spot_img
Home Blog Page 4077

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ପଦ ରଦ୍ଦ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ନେଇ ସୂଚନା । ଅଫିସ ଅଫ୍ ପ୍ରଫିଟ୍ ବିବାଦରେ ଫସିଥିବା ସୋରେନଙ୍କୁ ନେଇ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଇସିଙ୍କ ନିଷ୍ପତ୍ତି ନେଇ ବିଧିବଦ୍ଧ ଘୋଷଣା କରିବେ ରାଜ୍ୟପାଳ ।

ଆଜି ସକାଳେ ରାଞ୍ଚି ସ୍ଥିତ ବାସଭବନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ୟୁପିଏର ବୈଠକ ଡାକିଥିଲେ ।  ସେପଟେ ମେଣ୍ଟ ସରକାର ପ୍ରତି କୌଣସି ବିପଦ ନଥିବା କହିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା । ଇସିଙ୍କ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ ଯିବାକୁ ଧମକ ଦେଇଛି ଜେଏମଏମ । ୮୨ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଜେଏମଏମର ୩୦ ବିଧାୟକ ଥିବାବେଳେ କଂଗ୍ରେସର ୧୭ ବିଧାୟକ ଅଛନ୍ତି । ବିଜେପିର ଅଛନ୍ତି ୨୫ ବିଧାୟକ । ମୁଖ୍ୟମନ୍ତ୍ରୀ ହେମନ୍ତ ନିଜ ନାମରେ ମାଇନିଂ ଲିଜ୍ ହାସଲ କରିଥିବା ନେଇ ଅଭିଯୋଗ ମାମଲାର ଶୁଣାଣି ଗତ ସୋମବାର ନିର୍ବାଚନ କମିଶନ ଶେଷ କରିଥିଲେ । ମଙ୍ଗଳବାର ଦିନ ରାଜ୍ୟପାଳ ରମେଶ ବ୍ୟାସଙ୍କ ନିକଟକୁ ଇସି ଏ ସମ୍ପର୍କରେ ପତ୍ର ଲେଖିଥିଲେ । ଗତ ଅଗଷ୍ଟ ୧୮ ତାରିଖରେ ଉଭୟ ବିଜେପି ଓ ଜେଏମଏମ ନିର୍ବାଚନ କମିଶନ ନିକଟରେ ପକ୍ଷ ରଖିଥିଲେ । ପୂର୍ବରୁ ରାଜ୍ୟରେ ଜେଏମଏମ ସରକାରକୁ ଗାଦିଚ୍ୟୁତ କରିବା ଲାଗି ବିଜେପି ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଥିଲେ ଜେଏମଏମ ଓ କଂଗ୍ରେସ ।

ଋଷ ବିରୋଧରେ ଭୋଟ ଦେଲା ଭାରତ

ନ୍ୟୁୟର୍କ: ବନ୍ଧୁ ଋଷ ବିରୋଧରେ ଗଲା ଭାରତ । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନକୁ କଲା ସମର୍ଥନ । ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଋଷ ବିରୋଧରେ ଭୋଟ ଦେଲା ଭାରତ ।

ୟୁକ୍ରେନ-ରୁଷ ଯୁଦ୍ଧ ଆରମ୍ଭ ପରଠୁ ପ୍ରଥମ ଥର ପାଇଁ ଭାରତ ଋଷ ବିରୋଧରେ ଭୋଟ୍ ଦେଇଛି । ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ସଂକ୍ରାନ୍ତୀୟ ଏକ ପ୍ରକ୍ରିୟାଗତ ମତଦାନ ସମୟରେ ଭାରତ ଋଷ ବିରୋଧରେ ଭୋଟ୍ ଦେଇଛି ।

ଜାତିସଂଘ ସୁରକ୍ଷା ପରିଷଦକୁ ଟେଲି କନଫରେନ୍ସ ଜରିଆରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ସମ୍ବୋଧନ କରିଥିବା ବେଳେ ଜେଲେନସ୍କିଙ୍କ ପ୍ରସ୍ତାବ ଉପରେ ଭୋଟ ଗ୍ରହଣ କରାଯାଇଥିଲା । ଏଥିରେ ଭାରତ ସମେତ ୧୩ଟି ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ କରିଥିବା ବେଳେ ଚୀନ ଭୋଟଦାନରୁ ଦୂରେଇ ରହିଥିଲା । ଫେବୃୟାରୀ ୨୪ରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି । ଯୁଦ୍ଧକୁ ୬ମାସ ପୂରିଥିଲେ ବି ଯୁଦ୍ଧର ନିଷ୍କର୍ସ ବାହାରିପାରିନି । ଏବେ ବି ଗୁଳିଗୋଳା ବର୍ଷା, ମିଜାଇଲ ମାଡ଼ରେ କମ୍ପୁଛି ୟୁକ୍ରେନର ଅଧିକାଂଶ ସହର ।

ଏଲଓସିରେ ପାକିସ୍ତାନର ମେଗା ପ୍ଲାନ୍

ଜମ୍ମୁ ଓ କାଶ୍ମୀର: ସତ ହେଲା ଗୁଇନ୍ଦା ବିଭାଗର ସତର୍କ ସୂଚନା । ଭାରତ ବିରୋଧରେ ପାକିସ୍ତାନ ଚଳାଇଛି ମେଗା ପ୍ଲାନ୍ । ସୀମାରେ ୩ ଆତଙ୍କବାଦୀଙ୍କୁ ଭାରତୀୟ ଯବାନ ଏନକାଉଣ୍ଟର କରିବା ପରେ ଗୁଇନ୍ଦା ବିଭାଗର ତଥ୍ୟ ସତ ହେଉଛି ।

ସୂଚନାଯୋଗ୍ୟ, ଜାମ୍ମୁ ଓ କାଶ୍ମୀରର ଉରି ନିକଟ୍ ଏଲଓସିରେ ୩ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଯାହା ଭାରତୀୟ ସୀମାରେ ଲାଗିଥିବା ଇଲେକ୍ଟ୍ରୋନିକ ସର୍ଭେଲାନ୍ସ ମେସିନ ଜରିଆରେ ଜଣାପଡ଼ି ଯାଇଥିଲା । ଏହାପରେ ଭାରତୀୟ ସୁରକ୍ଷାବାହିନୀ ଆକ୍ସନରେ ଆସିଥିଲେ ଓ ଏନକାଉଣ୍ଟରରେ ସମସ୍ତଙ୍କ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଆତଙ୍କବାଦୀମାନେ ଉରି ସେକ୍ଟରର କାମଲକୋଟ ଅଞ୍ଚଳସ୍ଥିତ ମାଦିଆନ ନାନକ ପୋଷ୍ଟ ନିକଟରେ ଅନୁପ୍ରବେଶ କରୁଥିବା ଠାବ କରାଯାଇଥିଲା ।

ତେଣେ ଜାମ୍ମୁ ଓ କାଶ୍ମୀର ବାରମୁଲ୍ଲାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ପାକିସ୍ତାନ ନିଜ ଦେଶରେ ଥିବା ଅନେକ ଆତଙ୍କବାଦୀ ଶିବିର ଓ ଲଞ୍ଚ ପ୍ୟାଡକୁ ଏଲଓସି ନିକଟକୁ ପଠାଇବାରେ ଲାଗିଛି । ସୀମାରୁ ଅଳ୍ପ କିଛି ଦୂରରେ ଏହି କ୍ୟାମ୍ପ ଓ ଲଞ୍ଚ ପ୍ୟାଡ ପ୍ରତିଷ୍ଠା କରାଯାଇଥିବା ଗୁଇନ୍ଦା ସୂତ୍ରରୁ ତଥ୍ୟ ମିଳିଛି । ଭାରତରେ ଅନୁପ୍ରବେଶ ବଢ଼ାଇବା ଲକ୍ଷ୍ୟରେ ପାକିସ୍ତାନ କରିଛି ଏହି ଯୋଜନା । ଆତଙ୍କବାଦୀ ସଂଗଠନ ଲସକର-ଏ- ତଏବା, ଜୈସ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବିଭିନ୍ନ ଶିବିର ଏଲଓସିରେ ପ୍ରତିଷ୍ଠା ହୋଇଥିବା ସୂଚନା ମିଳିଛି । ଗୁଇନ୍ଦା ସୂତ୍ରରୁ କୁହାଯାଇଛି, ଭାରତରେ ପ୍ରବେଶ କରିବା ଲାଗି ତିଆରି କରାଯାଇଛି ଏକାଧିକ ଏଣ୍ଟ୍ରି ପଏଣ୍ଟ । ଅନୁପ୍ରବେଶ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ମଧ୍ୟରେ ଆଇଏସଆଇ ତାଲିମପ୍ରାପ୍ତ ଆତଙ୍କବାଦୀ ଅଛନ୍ତି । ଏପରିକି ପାକିସ୍ତାନ ୩୦୦ରୁ ଅଧିକ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର ଡ୍ରୋନ ଜରିଆରେ ଶ୍ରୀନଗର ଆଖପାଖରେ ପକାଇଥିବା ସୂଚନା ମିଳିଛି । ଶ୍ରୀନଗରରେ ଲସକର ଓ ଜୈସର ୫୦ ବିଦେଶୀ ଆତଙ୍କବାଦୀ ପ୍ରବେଶ କରିସାରିଥିବା କୁହାଯାଇଛି ।

ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ କଲା UGC

ନୂଆଦିଲ୍ଲୀ: ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ କରାଯାଇଛି। ଏହି ତାଲିକା ଜାରି କରିଛି UGC। ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ଚାଲୁଛି। ନକଲି ବିଶ୍ୱବିଦ୍ୟାଳୟ ତାଲିକାରେ ରାଉରକେଲାର ନବଭାରତ ଶିକ୍ଷା ପରିଷଦ ଓ ମୟୂରଭଞ୍ଜର ଉତ୍ତର ଓଡ଼ିଶା କୃଷି ଓ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ ଅଛି। ଦିଲ୍ଲୀରେ ସର୍ବାଧିକ ୮ଟି ନକଲି ବିଶ୍ୱବିଦ୍ୟାଳୟ ଚାଲୁଥିବା ବେଳେ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଓ ଆନ୍ଧ୍ରରେ ଗୋଟିଏ ଲେଖାଏଁ ନକଲି ବିଶ୍ୱବିଦ୍ୟାଳୟ ଚାଲିଛି। ପଶ୍ଚିମବଙ୍ଗରେ ୨ଟି ଓ ୟୁପିରେ ୪ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ ହୋଇଛି । ତାଲିକାଭୁକ୍ତ ନକଲି ବିଶ୍ୱବିଦ୍ୟାଳୟ କୌଣସି ଡିଗ୍ରୀ ପ୍ରଦାନ କରିପାରିବେ ନାହିଁ । ଛାତ୍ରଛାତ୍ରୀ ଆଡମିଶନ କଲେ UGC ଦାୟୀ ରହିବ ନାହିଁ । UGC ସଚିବ ପ୍ରଫେସର ରଜନୀଶ ଜୈନ ଏହି ସୂଚନା ଦେଇଛନ୍ତି ।

ଘର ଭିତରୁ ମିଳିଲା ଗୋଟିଏ ପରିବାରର ୬ ସଦସ୍ୟଙ୍କ ମୃତଦେହ

ଅମ୍ବାଲା: ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ । ଘଟଣାସ୍ଥଳରୁ ଜବତ ହୋଇଛି ସୁଇସାଇଡ ନୋଟ । ହରିଆଣା ଅମ୍ବାଲାରେ ଘଟିଛି ଏଭଳି ଲୋମହର୍ଷକ ଘଟଣା । ଅମ୍ବାଲାର ବାଲାନା ଗାଁରେ ୬ ଜଣଙ୍କ ମୃତଦେହ ଠାବ ହେବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେମାନଙ୍କ ମଧ୍ୟରେ ଘରର ମୁଖ୍ୟ ସଙ୍ଗତ ରାମ ଓ ତାଙ୍କ ପତ୍ନୀ ମହିନ୍ଦ୍ରା କୌର ଥିବାବେଳେ ଦୁଇ ଶିଶୁ ମଧ୍ୟ ଅଛନ୍ତି । ଅମ୍ବାଲା ଡିଏସପି ଯୋଗୀନ୍ଦର ଶର୍ମା କହିଛନ୍ତି, ମୃତକଙ୍କ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି । ଫରେନସିକ ଟିମ୍ ଘଟଣାର ଯାଞ୍ଚ କରୁଛି । କିଛିଦିନ ତଳେ ଜାମ୍ମୁର ସିଧ୍ରାରେ ଗୋଟିଏ ପରିବାରର ୬ ଜଣ ଆତ୍ମହତ୍ୟା କରିଥିଲେ।

ଏମକେସିଜି ମେଡିକାଲ କଲେଜରେ ନିଆଁ, ୱାର୍ଡରେ ଥିଲେ ୨୦ରୁ ୨୨ ଜଣ ରୋଗୀ

ଗଞ୍ଜାମ: ଟଳିଗଲା ବଡ଼ ବିପଦ। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି । ସୁପରସ୍ପେଶିଆଲିଟି ବ୍ଲକର ୫ମ ମହଲାରେ ନିଆଁ ଲାଗିଥିବା ବେଳେ ପୁରା ବିଲ୍ଡିଂ ଧୂଆଁମୟ ହୋଇଯାଇଥିଲା । ରୋଗୀମାନଙ୍କୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ କେହି ମୃତାହତ ହୋଇ ନଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଅସ୍ତ୍ରୋପଚାର ଚାଲିଥିବା ବେଳେ ନିଆଁ ଲାଗିଥିଲେ ବି କ୍ଷୟକ୍ଷତି ସମ୍ପର୍କରେ କିଛି ଜଣାପଡ଼ିନି। ନିଆଁ ଲାଗିଥିବା ୱାର୍ଡରେ ୨୦ରୁ ୨୨ ଜଣ ରୋଗୀଥିଲେ। ତେବେ ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ତାହା ଜଣାପଡ଼ିନି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ICAR ସ୍ୱୀକୃତି ଦାବିରେ କୃଷି ମହାବିଦ୍ୟାଳୟରେ ଛାତ୍ର ଅନ୍ଦୋଳନ

କଳାହାଣ୍ଡି: ଭବାନୀପାଟଣା କୃଷି ମହାବିଦ୍ୟାଳୟରେ ଛାତ୍ର ଅନ୍ଦୋଳନ । ICAR ସ୍ୱୀକୃତିରୁ ବାଦ ପଡିଥିବା କାରଣରୁ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍କଲାରସିପ ମଞ୍ଜୁର ହେବାରେ ବିଳମ୍ବ ଓ ଫି ବୃଦ୍ଧି ସହ ଅନେକ ସମସ୍ୟାକୁ ନେଇ ଆନ୍ଦୋଳନ କରିଛନ୍ତି ପିଜି ଛାତ୍ରଛାତ୍ରୀ । ଏହାକୁ ନେଇ ତୁରନ୍ତ ICAR ସ୍ୱୀକୃତି ଦେବାକୁ ଦାବି କରି ମହାବିଦ୍ୟାଳୟ ସମ୍ମୁଖରେ ଶତାଧିକ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି ।

କଲ୍ୟାଣସିଂହପୁରରେ ଲାଗିଲା ମାଓ ବିରୋଧୀ ପୋଷ୍ଟର, ଡଙ୍ଗରିଆଙ୍କୁ କରାଗଲା ସଚେତନ

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କୁ ବିରୋଧ କରି ନିୟମଗିରି ସଚେତନ ଡଙ୍ଗରିଆ ଯୁବା ପରିଷଦ ପକ୍ଷରୁ ପୋଷ୍ଟର ଲଗାଯାଇଛି । ମାଓବାଦୀମାନେ ଡଙ୍ଗରିଆଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କ ଅନୁଷ୍ଠାନକୁ ନିଜ ଅକ୍ତିଆରରେ ରଖୁଛନ୍ତି । ଏହାଛଡ଼ା ମାଓବାଦୀମାନେ ନିୟମଗିରି ଅଞ୍ଚଳର ଅନେକ ମହିଳା ଓ ନାବାଳିକାଙ୍କୁ ନିଜ ଦଳରେ ସାମିଲ କରି ଯୌନ ଶୋଷଣ କରୁଛନ୍ତି ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ଏହି ପୋଷ୍ଟର ମାରି ଡଙ୍ଗରିଆଙ୍କୁ ସଚେତନ କରାଇଛି ନିୟମଗିରି ସଚେତନ ଡଙ୍ଗରିଆ ଯୁବା ପରିଷଦ।

ଶ୍ୱେତା ସୁଇସାଇଡ୍ ସସପେନ୍ସର ଖୋଲୁଛି ଗୁମର, ୪ ସାଙ୍ଗଙ୍କ ସହ କଥା ହେଲା ପୋଲିସ

ଭୁବନେଶ୍ୱର: ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ସୁଇସାଇଡ୍ ସସପେନ୍ସର ଖୋଲୁଛି ଗୁମର। ଶ୍ୱେତାଙ୍କ ସାଙ୍ଗଙ୍କ ସହ କଥା ହୋଇଛି କମିଶନରେଟ୍ ପୋଲିସ। ଶ୍ୱେତାଙ୍କ ୪ଜଣ ସାଙ୍ଗଙ୍କୁ ପୋଲିସ ଯୋଗାଯୋଗ କରିଛି। କିଛି ସାଙ୍ଗଙ୍କ ନମ୍ବର ଲାଗୁ ଥିବା ବେଳେ କେତେ ଜଣଙ୍କ ସହ ଯୋଗାଯୋଗ ହୋଇପାରିନି। ଜଣେ ସାଙ୍ଗ ବେଙ୍ଗାଳୁରର ହୋଇଥିବା ଜଣାପଡିଛି।

ଶ୍ୱେତା ଓ ସୌମ୍ୟଜିତଙ୍କ ମଧ୍ୟରେ କିଭଳି ଥିଲା ସମ୍ପର୍କ ? କାହିଁକି ବ୍ରେକଅପ୍ ହୋଇଥିଲା ରିଲେସନ୍ ? କାହିଁକି ଶ୍ୱେତାତାଙ୍କଠାରୁ ଦୂରେଇ ଯାଇଥିଲେ ସୌମ୍ୟ ? ସେନେଇ ପଚରା ଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଶ୍ୱେତାଙ୍କ ଭାଇଙ୍କ ସହ ସାଙ୍ଗଙ୍କ ଅଡିଓ ସାମନାକୁ ଆସିଥିଲା । ୬ମାସ ହେଲା ଉଭୟଙ୍କ ମଧ୍ୟରେ ସଂପର୍କ ବିଗିଡ଼ିଥିଲା। ଏକାଧିକ ଝିଅଙ୍କ ସହ ସୌମ୍ୟଙ୍କ ଆଫେୟାର୍ସ ଥିଲା ବୋଲି ସାଙ୍ଗ କହିଥିଲେ।

ପୁଣି ଚର୍ଚ୍ଚାରେ ଫୁଲବାଣୀ ବିଧାୟକ, ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ପଢ଼ାଇଲେ ପାଠ

କନ୍ଧମାଳ: ପୁଣି ଚର୍ଚ୍ଚାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ବିଧାୟକ। କିଛିଦିନ ତଳେ ମ୍ୟାଟ୍ରିକ ପରୀକ୍ଷାରେ ପାସ କରି ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟିଥିଲେ ବିଧାୟକ। ଏବେ ସ୍କୁଲ ପରିଦର୍ଶନରେ ଆସି କ୍ଲାସ ରୁମରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼େଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସମୀକ୍ଷା କରିବା ସହ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ ବିଧାୟକ। ଏହା ସହ ଡେରାକୁମ୍ଫା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହ ସ୍କୁଲର ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ ଓ ଛାତ୍ର ଛାତ୍ରୀ ମାନଙ୍କୁ ଚକଲେଟ ବଣ୍ଟନ କରିଥିଲେ ।