଜ୍ୟପାଳ ଭାବେ ରାଧାକ୍ରିଷ୍ଣନଙ୍କ ବିପୁଳ ଅଭିଜ୍ଞତା ରହିଛି
-ଝାଡ଼ଖଣ୍ଡ ରାଜ୍ୟପାଳ ଥିବାବେଳେ ସେ ୨୪ ଜିଲ୍ଲା ଗସ୍ତ କରିଥିଲେ
-କୋଏମ୍ବାଟୁରରୁ ୨ ଥର ଲୋକସଭାକୁ ଯାଇ ଅଭିଜ୍ଞତା ହାସଲ କରିଛନ୍ତି
-ତାମିଲନାଡୁ ବିଜେପି ମୁଖ୍ୟ ଭାବେ ୧୯ ହଜାର କିଲୋମିଟର ରଥଯାତ୍ରା କରିଥିଲେ
-ଦୀର୍ଘ ୪୦ ବର୍ଷର ରାଜନୈତିକ ଅଭିଜ୍ଞତା ରାଧାକ୍ରିଷ୍ଣନଙ୍କ ରହିଛି
-ଆରଏସଏସ ଓ ବିଜେପି ହାଇକମାଣ୍ଡଙ୍କ ବିଶ୍ବସ୍ତ ନେତା ରାଧାକ୍ରିଷ୍ଣନ

ସି.ପି. ରାଧାକ୍ରିଷ୍ଣନ କିଏ ?

-ମହାରାଷ୍ଟ୍ର ରାଜ୍ୟପାଳ ଅଛନ୍ତି ରାଧାକ୍ରିଷ୍ଣନ
-୨୦ ଅକ୍ଟୋବର ୧୯୫୭ରେ ତ୍ରିପୁରାରେ ଜନ୍ମ
-୨୦୨୪ ଜୁଲାଇ ୨୭ରେ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ
-ତେଲଙ୍ଗାନା, ଝାଡ଼ଖଣ୍ଡ ଓ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ
-ତାମିଲନାଡୁ ବାସିନ୍ଦା ଚନ୍ଦ୍ରପୁରମ ପୋନୁସାମୀ ରାଧାକ୍ରିଷ୍ଣନ
-ରାଧାକ୍ରିଷ୍ଣନଙ୍କ ରହିଛି ଦୀର୍ଘ ରାଜନୈତିକ କ୍ୟାରିଅର
-ଯୁବାବସ୍ଥାରୁ ଆରଏସଏସ ଓ ଜନସଂଘ ସହ ସମ୍ପର୍କିତ ଥିଲେ
-୧୯୯୬ ଓ ୧୯୯୮ରେ ଲୋକସଭାରେ ଦୁଇଥର ଲାଗି ସାଂସଦ ଥିଲେ
-କୋଏମ୍ବାଟୁରରୁ ୨ ଥର ଲୋକସଭା ସାଂସଦ ଥିଲେ
-ଜାତିସଙ୍ଘ ସାଧାରଣ ଆସେମ୍ବ୍ଲିରେ ଭାରତର ପ୍ରତିନିଧିତ୍ବ କରିଥିଲେ
-୨୦୦୪ରୁ ୨୦୦୭ ତାମିଲନାଡୁର ବିଜେପି ସଭାପତି ଥିଲେ
-୨୦୨୦ରେସେ କେରଳ ଲାଗି ବିଜେପି ପ୍ରଭାରୀ ହୋଇଥିଲେ

ଆଜି ଉପରାଷ୍ଟ୍ରପତି ନିର୍ବାଚନ ; କିଏ ଚାଖିବେ ବିଜୟର ସ୍ବାଦ ?

ନନ୍ଦିଘୋଷ ବ୍ୟୁରୋ: ଆଜି ଉପରାଷ୍ଟ୍ରପତି ନିର୍ବାଚନ । କିଏ ହେବେ ଉପରାଷ୍ଟ୍ରପତି ତାହାକୁ ନେଇ କଳ୍ପନାଜଳ୍ପନା । ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଏହି ନିର୍ବାଚନ ହେଉଛି । ଏହା ହେବ ଦେଶର ସପ୍ତଦଶ ଉପରାଷ୍ଟ୍ରପତି ନିର୍ବାଚନ । ୧୯୮୭ ପରେ ପ୍ରଥମ ଥର ଲାଗି ଉପରାଷ୍ଟ୍ରପତି ପଦ ଲାଗି ଦ୍ବିତୀୟ ଥର ନିର୍ବାଚନ ହେବ । ଏହି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଭୋଟ ଦେବେ । ରାଜ୍ୟସଭାର ମନୋନୀତ ସାଂସଦ ବି ଭୋଟ ଦେବେ । ସିକ୍ରେଟ ବାଲଟ ବ୍ୟବସ୍ଥାରେ ଏହି ଭୋଟ ହେବ ।

ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଆଇନ ୧୯୫୨ ଅନୁସାରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ସଂସଦ ଭବନର ପ୍ରଥମ ମହଲାରେ ଥିବା ଏଫ-୧୦୧, ବସୁଧାରେ ସକାଳ ୧୦ଟାରୁ ଅପରାହ୍ଣ ୫ଟା ଯାଏ ଭୋଟ ଦେବେ ସାଂସଦ । ନିର୍ବାଚନ ଲାଗି ଦୁଇଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ନିର୍ବାଚନ କମିଶନ । ସେମାନେ ହେଲେ ପଞ୍ଚାୟତିରାଜ ମନ୍ତ୍ରାଳୟର ଅତିରିକ୍ତ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ସଚିବ ଡି. ଆନନ୍ଦନ । ଏନଡିଏ ପକ୍ଷରୁ ସି. ପି. ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଇଣ୍ଡିମେଣ୍ଟ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀ ।

ବେଦାନ୍ତ ଆଲୁମିନିୟମ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଜରିଆରେ ଗ୍ରାମୀଣ ଶିକ୍ଷାକୁ ମଜବୁତ କରିଛି

ଭୁବନେଶ୍ୱର  :ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ବିଜାପାଲିର ମହିମା ଡିଗ୍ରୀ କଲେଜରେ ବ୍ଲକ ଶିକ୍ଷା କର୍ତ୍ତୃପକ୍ଷଙ୍କ ସହଯୋଗରେ ଏକ ବ୍ଲକ ସ୍ତରୀୟ ଦିନିକିଆ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରି ତୃଣମୂଳ ଶିକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଶିକ୍ଷାଦାନର ଦକ୍ଷତା ବୃଦ୍ଧି ଏବଂ ମୌଳିକ ସ୍ତରରେ ଶିକ୍ଷାଗତ ଉତ୍କର୍ଷତା ବୃଦ୍ଧି କରିବା, ଯାହା ଲକ୍ଷନପୁର ବ୍ଲକର ୬୫୦ରୁ ଅଧିକ ପ୍ରାଥମିକ ଶିକ୍ଷକଙ୍କୁ ଏକାଠି କରିଥିଲା।

ଏହି କାର୍ଯ୍ୟକ୍ରମରେ ପାଠ୍ୟଖସଡା, ଶ୍ରେଣୀଗୃହ ପରିଚାଳନା, ଶିକ୍ଷାଦାନ-ତାଲିମ ସାମଗ୍ରୀ ପ୍ରସ୍ତୁତ, ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି, ପ୍ରାଥମିକ ଚିକିତ୍ସା ଏବଂ ଶ୍ରେଣୀଗୃହରେ ଟେକ୍ନୋଲୋଜିର ପ୍ରଭାବଶାଳୀ ବ୍ୟବହାର ଉପରେ ବିଶେଷଜ୍ଞଙ୍କ ନେତୃତ୍ୱାଧୀନ ଅଧିବେଶନ ଅନ୍ତର୍ଭୁକ୍ତ ଥିଲା। ଶିକ୍ଷକମାନେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ, ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ତାଲିମ ପରେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓସେପା ର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସଶ୍ମିତା ସାହୁ, ଡିଏଚ୍ଏସ୍ଇ ସମ୍ବଲପୁରର ଆଞ୍ଚଳିକ ନିର୍ଦ୍ଦେଶକ ଅମୂଲ୍ୟ କୁମାର ପଧାନଙ୍କ ସମେତ ଶିକ୍ଷା ବିଭାଗର ଅନ୍ୟ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ଏହି ପଦକ୍ଷେପ ଉପରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ଶିକ୍ଷକମାନେ ହେଉଛନ୍ତି ଶିକ୍ଷାର ମେରୁଦଣ୍ଡ, ଏବଂ ସେମାନଙ୍କୁ ସଶକ୍ତ କରିବା ହେଉଛି ଭବିଷ୍ୟତ ପାଇଁ ପ୍ରସ୍ତୁତ ଛାତ୍ରମାନଙ୍କୁ ପୋଷଣ କରିବାର ଚାବିକାଠି ।ଯୁବ ମସ୍ତିଷ୍କକୁ ଆକର୍ଷଣୀୟ ଶିକ୍ଷଣ ଅନୁଭୂତି ପ୍ରଦାନ କରିବା ପାଇଁ ଶିକ୍ଷକମାନଙ୍କୁ ପ୍ରସ୍ତୁତ କରିବାରେ ଏହିପରି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।ସେମାନଙ୍କ ଅଭିବୃଦ୍ଧିରେ ନିବେଶ କରି ଆମେ ଶିକ୍ଷାର ମୂଳଦୁଆକୁ ସୁଦୃଢ଼ କରୁଛୁ ଏବଂ ଆମ ସମ୍ପ୍ରଦାୟରେ ଦୀର୍ଘକାଳୀନ ପ୍ରଭାବ ସୃଷ୍ଟି କରୁଛୁ।

ଆଞ୍ଚଳିକ ନିର୍ଦ୍ଦେଶକ ଅମୂଲ୍ୟ କୁମାର ପଧାନ କହିଛନ୍ତି, “ବେଦାନ୍ତ ଆଲୁମିନିୟମର ଏହି ପଦକ୍ଷେପ ଗ୍ରାମୀଣ ଓଡ଼ିଶାରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ। ସମାବେଶୀ ଏବଂ ସୁଦୃଢ଼ ଶିକ୍ଷା ବ୍ୟବସ୍ଥା ନିର୍ମାଣ ପାଇଁ ଏଭଳି ସହଯୋଗ ଗୁରୁତ୍ୱପୂର୍ଣ୍ଣ।

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରରେ କ୍ରୀଡ଼ା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ଉତ୍ସର୍ଗୀକୃତ ।ଏହି ପ୍ରୟାସ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା, ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ପ୍ରଗତି ଦିଗରେ ଗୋଷ୍ଠୀ ଯୋଗଦାନର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧତାକୁ ରେଖାଙ୍କିତ କରେ ।ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସହଯୋଗ କରି, କମ୍ପାନୀ ନିଶ୍ଚିତ କରିଛି ଯେ ଏଭଳିକାର୍ଯ୍ୟକ୍ରମ ବାସ୍ତବ ସାମାଜିକ-ଅର୍ଥନୈତିକ ପ୍ରଗତିକୁ ଆଗକୁ ନେଇଯିବ।

ବାଣୀବିହାର କ୍ୟାମ୍ପସରେ ବ୍ୟାପକ ପୋଲିସ, ଖାଲି ହେଲା ଅଣଛାତ୍ରଙ୍କ କବଜାରେ ଥିବା ହଷ୍ଟେଲ ରୁମ…

ଭୁବନେଶ୍ୱର : ବାଣୀବିହାର କ୍ୟାମ୍ପସରେ ବ୍ୟାପକ ପୋଲିସ । ବିଶ୍ବବିଦ୍ୟାଳୟରୁ ତଡ଼ା ହେଲେ ଅଣଛାତ୍ର । ଖାଲି ହୋଇଛି ଅଣଛାତ୍ରଙ୍କ କବଜାରେ ଥିବା ୨୦୦ରୁ ଅଧିକ ହଷ୍ଟେଲ ରୁମ । କ୍ୟାମ୍ପସରେ ଥିବା ସବୁ ହଷ୍ଟେଲରେ ଚାଲିଛି କଡା କଡି ଯାଞ୍ଚ ।  ପ୍ରତି ହଷ୍ଟେଲ ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, କର୍ମଚାରୀ, ପୋଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ହୋଇଛି ଜବରଦଖଲରେ ଥିବା ହଷ୍ଟେଲ ରୁମ । ପୂର୍ବରୁ ଅଣଛାତ୍ରଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜିନିଷ ପତ୍ର ସହ ହଷ୍ଟେଲ ଛାଡ଼ିବାକୁ ନୋଟିସ୍ କରାଯାଇଥିଲା । ଯେଉଁଠି ପିଲାଙ୍କ ଅନୁପସ୍ଥିତିରେ ରୁମ ଖାଲି କରାଯାଇଛି, ସେହି ରୁମରେ ଥିବା ଜିନିଷପତ୍ରକୁ ନିଜର ବୋଲି ଆବେଦନ କରି ନେଇପାରିବେ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଯାହା ପଦକ୍ଷେପ ନେବା କଥା ନିଆଯାଉଛି । ପୂର୍ବତନ ଛାତ୍ରମାନେ ଦାୟିତ୍ବବାନ ହୁଅନ୍ତୁ। ରାକିଂ ଓ ଗୁଣାତ୍ମକମାନ ନେଇ ସରକାର ସବୁବେଳେ ଚିନ୍ତିତ ରହୁଛନ୍ତି । ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ସେପଟେ ଛାତ୍ର ବିଜେଡି ଆଣିଛି ଗୁରୁତର ଅଭିଯୋଗ । ହଷ୍ଟେଲରେ ଅଧିକାଂଶ ଅଣଛାତ୍ର ସରକାରୀ ଦଳର ବୋଲି ଛାତ୍ର ବିଜେଡି ସଭାପତି ଅଭିଯୋଗ କରିଛନ୍ତି । କ୍ୟାମ୍ପସରେ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରଥମେ ହଷ୍ଟେଲକୁ ସିଲ୍ କରାଯିବ । ତାପରେ ମରାମତି କରି ଛାତ୍ରମାନଙ୍କୁ ହଷ୍ଟେଲ ଦିଆଯିବ। ସରକାରଙ୍କ ଅପାରଗତା ଯୋଗୁଁ ପୁରାତନ ଛାତ୍ର ମାନଙ୍କ ଉପରେ ଏପରି ଦାଦାଗିରି ହଉଛି। କ୍ୟାମ୍ପସରୁ ବସ୍ତି ହଟିପାରୁନାହିଁ । ଷ୍ଟାଫ କ୍ୱାର୍ଟର୍ସ ଜବରଦଖଲ ହେଇ ପଡିଛି । ପ୍ରଶାସନ ତାହା ଦେଖୁନାହିଁ। କେବଳ ପୁରାତନ ଛାତ୍ରଙ୍କ ଉପରେ ଏପରି ଅମାନବୀୟ ଆକ୍ରମଣ ଗ୍ରହଣୀୟ ନୁହେଁ ବୋଲି ପୁରାତନ ଛାତ୍ର କହିଛନ୍ତି। ଦୀର୍ଘ ଦିନ ଧରି ଉତ୍କଳ ବିଶ୍ୱବିଦ୍ୟଲୟରେ ଅଣଛାତ୍ର ହଷ୍ଟେଲରେ ରହି ଆସୁଥିଲେ । ଯାହାକୁ ନେଇ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସାମ୍ନାକୁ ଆସୁଥିଲା । ଏପରିକି କିଛି ଦିନ ତଳେ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ନୂଆ ଶିକ୍ଷା ନୀତିରେ ଗରିବ ପିଲାଙ୍କୁ ଉପେକ୍ଷା, ଉଚ୍ଚ ଶିକ୍ଷିତ ହେବାର ସ୍ବପ୍ନ ହେବାକୁ ବସିଲାଣି ଧୂଳିସାତ

ଭୁବନେଶ୍ୱର : ବିଭିନ୍ନ ଶିକ୍ଷା ନୀତିରେ ଗରିବ ପିଲାଙ୍କୁ କରାଯାଉଛି ଉପେକ୍ଷା । ଉଚ୍ଚ ଶିକ୍ଷିତ ହେବା ସ୍ବପ୍ନକୁ କରାଯାଉଛି ଧୂଳିସାତ । ପ୍ରଥମେ ଶିକ୍ଷା ଅଧିକାର ଆଇନରେ ଘରୋଇ ସ୍କୁଲରେ ଗରିବ ପିଲାଙ୍କୁ ପାଠ ପଢାଇବା ବ୍ୟବସ୍ଥାକୁ ବର୍ବାଦ କଲେ। ଏବେ ଆଦିବାସୀ ପିଲାଙ୍କ ପଢା ପାଇଁ ଅନ୍ଵେଷା ସ୍କିମ ବନ୍ଦ କରିବାକୁ ଯୋଜନା କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ଜୋରଦାର ବିରୋଧ କରିବାକୁ ଘୋଷଣା କରିଛି ଓଡିଶା ଅଭିଭାବକ ମହାସଂଘ ।  ଆଦିବାସୀ ମୁଖ୍ୟମନ୍ତ୍ରୀ ଆସିବା ପରେ କେମିତି ଆଦିବାସୀ ପିଲାଙ୍କ ପାଠ ବେସରକାରୀ ସ୍କୁଲରେ ବନ୍ଦ କରିବେ ବୋଲି ପ୍ରଶ୍ନ କରିଛି ଓଡିଶା ଅଭିଭାବକ ମହାସଂଘ। ସେପଟେ ଅନ୍ଵେଷା ସ୍କିମ ବନ୍ଦ ହେବା ଫଳରେ ହଜାର ହଜାର ଅଭିଭାବକ କେମିତି ପିଲାଙ୍କୁ ବେସରକାରୀ ସ୍କୁଲରେ ପଢ଼େଇବେ ବୋଲି ଗଭୀର ଚିନ୍ତାରେ ଅଛନ୍ତି l ଅନ୍ଵେଷା ପିଲାଙ୍କୁ ନେଇଥିବା ସ୍କୁଲ ଏବେ ଖାଦ୍ୟ, ସ୍କୁଲ ୟୁନିଫର୍ମ, ବହି ଦେଇ ପାରୁନାହାନ୍ତି l ସେମାନେ ହାତ ଟେକିଦେଲେଣି  l ଯଦି ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଉଚିତ ପଦକ୍ଷେପ ନିଆ ନଯାଏ, ତେବେ ଆଗକୁ ନିରୀହ ଆଦିବାସୀ ପିଲାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଜୋରଦାର ଆନ୍ଦୋଳନ କରାଯିବ ବୋଲି କହିଛି ଅଭିଭାବକ ମହାସଙ୍ଘ।

ସେପଟେ ଆରଟିଇ ପାରଦର୍ଶୀ ପୋର୍ଟାଲରେ ଅନିୟମିତତା ପାଇଁ ୨୩ ତାରିଖରେ ରିପୋର୍ଟ ଦାଖଲ କରିବାକୁ ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ । ଫର୍ମ ପୂରଣ ବେଳେ ଯେଉଁ ଅଭିଭାବକଙ୍କ ସମସ୍ତ କାଗଜପତ୍ର ଠିକ ଥିଲା, ସେମାନଙ୍କ ଆବେଦନ କେମିତି ରିଜେକ୍ଟ ହେଲା ବୋଲି ପ୍ରଶ୍ନ କରିଛି ଅଭିଭାବକ ମହାସଙ୍ଘ । ଛାତ୍ରଛାତ୍ରୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି ବୋଲି ଅଭିଯୋଗ ହୋଇଛି। ବାସିନ୍ଦା ପ୍ରମାଣ ପତ୍ର ଆଧାରରେ ଅନେକ ଫର୍ମ ରିଜେକ୍ଟ ହୋଇଛି । ଯାହାକି ନିର୍ଦ୍ଧାରିତ ନିୟମ ଅନୁଯାୟୀ ଅଭିଭାବକ ମାନେ ସଠିକ ଡକ୍ୟୁମେଣ୍ଟ ଡିପୋଜିଟ କରିଛନ୍ତି l ତେଣୁ ରିଜେକ୍ଟ କରି ପିଲାଙ୍କୁ ତାଙ୍କ ନ୍ୟାର୍ଯ୍ୟ ଅଧିକାରରୁ ବଂଚିତ କରିବl ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି l ସେପଟେ ଶାସକ ଦଳର କହିବା କଥା, ସବୁ କଥାର ବିଚାରବିମର୍ଶ ଓ ଆଲୋଚନା ଚାଲିଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ। ଆରଟିଇ ହେଉ କିମ୍ୱା ଅନ୍ୱେଷା ସବୁଥିରେ କ୍ରିୟାନ୍ଵୟନକୁ ନେଇ ଚର୍ଚ୍ଚା ହେଉଛି। ତେଣୁ ଏହା କେତେଦୂର ପିଲାଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟକାରୀ ହେବ ତା ଉପରେ ରହିଛି ନଜର।

ପ୍ରତିଶୃତି ପାଳନରେ ବିଫଳ ସରକାର, ଲୋକଲୋଚନକୁ ଆଣିବାକୁ ରଣହୁଙ୍କାର ଦେଲା ଯୁବ ଓ ଛାତ୍ର ବିଜେଡି

ଭୁବନେଶ୍ବର : ବିଜେପି ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବାକୁ ରଣହୁଙ୍କାର ଦେଲା ଯୁବ ଓ ଛାତ୍ର ବିଜେଡି। ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାପତି ଇପ୍ସିତା ସାହୁଙ୍କ ସମ୍ବର୍ଦ୍ଧନା ଅବସରରେ ଏହି ରଣହୁଙ୍କାର ଦେଇଛନ୍ତି ଦୁଇ ଛାମୁଆ ବିଜେଡି ସଂଗଠନ। ଦୁଇ ନୂଆ ସଭାପତିଙ୍କ ପାଇଁ ଆଜି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା। ଯେଉଁଥିରେ ଚିନ୍ମୟ ଓ ଇପ୍ସିତାଙ୍କ ସହ ଦଳର ବରିଷ୍ଠ ନେତାମାନେ ଭୁବନେଶ୍ବର ବିମାନ ବନ୍ଦର ନିକଟରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହା ପରେ ଶଂଖ ଭବନ ଯାଏଁ ବିରାଟ ପଦଯାତ୍ରା କରାଯାଇଥିଲା। ଯେଉଁଥିରେ ବିଜେଡିର ହଜାର ହଜାର ଯୁବ, ଛାତ୍ର ଓ ମହିଳା କର୍ମକର୍ତ୍ତା ସାମିଲ ଥିଲେ। ପ୍ରଥମ ଥର ପାଇଁ ନବୀନ ଛାତ୍ର ବିଜେଡି ଦାୟିତ୍ବ ଜଣେ ମହିଳାଙ୍କୁ ଦେଇଛନ୍ତି। ଯାହା ନବୀନଙ୍କ ନାରୀ ସଶକ୍ତିକରଣକୁ ପୁଣି ଥରେ ପ୍ରମାଣିତ କରିଛି। ଛାତ୍ର ସମାଜକୁ ସଂଗଠିତ କରି କ୍ୟାମ୍ପସ ରାଜନୀତିରେ ସକ୍ରିୟ କରିବାକୁ ରୋଡମ୍ୟାପ ପ୍ରସ୍ତୁତ କରିବ ଛାତ୍ର ବିଜେଡି। କାରଣ ଯେଉଁ ଛାତ୍ର ସଂସଦ ନିର୍ବାଚନ କରିବାକୁ ବିଜେପି ସରକାର କହି ଆସୁଥିଲା, ତାହା ଏଯାଏ କରି ପାରି ନାହିଁ। ସେହିପରି ଯୁବ ସମାଜଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ପଟ୍ଟନାୟକ ଅନେକ ଜନକଲ୍ୟାଣକାରୀ ଯୋଜନା କରିଥିଲେ। ହେଲେ ବର୍ତ୍ତମାନ ଯୁବ ସମାଜ ପ୍ରଥଭ୍ରଷ୍ଟ ହେବାରେ ଲାଗୁଛି। ଯୁବକଙ୍କୁ ପୁଣି ଥରେ ପ୍ରଗତି ଆଡ଼କୁ ମୁହାଁଇ ସୁସ୍ଥ ସମାଜ ଗଢିବାକୁ ଯୁବ ବିଜେଡି କାମ କରିବ।

ପଦଯାତ୍ରା ସରିବା ପରେ ଶଂଖ ଭବନରେ ଆୟୋଜିତ ହୋଇଥିଲା ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ। ଦଳର ବରିଷ୍ଠ ନେତାମାନେ ନବ ମନୋନୀତ ଛାମୁଆ ସଂଗଠନର ସଭାପତିମାନଙ୍କୁ ସରକାରଙ୍କ ଦୋଷଦୁର୍ବଳତା ବିରୋଧରେ ଲଢିବାକୁ ଗୁରୁମନ୍ତ୍ର ଦେଇଥିଲେ। ବିରୋଧୀରେ ଥିବା ବିଜୁ ଜନତା ଦଳ କଠିନ ସମୟ ଦେଇ ଗତି କରୁଛି। ଏହାକୁ ଆହ୍ବାନ ଭାବେ ଗ୍ରହଣ କରି ସଂଗଠନ ଆଗେଇନେବାକୁ ସମସ୍ତେ ମତ ଦେଇଛନ୍ତି । ବିଜେପି ସରକାର ପୂରଣ କରି ନଥିବା ନିର୍ବାଚନୀ ପ୍ରତିଶୃତିର ଅସଲ ମୁଖା ଖୋଲିବାକୁ ବିଜେଡିର ଛାମୁଆ ସଂଗଠନ ଅଣ୍ଟା ଭିଡ଼ିଛନ୍ତି। ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକରେ ଛାମୁଆ ସଂଗଠନ ଗୁଡ଼ିକୁ ସୁଦୃଢ କରିବାକୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ଅନୁପ୍ରାଣିତ ହୋଇ ସାଂଗଠନିକ ପ୍ରକ୍ରିୟାକୁ ଆଗେଇ ନେଇ ଚାଲିଛି ବିଜୁ ଜନତା ଦଳ।

ଘର କିଣିଥିବା ବ୍ୟକ୍ତିଙ୍କୁ ଅକ୍ୟୁପାନ୍ସି ଓ କମ୍ପ୍ଲିସନ ସାର୍ଟିଫିକେଟ ଦେବାକୁ ବାଧ୍ୟ

ଭୁବନେଶ୍ୱର : ଆପାର୍ଟମେଣ୍ଟରେ ଅକ୍ୟୁପାନ୍ସି ସାର୍ଟିଫିକେଟ ଗୁରୁତ୍ବ ବୁଝିଲେ ସରକାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନଗର ଉନ୍ନୟନ ବିଭାଗ ଆଣିଛି ବିସ୍ତୃତ ଗାଇଡଲାଇନ। ବିଭାଗ ପକ୍ଷରୁ ଜାରି ହୋଇଛି ଗୁରୁତ୍ବପୂର୍ଣ୍ଣ ବିଜ୍ଞପ୍ତି। ଏହାକୁ ଆକ୍ଟିଭିଷ୍ଟ, ଆଇନଜୀବୀ ସମସ୍ତେ ସ୍ବାଗତ କରିଛନ୍ତି। ଓସି ପାଇଁ ଅଣ୍ଡରଟେକିଂ ନଦେଲେ ବିଲଡରଙ୍କୁ ମିଳିବନି ପ୍ଲାନ ଅନୁମୋଦନ। ଓସି ନଥିଲେ ମିଳିବନି ପାଣି, ବିଜୁଳି, ସ୍ବେରେଜ ସଂଯୋଗ। ଓସି ନଥିଲେ ଘରକୁ ଗ୍ୟାରେଣ୍ଟି ଭାବେ ରଖିପାରିବନି ବ୍ୟାଙ୍କ। ପ୍ରକଳ୍ପ ସ୍ଥଳରେ ବିଲଡର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅନୁମୋଦିତ ପ୍ଲାନ୍ର ବୋର୍ଡ ଲଗାଇବେ । ଏସବୁ ପରେ ଯଦି ପରବର୍ତ୍ତୀ ଅବସ୍ଥାରେ ପ୍ଲାନ ମୁତାବକ ଆବାସିକ ବିଲଡିଂ ନିର୍ମାଣରେ କିଛିଟା ତ୍ରୁଟି ଥିବା ପରିଲକ୍ଷିତ ହୁଏ, ତାହେଲେ ସ୍ଥାନୀୟ ପ୍ରଶାସନ ଓ ବିଲଡରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୀର୍ଘଦିନର ଲଢେଇ ପରେ ଓସି ଓ ସିସି ନେଇ ବିଭାଗର ବିଜ୍ଞପ୍ତି ବାହାରିଛି ।

କୌଣସି ବି କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନ ଅବୈଧ କୋଠାରେ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବା ପାଇଁ ଟ୍ରେଡ ଲାଇସେନ୍ସ ପ୍ରଦାନ କରିବେ ନାହିଁ । କଲେ ସମ୍ପୃକ୍ତ ପ୍ରଶାସନ ଆଇନ ଅନୁୟାୟୀ ଦାୟୀ ରହିବେ । ଯେଉଁଠି ବି କୋଠା ନିର୍ମାଣ କରାଯିବ ସେଠାକାର ସ୍ଥାନୀୟ ପରିବେଶ, ଜୋନାଲ ପ୍ଲାନ ଓ ସର୍ବସାଧାରଣଙ୍କ ସ୍ବାର୍ଥକୁ ବିଚାରକୁ ନିଆଯାଇ ପ୍ଲାନ୍ ଅନୁମୋଦନ କରାଯିବ । ନିୟମ ବହିର୍ଭୁତ ନିର୍ମାଣ ନେଇ ଯଦି ଗୋଟିଏ ସରକାରୀ ବିଭାଗ ଅନ୍ୟ ବିଭାଗର ସହଯୋଗ ଲୋଡ଼େ ତାହେଲେ ସେ କ୍ଷେତ୍ରରେ ବିଭାଗ ମଧ୍ୟରେ ତୁରନ୍ତ ସମନ୍ବୟ ରକ୍ଷା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଳମ୍ବରେ ହେଲେ ମଧ୍ୟ ଅକ୍ଯୁପାନ୍ସି ସାର୍ଟିଫିକେଟ ଓ କମ୍ପ୍ଲିସନ ସାର୍ଟିଫିକେଟ ନେଇ ବିଭାଗ ସ୍ପଷ୍ଟତା ଆଣିଥିବାରୁ ଆଇନଜୀବୀ ଏହାକୁ ସ୍ବାଗତ କରିଛନ୍ତି। ଓସି ଓ ସିସିକୁ ନେଇ ଓଡ଼ିଶାରେ ଅନେକ ଦିନ ଧରି ଦ୍ଵନ୍ଦ୍ବ ଲାଗିରହିଥିଲା। ୨୦୧୭ ପୂର୍ବରୁ ରେରା ଆଇନ ଆସିବା ପୂର୍ବରୁ ହୋଇଥିବା ପ୍ରକଳ୍ପର ଆଇନଗତ ଦିଗକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ସିସି ଓ ଓସି ପାଇଁ ରାଜ୍ୟ ସରକାର ଆଣିଥିବା ବିଜ୍ଞପ୍ତି ଏବେ ବି ହାଇକୋର୍ଟରେ ବିଚାରାଧୀନ ରହିଛି। ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ପରେ ଏହା ଉପରେ ସ୍ପଷ୍ଟତା ଆସିବା ସହ ଆପାର୍ଟମେଣ୍ଟ କିଣାବିକା ନେଇ ବାଟ ଫିଟିବାର ଆଶା କରାଯାଉଛି।

ରାଜ୍ୟରେ ଜାରି ରହିଛି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ବଣ୍ଟନ ସସପେନ୍ସ

ଭୁବନେଶ୍ବର : ବିଜେପିରେ ଛିଡୁନି ଅଙ୍କ, ହୋଇପାରୁନି ନିଷ୍ପତ୍ତି। ଯାହାକୁ ନେଇ ଓଡ଼ିଶାରୁ ଦିଲ୍ଲୀ ଯାଏ ଜାରି ରହିଛି କସରତ । ନାନା ଚର୍ଚ୍ଚା ଓ ସସପେନ୍ସ ଭିତରେ ବିଳମ୍ବ ହୋଇଛି ବିଜେପିର ନିଗମ ବଣ୍ଟନ ଓ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ଦିଲ୍ଲୀ ଗସ୍ତ କରୁଥିବା ବେଳେ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ବଣ୍ଟନ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ଖୋଦ ବିଜେପି ବିଧାୟକ। ଦଳୀୟ ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ କହିବା କଥା, ବିଳମ୍ବ ହେଉଛି ସମ୍ପ୍ରସାରଣ। ହେଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ବିଭିନ୍ନ ପ୍ରସଙ୍ଗରେ ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରୁଛନ୍ତି। ଯାହା ନିଷ୍ପତ୍ତି ନିଆଯିବ ତାହା ସଭିଁଏ ଜାଣିବେ। ବିଧାୟକ ଟଙ୍କଧର ତ୍ରିପାଠୀ ଓ ଦୁଷ୍ମନ୍ତ ସ୍ବାଇଁଙ୍କ ମତ ହେଉଛି, ନିଗମ ଓ ମନ୍ତ୍ରିମଣ୍ଡଳ ଛଡା ରାଜ୍ୟର ବିକାଶ ପାଇଁ ବାରମ୍ବାର ଦିଲ୍ଲୀ ଗସ୍ତ ହେଉଛି। ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ନିଗମ ଓ ମନ୍ତ୍ରିମଣ୍ଡଳ ବାବଦରେ ଦଳ ଉଚିତ ସମୟରେ ଉଚିତ ନିଷ୍ପତ୍ତି ନେବ ବୋଲି ଉଭୟ କହିଛନ୍ତି।

ସେପଟେ ଅଧା ଗଢ଼ା ମନ୍ତ୍ରିମଣ୍ଡଳ ଓ ବହୁପଦବୀ ଖାଲି ପଡିବାକୁ ନେଇ ବିଜେପିକୁ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଦେଢ଼ ବର୍ଷ ହେବ ବିଜେପି ଶାସନରେ ଛିଡୁନି ଓଡ଼ିଆ ଅସ୍ମିତା ଅଙ୍କ। ସେଥିପାଇଁ ବାରମ୍ବାର ଦିଲ୍ଲୀ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ନେଇ ପାରୁନାହାନ୍ତି ନିଗମ ଓ ମନ୍ତ୍ରିମଣ୍ଡଳ ନିଷ୍ପତ୍ତି। ଦିଲ୍ଲୀରେ ଓଡ଼ିଆ ଅସ୍ମିତା କଳି ଚାଲିଥିବାରୁ ଶାସକ ଦଳ କୌଣସି  ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁନି ବୋଲି କହିଛନ୍ତି ଅରୁଣ। ସେହିପରି ବିଜେପି ଦ୍ବନ୍ଦ୍ବରେ ଥିବାରୁ ରାଜ୍ୟ ବିଜେପି କୌଣସି ନିଷ୍ପତ୍ତି ନେଇପାରୁନଥିବା କହିଛନ୍ତି ରାଜନୈତିକ ସମୀକ୍ଷକ। ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ ଜଣ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରିବେ । ୧୫ ମାସ ହେବ ୬ଟି ମନ୍ତ୍ରୀ ପଦ ଖାଲିପଡିଛି । ସେହିପରି ଅଧିକାଂଶ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ଚାପଗସ୍ତ ରହୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ପରିଷଦ ଓ ନିଗମ ବଣ୍ଟନ ବି ବିଜେପି ନେତୃତ୍ବ ପାଇଁ କଣ୍ଟା ସାଜିଛି । ବହୁ ଆଶାୟୀ ଥିବାରୁ ଓଡ଼ିଶାରୁ ଦିଲ୍ଲୀ ଯାଏ ଦଳୀୟ ନେତୃତ୍ବ ଜାରି ରଖିଛନ୍ତି କସରତ। ଯାହାକୁ ନେଇ ବିଜେପି ଆଶାୟୀଙ୍କ ମନରେ ବଢ଼ିଛି ଉତ୍କଣ୍ଠା।