spot_img
Home Blog Page 4042

ହିନ୍ଦୁ ବିରୋଧୀ ମନ୍ତବ୍ୟ ପଡ଼ିଲା ମହଙ୍ଗା, ମନ୍ଦିରରେ ପଶିବାକୁ ଦେଲେନି ବିରୋଧୀ

ଉଜ୍ଜୟିନୀ: ଫିଲ୍ମ ପ୍ରମୋସନ କରିବାକୁ ଯାଇ ହଟହଟା ହେଲେ ବଲିଉଡର ହଟ୍ ଯୋଡ଼ି । ୨୦୧୧ ମସିହାରେ ଦେଇଥିବା ଏକ ମନ୍ତବ୍ୟ ୨୦୨୨ ମସିହାର ଫିଲ୍ମ ପ୍ରମୋସନ ବେଳେ ମହଙ୍ଗା ପଡ଼ିଛି। ମଧ୍ୟପ୍ରଦେଶ ଉଜ୍ଜୟିନୀ ସହରରେ ଥିବା ମହାକାଳେଶ୍ବର ମନ୍ଦିର ଯାଇଥିଲେ ଅଭିନେତା ରଣବୀର ଏବଂ ଆଲିଆ ।  ମନ୍ଦିରରେ ତାଙ୍କୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି । ମହାକାଳେଶ୍ବରଙ୍କ ଦର୍ଶନ ପାଇଁ ଯାଇଥିଲାବେଳେ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କର୍ମୀମାନେ ତାଙ୍କୁ ବିରୋଧ କରିଥିଲେ ।

ପୂର୍ବରୁ ରଣବୀର ଗୋମାତାଙ୍କୁ ନେଇ ଏପରି କିଛି କହିଥିଲେ ଯେ, ତାହାର ନିଆଁ ଏବେ ଦେଖିବାକୁ ମିଳିଛି । ଠିକ୍ ଫିଲ୍ମ ପ୍ରମୋସନ ପାଇଁ ଯିବାବେଳେ ତାଙ୍କୁ ବିରୋଧ ପ୍ରଦର୍ଶନ ହୋଇଛି । ପୂର୍ବରୁ ରଣବୀର କହିଥିଲେ ଯେ, ଗୋମାଂସ ଖାଇବା ଭଲ । ମୁଁ ଗୋମାଂସ ଖାଇବାକୁ ଭଲ ପାଏ ।

ରଣବୀରଙ୍କ ଏହି କଥାକୁ ନେଇ ଏବେ ତାଙ୍କୁ ଜୋରଦାର୍ ବିରୋଧ ପ୍ରଦର୍ଶନ ହେଉଛି । ହିନ୍ଦୁ ବିରୋଧୀ ରଣବୀର ଏବଂ ଆଲିଆ ଗୋମାଂସ ଭକ୍ଷଣକାରୀଙ୍କୁ ମନ୍ଦିରରେ ପ୍ରବେଶ କରି ମନ୍ଦିରର ପବିତ୍ରତା ନଷ୍ଟ ହେବାକୁ ଦେବେ ନାହିଁ ବୋଲି କହିଥିଲେ ବଜରଙ୍ଗ ଦଳର କର୍ମୀ । ଏହାକୁ ନେଇ ଉଜ୍ଜୟିନୀରେ ପ୍ରବଳ ବିରୋଧ ହେବା ପରେ ପୋଲିସକୁ ମଧ୍ୟ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ପୋଲିସ୍ ପ୍ରଦର୍ଶନକାରୀଙ୍କ ଉପରେ ଲାଠିମାଡ଼ କରିବା ସହ ରଣବୀର ଏବଂ ଆଲିଆଙ୍କୁ ସୁରକ୍ଷା ଦେଇଥିଲେ ।

ଷ୍ଟାର ଦମ୍ପତ୍ତିଙ୍କୁ ବିରୋଧ ପରେ ସେମାନେ ଦର୍ଶନ କରିପାରି ନଥିଲେ । ଏହାପରେ ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ଦର୍ଶନ କରିଥିଲେ ।

ବାଜିଲା ହକି ବିଶ୍ୱକପ ବିଗୁଲ୍; ଶେଷ ହେଲା ଡ୍ର ସେରେମନି, ପୁଲ୍ ‘D’ରେ ଭାରତ

ଭୁବନେଶ୍ୱର: ୨୦୨୩ରେ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ବାଜିଲା ବିଗୁଲ୍। ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଣ୍ଟରରେ ହୋଇଛି ଡ୍ର ସେରମନି। ବିଶ୍ୱକପ୍ ପାଇଁ ପୁଲ୍ ଘୋଷଣା କରାଯାଇଛି। ମୋଟ୍ ୪ଟି ପୁଲରେ ୧୬ଟିମ୍ ଭାଗ ନେବେ। ପୁଲ୍-ଡିରେ ଭାରତ ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଘୋଷଣା କରିଥିଲେ। ଏହାପରେ ଅନ୍ୟ ପୁଲର ଟିମ୍ ନେଇ ଘୋଷଣା କରାଯାଇଛି।  ପୁଲ୍-ଡିରେ ଭାରତ ସହ ଇଂଲଣ୍ଡ, ସ୍ପେନ୍, ୱେଲ୍ସ ବି ସାମିଲ ହୋଇଛନ୍ତି। ସେହିଭଳି ପୁଲ୍-ଏରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ପୁଲ୍-ବିରେ ବେଲଜିଅମ୍, ଜର୍ମାନୀ, କୋରିଆ, ଜାପାନ ସାମିଲ ହୋଇଛନ୍ତି। ଏବଂ ପୁଲ୍-ସିରେ ନେଦରଲାଣ୍ଡସ୍, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲୀ ରହିଛନ୍ତି।  ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ FIH କାର୍ଯ୍ୟକାରୀ ସଭାପତି ସୈଫ୍ ଅହମ୍ମଦ, କି ଇଣ୍ଡିଆ ସଦସ୍ୟ ଜାଫର ଇକବାଲ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରଭୃତି ଉପସ୍ଥିତ ଥିଲେ।

ହକି ବିଶ୍ୱକପ କରି ରୋଲ ମଡେଲ ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ ହକି ଇଣ୍ଡିଆ ସଦସ୍ୟ ଜାଫର ଇକବାଲଙ୍କ ଉଦବୋଧନ ଦେଇ କହିଛନ୍ତି, ହକି ପ୍ରେମୀଙ୍କ ପାଇଁ ଆଜି ଏକ ବଡ଼ ଦିନ। ୨ୟ ଥର  ପାଇଁ ହକି ବିଶ୍ୱକପ ଆୟୋଜନ କରୁଛି ଓଡିଶା, ଯାହା ଗର୍ବର ବିଷୟ। ଏଥିପାଇଁ ସେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିଭଳି ହକି ଇଣ୍ଡିଆ ସିଓଏ ଡକ୍ଟର ଏସ. ୱାଇ କ୍ୟୁରେସୀ ମଧ୍ୟ ନିଜ ଉଦବୋଧନରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ହକିକୁ ନୂଆ ରୂପ ଦେବାରେ ଓଡିଶାର ଉଦ୍ୟମ ପ୍ରଶଂସନୀୟ। ଏହା ବ୍ୟତୀତ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ଉଦବୋଧନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ହକି ଆୟୋଜନ କରି ଓଡ଼ିଶା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଓଡିଶାର ୨ଟି ସ୍ଥାନରେ ବିଶ୍ୱକପ ଖେଳାଯିବାକୁ ଥିବାରୁ ଏହା ଗର୍ବର ବିଷୟ।

 

ରାଜଧାନୀ ବିଜ୍ଞାନ ଭବନରେ ରାଜ୍ୟ ସମବାୟ ମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସମ୍ମିଳନୀ

ନୂଆଦିଲ୍ଲୀ: ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଛି ସମବାୟ ମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସମ୍ମିଳନୀ। କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ହୋଇଛି । ଏଥିରେ ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇଛନ୍ତି। ଆୟୋଜିତ ଏଡି ସମ୍ମିଳନୀରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ଉଠାଇବେ। ଓଡ଼ିଶାର ଦାବି ପୂରଣ କରିବାକୁ ଗୁରୁତ୍ୱ ଦେବେ।

ସମବାୟ ବ୍ୟାଙ୍କକୁ ସୁଦୃଢ଼ କରିବା ସହ କୃଷକଙ୍କୁ ବୀମାରାଶି ପ୍ରଦାନରେ ବିଳମ୍ବ ନହେବା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶାର ଚାଷୀ ଠିକ୍ ସମୟରେ ଯେପରି ବୀମା ରାଶି ପାଇପାରିବେ, ସେନେଇ ଦୃଷ୍ଟି ଆକର୍ଷଣ କରିବେ ମନ୍ତ୍ରୀ । ଆଗାମୀ ଦିନରେ କେନ୍ଦ୍ର ପକ୍ଷରୁ ଏକ ନୂତନ ଜାତୀୟ ସମବାୟ ନୀତି ଲାଗୁ ହେଉଥିବାରୁ ଆଜିର ସମ୍ମିଳନୀ ବେଶ ଗୁରୁତ୍ୱ ବହନ କରୁଛି।

ମଦ ନିଶାରେ ବନ୍ଧୁକୁ ଟାଙ୍ଗିଆରେ ହାଣିି ହତ୍ୟା କଲା ବନ୍ଧୁ

ଦେବଗଡ଼: ମଦ ନିଶାରେ ବନ୍ଧୁକୁ ହତ୍ୟା କଲା ବନ୍ଧୁ । ସାମାନ୍ୟ ବଚସାରୁ ବନ୍ଧୁ ସାଜିଲା ହତ୍ୟାକାରୀ। ଦେବଗଡ଼ କୁଣ୍ଢେଇଗୋଳା ଗୋହିଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତରାତିରେ ଗୋହିଡା ଗାଁର ରଞ୍ଜିତ ନାଏକ ଓ ପ୍ରଭାତ କୁମୁରା ଅତ୍ୟଧିକ ନିଶା ସେବନ କରି ପାଟିତୁଣ୍ଡ କରୁଥିବା ବେଳେ, ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଦୁହେଁ ନିଜ ନିଜ ଘରକୁ ଚାଲି ଯାଇଥିଲେ। ପୁଣି ରାତି ସାଢେ ୧୦ଟାରେ ପ୍ରଭାତ ରଞ୍ଜିତଙ୍କୁ ଟାଙ୍ଗିଆରେ ହାଣିଥିବା ଅଭିଯୋଗ ହୋଇଛି ।

ଘଟଣାସ୍ଥଳରେ ରଞ୍ଜିତଙ୍କର ମୃତ୍ୟୁ ହୋଇଥିବା ବେଳେ ହତ୍ୟାକାରୀ ପ୍ରଭାତ ଫେରାର ହୋଇଯାଇଥିଲା । ଖବର ପାଇ ଖଇରପାଲି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପ୍ରଭାତକୁ ଗାଁ ନିକଟରୁ କାବୁ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ମଧ୍ୟ ଜବତ ହୋଇଛି। ଆଜି ଏସଡିପିଓ, କୁଣ୍ଢେଇଗୋଳା ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଅବହେଳା ପାଇଁ କଟା ହେଲା ପ୍ରଥମ ଶ୍ରେଣୀ ଛାତ୍ରଙ୍କ ଅଙ୍ଗୁଳି

0

କେନ୍ଦ୍ରାପଡ଼ା: ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଅବହେଳା ପାଇଁ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ଅଙ୍ଗୁଳି କାଟିବାକୁ ପଡିଛି । ଅଭାବନୀୟ ଘଟଣା ଘଟିଛି ମହାକାଳପଡ଼ା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଗତମାସ ୩୧ ତାରିଖ ଦିନ ବିଦ୍ୟାଳୟକୁ କିଆରବାଙ୍କ ଗାଁର ତପନ ମଲ୍ଲିକଙ୍କ ୬ବର୍ଷର ପୁଅ ଶାଶ୍ଵତ ଗଣେଶ ପୂଜା କରିବାକୁ ଯାଇଥିଲେ । ବିଦ୍ୟାଳୟରେ ଖେଳକୁଦ କରୁଥିବା ସମୟରେ କବାଟରେ ଶାଶ୍ଵତଙ୍କର ବାମହାତର ବିଶି ଆଙ୍ଗୁଳି ଚାପି ହୋଇଯାଇଥିଲା।

ବିଦ୍ୟାଳୟର ଶିକ୍ଷକ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ବ୍ୟାଣ୍ଡେଜ୍ କରି ଆସିଥିଲେ । ଦୁଇଦିନ ପରେ ଶାଶ୍ଵତଙ୍କ ହାତ ବିନ୍ଧା ଛିଟିକା ହେବାରୁ ତାଙ୍କୁ ପ୍ରଥମେ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା । ଶାଶ୍ଵତଙ୍କ ଆଙ୍ଗୁଠିଟି ସେପଟିକ୍ ହୋଇଯାଇଥିବାରୁ ଆଙ୍ଗୁଠିକୁ କାଟିବାକୁ ପଡିଛି। ଏନେଇ ଶାଶ୍ଵତଙ୍କ ବଡ଼ବାପା ବିପିନ ମଳିକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଚିକିତ୍ସାର ସୁବ୍ୟବସ୍ଥା ସହିତ ଦୋଷୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଲିଖିତ ଅଭିଯୋଗ କରିଛନ୍ତି।

ରାଜଧାନୀର ଐତିହାସିକ ରାଜପଥ ହେବ ‘କର୍ତ୍ତବ୍ୟ ପଥ’; ସନ୍ଧ୍ୟାରେ ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ: ଆଜି ଉଦଘାଟିତ ହେବ କର୍ତ୍ତବ୍ୟ ପଥ। ପୂର୍ବରୁ ରାଜପଥ ନାମରେ ନାମିତ ହୋଇ ଆସିଥିବା ଏହି ମାର୍ଗର ନୂଆ ନାମ କର୍ତ୍ତବ୍ୟପଥ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଉଦଘାଟନ କରିବେ। ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ ଯାଏ ଯାଇଥିବା ରାଜପଥର ନାମ ବଦଳାଯାଇ ଏହାର ନାମ ରଖାଯାଇଛି କର୍ତ୍ତବ୍ୟପଥ ସେଣ୍ଟ୍ରାଲ ଭିସ୍ତା।

ଔପନିବେଶିକ ଶାସନ କାଳରୁ ଚାଲି ଆସିଥିବା ବିଭିନ୍ନ ନାମର ପରିବର୍ତ୍ତନ କରିବା ଲାଗି ସରକାର ଘୋଷଣା କରିଥିବା ପ୍ରକ୍ରିୟା କ୍ରମେ ରାଜପଥର ନାମ ବଦଳାଯାଇଛି । ଉଦଘାଟନ ଉତ୍ସବକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଉଦଘାଟନକୁ ଦୃଷ୍ଟିରେ ରଖି ତିଲକମାର୍ଗ, ପୁରାନା କିଲ୍ଲା ରୋଡ଼, ଶେରଶାହା ରୋଡ଼, ଡକ୍ଟର ଜାକିର ହୁସେନ ମାର୍ଗ, ପାଣ୍ଡରା ରୋଡ଼, ଶାହାଜାହାନ ରୋଡ଼, ଆକବର ରୋଡ଼, ଅଶୋକା ରୋଡ଼ରେ ଟ୍ରାଫିକ ପରିବର୍ତ୍ତନ କରାଯାଇଛି । ଏହା ସହ ଇଣ୍ଡିଆ ଗେଟ୍ ଠାରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ପ୍ରତିମୂର୍ତ୍ତି ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଉଦଘାଟନକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୬ରୁ ରାତି ୯ଟା ଯାଏ ସ୍ଥାନୀୟ ଅଞ୍ଚଳ ଦେଇଯାଇଥିବା ରୋଡଗୁଡିକୁ ବନ୍ଦ କରିଦିଆଯିବ ।

ପ୍ରକାଶ ପାଇଲା ନିଟ୍ ରେଜଲ୍ଟ; ରାଜସ୍ଥାନ ଝିଅ ତନିସ୍କା ଅଲ୍ ଇଣ୍ଡିଆ ଟପ୍ପର, ଓଡ଼ିଶା ଟପର୍ ପ୍ରିୟ ସୋମଦତ୍ତ

ଭୁବନେଶ୍ୱର: ପ୍ରକାଶ ପାଇଛି ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ବା ନିଟ୍ ରେଜଲ୍ଟ । www.ntaresults.nic.inରେ ରେଜଲ୍ଟ ଉପଲବ୍ଧ ହେଉଛି । ମୋଟ୍ ୫୬.୩ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ହେଇଛନ୍ତି ଉତ୍ତୀର୍ଣ୍ଣ । ରାଜସ୍ଥାନ ଝିଅ ତନିସ୍କା ଅଲ୍ ଇଣ୍ଡିଆ ଟପ୍ପର ହୋଇଛନ୍ତି । ମୋଟ ୭୨୦ ମାର୍କରୁ ୭୧୫ ନମ୍ବର ରଖିଛନ୍ତି ତନିସ୍କା । ଟପ୍ ୫୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଶାର ପ୍ରିୟ ସୋମଦତ୍ତ ନାୟକ ଅଛନ୍ତି । ଟପ୍ପର ତାଲିକାର ୩୯ ନମ୍ବର ସ୍ଥାନରେ ଅଛନ୍ତି ପ୍ରିୟ ସୋମଦତ୍ତ । ତାଙ୍କୁ ମିଳିଛି ୭୦୫ ମାର୍କ । ଚଳିତ ବର୍ଷ ଦେଶରୁ ମୋଟ୍ ୧୭ ଲକ୍ଷ ୬୪ ହଜାର ୫୭୧ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୩ ହଜାର ୬୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଓବିସି ବର୍ଗରେ ୪ ଲକ୍ଷ ୪୭ ହଜାର ୭୫୩ କୃତକାର୍ଯ୍ୟ ହୋଇଥିବା ବେଳେ ସାଧାରଣ ବର୍ଗରେ ୨ ଲକ୍ଷ ୮୨ ହଜାର ୧୮୪ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରେ ସମନ୍ୱିତ ଫିଜିଓଥେରାପି ସେବା: ୧୦ ହଜାର ରୋଗୀଙ୍କ ପାଇଁ ୬୫ ହଜାରରୁ ଅଧିକ ଥେରାପି ସେସନ

0

ସୁନ୍ଦରଗଡ଼: ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିସର ଏବଂ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଚାଲିଥିବା ‘ସମନ୍ୱିତ ଭୌତିକ ଚିକିତ୍ସା’ ବା ଆଧୁନିକ ଫିଜିଓଥେରାପି ସେବା ବେଶ୍‌ ଲୋକପ୍ରିୟ ହୋଇପାରିଛି। ଏହା ମାଧ୍ୟମରେ ଗତ ୮ ମାସ ମଧ୍ୟରେ ଜିଲ୍ଲାରେ ବିଭିନ୍ନ ବର୍ଗ ଓ ବୟସର ରୋଗୀଙ୍କୁ ୬୫ ହଜାରରୁ ଅଧିକ ସେସନ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଡାକ୍ତରୀ ବିଜ୍ଞାନରେ ଆଜି ଅତ୍ୟାଧୁନିକ ଫିଜିଓଥେରାପି ସେବା ଗୁରୁତ୍ୱପୂର୍ଣ୍ଣ ହୋଇଛି। ଏ ବାବଦରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଉଛି।

ସୁନ୍ଦରଗଡ଼ରେ ୨୦୨୨ ଜାନୁଆରିରୁ ସମନ୍ୱିତ ଭୌତିକ ଚିକିତ୍ସା ସେବା ଆରମ୍ଭ କରାଯାଇଛି। ଏହା ଫଳରେ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟତଃ ଗ୍ରାମାଞ୍ଚଳର ରୋଗୀମାନେ ବିଶେଷ ଉପକୃତ ହେଉଛନ୍ତି।  ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଚାଲିଥିବା ଏହି ବିଶେଷ କାର୍ଯ୍ୟକ୍ରମ ଜରିଆରେ ସମସ୍ତଙ୍କୁ ମାଗଣାରେ ଫିଜିଓଥେରାପି ସେବା ଯୋଗାଇ ଦିଆଯାଉଛି। ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ରହିଛି ଅତ୍ୟାଧୁନିକ ‘ଥେରାପ୍ୟୁଟିକ୍ ସେଣ୍ଟର’ ବା ଭୌତିକ ଚିକିତ୍ସା ସେବା କେନ୍ଦ୍ର। ସେଠାରେ ଫିଜିଓଥେରାପି ସହ ଆଶୁ ନିରାକରଣ ଚିକିତ୍ସା, ବାକ୍ ଥେରାପି, ବ୍ୟାବହାରିକ ଚିକିତ୍ସା ଓ ତାଲିମ ଏବଂ ଶିକ୍ଷା ଥେରାପି ଭଳି ବିଭିନ୍ନ ଆଧୁନିକ ଚିକିତ୍ସା ଓ ପୁନର୍ବାସ ସେବା ଦିଆଯାଉଛି। ଏଥିରୁ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, କର୍ମଜୀବୀ, ମହିଳା, ଶିଶୁ ତଥା ବିଭିନ୍ନ ବର୍ଗର ଲୋକେ ଉପକୃତ ହେଉଛନ୍ତି। ସେହିପରି ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଇଛି। ସେଠାରେ ତାଲିମପ୍ରାପ୍ତ ଫିଜିଓଥେରାପିଷ୍ଟମାନଙ୍କୁ ନିଯୁକ୍ତ କରି ରୋଗୀମାନଙ୍କୁ ବିଭିନ୍ନ ପ୍ରକାରର ଥେରାପି ଦିଆଯାଉଛି। ସମସ୍ତ କେନ୍ଦ୍ରରେ ଶିଶୁଙ୍କ ସୁବିଧା ପାଇଁ ଅଲଗା ଚିକିତ୍ସା କକ୍ଷର ବ୍ୟବସ୍ଥା କରାଯାଇଛି। ଏହାସହିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ସାପ୍ତାହିକ ଓପିଡି ଜରିଆରେ ସ୍ଥାନୀୟ ରୋଗୀମାନଙ୍କୁ ଫିଜିଓଥେରାପି ସେବା ଓ ପରାମର୍ଶ ଦିଆଯାଉଛି।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଥିବା କେନ୍ଦ୍ରରେ ଗତ ୮ ମାସ ମଧ୍ୟରେ ୧୭୩୯ ଜଣ ରୋଗୀ ବିଭିନ୍ନ ଫିଜିଓଥେରାପି ସେବା ପାଇଛନ୍ତି। ସେମାନଙ୍କୁ ୧୩ ହଜାର ୧୨୨ଟି ସେସନ ମାଧ୍ୟମରେ ସେବା ଯୋଗାଇ ଦିଆଯାଇଛି। ସେହିପରି ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଥିବା ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ରରେ ୬ ହଜାର ୩୩୯ ଜଣ ରୋଗୀ ବିଭିନ୍ନ ଥେରାପି ନେଇଛନ୍ତି। ସେମାନଙ୍କ ପାଇଁ ୬୫ ହଜାର ୯୫୦ ଥେରାପି ସେସନ କରାଯାଇଛି। ଏହାଛଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଫିଜିଓଥେରାପି କେନ୍ଦ୍ରରେ ମଧ୍ୟ ରୋଗୀମାନେ ନିୟମିତ ଚିକିତ୍ସା ପାଉଛନ୍ତି। ଅଗଷ୍ଟ ୨୦୨୨ ସୁଦ୍ଧା ଏଠାରେ ୪୦୪ଜଣ ହିତାଧିକାରୀଙ୍କୁ ବିଭିନ୍ନ କୃତ୍ରିମ ଅଙ୍ଗ ମଧ୍ୟ ଯୋଗାଇ ଦିଆଯାଇଛି।

ରାଜଧାନୀରେ ବେକରେ ଓଢ଼ଣୀ ଲଗାଇ ବିଟେକ ପାସ ଆଉଟ୍ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜଧାନୀରେ ପୁଣି ଜଣେ ବିଟେକ ପାସ ଆଉଟ ଛାତ୍ରୀଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀ ହେଲେ ଆର ଏନ ନିୟତି ନାୟକ । ଗତାକାଲି ଚନ୍ଦ୍ରଶେଖରପୁର ଥାନା ରେଲୱେ କଲୋନୀରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଫ୍ୟାନରେ ଓଢଣି ଲଗାଇ ଆତ୍ମହତ୍ୟା କରିଛନ୍ତି ଛାତ୍ରୀ ଜଣଙ୍କ । ଆଜି କ୍ୟାପିଟାଲ ହସ୍ପଟାଲରେ ଶବ ବ୍ୟବଚ୍ଛେଦ ହେବାର ଥିବା ବେଳେ, ବାପା ମାଆଙ୍କ ବୟାନ ରେକର୍ଡ କରିବ ଚନ୍ଦ୍ରଶେଖରପୁର ଥାନା ପୋଲିସ।

ମୃତ ଛାତ୍ରୀଙ୍କ ବାପା ରେଲବାଇର ସିଗନାଲ ସେକ୍ସନ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ବେଳେ ମା ଜଣେ ଡାକ୍ତର। ସାନ ଭଉଣୀ ଅସୁସ୍ଥ ଥିବା ବେଳେ ଘରେ କେହି ନଥିବା ବେଳେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି। କାହିଁକି ଆତ୍ମହତ୍ୟା କଲେ ? ପାରିବାରିକ କାରଣ ନା ବ୍ୟକ୍ତିଗତ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି ତଦନ୍ତ କରୁଛି ପୋଲିସ ।

ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା; ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା । ଦକ୍ଷିଣ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପ ରୂପ ନେବ। ଯାହାର ପ୍ରଭାବରେ ଆଜିଠୁ ରାଜ୍ୟରେ ଜାରି ରହିବ ବର୍ଷା। ମାଲକାନଗିରି, କୋରାପୁଟ, ଗଜପତି, ଗଂଜାମ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତାକାଲିଠୁ ସାରା ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ।

ବିଶେଷକରି ଗଜପତି, ଗଂଜାମ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ। ଏହି ସମୟରେ ପାହାଡ଼ିଆ ଅଞ୍ଚଲରେ ଭୁସ୍ଖଳନ, ତଳି ଅଂଚଳରେ ଜଳବନ୍ଦୀ ସମସ୍ୟା ସହ ଦୃଶ୍ୟମାନ କମ ରହିପାରେ ବୋଲି ସତର୍କ କରିଛି ପାଣିପାଗ ବିଭାଗ । ୧୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ତିନି ଦିନ ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରାଯାଇଛି ।